‘‘ମୋର ଅବ୍ବୁ (ବାପା) ଜଣେ ମଜୁରିଆ ଥିଲେ, କିନ୍ତୁ ମାଛ ଧରିବାକୁ ସେ ଭଲ ପାଉଥିଲେ। ସେତେବେଳେ... ସେ ଗୋଟିଏ ଦିନ କାମକୁ ଗଲେ ଯେମିତି ହେଉ ଗୋଟିଏ କିଲୋଗ୍ରାମ ଚାଉଳ ପାଇଁ ଟଙ୍କା ଯୋଗାଡ଼ କରି ନେଉଥିଲେ... ତା’ପରେ ତାଙ୍କର କାମ ସରି ଯାଉଥିଲା! ମୋ ଅମ୍ମି (ମା’)ଙ୍କୁ ସବୁକିଛି ବୁଝିବାକୁ ହେଉଥିଲା,’’ କୋହିନୁର ବେଗମ ବେଲଡାଙ୍ଗାର ଉତ୍ତରପାଡ଼ା ଅଞ୍ଚଳରେ ଥିବା ନିଜ ଘର ଛାତ ଉପରେ ବସି ଏକଥା କହିଥାନ୍ତି ।
‘‘ଆଉ କଳ୍ପନା କରନ୍ତୁ, ସେହି ଗୋଟିଏ କିଲୋଗ୍ରାମ ଚାଉଳରେ ମୋ ଅମ୍ମିଙ୍କୁ ନିଜର ଚାରି ଜଣ ପିଲା, ଆମ ଦାଦି (ଜେଜେ ମା’), ମୋ ବାପା, ଆଉ ଜଣେ ପିଉସୀ ଓ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ହେଉଥିଲା।’’ କିଛି ସମୟ ପର୍ଯ୍ୟନ୍ତ ନିରବ ରହିବା ପରେ ସେ ପୁଣି କୁହନ୍ତି, ‘‘ଏହାକୁ ବାଦ୍ ଦେଲେ, ଅବ୍ବୁ ବେଳେବେଳେ ମାଛଙ୍କୁ ଖୁଆଇବା ପାଇଁ କିଛି ଭାତ ମାଗି ନେବା ଲାଗି ସାହସ କରୁଥିଲେ। ଏ ଲୋକଟି ପାଇଁ ଆମେ ଅନେକ ସମୟରେ ଚିନ୍ତାରେ ପଡ଼ିଯାଉଥିଲୁ!’’
୫୫ ବର୍ଷୀୟା କୋହିନୁର ଆପା (ଭଉଣୀ) ଏଠାରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଜାନକୀ ନଗର ପ୍ରାଥମିକ ବିଦ୍ୟାଳୟରେ ଜଣେ ମଧ୍ୟାହ୍ନ ଭୋଜନ ପାଚିକା ଭାବେ କାର୍ଯ୍ୟରତ। ଖାଲି ସମୟରେ, ସେ ବିଡ଼ି ବାନ୍ଧି ଥାନ୍ତି ଏବଂ ଏହି କାମରେ ନିୟୋଜିତ ଅନ୍ୟ ମହିଳାଙ୍କ ପାଇଁ ଆନ୍ଦୋଳନ କରିଥାନ୍ତି। ମୁର୍ଶିଦାବାଦରେ, ସବୁଠୁ ଗରିବ ମହିଳାମାନେ ବିଡ଼ି ବାନ୍ଧିବା କାମ କରିଥାନ୍ତି - ଯାହାକି ଏକ କଷ୍ଟଦାୟକ କାର୍ଯ୍ୟ। ଅତି କମ୍ ବୟସରୁ ଲଗାତାର ତମାଖୁ ସଂସ୍ପର୍ଶରେ ଆସିବା କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପ୍ରତି ଗମ୍ଭୀର ବିପଦ ଦେଖା ଦେଇଥାଏ। ପଢ଼ନ୍ତୁ : ଧୂଆଁରେ ବିପନ୍ନ: ମହିଳା ବିଡ଼ି ଶ୍ରମିକଙ୍କ ସ୍ୱାସ୍ଥ୍ୟ
କୋହିନୁର ଆପା ବିଡ଼ି ଶ୍ରମିକଙ୍କ ପାଇଁ ଏକ ଆନ୍ଦୋଳନରେ ଯୋଗ ଦେଇ ଫେରିବା ପରେ ଏହି ରିପୋର୍ଟର ୨୦୨୧ ଡିସେମ୍ବର ମାସର ଏକ ସକାଳେ ତାଙ୍କୁ ଭେଟିଥିଲେ। କିଛି ସମୟ ପରେ ସାମାନ୍ୟ ଫୁରସତରେ ସେ ଆମକୁ ନିଜର ପିଲାଦିନ ବିଷୟରେ କହିଥିଲେ । ଏପରିକି ନିଜେ ପ୍ରସ୍ତୁତ କରିଥିବା ଏକ ଗୀତ ଗାଇଥିଲେ - ଏହି ଗୀତଟି ବିଡ଼ି ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମ ଓ ଶୋଷଣକାରୀ କାର୍ଯ୍ୟ ସ୍ଥିତି ଉପରେ ଆଧାରିତ ଥିଲା।
କୋହିନୁର ଆପା କହିଥିଲେ ଯେ, ସେ ଯେତେବେଳେ ଛୋଟ ପିଲା ଥିଲେ ତାଙ୍କ ପରିବାରର ଦୁର୍ବଳ ଆର୍ଥିକ ପରିସ୍ଥିତି କାରଣରୁ ଘରେ ଅନେକ ସମୟରେ କଳହ ସୃଷ୍ଟି ହେଉଥିଲା। ତାଙ୍କ ଭଳି ଛୋଟ ଝିଅ ପାଇଁ ଏହା ଅସହନୀୟ ଥିଲା। ‘‘ମୋତେ ସେତେବେଳେ ମାତ୍ର ୯ ବର୍ଷ ହୋଇଥିଲା,’’ ସେ କୁହନ୍ତି। ‘‘ଦିନେ ସକାଳୁ, ଘରେ ସ୍ୱାଭାବିକ ଝଗଡ଼ା ଚାଲିଥିବା ବେଳେ, ମୋ ଅମ୍ମି କୋଇଲା, ଗୋବର ଘସି ଓ କାଠରେ ମାଟି ଚୁଲି ଜାଳିବାକୁ ପ୍ରସ୍ତୁତି କରୁଥିଲେ। ରୋଷେଇ କରିବା ପାଇଁ ତାଙ୍କ ପାଖରେ ଆଦୌ ଚାଉଳ ନଥିଲା।






