“କେଉଁଠୁ ଗୋଟିଏ ଟଙ୍କା ସୁଦ୍ଧା ଆସିଲା ନାହିଁ। ଆମେ ଖାଇବୁ କ’ଣ? ବଞ୍ଚିବୁ କେମିତି?” ମୁମ୍ବାଇରେ ଅଟକି ରହିଥିବା ବିହାରର ୨୭ ବର୍ଷୀୟ ଶ୍ରମିକ ଏପ୍ରିଲରେ ମୋତେ କହିଥିଲେ। ଏହା ସେତେବେଳର  ସମୟ ଯେତେବେଳେ ମାର୍ଚ୍ଚ ୨୪,୨୦୨୦ରେ ଅଚାନକ ଘୋଷିତ କରାଯାଇଥିବା ୨୧ ଦିନିଆ ଲକଡାଉନକୁ ଆଗକୁ ବଢ଼ାଇ ଦିଆଯାଇଥିଲା। ଏହି କାରଣରୁ ତାଙ୍କ ଭଳି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଚାକିରି ଏବଂ ରୋଜଗାର ବିନା ଅଲଗା ଅଲଗା ଜାଗାରେ ଫସି ରହିଥିଲେ, ଅନେକ ଲୋକଙ୍କୁ ସେହିସବୁ ସହର ଛାଡ଼ି ନିଜ ଘରକୁ ଯିବାକୁ ପଡ଼ିଥିଲା, ଯେଉଁଠି ସେମାନେ କାମ କରୁଥିଲେ।

ମୁଁ ତାଙ୍କ ସହିତ ପ୍ରଥମ ଥର ସେତିକି ବେଳେ କଥା ହୋଇଥିଲି ଯେତେବେଳେ ସେ ସହାୟତା ପାଇଁ ଉଦ୍ଦିଷ୍ଟ ହେଲ୍ପଲାଇନକୁ କଲ୍ କରୁଥିଲେ, ଯେଉଁଠି ମୁଁ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲି। ସେ ମୋତେ ତାଙ୍କର ସମସ୍ୟା ବିଷୟରେ କହିଥିଲେ ଏବଂ ପରେ ଏକ ଚଳଚ୍ଚିତ୍ର ପାଇଁ ସାକ୍ଷାତକାର ଦେବା ଲାଗି ସେ ସହମତ ହୋଇଥିଲେ, କିନ୍ତୁ ଏହି ସର୍ତ୍ତରେ ଯେ ତାଙ୍କର ନାମ ଏବଂ ଅନ୍ୟ ବିବରଣୀକୁ ଗୁପ୍ତ ରଖାଯିବ।

ମେ ମାସରେ ଯେତେବେଳେ ଆମେ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କଲୁ, ସେ କୌଣସି ପ୍ରକାରେ ନିଜ ଗ୍ରାମକୁ ଫେରିବା ଲାଗି ଚେଷ୍ଟା କରୁଥିଲେ। ସେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀମାନଙ୍କ ସହାୟତା ପାଇଁ ଅଧିକ କିଛି କରୁନାହାନ୍ତି। “ଆମେ ଟ୍ରେନ ପାଇଁ ଫର୍ମ ଭରିବାରେ ନିୟୋଜିତ ରହିଛୁ। ଆମ ପାଖରେ ଯେତିକି ଟଙ୍କା ଥିଲା ଆମେ ଖର୍ଚ୍ଚ କରି ଦେଇଛୁ”, ସେ କହିଥିଲେ। ଘରକୁ ଯିବା ଲାଗି ଟିକେଟ ପାଇବାର ଅର୍ଥ ଏକ ଅବ୍ୟବସ୍ଥିତ ଏବଂ ଅନିଶ୍ଚିତ ଆବେଦନ ପ୍ରକ୍ରିୟା ଦେଇ ଗତି କରିବା ଯାହା ତାଙ୍କର ଅଳ୍ପ କିଛି ସଞ୍ଚୟକୁ ନଷ୍ଟ କରି ଦେଇଛି।

ଚଳଚ୍ଚିତ୍ର ଦେଖନ୍ତୁ : ମୁମ୍ବାଇରୁ ବିହାର ଏବଂ ପୁଣି ସେଠାରୁ ଫେରିବା-ଜଣେ ପ୍ରବାସୀ ଶ୍ରମିକ ଲକଡାଉନରେ ନିଜର କାହାଣୀ କହୁଛନ୍ତି

ବିକଳ୍ପ-ଘରୋଇ ପରିବହନ-ର ମଧ୍ୟ କୌଣସି ସୁବିଧା ନଥିଲା। “ସରକାର ଲୋକଙ୍କୁ ମାଗଣାରେ ପଠାଇବା ଉଚିତ। ଜଣେ ଗରିବ ବ୍ୟକ୍ତି ଯାହାପାଖରେ ଟଙ୍କା ନାହିଁ, ସେ ଘରୋଇ (ଟ୍ରକ୍) ଲାଗି ଟଙ୍କା ପରିଶୋଧ କେଉଁଠୁ କରିବେ ?” ସେ ନିରାଶ ହୋଇ କହିଥିଲେ। ଖୁବଶୀଘ୍ର ତାଙ୍କୁ ଓ ତାଙ୍କର ସାଙ୍ଗମାନଙ୍କୁ ମୁମ୍ବାଇରୁ ପାଖାପାଖି ୨,୦୦୦ କିମି ଦୂର, ବିହାରରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ଘରୋଇ ଟ୍ୟାକ୍ସି ମିଳିଗଲା।

କିନ୍ତୁ ଅଗଷ୍ଟରେ ସେ ପୁଣି ମୁମ୍ବାଇକୁ ଫେରିଆସିଲେ। ଘରେ କିଛି କାମ ନଥିଲା ଏବଂ ତାଙ୍କର ଟଙ୍କା ଦରକାର ଥିଲା।

ମେ ମାସ ଠାରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ସାକ୍ଷାତକାରର ଏହି ସେଟ୍ ରେ, ପ୍ରବାସୀ ଶ୍ରମିକମାନେ ଲକଡାଉନ ସମୟରେ ନିଜ ଅନିଶ୍ଚିତ ମାସଗୁଡ଼ିକ କାଳରେ ନିଜର ସମସ୍ୟା ବିଷୟରେ କହିଥିଲେ। ସମକାଳୀନ ମାନବୀୟ ଇତିହାସର ସବୁଠୁ ବଡ଼ ମାନବୀୟ ସଙ୍କଟ ମଧ୍ୟରୁ ଗୋଟିଏର ପୃଷ୍ଠଭୂମିରେ, ସେମାନେ କହିଥିଲେ ଯେ ସେମାନଙ୍କ ଭଳି ଶ୍ରମିକମାନଙ୍କୁ ଜୀବିକାର୍ଜ୍ଜନ ପାଇଁ କେତେ କଷ୍ଟ କରିବାକୁ ପଡ଼ିଥାଏ : “ମୁଁ ଏପରି ସ୍ଥିତିରେ ରହିଛି ଯେ ମୁଁ କେବଳ ବଞ୍ଚିରହିପାରିବି, ନିଜ ଜୀବନକୁ ଜିଇଁ ପାରିବି ନାହିଁ।”

ଠାକୁର ଫ୍ୟାମିଲି ଫାଉଣ୍ଡେସନ ସହାୟତାରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି।

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Chaitra Yadavar

Chaitra Yadavar is a filmmaker and social worker based in Mumbai. She directs and produces documentaries for social-sector organisations.

Other stories by Chaitra Yadavar