“ଏ ବର୍ଷ ଲୋକେ ଗଣେଶ ମୂର୍ତ୍ତି କିଣିବେ ବୋଲି ଆପଣ ଭାବୁଛନ୍ତି କି?” ଏହା ପଚାରନ୍ତି ବିଶାଖାପାଟଣାର କୁମ୍ମାରୀ ବିଧି (କୁମ୍ଭାର ବସ୍ତି) ବାସିନ୍ଦା ୟୁ. ଗୌରୀ ଶଙ୍କର । ସେ କହନ୍ତି, “ଆମେ ଭଗବାନଙ୍କ ଉପରେ ବିଶ୍ବାସ ରଖି ପ୍ରତି ବର୍ଷ ଏହି ସବୁ ମୂର୍ତ୍ତି ଗଢୁ । ଏବଂ ତାଙ୍କରି କୃପାରୁ ଆମେ ଅତି କମ୍ରେ କିଛି ନା କିଛି ଲାଭ ବି କରୁ’’ । “କିନ୍ତୁ ଏ ବର୍ଷ, ଲାଗୁଛି, ଆଉ ଯେମିତି ଭଗବାନ ନାହାନ୍ତି, ଖାଲି ଲକ୍ଡାଉନ୍ ଓ ଭାଇରସ୍ ।”
ପ୍ରତି ବର୍ଷ ଏପ୍ରିଲ ମାସରେ ଆନ୍ଧ୍ରପ୍ରଦେଶର ଏହି ନଗରୀରେ ଥିବା ତାଙ୍କ ଘରେ ଗଣେଶ ମୂର୍ତ୍ତି ଗଢ଼ିବା ଆରମ୍ଭ କରନ୍ତି ୬୩ ବର୍ଷୀୟ ଶଙ୍କର, ଏବଂ ତାଙ୍କ ସାଙ୍ଗରେ ଥାଆନ୍ତି ୪୨ ବର୍ଷର ପୁଅ ବୀରଭଦ୍ର ଏବଂ ୩୬ ବର୍ଷୀୟା ବୋହୂ ମାଧବୀ । ହେଲେ ବିଶ୍ଵ ମହାମାରୀ କାରଣରୁ ଏ ବର୍ଷ ଜୁନ୍ ମଧ୍ୟଭାଗରୁ ହିଁ ସେମାନେ ମୂର୍ତ୍ତି ଗଢ଼ିବା କାମ ଆରମ୍ଭ କରିପାରିଲେ ।
ସେମାନେ କହନ୍ତି, ସାଧାରଣତଃ ଜୁଲାଇ ଏବଂ ଅକ୍ଟୋବର (କୁମ୍ଭକାରମାନଙ୍କ ପାଇଁ ପାର୍ବଣ ଋତୁ) ଭିତରେ, ବିନାୟକ ଚତୁର୍ଥୀ ଏବଂ ଦୀପାବଳି ସହ ସଂପର୍କିତ ବରାଦମୂର୍ତ୍ତି କାମ କରି, ସେମାନେ ପ୍ରତି ମାସରେ ୨୦,୦୦୦ରୁ ୨୩,୦୦୦ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଏ ବର୍ଷ, ବିନାୟକ (ଗଣେଶ) ଚତୁର୍ଥୀକୁ ଅତି ବେଶୀରେ ଆଉ ୪୮ ଘଣ୍ଟା ବାକି ଥିବା ବେଳେ ଏକ ବଡ ଧରଣର ମୂର୍ତ୍ତି ଗଢ଼ିବା ପାଇଁ ସେମାନେ ଗୋଟିଏ ହେଲେ ବରାଦ ପାଇନାହାନ୍ତି ।
ମାତ୍ର ୧୫ ବର୍ଷ ତଳେ, ନିଜ ଜୀବିକାରେ ମଜିଯାଇଥିବା ୩୦ଟି କୁମ୍ଭାର ପରିବାର ସଦସ୍ୟମାନଙ୍କ କାର୍ଯ୍ୟରେ ଏହି କୁମ୍ଭକାର ବସ୍ତି କର୍ମମୁଖର ହୋଇଉଠୁଥିଲା । ଏବେ ସେଠାରେ ମାତ୍ର ଚାରିଟି ପରିବାର ଅଛନ୍ତି, ଏବଂ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଲକ୍ଡାଉନ୍ ସମୟରେ ସେମାନଙ୍କ ଜୀବନଧାରଣ ବିପନ୍ନ ହୋଇପଡ଼ିଥିବା କଥା ସେମାନେ ଦେଖିଛନ୍ତି ।
ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ବାସିନ୍ଦା ମାଧବୀ କହନ୍ତି, “ମୂର୍ତ୍ତି ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ପାଖରୁ ଆମକୁ ବଡ ଧରଣରେ ବରାଦ ମିଳେ, କିନ୍ତୁ ଏ ବର୍ଷ କୌଣସି ବରାଦ ମିଳିନାହିଁ ।” ସଂପ୍ରତି ବିଜୟନଗରମ୍ ଜିଲ୍ଲାରେ ରହିଥିବା ଏକ ଗାଁରୁ ତାଙ୍କ ସ୍ଵାମୀଙ୍କର ଜେଜେବାପା ଓ ଜେଜେମାଆ ଏଠାକୁ ଆସିଥିଲେ ।










