ଶ୍ରୀକାକୁଲମ ପରଦେସମ କୁହନ୍ତି ଯେ, ଚଳିତ ଦୀପାବଳି ପାଇଁ ସେ ୧୦,୦୦୦-୧୨,୦୦୦ ଦୀପ ତିଆରି କରିଛନ୍ତି। ଚଳିତ ସପ୍ତାହରେ ପାଳିତ ହେବାକୁ ଥିବା ଏହି ପର୍ବର ଗୋଟିଏ ମାସରୁ ଅଧିକ ସମୟ ପୂର୍ବରୁ ଏହି ୯୨ ବର୍ଷୀୟ କୁମ୍ଭାର ଦୀପ ନିର୍ମାଣ କାମରେ ଲାଗି ପଡ଼ିଛନ୍ତି। ପ୍ରତିଦିନ ସକାଳ ୭ଟାରେ କପେ ଚା’ ପିଇବା ପରେ ସେ ନିଜ କାମ ଆରମ୍ଭ କରିଥାନ୍ତି। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ କାମ ଜାରି ରହିଥାଏ, ମଝିରେ ସେ ଦୁଇଥର ବିଶ୍ରାମ ନିଅନ୍ତି।
କିଛି ସପ୍ତାହ ପୂର୍ବରୁ, ଅକ୍ଟୋବର ମାସ ଆରମ୍ଭରେ, ପରଦେସମ, ଏକ ଛୋଟିଆ ଷ୍ଟାଣ୍ଡ ଥିବା ଦୀପ ତିଆରି କାମ ଆରମ୍ଭ କରିଥିଲେ। ‘‘ଏଗୁଡ଼ିକୁ ତିଆରି କରିବା ସାମାନ୍ୟ କଷ୍ଟକର। ଷ୍ଟାଣ୍ଡର ମୋଟେଇ ସଠିକ ହେବା ଉଚିତ୍,’’ ସେ କୁହନ୍ତି। ତେଲ ଭର୍ତ୍ତି କପ ଆକୃତିର ଦୀପରୁ ତେଲ ଖସି ପଡ଼ିବା ଏବଂ ଜଳୁଥିବା ସଳିତାକୁ ବାହାରକୁ ଖସିଯିବାରୁ ଏହି ଷ୍ଟାଣ୍ଡ ଅଟକାଇଥାଏ। ଏଭଳି ଗୋଟିଏ ଦୀପ ତିଆରି କରିବା ଲାଗି ତାଙ୍କୁ ପାଞ୍ଚ ମିନିଟ୍ ଲାଗିଥାଏ। ଅନ୍ୟପଟେ ସେ ନିୟମିତ ତିଆରି କରୁଥିବା ଦୀପ ପାଇଁ ୨ ମିନିଟ ସମୟ ଲାଗିଥାଏ। ତେବେ ଗ୍ରାହକଙ୍କୁ ହରାଇବା ଆଶଙ୍କାରେ, ସେ ସାଧାରଣ ଦୀପକୁ ମାତ୍ର ୧ ଟଙ୍କା ଲାଭ ରଖି ୩ ଟଙ୍କାରେ ବିକ୍ରି କରିଥାନ୍ତି।
ନିଜ ଶିଳ୍ପକୁ ନେଇ ପରଦେସମଙ୍କ ଆଗ୍ରହ ଏବଂ ସଉକ କାରଣରୁ ବିଶାଖାପାଟଣାର କୁମାରୀ ୱିଧି (କୁମ୍ଭାରଙ୍କ ସାହି)ରେ ଥିବା ତାଙ୍କ ଘରେ ଗତ ଆଠ ଦଶନ୍ଧି ଧରି କୁମ୍ଭାର ଚକ ଘୂରିଚାଲିଛି। ଏବେ ସୁଦ୍ଧା ସେ ଲକ୍ଷାଧିକ ଦୀପ ବା ଦୀପମ ତିଆରି କରିସାରିଲେଣି ଯାହାକି ଦୀପାବଳି ପାଳନ କରୁଥିବା ଘରକୁ ଆଲୋକିତ କରୁଛି। ‘‘ଆକୃତିବିହୀନ କାଦୁଅ ଆମ ହାତ, ଶକ୍ତି ଓ ଏକ ଚକ ସାହାଯ୍ୟରେ ଗୋଟିଏ ବସ୍ତୁରେ ପରିଣତ ହୋଇଥାଏ। ଏହା ଏକ କଳା,’’ ୯୦ ବର୍ଷ ଅତିକ୍ରାନ୍ତ କରିସାରିଥିବା ଏହି ବୟୋବୃଦ୍ଧ କହିଥାନ୍ତି। ସେ ନିଜ ପରିବାର ସହ ଏଠାରେ ରହୁଛନ୍ତି। ଶ୍ରବଣ ଶକ୍ତି କମିଯାଇଥିବା କାରଣରୁ ସେ ଆଉ ବେଶି ବାହାରକୁ ଯାଉନାହାନ୍ତି।
ବିଶାଖାପାଟଣା ସହରରେ ଥିବା ଆକ୍କାୟାପାଲେମ ଅଞ୍ଚଳର ଏକ ବ୍ୟସ୍ତବହୁଳ ବଜାର ନିକଟରେ କୁମାରୀୱିଧି ଅବସ୍ଥିତ। ଏହି ସାହିର ଅଧିକାଂଶ ବାସିନ୍ଦା କୁମାରୀ ସମ୍ପ୍ରଦାୟର। ଏମାନେ ହେଉଛନ୍ତି ଏକ କୁମ୍ଭାର ସମୁଦାୟ ଯେଉଁମାନେ ମୂର୍ତ୍ତି ସମେତ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ନିର୍ମାଣ କରନ୍ତି। ପରଦେସମଙ୍କ ଜେଜେବାପା କାମ ସନ୍ଧାନରେ ବିଶାଖାପାଟଣା ଜିଲ୍ଲା ପଦ୍ମନାଭନ ମଣ୍ଡଳରେ ଥିବା ପୋଟନୁରୁ ଗ୍ରାମରୁ ଏ ସହରକୁ ଚାଲି ଆସିଥିଲେ। ତାଙ୍କର ମନେ ଅଛି, ସେ ଛୋଟ ହୋଇଥିବା ସମୟରେ ଏହି କୁମ୍ଭାର ସାହିରେ ୩୦ଟି କୁମ୍ଭାର ପରିବାର ରହୁଥିଲେ ଏବଂ ସେମାନେ ମୂର୍ତ୍ତି ସମେତ ଦୀପ, ଗଛ ଲଗାଇବାକୁ କୁଣ୍ଡ, ‘କୁମ୍ପି’, କାଦୁଅ ଜାର, କପ ଓ ମୂର୍ତ୍ତି ସମେତ ଅନ୍ୟାନ୍ୟ ମାଟି ସାମଗ୍ରୀ ତିଆରି କରୁଥିଲେ।
ଆଜି, ପରଦେସମ ହେଉଛନ୍ତି ଦୀପ ତିଆରି କରୁଥିବା ଶେଷ ଶିଳ୍ପୀ ଏବଂ ବିଶାଖାପାଟଣାରେ କେବଳ ତାଙ୍କ ଘରେ ହିଁ ଦୀପ ତିଆରି ହେଉଛି ବୋଲି ସମସ୍ତେ ଜାଣନ୍ତି। ଏଠାରେ ଥିବା ଅନ୍ୟ କୁମ୍ଭାର ପରିବାରମାନେ କେବଳ ମୂର୍ତ୍ତି ଏବଂ ଅନ୍ୟାନ୍ୟ ମାଟି ସାମଗ୍ରୀ ତିଆରି କରୁଛନ୍ତି କିମ୍ବା ଏହି କାମ ଛାଡ଼ି ଦେଇଛନ୍ତି। ଏକ ଦଶନ୍ଧି ପୂର୍ବରୁ, ସେ ମଧ୍ୟ ପର୍ବପର୍ବାଣୀ ସମୟରେ ମୂର୍ତ୍ତି ତିଆରି କରୁଥିଲେ କିନ୍ତୁ ଧୀରେ ଧୀରେ ତାହା ବନ୍ଦ କରିଦେଲେ: ମୂର୍ତ୍ତି ତିଆରି କରିବା ଶାରୀରିକ ଦୃଷ୍ଟିରୁ କଠିନ କାମ ଏବଂ ସେ କୁହନ୍ତି ଯେ ଘଣ୍ଟା ଘଣ୍ଟା ତଳେ ବସି ରହିବା ତାଙ୍କ ପାଇଁ କଷ୍ଟକର।













