ସେ ଯେତେବେଳେ ବାହରକୁ ଆସିଲେ, ଡିକେନ୍‌ସ୍‌ଙ୍କ ଉପନ୍ୟାସର ଏକ ଚରିତ୍ର ପରି ମନେ ହେଉଥିଲେ । ପରିତ୍ୟକ୍ତ ଘରଗୁଡିକର ଏକ ଧାଡି ମଧ୍ୟରେ ରହିଥିବା ତାଙ୍କ ଘରର ବାରଣ୍ଡାରେ ୭୧ବର୍ଷର ଏସ୍‌. କାଣ୍ଡାସାମୀ ନିଜ ବାରଣ୍ଡା ଉପରେ ବସି ନିଃଶବ୍ଦ ହୋଇଯାଇଥିବା ସେହି ଗ୍ରାମରେ, ଯେଉଁଠାରେ ସେ ଜନ୍ମ ଗ୍ରହଣ କରିଥିଲେ ଓ ବଢିଥିଲେ ସେଠାରେ ବିତେଇଥିବା ସୁଖ ସମୟଗୁଡିକର ଅନୁଭୂତି ବିଷୟରେ କହୁଥିଲେ । ତାଙ୍କର ଏହି କଥା ସବୁ ଶୁଣିବାକୁ ବର୍ତ୍ତମାନ ମିନାକ୍ଷୀପୁରମ୍‌ରେ ଆଉ କେହି ନାହାନ୍ତି, ରହିଯାଇଥିବା ଶେଷ ୫୦- ପରିବାର – ସବୁଠାରୁ ଦୁଃଖର ବିଷୟ, ତାଙ୍କର ନିଜ ପରିବାର ମଧ୍ୟ- ୫ ବର୍ଷ ପୂର୍ବେ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ।

ଏହି ଜନମାନବ ଶୂନ୍ୟ ଗ୍ରାମରେ ତାଙ୍କର ଏକାକୀ ଉପସ୍ଥିତ ରହିବା ଭଲ ପାଇବା ଓ ହରାଇବା, ଆଶା ଓ ନିରାଶାର କାହାଣୀ ବ୍ୟକ୍ତ କରିଥାଏ । ସାଂଘାତିକ ରୂପ ନେଇଥିବା ଜଳ ସଂକଟର ମୁକାବିଲା କରିନପାରି, ମିନାକ୍ଷୀପୁରମ୍‌ର ଅନ୍ୟ ବାସିନ୍ଦାମାନେ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ । କିନ୍ତୁ କାଣ୍ଡାସ୍ୱାମୀ ନିଜ କଥାରେ ଅଟଳ ରହିଲେ, “ଦୁଇ ଦଶନ୍ଧି ପୂର୍ବେ ତାଙ୍କ ସ୍ତ୍ରୀ ବୀରଲକ୍ଷ୍ମୀ ଯେଉଁ ବଖରାରେ ମରିଥିଲେ ସେହି ବଖରାରେ ନିଜର ଶେଷ ଜୀବନ ବିତେଇବା ପାଇଁ ।” କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ତାଙ୍କର ଏହି ପ୍ରତିବଦ୍ଧତାକୁ ବଦଳାଇ ପାରିଲେ ନାହିଁ ।

“ମୋ ନିଜ ପରିବାର ଏହି ସ୍ଥାନ ତ୍ୟାଗ କରିବା ପୂର୍ବରୁ ଅନ୍ୟ ସମସ୍ତେ ଏହି ସ୍ଥାନ ଛାଡି ଚାଲିଯାଇଥିଲେ,’’ ବୋଲି ସେ କୁହନ୍ତି । ପାଞ୍ଚ ବର୍ଷ ପୂର୍ବେ, ଯେତେବେଳେ ତାଙ୍କର ଦ୍ୱିତୀୟ ପୁଅର ବିବାହ ହେଲା ଓ ସେ ଚାଲିଗଲା, ତାପରେ କଣ୍ଡାସାମୀ ତାମିଲ୍‌ନାଡୁର ଥୋତୁକୁଡି ଅନ୍ତର୍ଗତ ଶ୍ରୀବୈକୁଣ୍ଟମ୍‌ ତାଲୁକ ର  ଏହି ଗ୍ରାମରେ ବାସ କରୁଥିବା ଏକମାତ୍ର ବାସିନ୍ଦା ହୋଇଗଲେ । ଉତ୍କଟ ଜଳ ସଂକଟ ଜନିତ ଯନ୍ତ୍ରଣା ଭୋଗ କରୁଥିବା ଜିଲ୍ଲାଗୁଡିକ ମଧ୍ୟରେ, ମିନାକ୍ଷୀପୁରମ୍‌ ହେଉଛି ତୀବ୍ର ଜଳ ସଂକଟର ସମ୍ମୁଖୀନ ହୋଇଥିବା ଏକ ସ୍ଥାନ ।

“କୌଣସି ପରିବାର ଏଠାରୁ ବହୁଦୂରକୁ ଚାଲି ଯାଇଥିବେ ବୋଲି ମୁଁ ଭାବୁନାହିଁ । ପାଖାପାଖି ୧୦ଟି ପରିବାର ସେକ୍କରାକ୍କୁଡି ଗ୍ରାମକୁ ସ୍ଥାନାନ୍ତରିତ ହୋଇଛନ୍ତି ।’’ ଏଠାରୁ ଅତିବେଶୀରେ ତିନି କିଲୋମିଟର ଦୂରତାରେ ଥିବା ସେହି ଗ୍ରାମରେ ମଧ୍ୟ ଜଳ ସଂକଟ ରହିଛି, ତେବେ ଏହାର ପରିମାଣ ତାଙ୍କ ନିଜ ଗ୍ରାମଠାରୁ କମ୍‌ । ଏହା ସମସ୍ୟାର ସୁପରିଚାଳନା କରୁଥିବା ମନେହେଉଛି ଓ ଏପରିକି ଏହା କୌତୁହଳପୂର୍ଣ୍ଣ ଭାବେ ଜୀବନ୍ତ ମନେହେଉଛି । ମିନାକ୍ଷୀପୁରମ୍‌ ଯେତିକି ନିସ୍ତବ୍ଦ ମନେ ହେଉଛି, ଏହା ସେତିକି ପରିମାଣରେ ସକ୍ରିୟ ଥିବା ଜଣାପଡୁଛି । ସେଠାରେ ରହୁଥିବା ଯେକୌଣସି ବ୍ୟକ୍ତିକୁ ଏହି ପରିତ୍ୟକ୍ତ ଗ୍ରାମ ବିଷୟରେ ପଚାରନ୍ତୁ ଦେଖିବେ ସେମାନେ ବୁଦ୍ଧିଶୂନ୍ୟ ହୋଇ ଯାଉଥିବା ଆପଣ ଲକ୍ଷ୍ୟ କରିପାରିବେ। ଜଣେ ଚାହା ଦୋକାନ ମାଲିକ ହତବୁଦ୍ଧି ହୋଇ ପଚାରିଲେ। ‘‘କ’ଣ ଆପଣ ସେଠାରେ ଥିବା ମନ୍ଦିରକୁ ଯାଉଛନ୍ତି ? ସେହି ଗ୍ରାମରେ ଆଉ କିଛି ନାହିଁ” ।

Kandasamy seated on the porch of his house
PHOTO • Satheesh L.
Kandasamy's home with his two wheeler parked in front of it
PHOTO • Satheesh L.

ବାମ : କାଣ୍ଡାସାମୀ ନିଜ ବାରଣ୍ଡାରେ ବସିଛନ୍ତି, ସଠିକ୍‌ଭାବେ କହିଲେ, ଅତୀତ କଥା ମନେ ପକାଉଛନ୍ତି । ଡାହାଣ : ତାଙ୍କର ଭଙ୍ଗା ଘର ଓ ଦୁଇ-ଚକିଆ ଯାହା ସେ ନିଜ ପାଇଁ ଆବଶ୍ୟକ ସ୍ୱଳ୍ପ ଜିନିଷ କିଣିବାକୁ ଯାଇଥାନ୍ତି

“ଥୋତୁକୁଡିରେ ହୋଇଥିବା ହାରାହାରି ବର୍ଷାର ପରିମାଣ ( ୭୦୮ମିମି) ରାଜ୍ୟରେ ହୋଇଥିବା ହାରାହାରି ବର୍ଷାର ପରିମାଣ (୯୪୫ ମିମି) ଠାରୁ କମ୍‌ ଅଟେ କିନ୍ତୁ ଏହି ଜିଲ୍ଲା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ତାମରାପରାଣି ନଦୀ ଉପରେ ନିର୍ଭର କରିଥାଏ । ତେବେ, ବହୁବର୍ଷ ଧରି ଏଠାରୁ ଜଳ ଅବୈଧ ଭାବେ ବିଭିନ୍ନ କାରଖାନାଗୁଡିକୁ ଯୋଗାଯାଉଛି । ମୁଁ ଏହା କହିବି ନାହିଁ ଯେ ଏହି କାର୍ଯ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି କିନ୍ତୁ କିଛିଦୂର ପର୍ଯ୍ୟନ୍ତ ଏହାକୁ ଦମନ କରାଯାଇପାରିଛି ଓ ଏହା ଦ୍ୱାରା ଲୋକମାନେ ନିଶ୍ଚତ ଭାବେ ଲାଭାନ୍ୱିତ ହୋଇଛନ୍ତି । ଯଦିଓ ଗାମାଞ୍ଚଳରେ ଏବେ ମଧ୍ୟ ଜଳ ସଂକଟ ଲାଗିରହିଛି ଓ ସେଠାରେ ଭୂତଳ ଜଳ ସଂକ୍ରମିତ ହୋଇଯାଇଛି” ବୋଲି ପି.ପ୍ରଭୁ ନାମକ ଥୋତୁକୁଡି ଟାଉନ୍‌ର ଜଣେ ଏନ୍‌ଭିରନ୍‌ମେଣ୍ଟାଲ୍‌ ଆକ୍ଟିଭିଷ୍ଟ କୁହନ୍ତି ।

୨୦୧୧ର ସେନ୍‌ସସ୍‌ ଅନୁଯାୟୀ, ଏହି ଗ୍ରାମର ମୋଟ ଜନସଂଖ୍ୟା ୧,୧୩୫ ଥିଲା । “ଏକ ସମୟରେ ସମୂହ ବିସ୍ଥାପନ ହେବା ପରେ ମଧ୍ୟ ସେଠାରେ ଛଅ ବର୍ଷ ପୂର୍ବେ ପ୍ରାୟ ୫୦ଟି ପରିବାର ରହୁଥିଲେ,’’ ବୋଲି କଣ୍ଡାସାମୀ କୁହନ୍ତି । ଏକଦା ତାଙ୍କ ପାଖରେ ପାଞ୍ଚ ଏକର ଜମି ଥିଲା ଯେଉଁଥିରେ ସେ କମ୍ବୁ (ବାଜରା) ଓ କାର୍ପାସ୍‌ ଚାଷ କରୁଥିଲେ । ତାଙ୍କର ଜମି ବହୁତ ଉର୍ବର ଥିଲା କିନ୍ତୁ ବହୁଦିନ ତଳେ ସେ ଏହାକୁ ବିକ୍ରି କରିଦେଇଥିଲେ । “ଏହି ଜମିଗୁଡିକୁ ବିକ୍ରି କରି ମୁଁ ମୋର ପିଲାମାନଙ୍କୁ ପାଠ ପଢାଇବା ପାଇଁ ଓ ବାହା କରିବା ପାଇଁ ସମର୍ଥ ହୋଇପାରିଲି ।’’ ସମସ୍ତ ସନ୍ତାନ – ଦୁଇ ପୁଅ ଓ ଦୁଇ ଝିଅ – ଏହି ଥୋତୁକୁଡିରେ ରୁହନ୍ତି, ତେବେ ଉନ୍ନତ ଅବସ୍ଥାରେ ଥିବା ଗ୍ରାମଗୁଡିକରେ ।

“ମୋତେ କାହର ଋଣ ଶୁଝିବାକୁ ନାହିଁ । ଯେତେବେଳେ ଏ ଜମି ମୋର ଥିଲେ, ସେଥିରୁ ମୁଁ ଯାହା ପାଇଛି, ସେଥିଯୋଗୁ ମୁଁ ଆତ୍ମଗ୍ଲାନି ଶୂନ୍ୟ ହୋଇ  ମରିପାରିବି,’’ ବୋଲି କାଣ୍ଡାସାମୀ କୁହନ୍ତି । “ଯଦି ଚାଷ କାର୍ଯ୍ୟ ନିରନ୍ତର ଭାବେ ଲାଭଜନକ ବ୍ୟାପାର ହୋଇ ରହିଥାନ୍ତା ତେବେ ମୁଁ କେବେ ମଧ୍ୟ ନିଜ ଜମିଗୁଡିକ ବିକ୍ରି କରିନଥାନ୍ତି । କିନ୍ତୁ ଧୀରେ ଧୀରେ ପରିସ୍ଥିତି ଖରାପ ହେବାକୁ ଲାଗିଲା । ଜଳ ସଂକଟ ଦେଖାଦେଲା । ଲୋକମାନେ ଅନ୍ୟ କୌଣସି ବିକଳ୍ପ ଅଭାବରେ ଜୀବନ ବଞ୍ଚାଇବାକୁ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହେଲେ ’’।

“ଜଳ ଏକ ବିରାଟ ସମସ୍ୟା ଥିଲା” ବୋଲି ପେରୁମାଲ୍‌ ସାମୀ, ୬୧, କୁହନ୍ତି, ଯିଏ ହେଉଛନ୍ତି ଦଶବର୍ଷ ପୂର୍ବେ ଅନ୍ୟସ୍ଥାନକୁ ଚାଲି ଯାଇଥିବା ନିବାସୀମାନଙ୍କ ମଧ୍ୟରୁ ଜଣେ । ସେ ତାମିଲ୍‌ନାଡୁର ଶାସକ ଦଳ ଏଆଇଡିଏମ୍‌କେ (AIADMK) ଦଳର ମିନାକ୍ଷୀପୁରମ୍‌ ଶାଖାର ଜଣେ ସଭ୍ୟ, ବର୍ତ୍ତମାନ ଥୋତୁକୁଡି ଟାଉନ୍‌ରେ, ଏଠାରୁ ପ୍ରାୟ ୪୦କିମି ଦୂରରେ ରହୁଛନ୍ତି, ଯେଉଁଠାରେ ସେ ଏକ ଛୋଟ ବ୍ୟବସାୟ କରୁଛନ୍ତି । ସେ ନିଜର ପୁରୁଣା ଗ୍ରାମ ତୁଳନାରେ ସେଠାରେ ଭଲରେ ଅଛନ୍ତି । “ଆମେ ସେଠାରେ ଥିବା ଆମ ଜମିରୁ କିଛି ଲାଭ ପାଇଲୁ ନାହିଁ, ସେହି ସ୍ୱଳ୍ପ ଆୟରେ ମୁଁ କିଭଳି ଭାବେ ମୋ ପରିବାରର ଭରଣପୋଷଣ କରିପାରିଥାନ୍ତି ?” ତାଙ୍କ ଘର ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । “କହିବାକୁ ଗଲେ ଏହି ଗ୍ରାମ ଆମ ପାଇଁ ଆଉ କୌଣସି ଅର୍ଥ ବହନ କରୁନାହିଁ ।

Meenakshipuram's abandoned houses are falling apart
PHOTO • Satheesh L.
Meenakshipuram's abandoned houses are falling apart
PHOTO • Satheesh L.

ମିନାକ୍ଷୀପୁରମ୍‌ରେ ଥିବା ପରିତ୍ୟକ୍ତ ଘରଗୁଡିକ ଭୂଷୁଡି ପଡୁଛି; ଉତ୍କଟ ଜଳ ସଂକଟର ସମ୍ମୁଖୀନ ହୋଇନପାରି ସମସ୍ତେ ସେହି ସ୍ଥାନ ଛାଡି ଚାଲିଗଲେ ।

ଏଠାର ପୂର୍ବ ବାସିନ୍ଦାମାନଙ୍କ ପାଇଁ ଏହାର ଅର୍ଥ ଭିନ୍ନ ଭିନ୍ନ ହୋଇପାରେ । ସେଠାରେ ରହିଥିବା ଦୁଇଟି ମନ୍ଦିର ବର୍ତ୍ତମାନ ଗ୍ରାମ ଓ ଏହାକୁ ଛାଡି ଚାଲିଯାଇଥିବା ନିବାସୀମାନଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ କାମ କରୁଛି । ମିନାକ୍ଷୀପୁରମ୍‌କୁ ଯାଉଥିବା ରାସ୍ତାରେ ଏକ ଫଳକ ରହିଛି, ଯାହା ସେଠାରେ ବୈଷ୍ଣବମାନଙ୍କର ଏକ ମନ୍ଦିର – କାରିୟା ସିଦ୍ଧି ଶ୍ରୀନିବାସ ପେରୁମାଲ୍‌ କୋଏଲ୍‌, ରହିଥିବା କଥା ସୂଚାଇଥାଏ। ଏହା ବିଡମ୍ବନା ହୋଇପାରେ, କିନ୍ତୁ ଏଠାରେ ଆପଣଙ୍କ ଆଶା ପୂରଣ ହୋଇଥାଏ । କଣ୍ଡାସାମୀଙ୍କୁ ମଧ୍ୟ ନିଜ ପ୍ରାର୍ଥନାର କୌଣସି ଉତ୍ତର ମିଳିନାହିଁ । ତଥାପି ଯେଉଁମାନେ ଅନ୍ୟତ୍ର ଚାଲି ଯାଇଛନ୍ତି, ସେମାନେ ନିଶ୍ଚିତ ଭାବେ ଦିନେ ଫେରି ଆସିବେ ବୋଲି ତାଙ୍କର ବିଶ୍ୱାସ ରହିଛି । ଯଦି ସେମାନେ ସ୍ଥାୟୀଭାବେ ଏପରି କରନ୍ତି। ତେବେ ତାହା ନିଶ୍ଚିତ ଭାବେ ଚମତ୍କାର ହେବ । ଆଜି ପର୍ଯ୍ୟନ୍ତ, ଭଗବାନ ତାଙ୍କ କଥାର ଉତ୍ତର ଦେଇନାହାନ୍ତି ।

କିନ୍ତୁ ଲୋକମାନେ ବେଳେବେଳେ ଏଠାରୁ ଆସିଥାନ୍ତି – ଶୈବ ମନ୍ଦିର – ପାରାଶକ୍ତି ମାରିଆମ୍ମା କୋଏଲ୍‌ – ଯାହା ତାଙ୍କ ପରିବାରର ରକ୍ଷଣାବେକ୍ଷଣରେ ରହିଛି, ସେଥିରେ ହେଉଥିବା ପର୍ବପର୍ବାଣିରେ ଯୋଗ ଦେବା ପାଇଁ । ଏହି ମାସରେ, କିଛି ଦିନ ପୂର୍ବେ, ଏହାର ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ପ୍ରାୟ ୬୫ ଜଣ ଆସିଥିଲେ । “ଠିକ୍‌ ଏହି ସ୍ଥାନରେ, ଆମେ ସେମାନଙ୍କ ପାଇଁ ଖାଦ୍ୟ ରାନ୍ଧିଥିଲୁ,’’ ବୋଲି ବର୍ତ୍ତମାନ ଗହଳି ଶୂନ୍ୟ ହୋଇ ପଡିଥିବା ରୋଷେଇ ଘର ଆଡକୁ ଦେଖାଇ କଣ୍ଡାସାମୀ କୁହନ୍ତି । “ସେ ଦିନ ଗହଳି ଥିଲା । ନଚେତ୍‌, ମୁଁ ଦୁଇ ବା ତିନି ଦିନରେ ଥରେ ରୋଷେଇ କରେ ଓ ମୋ ଖାଦ୍ୟକୁ ପୁଣି ଗରମ କରିଥାଏ ।’’

ତେବେ ବର୍ତ୍ତମାନ ସେ କିଭଳି ଭାବେ ନିଜ ଗୁଜୁରାଣ ମେଣ୍ଟାନ୍ତି? ବର୍ତ୍ତମାନ ତାଙ୍କର କୌଣସି ଜମି ନାହିଁ, ଘର ବ୍ୟତୀତ ଅନ୍ୟ କୌଣସି ସମ୍ପତ୍ତି ନାହିଁ, କୌଣସି ବ୍ୟାଙ୍କ ଜମା ନାହିଁ ଓ ପାଖରେ ଅତି ଅଳ୍ପ ପରିମାଣର ନଗଦ ରାଶି ଅଛି । ୧,୦୦୦ ଟଙ୍କାର ପେନ୍‌ସନ୍‌ ମଧ୍ୟ ମିଳୁନାହିଁ। ତାମିଲ୍‌ନାଡୁର ଡେଷ୍ଟିଚ୍ୟୁଟ ଓଲଡ ଏଜ୍ ପେନସନ ସ୍କିମ ଅନ୍ତର୍ଗତ, ସେ ଏହା ପାଇବାକୁ ଯୋଗ୍ୟ ନୁହନ୍ତି- କାରଣ ତାଙ୍କର ଦୁଇଟି ପୁଅ ଅଛନ୍ତି, ଯେଉଁମାନେ ଥୁଥୁକୁଡିର ଆଖପାଖ ଅଞ୍ଚଳରେ ଡ୍ରାଇଭର ଭାବେ କାମ କରି ନିଜର ଜିବୀକା ନିର୍ବାହ କରୁଛନ୍ତି । (ଯଦି କୌଣସି ଆବେଦକ ୫,୦୦୦ ଟଙ୍କା ବା ତା’ଠାରୁ ଅଧିକ ମୂଲ୍ୟର ଏକ କୁଡିଆ ବା ଘରର ମାଲିକ ହୋଇଥାନ୍ତି, ତେବେ ମଧ୍ୟ ତାଙ୍କର ଆବେଦନ ଅଯୋଗ୍ୟ ବିବେଚିତ ହୋଇଥାଏ)।

ନିୟମିତ ଭାବେ ତାଙ୍କ ପାଖକୁ ଆସୁଥିବା ଆଗନ୍ତୁକ ଜଣକ ହେଉଛନ୍ତି ତାଙ୍କ ସାନ ପୁଅ ବାଳକୃଷ୍ଣ, ଯିଏ ତାଙ୍କୁ ମାସକୁ ପ୍ରାୟ ୧,୫୦୦ଟଙ୍କା ଦେଇଥାଏ, ବୋଲି ସେ କୁହନ୍ତି, “ମୁଁ ବିଡି ଖାଇବା ପାଇଁ ଦିନକୁ ୩୦ ଟଙ୍କା ଖର୍ଚ୍ଚ କରେ ଓ ବଳକା ଟଙ୍କାରେ କିରାଣା ସାମାନ ଆଣିଥାଏ’’। ଏବଂ ଏଥିରୁ ଅଳ୍ପ କିଛି ଏକ ପୁରୁଣା ଦୁଇ ଚକିଆ ଯାନରେ ପେଟ୍ରୋଲ୍‌ ଭର୍ତ୍ତି କରିବା ପାଇଁ ଖର୍ଚ୍ଚ କରିଥାଏ, ଯାହା ତାଙ୍କୁ ତାଙ୍କର ଜଣେ ବନ୍ଧୁ ଗ୍ରାମ ଛାଡି ଗଲା ବେଳେ ଉପହାରରେ ଦେଇଥିଲେ । “ସେ ଯାହା ହେଉ, ମୋର ସେଭଳି କିଛି ବଡ ଖର୍ଚ୍ଚ ନାହିଁ,’’ ବୋଲି କଣ୍ଡାସାମୀ କୁହନ୍ତି, ଯିଏ ପ୍ରତି ଦୁଇ ତିନି ଦିନରେ ଥରେ ନିଜ ପାଇଁ ଆବଶ୍ୟକ ସ୍ୱଳ୍ପ କିରାଣା ସାମାନ କିଣିବା ପାଇଁ ସେହି ସ୍କୁଟର୍‌ରେ ବସି ଯାଇଥାନ୍ତି । ସେ ଯେତେବେଳେ ସେହି ଗ୍ରାମକୁ ଯାଆନ୍ତି, କିଛି ସମୟ ସେଠାରେ ରହିଥାନ୍ତି ।

Kandasamy in his room with calendar of Jayalallitha
PHOTO • Kavitha Muralidharan
The Parasakthi temple maintained by Kandasamy's family
PHOTO • Satheesh L.

ବାମ : ତାଙ୍କ ବଖରାରେ ଜୟଲଳିତାଙ୍କ ଫଟୋ ଥାଇ ଏକ କ୍ୟାଲେଣ୍ଡର ରହିଛି, ଯଦିଓ ଏହାର ଏମ୍‌ଜିଆର୍‌ ବିଷୟରେ ସେ କହୁଥିଲେ । ଡାହାଣ : କଣ୍ଡାସାମୀ ପରିବାର ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ପାରାଶକ୍ତି ମନ୍ଦିର

ଘରେ, ରାଜ୍ୟ ଦେଇଥିବା ଟେଲିଭିଜନ୍‌ ତାଙ୍କର ସାଥି ପାଲଟିଛନ୍ତି । ଓ ତାଙ୍କ ଘରେ ରାଜ ପରିବାରର ଦୁଇଜଣ ସଦସ୍ୟ ମଧ୍ୟ ଅଛନ୍ତି – ରାଜା ଓ ରାଣୀ । ‘‘ଏହି ବୁଲା କୁକୁର ଦ୍ୱୟ କିଛି ବର୍ଷ ପୂର୍ବେ ଆସିଥିଲେ । ମୁଁ ଏଠାରେ ଏକୁଟିଆ ରହେ ବୋଲି ବୋଧହୁଏ ସେମାନେ କୌଣସି ସୂତ୍ରରୁ ଜାଣି ପାରିଥିଲେ । ମୁଁ ସେମାନଙ୍କୁ ରାଜା ଓ ରାଣୀ ବୋଲି ଡାକେ ଓ ସେମାନଙ୍କ ପାଇଁ ଖାଦ୍ୟ ରାନ୍ଧେ ମଧ୍ୟ । ଅନ୍ୟମାନଙ୍କ ପାଇଁ ଖାଦ୍ୟ ରାନ୍ଧିବା ନିଶ୍ଚିତ ଭାବେ ଭଲ କଥା,’’ ସେ ହସିଲେ ।

ଏକଦା ଚାଷ ଉପଯୋଗୀ ରହିଥିବା ମିନାକ୍ଷୀପୁରମ୍‌ ଓ ତାଙ୍କ ନିଜ ଜମିଗୁଡିକର ସ୍ମୃତି ଏବେ ମଧ୍ୟ ତାଙ୍କ ମନରେ ସତେଜ ହୋଇ ରହିଛି । “ସେତେବେଳେ ଧାନ ମୁଖ୍ୟ ଶସ୍ୟ ନଥିଲା । ଆମେ ମାଣ୍ଡିଆ ମଧ୍ୟ ଚାଷ କରୁଥିଲୁ,’’ ବୋଲି ସେ ମନେ ପକାଇ କୁହନ୍ତି । ଏଠାର ଲୋକମାନେ ଉରଦ୍‌ ଦାଲ୍‌ (ବିରି ଡାଲି) ମଧ୍ୟ ଚାଷ କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଗ୍ରାମରେ କେବଳ ଶୂନ୍ୟ ଭୂମି ଓ ପରିତ୍ୟକ୍ତ ଘରଗୁଡିକ ରହିଯାଇଛି ।

କଣ୍ଡାସାମୀଙ୍କ ଘରେ ତାଙ୍କର ଉପସ୍ଥିତି ତାଙ୍କର ଦୁଇ-ଚକିଆ ଯାନ, ପାଦର ଚପଲ୍‌ ଓ ବିକ୍ଷିପ୍ତ ହୋଇ ପଡି ରହିଥିବା କିଛି ପୋଷାକ ବ୍ୟତୀତ ଘରର ଅଳ୍ପ କିଛି ଜିନିଷ ଦ୍ୱାରା ଜାହିର୍‌ ହୋଇଥାଏ । କ୍ରମଶଃ ନଷ୍ଟ ହେଉଥିବା କାନ୍ଥରେ ପରିବାରର ସଦସ୍ୟମାନଙ୍କ କୌଣସି ଫଟୋ ନାହିଁ । ସେ ସମସ୍ତ, ଯେଉଁଥିରେ ତାଙ୍କ ସ୍ୱର୍ଗୀୟ ସ୍ତ୍ରୀଙ୍କ ଫଟୋ ମଧ୍ୟ ସାମିଲ୍‌ ଅଛି, ତାହା ସୁରକ୍ଷିତ ରହିବା ପାଇଁ ତାଙ୍କ ପୁଅ ବାଳକୃଷ୍ଣଙ୍କ ପାଖରେ ଅଛି । ସେଠାରେ କେବଳ ଦୁଇଟି କ୍ୟାଲେଣ୍ଡର୍‌ ଅଛି, ସେଥିମଧ୍ୟରୁ ଗୋଟିଏରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଫଟୋ ରହିଛି । ତେବେ, ଏହା ତାଙ୍କର ନୁହେଁ, ବରଂ ସ୍ୱର୍ଗତ ଏମ୍‌.ଜି. ରାମଚନ୍ଦ୍ରନ୍‌ଙ୍କ ବୋଲି ସେ କୁହନ୍ତି । ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ, ସେ ଜଣେ କଳାକାର ହୋଇ ମଧ୍ୟ ତାମିଲ୍‌ନାଡୁର ସବୁଠାରୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ । “ମୁଁ ସବୁବେଳେ ତାଙ୍କର ବିଶ୍ୱସ୍ତ ହୋଇ ରହିଥିବି,” ବୋଲି ସେ କୁହନ୍ତି । ଏକାକୀ ରହୁଥିବା ଏହି ଭୋଟର୍‌ଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ପ୍ରଲୋଭିତ କରିବା ପାଇଁ କୌଣସି ରାଜନୈତିକ ଦଳର ପ୍ରଚାରକମାନେ ମିନାକ୍ଷୀପୁରମ୍‌ ଆସିନାହାନ୍ତି ସତ, କିନ୍ତୁ ଏହା ମତଦାନ ମାଧ୍ୟମରେ ଏମ୍‌ଜିଆର୍‌ଙ୍କ ପ୍ରତି ରହିଥିବା ତାଙ୍କର ବିଶ୍ୱସ୍ତତା ପ୍ରଦର୍ଶନ କରିବାଠାରୁ ତାଙ୍କୁ ନିବୃତ୍ତ କରିପାରିନାହିଁ ।

ପ୍ରତ୍ୟେକ ସପ୍ତାହରେ, ତାଙ୍କ ଗ୍ରାମର ସେହି ସୁବର୍ଣ୍ଣ ଦିନଗୁଡିକ ପୁଣିଥରେ ଫେରିଆସିବା ପାଇଁ, ଏହି ଆଶାରେ ସେ ପାରାଶକ୍ତି ମନ୍ଦିରରେ ନିୟମିତ ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଶେଷରେ, ପରିସ୍ଥିତିରେ ନିଶ୍ଚିତ ଭାବେ ଉନ୍ନତି ହୋଇଛି । କାଣ୍ଡାସାମୀଙ୍କ ନିଜ ଘରେ, ତାଙ୍କର ଆବଶ୍ୟକତା ପୂରଣ ହେବା ପାଇଁ ଆବଶ୍ୟକ ପରିମାଣର ଜଳ ମହଜୁଦ ଅଛି । “ଗତ ବର୍ଷ, ଏକ ଟେଲିଭିଜନ୍‌ ଚ୍ୟାନେଲ୍‌ ମୋର ଇଣ୍ଟର୍‌ଭ୍ୟୁ କରିବା ପରେ, ମୁଁ ରହିଥିବା ସ୍ଥାନକୁ ସରକାରୀ କର୍ମଚାରୀଙ୍କ ଏକ ଦଳ ଆସିଥିଲେ । ସେମାନେ ସଙ୍ଗେ ସଙ୍ଗେ ମୋ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ କରିବା ବ୍ୟବସ୍ଥା କରିଥିଲେ ଓ ତାପରେ ଆଉ କୌଣସି  ଅସୁବିଧା ରହିଲା ନାହିଁ ।’’ ଯେହେତୁ ଗ୍ରାମର ଅନ୍ୟ ବାସିନ୍ଦାମାନେ ସେହି ଗ୍ରାମ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି, ତେଣୁ ବୋଧହୁଏ ତାଙ୍କ ପାଇଁ ଅଧିକ ପରିମାଣର ଜଳ ଉପଲବ୍ଧ ହୋଇପାରୁଛି ।

ଥୋତୁକୁଡି ଜିଲ୍ଲା କଲେକ୍ଟର ସନ୍ଦିପ୍‌ ନାନ୍ଦୁରି କହିଛନ୍ତି ଯେ, ମିନାକ୍ଷୀପୁରମ୍‌କୁ ଫେରିବା ପାଇଁ ଯେଉଁ ବ୍ୟକ୍ତିମାନେ ଇଚ୍ଛା ପ୍ରକାଶ କରିବେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ । “ଜଳ ଆଉ ସମସ୍ୟା ହୋଇ ରହିନାହିଁ। ଏହା ସମସ୍ୟା ହୋଇଥିଲେ ମଧ୍ୟ ଆମେ ନିୟମିତ ଜଳ ଯୋଗାଣର ବ୍ୟବସ୍ଥା କରିବୁ । ମୁଁ କେବଳ ଏହା କହିପାରିବି ଯେ, ଯେଉଁମାନେ ମଧ୍ୟ ଏହି ଗ୍ରାମ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି, ସେମାନେ ଏହିପରି କେବଳ ଏକ ଉନ୍ନତ ଜୀବନଧାରଣ ପନ୍ଥା ପାଇବା ଆଶାରେ କରିଛନ୍ତି ଓ ସେଠାରେ ରହିଯାଇଛନ୍ତି । ଏହା ସ୍ୱାଭାବିକ ଯେ ସେମାନେ ପୁନଃସ୍ଥାପିତ ହେବା ପାଇଁ ନିଶ୍ଚିତଭାବେ ଇଚ୍ଛା ପ୍ରକାଶ କରିବେ ନାହିଁ ।

ଏପଟେ, କାଳେ କୌଣସି ଚମତ୍କାର ହେବ, ସେହି ଆଶାରେ କାଣ୍ଡାସାମୀ ନିଜ ଘରର ବାରଣ୍ଡା ଉପରେ ବସି ଘଣ୍ଟା ଘଣ୍ଟା ସମୟ ଶୂନ୍‌ଶାନ୍‌ ରାସ୍ତା ଓ ପରିତ୍ୟକ୍ତ ଜମି ଆଡକୁ ଚାହିଁ ରହୁଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍


This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Kavitha Muralidharan

Kavitha Muralidharan is a Chennai-based independent journalist and translator. She was earlier the editor of 'India Today' (Tamil) and prior to that headed the reporting section of 'The Hindu' (Tamil). She is a PARI volunteer.

Other stories by Kavitha Muralidharan