html ବୀରଭୂମର କ୍ଷୀଣ ହୋଇ ଆସୁଥିବା ଶବ୍ଦ ଜଳ, ଜଙ୍ଗଲ, ଜମି

ଛତିନାକୁ ଯିବା ବେଳେ ଲାଗେ ସତେ ଯେମିତି ଏହାର ପାଣି, ପବନ, ରାସ୍ତା, ଘର, କାନ୍ଥ ସବୁଠି ଭରି ରହିଛି ସରଳ ସୁନ୍ଦର ସଂଗୀତ। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏହି ଆଦିବାସୀ ଗାଁ ଦାଣ୍ଡ ଦିନେ ସାନ୍ତାଳ ଆଦିବାସୀଙ୍କର ବନମ୍ ଏବଂ ଗାବଗୁବିର ସୁମଧୁର ଶବ୍ଦରେ ଝୁମି ଉଠୁଥିଲା।

ହେଲେ ଏବେ ସେହି ତାଳ, ସଂଗୀତ କ୍ଷୀଣ ହେବାରେ ଲାଗିଛି।

“ଆମେ ଆମର ପରବମାନଙ୍କରେ ବେଶୀରେ ଏଇ ସବୁ ବାଦ୍ୟ ବଜାଉ,” କହନ୍ତି ରାଜନଗର ବ୍ଲକ୍‌ ଗୁଲାଲଗାଛି ଗାଁର ଏହି ମୁଖ୍ୟ ସାନ୍ତାଳି ବସ୍ତିରେ ରହୁଥିବା ୪୨ବର୍ଷୀୟ ଗଣେଶ ସୋରେନ୍। ଜଣେ କୃଷି ଶ୍ରମିକ ଏବଂ ବନମ୍ ବାଦକ, ସେ ପ୍ରକୃତରେ ଡବଲ୍-ଷ୍ଟ୍ରିଙ୍ଗ୍ ଗାବଗୁବିର ଏକ ନିର୍ଦ୍ଦିଷ୍ଟ ସଂସ୍କରଣ ସୃଷ୍ଟି କରିଥିଲେ ଯାହା ସେ ମଧ୍ୟ ବଜାନ୍ତି। ଗୋଟିଏ ଷ୍ଟ୍ରିଙ୍ଗ୍ ଥିବା ବନମ୍ ସାନ୍ତାଳୀ ଏବଂ ଅନ୍ୟ ଆଦିବାସୀ ସମୁଦାୟ ପାଇଁ ମଧ୍ୟ ମହାନ ଐତିହାସିକ ଏବଂ ସାଂସ୍କୃତିକ ମହତ୍ତ୍ୱ ବହନ କରୁଥିବା ଏକ ପୁରାତନ ବାଦ୍ୟଯନ୍ତ୍ର ।

ଏହି ଭିଡିଓରେ ବନମ୍ ଏବଂ ଗାବଗୁବି ବାଦନ ଶୁଣନ୍ତୁ

ତାଙ୍କ ପାଇଁ, ଏହି ଶବ୍ଦ ସ୍ୱାଧୀନତା ଏବଂ ଜଳ, ଜଙ୍ଗଲ, ଜମି ପାଇଁ ସାନ୍ତାଳୀମାନଙ୍କ ସଂଘର୍ଷକୁ ପ୍ରତିଫଳିତ କରେ - ସେହି ସମସ୍ୟାଗୁଡ଼ିକ ପାଇଁ ଆଜି ବି ସାନ୍ତାଳୀମାନେ ଲଢ଼େଇ କରୁଛନ୍ତି। 

ଛତିନାର ଆଉ ଜଣେ କୃଷି ଶ୍ରମିକ ୪୬ ବର୍ଷିୟ ହୋପନ୍ ସୋରେନ୍ କୁହନ୍ତି, “ଆମେ ସିଦ୍ଧୁ-କାହ୍ନୁ ମେଳାରେ ବନମ୍ ବଜାଇଛୁ। ଏହି ପର୍ବଟି ସିଦ୍ଧୁ ମୁର୍ମୁ ଏବଂ କାହ୍ନୁ ମୁର୍ମୁଙ୍କ ନାମରେ ନାମିତ ହୋଇଛି - ସେ ଦୁଇ ଜଣ ହେଉଛନ୍ତି ସାନ୍ତାଳ ନେତା ଯେଉଁମାନେ ୧୮୫୫ ମସିହାରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ମହାନ ହୁଲ (ବିଦ୍ରୋହ) ର ନେତୃତ୍ୱ ନେଇଥିଲେ। ସେମାନଙ୍କୁ ଯିଏ ଧରା ପକାଇ ଦେବ ତା ପାଇଁ ବ୍ରିଟିଶ ସରକାର ୧୦,୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ - ସେହି ସମୟରେ ଏହା ଏକ ବିପୁଳ ରାଶି ଥିଲା- ଏଥିରୁ ସ୍ପଷ୍ଟ ହୁଏ ଯେ ସେମାନଙ୍କ ଆହ୍ୱାନ କେତେ ଗମ୍ଭୀର ଥିଲା । ଏହି ବିଦ୍ରୋହରେ ବହୁ ସଂଗ୍ରାମୀ ଲହୁ ଲୁହାଣ ହୋଇଥିଲେ। ୬୦,୦୦୦ ଧନୁ ତୀରଧାରୀ ସାନ୍ତାଳମାନଙ୍କ ମଧ୍ୟରୁ ଅତି କମ୍‌ରେ ୧୫,୦୦୦ ଜଣଙ୍କୁ ବ୍ରିଟିଶମାନେ ଗୁଳି କରି ହତ୍ୟା କରିଥିଲେ। ସେହି ସଂଗ୍ରାମୀମାନଙ୍କ ସମ୍ମାନାର୍ଥେ ଏହି ଉତ୍ସବରେ ବନମ୍ ବାଦନ କରାଯାଇ ସେମାନଙ୍କର ସ୍ମୃତିଚାରଣ କରାଯାଏ। 

ହୋପନ୍ ସୋରେନ୍ କୁହନ୍ତି, “ଆମ ପିଲାଦିନରେ ଜଣାଶୁଣା ବନମ୍ ବାଦକ ଥିଲେ ଯାହାଙ୍କୁ ଆମେ ରେଡିଓରେ ଶୁଣୁଥିଲୁ। ସେମାନଙ୍କୁ ଦେଖି ଏବଂ ସେମାନେ ତିଆରି କରିଥିବା ଶବ୍ଦ ଏବଂ ସଂଗୀତ ଅନୁସରଣ କରି ଆମେ ଏହି ବାଦ୍ୟଯନ୍ତ୍ର ବନେଇଲୁ ଏବଂ ବଜାଇବା ଶିଖିଲୁ। ”

ଗଣେଶ ସୋରେନ ମଧ୍ୟ ଗାବ୍‌ଗୁବିକୁ ନେଇ ବିଗତ ଦିନର କଥା ମନେ ପକାନ୍ତି।  ତାଙ୍କ ପାଇଁ, ତାଙ୍କ ସୃଷ୍ଟିର ସ୍ୱର ସ୍ୱାଧୀନତା ଏବଂ ଜଳ, ଜଙ୍ଗଲ, ଜମି ପାଇଁ ସାନ୍ତାଳମାନଙ୍କ ସଂଗ୍ରାମକୁ ପ୍ରତିଫଳିତ କରେ - ସେହି ସବୁ ସମସ୍ୟା ଆଜି ବି ଲାଗି ରହିଛି। ଉଭୟ ଗଣେଶ ଏବଂ ହୋପନ୍ ସ୍ଥାନୀୟ ଜମିଦାରଙ୍କ ଜମିରେ କାମ କରନ୍ତି। ଯଦିଓ ଏହି ଅଞ୍ଚଳରେ ସରକାର ଦିନ ମଜୁରିଆଙ୍କର ମଜୁରି ୨୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି, ଏବଂ କାଗଜପତ୍ରରେ ମଧ୍ୟ ସେହି ପରିମାଣ ଲେଖାଯାଉଛି, କିନ୍ତୁ ଅନେକ ଦିନ ହେଲାଣି ଏହି ଶ୍ରମିକମାନେ ଦିନକୁ ୧୦୦-୨୦୦ ଟଙ୍କା ହିଁ ପାଇ ଆସୁଛନ୍ତି। । ଯଦି କାଁ ଭାଁ କେଉଁ ଦିନ ମିସ୍ତ୍ରୀ କାମ ମିଳୁଛି ତେବେ ସେଦିନ ସେମାନେ ୨୬୦ ଟଙ୍କା ମଜୁରି ପାଉଛନ୍ତି। ପଶ୍ଚିମବଙ୍ଗରେ ମନରେଗା ମଜୁରି ୨୪୦ ଟଙ୍କା, କିନ୍ତୁ ବାସ୍ତବରେ ଶ୍ରମିକମାନେ ଏହି କାମ ପାଇଁ ୧୮୨-୨୦୨ ଟଙ୍କା ପାଉଛନ୍ତି। ହେଲେ ବର୍ଷକରେ ଅତି ବେଶୀରେ ମାତ୍ର ୨୫ ଦିନ ସେମାନେ ଏଭଳି କାମ ପାଇଥାନ୍ତି। 

Left: Hopon Soren sitting next to his mother, cradling his creation, an intricate wooden banam. Right: A banam made by Hopon’s elder brother
PHOTO • Sayani Chakraborty
Left: Hopon Soren sitting next to his mother, cradling his creation, an intricate wooden banam. Right: A banam made by Hopon’s elder brother
PHOTO • Sayani Chakraborty

ବାମ: ହୋପନ୍ ସୋରେନ୍ ତାଙ୍କ ମା ମୈନୋ ସୋରେନ୍‌ଙ୍କ ପାଖରେ ବସି କାଠର ବନମ୍ ଧରିଛନ୍ତି

ଡାହାଣ: ହୋପନ୍‌ଙ୍କ ବଡ଼ ଭାଇ ମୁସୁରି ସୋରେନ୍‌ଙ୍କ ଦ୍ୱାରା ତିଆରି କରାଯାଇଥିବା ଏକ ବନମ୍

ସ୍ଥାନୀୟ ଲୋକ ମୋତେ କହିଲେ, ଏହି ଅଞ୍ଚଳରେ (ଅଣ- ମନରେଗା) ମଜୁରି ଦର ଅଧିକ ଥିଲା କିନ୍ତୁ ବର୍ଷ ପରେ ବର୍ଷ ଏହା କମ୍ ହେବାରେ ଲାଗିଛି। ୨୦୧୧ରେ କିମ୍ବା ତା’ ପରେ ଏହା ୨୪୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏବଂ ଧୀରେ ଧୀରେ କମ୍‌ ହୋଇ ଆସୁଥିବା ଏହି ଦର କୋଭିଡ୍-୧୯ ମହାମାରୀ ଏବଂ ଲକ୍‌ଡାଉନ୍ ଯୋଗୁଁ ସଂପୂର୍ଣ୍ଣ ଭାବରେ ହ୍ରାସ ପାଇଛି। ତେବେ, ଭଲ ମୌସୁମୀ ଏବଂ ବର୍ତ୍ତମାନ ଚାଷକାମ ଚାଲିଥିବା ଯୋଗୁଁ, କିଛି ଦିନ କିମ୍ବା ସପ୍ତାହ ପାଇଁ ପୁଣିଥରେ ମଜୁରି ୨୪୦ ଟଙ୍କା ହୋଇପାରେ।   

ପ୍ରତ୍ୟେକ ବନମ୍ ଏବଂ ଗାବ୍‌ଗୁବି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ନିର୍ମାଣ କରାଯାଇଥାଏ ଏବଂ ଏହା କଳାକାରର ବ୍ୟକ୍ତିଗତ ସୃଜନଶୀଳତାକୁ ପ୍ରତିଫଳିତ କରିଥାଏ । ତେଣୁ ବାଦ୍ୟର ବାହ୍ୟ ଆକାର ଏବଂ ଗଠନ ଏହାକୁ ନିର୍ମାଣ କରୁଥିବା ଏବଂ ବଜାଉଥିବା କଳାକାରଙ୍କ ଚରିତ୍ର ଅନୁଯାୟୀ ଭିନ୍ନ ହୋଇଥାଏ। ହୋପନ୍ ସୋରେନ୍‌ଙ୍କ ବନମ୍ ବଙ୍କା ଧାର ଥିବା କୁରାଢ଼ୀ ଏବଂ ନିହଣ (ଚିଜେଲ୍) ଭଳି ଉପକରଣ ବ୍ୟବହାର କରାଯାଇ କାଠରେ ଅତି ସୂକ୍ଷ୍ମଭାବରେ ତିଆରି କରାଯାଇଛି।

ଗଣେଶ ସୋରେନ୍‌ଙ୍କ ବନମ୍‌ରେ ଏକ ଚମତ୍କାର ସୌନ୍ଦର୍ଯ୍ୟ ରହିଛି ଏବଂ ଏହା ନଡ଼ିଆର ସଢ଼େଇ, ପଶୁ ଚମଡ଼ା - ଏବଂ ଏପରିକି ଏକ ଛତା ବାଡ଼ିରୁ ସଂଗୃହୀତ ସାମଗ୍ରୀଗୁଡ଼ିକ ବ୍ୟବହାର କରି ତିଆରି ହୋଇଛି। 

କୋଲକାତାର ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ଆଦିବାସୀ ସଂଗୀତ ବିଶେଷଜ୍ଞ ଡକ୍ଟର ନିବେଦିତା ଲାହିରିଙ୍କ କହିବା ଅନୁଯାୟୀ, “ବନମ୍ ହେଉଛି ଏକ ସିଙ୍ଗଲ୍ ଷ୍ଟ୍ରିଙ୍ଗ୍ ବାଦ୍ୟଯନ୍ତ୍ର ଯାହା ବୋଧହୁଏ ଭାଓଲିନ୍‌ ପରିବାରର ଅଟେ, ଯାହା ଏକ ଧନୁ ଦ୍ୱାରା ବଜାଯାଇପାରିବ ଏବଂ ଏଥିରୁ ଏକ ପ୍ରଭାବଶାଳୀ ଶବ୍ଦ ବାହାରେ। ଏହା ଏକ କୋର୍ଡୋଫୋନ୍ ଯାହା ହାତରେ ସିଧାସଳଖ ବଜାଯାଇପାରିବ ନାହିଁ । ଏହା କେବଳ ଷ୍ଟ୍ରିଙ୍ଗ୍ସ କିମ୍ବା ନିର୍ଦ୍ଦିଷ୍ଟ ପଶୁମାନଙ୍କର ଲୋମରେ ନିର୍ମିତ ଛାର୍‌ (ଧନୁ) ସାହାଯ୍ୟରେ ବଜାଯାଇପାରିବ। ଆପଣ ସାରା ପଶ୍ଚିମବଙ୍ଗରେ ଅନେକ ପ୍ରକାରର ବନମ୍ ପାଇପାରିବେ - ଯେପରିକି ଫାଣ୍ଟୋର୍ ବନମ୍, ବେଲେ ବନମ୍ ଏବଂ ଆହୁରି ଅନେକ - ଯେହେତୁ ଏହାର ନିର୍ମାତାମାନେ ଏହାକୁ ନିଜସ୍ୱ, ଅନନ୍ୟ ଶୈଳୀରେ ନିର୍ମାଣ କରନ୍ତି ।”

Top left: Ganesh Soren at his doorstep with his whimsical fantor banam. Top right, bottom left: Ganesh's signature gabgubi, with his son’s dhol as the main part, along with an old Pond’s container. Bottom right: His banam, made with coconut shell covered with hide, fastened to an umbrella handle with nuts and bolts
PHOTO • Sayani Chakraborty

ଉପର ବାମ: ତାଙ୍କର ଅଦ୍ଭୁତ ଫାଣ୍ଟୋର୍ ବନମ୍ ସହ ଗଣେଶ ସୋରେନ୍। ଉପର ଡାହାଣ, ତଳ ବାମ: ଏକ ପୁରୁଣା ପଣ୍ଡ୍‌ସ ଡବା ସହ ମୁଖ୍ୟ ଅଂଶଭାବରେ ତାଙ୍କ ପୁଅର ଢୋଲ ସହ ଗଣେଶଙ୍କର ସିଗ୍‌ନେଚର୍ ଗାବଗୁବି। ତଳ ଡାହାଣ: ନଡ଼ିଆ ସଢ଼େଇରେ ଚମଡ଼ା ଗୁଡ଼ାଇ ତାକୁ ନଟ୍ ଏବଂ ବୋଲ୍ଟ ସାହାଯ୍ୟରେ ଏକ ଛତା ବାଡ଼ିରେ ବାନ୍ଧି ତିଆରି କରାଯାଇଥିବା ତାଙ୍କର ବନମ୍

ଗଣେଶ ସୋରେନଙ୍କ ଗାବଗୁବି ଏକ ଆଦିବାସୀମାନଙ୍କ ଶୈଳୀରେ ତିଆରି କରାଯାଇଛି ଏବଂ ଏହାକୁ ଅନୁସରଣ କରି ବଙ୍ଗଳା ଲୋକ ସଂଗୀତର ଏକ ଲୋକପ୍ରିୟ ଉପକରଣ ଖୋମୋକ୍ ନିର୍ମାଣ କରାଯାଇଛି। ସେ ଏହାକୁ ତିଆରି କରିବା ପାଇଁ ଏକ ଢୋଲ (ଡ୍ରମ୍) ଏବଂ ତାଙ୍କ ପୁଅର ଗୋଟିଏ ଖେଳନା ବ୍ୟବହାର କରିଛନ୍ତି । ସେ କୁହନ୍ତି ଯେ ଏହାର ସ୍ୱର ତାଙ୍କୁ ତାଙ୍କ ପୁଅର ସରଳ ନିରୀହ ଖିଲ୍ ଖିଲ୍ ହସ ମନେ ପକାଇଦିଏ ଏବଂ ଏହାର ତାଳ ଶୁଣିଲେ ଜଙ୍ଗଲ କଥା ମନେପଡ଼େ। ସେ କୁହନ୍ତି, “ମୋ ମନ ଖୁସି  କରିବା ପାଇଁ ମୁଁ ଗତ ୧୫ ବର୍ଷ ଧରି ଉଭୟ ବାଦ୍ୟ ବଜାଉଥିଲି।’’ “ଗୋଟିଏ ସମୟ ଥିଲା ଯେତେବେଳେ ମୁଁ ଦିନସାରା ପରିଶ୍ରମ ପରେ ସନ୍ଧ୍ୟାରେ ବାଜା ବଜାଏ, ବହୁତ ଲୋକ ଶୁଣିବାକୁ ଆସନ୍ତି। କିନ୍ତୁ ଆଜି ସେମାନଙ୍କ ପାଖରେ ଆହୁରି ଅନେକ ଜିନିଷ ଶୁଣିବାର  ବିକଳ୍ପ ଅଛି ଏବଂ ଏହି ପୁରୁଣା ବାଦ୍ୟକୁ ଶୁଣିବାକୁ କେହି ଚାହୁଁ ନାହାଁନ୍ତି।”

ସେମାନଙ୍କ ଗାଁର ଅନେକ ପୁରୁଷ ମିସ୍ତ୍ରୀ ଭାବରେ, କିମ୍ବା ବିଭିନ୍ନ ସହରରେ ଦିନ ମଜୁରିଆ ଭାବରେ କାମ କରନ୍ତି, ଏବଂ ସେମାନଙ୍କ ମଧ୍ୟରୁ କେତେକ ଏବେ ମଧ୍ୟ ନିଜ ପାଖରେ ବନମ୍ ରଖିଥାନ୍ତି। କିନ୍ତୁ ସଂଗୀତର ଏହି ପରମ୍ପରାକୁ ଶିଖିବା ଉପରେ ଅନେକ ଧ୍ୟାନ ଧ୍ୟାନ ଦେଉ ନାହାଁନ୍ତି ବୋଲି ଗଣେଶ ଏବଂ ହୋପନ୍ କୁହନ୍ତି । ହୋପନ୍ କୁହନ୍ତି, “ଏହି ଅନନ୍ୟ ଧ୍ୱନି ସୃଷ୍ଟି କରିବା ପାଇଁ ଆବଶ୍ୟକ ଜ୍ଞାନ ଏବଂ କାରିଗରୀ ଗାଁ ଏବଂ ସମ୍ପ୍ରଦାୟରେ ବହୁତ କମ୍ ଲୋକ ଜାଣିଛନ୍ତି।

ଗଣେଶ କୁହନ୍ତି, “ଆମ ସ୍ଥାନୀୟ ସ୍କୁଲମାନଙ୍କରେ ଶିକ୍ଷାଦାନ କରିବା ପାଇଁ କିଛି ଆଗ୍ରହୀ ଛାତ୍ର ରହିବା ଦରକାର। କିନ୍ତୁ, ବର୍ତ୍ତମାନ ପୀଢ଼ିରେ ଷ୍ଟ୍ରିମ୍‌ଡ ମ୍ୟୁଜିକ୍ ଏବଂ ମୋବାଇଲ୍ ଆପ୍‌ଗୁଡ଼ିକ ଅଧିକ ଲୋକପ୍ରିୟ ହେବାରେ ଲାଗିଛି, ସବୁ କାମ ଗୋଟିଏ କ୍ଲିକ୍‌ରେ ହୋଇଯାଉଛି। ଏଭଳି ପରିସ୍ଥିତିରେ ବନମ୍ ପ୍ରତି ସେମାନଙ୍କ ଆଗ୍ରହ ରହିବ କେମିତି? 

ତେବେ ଗଣେଶ କିମ୍ବା ହୋପନ୍‌ଙ୍କ ପାଖରେ ସେଲ୍‌ଫୋନ୍ ନାହିଁ କିମ୍ବା କିଣିବାର କ୍ଷମତା ମଧ୍ୟ ନାହିଁ। 

ଉଭୟ ଗଣେଶ ଏବଂ ହୋପନ୍ ମଧ୍ୟ ସେମାନଙ୍କର ପ୍ରିୟ ବନମ୍‌ର ଲୋକପ୍ରିୟତା ହ୍ରାସକୁ ନିଜ ଆର୍ଥିକ ପରିସ୍ଥିତି ସହିତ ଜଡ଼ିତ କରିଛନ୍ତି । ସେମାନେ ଗରିବ କୃଷି ଶ୍ରମିକ, ଅଳ୍ପ ଟଙ୍କା ପାଇଁ ଅଧିକ ଘଣ୍ଟାର ପରିଶ୍ରମ କରନ୍ତି । ଗଣେଶ କୁହନ୍ତି, "ଯଦି ମୁଁ ବନମ୍ ବଜାଇବି, ତେବେ ମୋର ପୁରା ପରିବାର ଭୋକରେ ରହିବେ।"

“ଶବ୍ଦରେ ଆମ ଭୋକ ମେଣ୍ଟିବ ନାହିଁ,” ହୋପନ୍ କୁହନ୍ତି। 

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sayani Chakraborty
chakrabortysayani2663@gmail.com

Sayani Chakraborty is currently pursuing master’s in journalism and mass-communication from Visva-Bharati University. She is interested in documenting India's tribal culture and heritage.

Other stories by Sayani Chakraborty