ମାଟି ପାତ୍ରଟି ଠିକ୍ ଛାତ ତଳେ ଟଙ୍ଗା ହୋଇଛି ।

ମୁଁ ନିଶ୍ଚିତ ଥିଲି ଯେ ସେଥିରେ ଔଷଧୀୟ ଗୁଳ୍ମଲତା, ଧାର୍ମିକ ସାମଗ୍ରୀ କିମ୍ବା ଚାଉଳ ଥିବ। ମୁଁ ଭାବିଲି ଖୋଲା ଅଗଣାରେ ଦୋସା ପ୍ରସ୍ତୁତ କରୁଥିବା ମହିଳା ରଜମଗିରି ମୋତେ ଏ ସଂପର୍କରେ କହିବେ । କିନ୍ତୁ ତାଙ୍କର ଶ୍ୱଶୁର ଜି.ସିଦ୍ଧୟାଙ୍କ ସାମ୍ନାରେ ସେ ସମ୍ମାନସୂଚକ ଭାବେ ନିରବ ଥିଲେ ।

ରଜମ ତାମିଲନାଡୁର ଇରୋଡ ଜିଲ୍ଲାରେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବାରଗୁର ହିଲ୍ସରେ ଥିବା ଏକ ସୁନ୍ଦର ଗାଁ ଉସିମଲାଇରେ ରହନ୍ତି। ସେ ଏକ ପଶୁଚରାଳୀ ପରିବାରରୁ ଆସିଛନ୍ତି। ସେମାନେ ବାରଗୁର ହିଲ୍ସ ଅନୁସାରେ ନାମିତ ହୋଇଥିବା ଧଳା ଓ ନାଲି ରଙ୍ଗର ବାରଗୁର ଗାଈଙ୍କୁ ପାଳନ କରିଥାନ୍ତି। ତାହା ତାମିଲନାଡୁର ୫ଟି ଦେଶୀୟ ପ୍ରଜାତି ମଧ୍ୟରୁ ଅନ୍ୟତମ। ସବୁଦିନ ସକାଳେ ପୁରୁଷ ଲୋକମାନେ ଜଙ୍ଗଲରେ ଚରିବା ଲାଗି ଗାଈଗୁଡ଼ିକୁ ନେଇ ଯାଇଥାନ୍ତି। ଦେଶୀୟ ପ୍ରଜାତି ସଂପର୍କରେ ଆଲେଖ୍ୟ ରଚନା କରିବା ଲାଗି ମୁଁ ସେମାନଙ୍କର ପଶୁଗୁଡ଼ିକୁ ଦେଖିବା ପାଇଁ ବାରଗୁର ଯାଇଥିଲି। ମୁଁ ଯେତେବେଳେ ରଜମଙ୍କୁ ଭେଟିଲି ସେତେବେଳେ ଘରେ କେବଳ ମହିଳା, ପିଲା ଓ ବୟସ୍କମାନେ ଥିଲେ ।

ଏବଂ ଛାତର ଠିକ୍ ତଳେ ସେ ମାଟି ପାତ୍ରଟି ଝୁଲୁଥିଲା ।

PHOTO • Aparna Karthikeyan

ଅବ୍ୟବହୃତ ହୋଇ ପଡିରହିଥିବା ମାଟିପାତ୍ର, ତାର ବ୍ୟବହାର ସଂପର୍କରେ ତୁରନ୍ତ ଜଣାପଡ଼ିଲା ନାହିଁ...

ସିଦ୍ଧୟା ଏବଂ ସି.କେଞ୍ଜେନ୍ ଏକ ଝୋଟର ଖଟିଆ ଉପରେ ବସିଥିଲେ। ସିଦ୍ଧୟା ମୋତେ କହିଲେ ଯେ ତାଙ୍କୁ ୫୦ ବର୍ଷ । କିନ୍ତୁ ତାଙ୍କର ବନ୍ଧୁ ତାଙ୍କର କଥାକୁ ଖଣ୍ଡନ କଲେ। କେଞ୍ଜେନ୍ କହିଲେ, “ତୁମକୁ ୫୦ ନୁହେଁ, ୬୦ ବର୍ଷ ।’’ ବୁଢା ହୋଇଯାଇଥିବା ପଶୁଚରାଳୀମାନଙ୍କ ପାଇଁ ପ୍ରକୃତରେ ବୟସ କିଛି ମାନେ ରଖେ ନାହିଁ । କିନ୍ତୁ ଦୁଇଜଣ ଯାକ ୬୦ରେ ଉପନୀତ ହୋଇଥିବା ଭଳି ଲାଗୁଥିଲା । ସେମାନେ ସେମାନଙ୍କର ବେକରେ ରୂପାର ଏକ ଲିଙ୍ଗମ୍(ଶିବଲଙ୍ଗ)ପେଣ୍ଡେଣ୍ଟ ପିନ୍ଧିଥିଲେ- ତାହା ସେମାନେ ଲିଙ୍ଗାୟତ ସଂପ୍ରଦାୟର ହୋଇଥିବାକୁ ଦର୍ଶାଉଥିଲା। କୌତୁହଳର କଥା ହେଲା ବାରଗୁରର ଲିଙ୍ଗାୟତ ସଂପ୍ରଦାୟର ଲୋକମାନେ ପଶୁପାଳନକାରୀ କିନ୍ତୁ ସେମାନେ କ୍ଷୀର ପିଅନ୍ତି ନାହିଁ । ସେମାନେ ମଧ୍ୟ ନିରାମିଶାଷୀ। ବାରଗୁର ହିଲ୍ସ ପଶୁପାଳନକାରୀ ସଂଘର ସଭାପତି ଇ.ଏନ୍ ଶିବସେନାପତି ମୋତେ କହିଲେ, “କ୍ଷୀରକୁ କେବଳ ଖୁବ୍ ସାନ ପିଲା ଓ ବୟସ୍କମାନଙ୍କୁ ଦିଆଯାଇଥାଏ।’’ ଇ.ଏନ୍ ଶିବ ସେନାପତି ମୋତେ ଉସିମଲାଇକୁ ନେଇଯାଇଥିଲେ ।

PHOTO • Aparna Karthikeyan

ବାମ: ସି. କେଞ୍ଜେନ୍ ଏବଂ ସିଦ୍ଧୟା ଝୋଟର ଖଟରେ ଅଗଣାରେ ବସିଛନ୍ତି । ଡାହାଣ: ଲିଙ୍ଗାୟତ ସଂପ୍ରଦାୟର ଲୋକମାନେ ପିନ୍ଧୁଥିବା ରୂପାର ଲିଙ୍ଗମ୍ ପେଣ୍ଡେଣ୍ଟ

ପରମ୍ପରାର ପକ୍ଷପାତୀ ରଜମଙ୍କର ଶ୍ୱଶୁର ମୋତେ କ୍ଷମାମାଗିବା ଭଳି କହିଲେ ଯେ ବାହାର ଲୋକଙ୍କୁ ସୋମବାରରେ କେବେହେଲେ ଖାଇବାକୁ ଦିଆଯାଏ ନାହିଁ । ମୋତେ କୌଣସି ଦିନ ବି ତାଙ୍କ ଘର ଭିତରକୁ ଯିବାପାଇଁ ଅନୁମତି ମିଳିବ ନାହିଁ । ମୋର ଉପସ୍ଥିତି ସେଠାକୁ ପ୍ରଦୂଷିତ କରିବା ଭଳି ମନେ କରାଯିବ ।

କିନ୍ତୁ ସେ ବୁଝାଇଲେ ଯେ, ମୁଁ ଭାଗ୍ୟବାନ-କାରଣ କାଠଚୁଲା ଅଗଣାରେ ଅଛି। ତେଣୁ ମୋତେ କପେ ଚା’ ଦିଆଗଲା। ଚୁଲାଟି ଖୁବ୍ ସାଧାରଣ ଥିଲା-ତିନିଟି ପଥରକୁ ତ୍ରିକୋଣ କରି ରଖାଯାଇଥିଲା। ତଳେ ଜାଳେଣି ଦିଆଯାଉଥିଲା ଏବଂ ଉପରେ ପାତ୍ର ରଖାଯାଉଥିଲା। ରଜମ୍ ଗୋଟିଏ ଲୁହା ପାଇପ୍ ସାହାଯ୍ୟରେ ଜାଳକୁ ଖେଞ୍ଚୁଥିଲେ। ତା’ ପରେ କାଠ ଜୋର୍‌ରେ ଜଳୁଥିଲା ଏବଂ ଜୋର ନିଆଁ ହେଉଥିଲା । ଯେତେବେଳେ ଆଲୁମିନିୟମ୍ ପାତ୍ରରେ ପାଣି ଗରମ ହେଲା ସେ ଚା’ ପତି ଓ ଚିନି ପକାଇଦେଲେ। ଏହାପରେ ସେ ଆମକୁ ସୁଇଟ ବରାଟୁ (କଳା) ଚା’ ଦେଲେ ।

ରଜମଙ୍କ ଘରେ ସବୁକିଛି ପୁରୁଣାକାଳିଆ ଥିଲା। କାନ୍ଥଗୁଡ଼ିକ ମାଟିରେ ତିଆରି ହୋଇଥିଲା ଏବଂ ସେଥିରେ ନାଲି ଓ ନୀଳ ରଙ୍ଗ ଦିଆଯାଇଥିଲା। ଗୋଟିଏ କୋଠରୀରେ ବାଛୁରୀଗୁଡ଼ିକୁ ରଖାଯାଇଥିଲା। ଅଗଣାରେ ଚୁଲା ପାଖରେ ଦୋସାର ପିଠଉ ତିଆରି କରିବା ଲାଗି ଏକ ଶିଳ ପଡିଥିଲା। ଗୋଟିଏ ପତଳା କିନ୍ତୁ ଓଜନିଆ ଶିଳପୁଆ ଥିଲା ଏବଂ ପାଛିଆ ବୁଣିବା ଲାଗି ବାଉଁଶ ପାତିଆ ଥିଲା।

PHOTO • Aparna Karthikeyan

ବାମ: କାଠଚୁଲାରେ ରଜମ୍ ଚା’ ତିଆରି କରୁଛନ୍ତି । ଡାହାଣ: ସେମାନଙ୍କ ପାଇଁ ଥିବା କୋଠରୀରେ ବାରଗୁର ବାଛୁରୀଗୁଡ଼ିକ ଅଛନ୍ତି

ଏବଂ ଛାତର ଠିକ୍ ତଳେ ଏକ ମାଟି ପାତ୍ର ଟଙ୍ଗାଯାଇଛି

ଯେତେବେଳେ ମୁଁ ରଜମଙ୍କୁ ପୁଣିଥରେ ଏ ସଂପର୍କରେ ପଚାରିଲି ସେ ହସିଦେଲେ। ସେ ଘର ଭିତରକୁ ଯାଇ ଏକପ୍ରକାର ମ୍ୟୁଜିକ୍ ସିଷ୍ଟମକୁ ଅନ୍ କରିଦେଲେ ।

ସେ କହିଲେ, “ପାତ୍ର ମଧ୍ୟରେ ଏକ ସ୍ପିକର ଅଛି’’ । ‘‘ସଙ୍ଗୀତ ପାଇଁ ।’’

ମ୍ୟୁଜିକ୍ ସିଷ୍ଟମରୁ ଏକ ତାମିଲ ଫିଲ୍ମର ଗୀତ ବାଜିଲା ଏବଂ ତାର ଶବ୍ଦର ମାଟି ପାତ୍ର ମଧ୍ୟରେ ପ୍ରତିଧ୍ୱନିତ ହେଲା ।

କିଛି ପିଲା ସେଠାରେ ଏକାଠି ହୋଇଗଲେ। ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବା ସହିତ ମୋର କିଛି ପ୍ରଶ୍ନର ଉତ୍ତର ଦେଲେ। ସେମାନଙ୍କ ମଧ୍ୟରୁ ଜଣେ ରଜମଙ୍କର ଝିଆରୀ ଥିଲେ। ସେ ମୋତେ କହିଲେ ଯେ ତାଙ୍କର ଚିଥାପ୍ପା (ତାମିଲ ଭାଷାରେ ଦାଦା), ରଜମଙ୍କର ଜଣେ ଦେଢଶୁର ସେହି ପାତ୍ର ମଧ୍ୟରେ ସ୍ପିକରକୁ ରଖିଛନ୍ତି ।

ମୁଁ ରଜମଙ୍କର ଝିଆରୀକୁ ପଚାରିଲି, “ତୁମେ ନାଚିବାକୁ ଭଲ  ପାଅ କି?’’ ସେ ମୁଣ୍ଡ ହଲାଇ ସମ୍ମତି ଦେଲା । କିନ୍ତୁ ପରେ ଲାଜକୁଳୀ ଝିଅଟି ତାର ନାଁ କିମ୍ବା ତାର ପ୍ରିୟ ଗୀତ ସଂପର୍କରେ କିଛି କହିଲା ନାହିଁ ।

ଭିଡିଓ ଦେଖନ୍ତୁ: ପାତ୍ର ମଧ୍ୟରେ କ’ଣ ଅଛି ଏବଂ ତାକୁ ସେଠାରେ କିଏ ରଖିଛି?

ରଜମ ତାଙ୍କର କାମ ପାଇଁ ଘରକୁ ଫେରିଗଲେ। ସେ ଜାଳେଣୀ ସଂଗ୍ରହ ପାଇଁ ବାଡ଼ିପଟକୁ ଗଲେ। ମୁଁ ତାଙ୍କ ପଛରେ ଗଲି। ଏକୁଟିଆ ଥିବାବେଳେ ସେ ଆଶ୍ଚର୍ଯ୍ୟଜନକ ଭାବେ ଗପିଲେ। ସେ ତାଙ୍କର ରୁଟିନ୍ ଅନୁସାରେ ସକାଳ ୫ଟାରୁ ଉଠିବାଠାରୁ  ଆରମ୍ଭ କରି ରାତି ୯ଟା ପର୍ଯ୍ୟନ୍ତ କରୁଥିବା କଷ୍ଟକର କାମ ସଂପର୍କରେ କହିଲେ। ଜାଳେଣୀ ସଂଗ୍ରହଠାରୁ ଆରମ୍ଭ କରି ଶିଳରେ ପିଠଉ ବାଟିବା, ଘରେ ଗୋଟିଏ ପିଲାକୁ ଜନ୍ମ ଦେବା, ଅନ୍ୟଟିକୁ ଡାକ୍ତରଖାନାରେ ଜନ୍ମ ଦେବା କଥା ବି ଗପିଗଲେ। “ମୋର ୨ଟି ଯାକ ପିଲା ଝିଅ; ଜଣେ ହେଲା ଲଳିତା ଏବଂ ଅନ୍ୟଟି ଜ୍ୟୋତିକା ।’’

ଏଥରକ ରଜମଙ୍କର ମୋତେ ପ୍ରଶ୍ନ ପଚାରିବାର ପାଳି ଥିଲା । “ତୁମର କେତେ ଜଣ ପିଲାପିଲି ଅଛନ୍ତି, ତୁମେ କେଉଁଠି ରୁହ?’’ ତା’ ପରେ ସେ ଉତ୍ସୁକତାବଶତଃ ପଚାରିଲେ: “ତୁମର ଥାଳି (ସୁନାର ମଙ୍ଗଳସୂତ୍ର)କେଉଁଠି ଅଛି?’’ ମୁଁ ତାଙ୍କୁ କହିଲି ଯେ ମୁଁ ସୁନା ପିନ୍ଧେ ନାହିଁ । ସେ କହିଲେ, “ମୋର ଦେଖ!’’ ଏହା ସହ ସେ ତାଙ୍କର ବାମ ହାତର ପାପୁଲି ଦ୍ୱାରା ଚେନ୍‌କୁ ଧରିଲେ। ତାହା ଛୋଟ କଳା ଓ ସୁନାର ମାଳି ଦ୍ୱାରା ଶକ୍ତ ଭାବେ ତିଆରି ହୋଇଥିଲା। ସେଥିରେ ନାଲି, କଳା ଓ ସୁନାର ପେଣ୍ଡେଣ୍ଟ ଲାଗିଥିଲା ଏବଂ ୪ଟି ସେଫ୍ଟିପିନ୍ ବି ଥିଲା। ମୁଁ ତାଙ୍କର ଫଟୋ ନେବାବେଳକୁ ରଜମ ପଚାରିଲେ, “ତୁମ ପାଖରେ ସୁନା ଅଛି, କିନ୍ତୁ ତୁମେ ତାକୁ ପିନ୍ଧନାହିଁ?’’ ଏହା କହି ସେ ବାରଗୁରର ସୁନ୍ଦର ପାହାଡ଼ରେ ଥିବା ତାଙ୍କର ଘରର ପଛପଟେ ହସିଚାଲିଲେ ।

ଛାତର ଠିକ୍ ତଳେ ଟଙ୍ଗା ଯାଇଥିବା ମାଟି ପାତ୍ରରୁ ଭାସି ଆସୁଥିବା ସଙ୍ଗୀତ ଅପେକ୍ଷା ସେହି ଶବ୍ଦ ଆହୁରି ଅଧିକ ସଙ୍ଗୀତମୟ ଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent multimedia journalist. She documents the vanishing livelihoods of rural Tamil Nadu and volunteers with the People's Archive of Rural India.

Other stories by Aparna Karthikeyan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE