ଅଗରତାଲାରେ ଢାକର ଶବ୍ଦ ଶୁଣାଯିବା ଆରମ୍ଭ ହେଲାଣି । ଅକ୍ଟୋବର ୧୧ରେ ଦୁର୍ଗାପୂଜା ଏବଂ ପ୍ରତିବର୍ଷ ଗୋଟିଏ ସପ୍ତାହ ପୂର୍ବରୁ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ - ପେଣ୍ଡାଲଗୁଡ଼ିକର ଚୂଡ଼ା ବନ୍ଧା ହୁଏ, ମୂର୍ତ୍ତିକାରମାନେ ଦେବଦେବୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦିଅନ୍ତି, ପରିବାର ସବୁ ନୂଆ ପୋଷାକ କିଣନ୍ତି ।

ଢାକ, ଏକ ବ୍ୟାରେଲ୍‌ ଆକୃତିର ଡ୍ରମ୍‌ ଯାହାକୁ ବେକରେ ଝୁଲାଯାଏ ବା ଏକ ମଞ୍ଚ ଉପରେ ରଖାଯାଏ ଏବଂ ଲାଠି ଦ୍ଵାରା ବଜାଯାଏ। ଏହା ଏହିଭଳି ସମାରୋହର ଏକ ଅଭିନ୍ନ ଅଂଶ ।

ଢାକ ବଜାଇବା ଏକ ଋତୁକାଳୀନ କାମ । ପ୍ରତିବର୍ଷ ପୂଜାରେ ପାଞ୍ଚ ଦିନ, ଏବଂ ଶେଷ ବାଦ୍ୟ ଲକ୍ଷ୍ମୀପୂଜା ଦିନ ବଜାଯାଏ-ଚଳିତବର୍ଷ ଏହା ଅକ୍ବୋଟର ୨୦ ତାରିଖରେ ପଡୁଛି । ଦିପାବଳୀ ସମୟରେ ମଧ୍ୟ ବାଦ୍ୟ ବଜାଇବାକୁ କେତେକ ଢାକିଙ୍କୁ ଡକାଯାଏ । କିନ୍ତୁ ଦୁର୍ଗାପୂଜା ସମୟରେ ହିଁ ଅଗରତାଲା ଓ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ଢାକର ଚାହିଦା ଅଧିକ ଥାଏ ।

ଢାକିମାନଙ୍କୁ ପେଣ୍ଡାଲ କମିଟି ଏବଂ ପରିବାର ଦ୍ୱାରା ବଜାଇବାକୁ ନିମନ୍ତ୍ରଣ କରାଯାଇଛି । ବେଳେବେଳେ, ସେମାନଙ୍କୁ ଡକାଯିବା ପୂର୍ବରୁ, ସେମାନଙ୍କୁ ଏକ ପରୀକ୍ଷା ଭାବରେ ପ୍ରଦର୍ଶନ କରିବାକୁ କୁହାଯାଏ - ସେମାନଙ୍କ ମଧ୍ୟରୁ ଅଧିକାଂଶ ପାରଦର୍ଶୀ, ପରିବାର ବରିଷ୍ଠ ସଦସ୍ୟଙ୍କଠାରୁ ଶିଖିଥାଆନ୍ତି  । ୪୫ବର୍ଷୀୟ ଇନ୍ଦ୍ରଜିତ୍ ରିଷିଦାସ କୁହନ୍ତି, “ମୁଁ ମୋର ବଡ଼ ସମ୍ପର୍କୀୟ ଭାଇମାନଙ୍କ ସହିତ ବଜାଉଥିଲି । “ମୁଁ କାଶୀ (ଏକ ଛୋଟ ବାଡ଼ିରେ ବଜାଯାଉଥିବା ଏକ ଧାତବ ପ୍ଲେଟ ପରି ଯନ୍ତ୍ର)ବଜାଇବାରୁ ଆରମ୍ଭ କରିଥିଲି, ତା’ପରେ ଢୋଲ, ଏବଂ ପରେ ଢାକ୍ ବଜାଇଲି ।” (ସେ ଏବଂ ଅନ୍ୟମାନେ ଯେମିତି ରିଷିଦାସ, ରୋହିଦାସ ଏବଂ ରବିଦାସଙ୍କ ପରିବାର ମୋଚି ସମ୍ପ୍ରଦାୟର ଅଟନ୍ତି, ତ୍ରିପୁରାରେ ଏହା ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ ।)

ଅଗରତାଲାର ଅନେକ ଢାକିଙ୍କ ପରି ଇନ୍ଦ୍ରଜିତ୍ ବର୍ଷସାରା ଜଣେ ସାଇକେଲ ରିକ୍ସା ଚଲାଳି ଭାବରେ କାର୍ଯ୍ୟ କରନ୍ତି। ବେଳେବେଳେ, ଅନ୍ୟମାନଙ୍କ ପରି, ସେ ମଧ୍ୟ ବ୍ୟାଣ୍ଡରେ ବଜାନ୍ତି - ସ୍ଥାନୀୟ ଭାବରେ ଯାହା ବିବାହ ଏବଂ ଅନ୍ୟାନ୍ୟ ଉତ୍ସବ ସମୟରେ ପରିବେଷଣ କରୁଥିବା ‘ବ୍ୟାଣ୍ଡ-ପାର୍ଟି’ ଭାବରେ ଜଣାଶୁଣା। ଏହି ସାମୟିକ କାମ ବ୍ୟତୀତ, ଢାକିମାନେ ମଧ୍ୟ ଦିନ ମଜୁରୀ ହିସାବରେ ଇଲେକ୍ଟ୍ରିସିଆନ୍‌ କିମ୍ବା ପାଣି ପାଇପ୍‌ ମିସ୍ତ୍ରୀ ଭାବରେ କାମ କରନ୍ତି । କେତେକ ପନିପରିବା ବିକ୍ରେତା ଏବଂ କେତେକ ନିକଟସ୍ଥ ଗାଁର କୃଷକ ଯେଉଁମାନେ ପରିବେଷଣ ପାଇଁ ଅଗରତାଲାକୁ ଆସନ୍ତି।

PHOTO • Sayandeep Roy

ଇନ୍ଦ୍ରଜିତ୍‌ ରିଷିଦାସ ଅଗରତାଲାର ଭାଟି ଅଭୟନଗର ଅଞ୍ଚଳରେ ଥିବା ତାଙ୍କ ଘରୁ ବାହାରିଛନ୍ତି ପୂଜା ଉତ୍ସବ ଆରମ୍ଭ ହେବା ପୂର୍ବରୁ ବହୁ ଢାକିମାନେ ସାଇକେଲ୍‌ ରିକ୍ସା ଚଳାନ୍ତି

ଜଣେ ସାଇକେଲ ରିକ୍ସା ଚାଳକ ଭାବେ, ଇନ୍ଦ୍ରଜିତ୍‌ ଦୈନିକ ପ୍ରାୟ ୫୦୦ ଟଙ୍କା ରୋଜଗାର କରନ୍ତି । ସେ କହନ୍ତି, ‘‘ଆମକୁ କିଛି କରିବାକୁ ଅଛି, ରୋଜଗାର ପାଇଁ ରିକ୍ସା ଚଳାଇବା ସହଜ ମାଧ୍ୟମ । ଭଲ କାମ ପାଇଁ ଅପେକ୍ଷା କରିବାରେ କିଛି ମାନେ ନାହିଁ । ’’ ଦୁର୍ଗା ପୂଜା ସମୟରେ ଜଣେ ଢାକି ଭାବେ ସେ ଗୋଟିଏ ସପ୍ତାହରେ ସେତିକି ଆୟ କରିଦିଅନ୍ତି ଯାହା ରିକ୍ସା ଚଳାଇ ଗୋଟିଏ ମାସରେ ଆୟ କରନ୍ତି- ଚଳିତ ଋତୁରେ ୨୦୨୧ରେ, ସେ ପେଣ୍ଡାଲ କମିଟି ପକ୍ଷରୁ ୧୫ ହଜାର ଟଙ୍କା ନେଇ ବଜାଇବାକୁ ଚୁକ୍ତିବଦ୍ଧ ହୋଇଛନ୍ତି-ଯଦିଓ କେତେକ ଏହାଠାରୁ କମ୍‌ ଟଙ୍କାରେ ମଧ୍ୟ ରାଜି ହୁଅନ୍ତି ।

ପେଣ୍ଡାଲ ଗୁଡ଼ିକରେ ଯେଉଁଠାରେ ଢାକିମାନେ (ଅଗରତାଲାରେ ସାଧାରଣତଃ ପୁରୁଷମାନେ ବାଦ୍ୟଯନ୍ତ୍ର ବଜାନ୍ତି) ପୂଜାର ପାଞ୍ଚ ଦିନ ପାଇଁ ଡକାଯାଆନ୍ତି, ଇନ୍ଦ୍ରଜିତ୍‌ କହନ୍ତି, ପୂଜକମାନଙ୍କ କହିବା ଅନୁସାରେ ଆମକୁ ସେହି ସମୟରେ ଉପସ୍ଥିତ ରହିବାକୁ ପଡ଼େ। ‘‘ଆମକୁ ସକାଳ ପୂଜା ସମୟରେ ପ୍ରାୟ ୩ ଘଣ୍ଟା ଏବଂ ସଂଧ୍ୟାରେ ୩-୪ ଘଣ୍ଟା ବଜାଇବାକୁ ହୁଏ।’’

‘ବ୍ୟାଣ୍ଡ ପାର୍ଟି’ କାମ ସାମୟିକ । ଇନ୍ଦ୍ରଜିତ୍‌ କହନ୍ତି, ‘‘ଆମେ ସାଧାରଣତଃ ୬ ଜଣ ଗୋଟିଏ ଟିମ୍‌ ହୋଇ କାମ କରିଥାଉ, ପ୍ରାୟତଃ ବିବାହ ଋତୁରେ ଏବଂ ଏବଂ ଆମେ ପ୍ରଦର୍ଶନ କରୁଥିବା ଦିନ ଅନୁଯାୟୀ ଚାର୍ଜ କରିଥାଉ। କେତେକ ଆମକୁ ଦିନେ ଦୁଇଦିନ ପାଇଁ ଡାକନ୍ତି, କେତେକ ୬-୭ ଦିନ ପାଇଁ ବି ଡାକନ୍ତି । ’’ ପୁରା ଟ୍ରୁପ୍‌କୁ ଏଥିରୁ ଦିନକୁ ମୋଟ ୫ରୁ ୬ ହଜାର ଟଙ୍କା ମିଳେ ।

ଗତ ବର୍ଷ କୋରୋନା ମହାମାରୀ ଯୋଗୁଁ, ଅଧିକାଂଶ ସେମାନଙ୍କର ପୂଜା ଯୋଜନା ବାତିଲ କରିଦେଲେ, ଢାକିମାନଙ୍କୁ ନିଜସ୍ୱ ସଞ୍ଚୟ ଓ ରିକ୍ସା ଚାଳନା ବା ଅନ୍ୟ କାମରୁ ସେମାନଙ୍କର ରୋଜଗାର ସଂଗ୍ରହ କରିବାକୁ ହେଲା । ଯଦିଓ କେତେକ ଶେଷ ମୂହୂର୍ତ୍ତରେ ଢାକ ବଜାଇବା ପାଇଁ ଡକାଗଲେ । (ଏହି କାହାଣୀରେ ଥିବା ସମସ୍ତ ଫଟୋ ଗତ ବର୍ଷ ୨୦୨୦ ଅକ୍ଟୋବରରେ ନିଆଯାଇଥିଲା)

ସାଧାରଣତଃ ଦୁର୍ଗାପୂଜାର ପ୍ରଥମ ଦିନର ଗୋଟିଏ ସପ୍ତାହ ପରେ ପଡୁଥିବା ଲକ୍ଷ୍ମୀପୂଜା ହେଉଛି ଅଧିକାଂଶ ଢାକିମାନଙ୍କୁ କାମ ମିଳିବାର ଶେଷ ଦିନ ହୋଇଥାଏ । ସେହି ସଂଧ୍ୟାରେ ସେମାନ ଅଗରତାଲାର ରାସ୍ତାକୁ ଏକୁଟିଆ ବା ଦୁଇ ଜଣ ଲେଖାଏଁ ନିଜର ଡ୍ରମ୍‌ ସହ ଓହ୍ଲାନ୍ତି । ପରିବାରମାନେ ସେମାନଙ୍କୁ ନିଜର ଘରେ ପାର୍ବଣର ଚିହ୍ନ ସଦୃଶ ୫-୧୦ ମିନିଟ ପାଇଁ ବଜାଇବାକୁ ଡାକନ୍ତି । ଏଥିପାଇଁ ଢାକିମାନଙ୍କୁ ପରିବାର ପିଛା ଅତି ବେଶୀରେ ୨୦-୨୫ ଟଙ୍କା ଦିଆଯାଏ, ଏବଂ ଅଧିକାଂଶ କୁହନ୍ତି ସେମାନେ କେବଳ ପରମ୍ପରା ବଜାୟ ରଖିବାକୁ ଏମିତି କରନ୍ତି ।

PHOTO • Sayandeep Roy

ଦୁର୍ଗାପୂଜାର ପ୍ରାୟ ୧୦ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଢାକଗୁଡ଼ିକୁ ବାହାର କରାଯାଏ ଏବଂ ଠିକ୍‌ ଶବ୍ଦ ପାଇବା ପାଇଁ ଦଉଡ଼ି ସବୁ ସଫା କରାଯାଇ ଭିଡ଼ାଯାଏ । ଏହା ଖୁବ୍ କଠିନ କାମ କାରଣ ଦଉଡ଼ି ସବୁ ପଶୁ ଚମଡ଼ାରେ ତିଆରି ସମୟକ୍ରମେ ଏହା ଟାଣ ହୋଇଯାଏ । ଏହି କାମରେ ସାଧାରଣତଃ ଦୁଇ ଜଣଙ୍କର ଆବଶ୍ୟକତା ଥାଏ । ଇନ୍ଦ୍ରଜିତ୍‌ ରିଷିଦାସ କହିଲେ, 'ଏଥିପାଇଁ ଖୁବ୍‌ ବଳ ଦରକାର ଏବଂ ଏକୁଟିଆ କରିବା କଷ୍ଟକର । ଏହା ଖୁବ୍‌ ଗୁରୁତ୍ଵପୂର୍ଣ୍ଣ କାମ କାରଣ ଢାକର ଶବ୍ଦ ଏହା ଉପରେ ନିର୍ଭର କରେ


PHOTO • Sayandeep Roy

ସଫେଇ ଓ ଶବ୍ଦ ପରୀକ୍ଷା କରିବା ପରେ, ଢାକଗୁଡ଼ିକୁ ଯତ୍ନର ସହ ସଫା କପଡ଼ାରେ ଘୋଡ଼େଇ ଦିଆଯାଏ ଏବଂ ସାମୟିକ ଭାବେ ଉଚ୍ଚ ଥାକରେ ରଖାଯାଏ-ଏବଂ ପରେ ପୂଜା ସମୟରେ ବାହାର କରାଯାଏ

PHOTO • Sayandeep Roy

ଯେତେବେଳେ ସହରରେ ଅଧିକାଂଶ ଲୋକ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି କରୁଥାଆନ୍ତି, ସହରର କୋଲୋନେଲ୍‌ ଚଉମୁହାଣି(ଚାରି ଛକ)ରେ ଥିବା ଦୋକାନକୁ ଦୁଇ ଜଣ ବାଦକ ଢାକ ବଜାଇ ଦୁର୍ଗାଙ୍କ ମୂର୍ତ୍ତି ଆଣିବାକୁ  ଯାଉଛନ୍ତି । ବିଭିନ୍ନ ପୂଜା ବିଧି ସମୟରେ ଢାକ ବଜାଯାଏ-ଯେମିତିକି ମୂର୍ତ୍ତି ଆଣିବା ସମୟରେ, ପେଣ୍ଡାଲରେ ପ୍ରତିଷ୍ଠା କରାଯିବା ସମୟରେ, ପୂଜା ସମୟରେ ଏବଂ ଭସାଣ ଉତ୍ସବ ସମୟରେ

PHOTO • Sayandeep Roy

କେନ୍ଦ୍ରୀୟ ଅଗରତାଲାର କାମନ ଚଉମୁହାଣି ନିକଟରେ ଜଣେ ଢାକି କାମ ମିଳିବା ଆଶାରେ ଛିଡ଼ା ହୋଇଛନ୍ତି । ପ୍ରତିବର୍ଷ, ନିକଟସ୍ଥ ଗାଁ ଏବଂ ସହରଗୁଡ଼ିକରୁ ଦୁର୍ଗାପୂଜାର ଦୁଇ ଦିନ ପୂର୍ବରୁ ଢାକିମାନେ ତ୍ରିପୁରାର ରାଜଧାନୀର ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଛିଡ଼ା ହୁଅନ୍ତି, ଏବଂ ସେଠାରେ ସାରା ଦିନ ଛିଡ଼ା ହୁଅନ୍ତି । ୨୦୨୦ରେ କୋରୋନା ପାଇଁ ଏମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ କାମ ପାଇଥିଲେ

PHOTO • Sayandeep Roy

ବାବୁଲ ରବିଦାସ, ଜଣେ ଢାକି ଯିଏ ଅଗରତାଲାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ତାଙ୍କର ଗାଁରୁ ଆସିଛନ୍ତି, ସାରା ଦିନର ଥକାପୂର୍ଣ୍ଣ ପ୍ରତୀକ୍ଷା ପରେ ଗୋଟିଏ ଧୁଆଁ ବିରତି ନେଉଛନ୍ତି

PHOTO • Sayandeep Roy

କେନ୍ଦ୍ରୀୟ ଅଗରତାଲାର ବାଟ୍ଟାଲା ବସ୍‌ଷ୍ଟାଣ୍ଡ ନିକଟରେ ସେମାନଙ୍କ ଗାଁକୁ ଫେରିବା ପାଇଁ ଢାକିମାନେ ଅଟୋରିକ୍ସାକୁ ଅପେକ୍ଷା କରିଛନ୍ତି । ଏହା ହେଉଛି ସେହି ସ୍ଥାନ ମଧ୍ୟରୁ ଗୋଟିଏ ଯେଉଁଠାରେ ବିଭିନ୍ନ ଗାଁ ଓ ସହରରୁ ଆସି ଢାକିମାନେ ଦୁର୍ଗାପୂଜାର ଦୁଇ ଦିନ ପୂର୍ବରୁ କାମ ମିଳିବା ଉଦ୍ଦେଶ୍ୟରେ ପହଞ୍ଚନ୍ତି । ଏହି ଗ୍ରୁପ୍‌ ଦିନ ସାରା ଅପେକ୍ଷା କରିବା ପରେ ରାତି ପ୍ରାୟ ୯ଟା ବେଳେ ଘରକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଲେ

ମହାମାରୀ ଦୃଷ୍ଟିରୁ ଶୂନ୍‌ଶାନ୍‌ ପ୍ରାୟ ଥିବା ବିଜୟକୁମାର ଚଉମୁହାଣି ଅଞ୍ଚଳରେ ଥିବା ପୂଜା ମଣ୍ଡପରେ ବାଦ୍ୟ ପରିବେଷଣ କରୁଛନ୍ତି କିନ୍ତୁ ଅଗରତାଲାର ସମସ୍ତ ପୂଜା ମଣ୍ଡପ ଗତ ବର୍ଷ ବି ଏତେ ଖାଲି ନ ଥିଲା


PHOTO • Sayandeep Roy

ଗତବର୍ଷ ଦୁର୍ଗାପୂଜାର ଗୋଟିଏ ସପ୍ତାହ ପୂର୍ବରୁ କ୍ରିଷ୍ଣାନଗରରେ ଥିବା ଗୋଟିଏ ବାଦ୍ୟ ଯନ୍ତ୍ର ଦୋକାନରେ ଜଣେ ଢାକି ଗୋଟିଏ ଢାକ ମରାମତି କରୁଛନ୍ତି


PHOTO • Sayandeep Roy

ପରମ୍ପରା ଓ ଟେକ୍ନୋଲୋଜିର ସମନ୍ଵୟ-ରାମନଗରର ରାସ୍ତା ନଂ ୪ରେ ଢାକର ଶବ୍ଦକୁ ଅଧିକ ଜୋର କରିବାକୁ ଗୋଟିଏ ମାଇକ୍ରୋଫୋନ୍‌ ବ୍ୟବହାର କରାଯାଉଛି । ଢାକ ଏକ ଜୋରରେ ଶବ୍ଦ କରୁଥିବା ବାଦ୍ୟଯନ୍ତ୍ର ଏବଂ ସାଧାରଣତଃ ଏଥିପାଇଁ ଆମ୍ପ୍ଲିଫାୟାରର ଆବଶ୍ୟକତା ପଡ଼େ ନାହିଁ - ଏହାର ଧ୍ଵନି ଦୂର ବାଟକୁ ଶୁଣାଯାଏ । ମଣ୍ଟୁ ରିଷିଦାସ (ଏହି ଫଟୋରେ ନାହାନ୍ତି) ଯିଏ କି ୪୦ ବର୍ଷରୁ ଅଧିକ ସମୟ ଧରି ଢାକ ବଜାଇ ଆସୁଛନ୍ତି, କହନ୍ତି ନୂଆ ଟେକ୍ନୋଲୋଜି ହେଉଛି ଗୋଟିଏ କାରଣ ଯେଉଁଥିପାଇଁ ଢାକିମାନେ ଏବେ ଅଧିକ କାମ ପାଉନାହାନ୍ତି । 'ଏବେ ଜଣେ କେବଳ ନିଜ ଫୋନ୍‌ରେ ଗୋଟିଏ ସ୍ଵିଚ୍‌ ଟିପି ଢାକର ସଂଗୀତ ବଜାଇ ପାରିବ'


PHOTO • Sayandeep Roy

ଯେଉଁମାନେ ୨୦୨୦ରେ କାମ ପାଇଥିଲେ, ସେମାନେ ବ୍ୟକ୍ତିବିଶେଷ, କ୍ଲବ୍‌ ବା ପରିବାରମାନଙ୍କ ସହ ନିଜର ଦୀର୍ଘକାଳୀନ ସମ୍ପୃକ୍ତି ଯୋଗୁଁ କାମ ପାଇଥିଲେ ଏଠାରେ ରାମନଗରର ରାସ୍ତା ନଂ ୧ରେ, କେଶବ ଋଷିଦାସ, ଅନ୍ୟ ସମୟରେ ଯିଏ ସାଇକେଲ୍‌ ରିକ୍ସା ଚଳାନ୍ତି, ନିଜର ଢାକ ଧରି ଗୋଟିଏ ସ୍ଥାନୀୟ କ୍ଲବ୍‌ ପେଣ୍ଡାଲରେ ନୃତ୍ୟ କରୁଛନ୍ତି ସେ ଜଣେ କ୍ଲବ୍‌ ସଦସ୍ୟଙ୍କୁ ଜାଣିଛନ୍ତି, ଯାହା ଫଳରେ ତାଙ୍କୁ ବଜାଇବାକୁ ଡକାଗଲା

PHOTO • Sayandeep Roy

କେଶବ ରିଷିଦାସ ବର୍ଷସାରା ସାଇକେଲ ରିକ୍ସା ଚଳାନ୍ତି ଏବଂ ପୂଜା ଦିନମାନଙ୍କରେ ଏବଂ ଅନ୍ୟ ସମୟରେ, ନିଜ ପୁଅକୁ ସାଙ୍ଗରେ ଆଣନ୍ତି ଢୋଲ ବଜାଇବା ପାଇଁ, ଯାହାକି ବେଳେବେଳେ ଢାକର ଧ୍ଵନିକୁ ପୂରଣ କରିବା ପାଇଁ ସାହାଯ୍ୟ କରେ ସେ ନିଜର ସାଇକେଲ ରିକ୍ସାରେ କର୍ମସ୍ଥଳକୁ ଯାଆନ୍ତି


PHOTO • Sayandeep Roy

ଅଖୌରା ରୋଡ଼ରେ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ବିସର୍ଜନ ପାଇଁ ନିଆଯାଉଛି - ଏହା ଢାକ ବଜାଇବା ଦୃଷ୍ଟିରୁ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ସମୟ ଓ ବିଧି


PHOTO • Sayandeep Roy

କେର ଚଉମୁହାଣି ଅଞ୍ଚଳରେ ଥିବା ଗୋଟିଏ ସ୍ଥାନୀୟ କାଳୀ ମନ୍ଦିରରେ ପରିମଳ ରିଷିଦାସ ପୂଜା ପରେ ଆଶୀର୍ବାଦ ଉଦ୍ଦେଶ୍ୟରେ ଆରତୀ ନେଉଛନ୍ତି ସେ କହନ୍ତି, 'ଚଳିତ ବର୍ଷ (୨୦୨୧) ସେମାନେ ମୋତେ ୧୧ ହଜାର ଟଙ୍କା ଦେଉଛନ୍ତି, ଗତବର୍ଷଠାରୁ ୫୦୦ ଟଙ୍କା ଅଧିକ ମୁଁ ଏବେ ୫୮ ବର୍ଷର ହେଲିଣି, ମୁଁ ୧୮ ବା୧୯ ବର୍ଷର ହୋଇଥିବାବେଳେ ବଜାଇବା ଆରମ୍ଭ କରିଥିଲି '


PHOTO • Sayandeep Roy

କେତେକ ଢାକି ଲକ୍ଷ୍ମୀପୂଜା ଦିନ ସଂଧ୍ୟାରେ ନିଜର ଢାକ ବଜାଇ ରାସ୍ତାକୁ ବାହାରି ପଡ଼ନ୍ତି । ଲୋକେ ଯେତେବେଳେ ସେମାନଙ୍କୁ ରାସ୍ତାରେ ଶୁଣନ୍ତି, ସେମାନେ ନିଜ ଘରକୁ ବଜାଇବାକୁ ଡାକନ୍ତି । ସାଧାରଣତଃ ଢାକି ଭାବେ ରୋଜଗାର କରିବାର ଏହା ସେମାନଙ୍କର ଶେଷ ଦିନ ହୋଇଥାଏ


PHOTO • Sayandeep Roy

ଢାକିମାନେ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଯାଆନ୍ତି , ପ୍ରତ୍ୟେକ ସ୍ଥାନରେ ୫-୧୦ ମିନିଟ ଯାଏଁ ବଜାନ୍ତି, ଆଉ ପ୍ରତ୍ୟେକ ସ୍ଥାନରେ ୨୦ରୁ୫୦ ଟଙ୍କା ଯାଏଁ ଆଣନ୍ତି


PHOTO • Sayandeep Roy

ରାଜୀବ ରିଷିଦାସ ଲକ୍ଷ୍ମୀପୂଜା ଦିନ ରାତି ପ୍ରାୟ ୯ଟା ସମୟରେ ନିଜ ଘରକୁ ଫେରୁଛନ୍ତି ସେ କହିଲେ, ‘‘ମୁଁ ପ୍ରକୃତରେ ଏହାକୁ ପସନ୍ଦ କରେନାହିଁ (ଘରକୁ ଘର ଯାଇ ଢାକ ବଜାଇବା ), କିନ୍ତୁ ମୋ ପରିବାର ଏହା କରିବାକୁ ମୋତେ କହିଲା, କାରଣ ଏହା ଦ୍ଵାରା କିଛି ଅତିରିକ୍ତ ଆୟ ହେବ


PHOTO • Sayandeep Roy

ପୂଜା ଋତୁ ଶେଷ ହେବା ପରେ , ସେମାନଙ୍କର ନିୟମିତ କାମକୁ ଫେରିଯାଆନ୍ତି ଦୁର୍ଗା ଚଉମୁହାଣି ଜଙ୍କସନ୍‌ ହେଉଛି ସେହି ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠାରେ ସେମାନେ ବର୍ଷସାରା ନିଜ ରିକ୍ସା ଧରି ଯାତ୍ରୀଙ୍କୁ ଅପେକ୍ଷା କରନ୍ତି


ଅନୁବାଦ: ଓଡ଼ିଶାଲାଇଭ୍‍

Sayandeep Roy

Sayandeep Roy is a freelance photographer from Agartala, Tripura. He works on stories about culture, society and adventure.

Other stories by Sayandeep Roy
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE