ଅନିଲ୍‌ ଖାପରେ ଗତ ତିନି ଦିନ ଧରି ପର୍‌ଭାନୀ ଜିଲ୍ଲା ସମବାୟ ବ୍ୟାଙ୍କ (ପିଡିସିବି)ର ବୋରି ଶାଖା ଭିତରକୁ ଯିବାକୁ ଚେଷ୍ଟା କରୁଛନ୍ତି । "ଆଜି ମୁଁ ଗୋଟିଏ ଟୋକେନ୍‌ ପାଇଛି," ସେ କହିଲେ, “ଆସନ୍ତାକାଲି ମଧ୍ୟ ମୋତେ ଏଠାକୁ ଆସିବାକୁ ହେବ ଓ ଏଠାରେ ପୂରା ଦିନ ରହିବାକୁ ହେବ ।''

ଖାପ୍‌ରେ, ୨୮, ଏଠାରୁ ପ୍ରାୟ ଆଠ କିଲୋମିଟର୍‌ ଦୂରରେ ଅବସ୍ଥିତ ରିଦାଜ୍‌ ଗ୍ରାମରେ ରୁହନ୍ତି । ବାହାରେ ଅପେକ୍ଷା କରୁଥିବା ପ୍ରାୟ ୧୫୦ ଜଣ କୃଷକଙ୍କୁ ବ୍ୟାଙ୍କ ତରଫରୁ ଟୋକେନ୍‌ ବଣ୍ଟାଯାଇଛି । ଅନେକ ଟୋକେନ୍‌ ନପାଇ ଫେରିଗଲେ । ତାତି ସହି ବ୍ୟାଙ୍କ ଆଗରେ ଘଣ୍ଟା ଘଣ୍ଟା ସମୟ ଠିଆ ହେବା ପରେ ମଧ୍ୟ ଅନ୍ୟମାନଙ୍କୁ ବ୍ୟାଙ୍କ ଭିତରକୁ ଯିବା ପାଇଁ ସୁଯୋଗ ନମିଳିପାରେ – ଏହି ବର୍ଷ ଖୁବ୍‌ ଅଳ୍ପ ବର୍ଷା ହୋଇଛି- ଟୋକେନ୍‌ ଥିଲେ ମଧ୍ୟ।

ନିଜର ତିନି ଏକର ଜମିରେ ସୋୟାବିନ୍‌ ଓ କାର୍ପାସ୍‌ ଚାଷ କରୁଥିବା ଖାପ୍‌ରେ “ଜମି କାମ ଛାଡି ବ୍ୟାଙ୍କ ସମ୍ମୁଖରେ ଦିନ ପରେ ଦିନ ବ୍ୟୟ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ, ବୋଲି ଉତ୍ତେଜନା ପ୍ରକାଶ କରି କୁହନ୍ତି'' । ଏଥିପାଇଁ ଆବଶ୍ୟକ କାଗଜପତ୍ର ଯାହା ଉଲ୍ଲେଖ କରାଯାଇଥିଲା, ଯେପରିକି ଜମି ଜୋତ, ଆମେ ବୁଣୁଥିବା ଶସ୍ୟ ଓ ଏହିପରି ଅନେକ, ଯୋଗାଡ କରିବା ପାଇଁ ମୋତେ ତିନିଦିନ ସମୟ ଲାଗିଲା । ଗ୍ରାମର ଏକାଉଣ୍ଟେଣ୍ଟ ଯିଏ ଏହି ସବୁ କାଗଜପତ୍ର ଦିଅନ୍ତି, ତାଙ୍କ ପାଖକୁ ଅଧିକ ସଂଖ୍ୟକ କୃଷକ ଆସୁଥିବାରୁ  ସେ ବ୍ୟସ୍ତ ରହୁଛନ୍ତି । ବ୍ୟାଙ୍କକୁ ଯିବା ପାଇଁ ୪୦ଟଙ୍କା ଲାଗେ (ଅଟୋରିକ୍ସାରେ) ଓ ଆମେ ଦ୍ୱିପହର ଭୋଜନ ଓ ଚା ପାଇଁ ମଧ୍ୟ ଖର୍ଚ୍ଚ କରିଥାଉ ।

ଭିଡିଓ ଦେଖନ୍ତୁ : ରିଦାଜ୍‌ ଗ୍ରାମର ଅନିଲ୍‌ ଖାପ୍‌ରେ ଦିନ ଦିନ ଧରି ଅପେକ୍ଷା କରିବା ପରେ ଗୋଟିଏ ଟୋକେନ୍‌ ପାଇଲେ କିନ୍ତୁ ସେ କେବେ ବ୍ୟାଙ୍କ ଭିତରକୁ ପ୍ରବେଶ କରିବାକୁ ସୁଯୋଗ ପାଇବେ ତାହା ଜାଣିନାହାନ୍ତି

କୃଷକମାନେ ସେମାନଙ୍କ କାଗଜପତ୍ର ଦେବା ପାଇଁ ଓ ଖରିଫ୍‌ ଋତୁ ପାଇଁ ଶସ୍ୟ ବୀମା ପ୍ରିମିୟମ ପଇଠ କିରିବା ପାଇଁ ଜଣକ ପରେ ଜଣେ ଆସୁଥିବାରୁ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ ବ୍ୟସ୍ତ ରହୁଛନ୍ତି । ଜଣଙ୍କ କାଗଜପତ୍ରର ବୈଧତା ଯାଞ୍ଚ କରିବା, ଅନ୍‌ଲାଇନ୍‌ରେ ତଥ୍ୟସବୁ ଫିଡ୍‌ କରିବା ଓ ଗୋଟିଏ ଫର୍ମ ଅପ୍‌ଲୋଡ କରିବା ପାଇଁ କର୍ମଚାରୀମାନଙ୍କୁ ପ୍ରାୟ ୧୫୫ମନିଟ୍‌ ସମୟ ଲାଗୁଛି ।   ଦୁଇଟି କାଉଣ୍ଟରର୍‌ ଥିବାବେଳେ ସେଥିରେ ଘଣ୍ଟାକୁ ମାତ୍ର ୪-୫ଟି ଫର୍ମ ଅପ୍‌ଲୋଡ ହୋଇପାରୁଛି, ଏହିପରି ଭାବେ ବ୍ୟାଙ୍କ ଦିନକୁ ସର୍ବାଧିକ ୭୫ -୮୦ ଫର୍ମ ସମ୍ପୂର୍ଣ୍ଣ କରିପାରିବ । ବାହାରେ କିନ୍ତୁ ୪୦୦ରୁ ଅଧିକ କୃଷକ ଅପେକ୍ଷା କରିଛନ୍ତି ।

ଏସବୁ ସତ୍ତ୍ୱେ ଖାପ୍‌ରେ ନିଜର ରାଗ ପ୍ରକାଶ କଲେ ଦଣ୍ଡିତ ହେବେ । ପରିବେଶ ଉତ୍ତେଜନା ପୂର୍ଣ୍ଣ ରହିଛି । ବ୍ୟାଙ୍କ ସମ୍ମୁଖରେ ଏକ ପୋଲିସ୍‌ ଭ୍ୟାନ ଠିଆ ହୋଇଛି ଓ କିଛି ପୋଲିସ୍‌ ସେମାନଙ୍କ ଲାଠି ସହିତ ଧା଼ଡି ଯେପରି ବିଶୃଙ୍ଖଳିତ ନହୁଏ , ତାହା ଉପରେ ନଜର ରଖୁଛନ୍ତି । ଜୁଲାଇ ୨୭ରେ, ଖାପ୍‌ରେ ତାଙ୍କ ଟୋକେନ୍‌ ପାଇବା ପୂର୍ବଦିନ ୨୪ ଜଣ କୃଷକଙ୍କ ଉପରେ ଦୋଷାରୋପ କରାଯାଇଛି – ସାତଜଣଙ୍କୁ ଗିରଫ୍‌ କରାଯାଇଛି – ବ୍ୟାଙ୍କକୁ ପଥର ଫିଙ୍ଗିବା ଅଭିଯୋଗରେ ।

“ଉତ୍ତେଜିତ କୃଷକମାନେ ବ୍ୟାଙ୍କ ଅଧିକାରୀମାନଙ୍କ ସହିତ ଗଣ୍ଡଗୋଳ କଲେ,” ବୋଲି ଇନ୍‌ସ୍ପେକ୍ଟର ସୁନିଲ୍‌ ଗିରି କୁହନ୍ତି । “ଦ୍ୱିପହରରେ ସେମାନେ ଦୁଇ ଘଣ୍ଟା ପାଇଁ ରାସ୍ତା-ରୋକୋ କଲେ [ଠିକ୍‌ ବ୍ୟାଙ୍କ ଶାଖାର ଆରପାଖରେ] । ପୋଲିସ୍‌ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କଲା । କିନ୍ତୁ ସେମାନେ ଯେତେବେଳେ ପଥର ଫିଙ୍ଗିବାକୁ ଆରମ୍ଭ କଲେ, ଆମମାନଙ୍କୁ ଲାଠି ଚାର୍ଜ କରିବାକୁ ପଡିଲା । ଏଥିରେ ତିନିଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ଓ ଗୋଟିଏ ବସ୍‌ର ୱିଣ୍ଡିସିଲଡ ଭାଙ୍ଗିଯାଇଛି''।

ଏହା ସମୟସୀମା ଶେଷ ହେଉଥିବା ତାରିଖ ଅର୍ଥାତ୍‌ ଜୁଲାଇ ୩୧ ତାରିଖର କିଛି ଦିନ ପୂର୍ବର ଘଟଣା, ଯେତେବେଳେ କୃଷକମାନେ ଭୟରେ ଆତଙ୍କିତ ହେବାକୁ ଆରମ୍ଭ କରିଥିଲେ । “ବର୍ତ୍ତମାନ ବୃଷ୍ଟିପାତର ପୂର୍ବାନୁମାନ କରିବା କିଭଳି ଅସମ୍ଭବ ହୋଇଗଲାଣି ସେ ବିଷୟରେ ଆପଣ ଜାଣନ୍ତି,” ବୋଲି ଖାପ୍‌ରେ କୁହନ୍ତି, ଯିଏ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଋଣ କରିଛନ୍ତି । “ଚଳିତ ବର୍ଷ ମଧ୍ୟ  ଅଭାବୀ ବର୍ଷା ଯୋଗୁଁ ମୋର ଅଧା ଫସଲ ଶୁଖିଯାଇଛି । ବ୍ୟାଙ୍କ କର୍ମଚାରୀମାନଙ୍କ ଔଦ୍ଧତ୍ୟ ଓ ସମ୍ବେଦନହୀନତା ଯୋଗୁଁ ଏହିପରି ଏକ ସଂଘର୍ଷର ସୂତ୍ରପାତ ହେଲା ।

PHOTO • Parth M. N.

“ଏଥିପାଇଁ ଆବଶ୍ୟକ କାଗଜପତ୍ର ଯାହା ଉଲ୍ଲେଖ କରାଯାଇ ଥିଲା, ଯେପରିକି ଜମି ଜୋତ, ଆମେ ବୁଣୁଥିବା ଶସ୍ୟ ଓ ଏହିପରି ଅନେକ, ଯୋଗାଡ କରିବା ପାଇଁ ମୋତେ ତିନିଦିନ ସମୟ ଲାଗିଲା'' ବୋଲି ଖାପ୍‌ରେ କୁହନ୍ତି ଓ ତାପରେ ପର୍‌ଭାନିରେ ବ୍ୟାଙ୍କରେ ଲମ୍ବା ଧାଡିରେ ଠିଆ ହେଲୁ

ଫସଲ ବୀମା ପ୍ରିମିୟମ୍‌ ପଇଠ କରିବା ହେଉଛି ଏକ ବାର୍ଷିକ ପ୍ରକ୍ରିୟା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିନରେ କୃଷକମାନେ ବୀମା କମ୍ପାନିଗୁଡିକୁ ଅର୍ଥ ପ୍ରଦାନ କରିଥାନ୍ତି ଓ ଏଥିରେ ରାଜ୍ୟ ଏକ ସେତୁ ଭଳି କାର୍ଯ୍ୟ କରିଥାଏ । ଏହି ବୀମା କୃଷକମାନଙ୍କୁ ଚରମ ପାଣିପାଗ ଯୋଗୁଁ ହେଉଥିବା ଫସଲ ହାନିରୁ ସୁରକ୍ଷା ପ୍ରଦାନ କରିଥାଏ ।

ଚଳିତ ବର୍ଷ ମଧ୍ୟ, ପ୍ରତିବର୍ଷ ପରି, ଏହି ପ୍ରକ୍ରିୟା ଜୁଲାଇ ମଧ୍ୟଭାଗରେ ଆରମ୍ଭ ହୋଇଥିଲା । ତେବେ ସମ୍ପୂର୍ଣ୍ଣ ଭିନ୍ନ ଭାବେ : ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବା ବାଧ୍ୟତାମୂଳକ କରିଛନ୍ତି । ଏ ବାବଦରେ ସରକାରୀ ବିଜ୍ଞପ୍ତି ଜୁଲାଇ ପ୍ରଥମ ସପ୍ତାହରୁ ପ୍ରକାଶ ପାଇବା ଆରମ୍ଭ ହେଲା ।

ଫଲସ୍ୱରୂପ, ଦୁଇଟି ବିକଳ୍ପ, ଅନ୍‌ଲାଇନ୍‌ ସୁବିଧା ଉପଲବ୍ଧ ଥିବା ବ୍ୟାଙ୍କ ବା ସ୍ଥାନୀୟ ଇମେଲ୍‌ ସେବା କେନ୍ଦ୍ର ଯାଇ କୃଷକମାନଙ୍କୁ ଫର୍ମ ପୂରଣ କରିବାକୁ ପଡିଲା । ଏହି କେନ୍ଦ୍ରଗୁଡିକର ପରିଚାଳନା ସାଧାରଣତଃ ବେସରକାରୀ ଠିକାଦାରମାନେ କରିଥାନ୍ତି । ଯେପରିକି ସାଇବ୍‌ର କାଫେ, ଯେଉଁଠାରେ କୃଷକମାନେ ସେମାନଙ୍କ ଫର୍ମ ସିଧାସଳଖ ଅପ୍‌ଲୋଡ କରିପାରିବେ । ତେବେ ସଂଯୋଗକୁ ନେଇ ବାରମ୍ବାର ସମସ୍ୟା ଉପୁଜୁଥିବାରୁ,ଏହି କେନ୍ଦ୍ରଗୁଡିକୁ କ୍ୱଚିତ୍‌ ବ୍ୟବହାର କରାଯାଏ ।

“ସର୍ଭର୍‌ ଭିଡ ସମ୍ଭାଳିବାକୁ ସମର୍ଥ ହୋଇପାରୁନି,” ବୋଲି ପିଡିସିବି ବୋରି ଶାଖା ପରିଚାଳକ ରାଜେଶ ସରୋଦେ କୁହନ୍ତି । “ଏବଂ ଦ୍ରୁତଗତିରେ ଫର୍ମଗୁଡିକୁ କିଭଳି ଅପ୍‌ଲୋଡ କରାଯାଇପାରିବ, ସେ ବିଷୟରେ ବ୍ୟାଙ୍କ କର୍ମଚାରୀଙ୍କୁ ଉପଯୁକ୍ତ ଭାବେ ପ୍ରଶିକ୍ଷିତ କରାଯାଇ ନାହିଁ । ଯଦି ଆମେ ସେଗୁଡିକୁ ଅଫ୍‌ଲାଇନ୍‌ରେ ଗ୍ରହଣ କରିବୁ, ଯେପରି ଆମେ ୨୦୧୬ ପର୍ଯ୍ୟନ୍ତ କରୁଥିଲୁ, ତେବେ ଜୁଲାଇ ୩୧ପୂର୍ବରୁ ଏଗୁଡିକୁ ଅପ୍‌ଲୋଡ୍‌ କରିବା ନେଇ ସମସ୍ୟା ଉପୁଜିବ ।

*  *  *

ମୁଁ ଯେତେବେଳେ ବିଡ୍‌ ଜିଲ୍ଲାକୁ ଯାଇଥିଲି, ସେତେବେଳେ ଜୁଲାଇ ୩୧ର ସମୟସୀମା ଶେଷ ହେବାପାଇଁ ଆଉ ତିନିଦିନ ବାକି ଥିଲା । ଆହୁରି ଅଧିକ ଭୟଭୀତ ହୋଇଯାଇଥିଲି । ସମ୍ଭବତଃ, ଲୋଡ୍‌ ଅସହ୍ୟ ହେଉଥିବା ଅନୁଭବ ହେବାରୁ, ରାଜ୍ୟ ସରକାର ବ୍ୟାଙ୍କମାନଙ୍କୁ ଏକ ବିଜ୍ଞପ୍ତି ଜାରି କରି ଅଫ୍‌ଲାଇନ୍‌ରେ ମଧ୍ୟ ଫର୍ମ ଗ୍ରହଣ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଲେ । ଏଥିରେ ଜିଲ୍ଲା ସମବାୟ ବ୍ୟାଙ୍କ୍ – ଯେଉଁଠାରେ ଅଧିକାଂଶ କୃଷକଙ୍କ ଆକାଉଣ୍ଟ ରହିଛି- ସେଗୁଡିକୁ ମିଳିତ ଭାବେ ବୋଝ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବ୍ୟାଙ୍କର ଅଧିକାଂଶ ଶାଖାରେ ସ୍କାନର୍‌ ଓ ପ୍ରିଣ୍ଟର୍‌ ନାହିଁ ଓ ଏହି କାରଣରୁ ଏଗୁଡିକ ଫର୍ମ ଗ୍ରହଣ କରି ପାରୁନାହାନ୍ତି । ଏହାଦ୍ୱାରା ଅନ୍ୟ ବ୍ୟାଙ୍କଗୁଡିକ ଉପରେ ଅଧିକ ଚାପ ରହୁଛି ।

PHOTO • Parth M. N.

ମରାଠ୍‌ୱାଡାର ଅନ୍ୟ  ଅଞ୍ଚଳ ପରି, ବିଡ୍‌ ଜିଲ୍ଲା ସମବାୟ ବ୍ୟାଙ୍କର ପାର୍ଲି ଶାଖାରେ ମଧ୍ୟ ନୈରାଶ୍ୟ ଓ ଲମ୍ବା ଧାଡି ଦେଖିବାକୁ ମିଳୁଛି

ବିଡ୍‌ ଜିଲ୍ଲା ସମବାୟ ବ୍ୟାଙ୍କର ଟକ୍‌ହେଡ୍‌ ଶାଖା (ଭିଡିସିବି) ବାହାରେ ମଧ୍ୟ କୃଷକମାନେ ସଂକୀର୍ଣ୍ଣ ରାସ୍ତା କଡରେ ବସିଛନ୍ତି । ଗଣେଶ ମହାସ୍କେ, ଏଠାର ବ୍ୟାଙ୍କ ମ୍ୟାନେଜର, କୁହନ୍ତି ଯେ ସେମାନେ ଗତ ବର୍ଷ ୩,୦୦୦ ଆବେଦନ ପତ୍ର ପାଇଥିଲେ । “ମୁଁ ଦିନକୁ ୨୫୦ - ୩୦୦ କରିବାକୁ ସମର୍ଥ ହେଉଥିଲି'' ବୋଲି ସେ ମୋ ଆଡକୁ ନଚାହିଁ କହିଲେ । “କିନ୍ତୁ ଗତ ବର୍ଷ ମୁଁ ଯାହା କରିଥିଲି, ତାହାର ଅଧା ମଧ୍ୟ ମୁଁ ଗ୍ରହଣ କରିବାକୁ ସମର୍ଥ ହୋଇପାରିବି, ସେ କଥା ମୁଁ ଭାବିପାରୁନି । [ସମୟସୀମା ଶେଷ ହେବା ପାଖାପାଖି]।’’

ଇତିମଧ୍ୟରେ, କୃଷକମାନଙ୍କ ନୈରାଶ୍ୟଭାବ ଓ ବିଶୃଙ୍ଖଳା ଓ ବ୍ୟାଙ୍କ ସମ୍ମୁଖରେ ସେମାନଙ୍କ ଭିଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଡିସିବିର ପାର୍ଲି ଶାଖାରେ, ଯେତେବେଳେ ଉମେଶ ସାତ୍‌ପୁତେ, ୨୩, ସେ ୫.୩୦ ରେ ଧାଡିରେ ଆଗକୁ ବଢିଲେ, ସେତେବେଳକୁ ତାଙ୍କ ଆଗରେ ପୂର୍ବରୁ ୨୫୦ ଜଣ ଠିଆ ହୋଇଥିଲେ । “ମୁଁ ପାଞ୍ଚଦିନ ହେବ ପ୍ରିମିୟମ ପଇଠ କରିବାକୁ ଚେଷ୍ଟା କରୁଛି,'' ବୋଲି ସେ କୁହନ୍ତି । “ମୁଁ ଇମେଲ୍‌ ସେବା କେନ୍ଦ୍ରରେ ଚେଷ୍ଟା କରିଥିଲି କିନ୍ତୁ ଅସଫଳ ହେଲି । ତାପରେ ଗତକାଲି ଏଠାକୁ ଆସି ଏହି ବିଶାଳ ଜନସମାଗମ ଦେଖିଲି । ଏଣୁ ମୁଁ ଆଜି ୫.୩୦ ରେ ଆସିଛି, କିନ୍ତୁ ଲୋକମାନେ ବାରଣ୍ଡା ଉପରେ ଶୋଇ ଏବେ ମଧ୍ୟ ଅପେକ୍ଷା କରୁଛନ୍ତି''।

ଭିଡିଓ ଦେଖନ୍ତୁ : ଉମେଶ ସାତ୍‌ପୁତେ, ପାର୍ଲି ଗ୍ରାମର ଜଣେ କୃଷକ, ଗତ ପାଞ୍ଚ ଦିନ ଧରି ବୀମା ପ୍ରିମିୟମ୍‌ ପଇଠ କରିବାକୁ ଚେଷ୍ଟା କରୁଛନ୍ତି

ସେମାନଙ୍କ ମଧ୍ୟରେ ୬୫ ବର୍ଷର ସାମ୍ଭାଜୀ ସାତ୍‌ପୁତେ ମଧ୍ୟ ଅଛନ୍ତି । "ଅଚ୍ଛେ ଦିନ୍‌ ଆନେ ୱାଲେ ହୈ”, ସେ ଚିତ୍କାର କରି କହିଲେ ଓ ନିଜର ଖାଲି ବ୍ୟାଗ୍‌ ମୋତେ ଦେଖାଇଲେ । “ମୁଁ ଦୁଇଟି ଭାକ୍ରି ଓ ସବ୍‌ଜି ଆଣିଥିଲି । ଗତକାଲି ସନ୍ଧ୍ୟାରେ ମୁଁ ତାହା ଖାଇଦେଲି। ତା’ପରଠାରୁ ମୁଁ ଆଉ କିଛି ଖାଇନି ।’’

ସାମ୍ଭାଜୀଙ୍କ ଗ୍ରାମ, ସେଲୁ, ବ୍ୟାଙ୍କ ଠାରୁ ୧୫ କିଲୋମିଟର୍‌ ଦୂରରେ ଅବସ୍ଥିତ । “ଗତ ଦୁଇଦିନ ହେବ ମୁଁ ଏଠାରେ ଅଛି,” ସେ କହିଲେ । ରାସ୍ତା ଉପରେ ଶୋଇ ପଡିବାରୁ ସାମ୍ଭାଜୀଙ୍କ ଧଳା ରଙ୍ଗର କୁର୍ତ୍ତାରେ କାଦୁଅ ଲାଗିଯାଇଛି । ତାଙ୍କ ଆଖି ଦୁଇଟି କ୍ଲାନ୍ତ ଦେଖାଯାଉଛି “ମୁଁ ଗାଧେଇନି ମଧ୍ୟ । ଅଟୋରିକ୍ସା ବା ବସ୍‌ରେ କେବଳ ଯିବା ପାଇଁ ମୋତେ ୨୦ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏଣୁ ଯିବା ପରିବର୍ତ୍ତେ ଏଠାରେ ଶୋଇପଡିଲେ ଭଲ ହେବ ବୋଲି ମୁଁ ଭାବିଲି ।’’

ଲୋକମାନେ ପରସ୍ପରକୁ ଗାଳିଗୁଲଜ କରି, ଧାଡି ଭାଙ୍ଗି ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ପୋଲିସ୍‌ମାନେ ସେମାନଙ୍କ ବାଡି ଦେଖାଇ ସେଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି । “ଫସଲ ବୀମା ସଂଗ୍ରହ କରିବା ପାଇଁ ଆମକୁ ଏଠାରେ ଅପେକ୍ଷା କରିବା ପାଇଁ କୁହାଯାଇଥିଲା [ଚଳିତ ବର୍ଷ ଆରମ୍ଭରେ],” ବୋଲି ସାମ୍ଭାଜୀ କୁହନ୍ତି, ଯିଏ ନିଜର ୪.୫  ଏକର ଜମିରେ ସୋୟାବିନ୍‌ ଓ କାର୍ପାସ୍‌ ଚାଷ କରିଛନ୍ତି । “ବର୍ତ୍ତମାନ ନିଜର ପ୍ରିମିୟମ ବାନ୍ଧିବା ପାଇଁ ଆମକୁ ଏସବୁ ସହିବାକୁ ହେବ । “ଏଠି ଏସବୁ କି ଧନ୍ଦା ଚାଲିଛି? ଆମେମାନେ ଆଉ କେତେବେଳେ କାମ କରିବୁ ?’’

ଜୁଲାଇ ୩୧ରେ ସୂର୍ଯାସ୍ତ ହେବା ବେଳକୁ, ଅନେକ କୃଷକ ନିଜ କାଗଜ କାମ ଶେଷ କରିବା ପାଇଁ ସମର୍ଥ ହୋଇପାରିଲେ ନାହିଁ । ସେମାନେ ନିଜ ଫସଲକୁ କୌଣସି ବୀମା ଅଧିନରେ ସୁରକ୍ଷିତ ନକରିବାର ପରିମାଣ ଭୋଗୁଛନ୍ତି । ଦିନଟି ନୂତନ ଆଶା ସହିତ ଆରମ୍ଭ ହୋଇଥିଲା କିନ୍ତୁ ନିରାଶାରେ  ଶେଷ ହେଉଛି ।

ଭିଡିଓ ଦେଖନ୍ତୁ : ସେଲୁ ଗ୍ରାମର ସାମ୍ଭାଜୀ ସାତ୍‌ପୁତେ, ଯିଏ ବଶେଷ କିଛି ଖାଇନଥିଲେ ଓ ପ୍ରିମିୟମ୍‌ ପଇଠ କରିବା ପାଇଁ ରାସ୍ତାରେ ରାତ୍ରି ଯାପନ କଲେ

*  *  *

ଅଗଷ୍ଟ ୧ରେ କିନ୍ତୁ ମୁଁ ଲାଟୁର୍‌ରେ ପହଞ୍ଚିବା ବେଳକୁ, ସେଠାରେ ପରିସ୍ଥିତି ସେମାନଙ୍କ ସପକ୍ଷରେ ଥିଲା । ରାଜ୍ୟ ସରକାର ଶେଷ ସମୟସୀମା ଅଗଷ୍ଟ ୪ ପର୍ଯ୍ୟନ୍ତ ବୃଦ୍ଧି କରିଦେଲେ, ଯାହାଦ୍ୱାରା କୃଷକମାନେ ସେହି ଲମ୍ବା ଧାଡିରେ ଠିଆ ହୋଇ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ କିଛି ଅଧିକ ସମୟ ପାଇପାରିଲେ ।

ଲାଟୁର୍‌ର ଜାଲ୍‌କୋଟ୍‌ରେ ଅବସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ, ନାଗେଶ କେନ୍ଦ୍ରେ, ୪୦, ନିଜ ଗ୍ରହ ଦଶା କଥା ଭାବି ବ୍ୟାଙ୍କରୁ ବାହାରି ଆସିଲେ । ତାଙ୍କର ୧୦ଏକର ବିଶିଷ୍ଟ ଜମି ପାଞ୍ଚ ଜଣଙ୍କ ମଧ୍ୟରେ ବିଭାଜିତ ହୋଇଛି – ତିନି ଭାଇ ଓ ତାଙ୍କ ବାପାମା । ପରିବାରର ପ୍ରତ୍ୟେକ ସଦସ୍ୟ ନିଜ ପାଇଁ ଏକ ଫର୍ମ ଦାଖଲ କରନ୍ତୁ, ଏହା ବ୍ୟାଙ୍କ ଚାହୁଁଛି । “ମୋର ଭାଇ ଲୋହାରେ ପଢୁଛି – ଏଠାରୁ ୫୦ କିମି ଦୂର,” ବୋଲି ସେ କୁହନ୍ତି । “ସେମାନେ ଏତେଦିନ ପର୍ଯ୍ୟନ୍ତ ଆମକୁ ଧାଡିରେ ଠିଆ କରି ରଖିଲେ । ସେ ନିଜ ପାଠ ପଢା ଛାଡି ଛୁଟି ନେଇ ଫସଲ ବୀମାର ପ୍ରିମିୟମ ବାନ୍ଧିବାକୁ କିପରି ଆସି ପାରିବ? ପୁଣି ପରିବାରର ପ୍ରତ୍ୟେକ ସଦସ୍ୟ ପ୍ରିମିୟମ୍‌ କାହିଁକି ପଇଠ କରିବେ? ଯଦି ସମସ୍ତ କାଗଜପତ୍ର ଠିକ୍‌ ଅଛି ତେବେ ମୁଁ କାହିଁକି ସେମାନଙ୍କ ପାଇଁ ପଇଠ କରିପାରିବି ନାହିଁ ? ଯଦି ସମସ୍ତେ ଏଠି ଧାଡିରେ ଠିଆ ହେବେ, ତେବେ ଆମ ଜମି କଥା କିଏ ବୁଝିବ ? ଶେଷରେ, ମୁଁ ବ୍ୟାଙ୍କରେ ଝଗଡା କରିବା ପରେ ସେମାନେ ଆଜି ଏହାକୁ ଗ୍ରହଣ କଲେ । ଯଦି ସମୟସୀମା ବଢା ହୋଇନଥାନ୍ତା, ତେବେ ମୁଁ ଅସୁବିଧାରେ ପଡିଯାଇଥାନ୍ତି ।’’

ଏହି ମାନସିକ ଶାନ୍ତି, କିନ୍ତୁ, ଦୀର୍ଘ ସ୍ଥାୟୀ ହୋଇ ପାରିଲା ନାହିଁ। ଅଗଷ୍ଟ ୨, ପୂର୍ବାହ୍ନ ୧୧ଟା ବେଳେ, ବ୍ୟାଙ୍କଗୁଡିକୁ ଅନ୍ୟ ଏକ ଔପଚାରିକ ମେଲ୍‌ ଆସିଲା, ଯେଉଁଥିରେ ସେମାନେ ଅଫ୍‌ଲାଇନ୍‌ରେ କୌଣସି ଫର୍ମ ଗ୍ରହଣ ନକରିବାକୁ କୁହାଯାଇଥିଲା – ଯଦିଓ ଅନ୍‌ଲାଇନ୍‌ ଅପ୍‌ଲୋଡ୍‌ ପାଇଁ ପୂର୍ବ ନର୍ଦ୍ଦେଶ କ୍ରମେ ଅଗଷ୍ଟ ୪ର ଶେଷ ସମୟସୀମା ଅପରିବର୍ତ୍ତିତ ରହିଲା । ଏହିପରି ଏପଟ-ସେପଟ ହେବା କାରଣ ବିଷୟରେ ଜାଣିବା ପାଇଁ ମୁଁ ବିଡ୍‌ର ଟକ୍‌ହେଡ୍‌ ଶାଖାର ଗଣେଷ ମହେସ୍କଙ୍କୁ ଫୋନ୍‌ କଲି । “ଆଜି ସକାଳେ ବ୍ୟାଙ୍କ ସାମନାରେ ପ୍ରାୟ ୧୦୦ଜଣ କୃଷକ ଜମା ହୋଇଥିଲେ,’’ ବୋଲି ସେ କହିଲେ । “ମୁଁ କୌଣସି ପ୍ରକାରେ ୧୬୦୦ଫର୍ମ ଗ୍ରହଣ କରିବାକୁ ସମର୍ଥ ହୋଇପାରିଲି । ତାପରେ ବର୍ତ୍ତମାନ ମୁଁ ଆଉ କିଛି କରିପାରିବି ନାହିଁ ବୋଲି କୃଷକମାନଙ୍କୁ କହିଲି । ସେମାନେ ବିରୋଧ କଲେ, ତାପରେ ଇମେଲ୍‌ ସେବା କେନ୍ଦ୍ର ଆଡକୁ ମାଡି ଗଲେ ।’’

ଟକ୍‌ହେଡ୍‌ର ଇମେଲ୍‌ ସେବା କେନ୍ଦ୍ର ବ୍ୟାଙ୍କଠାରୁ କିଛି ମିଟର୍‌ ଦୂରତାରେ ଅବସ୍ଥିତ । ଏହା ମଧ୍ୟକୁ ପ୍ରାୟ ୬ -୮ ଜଣ ଲୋକ ଚିପାଚିପି ହୋଇ ପଶିପାରିବେ । ଏହାକୁ ସନ୍ତୋଷ ଗାୟକ୍‌ୱାଡ୍‌ ନାମକ ଜଣେ ଯୁବକ ଚଲାନ୍ତି । ଜୁଲାଇ ୩୦ ରେ, ସେ ମୋତେ କହିଲେ ଯେ ୱେବ୍‌ସାଇଟ୍‌ ( http://agri-insurance.gov.in ) ଏତେ ମାତ୍ରାରେ ଟ୍ରାଫିକ୍‌ ପରିଚାଳନା କରିବା ପାଇଁ ଅସମର୍ଥ ଅଟେ । “ଡାଉନ୍‌ଲୋଡ୍‌, ସ୍କାନିଂ, ଅପ୍‌ଲୋଡ୍‌, ଅନ୍‌ଲାଇନ୍‌ ପଇଠ- ଆଦି କାମ କରିବା ପାଇଁ ଏଥିରେ ବହୁତ ସମୟ ଲାଗୁଛି,” ବୋଲି ସେ କହିଲେ । “ଏବଂ ଯଦି ମଝିରେ ସର୍ଭର୍‌ ବ୍ରେକ୍‌ ଡାଉନ୍‌ ହୋଇଯିବ, ତେବେ ପୁଣି ଥରେ ଆରମ୍ଭ କରିବାକୁ ହେବ ।’’ ଦିନ ରାତି କେନ୍ଦ୍ରରେ କାମ କରିବା ସତ୍ତ୍ୱେ ଏକ ସପ୍ତାହରେ ସେ କେବଳ ୩୦ ଜଣ କୃଷକଙ୍କ ଫର୍ମ ଅପ୍‌ଲୋଡ୍‌ କରିପାରିଲେ । ଆଶା ଓ ନୈରାଶ୍ୟ ମଧ୍ୟରେ ୧୦୦ରୁ ଅଧିକ ଅପେକ୍ଷା କରି ରହିଛନ୍ତି ।

ପଛଲେଖା : ଜୁଲାଇ ୩୧ସୁଦ୍ଧା କେବଳ ୩୯ ଲକ୍ଷ ଫର୍ମ ଗ୍ରହଣ କରାଯାଇଥିଲା, ବୋଲି ରାଜ୍ୟ କୃଷି ମନ୍ତ୍ରୀ ପାଣ୍ଡୁରଙ୍ଗ ଫଣ୍ଡକର ଏହି ରିପୋର୍ଟର୍‌କୁ ଜଣେଇଛନ୍ତି । ୨୦୧୬ରେ, ୧.୦୯କୋଟି କୃଷକ ଫସଲ ବୀମା ପାଇଁ ଆବେଦନ କରିଥିଲେ ବୋଲି ରାଜ୍ୟ ସରକାର ମାର୍ଚ୍ଚରେ କହିବା ସହ ଏହି ସ୍କିମରେ ସାମିଲ ହେବା ପାଇଁ ଆଧାରକୁ ବାଧ୍ୟତାମୂଳକ କରିଛନ୍ତି । ଯଦିଓ ସରକାର ୨୦୧୭ ପାଇଁ ସମ୍ପୂର୍ଣ୍ଣ ତାଲିକା ଚୂଡାନ୍ତ କରିନାହାନ୍ତି, ତଥାପି ଆବେଦନ ପତ୍ର ସଂଖ୍ୟା ଓ ଶେଷ ସମୟସୀମାକୁ ଅଗଷ୍ଟ ୪ ପର୍ଯ୍ୟନ୍ତ, କେବଳ ୪ ଦିନ ବୃଦ୍ଧି କରିବା କଥା ବିଚାରକୁ ନେଲେ, ଏହି ସଂଖ୍ୟା ଗତ ବର୍ଷ ଫସଲ ବୀମା ପାଇଁ ଆବେଦନ କରିଥିବା କୃଷକଙ୍କ ସଂଖ୍ୟା ସହିତ ସମାନ ହେବା ସମ୍ଭାବନା ଅତି କମ୍‌ ।

ଏହା ସତ୍ତ୍ୱେ, ଫଣ୍ଡକର୍‌ଙ୍କ କହିବା ଅନୁସାରେ, ଆମେ ଏହାକୁ ଭିନ୍ନ ଭାବେ ପଢିବା ଉଚିତ । “ପୂର୍ବ ବର୍ଷ ପର୍ଯ୍ୟନ୍ତ, ଆମେମାନେ ଫସଲ ପ୍ରକାର ସଂଖ୍ୟା ହିସାବରେ ଫସଲ ବୀମା ଗ୍ରହଣ କରୁଥିଲୁ । ଏଣୁ ଯଦି ଜଣେ କୃଷକ ଚାରି ପ୍ରକାର ଫସଲ କରିଛନ୍ତି, ତେବେ ତାଙ୍କୁ ଚାରିଟି ଫର୍ମ ପୂରଣ କରିବାକୁ ପଡୁଥିଲା । ଚଳିତ ଥର, କିନ୍ତୁ ଏହା ହେଉଛି ଗୋଟିଏ କୃଷକ, ଗୋଟିଏ ଫର୍ମ, ଯେଉଁ କାରଣରୁ ସଂଖ୍ୟା ହ୍ରାସ ହୋଇଛି । ଆମେ କେବଳ ଅଗଷ୍ଟ ୫ରେ ଅଫ୍‌ଲାଇନ୍‌ରେ ଫର୍ମ ଗ୍ରହଣ କରିଛୁ ଓ ସେହି ଦିନ ଆମେ ୧୨୭,୦୦୦ଫର୍ମ ଗ୍ରହଣ କରିଛୁ । ଅଗଷ୍ଟ ୧ରୁ ଅଗଷ୍ଟ ୪ ମଧ୍ୟରେ, ଆମେ କେବଳ ଅନ୍‌ଲାଇନ୍‌ରେ ଫର୍ମ ଗ୍ରହଣ କରିଥିଲୁ । ସମସ୍ତ ହିସାବ ସରିବା ବେଳକୁ ଏହାର ସଂଖ୍ୟା ପ୍ରାୟ ୭୦ଲକ୍ଷ ହେବ ବୋଲି ଆମେ ଆଶା କରୁଛୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE