html ‘ମୁଁ ଯାହା ଚାହିଁବି ତାହା ହିଁ ହେବି’

ମୋର ଏସ୍‌ଏସ୍‌ସି (ସେକେଣ୍ଡାରି ସ୍କୁଲ ସାର୍ଟିଫିକେଟ୍‌) ଫଳାଫଳ ବାହାରିବାକୁ ଥିବା ଦିନ ମୋ ଅବସ୍ଥା ମାଡ଼ ଖାଇବା ପରେ ଗୋଟିଏ କ୍ରିକେଟ୍‌ ବଲ୍‌ର ଅବସ୍ଥା ପରି ଥିଲା । ଏହା ଚାରି (ରନ୍‌) କିମ୍ବା ଛଅ ? ସମସ୍ତେ ସେହି ବଲ୍‌ଟିକୁ ହିଁ ଦେଖନ୍ତି । ଯଦି ଫେଲ୍‌ ହୋଇଯାଏ ? ମୋ ବାପା ତୁରନ୍ତ ମୋର ବିବାହ କରାଇଦେବେ ।

ପରୀକ୍ଷାଫଳ ୨୦୨୦ ଜୁଲାଇ ୨୯ରେ ଘୋଷଣା ହେଲା । ମୁଁ ୭୯.୦୬ ପ୍ରତିଶତ ହାସଲ କରିଥିଲି; ମୁଁ କେବଳ ଗୋଟିଏ ପଏଣ୍ଟରେ ମୋ ସ୍କୁଲର ତୃତୀୟ ସର୍ବୋଚ୍ଚ ସ୍ଥାନ ହରାଇଲି । ଆମ ଯାଯାବର ନାଥଯୋଗୀ ସମୂହରେ କୌଣସି ଝିଅ କେବେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇନଥିଲେ ! ଏହି ବର୍ଷ ଆମ ସମୂହର ଅନ୍ୟ ତିନିଜଣ ଝିଅ ମଧ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ମୁଁ ନାଭ ଖ [ଜଲଗାଓଁ ଜାମଦ ତହସିଲ, ବୁଲଦାନା ଜିଲ୍ଲା], ରେ ରୁହେ । ଏହା କେବଳ ମୋ ସମୂହର ଲୋକମାନେ ବାସ କରୁଥିବା ଏକ ଛୋଟ ଗାଁ । ଏହାର ଅଧିକାଂଶ ଲୋକ ଭିକ୍ଷା କରିବା ପାଇଁ  ପୁନେ, ମୁମ୍ବାଇ ଏବଂ ନାଗପୁରକୁ ଚାଲିଯାଇଛନ୍ତି । ମୋ ବାପାଙ୍କ ପରି ବଳକାମାନେ ଆମ ଗାଁ ଆଖପାଖରେ ଦିନ ମଜୁରିଆ ଭାବରେ କାମ କରନ୍ତି ।

ମୋ ପିତାମାତା- ଭାଉଲାଲ ସାହେବରାଓ ସୋଲାଙ୍କେ, ୪୫ ଏବଂ ଦ୍ରୌପଦ ସୋଲାଙ୍କେ ୩୬ – ମଧ୍ୟ ଗହମ, ଯଅ, ମକ୍କା, ସୋୟାବିନ ଏବଂ କପା କ୍ଷେତରେ ମଜୁରୀରେ କାମ କରନ୍ତି । ଦିନରେ ପ୍ରାୟ ୮ଘଣ୍ଟା କାମ କରିବା ପାଇଁ ସେମାନେ ଉଭୟେ ୨୦୦ ଟଙ୍କା ଲେଖାଏଁ ପାଆନ୍ତି । ସେମାନେ ମାସରେ କଦବା କ୍ୱଚିତ୍‌ ୧୦-୧୨ ଦିନରୁ ଅଧିକ କାମ ପାଆନ୍ତି, କାରଣ ଅନେକ ଲୋକ କାମ ଚାହୁଁଥିବା ବେଳେ କାମ ଯଥେଷ୍ଟ ନଥାଏ ।

Jamuna with her family at their home in Nav Kh, a Nathjogi village: 'I was thrilled with my achievement: in our community, no girl has ever passed Class 10'
PHOTO • Anjali Shinde
Jamuna with her family at their home in Nav Kh, a Nathjogi village: 'I was thrilled with my achievement: in our community, no girl has ever passed Class 10'
PHOTO • Anjali Shinde

ବାମ: ଯମୁନା ଏବଂ ତାଙ୍କ ପରିବାର ନାଥଯୋଗୀଙ୍କ ଗାଁ ନବ ଖା ରେ ସେମାନଙ୍କ ଘର ସାମ୍ନାରେ । ଡାହାଣ : ସେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାରେ ନାଥଯୋଗୀ ସମୂହର ଅନ୍ୟତମ ପ୍ରଥମ ବାଳିକା 

ମୋ ବାପା ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଯାଇଥିଲେ ଏବଂ ଏହା ପରେ କାମ ଆରମ୍ଭ କରିବା ପାଇଁ ପାଠପଢ଼ା ଛାଡ଼ିଥିଲେ। ମୋର ଦୁଇଜଣ ବଡ଼ ଭଉଣୀ ଅଛନ୍ତି – ରୁକମା, ୨୪, ଯିଏ କି କେବେ ବି ସ୍କୁଲ ଯାଇନଥିଲେ ଏବଂ ନିନା, ୨୨, ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ।  ମୋର ଉଭୟ ଭଉଣୀ ବର୍ତ୍ତମାନ ବିବାହିତ ଏବଂ ସେମାନେ ସ୍କୁଲ ଛାଡ଼ିବା ଦିନରୁ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରିଆସୁଛନ୍ତି । ମୋ ବଡ଼ଭାଇ ଦେବଲାଲ,୨୦ ମଧ୍ୟ ଜଣେ ଦିନ ମଜୁରିଆ ଶ୍ରମିକ । ସେ ୯ମ ଶ୍ରେଣୀରେ ସ୍କୁଲ ଛାଡ଼ିଥିଲେ । 

ମୋତେ ଯେତେବେଳେ ୧୦ ବର୍ଷ ହେଲା, ମୋ ବାପା କହିଲେ, ‘‘ତୁ ଏବେ କାମ କରିବା ଆରମ୍ଭ କର; ତୁ ଆଉ ପଢ଼ିବା ଦରକାର ନାହିଁ ।’’ ସେ କେବଳ ଏକୁଟିଆ ନୁହଁନ୍ତି । ମୁଁ ସ୍କୁଲ ଯିବା ବାଟରେ ପ୍ରତିଦିନ ଜଣେ ବୟସ୍କା ମହିଳାଙ୍କୁ ଅତିକ୍ରମ କରେ । ସେ ମଧ୍ୟ ମୋତେ ଗାଳି ଦିଅନ୍ତି : ‘‘ତୋ ଭଉଣୀମାନେ ସ୍କୁଲକୁ ଯାଇନଥିଲେ, ତୋର କାହିଁକି ଯିବା ଦରକାର ହେଲା? ତୁ ଭାବୁଛୁ କି ତୁ ପଢ଼ିଲେ ଗୋଟିଏ ଚାକିରି ପାଇବୁ? ’’

ଏପରିକି ମୋ ଦାଦା ମଧ୍ୟ ଅଧିକାଂଶ ସମୟରେ ମୋ ବାପାମାଆକୁ କୁହନ୍ତି, ଯେ ସେମାନେ ମୋର ବିବାହ କରାଇ ଦେବା ଉଚିତ୍‌ ଏବଂ ମୋ ବାପା ଏଥିରେ ଯୋଗ ଦିଅନ୍ତି । ମୁଁ ମୋ ମାଆଙ୍କୁ କୁହେ, ‘‘ବାବା (ବାପା)ଙ୍କୁ କୁହ, ମୋ ସହ କିମ୍ବା ଅନ୍ୟ କାହାସହ ବିବାହ ବିଷୟରେ ଆଲୋଚନା କରିବେନି । ମୁଁ ପଢ଼ିବାକୁ ଚାହୁଁଛି ।’’

ଏହା ପରେ ଯେତେବେଳେ ମୁଁ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି ଏବଂ ଜଣେ ସାମ୍ବାଦିକ ଆସି ମୋର ସାକ୍ଷାତକାର ନେଲେ, ମୋ ବାପା କାନ୍ଦୁଥିଲେ । ସେ ସେହି ଲୋକଙ୍କୁ କହିଲେ, ‘‘ମୁଁ ଖୁସି ଯେ ମୋ ଝିଅ ମୋ କଥା ଶୁଣିଲା ନାହିଁ ଏବଂ ସେ ତା ପାଠପଢ଼ାରେ ଆଗେଇଲା ।’’

‘ତୋର ପଢ଼ିବା କ’ଣ ଦରକାର’

ମୁଁ ସାତବର୍ଷ ବୟସରେ ସ୍କୁଲକୁ ଯିବା ଆରମ୍ଭ କଲି । ନିକଟସ୍ଥ ପାଲଶି ସୁପୋରେ ଥିବା ସ୍କୁଲର ଦୁଇଜଣ ଶିକ୍ଷକ ସ୍କୁଲ ଯିବା ବୟସର ସମସ୍ତ ଝିଅମାନଙ୍କୁ ନାଁ ନେବା ପାଇଁ ମୋ ଗାଁକୁ ଆସିଥିଲେ । କେହି ଜଣେ ମୋ ନାଆଁ ସେମାନଙ୍କୁ ଦେଇଦେଲେ ଏବଂ ଏହିପରି ଭାବରେ ମୁଁ ସେଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ ଶ୍ରେଣୀରେ ଯୋଗ ଦେଲି ।

ବର୍ଷେ ପରେ ମୋ ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହେଲା ଏବଂ ମୁଁ ଏଠାକୁ ଚାଲିଆସିଲି । ୫ ଶ୍ରେଣୀରେ ମୁଁ ୧୪ କିଲୋମିଟର ଦୂରରେ ଜଲଗାଓଁ ଜାମୋଦ, ତହସିଲ/ମୁଖ୍ୟାଳୟରେ ଥିବା ମହାତ୍ମା ଫୁଲେ ନଗର ପରିଷଦ ବିଦ୍ୟାଳୟକୁ ଗଲି । ସ୍କୁଲ ଯିବା ପାଇଁ ମୋତେ ଦୁଇ କିଲୋମିଟର ଚାଲିବାକୁ ହେଉଥିଲା, ଏହା ପରେ ଗୋଟିଏ ଅଟୋ ନେବାକୁ ହେଉଥିଲା। ଯିଏ ମୋତେ ଟାଉନ୍‌ ବସ୍‌ ରହଣୀ ସ୍ଥାନରେ ଓହ୍ଲାଇ ଦେଉଥିଲା ଏବଂ ଏହାପରେ ମୁଁ ସ୍କୁଲରେ ପହଞ୍ଚିବା ପାଇଁ ଆଉ ଏକ କିଲୋମିଟର ଚାଲୁଥିଲି । ଅଟୋରେ ଯିବା ଅଧଘଣ୍ଟା ଲାଗୁଥିଲା ଏବଂ ଥରକେ ୩୦ ଟଙ୍କା ଖର୍ଚ୍ଚ ହେଉଥିଲା । ମୋ ଗାଁରୁ ଛଅଜଣ ଝିଅ ସେହି ସ୍କୁଲକୁ ଯାଉଥିଲେ ଏବଂ ଆମେ ସବୁବେଳେ ଏକାଠି ଯାଉଥିଲୁ ।

Left: Jamuna has to travel long distances to go to school, the situation worsens during the monsoon season. Right: Archana Solanke, Jamuna Solanke, Anjali Shinde and Mamta Solanke are the first batch from the Nathjogi community to pass Class 10
PHOTO • Anjali Shinde
Left: Jamuna has to travel long distances to go to school, the situation worsens during the monsoon season. Right: Archana Solanke, Jamuna Solanke, Anjali Shinde and Mamta Solanke are the first batch from the Nathjogi community to pass Class 10
PHOTO • Rajesh Salunke

ବାମ : ଯମୁନାଙ୍କୁ ସ୍କୁଲ ଯିବା ପାଇଁ ଦୀର୍ଘ ଦୂରତା ଯିବାକୁ ହେଉଥିଲା, ମୌସୁମୀ ଋତୁରେ ପରିସ୍ଥିତି ଖରାପ ହୋଇଯାଉଥିଲା : ଡାହାଣ: ଅର୍ଚ୍ଚନା ଭୀମରାଓ ସୋଲାଙ୍କେ, ଯମୁନା ସୋଲାଙ୍କେ, ଅଞ୍ଜଳି ଶୁକଲାଲ ସିନ୍ଧେ ଏବଂ ମମତା ନାଭାଲ ସୋଲାଙ୍କେ ହେଉଛି ୧୦ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନାଥଯୋଗୀ ସମୂହର ପ୍ରଥମ ଝିଅମାନେ 

ଦିନେ, ବର୍ଷା ସମୟରେ, ଆମ ଗାଁ ନିକଟରେ ଥିବା ଝରଣାର ଜଳସ୍ତର ବଢ଼ିଗଲା। ମୁଖ୍ୟ ରାସ୍ତାରେ ପହଞ୍ଚିବା ପାଇଁ ଆମକୁ ଏହା ଅତିକ୍ରମ କରିବାକୁ ହୁଏ । ସାଧାରଣତଃ ଏହାକୁ ଅତିକ୍ରମ କରିବା ପାଇଁ ଆମକୁ ଆମର ପାଇଜାମା ଟେକି, ଚପଲକୁ ହାତରେ ଧରି ତଳଗୋଡ଼ ଓଦା କରିବାକୁ ହୁଏ । କିନ୍ତୁ, ସେହିଦିନ, ପାଣି ଆମ ଅଣ୍ଟା ପର୍ଯ୍ୟନ୍ତ ଥିଲା । କୁଳରେ ଠିଆ ହୋଇଥିବା ଆମ ଗାଁର ଜଣେ ବ୍ୟକ୍ତିଙ୍କୁ ମୁଁ କହିଲି , ‘‘କାକା ଆମକୁ ନଈ ପାର କରିବାରେ ସାହାଯ୍ୟ କର’’। ସେ ଗାଳି ଦେଲେ, ‘‘ ତମେ ସମସ୍ତେ ଘରକୁ ଫେରିଯାଅ ! ତମେ କାହିଁକି ସ୍କୁଲ ଯିବାକୁ ଚାହୁଁଛ ? ବନ୍ୟା ହୋଇଛି ଏବଂ ତମେ ପଢ଼ିବାକୁ ଚାହୁଁଛ ? ଝିଅମାନେ ଘରେ ବସିବା ଉଚିତ୍‌, ତୁମେ ପଢ଼ିବା କ’ଣ ଦରକାର?’’ ଆମେ ସେଦିନ ସ୍କୁଲ ଯାଇପାରିଲୁ ନାହିଁ, ପରଦିନ ଶ୍ରେଣୀରେ ଆମ ଶିକ୍ଷକ ଯିଏ କି ଭାବିଲେ ଆମେ ସମସ୍ତେ ମିଛ କହୁଛୁ, ଦଣ୍ଡ ଭାବରେ ଆମକୁ ଶ୍ରେଣୀ ବାହାରେ ଛିଡ଼ା କରିଦେଲେ । 

ଯେତେବେଳେ ଏହା ଆଉଥରେ ହେଲା ମୁଁ ମୋ ମାଆଙ୍କୁ ବାଧ୍ୟ କଲି ତାଙ୍କୁ ଫୋନ୍‌ କରି କହିବା ପାଇଁ । ଏହା ପରେ ସେ ଆମକୁ ବିଶ୍ୱାସ କଲେ । ପରେ ସେହି ଶିକ୍ଷକ ଆମ ଗାଁକୁ ଆସିଲେ ଏବଂ ଆମେ ଯାହା ବର୍ଣ୍ଣନା କରିଥିଲୁ ତାହା ଦେଖିଲେ ।

ଅଟୋରେ ଯିବା ଆସିବା କରିବା ଖୁବ୍‌ ବ୍ୟବହୁଳ । ଯେତେବେଳେ ମୁଁ ୯ ଶ୍ରେଣୀରେ ଥିଲି ମୁଁ ଆମ ଗାଁକୁ ସକାଳ ୯ଟା ସୁଦ୍ଧା ବସ୍‌ ପଠାଇବା ପାଇଁ ଅନୁରୋଧ କରି ଜଲଗାଓଁ ଜାମୋଦ ବସ୍‌ ଷ୍ଟାଣ୍ଡରେ ଥିବା ରାଜ୍ୟ ପରିବହନ କାର୍ଯ୍ୟାଳୟରେ ଏକ ଆବେଦନ ଦାଖଲ କରିବାକୁ ନିଷ୍ପତ୍ତି ନେଲି । କେବଳ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ମାଗଣାରେ ନେଉଥିବା ମାନବ ବିକାଶ ବସ୍‌ ଆମ ଗାଁରେ ଦିନ ୧୧.୩୦ ସୁଦ୍ଧା ପହଞ୍ଚେ  ଏବଂ ଯଦି ଆମେ ସେଥିରେ ଯିବୁ, ସ୍କୁଲ ପାଇଁ ବିଳମ୍ବ ହୋଇଯିବ । 

ଏହି ଆବେଦନରେ ବସ୍‌ ବ୍ୟବହାର କରୁଥିବା ସମସ୍ତ ୧୬ଜଣ ଯାକ ଝିଅ ସ୍ୱାକ୍ଷର କରିଥିଲେ, ଏ ମଧ୍ୟରେ ଚାରି କିଲୋମିଟର ଦୂରରେ ଥିବା ଇସଲାମପୁର ଗାଁର ଦୁଇଜଣ ଝିଅ ମଧ୍ୟ ଥିଲେ ।

ଅଫିସର ଜଣଙ୍କ ରାଜି ହେଲେ ଏବଂ ଆମକୁ ପ୍ରତିଶ୍ରୁତି ଦେଲେ ଯେ, ପରଦିନ ବସ୍‌ ସେଠାରେ ସକାଳ ୯ଟା ସମୟରେ ପହଞ୍ଚିବ । ଏହା ପ୍ରକୃତରେ ଆସି ପହଞ୍ଚିଲା ଏବଂ ମୁଁ ଖୁବ୍‌ ଖୁସି ହୋଇଯାଇଥିଲି ! କିନ୍ତୁ ତାହା ମାତ୍ର ଗୋଟିଏ ଦିନ ରହିଲା। ଯେତେବେବେଳ ବସ୍‌ ପରଦିନ ନ ଆସିଲା  ମୁଁ ସେହି ଅଧିକାରୀଙ୍କ ପାଖକୁ ଗଲି  ଏବଂ ସେ ମୋତେ କହିଲେ, ‘‘ଏହି ବସ୍‌ ଆଉ ଏକ ଗାଁରୁ ଆସୁଛି ଏବଂ ସେଠାରୁ ଲୋକମାନେ ଏହି ସମୟ ପରିବର୍ତ୍ତନ କରିବା ଚାହୁଁନାହାଁନ୍ତି । କେବଳ ତୁମକୁ ସୁହାଉଥିବା ଗୋଟିଏ ବସ୍‌ ମୁଁ ପଠାଇପାରିବି ନାହିଁ। ’’ ସେ ପରାମର୍ଶ ଦେଲେ ଯେ ଆମେ ଆମର ଶ୍ରେଣୀର ସମୟ ବଦଳାଇ ଦେବା ଉଚିତ୍‌ , କିନ୍ତୁ ତାହା କେମିତି ସମ୍ଭବ ? 

ଯେତେବେଳେ ଆମେ ବସ୍‌ରେ ଯାଉ ସେତେବେଳେ  ମଧ୍ୟ ଅନ୍ୟ ସମସ୍ୟା ରହିଛି । ଥରେ ମୁଁ ମୋର ସାଙ୍ଗମାନେ ଏବଂ ମୁଁ ଗୋଟିଏ ରାଜ୍ୟ ପରିବହନ ବସ୍‌ରେ ଚଢ଼ିଲୁ ଏବଂ ଜଣେ ବାଳକ ମୋ ସାଙ୍ଗର ଦୁପଟ୍ଟା ଟାଣିଲା ଏବଂ ଚିତ୍କାର କଲା ‘‘ତୁମେ ମୋହିଦିପୁରର ଝିଅମାନେ ବାହାରିଯାଅ!’’ ଅନ୍ୟ ବାଳକମାନେ ତା’ ସହିତ ଯୋଗ ଦେଲେ ଏବଂ ଖୁବ୍‌ ଝଗଡ଼ା ହେଲା । ମୋହିଦିପୁର ହେଉଛି ସେହି ସ୍ଥାନ ଯେଉଁଠାରେ ଆମର ନାଥଯୋଗୀ ସମୂହ ବାସ କରେ । ଏହି ବାଳକମାନେ ନାଥଯୋଗୀ ଝିଅମାନଙ୍କୁ ବସ୍‌ରେ ଯିବା ଚାହୁଁନଥିଲେ। ମୁଁ ରାଗିଗଲି ଏବଂ ବସ୍‌ ଜଲଗାଓଁ ଜାମଦରେ ପହଞ୍ଚିବା ପରେ ମୁଁ ସେମାନଙ୍କୁ ରାଜ୍ୟ ପରିବହନ କାର୍ଯ୍ୟାଳୟକୁ ନେଇଗଲି । କଣ୍ଡକ୍ଟର ହସ୍ତକ୍ଷେପ କଲେ ଏବଂ ସେହି ବାଳକମାନଙ୍କୁ କହିଲେ ଯେ ଏହି ବସ୍‌ ସମସ୍ତଙ୍କ ପାଇଁ । କିନ୍ତୁ ଏମିତି ହେବା ଜାରିଥିଲା । ତେଣୁ ଆମେ ଅଟୋକୁ ପସନ୍ଦ କରୁ ।

Left: Jamuna would cook and join her parents to work in the fields. Right: They cannot avail state funds to build a pucca house
PHOTO • Anjali Shinde
Left: Jamuna would cook and join her parents to work in the fields. Right: They cannot avail state funds to build a pucca house
PHOTO • Anjali Shinde

ବାମ : ଜମୁନା ରୋଷେଇ କରନ୍ତି ଏବଂ କ୍ଷେତରେ କାମ କରୁଥିବା ତାଙ୍କ ପିତାମାତାଙ୍କ ସହ ଯୋଗ ଦିଅନ୍ତି; ଡାହାଣ : ସେମାନେ ଗୋଟିଏ ପକ୍କା ଘରେ ରହିବା ପାଇଁ ରାଜ୍ୟର ଆର୍ଥିକ ସହାୟତା ପାଇପାରୁନାହାନ୍ତି

ସରକାରୀ ବିଦ୍ୟାଳୟଗୁଡ଼ିକରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବହି  ସ୍କୁଲ ଦ୍ୱାରା ମାଗଣାରେ ଯୋଗାଇ ଦିଆଯାଏ ଏବଂ କୌଣସି ୟୁନିଫର୍ମ ନାହିଁ। କିନ୍ତୁ ୯ ଶ୍ରେଣୀରୁ ଜଣଙ୍କୁ ବହି ଏବଂ ଖାତା କିଣିବାକୁ ହୁଏ, ଯାହାର ଦାମ୍ ପ୍ରାୟ ୧,୦୦୦ ଟଙ୍କା ହୋଇଯାଏ । ଏବଂ ସ୍କୁଲ ୟୁନିଫର୍ମର ଦାମ୍‌ ହୋଇଯାଏ ୫୫୦ ଟଙ୍କା । ମୋ ପାଖରେ ମାତ୍ର ହଳେ ସ୍କୁଲ ୟୁନିଫର୍ମ କିଣିବା ପାଇଁ ଅର୍ଥ ଥିଲା । ଗୋଟିଏ ଟର୍ମ ପାଇଁ ଘରୋଇ ଟ୍ୟୁସନର ଖର୍ଚ୍ଚ ଥିଲା ଆଉ ୩,୦୦୦ ଟଙ୍କା । ମୁଁ ମାତ୍ର ଗୋଟିଏ ଟର୍ମ ପାଇଁ ଟ୍ୟୁସନ ନେଇପାରିଲି ଏବଂ ପରବର୍ତ୍ତୀ ଟର୍ମରେ ମୁଁ ମୋ ସ୍କୁଲ ଶିକ୍ଷକଙ୍କୁ ମୋ ପାଠପଢ଼ାରେ ସାହାଯ୍ୟ କରିବା ପାଇଁ ଅନୁରୋଧ କଲି ।

ଏସବୁ ଖର୍ଚ୍ଚ ତୁଲାଇବା ପାଇଁ ଶ୍ରେଣୀ ୯କୁ ଯିବା ପୂର୍ବରୁ  ଖରାଦିନେ ମୁଁ ମୋ ପିତାମାତାଙ୍କ ସହ କ୍ଷେତରେ କାମ କରିବା ଆରମ୍ଭ କଲି। ମୁଁ ପ୍ରାୟତଃ ସକାଳ ୪ଟାରେ ଉଠୁଥିଲି ଏବଂ ଘଣ୍ଟାଏ ପଢ଼ୁଥିଲି । ସେ ସମୟରେ ମୋ ପିତାମାତା ଏବଂ ଭାଇ ପ୍ରାୟ ସେହି ସମୟରେ କାମ ପାଇଁ ଚାଲିଯାଉଥିଲେ । ଘଣ୍ଟାଏ ପଢ଼ିବା ପରେ ମୁଁ ଭାକ୍ରି [ସାଦା ରୋଟି] ଏବଂ ଭାଜି (ପରିବା ତରକାରୀ) ରାନ୍ଧେ ଏବଂ ସେମାନଙ୍କ ପାଇଁ କ୍ଷେତକୁ ନେଇଯାଏ । 

ମୁଁ ସେମାନଙ୍କ ସହିତ ଯୋଗଦିଏ ଏବଂ ସକାଳ ୭ରୁ ସକାଳ ୯ ପର୍ଯ୍ୟନ୍ତ କାମ କରେ ଏବଂ ମୋତେ ଘଣ୍ଟାକୁ ୨୫ଟଙ୍କା ମିଳୁଥିଲା । ସକାଳ ୯.୩୦ ବେଳକୁ ମୁଁ ଘରକୁ ଫେରୁଥିଲି ଏବଂ ସ୍କୁଲ ପାଇଁ ପ୍ରସ୍ତୁତ ହେଉଥିଲି । ସ୍କୁଲରୁ ଫେରିବା ପରେ ମୁଁ ପୁଣି ଥରେ ମଜୁରୀ କାମ ପାଇଁ ଯାଉଥିଲି । ମୁଁ ଛୁଟିଦିନମାନଙ୍କରେ ମଧ୍ୟ କାମ କରୁଥିଲି ।

‘ମୁଁ ଜିତିବାକୁ ଚାହେଁ’

ଗତବର୍ଷ [୨୦୧୯]ରେ, ମୁଁ ଜଳଶକ୍ତି ଅଭିଯାନ [ଜଳସମ୍ପଦ ନିମନ୍ତେ କେନ୍ଦ୍ରୀୟ ମନ୍ତ୍ରାଳୟ] ଦ୍ୱାରା ଆୟୋଜିତ ବ୍ଲକ୍‌ସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଏକ ଟ୍ରଫି ଜିତିଥିଲି । ମୁଁ ମଧ୍ୟ ଜୈବିକ ଖତ ସମ୍ପର୍କରେ ବୁଲଦାନାରେ ହୋଇଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଦ୍ୱିତୀୟ ପୁରସ୍କାର ହାସଲ କରିଥିଲି । ମୁଁ ମୋ ସ୍କୁଲରେ ଦୌଡ଼ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ଜିତିଥିଲି । ମୁଁ ଜିତିବାକୁ ଚାହେଁ । ଆମ ନାଥଯୋଗୀ ସମୂହର ଝିଅମାନେ କେବେ ଜିତିବାର ସୁଯୋଗ ପାଆନ୍ତି ନାହିଁ । 

Jamuna with Bhaulal Babar, her supportive primary school teacher
PHOTO • Anjali Shinde

ଯମୁନା ତାଙ୍କ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ସହ ଯିଏକି ତାଙ୍କୁ ତାଙ୍କ ପାଠପଢ଼ା ଜାରି ରଖିବାକୁ ପ୍ରେରଣା ଦେଇଥିଲେ 

ଅଗଷ୍ଟ ମାସରେ, ମୁଁ ୧୧ ଏବଂ ୧୨ ଶ୍ରେଣୀ ନିମନ୍ତେ ଜଲଗାଓଁ ଜାମଦ ସହରରେ ଦି ନ୍ୟୁ ଏରା ହାଇସ୍କୁଲରେ ନାମ ଲେଖାଇଲି । ଏହା ଏକ ଘରୋଇ ବିଦ୍ୟାଳୟ ଏବଂ ବାର୍ଷିକ ଦେୟ ୫ହଜାର ଟଙ୍କା । ମୁଁ ବିଜ୍ଞାନ ବିଭାଗ (ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ) ପସନ୍ଦ କରିଛି ଏବଂ ଇତିହାସ ଯୋଗ କରିଛି । କାରଣ ମୋତେ କୁହାଯାଇଛି ଯେ ପ୍ରଶାସନିକ ସେବା ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତିରେ ଇତିହାସ ମୋତେ ସାହାଯ୍ୟ କରିବ । ଯେଉଁ ବ୍ୟକ୍ତି ମୋତେ ମୋର ପାଠପଢ଼ା ଜାରି ରଖିବା ପାଇଁ ପ୍ରେରଣା ଦେଇଥିଲେ, ସେ ହେଉଛନ୍ତି ମୋର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶ୍ରୀ ବାହୁଲାଲ ବାବର ଯିଏକି ମୋ ଗାଁ ମୋ ସମୂହର । ମୁଁ ବର୍ତ୍ତମାନ ୧୮ ବର୍ଷର, ଏବଂ ମୋର ସ୍ୱପ୍ନ ଭାରତୀୟ ପ୍ରଶାସନିକ ସେବାକୁ ଯିବା । 

ସ୍ନାତକ ପାଇଁ ମୋତେ ପୁନେ କିମ୍ବା ବୁଲଦାନା ସହରକୁ ଯିବାକୁ ହେବ, ଯେଉଁଠାରେ ବିଶ୍ୱବିଦ୍ୟାଳୟ ଅଛି । ଲୋକେ କୁହନ୍ତି, ମୁଁ ଜଣେ ବସ୍‌ କଣ୍ଡକ୍ଟର କିମ୍ବା ଜଣେ ଅଙ୍ଗନଓ୍ୱାଡି କର୍ମୀ ହେବା ଉଚିତ୍‌ । କାରଣ ମୁଁ ଶୀଘ୍ର ଚାକିରି ପାଇଯିବି । କିନ୍ତୁ ମୁଁ ଯାହା ଚାହିଁବି ତାହା ହେବି ।

ମୁଁ ପଢ଼ିବାକୁ ଏବଂ ଦିନେ ଜଣେ ବଡ଼ ଅଧିକାରୀ ହେବାକୁ ଚାହେଁ । ଏହା ପରେ ଆମଭଳି ଗରିବ ଲୋକଙ୍କୁ କାମ କରାଇବା ପାଇଁ ଲାଞ୍ଚ ଦେବାକୁ ହେବ ନାହିଁ । ମୋତେ ୧୫ବର୍ଷ ହୋଇଥିବା ବେଳେ, ମୋ ବାପା ଆମ ଘରଥିବା ଜମିଟିକୁ ତାଙ୍କ ନାଆଁକୁ କରିବାକୁ ଚେଷ୍ଟା କରୁଥିଲେ । ଏହା ମୋର ଜେଜେବାପାଙ୍କ ନାମରେ ରହିଛି ଏବଂ ସେ ଏହା ମୋ ବାପାଙ୍କୁ ଉପହାର ଦେଇଥିଲେ । କିନ୍ତୁ ଏହି କାମ କରିବାକୁ ସକ୍ଷମ ଥିବା ଆମ ଗାଁର ଜଣେ ବ୍ୟକ୍ତି ଏହା ବଦଳାଇବା ପାଇଁ ୫୦୦୦ ଟଙ୍କା ମାଗୁଥିଲେ । ମୋ ବାପାଙ୍କ ପାଖରେ ସେହି ପରିମାଣର ଅର୍ଥ ନଥିଲା । ଆମେ ବାରମ୍ବାର ସେହି ଲୋକଙ୍କୁ ଅନୁରୋଧ କଲୁ। କିନ୍ତୁ ବିନା ଅର୍ଥରେ ସେ ଏହା କରିବେ ନାହିଁ । ଯଦି ଘର ଆମ ନାଁରେ ନାହିଁ, ତେବେ ଆମେ ଗୋଟିଏ ପକ୍କା ଘର କରିବା ପାଇଁ ରାଜ୍ୟ ଆର୍ଥିକ ସହାୟତା ନିମନ୍ତେ ଯୋଗ୍ୟ ନୁହେଁ । 

କେହି ଏତେ ସମସ୍ୟା ସାମ୍ନା କରିବା ଉଚିତ୍‌ ନୁହେଁ। ମୁଁ ମୋର ସମୂହକୁ ବୁଝାଇବାକୁ ଚାହେଁ, ସେମାନଙ୍କ ଅଧିକାରଗୁଡ଼ିକ କ’ଣ ଏବଂ ସେମାନେ କ୍ଷମତାଶାଳୀ ଲୋକଙ୍କୁ ଭୟ ନ କରିବା ପାଇଁ ବୁଝାଇବାକୁ ଚାହେଁ । ମୁଁ ମଧ୍ୟ ମୋ ସମୂହର ଭିକ୍ଷା ବୃତ୍ତି ଉପରେ ନିର୍ଭରଶୀଳତା ଏବଂ ପରିବର୍ତ୍ତନ କରିବା ପାଇଁ ଏବଂ ଝିଅମାନଙ୍କର ଶୀଘ୍ର ବିବାହ ପାଇଁ ସେମାନଙ୍କର ଧାରଣାକୁ ବଦଳାଇବାକୁ ଚାହେଁ । ନିଜକୁ ଖୁଆଇବା ପାଇଁ ଭିକ୍ଷା ବୃତ୍ତି ଏକମାତ୍ର ବୃତ୍ତି ନୁହେଁ; ଶିକ୍ଷା ମଧ୍ୟ ଆପଣଙ୍କୁ ଖାଦ୍ୟ ଯୋଗାଇପାରିବ ।

ଲକଡାଉନ୍‌ କାରଣରୁ, ଲୋକମାନେ ଗାଁକୁ ଫେରିଆସିଛନ୍ତି ଏବଂ ସମସ୍ତେ ମଜୁରୀ କାମ ଚାହୁଁଛନ୍ତି । ମୋ ପରିବାର ଘରେ ଅଛନ୍ତି ଏବଂ ଆମେ ବର୍ତ୍ତମାନ କୌଣସି କାମ ପାଉନାହୁଁ । ମୋ ବାପା ମୋର ସ୍କୁଲରେ ନାମ ଲେଖାଇବା ପାଇଁ ଗାଁରେ ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ଅର୍ଥ ଧାର ଆଣିଛନ୍ତି । ଅର୍ଥ ପରିଶୋଧ କରିବା ଖୁବ୍‌ କଷ୍ଟକର ହୋଇଯାଉଛି । ଆମେ ଯେ କୌଣସି କାମ କରିବା ପାଇଁ ଚାହୁଁ, କିନ୍ତୁ ଆମେ କେବେ ବି ଭିକ ମାଗିବୁ ନାହିଁ । 

ପ୍ରଶାନ୍ତ ଖୁଣ୍ଟେ ପୁନେରେ ଥିବା ଜଣେ ସ୍ୱାଧୀନ ମରାଠି ସାମ୍ବାଦିକ ଏବଂ ସେ ଏହି କାହାଣୀରେ ସାହାଯ୍ୟ କରିଛନ୍ତି  ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jamuna Solanke

Jamuna Solanke is a Class 11 student in The New Era High School, Jalgaon Jamod tehsil, Maharashtra. She lives in Nav Kh village of the state's Buldana district.

Other stories by Jamuna Solanke