ଜମ୍ମୁ ଓ କାଶ୍ମୀରର ଉଚ୍ଚ ପାହାଡ଼ରେ ଆପଣ କ୍ୱଚିତ୍ ଜଣେ ବକରୱାଲଙ୍କୁ ଏକୁଟିଆ ଦେଖିବାକୁ ପାଇବେ।
ଗ୍ରାମୀଣ ପଶୁପାଳକ ସଂପ୍ରଦାୟ ସେମାନଙ୍କ ଗୃହପାଳିତ ପଶୁଙ୍କ ଲାଗି ଚାରଣଭୂମି ସନ୍ଧାନରେ ହିମାଳୟ ସାରା ବଡ଼ ବଡ଼ ଦଳରେ ବୁଲିଥାନ୍ତି। ପ୍ରତିବର୍ଷ ଉଚ୍ଚ ସ୍ଥାନରେ ଥିବା ଏକ ଘାସ ପଡ଼ିଆ ବା ବହକକୁ ଯାଉଥିବା ମହମ୍ମଦ ଲତିଫ୍ କହିଲେ, ‘‘ତିନିରୁ ଚାରି ଭାଇ ଏକାଠି ହୋଇ ସେମାନଙ୍କ ପରିବାର ସହ ଯାତ୍ରା କରିଥାନ୍ତି’’। ପ୍ରାୟ ୫୦୦୦ ମେଣ୍ଢା, ଛେଳି, ଘୋଡ଼ା ଏବଂ କିଛି ସୁନ୍ଦର ବକରୱାଲି କୁକୁର ଯେଉଁଗୁଡ଼ିକ ବାର୍ଷିକ ସେମାନଙ୍କ ସହ ଯାତ୍ରା କରିଥାନ୍ତି ସେଗୁଡ଼ିକ ଉଦ୍ଦେଶ୍ୟରେ ସେ କହିଲେ, ‘‘ଛେଳି ଓ ମେଣ୍ଢାକୁ ଏକାଠି ରଖାଯାଉଥିବାରୁ ପଲଙ୍କୁ ସମ୍ଭାଳିବା ସହଜ ହୋଇଥାଏ’’।
ଜମ୍ମୁର ସମତଳରୁ ପୀର ପଞ୍ଜଲ ଏବଂ ଅନ୍ୟ ହିମାଳୟ ଶୃଙ୍ଖଳାର ଉଚ୍ଚ ଚାରଣଭୂମି ଯାଏ ବକରୱାଲମାନଙ୍କର ଯାତ୍ରା ମଧ୍ୟରେ ପ୍ରାୟ ୩୦୦୦ ମିଟରର କ୍ରମିକ ଚଢ଼ିବା ସାମିଲ ହୋଇଥାଏ। ସେମାନେ ଗରମ ଆରମ୍ଭ ପୂର୍ବରୁ ମାର୍ଚ୍ଚ ମାସର ଶେଷ ଆଡ଼କୁ ଉପରକୁ ଚାଲି ଯାଇଥାନ୍ତି, ଏବଂ ଶୀତ ଆରମ୍ଭ ହେବା ପୂର୍ବରୁ ସେପ୍ଟେମ୍ବର ମାସ ପାଖାପାଖି ସମୟରେ ଫେରିବା ଆରମ୍ଭ କରିଥାନ୍ତି।
ପ୍ରତ୍ୟେକ ଯାତ୍ରାରେ ପ୍ରତି ଥର ପ୍ରାୟ ୬-୮ ସପ୍ତାହ ସମୟ ଲାଗିଥାଏ; ମହିଳା, ପିଲାମାନେ ଏବଂ କିଛି ପୁରୁଷ ଆଗରେ ରହିଥାନ୍ତି। ମହମ୍ମଦ ଲତିଫ୍ ଯୋଗ କଲେ, ‘‘ସେମାନେ ଗୁରୁତ୍ୱପୂର୍ଣ୍ଣ ଚାରଣଭୂମିରେ ଆମ ଆଗରୁ ପହଞ୍ଚିଥାନ୍ତି ଏବଂ ପଶୁ ପଲଙ୍କ ଆଗମନ ଲାଗି ଡେରା [କ୍ୟାମ୍ପ ]ପ୍ରସ୍ତୁତ କରି ରଖନ୍ତି।’’ ତାଙ୍କ ଦଳ ରାଜୌରୀ ନିକଟସ୍ଥ ସମତଳ ଭୂମିରୁ ଲଦାଖର ଜୋଜିଲା ପାସ୍ ନିକଟବର୍ତ୍ତୀ ମୀନାମାର୍ଗ ଯାଏ ଉପରକୁ ଯାତ୍ରା କରିଥାଏ।


























