ଭୋର ୪ଟାରେ ଆପଣ ଦେଖିବାକୁ ପାଇବେ ଯେ ସେ ମାଗମ୍‌ (ବୟନ ତନ୍ତ)ରେ କାର୍ଯ୍ୟରତ । ନିଜର ଦୁଇ ପିଲାଙ୍କ ସହିତ । ପାଖରେ ଥିବା ଆଉ ଏକ ତନ୍ତରେ ବି ସେ କାମ କରୁଥିବେ । କ୍ଷମାଯାଚନା କରିବା ଢଙ୍ଗରେ ଅଳ୍ପ ହସି ସେ କହନ୍ତି, “ବିଜୁଳି ଆସିବା ଉପରେ ଏସବୁ ନିର୍ଭର କରେ’’ । ‘‘ଏହି ଶାଢ଼ିଗୁଡ଼ିକର କାମ ସାରିବାକୁ ଆମକୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କାମ କରିବାକୁ ପଡ଼େ । ଏଠି କେମିତି ଅନ୍ଧାର ହୋଇଯାଉଛି ତାହା ତ ଆପଣ ଦେଖିପାରୁଥିବେ ।”

“ଏଠାରେ” ଅତି ବେଶୀରେ ନଅ ଫୁଟ୍‌ ଲମ୍ବ ଓ ଆଠ ଫୁଟ୍‌ ଓସାରର ଏକ ସ୍ଥାନରେ ଦୁଇଟି ତନ୍ତ ରହିଛି ଏବଂ ଅଛନ୍ତି କ୍ରିଷ୍ଣାମ୍ମା ଏବଂ ତାଙ୍କର ଦୁଇ ପିଲା । କୋଠରିର ବେଶୀ ଭାଗ ଜାଗା ମାଡ଼ି ବସିଥିବା ତନ୍ତ ଦୁଇଟିକୁ ବ୍ୟବସାୟୀମାନେ ବସାଇଥିଲେ ଏବଂ ସେମାନେ ଏଠାରେ ତାଙ୍କୁ କଞ୍ଚାମାଲ ଦେଇଯାଇଛନ୍ତି ଏବଂ କାମ ସରିବା ପରେ ପ୍ରସ୍ତୁତ ସାମଗ୍ରୀକୁ ସେମାନେ ନେଇଯିବେ । ସାମଗ୍ରୀ କହିଲେ ସୁନ୍ଦର ଭାବେ ବୁଣା ହୋଇଥିବା ଶାଢ଼ି, ଯାହାକୁ କି, କ୍ରିଷ୍ଣାମ୍ମା କି ତାଙ୍କ ଝିଅ ଅମିତା, କେବେହେଲେ ବି ପିନ୍ଧିବାର ସମ୍ଭାବନା ନାହିଁ । କାମ ସାରିଲେ ସେମାନଙ୍କୁ ଶାଢ଼ି ପିଛା ୬୦୦ ଟଙ୍କା ଯାହା ମିଳିବ। ପୁଅ ପୁଲାନ୍ନା ବି କାମରେ ଲାଗିଯାଇଥିବାରୁ ସେମାନେ “ମାସକ ଭିତରେ ଦୁଇଟି କରିପାରିବେ। ଏବେ ସେତିକି ଯାହା କାମ ଆମକୁ ମିଳୁଛି ।” ଏବଂ ବିଦ୍ୟୁତ କାଟ୍‌, ସରବରାହ ବନ୍ଦ ଏବଂ ବିଦ୍ୟୁତ୍‌ ଯୋଗାଣରେ ସାମୟିକ ବ୍ୟାଘାତ ଯୋଗୁଁ ଏହି କାମକୁ ସେମାନେ ଏକ ଅପ୍ରତ୍ୟାଶିତ କାର୍ଯ୍ୟ ନିର୍ଘଣ୍ଟରେ କରନ୍ତି । ଅନନ୍ତପୁର ଜିଲ୍ଲାର ସୁବ୍ରାୟନପଲ୍ଲୀ ଗାଁରେ ତାହା ହିଁ ଜୀବନ ।

PHOTO • P. Sainath

ଅନନ୍ତପୁରରେ ସେମାନଙ୍କ ଘରେ କ୍ରିଷ୍ଣାମ୍ମା ଏବଂ ତାଙ୍କର ଦୁଇ ସନ୍ତାନ ଅମିତା ଏବଂ ପୁଲାନ୍ନା

“ସେଥିପାଇଁ, ଯେତେବେଳେ କରେଣ୍ଟ୍‌ ଆସେ, ଆମକୁ କାମ କରିବାକୁ ପଡ଼େ, ସମୟ ଯେତେ ହେଉ ନା କାହିଁକି,” କ୍ରିଷ୍ଣାମ୍ମା ବୁଝାଇ ଦିଅନ୍ତି । ଏବଂ ଏହା ସହିତ ଅନ୍ୟ ଏକ ତନ୍ତରେ କାମ କରୁଥିବା ଦୁଇ ପିଲାଙ୍କୁ ସହାୟତା କରିବାକୁ ପଡ଼େ । ଏସବୁ ବ୍ୟତୀତ ଲୁଗାସଫା, ଘରଓଳେଇବା ଏବଂ ରନ୍ଧାରନ୍ଧି ବି କରନ୍ତି । ବେଳେବେଳେ ତାଙ୍କୁ ଅନ୍ୟ କାମ ବି ମିଳେ, କିନ୍ତୁ ତାଙ୍କ ପରିଶ୍ରମରୁ ଦିନକୁ ୨୫ ଟଙ୍କାରୁ ଅଧିକ ମିଳେ ନାହିଁ । ସେ କହନ୍ତି, “ପିଲାବେଳେ କିଛିଟା ତନ୍ତବୁଣା କାମ ଶିଖିଥିଲି ।” ତନ୍ତରେ ଏତେ ଘଣ୍ଟା ଧରି ଠିଆ ହୋଇ କାମ କରିବା ଯୋଗୁଁ ଏବଂ ନିଜ ପିଲାମାନଙ୍କ କାମକୁ ହାଲୁକା ଓ ସହଜ କରାଇବାକୁ ଯାଇ ଏହା ଭିତରେ ତାଙ୍କ ଗୋଡ଼ ଦୁଇଟି ଫୁଲିଯାଇଛି । ଦୁଇ ପିଲା ପାଠପଢ଼ା ଅଧାରେ ରଖି ସ୍କୁଲ୍‌ ଛାଡ଼ିଛନ୍ତି । ଚାରି କିଲୋମିଟର ଦୂରର ସ୍କୁଲ ଛାଡ଼ିଛି ୧୪ ବର୍ଷର ପୁଲାନ୍ନା । ଏବଂ ୧୫ ବର୍ଷୀୟା ଅମିତାର ସ୍କୁଲ୍‌ ଯିବା ଲାଗି ପ୍ରବଳ ଇଚ୍ଛା ରହିଛି, କିନ୍ତୁ ମାଆଙ୍କ ପ୍ରତି ଦରଦ ଯୋଗୁଁ ସେ ଏହା ମାନିବାକୁ ନାରାଜ ।

ଗତ ୧୪ ବର୍ଷ ଭିତରେ ସାରା ଦେଶରେ ଚାଷୀ ଆତ୍ମହତ୍ୟା ଯୋଗୁଁ ସ୍ୱାମୀଙ୍କୁ ହରାଇଥିବା ୧୦୦,୦୦୦ରୁ ଅଧିକ ମହିଳାଙ୍କ ମଧ୍ୟରୁ ଜଣେ ହେଲେ କ୍ରିଷ୍ଣାମ୍ମା । ଚାଷୀ ଆତ୍ମହତ୍ୟାର ସଂଖ୍ୟା ଦୃଷ୍ଟିରୁ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରୁ ଅନନ୍ତପୁର ଅନ୍ୟତମ । ୨୦୦୫ ମସିହାରେ ନିଜର ସାଢ଼େ ତିନି ଏକର ଜମିରେ ୬୦,୦୦୦ ଟଙ୍କା ଖର୍ଚ୍ଚ କରି ସେ ବସାଇଥିବା ଚାରିଟି ଯାକ ନଳକୂପ କାମ ନ କରିବାରୁ ତାଙ୍କ ସ୍ୱାମୀ ନେତି ଶ୍ରୀନିବାସୁଲୁ ରସି ଲଗାଇ ଆତ୍ମହତ୍ୟା କରିଥିଲେ। କ୍ରିଷ୍ଣାମ୍ମା କହନ୍ତି, “ଋଣଦାତାମାନେ ମୋ ପାଖକୁ ଆସି ଟଙ୍କା ପରିଶୋଧ କରିବାକୁ କହିଲେ । ମୁଁ କରିପାରିଲିନି । ଟଙ୍କା କାହିଁ ଯେ ?” ଏ କଥା ପକ୍କା ଯେ ସରକାରଙ୍କଠୁ କିଛି ମିଳିଲାନି । “ନା, ତାଙ୍କ ମୃତ୍ୟୁ ପରେ ମୁଁ କେବେହେଲେ କୌଣସି କ୍ଷତିପୂରଣ ପାଇନାହିଁ,” ସେ କହନ୍ତି ।  ଚାଷବାସ ଉପରେ କ୍ରିଷ୍ଣାମ୍ମାଙ୍କର ଭରସା ନାହିଁ । “ମୁଁ ବହୁତ କିଛି ହରାଇଛି, ବହୁତ ବର୍ଷ ବି ।” ଏମିତି ତ ଅନୁତାପ କି ଅଭିଯୋଗ କରିବାକୁ ତାଙ୍କର ସମୟ ନାହିଁ । ପରିବାରକୁ ଦୁଇବେଳା ଖୁଆଇବାକୁ ହେବ ଏବଂ ଏଥିପାଇଁ ତାଙ୍କୁ ଯେତେ ମୂଲ୍ୟ ଦେବାକୁ ପଡ଼ିଲେ ବି ସେ ତାହା କରିବେ ।

ଚିନ୍ନା ମୁସ୍ତୁରୁ ଗାଁରେ ତାଙ୍କ ସିଲେଇ ସ୍କୁଲ୍‌ ସ୍ଥାପନ କାମ ଆରମ୍ଭ କରିଛନ୍ତି ପାର୍ବତୀ ମାଲ୍ଲାପ୍ପା । ୨୦୦୩ରେ ତାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା ନ କରିବା ପାଇଁ ପରାମର୍ଶ ଦେଇଥିଲେ ଏହି ଅସାଧାରଣ ମହିଳା ଜଣକ । ଗାଁଟା ଯାକର ଲୋକ ଋଣଗ୍ରସ୍ତ ଅବସ୍ଥାରେ ଅଛନ୍ତି ବୋଲି କହି ଋଣଦାତାଙ୍କ ଚାପରେ ଭାଙ୍ଗି ନ ପଡ଼ିବାକୁ ଅନୁରୋଧ କରିଥିଲେ । ତଥାପି, ଡୁଗାଲା ମାଲ୍ଲାପ୍ପା ଆତ୍ମହତ୍ୟା କରିଥିଲେ । କର୍ଣ୍ଣାଟକର ବେଲାରିରେ ଥିବା ନିଜ ମାଆଙ୍କ ଘରକୁ ଫେରି ଯିବେନାହିଁ ବୋଲି ପାର୍ବତୀ ସ୍ଥିର କରିଥିଲେ । ତାଙ୍କର ତିନି ଝିଅ ବିନ୍ଦୁ, ବିଦି ଏବଂ ଦିବ୍ୟାଙ୍କୁ ପାଠ ପଢ଼ାଇବା ଲାଗି ସେ ଗାଁରେ ରହିଲେ। ଏବେ ସେମାନେ ଚାରି, ସାତ ଏବଂ ନଅ ବର୍ଷ ବୟସର। ୧୦ମ ଶ୍ରେଣୀ ପାସ୍‌ କରିଥିବା ପାର୍ବତୀ ତାଙ୍କ ଗାଁର ସବୁଠାରୁ ଶିକ୍ଷିତା ମହିଳାଙ୍କ ମଧ୍ୟରୁ ଜଣେ ।

PHOTO • P. Sainath

ପାର୍ବତୀ ମାଲ୍ଲାପ୍ପା ନିଜେ ସିଲେଇ ଶିଖିଲେ ଏବଂ ତାଙ୍କ ତିନି ଝିଅଙ୍କୁ ଶିକ୍ଷିତା କରାଇବାକୁ ସେ ସଂକଳ୍ପବଦ୍ଧ

ସେମାନଙ୍କର ୧୨ ଏକର ଜମିକୁ ସେ ଅତି କମ୍‌ ଦାମରେ ଲିଜ୍‌ରେ ଦେଇଦେଲେ ଏବଂ ନିଜେ ସିଲେଇ ଶିଖିଲେ । ସେ କହନ୍ତି, “ପିଲାବେଳେ ମୁଁ କିଛିଟା ସିଲେଇ କାମ କରିଥିଲି । ମତେ ଲାଗିଲା, ଏହାକୁ ମୁଁ କାମରେ ଲଗାଇ ପାରିବି ।” ଆଉ ସେ କାମରେ ଲଗାଇଲେ । ତାଙ୍କୁ ମାଲ୍ଲାପ୍ପାଙ୍କ ଋଣ ବି ଶୁଝିବାର ଥିଲା ଏବଂ ପ୍ରାୟତଃ ଗୋତି ଖଟିଲା ଭଳି କାମ କରିବାକୁ ପଡୁଥିଲା । କ୍ଷତିପୂରଣ ବାବଦ କିଛି ଟଙ୍କା ଏବଂ ଗୃହପାଳିତ ପଶୁ ଓ ଅନ୍ୟ ସଂପତ୍ତି ବିକି ମିଳିଥିବା ଟଙ୍କା ଲଗାଇ ତାହା ବି ସେ କଲେ । ଏକା ଏକା ଏସବୁ କରିବା ସମୟରେ ତିନିଟି ଛୋଟ ଝିଅଙ୍କର ସୁରକ୍ଷା ଓ ଭବିଷ୍ୟତକୁ ସେ ଦୃଷ୍ଟିରେ ରଖିଥିଲେ । ବଡ଼ଝିଅ ଦୁହେଁ ସ୍କୁଲରେ ଭଲ ପଢୁଛନ୍ତି । ନିକଟରେ ଏକ ବିଜ୍ଞାନ ପରୀକ୍ଷାରେ ଜଣେ ଝିଅ ୫୦ରୁ ୪୯ ନମ୍ବର ରଖିଛି । ଏବଂ ପାର୍ବତୀଙ୍କ ଲକ୍ଷ୍ୟ, ଯେ ସେମାନେ ‘ଯେତେ ଉପର ପର୍ଯ୍ୟନ୍ତ ଯିବାକୁ ଚାହିଁବେ’ ସେତେ ଯାଏ ସେମାନଙ୍କୁ ପଢ଼ାଇବେ ।

ସିଲେଇ କାମ କାହିଁକି ? ସେ ତାଙ୍କ ଗାଁକୁ ଅନୁଧ୍ୟାନ କରି ଦେଖିଲେ ଏବଂ ଏହା କରିବେ ବୋଲି ସ୍ଥିର କଲେ । “ଆମର ଏଠି ପ୍ରାୟ ୮୦୦ ପରିବାର ଅଛନ୍ତି । ପ୍ରାୟ ସମସ୍ତଙ୍କ ଘରେ ଝିଅଟିଏ ଅଛି । ଯଦିଚ ଏକଥା ସତ ଯେ ମିଳୁଥିବା ସିଲେଇ କାମରୁ ମୋତେ ଖୁବ୍‌ କମ ପଇସା ମିଳେ, ଏକଥା ବି ସତ ଯେ ଏଠାରେ ସିଲେଇ ଶିଖାଇବାର ସୁଯୋଗ ରହିଛି । ମୋଟ ପରିବାରର ୧୦ ପ୍ରତିଶତ ଯଦି ସେମାନଙ୍କ ଝିଅ ସିଲେଇ ଶିଖୁ ବୋଲି ଚାହାଁନ୍ତି, ମୋର ଏତେ ଛାତ୍ରୀ ହେବେ ଯେ ସମ୍ଭାଳି ପାରିବିନି ।” ଏବଂ ତେଣୁ, ସ୍ୱଳ୍ପ ସହାୟତା ବଳରେ, ସେ ଆଉ ଦୁଇଟି ସିଲେଇ ମେସିନ୍‌ ଯୋଗାଡ଼ କରିଛନ୍ତି ଏବଂ ତାଙ୍କ ‘ସ୍କୁଲ୍‌’ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇ ଅଛନ୍ତି । ସେ କହନ୍ତି, “ଏ ଝିଅମାନେ ସ୍କୁଲରେ ଥିବା ବେଳେ ହିଁ ମୁଁ ବେଶୀ କାମ କରିପାରିବି । ଯେମିତି ସେମାନେ ଘରକୁ ଫେରନ୍ତି କୋଳାହଳ ଆରମ୍ଭ ହୋଇଯାଏ ।”

“ତାଙ୍କ ସାହସ ଅତି ଆଶ୍ଚର୍ଯ୍ୟଜନକ,” ଏହା କହନ୍ତି, ଅନନ୍ତପୁରର ଗ୍ରାମ୍ୟ ଉନ୍ନୟନ ଟ୍ରଷ୍ଟ୍‌ ପରିଚାଳିତ ପରିବେଶ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମାଲ୍ଲା ରେଡ୍ଡି । ତାଙ୍କର ଏହି ସଂସ୍ଥା ବାଳିକାମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରେ । “ତିନିଟି ଛୋଟ ଛୋଟ ଝିଅଙ୍କ ସହ ଏକାକୀ ରହିବା ଏବଂ ଏତେ ସମସ୍ୟାର ମୁକାବିଲା କରିବା ସହଜ ନୁହେଁ । କିନ୍ତୁ ସେ ଏହା କରିପାରିଛନ୍ତି । ତାଙ୍କ କାମ ବିଷୟରେ ତାଙ୍କର ସ୍ପଷ୍ଟ ଧାରଣା ରହିଛି । ଏବଂ ପିଲାମାନଙ୍କ ଭିତରେ ହିଁ ସେ ନିଜ ଭବିଷ୍ୟତ ଦେଖନ୍ତି । ସେମାନେ ହିଁ ତାଙ୍କର ପ୍ରେରଣା ।”

ଏହି ଜିଲ୍ଲାରେ ଅଛନ୍ତି ଶହ ଶହ ପାର୍ବତୀ ଏବଂ କ୍ରିଷ୍ଣାମ୍ମା । ଯେଉଁମାନଙ୍କ ଆଗରେ ବାଧାବିଘ୍ନ ପାହାଡ଼ ଭଳି ଉଭା ହୋଇଛି । ଅନେକ ମହିଳା ଋଣ ଶୁଝିବା ପାଇଁ ଜମି ଓ ଗୃହପାଳିତ ପଶୁ ବିକି ଦେଇଛନ୍ତି । ତଥାପି, ଏ ପର୍ଯ୍ୟନ୍ତ ଋଣଭାର ତଳୁ ମୁକୁଳି ନାହାନ୍ତି। ଅନେକଙ୍କ ପିଲା ଅଧାରୁ ସ୍କୁଲ ଛାଡ଼ିଛନ୍ତି । ଅନେକ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ପାଇଥିଲେ ସେମାନଙ୍କୁ ଯାହା ମିଳିଥାଆନ୍ତା, ତା ତୁଳନାରେ କମ୍‌ ମଜୁରି ମିଳୁଛି । କୃଷି କ୍ଷେତ୍ରରେ ସଂକଟ ପ୍ରପୀଡ଼ିତ ଅନ୍ୟାନ୍ୟ ଅଞ୍ଚଳର ପରିବାର ଭଳି ଏହି ଆତ୍ମହତ୍ୟା ପ୍ରପୀଡ଼ିତ ପରିବାର ସମୂହ ମଧ୍ୟ କ୍ଷୁଧା ଓ କଠିନ ପରିସ୍ଥିତିକୁ ଅଙ୍ଗେ ନିଭାଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଦ୍ୱିତୀୟ ଥର ପାଇଁ ବି ଆତ୍ମହତ୍ୟା ଦେଖିଛନ୍ତି । ଯେଉଁ ଅଭାବ କାରଣରୁ ପରିବାରର ଜଣେ ଆତ୍ମହତ୍ୟା କରିଥିଲେ ସେଇ କାରଣରୁ ଆଉ ଜଣେ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ଭଳି ସାରା ଦେଶର ୧୦୦,୦୦୦ରୁ ଅଧିକ ମହିଳା ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି । ଯାହା ଫଳରେ ହୁଏତ ପରବର୍ତ୍ତୀ ପିଢ଼ିର ଅବସ୍ଥା ସୁଧୁରିବ ବୋଲି ଆଶା ରଖିଛନ୍ତି । ପାର୍ବତୀ ମାଲ୍ଲାପ୍ପାଙ୍କ ଭାଷାରେ: “ଏସବୁ କେବଳ ପିଲାମାନଙ୍କ ପାଇଁ ଆଜ୍ଞା । ଆମ ବେଳ ତ ଗଲାଣି ।”

ଏହି ଲେଖା ର ଏକ ସଂସ୍କରଣ ୨୬ ଜୁନ୍‌, ୨୦୦୭ର ଦି ହିନ୍ଦୁରେ ପ୍ରଥମେ ପ୍ରକାଶିତ ହୋଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE