ଫାତିମା ବାନୋ ଏକ କବିତା ଆବୃତ୍ତି କରୁଥିଲେ । ସେ ହିନ୍ଦୀରେ କହିଲେ, “ଫ୍ୟାନ୍ ଉପରେ ବୁଲେ, ଶିଶୁ ତଳେ ଶୁଏ।’’ ‘ଶୋଇପଡ଼ ଶିଶୁ, ଶୋଇପଡ଼, ବଡ଼ ନାଲି ଖଟ ଉପରେ ଶୋଇପଡ଼...’’ ସମସ୍ତଙ୍କର ନଜର ତାଙ୍କ ଉପରେ ଥିବାବେଳେ ୯ ବର୍ଷୀୟା ଫାତିମା ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଭାନ୍ ଗୁଜ୍ଜର ବସ୍ତିରେ ଏକ ଅପରାହ୍ନରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ଗୋଷ୍ଠୀ ମଧ୍ୟରେ କୌଣସି ପ୍ରକାରେ ନଜରକୁ ନ ଆସିବା ଲାଗି ଚେଷ୍ଟା କରୁଥିଲେ।
ସେମାନଙ୍କର ‘ସ୍କୁଲ’ ସେଦିନ ବିବିଙ୍କର ଘର ସାମ୍ନା ଅଗଣାରେ ଅନୁଷ୍ଠିତ ହେଉଥିଲା । ୫ରୁ ୧୩ ବର୍ଷୀୟ କିଛି ପିଲା ଏକ ବଡ଼ ଦରି ଉପରେ ବସିଥିଲେ । ସେମାନେ କିଛି ଖାତା ଧରିଥିଲେ । ତବସୁମ୍ ବିବିଙ୍କର ଦୁଇଟି ପିଲା, ଜଣେ ପୁଅ ଓ ଝିଅ ମଧ୍ୟ ସେମାନଙ୍କ ମଧ୍ୟରେ ସାମିଲ ଥିଲେ; ତାଙ୍କ ପରିବାର ଏହି ବସ୍ତିର ଅନ୍ୟ ପ୍ରାୟ ସମସ୍ତଙ୍କ ଭଳି ଜୀବିକାର୍ଜନ ଲାଗି ମଇଁଷି ପାଳନ କରନ୍ତି ଏବଂ କ୍ଷୀର ବିକ୍ରି କରନ୍ତି ।
ଏହି ସ୍କୁଲ ୨୦୧୫ ମସିହାରୁ କୁନାଉ ଚୌଡ୍ ବସ୍ତିରେ ମଝିରେ ମଝିରେ ଏକତ୍ରିତ ହୋଇଆସୁଛି –ଅଗଣାରେ କିମ୍ବା ଘରର ଏକ ବଡ଼ କୋଠରୀରେ । ସୋମବାରରୁ ଶୁକ୍ରବାର ଯାଏ ସକାଳ ୯.୩୦ରୁ ୧୨.୩୦ ଯାଏ ଏଠାରେ କ୍ଲାସ୍ ଅନୁଷ୍ଠିତ ହୋଇଥାଏ । ଡିସେମ୍ବର ୨୦୨୦ରେ ମୋର ଏକ ଭ୍ରମଣ ସମୟରେ ଯେତେବେଳେ ଫାତିମା ବାନୋ କବିତା ପାଠ କରୁଥିଲେ, ସେତେବେଳେ ୧୧ ଜଣ ଝିଅ ଓ ୧୬ ଜଣ ପୁଅ ଉପସ୍ଥିତ ଥିଲେ ।
ଭାନ୍ ଗୁଜ୍ଜର ଯୁବକଙ୍କର ଏକ ଗୋଷ୍ଠୀ ସେମାନଙ୍କର ଶିକ୍ଷକ । ସେମାନେ କୁନାଉ ଚୌଡ୍ - ଉତ୍ତରାଖଣ୍ଡର ପୌରି ଗଡ଼ୱାଲ୍ ଜିଲ୍ଲାର ଯମେଶ୍ୱର ବ୍ଲକ୍ରେ ଥିବା ପ୍ରାୟ ୨୦୦ ପରିବାରର ଏକ ବସ୍ତିରେ ରହିଥିବା ନିରନ୍ତର ଶିକ୍ଷାଗତ ବ୍ୟବଧାନକୁ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି। (ସମ୍ପ୍ରଦାୟର କାର୍ଯ୍ୟକର୍ତ୍ତା ଆକଳନ କରନ୍ତି ଯେ ୭୦ ହଜାରରୁ ଲକ୍ଷେ ମଧ୍ୟରେ ଭାନ୍ ଗୁଜ୍ଜର ରାଜ୍ୟର କୁମାଉଁ ଏବଂ ଗଡ଼ୱାଲ୍ ଅଞ୍ଚଳରେ ବସବାସ କରନ୍ତି । ସେମାନେ ଉତ୍ତରାଖଣ୍ଡରେ ଓବିସି ଭାବେ ତାଲିକାଭୁକ୍ତ ଏବଂ ଅନୁସୂଚିତ ଜନଜାତି ଭାବେ ମାନ୍ୟତା ଲାଗି ଦାବି କରିଆସୁଛନ୍ତି) ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଥିବା ଏହି ଜନବସତିଗୁଡ଼ିକ ମାଟି ଓ କାଦୁଅରେ ତିଆରି । ଜଙ୍ଗଲ ବିଭାଗ ଦ୍ୱାରା ସ୍ଥାୟୀ ନିର୍ମାଣକୁ ନିଷେଧ କରାଯାଇଛି। ସେଠାରେ କୌଣସି ପ୍ରକାର ଟୟଲେଟ୍ ସୁବିଧା ନାହିଁ । ଝରଣାରୁ ପାଣି ଆଣି ଲୋକେ ବ୍ୟବହାର କରନ୍ତି ।














