୫୮ ବର୍ଷ ବୟସ୍କ ରମେଶ ଉକର୍, “୨୮ ନଭେମ୍ବରର ସକାଳେ ଶୀଘ୍ର ଉଠି ପଡ଼ିଲେ । ତାଙ୍କ ମୁଣ୍ଡରେ ଦୁଇଟି ଚିନ୍ତା ଥିଲା । ସେ କହିଲେ,  ମତେ ଭୋଟ୍ ଦେବାକୁ ହେବ ଏବଂ ପରଦିନ ଦିଲ୍ଲୀରେ ପହଞ୍ଚିବାକୁ ହେବ ।”

ଉକର୍ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ପେଟ୍ଲାୱାଡ୍ ତାଲୁକାର ମନସ୍ୟା ଗ୍ରାମରେ ରୁହନ୍ତି । ନିକଟତମ ରେଳଷ୍ଟେସନ ଇନ୍ଦୋରରେ ଅଛି- ପ୍ରାୟ ୧୫୦ କିଲୋମିଟର ଦୂରରେ । ଇନ୍ଦୋରରୁ ଟ୍ରେନ୍‌ରେ ଯାଇ ଦିଲ୍ଲୀରେ ପହଞ୍ଚିବାକୁ ୧୪ଘଣ୍ଟାରୁ ଅଧିକ ସମୟ ଲାଗେ । ନଭେମ୍ବର ୨୯ ତାରିଖରେ ଦିଲ୍ଲୀର ଗୁରୁଦ୍ୱାରା ଶ୍ରୀ ବାଲା ସାହିବଜୀ ପରିସରରେ ଏକ ଯଷ୍ଟି ଧରି ବସିଥିବା ଉକର୍ କହିଥିଲେ, “ମୁଁ ପୂର୍ବ ରାତିରୁ ପୋଷାକ ସଜାଡ଼ି ଦେଇଥିଲି, ସକାଳେ ଟ୍ରେନ୍ ଧରିବା ପାଇଁ ଶୀଘ୍ର ଖାଦ୍ୟ ପ୍ରସ୍ତୁତି କରିଦେବାକୁ ପତ୍ନୀଙ୍କୁ କହିଥିଲି । ମୁଁ ଭୋଟ ଦେବା ପରେ ଅପରାହ୍ନରେ ଘର ଛାଡ଼ିଲି । ବସ୍‌ରେ ସନ୍ଧ୍ୟା ସୁଦ୍ଧା କୌଣସି ମତେ ଇନ୍ଦୋରରେ ପହଞ୍ଚିଲି । ସେଠାରୁ ଏକ ରାତ୍ରୀ ଟ୍ରେନ୍ ଧରିଲି ।”

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୮ ତାରିଖରେ ମତଦାନ ହୋଇଥିଲା ଏବଂ ନଭେମ୍ବର ୨୯ ତାରିଖରେ ୧୫୦-୨୦୦ କୃଷକ ଗୋଷ୍ଠୀ ଓ ସଂଘର ମିଳିତ ଅନୁଷ୍ଠାନ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ କମିଟି ସାରା ଦେଶରୁ ପ୍ରାୟ ୫୦ ହଜାର କୃଷକଙ୍କୁ ରାଜଧାନୀକୁ ଆଣିଥିଲା । ସେମାନେ ୨୧ ଦିନିଆ ଅଧିବେଶନରେ ଦେଶର କୃଷି ବିପର୍ଯ୍ୟୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦାବିରେ ଦୁଇ ଦିନିଆ ପ୍ରତିବାଦ ଶୋଭାଯାତ୍ରାରେ ଭାଗ ନେବା ପାଇଁ ଆସିଥିଲେ । ଏହି ବିପର୍ଯ୍ୟୟ ୧୯୯୫ରୁ ୨୦୧୫ ମଧ୍ୟରେ ସାରା ଭାରତରେ ୩୦୦,୦୦୦ରୁ ଅଧିକ କୃଷକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ।
PHOTO • Shrirang Swarge

ମନସ୍ୟା ଗ୍ରାମର ରମେଶ ଉକର୍ କହିଲେ, ‘ମୋତେ ଭୋଟ ଦେବାକୁ ହେବ ଏବଂ ପରଦିନ ଦିଲ୍ଲୀରେ ପହଞ୍ଚିବାକୁ ହେବ ।

ମଧ୍ୟପ୍ରଦେଶରେ ୨୦୦୮ରୁ ୨୦୧୭ ମଧ୍ୟରେ ୧୧,୦୦୦ରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି ବୋଲି ଜାତୀୟ ଅପରାଧ ପଞ୍ଜିକରଣ ବ୍ୟୁରୋର ତଥ୍ୟରୁ ଜଣାପଡ଼ିଛି । ଗୁରୁଦ୍ୱାରରେ ସାରାଦେଶରୁ ଏକଜୁଟ୍ ହୋଇଥିବା ଚାଷୀମାନଙ୍କୁ ନେତାମାନେ ଉଦ୍‌ବୋଧନ ଦେଉଥିବା ସମୟରେ ଉକର୍ କହିଲେ, ‘ଆମେ ସଂଘର୍ଷ କରୁଛୁ ।’ ଏହି ସମୟରେ ଜଣେ ବକ୍ତା ବିଜୟ ମାଲ୍ୟା ଏବଂ ନିରବ ମୋଦୀଙ୍କ ପରି ଲୋକମାନେ ହଜାର ହଜାର କୋଟି ଟଙ୍କା  ଖାଇବା ପରେ ବିଦେଶକୁ ପଳାୟନ କରୁଥିବା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉକର୍ କହିଲେ, “ସେ ଠିକ୍ କହୁଛନ୍ତି, ନରେନ୍ଦ୍ର ମୋଦୀ ଏବଂ ଶିବରାଜ୍ ଚୌହାନ୍ (ମଧ୍ୟପ୍ରଦେଶର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ) କୃଷକମାନଙ୍କ ପାଇଁ କିଛି କରିନାହାନ୍ତି । ମୁଁ ମୋ ଭୋଟ୍‌ର ମୂଲ୍ୟ ଚାହୁଁଛି । ଧନୀମାନେ ଲାଭ ପାଉଛନ୍ତି ଆଉ ଆମେମାନେ ଗୁଳି ପାଉଛୁ ।”

ନିଜର ଦୁଇ ଏକର ଜମିରେ ମୁଖ୍ୟତଃ ସୋୟାବିନ୍ ଚାଷ କରୁଥିବା ଉକର୍ କହିଥିଲେ, “କ୍ୱିଣ୍ଟାଲ ପିଛା ବିହନ ଦର ୪୦୦୦ ଟଙ୍କା ପଡ଼ୁଛି । ଫସଲ କ୍ୱିଣ୍ଟାଲ ପିଛା ପ୍ରାୟ ୨୦୦୦ ଟଙ୍କାରେ ବିକ୍ରି ହେଉଛି ।” ୨୦୧୭ ମେ’ରେ ମାଣ୍ଡସୋର୍ ବିକ୍ଷୋଭ ବିଷୟରେ ସେ ମନେପକାଇ ଦେଇଥିଲେ, ଯେଉଁଠାରେ ପିଆଜର ଅଧିକ ଦର ଦାବିରେ ବିକ୍ଷୋଭ କରୁଥିବା କୃଷକମାନଙ୍କ ଉପରେ ରାଜ୍ୟ ପୋଲିସ ଗୁଳି ଚଳାଇଥିଲା ଏବଂ ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା । ସେ ପଚାରିଥିଲେ, “ଯଦି ପିଆଜ କିଲୋପିଛା ଏକଟଙ୍କାରେ ବିକ୍ରି ହୁଏ, ତେବେ ଚାଷୀମାନେ କିପରି ନିଜର ଜୀବିକା ଅର୍ଜନ କରିବେ?”

ନଭେମ୍ବର ୨୮ ତାରିଖ ସକାଳେ ମନସ୍ୟା ଆଖପାଖର ୪-୫ଟି ଗ୍ରାମର ପ୍ରାୟ ୧୨୦ ଜଣ କୃଷକ ଏଠାରେ ପହଞ୍ଚିଥିଲେ । ଉକର୍ କୁହନ୍ତି, “ଯଦି ନିର୍ବାଚନ ତାରିଖର କେଇଦିନ ପରେ ଏହି ଶୋଭାଯାତ୍ରା ହୋଇଥାନ୍ତା, ତେବେ ଆହୁରି ଅଧିକ ଲୋକ ଆସିଥାନ୍ତେ । ରାଜ୍ୟରେ କୃଷକମାନଙ୍କ ଅବସ୍ଥା ପ୍ରକୃତରେ ଭାରି ଖରାପ ।”

କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଗତ କେଇବର୍ଷ ମଧ୍ୟରେ ରାଜ୍ୟରେ ୨୦ ପ୍ରତିଶତ କୃଷି ଅଭିବୃଦ୍ଧି ହୋଇଛି ବୋଲି ମଧ୍ୟପ୍ରଦେଶ ସରକାର ଦାବି କରୁଛନ୍ତି । ରାଜ୍ୟ ନିକଟରେ ୨୦୧୬ ମସିହା ପାଇଁ ଭାରତର ରାଷ୍ଟ୍ରପତିଙ୍କ ଠାରୁ କୃଷି କର୍ମଣ ପୁରସ୍କାର ଗ୍ରହଣ କରିଛି । ଲଗାତାର ୫ବର୍ଷ ହେବ ରାଜ୍ୟ ଏହି ପୁରସ୍କାର ପାଇଆସୁଛି।

ହର୍ଦ୍ଦା ଜିଲ୍ଲାର ଭୁବନ ଖେଦି ଗ୍ରାମର କୃଷକ ନେତା କେଦାର ସିରୋହି ମଧ୍ୟ ଦିଲ୍ଲୀ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି , ତାଙ୍କର ମତ କୃଷି ଅଭିବୃଦ୍ଧି ପରିସଂଖ୍ୟାନ ତ୍ରୁଟିପୂର୍ଣ୍ଣ । ସେ କହିଥିଲେ, “କାଗଜ କଲମରେ ଅଭିବୃଦ୍ଧି ଏବଂ ଜମିରେ ଅଭିବୃଦ୍ଧି ମଧ୍ୟରେ ଫରକ୍ ରହିଛି । ଯଦି ମଧ୍ୟପ୍ରଦେଶରେ କୃଷି ସମୃଦ୍ଧ ହେଉଛି, ତେବେ କୃଷକମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି? କୃଷି ଋଣ କାହିଁକି ବୃଦ୍ଧି ପାଉଛି? କୃଷକମାନେ କାହିଁକି ସେମାନଙ୍କ ଋଣ ଖିଲାପ କରୁଛନ୍ତି? ଏହି ସରକାର ଗରିବ ବିରୋଧୀ ସରକାର । ଯିଏ କି କୃଷକ ଏବଂ ଶ୍ରମିକମାନଙ୍କ ବିଷୟରେ ଚିନ୍ତା କରୁନାହିଁ ।”
PHOTO • Shrirang Swarge
PHOTO • Shrirang Swarge

ବାମ: ମଧ୍ୟପ୍ରଦେଶର କୃଷକମାନେ ଗୁରୁଦ୍ୱାରା ଶ୍ରୀ ବାଲା ସାହିବଜୀରୁ ରାମଲୀଳା ମଇଦାନକୁ ଶୋଭାଯାତ୍ରାରେ ଯାଉଛନ୍ତି । ଡାହାଣ: ସତ୍ରାତି ଗ୍ରାମର ଶର୍ମିଳା ମୁଲେୱା ତାଙ୍କ ଚାକିରି ଚାଲିଯିବାର ବିରୋଧ କରିବା ନିମନ୍ତେ ଆସିଛନ୍ତି ।

ପରଦିନ, ନଭେମ୍ବର ୩୦ ତାରିଖରେ ମଧ୍ୟପ୍ରଦେଶର ଖର୍ଗୋନେ ଏବଂ ଏହାର ଆଖପାଖର ପ୍ରାୟ ୨୦୦ ଶ୍ରମିକ ରାମଲୀଳା ମଇଦାନରେ ପହଞ୍ଚିଥିଲେ । ଯେଉଁଠାରେ ସାରା ଦେଶରୁ ଆସିଥିବା କୃଷକମାନେ ଦିଲ୍ଲୀର ସଂସଦ ମାର୍ଗ (ପାର୍ଲାମେଣ୍ଟ ଷ୍ଟ୍ରୀଟ୍) କୁ ଶୋଭାଯାତ୍ରାରେ ବାହାରିବା ପୂର୍ବରୁ ଏକଜୁଟ୍ ହୋଇଥିଲେ ।  ଏହି ଶ୍ରମିକମାନେ  ୨୦୧୭ ଅଗଷ୍ଟ ମାସରେ ସେଞ୍ଚୁରି ଟେକ୍ସଟାଇଲ୍ ଆଣ୍ଡ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ଅନ୍ୟ ଏକ କମ୍ପାନୀ ସହ ଏକ ବିକ୍ରି ଚୁକ୍ତି କରିବା ପରେ ଏହାର କପଡ଼ା ଏବଂ ଡେନିମ୍ ୟୁନିଟ୍‌ରେ ନିଜର କର୍ମସଂସ୍ଥାନ ହରାଇଥିଲେ । ଖର୍ଗୋନେ ଜିଲ୍ଲାର କାସ୍ରାୱାଡ଼ ତାଲୁକାର ସତ୍ରାତି ଗ୍ରାମରୁ ଆସିଥିବା ୪୫ବର୍ଷ ବୟସ୍କା ଶର୍ମିଲା ମୁଲେୱା କହିଥିଲେ, “ଆମେମାନେ ପ୍ରାୟ ୧୫୦୦ଜଣ ନିଜ ନିଜର କର୍ମ ହରାଇଲୁ । ମୋ ସ୍ୱାମୀ ମଧ୍ୟ ସେମାନଙ୍କ ମଧ୍ୟରେ ଜଣେ । ସେମାନେ ଆମକୁ ୫ମାସ ନିଯୁକ୍ତି ଦେଲେ, ମାସେ ଛଟେଇ କଲେ ଏବଂ ପୁଣିଥରେ ଆମକୁ ନେଲେ ଏବଂ ସୁନିଶ୍ଚିତ କଲେ ଯେ ସେମାନେ ଆମକୁ ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି । ଯେହେତୁ ଆମେ ଅସ୍ଥାୟୀ ଶ୍ରମିକ ଥିଲୁ, ସେମାନେ ଆମକୁ କହିଲେ ଆମର ଆବଶ୍ୟକତା ନାହିଁ ।”

ଖର୍ଗୋନେର ବୟନଶିଳ୍ପ ଶ୍ରମିକ ସଂଘ ଅଦାଲତଙ୍କ ଦ୍ୱାରସ୍ଥ ହେଲେ ଏବଂ ଶିଳ୍ପ ବିବାଦ ଆଇନ ଅଧୀନରେ ଏକ ଅଭିଯୋଗ ଦାଖଲ କଲେ । ଚଳିତବର୍ଷ ମେ’ ମାସରେ ଇନ୍ଦୋର ଉଚ୍ଚ ନ୍ୟାୟାଳୟ ଶ୍ରମିକମାନଙ୍କ ସପକ୍ଷରେ ନିଷ୍ପତ୍ତି ଦେଇ ସେମାନଙ୍କୁ କର୍ମ ଯୋଗାଇଦେବା ନିମନ୍ତେ କମ୍ପାନୀକୁ ନିର୍ଦ୍ଦେଶ ଦେଲେ । ମୁଲେୱା କହିଥିଲେ, “କିନ୍ତୁ ସେହି ନିର୍ଦ୍ଦେଶ ଏପର୍ଯ୍ୟନ୍ତ ପାଳନ କରାଯାଇନାହିଁ। ମୋ ସ୍ୱାମୀ ମାସକୁ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ । ଏହି ଆୟ ହଠାତ୍ ବନ୍ଦ ହୋଇଗଲା । ସେବେଠାରୁ ଆମେ କମ୍ପାନୀର ଗେଟ୍ ଆଗରେ ପ୍ରତିବାଦ କରିଆସୁଛୁ ।”

ଏପରିକି ଏହି ଶ୍ରମିକମାନେ କେଇମାସ ତଳେ ଶିବରାଜ ସିଂ ଚୌହାନଙ୍କୁ ଭେଟିଥିଲେ । ସେ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସରକାର କିଛିଦିନ ମଧ୍ୟରେ ଏ ସମ୍ପର୍କରେ ପଦକ୍ଷେପ ନେବେ । କିନ୍ତୁ କେହି କୌଣସି ପଦକ୍ଷେପ ନେଲେନାହିଁ । ମୁଲେୱା କହିଥିଲେ, ସେ ଶ୍ରମିକମାନଙ୍କ ଦୁରବସ୍ଥାକୁ ଏତେ ଭଲଭାବରେ ଅନୁଭବ କରିଛନ୍ତି ଯେ ସେ ଏହି ଶୋଭାଯାତ୍ରାରେ ଯୋଗଦେବାକୁ ଘରେ ୧୦ବର୍ଷର ପୁଅକୁ ଛାଡ଼ି ଆସିଛନ୍ତି । ସେ କହିଥିଲେ, “ମୁଁ ଆଗରୁ କେବେ ଏପରି କରିନଥିଲି । କହିବାକୁ ଗଲେ ମୁଁ ଦ୍ୱିତୀୟ ଥର ହିଁ ଟ୍ରେନ୍ ଚଢ଼ୁଛି । ଆମେ ଏହା କଲୁ, କାରଣ ଏହି ଶୋଭାଯାତ୍ରା ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ଉଦ୍ଦିଷ୍ଟ । ଯେ ହେତୁ ମଧ୍ୟପ୍ରଦେଶରେ କେହି ଆମକୁ ଗୁରୁତ୍ୱ ଦେଉନାହାନ୍ତି, ଆମେ ଭାବିଲୁ, ଆମେ ନିଜ କଥା ଦିଲ୍ଲୀରେ ଶୁଣାଇବୁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.