ସନ୍ଧ୍ୟାବେଳେ ସେ ଏକ ପରିତ୍ୟକ୍ତ ବଗିଚାକୁ ଚାଲିଚାଲି ଗଲେ । ସେଠାରେ ଏକ ବେଞ୍ଚ ଉପରେ ବସିଲେ ଓ ଗୋଟିଏ ବଡ଼ ବାଡ଼ି ଓ ଏକ ଛୋଟ ଫୋନ୍‌ ତାଙ୍କ ପାଖରେ ରଖିଲେ । ବର୍ଷକ ମଧ୍ୟରେ ବଗିଚାଟି ଦ୍ୱିତୀୟ ଥର ପାଇଁ ନିସ୍ତବ୍ଧ ହୋଇଯାଇଥିଲା। ସମସ୍ତ ପିଲା ଓ ବୟସ୍କମାନେ ପୁଣିଥରେ ସେମାନଙ୍କ ଘରେ ଆବଦ୍ଧ ହୋଇଗଲେ ।

ସେ ଗତ କିଛି ଦିନ ହେବ ଏହି ବଗିଚାକୁ ଯାଉଥିଲେ।ଅନ୍ଧକାର ବଢିବା ସହିତ ଷ୍ଟ୍ରୀଟ୍‌ଲାଇଟ୍‌ଗୁଡ଼ିକ ଜଳି ଉଠିଲା ଓ ଏହାର ଆଲୋକରେ ଶାଖାଗୁଡ଼ିକର ଛାଇ ଭୂମି ଉପରେ ପ୍ରତୀୟମାନ ହେଲା। ମୃଦୁ ପବନରେ ଘୂରି ଘୂରି ତଳେ ପଡୁଥିବା ଗଛର ଶୁଖିଲା ପତ୍ରଗୁଡ଼ିକ ସତେ ଯେପରି ମନର ବ୍ୟାକୁଳତାକୁ ବଢ଼ାଉଥିଲା। ତାଙ୍କ ଭିତର ଅନ୍ଧକାର ଆହୁରି ଗଭୀର ହେଉଥିଲା। ସେ ସେଠାରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ବସି ରହିଲେ, ଶାନ୍ତ କିନ୍ତୁ ଭୀତତ୍ରସ୍ତ ଭାବେ ।

ଯୁବକ ଜଣକ, ଯାହାର ବୟସ ବୋଧହୁଏ ୨୦ବର୍ଷରୁ ଟିକିଏ ଅଳ୍ପ ବା ବେଶୀ ହେବ, ଏଠାର ଜଣେ ପରିଚିତ ମୁହଁ ଥିଲେ – ଅଥଚ, ଅନେକ ଲୋକଙ୍କ ପାଇଁ ସେ ଅଜଣା ଥିଲେ । ତାଙ୍କର ୟୁନିଫର୍ମ ତାଙ୍କ କାମ ବିଷୟରେ କହୁଥିଲା – ସେ ନିକଟବର୍ତ୍ତୀ ଏକ ବହୁତଳ କୋଠାରେ ସିକ୍ୟୁରିଟି ଗାର୍ଡ ଥିଲେ । ତାଙ୍କର ନାମ .. ଜାଣିବା କ’ଣ ଦରକାର? ସାତବର୍ଷ ଧରି ଗାର୍ଡ ଭାବେ କାମ କରିବା ପରେ ମଧ୍ୟ ସେ ସେମାନଙ୍କ ଆପାର୍ଟମେଣ୍ଟର ଜମିଦାରମାନଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି ହୋଇ ରହିଛନ୍ତି ।

ସେ ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡରୁ ଆସିଥିଲେ । ତାଙ୍କ ବାପା ଜଣେ ସ୍ଥାନୀୟ କବି ଓ କଥାକାର ହୋଇଥିବାବେଳେ ସାହିତ୍ୟ ମାଧ୍ୟମରେ ନିଜର ମତାମତ ରଖି ହତ୍ୟାର ଶିକାର ହୋଇଥିଲେ । ତାଙ୍କର ସାମଗ୍ରିକ ସାହିତ୍ୟ କୃତୀକୁ ଭୟରେ ଜଳାଇ ଦିଆଗଲା । କେବଳ ଗୋଟିଏ ଭଙ୍ଗା ଓ ପୋଡ଼ି ଅଙ୍ଗାର ହୋଇଯାଇଥିବା କୁଡ଼ିଆ ରହିଯାଇଥିଲା ,ଆଉ  ରହିଯାଇଥିଲେ ଜଣେ ଅସହାୟ ମା ଓ ତାଙ୍କର ଦଶ ବର୍ଷର ପୁଅ । ସେ ଭୟରେ ଆତଙ୍କିତ ହୋଇପଡ଼ିଥିଲେ – ଯଦି ସେମାନେ ତାଙ୍କଠାରୁ ତାଙ୍କ ପୁଅକୁ ଛଡ଼ାଇ ନେବେ, ତାହାହେଲେ କ’ଣ ହେବ? ସେ ତାଙ୍କ ପୁଅକୁ ଦଉଡ଼ିବାକୁ କହିଲେ, ଯେତେଦୂର ସମ୍ଭବ ସେତେ ଦୂର ପର୍ଯ୍ୟନ୍ତ ।

ସେ ପଢ଼ିବାକୁ ଚାହିଁଥିଲେ, ଭଲ ଜୋତା ପିନ୍ଧିବାକୁ ଚାହିଁଥିଲେ ହେଲେ, ମୁମ୍ବାଇ, ଯେଉଁ ସହରକୁ ସେ ନିଜର ଦୁଃଖ ଦୂର କରିବା ଆଶାରେ ଆସିଥିଲେ, ସେହି ସହରର ରେଳ ଷ୍ଟେସନରେ ଅନ୍ୟମାନଙ୍କ ଜୋତା ପରିଷ୍କାର କରିବା କାମରେ ନିଜକୁ ନିୟୋଜିତ କରିବାକୁ ବାଧ୍ୟ ହୋଇଥିଲେ । ସେ ନାଳ ସଫା କଲେ, ନିର୍ମାଣସ୍ଥଳଗୁଡ଼ିକରେ କାମ କଲେ – ଆଉ ଧୀରେ ଧୀରେ ନିଜକୁ ଗାର୍ଡ ପଦକୁ ଉନ୍ନୀତ କଲେ ।  ତାଙ୍କ ମା’ଙ୍କ ପାଖକୁ ଅର୍ଥ ପଠାଇବାକୁ ସମର୍ଥ ହେବାପାଇଁ ଏହା ଯଥେଷ୍ଟ ଥିଲା । ବର୍ତ୍ତମାନ ତାଙ୍କ ମା’ ମଧ୍ୟ ଅତିଶୀଘ୍ର ତାଙ୍କର ବିବାହ କରିଦେବାକୁ ଚାହିଁଲେ ।

ତାଙ୍କ ମା’ ଗୋଟିଏ ଝିଅ ପସନ୍ଦ କଲେ । ସେ ମଧ୍ୟ ତା’ର ତୀକ୍ଷ୍ଣ କଳା ଆଖି ଦ୍ୱାରା ବିମୋହିତ ହୋଇଥିଲେ । ମଧୁନା ଭାଙ୍ଗିଙ୍କୁ ୧୭ ବର୍ଷ ହୋଇଥିଲା ଓ ସେ ପ୍ରକୃତରେ ତା‘ ନାଁ ଭଳିଆ ମଧୁର ଓ ସୁନ୍ଦର ଥିଲେ । ସେ ତାଙ୍କୁ ନିଜ ସହିତ ମୁମ୍ବାଇ ଆଣିଲେ । ସେ ପର୍ଯ୍ୟନ୍ତ ସେ ନାଲାସୋପ୍ରାରେ ଏକ ଛୋଟ ଚଲ୍‌ରେ ଅନ୍ୟ ୧୦ଜଣ ଲୋକଙ୍କ ସହିତ ଗୋଟିଏ ଛୋଟ ବଖରାରେ ରହୁଥିଲେ । ବର୍ତ୍ତମାନ, ତାଙ୍କ ସହିତ ମଧୁନା ଥିବାରୁ, ସେ କିଛିଦିନ ପାଇଁ ତାଙ୍କର ଜଣେ ବନ୍ଧୁଙ୍କର ଗୋଟିଏ ବଖରା ଭଡାରେ ନେଇଥିଲେ । ସେ ସାରା ସମୟ ତାଙ୍କୁ ଜାବୁଡି ଧରି ରହୁଥିଲେ । ସୁଉଚ୍ଚ କୋଠା, ଜନାକୀର୍ଣ୍ଣ ବସ୍ତି ତଥା ଠେଲାପେଲା ହୋଇ ରେଳ ଯାତ୍ରା, ଆଦି ଦ୍ୱାରା ସେ ବେଶ୍‌ ଭୟଭୀତ ହୋଇପଡ଼ିଥିଲେ । ଅଳ୍ପ କିଛି ଦିନ ରହିବା ପରେ ସେ କହିଲେ: “ମୁଁ ଏଠାରେ ଆଉ ରହିପାରିବି ନାହିଁ । ଏଠାରେ ମୁଁ ମୋ ଗାଁର ମୃଦୁ ପବନକୁ ଅନୁଭବ କରିପାରୁନାହିଁ ।’’ ଗାର୍ଡ ଜଣକ ମଧ୍ୟ ଠିକ୍‌ ଏହିପରି ଅନୁଭବ କରିଥିଲେ, ଯେତେବେଳେ ସେ ତାଙ୍କ ନିଜ ଭୂମି ଛାଡି ଏଠାକୁ ଆସିଥିଲେ ।

କିଛି ଦିନ ମଧ୍ୟରେ ମଧୁନା ଗର୍ଭବତୀ ହେଲେ । ସେ ତାଙ୍କ ଗ୍ରାମକୁ ଫେରିଗଲେ । ଗାର୍ଡ ମଧ୍ୟ ତାଙ୍କ ସହିତ ମିଶି ରହିବାକୁ ଯୋଜନା କରୁଥିଲେ, ହେଲେ, ସେତେବେଳେ ଲକ୍‌ଡାଉନ୍‌ କାରଣରୁ ତାଙ୍କର ଯୋଜନା କାର୍ଯ୍ୟକାରୀ ହୋଇପାରିଲାନାହିଁ । ସେ ଛୁଟି ପାଇଁ ନିବେଦନ କଲେ ହେଲେ, ତାଙ୍କର ନିଯୁକ୍ତିଦାତା ଛୁଟି ଦେବାକୁ ମନା କରିଦେଲେ । ସେ ତାଙ୍କ ଘରକୁ ଚାଲିଗଲେ, ସେ  ବାହୁଡିବା ପରେ ତାଙ୍କୁ ତାଙ୍କ ଚାକିରି ପୁଣି ଥରେ ମିଳି ନ ପାରେ ବୋଲି ତାଙ୍କୁ କୁହାଯାଇଥିଲା । ଆଉ, ସେ ଏହି ନୂଆ ବିମାରୀ ରେ ତାଙ୍କ ନବଜାତ ଶିଶୁକୁ ମଧ୍ୟ ଆକ୍ରାନ୍ତ କରିବା ସମ୍ଭାବନା ରହିଛି, ବୋଲି ମଧ୍ୟ ସେମାନେ ବୁଝାଇ କହିଥିଲେ ।

ସେମାନଙ୍କ ମଙ୍ଗଳ କଥା ବିଚାର କରି ଗାର୍ଡ ନିଜ ମନକୁ ବୁଝାଇଦେଲେ (ଯାହା ପ୍ରକୃତରେ ସେମାନଙ୍କ କୋଠାକୁ ଅସୁରକ୍ଷିତ ଭାବେ ଛାଡି ଚାଲିଯିବା ସହିତ ସମ୍ବନ୍ଧିତ ନୁହେଁ)। ଏହା ମାତ୍ର କିଛି ସପ୍ତାହର କଥା, ବୋଲି ସେ ଭାବିଥିଲେ । ଆଉ, ତାଙ୍କ ପାଇଁ ପଇସାର ଗୁରୁତ୍ୱ ମଧ୍ୟ ଥିଲା – ସେ ତାଙ୍କ ସନ୍ତାନକୁ ସେହି ସବୁ କିଛି ଦେବାକୁ ଚାହୁଁଥିଲେ ଯାହାପାଇଁ ସେ ପିଲାବେଳେ ବ୍ୟାକୁଳ ହେଉଥିଲେ । କିଛି ସମୟ ପୂର୍ବେ, ସେ ବଜାରରେ ଏକ ଛୋଟ ହଳଦିଆ ଡ୍ରେସ୍‌ ଦେଖିଥିଲେ । ଦୋକାନ ପୁଣି ଖୋଲିବା ପରେ ସେ ଏହା କିଣିବେ ବୋଲି ଇଚ୍ଛା କରିଥିଲେ, ଏହା ସହିତ ମଧୁନା ପାଇଁ ଖଣ୍ଡେ ଶାଢୀ ମଧ୍ୟ କିଣିଥାନ୍ତେ । ତାଙ୍କ ନବଜାତ ଶିଶୁ ପାଇଁ ସେ ବ୍ୟଗ୍ରତା ସହିତ ଅନେକ ସ୍ୱପ୍ନ ଦେଖି ଚାଲିଥିଲେ ।

ଏପଟେ ଗ୍ରାମରେ ମଧୁନାଙ୍କ ପାଖରେ ଫୋନ୍‌ ମଧ୍ୟ ନଥିଲା । ଆଉ, ନେଟ୍‌ୱର୍କ ମଧ୍ୟ ଲୁଚକାଳି ଖେଳ ଖେଳୁଥିଲା । ଗାର୍ଡ ତାଙ୍କୁ ତାଙ୍କ ନମ୍ବର ଲେଖା ହୋଇଥିବା ଏକ ପର୍ଚ୍ଚି ଦେଇଥିଲେ, ଯାହାକୁ ଧରି ସେ କିରାଣା ଦୋକାନ ପାଖରେ ଥିବା ଫୋନ୍‌ ବୁଥ୍‌କୁ ଯାଉଥିଲେ । ଯେତେବେଳେ ଦୋକାନ ବନ୍ଦ ହୋଇଗଲା, ସେ ତାଙ୍କ ପଡିଶାଘରୁ ମୋବାଇଲ ମାଗି ଆଣୁଥିଲେ ।

ଘରକୁ ଫେରି ଆସିବା ପାଇଁ ସେ ତାଙ୍କ ସ୍ୱାମୀଙ୍କୁ ବହୁଥର ନିବେଦନ କରିଥିଲେ । ସେ (ଗାର୍ଡ) କିନ୍ତୁ ମୁମ୍ବାଇରୁ ଘୁଞ୍ଚି ପାରିଲେ ନାହିଁ । କିଛି ସପ୍ତାହ ପରେ ଗାର୍ଡଙ୍କ ସ୍ତ୍ରୀ ସେମାନଙ୍କ ଝିଅକୁ ଜନ୍ମ ଦେଇଥିବା ଖବର ପାଇଲେ । ସେମାନେ ତା’ର ନାମକରଣ କରିନଥିଲେ । ଗାର୍ଡ ତାଙ୍କ ପ୍ରଥମ ସନ୍ତାନକୁ ଦେଖନ୍ତୁ ବୋଲି ମଧୁନା ଚାହୁଁଥିଲେ ।

ବିଳମ୍ବିତ ରାତିରେ ଯେତେବେଳେ ଆଲୁଅସବୁ କ୍ଷୀଣ ହୋଇଗଲା, ସେତେବେଳେ ଗାର୍ଡ ବଗିଚାର ବେଞ୍ଚ ଉପରୁ ଉଠି ରାତିରେ ପହରା ଦେବାକୁ ବାହାରିଲେ । ଫ୍ଲାଟ୍‌ଗୁଡ଼ିକରେ ଆଲୁଅ ଜଳି ଉଠିଥିଲା । ଝରକା ଦେଇ କିଛି ଟେଲିଭିଜନ୍‌ ପରଦାର ଆଲୁଅ ବାହାରେ ପଡୁଥିଲା । ଜଣେ ପିଲା ଜୋର୍‌ରେ ହସୁଥିବା ଶବ୍ଦ ବାହାରକୁ ଶୁଣା ଯାଉଥିଲା । ପ୍ରେସର୍‌କୁକର୍‌ଗୁଡ଼ିକ ବିକଟାଳ ଶବ୍ଦ ସୃଷ୍ଟି କରୁଥିଲେ ।

ତାଲାବନ୍ଦ ସମୟରେ, ସେ ଉଭୟ ରାତି ଓ ଦିନରେ ସବୁସମୟରେ ଫ୍ଲାଟ୍‌ଗୁଡ଼ିକୁ ଖାଦ୍ୟ ଡେଲିଭରୀ ଅର୍ଡ଼ରଗୁଡ଼ିକ ନେଇ ଯାଉଥିଲେ । ମଧୁନା ଓ ତାଙ୍କର ଶିଶୁ କନ୍ୟାଙ୍କୁ ମଧ୍ୟ ଖାଇବାକୁ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଥିବ ବୋଲି ସେ ଆଶା କରୁଥିଲେ । ଅସୁସ୍ଥ ନିବାସୀମାନଙ୍କୁ ଆମ୍ୱୂଲାନ୍ସକୁ ନେବାବେଳେ ମଧ୍ୟ ସେ ସହାୟତା କରୁଥିଲେ । ସେ ଭୁଲି ଯାଇଥିଲେ ଯେ ଏହି ବିମାରୀ ଦିନେ ନା ଦିନେ ତାଙ୍କୁ ମଧ୍ୟ ହେବା ସମ୍ଭାବନା ରହିଛି । ସଂକ୍ରମଣର ଶିକାର ହୋଇଥିବା ତାଙ୍କର ଜଣେ ସହକର୍ମୀକୁ ଚାକିରିରୁ ବହିଷ୍କାର କରାଯାଇଥିବା ସେ ଦେଖିଥିଲେ । ଏଣୁ, କାଳେ ତାଙ୍କୁ ମଧ୍ୟ ଚାକିରି ହରାଇବାକୁ ପଡ଼ିବ, ସେ ଭୟରେ ବିନା ଶବ୍ଦରେ ଖାସିଲେ ।

ସେହି କୋଠାରେ କାମ କରୁଥିବା ଜଣେ ଚାକରାଣୀ କାମରେ ପୁଣି ଯୋଗ ଦେବା ପାଇଁ ଅନୁମତି ଦେବାକୁ ନେହୁରା ହେଉଥିବା ସେ ଦେଖିଲେ । ତା’ର ପୁଅ ଭୋକ ଓ ଯକ୍ଷ୍ମା କାରଣରୁ ଦୁର୍ବଳ ହୋଇଯାଇଥିଲା ଓ ତାର ସ୍ୱାମୀ ତା’ର ସମସ୍ତ ସଞ୍ଚିତ ଅର୍ଥ ନେଇ ତା’କୁ ଛାଡି ଚାଲିଯାଇଥିଲା । କିଛି ସମୟ ପରେ, ଗାର୍ଡ ତାଙ୍କୁ ତାଙ୍କର ଛୋଟ ଝିଅ ସହିତ ରାସ୍ତାରେ ଭିକ ମାଗୁଥିବା ଦେଖିଥିଲେ ।

ସେ କିଛି ସ୍ଥାନୀୟ ଦୁଷ୍ଟ ବ୍ୟକ୍ତି ଜଣେ ପରିବା ବିକାଳିର ଠେଲାକୁ ଓଲଟାଉଥିବା ଦୃଶ୍ୟ ଦେଖିଲେ, ହେଲେ, ପ୍ରକୃତରେ ସେହି ବୁଲାବିକାଳିର ଜୀବନ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଥିଲା । ବିକାଳିଟି ତାକୁ କାମ କରିବାକୁ ଅନୁମତି ଦେବାପାଇଁ ଅନେକ ପ୍ରାର୍ଥନା କଲା, ଆର୍ତ୍ତନାଦ କଲା, ଭୋ ଭୋ ହୋଇ କାନ୍ଦିଲା – ସେ ଦିନର ଇଫ୍‌ତାର ପାଇଁ ତାଙ୍କ ପାଖରେ କିଛି ନଥିଲା । ତାଙ୍କ ପରିବାର ତାଙ୍କ ଅପେକ୍ଷାରେ ଥିଲା । ସେହି ଭଡ଼ାଟିଆ ଗୁଣ୍ଡାମାନେ କହିଲେ ଯେ ସେ କାମ କରିବା ବେଳେ ସଂକ୍ରମଣର ଶିକାର ହେବା ସମ୍ଭାବନା ରହିଛି ଆଉ ସେଥିପାଇଁ ସେମାନେ ଏପରି କରି ତାଙ୍କ ଜୀବନ ରକ୍ଷା କଲେ । ପରିବାଗୁଡ଼ିକ ରାସ୍ତା ଉପରେ ଏକ ବଡ଼ ବୁଫେ ପରି ଚାରିଆଡେ ବିଛାଡ଼ି ହୋଇ ପଡ଼ିରହିଥିଲା, ଯେତେବେଳେକି ସେମାନେ ତାଙ୍କର ଠେଲା କୁ ଦୂରକୁ ଗଡ଼ାଇ ଠେଲିଦେଲେ । ସେ ଗୋଟିଏ ଗୋଟିଏ କରି ପରିବା ତଳୁ ଉଠାଇ ତାଙ୍କ ସାର୍ଟରେ ଧରିଲେ, ଯାହା ଟମାଟର ରଙ୍ଗରେ ଲାଲ୍‌ ହୋଇଗଲା । ଓଜନ ବଢ଼ିବାରୁ ସବୁ ତଳକୁ ଖସି ପଡ଼ିଲା ।

ସ୍ଥାନୀୟ ନିବାସୀ ସେମାନଙ୍କ ଝରକା ଦେଇ ସବୁ ଦେଖିଲେ, ସେମାନଙ୍କ ଫୋନ୍‌ରେ ରେକର୍ଡ କଲେ, ବିଭିନ୍ନ ସୋସିଆଲ ମିଡିଆରେ ଏହା ଘୁରି ବୁଲିଥିଲା, ସରକାରଙ୍କ ଉଦ୍ଦେଶ୍ୟରେ କ୍ରୋଧଭରା ଆଲେଖ୍ୟ ଲେଖାଗଲା ।

କିଛି ସମୟ ପୂର୍ବେ, ସେ ବଜାରରେ ଏକ ଛୋଟ ହଳଦିଆ ଡ୍ରେସ୍‌ ଦେଖିଥିଲେ । ଦୋକାନ ପୁଣି ଖୋଲିବା ପରେ ସେ ଏହା କିଣିବେ ବୋଲି ଇଚ୍ଛା କରିଥିଲେ, ଏହା ସହିତ ମଧୁନା ପାଇଁ ଖଣ୍ଡେ ଶାଢୀ ମଧ୍ୟ କିଣିଥାନ୍ତେ

ଡିସେମ୍ବର ବେଳକୁ, ଯେତେବେଳେ ଅନ୍ୟ ଗାର୍ଡମାନେ ପୁଣିଥରେ କାମରେ ଆସି ଯୋଗଦେବେ, ସେତେବେଳେ ଗାର୍ଡ ଶେଷରେ ତାଙ୍କ ଗ୍ରାମକୁ ଯାଇପାରିବେ ବୋଲି ଆଶା କରିଥିଲେ । ହେଲେ, ସେତେବେଳକୁ ନୂଆ ବ୍ୟକ୍ତିମାନେ କାମର ସନ୍ଧାନରେ ଆସୁଥିଲେ । ହତାଶ ଅବସ୍ଥାରେ ଆସୁଥିବା ସେହି ବ୍ୟକ୍ତିମାନେ ତାଙ୍କ ଆଡ଼କୁ ଇର୍ଷାରେ ଦେଖୁଥିବା ସେ ଲକ୍ଷ୍ୟ କରିଥିଲେ । ଏପରି ସ୍ଥିତିରେ ଯଦି ସେ ଏଠାରୁ ଚାଲିଯାଆନ୍ତି, ତାହାହେଲେ ତାଙ୍କୁ ତାଙ୍କର ଚାକିରି ହରାଇବାକୁ ମଧ୍ୟ ପଡ଼ିପାରେ ବୋଲି ଭାବି  ଗାର୍ଡ ଆଉ କିଛି ସମୟ ରହିବାକୁ ନିଜ ମନକୁ କୌଣସି ପ୍ରକାରେ ବୁଝାଇଦେଲେ । ସେ ଏପରି ଆଉ କାହାପାଇଁ ନୁହେଁ, ବରଂ ମଧୁନା ଓ ସେମାନଙ୍କ ପିଲା ପାଇଁ ହିଁ ତ କରୁଥିଲେ । ସେ ଜାଣିଥିଲେ ଯେ ମଧୁନା ସେମାନଙ୍କର ଋଣ ନେଇ ସେମାନେ ସମ୍ମୁଖୀନ ହେଉଥିବା ଗ୍ରାମର ଜମିଦାରଙ୍କ ନିର୍ଯାତନା ବିଷୟରେ କିମ୍ବା ଉପଲବ୍ଧ ହେଉଥିବା ଅଳ୍ପ ପରିମାଣର ଖାଦ୍ୟ ଯେଉଁଥିରେ ସେ କାମ ଚଳାଇ ନେଉଥିଲେ, ସେ ନେଇ କେବେ ମଧ୍ୟ କୌଣସି ଅଭିଯୋଗ କରିବେ ନାହିଁ ।

ତା’ପରେ ଆଉ ଏକ ତାଲାବନ୍ଦର ଖବର ଆସିଲା । ଆମ୍ବୁଲାନ୍ସଗୁଡ଼ିକ ଉଚ୍ଚ ସ୍ୱରରେ ଚିତ୍କାର କରି ଯିବା ଆସିବା କରିବା ଜାରି ରଖିଥିଲେ, ଏହା ପୂର୍ବ ବର୍ଷ ତୁଳନାରେ ଅଧିକ ଖରାପ ଶୁଣାଯାଉଥିଲା । ଟେଷ୍ଟରେ ପଜିଟିଭ୍‌ ଥିବା ଜଣା ପଡ଼ିବାପରେ, ଜଣେ ବୃଦ୍ଧ ବାପାକୁ କିଭଳି ଭାବେ ଘରୁ ବାହାର କରିଦିଆଗଲା, ତାହା ସେ ଦେଖିଲେ । ଆହୁରି ମଧ୍ୟ ଜୋର୍‌ରେ ଚିତ୍କାର କରୁଥିବା  ଛୋଟ ଛୋଟ ପିଲାଙ୍କୁ ଡାକ୍ତରଖାନାକୁ ନିଆଯାଉଥିବାର ଦୃଶ୍ୟ ମଧ୍ୟ ସେ ଦେଖିଲେ ।

ସେ ତାଙ୍କ କାମ ଜାରି ରଖିଲେ ଓ ଶୀଘ୍ର ଘରକୁ ଫେରିବେ ବୋଲି ମଧୁନାଙ୍କୁ ପ୍ରତିଶୃତି ଦେଲେ । ସେ (ମଧୁନା) ପ୍ରତ୍ୟେକଥର ଯେତେବେଳେ ଭୟଭୀତ ହେଇଯାଉଥିଲେ, ଚିତ୍କାର କରି କହୁଥିଲେ, : ନିଜକୁ ସୁରକ୍ଷିତ ରଖ । ଆମେ କେବଳ ତୁମକୁ ଚାହୁଁଛୁ। ଆମର ପିଲା ଏପରିକି ଏ ପର୍ଯ୍ୟନ୍ତ ତା’ ବାପାର ଉପସ୍ଥିତିକୁ ମଧ୍ୟ ଜାଣିପାରିନି । ତାଙ୍କ (ମଧୁନା) ଶବ୍ଦ ଶୁଣି ଗାର୍ଡଙ୍କୁ କଷ୍ଟ ହେଲା ଓ  ସ୍ୱର ତାଙ୍କୁ ସାନ୍ତ୍ୱନା ପ୍ରଦାନ କଲା । ଫୋନ୍‌ ମାଧ୍ୟମରେ କଥାବାର୍ତ୍ତାର ସେହି କିଛି ମୁହୂର୍ତ୍ତ ଉଭୟଙ୍କ ପାଇଁ ସବୁକିଛି ଥିଲା । ସେମାନେ ଅଳ୍ପ କଥା ହେଉଥିଲେ, ହେଲେ, ଏତେ ଦୂରରେ ରହିଥିଲେ ମଧ୍ୟ ଉଭୟ ଉଭୟଙ୍କ ଶ୍ୱାସର ଶବ୍ଦକୁ ଶୁଣି ଭଲ ଅନୁଭବ କରୁଥିଲେ ।

ତା’ପରେ ଆଉ ଏକ କଲ୍‌ ଆସିଲା: “ସେମାନଙ୍କୁ କୌଣସି ଡାକ୍ତରଖାନାରେ ସ୍ଥାନ ମିଳୁନି । କୌଣସି ସ୍ଥାନରେ ଶଯ୍ୟା ଖାଲି ନାହିଁ, ଅକ୍ସିଜେନ୍‌ ମଧ୍ୟ ନାହିଁ । ଆପଣଙ୍କ ସ୍ତ୍ରୀ ଓ ପିଲା ଶେଷ ପର୍ଯ୍ୟନ୍ତ ଶ୍ୱାସ ନେବା ପାଇଁ ସଂଘର୍ଷ କରୁଥିଲେ,” ବୋଲି ତାଙ୍କ ନିଜ ବାପାଙ୍କ ପାଇଁ ଗୋଟିଏ ଅକ୍ସିଜେନ ଟାଙ୍କି ଯୋଗାଡ଼ କରିବାକୁ ଚାରିଆଡେ ଘୁରିବୁଲୁଥିବା ଜଣେ ଆତଙ୍କିତ ଗ୍ରାମବାସୀ କହିଲେ । ସମ୍ପୂର୍ଣ୍ଣ ଗ୍ରାମ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା ।

କ୍ଷୀଣ ଖିଅଟି ଯାହା ଗାର୍ଡଙ୍କୁ ଏପରି ସ୍ଥିତିରେ ସୁଦୃଢ କରି ରଖିଥିଲା, ତାହା ଛିଡ଼ିଗଲା । ତାଙ୍କର ମାଲିକ ଶେଷରେ ତାଙ୍କୁ ଛୁଟି ଦେଲେ । ବର୍ତ୍ତମାନ ସେ ଆଉ କାହା ପାଖକୁ ଯିବେ? ସେ ତାଙ୍କ ଖାଦ୍ୟ ପୁଡିଆ ଧରି ଡ୍ୟୁଟିକୁ ଫେରି ଆସିଲେ । ହଳଦିଆ ଡ୍ରେସ୍‌ ଓ ଶାଢୀଟି ଯତ୍ନ ସହକାରେ ଗୋଟିଏ ଛୋଟ ବ୍ୟାଗରେ ଗୁଡାଇହୋଇ ପଡ଼ି ରହିଥିଲା । ମଧୁନା ଓ ତାଙ୍କର ନାମକରଣ ହୋଇନଥିବା ପିଲାଙ୍କୁ କେଉଁଠାରେ ପୋଡାଯାଇଥିବ ଅଥବା ପୋତା ଯାଇଥିବ ।

ଅନୁବାଦ : ଓଡ଼ିଶାଲାଇଭ୍‍

Aakanksha

Aakanksha (she uses only her first name) is a Reporter and Content Editor at the People’s Archive of Rural India.

Other stories by Aakanksha
Illustrations : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

Other stories by Antara Raman
Editor : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE