ମୁମ୍ବାଇ: ସାଧାରଣତଃ ଏଗୁଡ଼ିକୁ ‘ତିଆରି କରିଦେଇ ଭୁଲିଯିବା’ ପ୍ରକଳ୍ପ କୁହାଯାଇଥାଏ। ମହାରାଷ୍ଟ୍ର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୧୪-୧୫ ଅନୁଯାୟୀ, ରାଜ୍ୟର ୪୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭୦,୦୦୦ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ମାତ୍ର ୧୨ ପ୍ରତିଶତ ଉପଯୋଗ ହୋଇପାରୁଛି । ରାଜ୍ୟ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେବା ସମୟରେ ଏହା ଚାଷୀଙ୍କ ପ୍ରତି ଉପହାସ ।

ସାରା ରାଜ୍ୟରେ ଖେଳାଇ ହୋଇ ରହିଥିବା ଏସବୁ ଛୋଟ ବନ୍ଧ, ଜଳଭଣ୍ଡାର ଓ କେନାଲଗୁଡ଼ିକ ଜଳସଙ୍କଟଗ୍ରସ୍ତ ଗ୍ରାମଗୁଡ଼ିକରେ ଜଳଯୋଗାଣ ପାଇଁ ବେଶ ଉପାଦେୟ ହୋଇପାରିଥା’ନ୍ତେ । କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ, ଏପରି ଅନେକ ଯୋଜନା  ସମ୍ପୂର୍ଣ୍ଣ ବିଫଳ ହୋଇଥିବା, ବିଶେଷଜ୍ଞମାନେ କୁହନ୍ତି ।  କେତେକ ଜଳ ଉତ୍ସ ଅବରୋଧ ହୋଇଥିବା ସ୍ଥଳେ ଅନ୍ୟଗୁଡ଼ିକ ଭାଙ୍ଗିରୁଜି ଯାଇଛି କିମ୍ବା ନଷ୍ଟ କରିଦିଆଯାଇଛି ।

ରାଜ୍ୟରେ କ୍ଷେତ୍ରୀୟସ୍ତରରେ ୬୯,୭୮୧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି, ପ୍ରତ୍ୟେକ ପ୍ରକଳ୍ପ ୨୫୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିପାରିବ (ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ୮୦% କ୍ଷମତା ସହ ସମାନ)। ୨୦୧୩ ସୁଦ୍ଧା ଏସବୁ ଜଳସେଚନ ପ୍ରକଳ୍ପର ଜଳସେଚନ କ୍ଷମତା ୧୬.୨୫ ହେକ୍ଟର ଥିଲା। ଏହା ସତ୍ତ୍ୱେ ମାତ୍ର ୨ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ ହୋଇଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ପ୍ରକାଶ ପାଇଛି ।

ଉଦବେଗର ବିଷୟ ହେଉଛି, ଏଥର ପୂର୍ବ ବର୍ଷ ତୁଳନାରେ ଆହୁରି କମ ଜଳସେଚନ ସୁବିଧାର ଉପଯୋଗ ହୋଇପାରିଥିଲା ଯେତେବେଳେ ମାତ୍ର ୩ ହଜାର ପାଖାପାଖି ପ୍ରକଳ୍ପ ରହିଥଲା। ଗତବର୍ଷର ଅର୍ଥନୈତିକ ସର୍ବକ୍ଷେଣ ରିପୋର୍ଟ ଅନୁଯାୟୀ ୨୦୧୨-୧୩ ଆର୍ଥିକ ବର୍ଷରେ ଏହାଠାରୁ ସାମାନ୍ୟ ଅଧିକ ଅର୍ଥାତ ୨.୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ ହୋଇଥିଲା।

ବିଶେଷଜ୍ଞମାନେ କୁହନ୍ତି, ଏସବୁ କ୍ଷୁଦ୍ର ଏବଂ ସ୍ଥାନୀୟ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ କରାନଯିବା ସବୁଠୁ ବଡ଼ ସମସ୍ୟା। “ଏଗୁଡ଼ିକ ନଷ୍ଟ ସମ୍ପତ୍ତି। ଆମେ ଏହାକୁ ‘ତିଆରି କର ଓ ଭୁଲିଯାଅ’ ପ୍ରକଳ୍ପ ବୋଲି କହୁ । ଏଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କୌଣସି ଅର୍ଥବରାଦ କରାଯାଇନଥାଏ କିମ୍ବା କାହାରିକୁ ନିୟୋଜିତ କରାଯାଇନଥାଏ”, ବୋଲି କୁହନ୍ତି ମରାଠାୱାଡ଼ା ବୈଧାନିକ ବିକାଶ ବୋର୍ଡର ବିଶେଷଜ୍ଞ ସଦସ୍ୟ ପ୍ରଦୀପ ପୁରନ୍ଦରେ।

ନିର୍ମାଣ ସରିବା ପରେ, ୧୦୦ ହେକ୍ଟର ଜମିକୁ ଜଳସେଚନ କରିବାର କ୍ଷମତା ଥିବା ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ପରିଷଦ ହାତକୁ ହସ୍ତାନ୍ତର କରାଯାଇଥାଏ। ୧୦୦ରୁ ୨୫୦ ହେକ୍ଟର ଜମିକୁ ଜଳସେଚିତ କରିପାରିବାର କ୍ଷମତା ଥିବା ପ୍ରକଳ୍ପଗୁଡ଼ିକ ରାଜ୍ୟ ଜଳ ସଂରକ୍ଷଣ ବିଭାଗ ଦ୍ୱାରା ପରିଚାଳିତ ହୋଇଥାଏ।

ରାଜ୍ୟର ସନ୍ତୁଳିତ ଆଞ୍ଚଳିକ ବିକାଶ ଉପରେ ଅର୍ଥନୀତିଜ୍ଞ ବିଜୟ କେଲକରଙ୍କ ୨୦୧୩ର ରିପୋର୍ଟ ଅନୁଯାୟୀ, ଏସବୁ ପ୍ରକଳ୍ପ ନିର୍ମାଣ ଲାଗି ୪,୫୮୭ କୋଟି ଟଙ୍କା ବ୍ୟୟ କରାଯାଇଛି। ନିର୍ମାଣ ଜାରି ରହିଥିବା ଏବଂ ଭବିଷ୍ୟତର ପ୍ରକଳ୍ପ ଲାଗି ଆହୁରି ୪,୫୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅନୁମାନ କରାଯାଉଛି।

ପରିଚାଳନା ପାଇଁ ବିଶେଷଜ୍ଞ ଓ କର୍ମଚାରୀଙ୍କ ଅଭାବ କାରଣରୁ ଏସବୁ ପ୍ରକଳ୍ପ ଅଚଳ ହୋଇଯାଉଥିବା ଅଧିକାରୀମାନେ ସ୍ୱୀକାର କରିଥାନ୍ତି।

ଅବହେଳା କାରଣରୁ ପ୍ରକଳ୍ପଗୁଡ଼ିକ ପଙ୍କ କାଦୁଅରେ ପୋତି ହୋଇଯାଏ କିମ୍ବା କେନାଲର ଗେଟ ଭାଙ୍ଗିଯାଇଥାଏ । “କେତେକ କ୍ଷେତ୍ରରେ, କେନାଲର ଗେଟ ଭାଙ୍ଗିଯାଇଥାଏ କିମ୍ବା କେନାଲରୁ ଚାଷ ଜମିକୁ ଯାଇଥିବା ନାଳ ପୋତି ହୋଇଯିବା ଫଳରେ ଜଳସେଚନ ମାର୍ଗ ଅବରୁଦ୍ଧ ହୋଇଯାଇଥାଏ। ସେହିପରି ଉଠା ଜଳସେଚନ ପ୍ରକଳ୍ପର ଇନଟେକ ପଏଣ୍ଟ ପଙ୍କ କିମ୍ବା ଆବର୍ଜନା ଦ୍ୱାରା ପୋତି ହୋଇପଡ଼ିଥାଏ,” ବୋଲି କୁହନ୍ତି ନିକଟରେ ଜଳସେଚନ ଦୁର୍ନୀତିର ତଦନ୍ତ କରିଥିବା ପୂର୍ବତନ କେନ୍ଦ୍ର ଜଳସମ୍ପଦ ସଚିବ ମାଧବ ଚିତାଲେ।

କେବଳ ଓସମାନାବାଦ ଜିଲ୍ଲାରେ, ନଦୀ ଜଳକୁ ଅଟକାଇବା ଲାଗି ଶତାଧିକ ଆନିକଟ ନିର୍ମାଣ କରାଯାଇଥିଲା, ମାତ୍ର ସେଗୁଡ଼ିକ ମଧ୍ୟରୁ ଖୁବ୍ କମ ସଂଖ୍ୟକ କାମରେ ଲାଗୁଛି ବୋଲି ପୁରନ୍ଦରେ କୁହନ୍ତି। “ପ୍ରାୟ ୧୦୦୦ ଆନିକଟ ନିର୍ମାଣ କରାଯାଇଥିଲା। କିନ୍ତୁ ନଦୀ ଜଳ ଅଟକାଇବା ଲାଗି ଲାଗିଥିବା ପ୍ଲେଟଗୁଡ଼ିକ ଭାଙ୍ଗିଯାଇଥିଲା କିମ୍ବା ନଷ୍ଟ ହୋଇଯାଇଥଲା। ଫଳରେ ସେଗୁଡ଼ିକ କୌଣସି କାମରେ ଲାଗିନଥିଲା।”

ରାଜ୍ୟ ସରକାର କୁହନ୍ତି ଯେ ମରୁଡ଼ି ପ୍ରବଣ ଗ୍ରାମଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଏପରି ସମସ୍ୟାକୁ ଜଳଯୁକ୍ତ  ଶିୱର ଯୋଜନା ମାଧ୍ୟମରେ ସମାଧାନ କରାଯିବ। “ବର୍ତ୍ତମାନ ସୁଦ୍ଧା ଆମେ ଜଳସେଚନ ପ୍ରକଳ୍ପ ନିର୍ମାଣ ଲାଗି ଗୁରୁତ୍ୱାରୋପ କରୁଥିଲୁ କିନ୍ତୁ ଏହି ଯୋଜନା ଅଧୀନରେ ଜଳ ସଂରକ୍ଷଣ ପ୍ରତି ପ୍ରାଥମିକତା ଦିଆଯିବ”, ବୋଲି କୁହନ୍ତି ଜଳସେଚନ ମନ୍ତ୍ରୀ ପଙ୍କଜା ମୁଣ୍ଡେ ।

ଯଦି ଏହି କ୍ଷେତ୍ରୀୟ ସ୍ତରର ଜଳସେଚନ ପ୍ରକଳ୍ପଗୁଡ଼ିକୁ ସଚଳ କରାଯାଇପାରିଲେ, ମରୁଡ଼ି ଜନିତ ସ୍ଥାନାନ୍ତରକୁ ରୋକାଯାଇପାରିବ ବୋଲି ଚିତାଳେ କୁହନ୍ତି। “ଏଗୁଡ଼ିକ ଗ୍ରାମୀଣ ସ୍ଥିରତା ମେରୁଦଣ୍ଡ ହୋଇପାରିବ। କେବଳ ଅର୍ଥକରୀ ଫସଲ ନୁହେଁ, ଋତୁକାଳୀନ ଫସଲ ଏବଂ ପାନୀୟ ଜଳ ଯୋଗାଣ ପାଇଁ ମଧ୍ୟ ଏଗୁଡ଼ିକ ଉପଯୋଗୀ ହୋଇପାରିବ”, ବୋଲି ସେ କୁହନ୍ତି।

ରିପୋର୍ଟ ୧୨ : ଏହି ଖବରର ମୂଳ ସଂସ୍କରଣ ୧୭ ଏପ୍ରିଲ ୨୦୧୫ରେ ଦ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ପାଇଥିଲା।

ଏହି ଶୃଙ୍ଖଳାରେ ଅଧିକ :

ରିପୋର୍ଟ ୧ : ପାଖାପାଖି ୮୦୦୦୦ ବାସହୀନ ବୃଦ୍ଧ ଭୋକିଲା

ରିପୋର୍ଟ ୨ : ମହାରାଷ୍ଟ୍ରରେ ମରୁଡ଼ି ଦ୍ୱାରା ୯୦ ଲକ୍ଷ କୃଷକ ପ୍ରଭାବିତ

ରିପୋର୍ଟ ୩ : ମରୁଡ଼ି ଯୋଗୁଁ ଖରିଫ ଫସଲ ପ୍ରଭାବିତ ଡାଲି ଫସଲରେ ବ୍ୟାପକ କ୍ଷତି

ରିପୋର୍ଟ ୪ : ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଘଟଣା ୪୦ ପ୍ରତିଶତ ବୃଦ୍ଧି

ରିପୋର୍ଟ ୫ : କୃଷି କଷ୍ଟ : ଯେଉଁଠି ଗୋଟିଏ ପାତ୍ର ଭରିବା ଲାଗି ଗ୍ରାମବାସୀଙ୍କୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ

ରିପୋର୍ଟ ୬ : ମରୁଡ଼ି ଜନିତ ସ୍ଥାନାନ୍ତର ଯୋଗୁଁ ବୟସ୍କ ପାଲଟୁଛନ୍ତି କୃଷି ଶ୍ରମିକ

ରିପୋର୍ଟ ୭ : ମରୁଡ଼ି ପୀଡ଼ିତ ମରାଠାୱାଡ଼ାରେ ୪୮ଟି ନଳକୂପ ଥିବା ଚାଷ

ରିପୋର୍ଟ ୮ : ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ମହାରାଷ୍ଟ୍ରର ମରୁଡ଼ି ପୀଡ଼ିତ ଚାଷୀ ସହାୟତାରୁ ବଞ୍ଚିତ।

ରିପୋର୍ଟ ୯ : ଚାଷୀ ବୀମା ସପକ୍ଷରେ ମହାରାଷ୍ଟ୍ର ସରକାରଙ୍କ ଯୁକ୍ତି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଉଲ୍ଲେଖ କଲେ ବିରୋଧୀ

ରିପୋର୍ଟ ୧୦ : ଅଧ୍ୟୟନ: କୃଷକଙ୍କୁ ମିଳୁନି, ଋଣ ଶୋଷି ନେଉଛନ୍ତି କୃଷି କର୍ପୋରେଟ

ରିପୋର୍ଟ ୧୧ : ଚାଷୀଙ୍କୁ ମିଳୁଥିବା ୨୫ ହଜାର ଟଙ୍କାର ପ୍ରତ୍ୟକ୍ଷ ଋଣ ହାର ୨୩%ରୁ ୪.୩%କୁ ହ୍ରାସ

ରିପୋର୍ଟ ୧୩ : ଅଦିନିଆ ବର୍ଷା: ମାତ୍ର ତିନି ମାସ ମଧ୍ୟରେ ମହାରାଷ୍ଟ୍ରରେ ୬୦୧ ଚାଷୀଙ୍କ ଆତ୍ମହତ୍ୟା

ରିପୋର୍ଟ ୧୪ : ‘ଅଦିନିଆ ବର୍ଷା କାରଣରୁ ମହାରାଷ୍ଟ୍ରରେ ମାତ୍ର ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି’

ରିପୋର୍ଟ ୧୫ : କମ୍ ଚାଷୀ ମୃତ୍ୟୁ ହାର ସପକ୍ଷରେ ରାଜ୍ୟ ସରକାରଙ୍କ ଯୁକ୍ତି: ଆତ୍ମହତ୍ୟା କରିଥିବା ମାତ୍ର ୩ ଜଣ ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି

ରିପୋର୍ଟ ୧୬ : ଗୋମାଂସ ନିଷେଧ, କିନ୍ତୁ ଗୋଟିଏ ହେଲେ ସରକାରୀ ଗୋଶାଳା ଦେଖାଯାଉନାହିଁ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.