ଦଶରଥ ସିଂହ ଚଳିତ ବର୍ଷ ଆରମ୍ଭରୁ ଗୋଟିଏ ରାସନକାର୍ଡ ପାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଉମରିଆ ଜିଲ୍ଲାର ସ୍ଥାନୀୟ ଅଧିକାରୀମାନେ ତାଙ୍କୁ କହି ଆସୁଛନ୍ତି ଯେ ତାଙ୍କର ଆବେଦନ ଏପର୍ଯ୍ୟନ୍ତ ପଡ଼ି ରହିଛି ।

ସେ ଅଭିଯୋଗ କରନ୍ତି, ‘‘ସେମାନଙ୍କର ପରାମର୍ଶ ହେଉଛି ଯଦି ମୁଁ ଟ, ୧,୫୦୦ ଦେବି ତା’ହେଲେ ମୋ ଫର୍ମ ଗ୍ରହଣ କରାଯିବ । କିନ୍ତୁ ମୁଁ ଦେଇନାହିଁ…’’

ଦଶରଥ  ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାର ବନ୍ଧୋଗଡ଼ ତହସିଲର କାଟାରିୟା ଗ୍ରାମରେ ବାସ କରନ୍ତି । ସେ ତାଙ୍କ ଜମିରେ କାମ କରନ୍ତି ଏବଂ ପ୍ରତିମାସ କେଇଦିନ ପାଇଁ ନିକଟସ୍ଥ ଏମ୍‌ଜିଏନ୍‌ଆର୍‌ଇଜିଏ ସ୍ଥଳରେ ଟ. ୧୦୦ ଦୈନିକ ମଜୁରୀରେ କାମ କରନ୍ତି । ସେ ଅଧିକାଂଶ ସମୟରେ ସ୍ଥାନୀୟ ଘରୋଇ ସାହୁକାରମାନଙ୍କଠାରୁ ଛୋଟ ଋଣ ଉପରେ ନିର୍ଭର କରନ୍ତି- ଥରେ ଲକ୍‌ଡାଉନ୍‌ ସମରେ ସେ ଟ. ୧୫୦୦ ଧାର୍‌ କରିଥିଲେ ।

ଦାରିଦ୍ର୍ୟରେଖା ତଳେ ଥିବା ପରିବାର ପାଇଁ ସାଧାରଣ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ, ଯାହାକି  ଲକ୍‌ଡାଉନ୍‌ ସମୟରେ ଆହୁରି ଅଧିକ ଉପଯୋଗୀ ହୋଇଥାଆନ୍ତା । ରାସନ କାର୍ଡ ବିନା- ଦଶରଥଙ୍କ ପରିବାର ବଜାରରୁ ଖାଦ୍ୟ ଶସ୍ୟ କିଣିବାକୁ ବାଧ୍ୟ ହେଉଛନ୍ତି। ଦଶରଥଙ୍କ ପତ୍ନୀ, ୨୫ବର୍ଷ ବୟସ୍କା ସରିତା ସିଂହ କୁହନ୍ତି, ‘‘ଚାଷ ଆମକୁ କିଛି ପରିମାଣରେ ବଞ୍ଚିବାରେ ସାହାଯ୍ୟ କରୁଛି । ତାଙ୍କ ପରିବାରର ୨.୫ ଏକରରୁ କମ୍‌ ଜମି ଅଛି । ଯେଉଁଥିରେ ସେମାନେ ମୁଖ୍ୟତଃ ଗହମ ଓ ମକା ସହିତ କୋଡୋ ଏବଂ କୁଟକି ବାଜରା ଚାଷ କରନ୍ତି  ।

ଏ ମଧ୍ୟରେ ୪୦ବର୍ଷ ବୟସ୍କ ଦଶରଥ ଗୋଟିଏ ରାସନ କାର୍ଡ଼ ପାଇବା ପାଇଁ ତାଙ୍କ ଭାଗ୍ୟ ପରୀକ୍ଷା କରିବା ଜାରି ରଖିଛନ୍ତି । ‘‘ସେ କୁହନ୍ତି, ‘‘ଚଳିତବର୍ଷ ଜାନୁଆରୀ ୨୬ ତାରିଖ [କାଟାରିଆରେ] ଗ୍ରାମସଭାରେ ମୋତେ କୁହାଗଲା ଯେ ଏହି କାର୍ଡ ପାଇଁ ଗୋଟିଏ ଫର୍ମ ଅଛି ଏବଂ ମୋତେ ଏହା ଭରିବାକୁ ହେବ ।’’

ସରପଞ୍ଚ କହିଲେ, ସେ ସେମାନଙ୍କ ଗାଁଠାରୁ ପ୍ରାୟ ୭୦ କିଲୋମିଟର ଦୂର ମାନପୁର ସହରରେ ଥିବା ଲୋକ ସେବା କେନ୍ଦ୍ରକୁ ଯିବା ଉଚିତ୍‌ । ବସ୍‌ରେ ସେଠାକୁ ଥରେ ଯିବା ପାଇଁ ଟ. ୩୦ ଦରକାର ହୋଇଥାଏ । ଦଶରଥ ସେଠାକୁ ଫେବୃଆରୀ ଏବଂ ମାର୍ଚ୍ଚରେ ଦୁଇଥର ଯାଇସାରିଲେଣି – ସମୁଦାୟ ଚାରୋଟି ବସ୍‌ଯାତ୍ରା ଏବଂ ଟିକେଟ । ମାର୍ଚ୍ଚ ୨୩ରେ (ମଧ୍ୟପ୍ରଦେଶରେ) ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବରୁ ସେ ମଧ୍ୟ ବନ୍ଧଗଡ଼ ସହରରେ ଥିବା ତହସିଲସ୍ତରୀୟ କାର୍ଯ୍ୟାଳୟକୁ ଯାଇଥିଲେ, ଯାହାକି ତାଙ୍କ ଗାଁଠାରୁ ପ୍ରାୟ ୩୦ କିଲୋମିଟର ଦୂର । ସେଠାରେ ତାଙ୍କୁ ଏକ ଭିନ୍ନ ଆଇଡି ଆଣିବାକୁ କୁହାଗଲା ଏବଂ ଏହି କାରଣରୁ ଫର୍ମ ପ୍ରକ୍ରିୟା ହୋଇପାରିଲା ନାହିଁ ।

ସେହି ଭିନ୍ନ ଆଇଡି ପାଇଁ, ମାନପୁର କେନ୍ଦ୍ରରେ ଥିବା ଅଧିକାରୀମାନେ ଦଶରଥଙ୍କୁ କାର୍କେଲିରେ ଥିବା ବ୍ଲକ୍‌ସ୍ତରୀୟ ଅଫିସ୍‌କୁ ଯିବାକୁ କହିଲେ, ଯାହାକି ୪୦ କିଲୋମିଟର ଦୂର । ‘‘ସେମାନେ କହିଲେ ଯେ, ତାଙ୍କ ନାମରେ ଆଉ ଏକ ଭିନ୍ନ ଆଇଡି କାର୍ଡ ଆବଶ୍ୟକ । ମୋ କାର୍ଡ ମୋ ଭାଇମାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ଯୁଗ୍ମ ଭାବରେ ଥିଲା । ତେଣୁ ମୁଁ କାର୍କେଲିକୁ ଗଲି ଏବଂ ଏକ ଭିନ୍ନ ଆଇଡି ଆଣିଲି ।’’ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଦଶରଥ ଏହା କହିଥିଲେ ।

Dashrath Singh has been trying to get a family ration card since January, for himself, his wife Sarita and their daughter Narmada
PHOTO • Sampat Namdev
Dashrath Singh has been trying to get a family ration card since January, for himself, his wife Sarita and their daughter Narmada
PHOTO • Sampat Namdev

ଦଶରଥ ସିଂହ ଜାନୁଆରୀ ମାସରୁ  ନିଜ ପାଇଁ, ପତ୍ନୀ ସରିଥା ଏବଂ ସେମାନଙ୍କର ଝିଅ ନର୍ମଦାଙ୍କ ପାଇଁ ଏକ ପାରିବାରିକ ରାସନ କାର୍ଡ ପାଇବା ପାଇଁ ଚେଷ୍ଟା କରୁଛନ୍ତି

ସେ ଯେଉଁ କାର୍ଡକୁ ସୂଚିତ କରୁଥିଲେ ତାହା ସାଧାରଣତଃ ଭାବରେ ସମଗ୍ର ଆଇଡି ଭାବରେ ଜଣାଶୁଣା (ସମଗ୍ର ସାମାଜିକ ସୁରକ୍ଷା ମିଶନର), ଏହା ମଧ୍ୟପ୍ରଦେଶର ଏକ ନିଜସ୍ୱ ୟୁନିକ୍‌ ଆଇଡେଣ୍ଟିଫିକେସନ ନମ୍ବର ବା ଅନନ୍ୟ ପରିଚୟ ସଂଖ୍ୟା । ୨୦୧୨ ମସିହାରେ ଏହା ଖାଦ୍ୟ ସୁରକ୍ଷା ଅଧିକାର, ଏମ୍‌ଜିଏନ୍‌ଆର୍‌ଇଜିଏ ଦେୟ, ବୃତ୍ତି, ପେନସନ ଏବଂ ଅନ୍ୟାନ୍ୟ ହିତଗୁଡ଼ିକ ଗୋଟିଏ ପରିବାର ଏବଂ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଭାବରେ ପହଞ୍ଚିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଗୋଟିଏ ପରିବାରକୁ ଏକ ଆଠ-ଅଙ୍କ ବିଶିଷ୍ଟ ସମଗ୍ର ଆଇଡି ଏବଂ ଜଣେ ବ୍ୟକ୍ତି ବିଶେଷଙ୍କୁ ଏକ ନଅ-ଅଙ୍କ ବିଶିଷ୍ଟ ଆଇଡି ଆବଣ୍ଟନ କରାଯାଏ ।

ତଥାପି, ଗୋଟିଏ ରାସନ କାର୍ଡ ପାଇବା ପାଇଁ ବାରମ୍ବାର ଯାତ୍ରା ଏବଂ ଦଶରଥଙ୍କ ନିରର୍ଥକ ଉଦ୍ୟମକୁ ମଧ୍ୟପ୍ରଦେଶ ସରକାରଙ୍କ ଲୋକ ସେବା ନିଶ୍ଚିତ ଆଇନ ଦୂର କରିବାକୁ ହେବ । ଏହି ଆଇନ (ଏମ୍‌.ପି. ପବ୍ଲିକ୍‌ ସର୍ଭିସ ଗ୍ୟାରେଣ୍ଟି ଆକ୍ଟ ମଧ୍ୟ କୁହାଯାଏ) ୨୦୧୦ ମସିହାରେ ସରକାରୀ ସେବାଗୁଡ଼ିକୁ ସମ୍ମିଳିତ କରିବା ପାଇଁ ଏବଂ ଆଧାର କାର୍ଡ, ପେନସନ, ରାସନ କାର୍ଡ ଏବଂ ଅନ୍ୟ ଅଧିକାରଗୁଡ଼ିକ ପ୍ରକ୍ରିୟାକରଣ ପାଇଁ ଦଲାଲମାନଙ୍କ ଭୂମିକାକୁ କମ୍‌ କରିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଥିଲା । ଏହା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥାଏ ଏବଂ ଏମ୍‌ପି ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ ପରି ବୈଷୟିକ-ଆଧାରିତ ମାର୍ଗରେ ସ୍ଥିରୀକୃତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ସାମିଲ କରିଛି ।

ଜ୍ଞାନକୌଶଳ ଆଧାରିତ ହେବା ଦଶରଥ ଏବଂ ପ୍ରାୟ ୪୮୦ ବାସିନ୍ଦା ଥିବା କାଟାରିଆ ଗ୍ରାମର ଅନ୍ୟମାନଙ୍କୁ ସାହାଯ୍ୟ କରିନଥିଲା, ଯେଉଁମାନେ କି ଏ ପର୍ଯ୍ୟନ୍ତ ଫର୍ମ ଏବଂ କାର୍ଯ୍ୟାଳୟର ଗୋଲକ ଧନ୍ଦାରେ ହଳ ବୁଲାଉଛନ୍ତି । ଦଶରଥ କୁହନ୍ତି, ‘‘ଆମ ଗାଁରେ ମାତ୍ର ଗୋଟିଏ କିରାନା ଦୋକାନ ଅଛି ଯେଉଁଠାରେ ମାଲିକ ଇଣ୍ଟରନେଟ୍‌ ପାଇଁ ଅର୍ଥ ଦାବି କରନ୍ତି ଏବଂ ଆମେ ତାହା ଉପରେ ଅଧିକ ନିର୍ଭର କରୁନାହିଁ । ମୁଁ କାର୍ଯ୍ୟାଳୟକୁ ଯିବା ଏବଂ ଫର୍ମ ଦାଖଲ କରିବାକୁ ପସନ୍ଦ କରେ ।’’ ତେଣୁ ତାଙ୍କ ପାଇଁ ଏବଂ ଆଉ ଅନେକଙ୍କ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଗୁଡ଼ିକ କିମ୍ବା ଲୋକସେବା କେନ୍ଦ୍ରଗୁଡ଼ିକ ଆବେଦନ ପାଇଁ ସ୍ଥାନ ହୋଇ ରହିଛି  ।

ଏବଂ ସମଗ୍ର ଆଇଡି ପାଇଁ ଯଦିଓ ମଧ୍ୟପ୍ରଦେଶ ସରକାର ବିପିଏଲ୍‌ ପରିବାରଗୁଡ଼ିକ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବ୍ୟବସ୍ଥାରେ ହକ୍‌ଦାର ହୋଇଥିବା ପରିବାରଗୁଡ଼ିକ ସମେତ ୨୨ଟି ସାମାଜିକ-ଅର୍ଥନୈତିକ ବର୍ଗକୁ ଚିହ୍ନଟ କରିଛନ୍ତି, ଏହି ଯୋଜନା ଦୁର୍ନୀତି ଦ୍ୱାରା ନଷ୍ଟ ହୋଇଯାଉଛି ବୋଲି ଭୋପାଳସ୍ଥିତ ଖାଦ୍ୟ ଅଧିକାର କର୍ମୀ ଏବଂ ଏକ ପକ୍ଷଧର ଗୋଷ୍ଠୀ ବିକାଶ ସମ୍ବାଦର ନିର୍ଦ୍ଦେଶକ ସଚିନ ଜୈନ ଅଭିଯୋଗ କରନ୍ତି ।

ଆମ ଗାଁରେ ମାତ୍ର ଗୋଟିଏ କିରାନା ଦୋକାନ ଅଛି, ଯେଉଁଠାରେ ମାଲିକ ଇଣ୍ଟରନେଟ୍‌ ପାଇଁ ପଇସା ନିଅନ୍ତି ଏବଂ ଆମେ କାହା ଉପରେ ଅଧିକ ନିର୍ଭର କରୁନୁ… ମୋ ଅଫିସ୍‌କୁ ଯିବାକୁ ଏବଂ ଫର୍ମ ଦାଖଲ କରିବାକୁ ପସନ୍ଦ କରେ’

ଭିଡିଓ ଦେଖନ୍ତୁ: ମଧ୍ୟପ୍ରଦେଶରେ ଏକ ଗୋଲଖଧନ୍ଦା ଭିତରେ – ଏକ ରାସନ କାର୍ଡ ପାଇବା ପାଇଁ ଦଶରଥ ସିଂହଙ୍କର ଦୀର୍ଘ ଯାତ୍ରା

ଏହାବ୍ୟତୀତ ଜୈନ କୁହନ୍ତି, ଅନେକେ ଯେଉଁମାନେ ଯୋଗ୍ୟ ନଥିଲେ ସେମାନେ ମଧ୍ୟ ସୁବିଧା ପାଇବା ପାଇଁ ଧାଡ଼ିରେ ଯୋଗ ଦେଇଥିଲେ । ଜୈନ କୁହନ୍ତି, ‘‘ଜଣେ ବ୍ୟକ୍ତି ଗୋଟିଏ ସମୟରେ ଦୁଇଟି ଶ୍ରେଣୀରେ ରହିପାରିବେ, ଯେମିତିକି ଜଣେ ଅନୁସୂଚିତ ଜାତି, ଏଥିସହିତ ଜଣେ ଭୂମିହୀନ ଶ୍ରମିକ । ତେଣୁ ସମଗ୍ର କର୍ତ୍ତୃପକ୍ଷ ବାର୍ଷିକ ଅଦୈତନ ଗତିବିଧିର ଅଂଶ ଭାବରେ ପୁନଃ-ନକଲି କରଣରେ ସମ୍ପୃକ୍ତ ହୋଇଆସୁଛନ୍ତି ।’’ ଯେଉଁଠାରେ ପରିବାରଗୁଡ଼ିକ ଭିନ୍ନ ଭିନ୍ନ ଆଇଡି ପାଇବାକୁ ପରାମର୍ଶ ଦିଆଯାଉଛି ।

ଯେହେତୁ ପରିବର୍ଦ୍ଧିତ ପରିବାରର ୨୦୧୨ରେ ଆବଣ୍ଟିତ ହୋଇଥିବା ଏକ ସାମୁହିକ ସମଗ୍ର ଆଇଡି ରହିଥିଲା ତେଣୁ କାର୍କେଲିରେ ବ୍ଲକ୍‌ସ୍ତରୀୟ କାର୍ଯ୍ୟାଳୟରେ ତାଙ୍କୁ ପ୍ରଥମେ ତାଙ୍କ ନିଜ ପରିବାର ପାଇଁ ଲୋକସେବା କେନ୍ଦ୍ରରୁ ଏକ ଭିନ୍ନ ଅନନ୍ୟ ପରିଚୟ ସଂଖ୍ୟା ଆଣିବା ପାଇଁ କୁହାଯାଇଥିଲା । ଫେବୃଆରୀ ୨୦୨୦ରେ, ଏହା କରାଯିବାର ଗୋଟିଏ ସପ୍ତାହ ପରେ ଉମରିଆରେ ଥିବା ଜିଲ୍ଲାସ୍ତରୀୟ ଲୋକସେବା କେନ୍ଦ୍ରରେ ଦଶରଥଙ୍କୁ ତାଙ୍କ ରାସନ କାର୍ଡ ପାଇବା ପାଇଁ ଟ. ୧୫୦୦ ଟଙ୍କା ଲାଞ୍ଚ ଦେବା ପାଇଁ କୁହାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । (ଏହି ସମ୍ବାଦଦାତା ଏସବୁ ଅଭିଯୋଗ ସତ୍ୟାପନ କରିପାରିନଥିଲେ । ଉମରିଆ ଜିଲ୍ଲା ଲୋକସେବା କେନ୍ଦ୍ରର ଲ୍ୟାଣ୍ଡଲାଇନ୍‌ରେ କୌଣସି ପ୍ରତିକ୍ରିୟା ମିଳିନଥିଲା ଏବଂ କାର୍ଯ୍ୟାଳୟକୁ ପଠାଯାଇଥିବା ଇ-ମେଲ୍‌ର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।)

ଦଶରଥ ଏହି ସମ୍ବାଦଦାତାଙ୍କୁ ମେ ମାସରେ କହିଥିଲେ, ‘‘ମୁଁ ଅର୍ଥ ଦେଇପାରିଲି  ନାହିଁ କିମ୍ବା ସେହି ଅର୍ଥ ପରେ ଦାଖଲ କରିପାରିଲି ନାହିଁ’’। ସେ ବ୍ୟସ୍ତ ହେଉଥିଲେ ଯେ ଲକ୍‌ଡାଉନ୍‌ ସମୟରେ କୌଣସି ମନରେଗା କାର୍ଯ୍ୟ ଉପଲବ୍ଧ ହେଉନଥିବାରୁ ସେ ପରବର୍ତ୍ତୀ କେଇମାସ କେମିତି ଚଳେଇବେ ।

ଦଶରଥ ଏବଂ ସରିତାଙ୍କର ଏକ ଦୁଇବର୍ଷର ଝିଅ ନର୍ମଦା ଅଛି ଏବଂ ଦଶରଥଙ୍କର ୬୦ ବର୍ଷ ବୟସ୍କା ମାଆ ରାମବାଈ ମଧ୍ୟ ସେମାନଙ୍କ ସହ ରୁହନ୍ତି । ସରିତା କୁହନ୍ତି, ‘ମୁଁ ସିଲେଇକାମ କରେ ଯାହା ମୋତେ ମାସକୁ ଟ. ୧,୦୦୦ ରୋଜଗାର ଦେଇଥାଏ କିନ୍ତୁ ତାହା ମଧ୍ୟ ଋତୁ ଉପରେ ନିର୍ଭର କରେ- ଯେତେବେଳେ ଗାଁ ନିକଟରେ ବିବାହ ହେଉଥାଏ ।’’ ସେ ମଧ୍ୟ ଯେତେବେଳେ କାମ ଉପଲବ୍ଧ ହୁଏ, ମନରେଗା ସ୍ଥଳରେ କାମ କରନ୍ତି । ଏହା ମାସରେ ଅଳ୍ପ କେଇଦିନ ଦିନକୁ ଟ. ୧୦୦ ମଜୁରୀରେ । ସେ କୁହନ୍ତି, ‘‘ଆମ ଜମିରେ ଯାହା ହୁଏ ତାହା କେବଳ ଆମ ଖାଇବା ପାଇଁ ଯଥେଷ୍ଟ ହୋଇଥାଏ । ତେଣୁ ଆମେ ସାଧାରଣତଃ ବଜାରରେ ବିକ୍ରି କରୁନାହିଁ ।’’

Dashrath's 2.5 acres of land yields just enough produce to feed his family
PHOTO • Sampat Namdev

ଦଶରଥଙ୍କର ୨.୫ ଏକର ଜମି କେବଳ ସେମାନଙ୍କ ପରିବାର ଖାଇବା ପାଇଁ ଯଥେଷ୍ଟ ହେଉଥିବା ପରିମାଣର ଅମଳ ଦେଇଥାଏ

ଉମରିୟାରେ କୃଷି ଅମଳ ଅଧିକ ନୁହେଁ । ୨୦୧୩ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରିପୋର୍ଟ ଅନୁଯାୟୀ ଉମରିଆ ଜିଲ୍ଲା ‘‘ବିଭିନ୍ନ ପ୍ରକାର ପଥର ଯେମିତିକି ବାସାଲ୍ଟ, ଅବକ୍ଷୟ ହୋଇଥିବା ବାଲୁକା ଏବଂ ଗ୍ରାନାଇଟ୍‌ ଅଞ୍ଚଳ ଦ୍ୱାରା ଭରପୂର ।’’ ଏହା ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି ନିମନ୍ତେ ଉପଯୁକ୍ତ ବୋଲି ହିସାବ କରାଯାଇଥିବା ରାଜ୍ୟର ୨୪ଟି ଜିଲ୍ଲା ମଧ୍ୟରେ ରହିଛି । ନିମ୍ନ କୃଷି ଉତ୍ପାଦ, ଖରାପ ଭିତ୍ତିଭୂମି ଏବଂ ଉଚ୍ଚ ଏସ୍‌ସି-ଏସ୍‌ଟି ଜନଂସଖ୍ୟା ଏବଂ ଏକ ଉଚ୍ଚ ବିପିଏଲ୍‌ ଜନସଂଖ୍ୟା ଉମେରିୟାକୁ ଭାରତର ୨୫୦ରୁ ଅଧିକ ଜିଲ୍ଲା ମଧ୍ୟରେ ସ୍ଥାନିତ କରିଛି ଯେଉଁଗୁଡ଼ିକ ୨୦୦୭ ମସିହାଠାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କେନ୍ଦ୍ରଠାରୁ ଅତିରିକ୍ତ ପାଣ୍ଠି ପାଇଥାନ୍ତି ।

ତଥାପି, ଉମରିୟାର ଗାଁଗୁଡ଼ିକରେ ଅଧିକ କିଛି ବଦଳିଥିବା ପରି ଦେଖାଯାଉନାହିଁ ।

କାଟାରିଆ ଗ୍ରାମର ଅନ୍ୟ ଜଣେ ବାସିନ୍ଦା ଧ୍ୟାନ ସିଂହଙ୍କ ପାଇଁ ଖାଦ୍ୟ କୁପନରେ କିରାନିଙ୍କର ଏକ ତ୍ରୁଟି ସେ କମ୍‌ ରାସନ ପାଇବାକୁ ସୁନିଶ୍ଚିତ କରିଦେଇଛି । ସମଗ୍ର ଆଇଡି ଆରମ୍ଭ ହେବାର ଏକ ବର୍ଷ ପରେ ମଧ୍ୟପ୍ରଦେଶ ସରକାର ୨୦୧୩ରେ ବିତରଣ ପ୍ରଣାଳୀରେ ତ୍ରୁଟିକୁ ରୋକିବା ପାଇଁ ଆଉ ଏକ ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା ହେଉଛି, ଆଇଡି-ସଂଯୁକ୍ତ ଫୁଡ୍‌ କୁପନ । ଧ୍ୟାନ ସିଂହ କୁହନ୍ତି, ‘‘ମୋର କେବେ ବି ଗୋଟିଏ ରାସନ କାର୍ଡ ନଥିଲା, କାରଣ ମୁଁ ଏ ସମ୍ପର୍କରେ ଆଦୌ ଜାଣିନଥିଲି’’। ସେ ମନେପକାଇ କୁହନ୍ତି ଯେ, ୨୦୧୧ରେ ତାଙ୍କର ନାମ  ‘କର୍ମକାଜ’ ଯୋଜନା (ସ୍ଥାନୀୟ ଭାବରେ ଯେପରି ସୂଚିତ କରାଯାଏ)ରେ ପଞ୍ଜୀକୃତ କରାଇଥିଲେ। ୨୦୧୨ ମେ ୧୦ ତାରିଖରେ ମଧ୍ୟପ୍ରଦେଶର ବୋନ୍‌ ଜନଜାତି ଅନ୍ତର୍ଭୁକ୍ତ ଧ୍ୟାନ ସିଂହ ରାଜ୍ୟ ନେତୃତ୍ୱାଧୀନ ସନିର୍ମାଣ କର୍ମକାର ମଣ୍ଡଳ ଯୋଜନା ଅଧୀନରେ ଏକ କାର୍ଡ ପାଇଲେ ।

ଧ୍ୟାନ ସିଂହଙ୍କ ପରିବାରର ୩ଜଣ ସଦସ୍ୟ କର୍ମକାର କାର୍ଡରେ ସୂଚୀବଦ୍ଧ ହୋଇଥିଲେ -  ତାଙ୍କ ପତ୍ନୀ, ପାଞ୍ଚି ବାଈ, ୩୫ ଏବଂ ତାଙ୍କ ଦୁଇଝିଅ କୁସୁମ,୧୩ ଏବଂ ରାଜକୁମାରୀ ୩ । ଏହିପରିବାରର ୫ ଏକର ଜମି ରହିଛି ଏବଂ ଧ୍ୟାନ ସିଂହ ମଧ୍ୟ ଅନ୍ୟମାନଙ୍କ ଜମିରେ ଶ୍ରମିକ ଭାବରେ କାମ କରନ୍ତି, ଯାହା ତାଙ୍କୁ ଦିନକୁ ଟ. ୧୦୦ରୁ ଟ. ୨୦୦ ପର୍ଯ୍ୟନ୍ତ ଆୟ ଦେଇଥାଏ । ମନରେଗା ଅଧୀନରେ ନିର୍ମାଣ କାର୍ଯ୍ୟ ପରିବାର ପାଇଁ ମାସରେ କେବଳ ୧୦-୧୨ ଦିନ ପାଇଁ ଉପଲବ୍ଧ ।

ଦଶରଥଙ୍କ ପରି ଧ୍ୟାନ ସିଂହଙ୍କର ମଧ୍ୟ କୋଡୁ ଏବଂ କୁଟକି ବାଜରାର ବାର୍ଷିକ ଅମଳ କେବଳ ତାଙ୍କ ପରିବାରର ଖାଦ୍ୟ ପାଇଁ ଯଥେଷ୍ଟ । ଜଣେ କୃଷକ ଏବଂ ଗୃହିଣୀ ହୋଇଥିବା ପାଞ୍ଚି ବାଈ କୁହନ୍ତି, ‘‘ଆମେ ବହୁଦିନ ହେବ ଚେଷ୍ଟା କରୁଛୁ କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ରାସନ କାର୍ଡ ପାଇବା ପାଇଁ ସକ୍ଷମ ହୋଇନାହୁଁ’’ । ଯଦିଓ ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଉଛନ୍ତି ଏହା ଯଥେଷ୍ଟ ନୁହେଁ ବୋଲି ସେ କୁହନ୍ତି ।

A clerical error in the Dhyan Singh's food coupon has ensured he gets less rations
PHOTO • Sampat Namdev

ଧ୍ୟାନ ସିଂହଙ୍କ ଫୁଡ୍‌ କୁପନ୍‌ରେ ଏକ କିରାନିକୃତ ତ୍ରୁଟି ତାଙ୍କ ପାଇଁ କମ୍‌ ରାସନ ପାଇବା ସୁନିଶ୍ଚିତ କରିଦେଇଛି

୨୦୦୩ ରେ ଆରମ୍ଭ ହୋଇଥିବା କର୍ମକାର ଯୋଜନା ଗୋଟିଏ କାର୍ଡ ଦ୍ୱାରା ସମସ୍ତ ଅନୌପଚାରିକ ଶ୍ରମିକଙ୍କୁ ବୃଦ୍ଧାବସ୍ଥା ପେନ୍‌ସନ, ପାରିବାରିକ ପେନସନ ଏବଂ ଛାତ୍ରବୃତ୍ତି ପରି ବିଭିନ୍ନ ସୁବିଧା ବିତରଣ ନିମନ୍ତେ ପରିସରଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସରପଞ୍ଚଙ୍କ ସହିତ ତାଙ୍କ ବାର୍ତ୍ତାଳାପ ମନେପକାଇ ଧ୍ୟାନ ସିଂହ କୁହନ୍ତି, ‘‘କର୍ମକାର କାର୍ଡ ତିଆରି କରିଦିଅ ଏହା ପରେ ତୁମେ କୁପନ ପାଇବ ।’’ ସେ କାର୍ଡ ପାଇଲେ କିନ୍ତୁ ୨୦୧୧ ପରେ ପାଞ୍ଚବର୍ଷ ପାଇଁ ସେ ରାସନ ପାଇଲେ ନାହିଁ, କାରଣ ଫୁଡ୍‌ କୁପନ ତାଙ୍କ ନାମରେ ଜାରି କରାଯାଇନଥିଲା- ସେ ଶେଷରେ ୨୦୧୬ରେ ଏହି କୁପନ ପାଇଲେ ।

ଯେତେବେଳେ ଜୁନ୍‌ ୨୨, ୨୦୧୬ରେ ସେହି କୁପନ ଜାରି ହୋଇଥିଲା ସେତେବେଳେ ଏଥିରେ ପାଞ୍ଚି ବାଈଙ୍କ ନାମ ବାଦ ପଡିଥିଲା । ଏବଂ କେବଳ ଧ୍ୟାନ ସିଂହ ଓ ସେମାନଙ୍କର ଦୁଇ ଝିଅଙ୍କୁ ତାଲିକାଭୁକ୍ତ କରାଯାଇଥିଲା, ସେ ଏହି ତ୍ରୁଟି ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ପତ୍ନୀଙ୍କ ନାମ ଏ ପର୍ଯ୍ୟନ୍ତ ବାଦ୍‌ ପଡିଛି । ଫୁଡ୍‌ କୁପନ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ମାସିକ ୫କିଲୋ ରାସନ- ଚାଉଳ, ଗହମ ଏବଂ ଲୁଣ  ପ୍ରଦାନ କରିଥାଏ। ଧ୍ୟାନ ସିଂହ କୁହନ୍ତି, ‘‘ଏହା ଯଥେଷ୍ଟ ନୁହେଁ, ଆମେ ଦିନରେ ଗୋଟିଏ ଓଳି ଠିକ୍‌ ଭାବରେ ଖାଇପାରୁ, ଆମେ ଏହିପରି ନିଜକୁ ବଞ୍ଚାଇ ରଖିଛୁ ।’’

ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଜୁଲାଇ ୧୬, ୨୦୨୦ରେ ସଂଗୃହିତ ହୋଇଥିବା ସମଗ୍ର ତଥ୍ୟ ଅନୁଯାୟୀ ଉମରିୟା ଜିଲ୍ଲାରେ ରାସନ କାର୍ଡ ପାଇଁ ଗ୍ରହଣ କରାଯାଇଥିବା ସମୁଦାୟ ୩୫୬୪ ଆବେଦନ ମଧ୍ୟରୁ କେବଳ ୬୯ଟି ଆବେଦନ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ କନିଷ୍ଠ ଯୋଗାଣ ଅଧିକାରୀଙ୍କ ଦ୍ୱାରା ରାଜ୍ୟର ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗରେ ଅନୁମୋଦିତ  ହୋଇଛି। ଉମରିୟା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୩୪୯୫ଟି ଆବେଦନ ପ୍ରକ୍ରିୟା ହେବାକୁ ବାକି ରହିଛି । (ଏହି ସମ୍ବାଦଦାତା ସମଗ୍ର ମିଶନର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଏକ ମେଲ୍‌ ପଠାଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପାଇନାହାନ୍ତି ।)

୨୦୨୦ ମାର୍ଚ୍ଚ ୨୬ ତାରିଖରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଯେ କୋଭିଡ୍‌ ୧୯ ଲକ୍‌ ଡାଉନ୍‌ ସମୟରେ ସମସ୍ତ ବିପିଏଲ୍‌ ପରିବାର ଗୋଟିଏ ମାସ ପାଇଁ ମାଗଣା ରାସନ ପାଇବେ । ଯଦିଓ ସ୍ଥାନୀୟ କର୍ମୀମାନେ ଅସ୍ଥାୟୀ ସମାଧାନ ପରିବର୍ତ୍ତେ ଦୀର୍ଘକାଳୀନ ପଦକ୍ଷେପର ଆବଶ୍ୟକତା ସମ୍ପର୍କରେ ସୂଚିତ କରନ୍ତି ।

ଏ ମଧ୍ୟରେ ଦଶରଥ ସିଂହ ତାଙ୍କ ଜମିରେ କାର୍ଯ୍ୟ କରିବାରେ ବ୍ୟସ୍ତ । ସେ କୁହନ୍ତି, ‘‘ ଏବେ ସ୍ଥାନୀୟ ବାବୁ ମାନଙ୍କ ପାଖକୁ ଯାଇ ବୁଝିବା ନିମନ୍ତେ ମୋ ପାଖରେ ସମୟ ନାହିଁ ।’’ ଏହା ବୁଣାବୁଣିର ଋତୁ ଏବଂ ସେ ଏକ ଭଲ ଅମଳ ପାଇଁ ଆଶା କରୁଛନ୍ତି, ଯେପରିକି ତାଙ୍କ ପରିବାର ରାସନ କାର୍ଡର ଅଭାବରେ ମଧ୍ୟ ଚଳିଯାଇପାରିବେ ।

ଗ୍ରାମୀଣ ମଧ୍ୟପ୍ରଦେଶରେ ପୁଷ୍ଟି ଉପରେ ଗୁରୁତ୍ୱ ଦେଉଥିବା ଏନ୍‌ଜିଓ ବିକାଶ ସମ୍ବାଦ ସହ ସମ୍ପୃକ୍ତ କାଟାରିୟା ଗ୍ରାମର ସାମାଜିକ କର୍ମୀ ସମ୍ପତ ନାମଦେବଙ୍କ ଠାରୁ ସୂଚନା ସହିତ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Akanksha Kumar

Akanksha Kumar is a freelance journalist based in Delhi. She is a former full-time digital and TV journalist, and focuses on rural affairs, environment and government schemes.

Other stories by Akanksha Kumar