“ଯଦି ଆମେ ପ୍ରତିଦିନ କାମ କରିବୁ, ତେବେ ଯାଇ ଖାଇବାକୁ ପାଇବୁ,” ବୋଲି ବେଙ୍ଗାଲୁରୁରୁ ନଭେମ୍ବର ୪ ରେ ଡି.ନାରାୟଣାପ୍ପା ଫେରିବା ପରେ କହିଲେ । ଏହି ଗ୍ରାମର ଅନ୍ୟ ଦଳିତଙ୍କ ପରି, ସେ ମଧ୍ୟ ବର୍ଷର ପ୍ରାୟ ସମୟରେ ନିର୍ମାଣ ସାଇଟ୍‌ରେ କାମ କରିବା ପାଇଁ ସହରକୁ ଯାଇଥାନ୍ତି ଓ ମଝିରେ ମଝିରେ କିଛି ଦିନ ପାଇଁ ଘରକୁ ଆସନ୍ତି ।

କିନ୍ତୁ ନଭେମ୍ବରରେ, ପ୍ରବାସୀମାନେ ଅନନ୍ତପୁରର ରୋଦ୍ଦାମ ମଣ୍ଡଳରେ ଅବସ୍ଥିତ ସେମାନଙ୍କ ଗ୍ରାମ ରୋଦ୍ଦାମରେ ପ୍ରାୟ ଏକ ମାସ ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାନ୍ତି । ଏହି ମାସରେ, ଅନ୍ୟମାନଙ୍କ ଭଳି, ନାରୟଣାପ୍ପା ମଧ୍ୟ ଅଧିକ କିଛି  ଆୟ ହେବା ପାଇଁ ବୁଚର୍ଲାର କୃଷି କ୍ଷେତ୍ରରେ କାମ କରିଥାନ୍ତି । କିଛି ନକରି ଏହି ସମୟରେ ବସି ରହିବା କୌଣସି ବିକଳ୍ପ ନୁହେଁ ।

PHOTO • Rahul M.

‘ଆମେମାନେ ଆମ୍ବେଦକରଙ୍କ ଲୋକ,’ ବୋଲି ବୁଚର୍ଲାରେ ନିଜ ଘରେ ଥିବା ଡି.ନାରୟଣାପ୍ପା ବର୍ଣ୍ଣନା କରି କୁହନ୍ତି ଯେ କାହିଁକି ତାଙ୍କ ସମ୍ପ୍ରଦାୟକୁ ଅନୌପଚାରିକ ଭାବେ ଟଙ୍କା ଉଧାରରେ ଆଣିବା ପାଇଁ ଅସୁବିଧା ସମ୍ମୁଖୀନ ହେବାକୁ ପଡେ

ନଭେମ୍ବରରେ ପ୍ରବାସୀମାନେ ସାଧାରଣତଃ କିଛି ସମୟ ଖୁସିରେ ବିତେଇବା ପାଇଁ ଆସନ୍ତି। ସେମାନେ ଯାହା କିଛି ସଞ୍ଚୟ କରିଥାନ୍ତି, ତାହା ନେଇ ପୁରୁଷାନୁକ୍ରମେ ଚାଲି ଆସୁଥିବା ଏକ ଉତ୍ସବ-ଶାନ୍ତି ପାଳନ କରିବା ପାଇଁ ଆସନ୍ତି । ଉତ୍ସବ ସମୟରେ, ବୁଚୁର୍ଲାର ଏସ୍‌ସି (ଅନୁସୂଚିତ ଜାତି) କଲୋନୀରେ ରହୁଥିବା ପ୍ରାୟ ୧୫୦ପରିବାର ବିଭିନ୍ନ ପ୍ରକାରର ପାରମ୍ପରିକ ପ୍ରଥା ପାଳନ କରନ୍ତି ଯାହା ସେମାନଙ୍କୁ ମହାମାରୀରୁ ସୁରକ୍ଷା ପ୍ରଦାନ କରିବ ବୋଲି ସେମାନେ ବିଶ୍ୱାସ କରନ୍ତି । ଏହି ସମୟରେ ସେମାନେ ପଦ୍ଦମ୍ମା ଦେବୀଙ୍କ ଉଦ୍ଦେଶ୍ୟରେ ବଳଦ ଓ ମେଣ୍ଡା ବଳି ଦେଇଥାନ୍ତି । ଏହି ସମସ୍ତ ପ୍ରଥା ପାଳନ କରାଯିବା ପରଦିନ ଏକ ଭୋଜିର ଆୟୋଜନ କରାଯାଏ ଯେଉଁଠି ବଳି ଦିଆଯାଇଥିବା ପଶୁର ମାଂଶ ରନ୍ଧା ହୋଇ ପରଷାଯାଏ।

ଚଳିତ ବର୍ଷ, ନଭେମ୍ବର ୨୯ ରେ ବଳି ଦିଆଯିବ ବୋଲି ସ୍ଥିର କରାଯାଇଛି । ପ୍ରବାସୀମାନେ ନିଜର ସଞ୍ଚିତ ଟଙ୍କା ସହିତ ଉତ୍ସବରେ ଯୋଗ ଦେବା ପାଇଁ ଘରକୁ ଫେରିବା ଆରମ୍ଭ କଲେଣି ।

ଗ୍ରାମରେ ନଗଦ ଟଙ୍କାର ଉତ୍କଟ ଅଭାବ ସହିତ  ଦୁର୍ବଳ ମୌସୁମୀ ପରେ ଭୂଇଁଚଣା ଓ ମଲ୍‌ବେରୀ ଆଦାୟ ହ୍ରାସ ପାଇବା ତଥା ହ୍ରାସ ବୃଦ୍ଧି ହେଉଥିବା ମୂଲ୍ୟ ଯୋଗୁଁ ରୋଦ୍ଦାମରେ କୃଷକମାନଙ୍କ ଆୟ ହ୍ରାସ ପାଇଛି । ନିୟମିତ ଭାବେ ଶ୍ରମିକ ନିୟୋଜିତ କରିବାକୁ ସେମାନେ ସମର୍ଥ ହୋଇ ପାରୁନାହାନ୍ତି । ତାଙ୍କ ଗ୍ରାମରେ ଥିବା ବିଭିନ୍ନ ଜାତିର କୃଷି ଶ୍ରମିକମାନଙ୍କୁ ନଭେମ୍ବରରେ ୧୫ଦିନ ହେବ ସେମାନଙ୍କ  ଦୈନିକ ମଜୁରି ପ୍ରଦାନ କରାଯାଇପାରିନି – ପୁରୁଷଙ୍କ ପାଇଁ ୧୫୦ ଟଙ୍କା ଓ ମହିଳାଙ୍କ ପାଇଁ ୧୦୦ଟଙ୍କା  ।

କାନ୍ଥରେ ଥିବା ଲେଖା : କାମଧନ୍ଦା ନଥିବା ଜଣେ ଦଳିତ ବୁଚର୍ଲା ରେସନ୍‌ ଷ୍ଟୋର ଆଗରେ ଶୋଇଛି.: ବିଡମ୍ବନା ଏହା ଯେ କାନ୍ଥରେ ବୃତ୍ତି ହରାଇଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ସହାୟତା ଉପଲବ୍ଧ କରିବା  ନମ୍ବର ପେଣ୍ଟ କରାଯାଇଛି

କୌଣସି କାମଧନ୍ଦା ନଥାଇ ନଭେମ୍ବର ମାସ ବିତେଇବା ପାଇଁ ଓ ଶାନ୍ତି ଉତ୍ସବ ପାଳନ କରିବାକୁ ସମର୍ଥ ହେବା ପାଇଁ, ଦଳିତମାନେ ସ୍ୱାଭାବିକ ଠାରୁ ଅଳ୍ପ ଖାଦ୍ୟ ଖାଉଛନ୍ତି । “ଆମ ପାଖରେ ଯାହା ଚାଉଳ ଅଛି ତାହା ଆମକୁ ଆଉ କିଛି ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରି କାମ ଚଳେଇବାକୁ ହେବ,” ବୋଲି ଜଣେ କୃଷି ଶ୍ରମିକ ହନୁମକ୍କା କୁହନ୍ତି । ନଭେମ୍ବରରେ ତାଙ୍କ ପରିବାର, ଏସ୍‌ସି କଲୋନୀରେ ରହୁଥିବା ତାଙ୍କ ଭଳି ଅନ୍ୟ ୬୦୦ ଦଳିତ ପରିବାରକୁ ପ୍ରତିଦିନି ଅଳ୍ପମାତ୍ରାରେ ଭୋଜନ କରିବାକୁ ହେବ ଓ ସାପ୍ତାହିକ ମାଂସ ଭୋଜନ ବାଦ୍‌ ଦେବାକୁ ହେବ ।

ନାରୟଣାପ୍ପାଙ୍କ ପରିବାରରେ ସାତଜଣ ସଦସ୍ୟ ଅଛନ୍ତି – ତାଙ୍କ ସ୍ତ୍ରୀ, ଦୁଇ ପୁଅ, ସେମାନଙ୍କ ସ୍ତ୍ରୀମାନେ ଓ ଏକ ଦୁଇ ବର୍ଷର ନାତୁଣି – ପ୍ରତିମାସରେ ୯୦କେଜି ଚାଉଳ ଓ ୩୦ ସିର୍‌ (ଏକ ସିର୍‌ ଏକ କେଜିରୁ କମ୍‌ ହେବ) ମାଣ୍ଡିଆ ଖାଇଦିଅନ୍ତି । “କିନ୍ତୁ ନଭେମ୍ବର୍‌ରେ ଆମେ କେବଳ ୬୦ କେଜି ପାଖାପାଖି ଚାଉଳ ଓ ୧୦ସିର୍‌ ମାଣ୍ଡିଆ ଖାଇଥାଉ,” ବୋଲି ସେ କୁହନ୍ତି ।

ନାରାୟଣପ୍ପା ବୁଚର୍ଲାଠାରୁ ତିନି କିଲୋମିଟର୍‌ ଦୂରରେ ରୋଦ୍ଦାମରେ ଅବସ୍ଥିତ ଜି.ଆର୍‌.. ରାଘବନ ଦୋକାନରୁ ଚାଉଳ କିଣନ୍ତି –  ୫୦ କେଜିର ଗୋଟିଏ ବସ୍ତାର ମୂଲ୍ୟ ୧୨୦୦ ଟଙ୍କା । “ଅକ୍ଟୋବର୍‌ରେ, ଆମେ ପ୍ରାୟ ୨୦ ବ୍ୟାଗ୍‌ ଚାଉଳ ବିକ୍ରି କରିଛୁ, ପ୍ରତ୍ୟେକର ଓଜନ ୨୫କିଲୋ ହେବ” ବୋଲି ସେ କୁହନ୍ତି । “ଗତ ମାସରେ (ନଭେମ୍ବର)ରେ ଆମେ କେବଳ ୮ -୧୦ ବସ୍ତା ବିକ୍ରି କରିଥିଲୁ।’’

PHOTO • Rahul M.

ଜି.ଆର୍‌. ରାଘବେନ୍ଦ୍ର (ବାମ)  ରୋଦ୍ଦାମ ସ୍ଥିତ ନିଜ ଖାଦ୍ୟ ସାମଗ୍ରୀ ଦୋକାନରେ, ସେ ଆର୍ଥିକ ସଂକଟ ଗ୍ରସ୍ତ ଗ୍ରାହକମାନଙ୍କୁ ପୂର୍ବ ମାସ ତୁଳନାରେ କମ୍‌ ଚାଉଳ ବିକ୍ରି କରିଛନ୍ତି

ରୋଦ୍ଦାମରେ ଥିବା ଅନ୍ୟ ଏକ କିରାଣା ଦୋକାନ, ଯାହା ମଣ୍ଡଳର ୨୧ଟି ଗ୍ରାମକୁ ସେବା ଯୋଗାଇଥାଏ, ସେଠାରେ ମଧ୍ୟ ବିମୁଦ୍ରୀକରଣ ପରେ ବ୍ୟବସାୟ ମାନ୍ଦା ହୋଇଯାଇଛି । “ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବିକ୍ରି ହାର ହ୍ରାସ ପାଇଛି” ବୋଲି ପି. ଅସ୍ୱଥଲକ୍ଷ୍ମୀ, ନାମକ ଗ୍ରାମର ଜଣେ ଦୋକାନୀ କୁହନ୍ତି । “ଆମେ ପ୍ରତି ସପ୍ତାହରେ ତିନି ପେଟି ସାବୁନ୍‌ ବିକ୍ରି କରୁଥିଲୁ । ଡିସେମ୍ବର ପ୍ରଥମ ସପ୍ତାହରେ, ଆମେ ଗୋଟିଏ ପେଟି ମଧ୍ୟ ବିକ୍ରି କରିପାରିନୁ ।’’

ବୁଚର୍ଲା ଏସ୍‌ସି କଲୋନୀ ନିବାସୀମାନେ ରେସନ୍‌ ଦୋକାନରୁ ସେମାନେ ବ୍ୟବହାର କରୁଥିବା ସମୁଦାୟ ଶସ୍ୟର କେବଳ ଗୋଟିଏ ଭାଗ ପାଇଥାନ୍ତି; ବଳକା ସେମାନେ କିଛି ନ ହେଲେ ମାସକୁ ଥରେ ଅଳ୍ପ ମାତ୍ରାରେ କିଣିଥାନ୍ତି –  ଅଧିକ ପରିମାଣରେ କିଣି ଗଚ୍ଛିତ କରି ରଖିବା ପାଇଁ ସେମାନଙ୍କ ସାମର୍ଥ୍ୟ ନାହିଁ । “ଚଳିତ ଥର, ଆମେ କିଛି କିଣିନୁ, ଟଙ୍କା [ ଅଭାବ] କାରଣରୁ [ଓ ରାସନ୍‌ ଦୋକାନରୁ ମିଳିଥିବା ଚାଉଳରେ କାମ ଚଳଉଛୁ],” ବୋଲି ହନୁମକ୍କା କୁହନ୍ତି। ଯିଏ ଗ୍ରାମରେ କାମଧନ୍ଦାର କୌଣସି ସୁଯୋଗ ନଥିବାରୁ ବର୍ତ୍ତମାନ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।

PHOTO • Rahul M.

ହନୁମକ୍କା (ବାମ) ଓ ତାଙ୍କ ଝିଅ, ଉଧାରରେ ରାସନ୍‌ ଦୋକାନରୁ କିଣିଥିବା ଧାନ ସହିତ, ଏଠାରେ ସେମାନେ ଡିସେମ୍ବରରେ ଜିନିଷ ବାବଦକୁ ହୋଇଥିବା ଖର୍ଚ୍ଚ ପରେ ପଇଠ କରିପାରିବେ

ଅଭାବରେ ଚଳିବା ଏହି ଦଳିତ କଲୋନୀ ନିବାସୀଙ୍କ ପାଇଁ କିଛି ନୂଆ କଥା ନୁହେଁ । ଏଠାରେ ରହୁଥିବା ଅନେକ ଲୋକ ୧୯୯୦ ପୂର୍ବରୁ ସେହି ଅଞ୍ଚଳର ବିଭିନ୍ନ ଗ୍ରାମରେ ଗୋତି ଶ୍ରମିକ ଭାବେ କାମ କରୁଥିଲେ । ବର୍ତ୍ତମାନର ପରିସ୍ଥିତି ସେମାନଙ୍କ ମନରେ ସେହି ସମୟର ସ୍ମୃତିଗୁଡିକ ପୁଣି ତାଜା କରିଦେଉଛି । କିନ୍ତୁ, ସେମାନେ କୁହନ୍ତି, ଏଥର ଏହା ଅଧିକ ଗମ୍ଭୀର ନୁହେଁ । “ଏହି ଅଭାବ (ବିମୁଦ୍ରୀକରଣ ଯୋଗୁଁ) ପ୍ରାୟ ୩୦ ବର୍ଷ ପୂର୍ବେ ଏଠାରେ ହୋଇଥିବା ମରୁଡି ପରିସ୍ଥିତିଠାରୁ ଯଥେଷ୍ଟ ଭଲ’’ । ନାରାୟଣାପ୍ପା, ବର୍ତ୍ତମାନ ବୟସ ୪୯ ବର୍ଷ, କୁହନ୍ତି ଯେ “ଯେତେବେଳେ ମୋର ବୟସ ୨୦ ବା ଟିକିଏ ଅଧିକ ଥିଲା, ସେତେବେଳେ ଆମେ କ୍ରମରେ ତିନି ବା ଚାରି ଦିନ ପର୍ଯ୍ୟନ୍ତ ଭୋକ ଉପାସରେ ରହୁଥିଲୁ। ସେତେବେଳେ ବଞ୍ଚି ରହିବା ପାଇଁ ଆମେମାନେ ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରେଇ ରଖୁଥିଲୁ ଓ ତାହା ଖାଉଥିଲୁ ବା ତାଳ ଗଛର କନ୍ଦା ଖାଉଥିଲୁ । ସେହି ସମୟରେ, ମୁଁ ପ୍ରାୟ ୧୪ ବର୍ଷ ପର୍ଯ୍ୟନ୍ତ ଏକ ଜୀଥାଗାଡୁ [ ଜଣେ ଗୋତି ଶ୍ରମିକ] ଭାବେ କାମ କରିଛି’’ ।

ବର୍ତ୍ତମାନ, ପୂର୍ବର ସେହି ଗୋତି ଶ୍ରମିକମାନେ କାମ ଖୋଜିବା ପାଇଁ ପ୍ରତିବର୍ଷ ଅନେକ ମାସ ପର୍ଯ୍ୟନ୍ତ ବାହାରକୁ ପ୍ରବାସରେ ଚାଲି ଯାଉଛନ୍ତି, ବିଶେଷଭାବେ ଗ୍ରାମରେ କୃଷି କ୍ଷେତ୍ରରେ କର୍ମ ସୁଯୋଗ କମିଯିବା ପରେ ସେମାନେ ଚାଲିଯାଆନ୍ତି । ନାରୟଣାପ୍ପାଙ୍କ ପରିବାରର ଅଧିକାଂଶ ସଦସ୍ୟ ପ୍ରବାସରେ ବାଙ୍ଗାଲୁରୁ ଚାଲିଯାଆନ୍ତି  ଓ ୩-୪ମାସରେ ଥରେ ନିଜ ଘରକୁ କିଛି ଦିନ ରହିବାକୁ ଆସନ୍ତି । ସେମାନେ ସାଧାରଣତଃ ସହରରେ ନିର୍ମାଣ ସାଇଟ୍‌ରେ କାମ କରନ୍ତି ଓ ସେମାନେ କାମ କରୁଥିବା କୋଠାର ଉପର ମହଲାରେ ରୁହନ୍ତି ବା ରାସ୍ତା କଡରେ ଥିବା ବଖରାଗୁଡିକରେ ଖୁନ୍ଦାଖୁନ୍ଦି ହୋଇ ରୁହନ୍ତି । କିନ୍ତୁ ସେମାନେ ନିଜର କଠିନ ପରିଶ୍ରମ ବଦଳରେ ପେଟଭରି ଖାଇବା ଯୋଗାଡ଼ କରିବାକୁ ସମର୍ଥ ହୋଇପାରନ୍ତି । “ଆମେ ନିଶ୍ଚିତ ଭାବେ ସପ୍ତାହରେ ଦୁଇଥର ଭୋଜନରେ ମାଂସ ଖାଇଥାଉ,” ବୋଲି ନାରୟଣାପ୍ପା କୁହନ୍ତି । ବିମୁଦ୍ରାକରଣ ପରେ ଏହା ବଦଳି ଯାଇଛି ।

ନଭେମ୍ବର ପ୍ରଥମ ସପ୍ତାହରେ ନାରୟଣାପ୍ପାଙ୍କ ପରିବାର ବୁଚର୍ଲା ଫେରି ଆସିବା ପରେ, କୃଷି କ୍ଷେତ୍ରରେ କାମ କରିବାକୁ କୌଣସି ସୁଯୋଗ ନଥିବାରୁ, ନିଜର ସମସ୍ତ ଖର୍ଚ୍ଚ ତୁଲେଇବା ପାଇଁ ସେମାନଙ୍କୁ ସେମାନଙ୍କ ସଞ୍ଚିତ ରାଶିର ସଦ୍‌ଉପଯୋଗ କରିବାକୁ ହେବ। ଗଚ୍ଛିତ ଥିବା ଶସ୍ୟକୁ ନିଜ ମଧ୍ୟରେ ବାଣ୍ଟି ବା ପରସ୍ପର ଠାରୁ ସଞ୍ଚୟ କରିଥିବା ଟଙ୍କା ଉଧାରରେ ନେଇ ଗ୍ରାମରେ ରହୁଥିବା ଅନ୍ୟ ଜାତିର ଲୋକମାନେ ପରିସ୍ଥିତିର ମୁକାବିଲା କରୁଛନ୍ତି । ନାରାୟଣାପ୍ପାଙ୍କ ଜାତିର ଲୋକମାନଙ୍କ ପାଖରେ ସ୍ୱଳ୍ପ ପରିମାଣରେ ଜିନିଷ ଗଚ୍ଛିତ ହୋଇ ରହିଛି ଓ ସେମାନେ ଗ୍ରାମର ଅନ୍ୟମାନଙ୍କ ଠାରୁ ମଧ୍ୟ ସହଜରେ ଉଧାରରେ କିଛି ଆଣିପାରିବେ ନାହିଁ ।

ଅନୌପଚାରିକ ଭାବେ ସେମାନେ ଗ୍ରାମର ଅନ୍ୟମାନଙ୍କ ଠାରୁ ଉଧାରରେ  ଗଚ୍ଛିତ ଜିନିଷ ବା ଟଙ୍କା ପଇସା କାହିଁକି ଆଣିପାରିବେ ନାହିଁ ତାହା ବର୍ଣ୍ଣନା କରିବାକୁ ଯାଇ “ଆମେମାନେ ହେଉଛୁ ଆମ୍ବେଦକରଙ୍କ ଲୋକ,” ବୋଲି ନାରାୟଣାପ୍ପା କୁହନ୍ତି । ସେ ତାଙ୍କ ଜାତିର ନାମ ନଜଣେଇବାକୁ ଚେଷ୍ଟା କରୁଛନ୍ତି । “ବର୍ତ୍ତମାନ ଆମର ସମ୍ମାନ ଅଛି,” ବୋଲି ସେ କୁହନ୍ତି “ଯଦି କିଏ ଆମକୁ ଖାଦ୍ୟ ପଦାର୍ଥ ଯାଚନ୍ତି, ତେବେ ଆମେ ତାହା ନେଉନୁ । ଆମେ ପେଟ ପୂରା ନଖାଇଥିଲେ ମଧ୍ୟ ସେମାନଙ୍କୁ ଆମେ ପେଟ ଭର୍ତ୍ତି କରି ଖାଇଛୁ ବୋଲି କହିଦେଉ ।

PHOTO • Rahul M.

ନାରାୟଣାପ୍ପାଙ୍କ ଘରେ ତାଲା ପଡିଛି । ତାଙ୍କ ପରିବାର, ଅନ୍ୟମାନଙ୍କ ସହିତ, ସେମାନେ ନିର୍ଦ୍ଧାରିତ କରିଥିବା ସମୟ ସରିବା ପୂର୍ବରୁ ବେଙ୍ଗାଲୁରୁ ଚାଲିଗଲେଣି

ଯେତେବେଳେକି ନାରୟଣାପ୍ପାଙ୍କ ଜାତିର ଅନ୍ୟ ସଦସ୍ୟମାନେ ଅଳ୍ପ ଖାଇ ବିମୁଦ୍ରୀକରଣ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ସହିତ ନିଜକୁ ଖାପଖୁଆଇ ଚଳିବାକୁ ଚେଷ୍ଟା କରୁଛନ୍ତି । କାନରା ବ୍ୟାଙ୍କର ରୋଦ୍ଦାମ ଶାଖାରେ ନଗଦର ଅଭାବ ଯୋଗୁଁ ଗ୍ରାମର ଅନେକ ପରିବାରର ସ୍ଥିତି ଦୋହଲି ଯାଇଥିବା ବେଳେ ଏସ୍‌ସି କଲୋନୀ ନିବାସୀଙ୍କ ପାଇଁ ଏହା ମୁଖ୍ୟ ଚିନ୍ତାର ବିଷୟ ନୁହେଁ । “ଆମ ପାଖରେ ବହୁତ ପଇସା ନାହିଁ । ଆମେ କେବଳ କିଛି କାମ ଚାହୁଁଛୁ,” ବୋଲି ନାରାୟଣାପ୍ପା କୁହନ୍ତି ।

ପରବର୍ତ୍ତୀ ଲେଖା : ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅଧା-ଭୋକିଲା ରହିବା ପରେ, ନାରାୟଣାପ୍ପାଙ୍କ ପରିବାର ଡିସେମ୍ବର ୪ରେ ବେଙ୍ଗାଲୁରୁ ଯିବାକୁ ବାହାରିଗଲେ, ସେମାନେ ନିର୍ଦ୍ଧାରିତ କରିଥିବା ପ୍ରସ୍ଥାନ ସମୟର ତିନି ମାସ ପୂର୍ବରୁ । ପିଲାମାନଙ୍କୁ ବୟସ୍କଙ୍କ ପାଖରେ ଛାଡି ଅନ୍ୟ ଦଳିତ ପରିବାରଗୁଡିକ ମଧ୍ୟ ଚାଲିଯାଇଛନ୍ତି। ବୁଚର୍ଲାର ଏସ୍‌ସି କଲୋନୀ ଯାହା ଗତ ମାସରେ ଉତ୍ସବ ମୁଖର ଓ ଜନପୂର୍ଣ୍ଣ ଥିଲା, ତାହା ଆଜି ଉତ୍ସବ ସରିବାର ଏକ ସପ୍ତାହ ପରେ ପ୍ରାୟତଃ ନିସ୍ତବ୍ଦ ହୋଇଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Rahul M.

Rahul M. is an independent journalist based in Anantapur, Andhra Pradesh, and a 2017 PARI Fellow.

Other stories by Rahul M.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE