ପ୍ରଥମ ଥର ପାଇଁ ମନୱାରା ବେୱାଙ୍କର ପାଛିଆ ଖାଲି ଦେଖାଯାଉଛି । କାରଖାନା ବନ୍ଦ ହୋଇଯାଇଛି, ୨୦ ଦିନରୁ ଅଧିକ ହେବ ମୁନ୍‌ସୀ ନିଖୋଜ, ଏବଂ ପରିବାର ମୁହଁରେ ଖାଦ୍ୟ ଦେବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ମନୱାରା କହନ୍ତି, ସେ ଜାଣନ୍ତି ଯେ ଦେଶର କେତେକ ଭାଗରେ କେତେକ ଲୋକ ଗୋଟିଏ ‘କଳା ଜିନିଷ’ ବିରୋଧରେ ଲଢ଼େଇ କରୁଛନ୍ତି ଏବଂ ଏବଂ ତାହା ହିଁ ତାଙ୍କ ଦୁର୍ଦ୍ଦଶାର କାରଣ ।

୧୭ ବର୍ଷ ଧରି, ୪୫ ବର୍ଷୀୟା ମନୱାରା ବିଡ଼଼ି ମୋଡ଼ି ନିଜ ପରିବାର ପାଇଁ ଉପାର୍ଜନ କରିଆସୁଛନ୍ତି – ୧,୦୦୦ଟି ବିଡ଼ି ତିଆରି କଲେ ୧୨୬ ଟଙ୍କା । ସ୍ବାମୀଙ୍କୁ ହରାଇବା ପରେ ସେ ଏହି କାମ ଆରମ୍ଭ କରିଥିଲେ, ଭୂମିହରା ଦମ୍ପତିଙ୍କର ଦୁଇ ପୁଅ ଥିଲେ, ସାନ ପୁଅଟି ସେତେବେଳେ ମାତ୍ର ୬ ମାସର ହୋଇଥିଲା । ଯୁବ ବୟସରେ ସେ ଦିନକୁ ୨,୦୦୦ ବିଡ଼ି ମୋଡ଼ି ଦେଉଥିଲେ, ଏବେ ସେ ମାତ୍ର ୫୦୦ କରି ପାରୁଛନ୍ତି ।

ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଅନୁସାରେ, ପଶ୍ଚିମବଙ୍ଗର ଘରୋଇ ବିଡ଼ି ଶ୍ରମିକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ମହିଳା । ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ଜାଙ୍ଗୀପୁର ସବ୍‌ଡିଭିଜନ୍‌ରେ ଥିବା ଗୋଟିଏ ବିଡ଼ି ତିଆରି ୟୁନିଟ୍‌ରେ ମୁନ୍‌ସୀ ଭାବେ କାମ କରୁଥିବା ମଣିରୁଲ୍‌ ହକ୍‌ କହନ୍ତି, ‘‘ଏଠାରେ ବିଡ଼ି ତିଆରି ଶିଖି ନ ଥିଲେ, ଜଣେ ଯୁବତୀ ପାଇଁ ଭଲ ସ୍ୱାମୀ ମିଳିବା କଷ୍ଟକର । ଜଣେ ଠିକାଦାର ଯିଏ ବିଡ଼ି ଶ୍ରମିକଙ୍କ ଘରେ ବିଡ଼ି ତିଆରି ପାଇଁ କଞ୍ଚାମାଲ ପହଞ୍ଚାନ୍ତି ଏବଂ ତିଆରି ପରେ ସେମାନଙ୍କଠାରୁ ବିଡ଼ି ସଂଗ୍ରହ କରନ୍ତି, ତାଙ୍କୁ ମୁନ୍‌ସୀ କୁହାଯାଏ ।

PHOTO • Arunava Patra

ବାମ: କେନ୍ଦୁପତ୍ର, ଔରଙ୍ଗାବାଦ, ଜାଙ୍ଗୀପୁର: ଠିକାଦାର ଶ୍ରମିକଙ୍କୁ ତମ୍ବାଖୁ ଯୋଗାଇ ଦିଅନ୍ତି, ସେମାନେ ସେ ସବୁକୁ ଖଣ୍ଡ ଖଣ୍ଡ କରି କାଟନ୍ତି ଏବଂ ଗୁଡ଼ାଇ ବିଡ଼ି ତିଆରି କରନ୍ତି । ବାମ: କେନ୍ଦୁପତ୍ର, ଔରଙ୍ଗାବାଦ, ଜାଙ୍ଗୀପୁର: ଠିକାଦାର ଶ୍ରମିକଙ୍କୁ ତମ୍ବାଖୁ ଯୋଗାଇ ଦିଅନ୍ତି, ସେମାନେ ସେ ସବୁକୁ ଖଣ୍ଡ ଖଣ୍ଡ କରି କାଟନ୍ତି ଏବଂ ଗୁଡ଼ାଇ ବିଡ଼ି ତିଆରି କରନ୍ତି

ପଶ୍ଚିମବଙ୍ଗର ପ୍ରମୁଖ ବିଡି ବ୍ରାଣ୍ଡ ଗୁଡ଼ିକର ପ୍ରାୟ ୯୦ ପଞ୍ଜୀକୃତ ବିଡ଼ି ଉତ୍ପାଦକଙ୍କଠାରେ ଆନୁମାନିକ ୨୦ ଲକ୍ଷ ବିଡ଼ି ଶ୍ରମିକ (ଔଦ୍ୟୋଗିକ ଓ ଗୃହ-ଭିତ୍ତିକ) କାମ କରନ୍ତି । ଭାରତୀୟ ଶିଳ୍ପ ୟୁନିୟନର ସ୍ଥାନୀୟ କାର୍ଯ୍ୟାଳୟ ଅନୁଯାୟୀ ଜାଙ୍ଗିପୁର ହେଉଛି ଏହି ଶିଳ୍ପର କେନ୍ଦ୍ର ସ୍ଥଳ- ଏହି ଗୋଟିଏ ସବ୍‌ଡିଭିଜନରେ ୧୦ ଲକ୍ଷ ଶ୍ରମିକ, ୧୮ ଟି ବଡ଼ କାରଖାନା ଏବଂ ୫୦ ଟି ଛୋଟ କାରଖାନା ଅଛି; ଏହି ଶ୍ରମିକମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଘରେ କାମ କରନ୍ତି ।

ନଭେମ୍ବର ୮ ବିମୁଦ୍ରୀକରଣ ପରେ ଏ ସବୁକିଛି ନାଟକୀୟ ଭାବେ ପରିବର୍ତ୍ତନ ହୋଇଗଲା । ବଡ଼ ବିଡ଼ି କାରଖାନା ସବୁ ବନ୍ଦ ହୋଇଯାଇଛି, ଏହା ଫଳରେ ଅଧା ସଂଖ୍ୟକ ବିଡ଼ି ଶ୍ରମିକ କାମ ହରାଇଲେ । ସେମାନେ ଅର୍ଥ ଉପାର୍ଜନ କରିପାରିଲେ ନାହିଁ ଏବଂ ଘରେ ଖାଦ୍ୟ ପାଇଁ ବି ସଂକଟର ସାମ୍ନା କଲେ । ଯେଉଁ କେତେଜଣ ଏବେ ବି କିଛି କାମ ପାଇଛନ୍ତି, ସେମାନଙ୍କ କାମର ଅର୍ଡର ବି କମିଯାଇଛି ଏବଂ ସପ୍ତାହିକ ପାଉଣା ମଧ୍ୟ ରହିଯାଉଛି । ଉଦାହରଣ ସ୍ୱରୂପ, ଶ୍ରମ ରାଜ୍ୟ ମନ୍ତ୍ରୀ ଜାକିର ହୁସେନ୍‌ଙ୍କ ମାଲିକାନାରେ ଥିବା ପଟାକା ବିଡ଼ି, ଯାହା ଏଠାରେ ସବୁଠାରୁ ବଡ଼ ବ୍ରାଣ୍ଡ ଏବଂ ଶିବ ବିଡ଼ି ଫ୍ୟାକ୍ଟ୍ରି, ବିମୁଦ୍ରୀକରଣର ସପ୍ତାହକ ମଧ୍ୟରେ ବନ୍ଦ ହୋଇଗଲା ।

PHOTO • Arunava Patra

ବାମ: ଗୋଡାଉନ୍‌ରେ ବିଡ଼ି ପ୍ୟାକେଟ୍‌ର ଲେବଲ୍‌ ସବୁ ଅବବ୍ୟହୃତ ଅବସ୍ଥାରେ ଗଦା ହୋଇ ପଡ଼ି ରହିଛି । ଡାହାଣ: ମୁର୍ସିଦାବାଦ ଜାହାଙ୍ଗୀରର ବିଡ଼ି ଫ୍ୟାକ୍ଟ୍ରିର ସେହି ସ୍ଥାନ ଯେଉଁଠାରେ ବିଡ଼ି ସବୁ ଏକତ୍ରିତ କରାଯାଏଁ ଏବଂ ଓଜନ କରାଯାଏ-ସାଧାରଣତଃ ଫ୍ୟାକ୍ଟ୍ରିର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନ

ଏବେ ଚାଲୁଥିବା କେତେକ ଫ୍ୟାକ୍ଟ୍ରି, ନଗଦ ଅର୍ଥ ଅଭାବରୁ ଶୀଘ୍ର ବନ୍ଦ କରିଦେବାକୁ ଯୋଜନା କରୁଛନ୍ତି । ଏଠାରେ ସମସ୍ତ ପଇଠ ନଗଦରେ କରାଯାଏ। ଔରଙ୍ଗାବାଦ ଜାଙ୍ଗୀପୁରରେ ଥିବା ଜାହାଙ୍ଗୀର ବିଡ଼ି ଫ୍ୟାକ୍ଟ୍ରିର ମାଲିକ ଇମାନୀ ବିଶ୍ୱାସ କହନ୍ତି, ‘‘ମୋତେ ପ୍ରତି ସପ୍ତାହରେ ମୁନ୍‌ସୀମାନଙ୍କ ମାଧ୍ୟମରେ ବିଡ଼ି ଶ୍ରମିକମାନଙ୍କୁ ୧-୧.୫ କୋଟି ଟଙ୍କା ପଇଠ କରିବାକୁ ଥାଏ । ଏବଂ ବ୍ୟାଙ୍କ ଏଠାରେ ମୋର କରେଣ୍ଟ ଆକାଉଣ୍ଟରୁ ମୋତେ ଦୈନିକ ମାତ୍ର ୫୦,୦୦୦ ଟଙ୍କା ଉଠାଣ କରିବାକୁ ଅନୁମତି ଦେଉଛି-ଏବଂ ତାହା ମଧ୍ୟ ଅନିଶ୍ଚିତ । ମୁଁ ମୋ ବ୍ୟବସାୟ କେମିତି ଚଲାଇବି ? ଯେମିତି ହେଲେ ମୁଁ ଚଳାଇଛି…କିନ୍ତୁ ଏମିତି ଅର୍ଥ ଅଭାବ ଅବସ୍ଥାରେ କାରଖାନା ଚଳାଇବା ସମ୍ଭବ ନୁହେଁ ଏବଂ କିଛି ଦିନ ପରେ ଏହାକୁ ବନ୍ଦ କରିବାକୁ ମୁଁ ବାଧ୍ୟ ହେବି ।

PHOTO • Arunava Patra

ମୁର୍ସିଦାବାଦ, ସୁତୀରେ ଥିବା ଜାହାଙ୍ଗୀର ବିଡ଼ି କାରଖାନାର ମାଲିକ ଇମାନୀ ବିଶ୍ୱାସ କହନ୍ତି, ‘ଆମେ ଏଯାଏଁ ଆମ କାରଖାନା ବନ୍ଦ କରିନାହୁଁ, କିନ୍ତୁ ଏହା ପ୍ରାୟ ଅଚଳ ଏବଂ ଖୁବ୍‌ ଶୀଘ୍ର ଆମେ ଏହାକୁ ବନ୍ଦ କରିବାକୁ ଯାଉଛୁ

ମୁର୍ସିଦାବାଦ ବିଡ଼ି ଉଦ୍ୟୋଗରେ ଘରେ କାମ କରୁଥିବା ବିଡ଼ି ଶ୍ରମିକମାନେ ସାପ୍ତାହିକ ଭାବେ ପାଉଣା ପାଆନ୍ତି – ପ୍ରତି ୧୦୦୦ ବିଡ଼ି ମୋଡ଼ିବା ପାଇଁ ୧୨୬ ଟଙ୍କା ହିସାବରେ । କେତେ ଘଣ୍ଟା କାମ କରୁଛନ୍ତି, ସେହି ହିସାବରେ ସପ୍ତାହକୁ ୬୦୦ ଟଙ୍କାରୁ-୨୦୦୦ ଟଙ୍କା ଯାଏଁ ଆୟ କରନ୍ତି । ଔରଙ୍ଗାବାଦ ବିଡ଼ି ଶ୍ରମିକ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ରାଜକୁମାର ଜୈନଙ୍କ କହିବା ଅନୁସାରେ, ଉତ୍ପାଦନର ପରିମାଣ କାଏମ ରଖିବାକୁ ସମସ୍ତ କାରଖାନାର ମୁନ୍‌ସୀମାନଙ୍କୁ ଏଠାକାର ଶ୍ରମିକମାନଙ୍କୁ ସପ୍ତାହକୁ ୩୫ କୋଟି ଟଙ୍କା ଦେବାକୁ ହୁଏ ।

ଏବେର ଅଭାବୀ ସମସ୍ୟାକୁ ଦେଖି କେତେକ ଶୋଷଣ ମଧ୍ୟ କରୁଛନ୍ତି । ମୁର୍ସିଦାବାଦ ଜିଲ୍ଲାର ଜାଙ୍ଗୀପୁର, ଧୂଲିଆନ୍‌ ଏବଂ ସମ୍‌ସେରଗଞ୍ଜର କେତେକ ଅଞ୍ଚଳରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀକୁ ଉଲ୍ଲଂଘନ କରି ଶ୍ରମିକଙ୍କୁ ୧୦୦୦ ବିଡ଼ି ତିଆରି କରିବା ବାବଦକୁ ମାତ୍ର ୯୦ ଟଙ୍କା ଦେଉଛନ୍ତି।

କେବଳ କମ୍‌ ବିଡ଼ି ଉତ୍ପାଦନ ହେଉଛି ତାହା ନୁହେଁ, ନଗଦ ଅଭାବ ବିକ୍ରିକୁ ମଧ୍ୟ ପ୍ରଭାବିତ କରିଛି । ଔରଙ୍ଗାବାଦ ବିଡ଼ି ମାଲିକ ଆସୋସିଏସନ୍‌ ଅନୁସାରେ ମୁର୍ସିଦାବାଦରୁ ଦେଶର ବିଭିନ୍ନ ଭାଗକୁ ଯାଉଥିବା ବିଡ଼ିର ପରିମାଣ ପ୍ରାୟ ୫୦ ପ୍ରତିଶତ କମିଯାଇଛି । କାରଖାନା ଗୋଡାଉନ୍‌ରେ ବିକ୍ରି ହୋଇପାରିନଥିବା ବସ୍ତା ବସ୍ତା ବିଡ଼ି ପଡ଼ିରହିଛି ।

PHOTO • Arunava Patra

ଜାହାଙ୍ଗୀର ବିଡ଼ି ଫ୍ୟାକ୍ଟ୍ରିର ଗୋଡାଉନ୍‌ରେ ବିଡ଼ି ପ୍ୟାକ୍‌ ହୋଇଥିବା ପେଟି ସବୁ ପଡ଼ି ରହିଛି, କାରଣ ଦେଶର ଅନ୍ୟ ଅଂଶରେ ବିକ୍ରି ବହୁଳ ଭାବେ କମିଯାଇଛି

ଅନୌପଚାରିକ କ୍ଷେତ୍ରର ସବୁଠାରୁ ଅସୁରକ୍ଷିତ ଲୋକଙ୍କ ଉପରେ, ଶ୍ରମିକମାନଙ୍କ ଉପରେ ଏହାର ପ୍ରଭାବ ଗୁରୁତର ଭାବେ ପଡ଼ିଛି । ଜାହାଙ୍ଗୀର ବିଡ଼ି କାରଖାନାରେ ୩୦ ବର୍ଷ କାମ କରିଥିବା ମୁନ୍‌ସୀ, ୬୮ ବର୍ଷୀୟ ମହମ୍ମଦ ସୈଫୁଦ୍ଦିନ କହନ୍ତି, “ଆମ ଜୀବନ କେବଳ ବିଡ଼ି ଉପରେ ନିର୍ଭର କରେ’’। ଜିଲ୍ଲାର ଏହି ଅଂଶରେ ଅଧିକାଂଶ ପରିବାର ପାଇଁ ଏହା ହିଁ ହେଉଛି ଆୟର ଏକମାତ୍ର ଉତ୍ସ । ଏଠାକାର ଲୋକମାନେ ଭୂମିହୀନ ଏବଂ କୃଷି ବିଷୟରେ କିଛି ଜ୍ଞାନ ନାହିଁ  । ଏଠାରେ ଅନ୍ୟ କୌଣସି ଶିଳ୍ପ ବି ନାହିଁ । ‘‘ପ୍ରଥମ ସପ୍ତାହରେ ଶ୍ରମିକଙ୍କୁ ପୁରୁଣା ୫୦୦ ଏବଂ ୧,୦୦୦ ଟଙ୍କିଆ ନୋଟ୍‌ ଦେଇ ଆମେ ଉତ୍ପାଦନ ଜାରି ରଖିଲୁ। କିନ୍ତୁ ତାହା ଏବେ ଆଉ କାମ କରୁନାହିଁ । ଆମେ ଏବେ ଆଉ କାରଖାନାଗୁଡ଼ିକରୁ ଅର୍ଡର ବି ପାଉନାହୁଁ । ଏଣୁ ଏବେ ଆଉ କାମ ନାହିଁ ଆଉ ଶ୍ରମିକମାନେ ତିନି ସପ୍ତାହ ହେଲା ପାଉଣା ପାଇନାହାନ୍ତି। ସେମାନେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି ।’’

ସୈଫୁଦ୍ଦିନ୍‌ କହନ୍ତି ଗତ ତିନି ଦଶନ୍ଧି ଭିତରେ ସେ ଏମିତି ଦୁର୍ଦ୍ଦଶାର ସାମ୍ନା କରି ନ ଥିଲେ । ‘‘ଆମ କାରଖାନା ଏବେ ବି ବନ୍ଦ ହୋଇନାହିଁ, କିନ୍ତୁ ଉତ୍ପାଦନ ଉଲ୍ଲେଖନୀୟ ଭାବେ କମିଯାଇଛି । ମୁଁ ଯେତେବେଳେ ସୀମିତ ଅର୍ଡର ଓ କଞ୍ଚାମାଲ ନେଇ ଗାଁକୁ ଯାଉଛି, ଲୋକମାନେ ମୋ ପଛରେ ଗୋଡ଼ାଉଛନ୍ତି, ମୋତେ ପ୍ରାୟ ଘେରି ଯାଉଛନ୍ତି । ପରିବାର ପେଟରେ ଦାନା ଦେବା ପାଇଁ ସମସ୍ତେ କାମ ଚାହୁଁଛନ୍ତି । କିନ୍ତୁ ମୁଁ ଗୋଟିଏ ଅସହାୟ ସ୍ଥିତିରେ ଅଛି’’।

ଭିଡିଓ ଦେଖନ୍ତୁ: ବିଡ଼ି ଠିକାଦାର ଓ ଶ୍ରମିକମାନେ ବିମୁଦ୍ରିକରଣର ପ୍ରଭାବ ବାବଦରେ କହୁଛନ୍ତି

ସପ୍ତାହ ସପ୍ତାହ ଧରି କାମ ଓ ପାଉଣା ନ ଥିବାରୁ, ମୁର୍ସିଦାବାଦର ବହୁ ବିଡ଼ି ଶ୍ରମିକ ଏବେ ଧାରରେ ଲାଗି ଗଲେଣି । ସେମାନଙ୍କର ସଞ୍ଚୟ ଦ୍ରୁତ ଗତିରେ କମିଆସୁଛି, ତାହେରା ବିବିଙ୍କ ଭଳି ଲୋକମାନେ ଏବେ ଦିନକୁ ଗୋଟିଏ ବେଳା ଖାଦ୍ୟରେ ଚଳାଉଛନ୍ତି । ନିଜ ବାପା ମା’ଙ୍କୁ ହରାଇବା ପରେ, ସେ ୫୦ ବର୍ଷ ଧରି ବିଡ଼ି ତିଆରି କରିଆସୁଛନ୍ତି । ଚେନ୍ନାଇରେ ଦାଦାନ ଶ୍ରମିକ ଭାବେ କାମ କରୁଥିଲେ କିନ୍ତୁ କିଛି ବର୍ଷ ପୂର୍ବରୁ ଗୋଡ଼ରେ ଆଘାତ ଯୋଗୁଁ ଫେରି ଆସିଥିବା ପୁଅ ଏବଂ ଏଯାଏଁ ବିବାହ କରିନଥିବା ଝିଅଙ୍କୁ ଏବେ ୫୮ ବର୍ଷ ବୟସ୍କ ତାହେରା ବିବି ଚଳାଉଛନ୍ତି । ବିଡ଼ି ହିଁ ପରିବାରର ଆୟର ଏକମାତ୍ର ଆୟର ଉତ୍ସ । ତାହେରା ଦିନକୁ ୧,୦୦୦ରୁ ୧,୨୦୦ ବିଡ଼ି ତିଆରି କରନ୍ତି, ଏବଂ ନିରନ୍ତର ତମ୍ବାଖୁ ସଂସ୍ପର୍ଶରେ ଆସୁଥିବାରୁ ନିକଟରେ ଯକ୍ଷ୍ମା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ସେ କହନ୍ତି, ‘‘ମୁଁ ଅସୁସ୍ଥ ଅଛି, କିନ୍ତୁ ଆମ ପାଇଁ ବିଡ଼ି ନାହିଁ ତ ଖାଦ୍ୟ ନାହିଁ । ମୁଁ ଏବେ ଚିନ୍ତାରେ ରାତି ଅନିଦ୍ରା ରହୁଛି ।’’

ଫଟୋ : ଅରୁଣଭା ପାତ୍ର

ଅନୁବାଦ: ଓଡ଼ିଶାଲାଇଭ୍‍

Arunava Patra

Arunava Patra is a photographer based in Kolkata. He has worked as a content producer for various television channels, and is an occasional columnist for the Anandabazar Patrika. He has a degree in electrical engineering from Jadavpur University.

Other stories by Arunava Patra
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE