ଶାନ୍ତି ଦେବୀଙ୍କର ମୃତ୍ୟୁ କୋଭିଡ୍‌-୧୯ରେ ହୋଇଛି ବୋଲି ପ୍ରମାଣ କରିବା ଲାଗି କୌଣସି ମୃତ୍ୟୁ ପ୍ରମାଣପତ୍ର କିମ୍ବା ଅନ୍ୟ ଉପାୟ ନାହିଁ । କିନ୍ତୁ ଯେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଅନ୍ୟ କୌଣସି ନିଷ୍କର୍ସ ଆଡ଼କୁ ନେଇଯାଉନାହିଁ ।

ଏପ୍ରିଲ୍‌, ୨୦୨୧ରେ ଯେତେବେଳେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଦେଶରେ କାୟା ବିସ୍ତାର କରୁଥିଲା ପ୍ରାୟ ୪୫ ବର୍ଷୀୟା ଶାନ୍ତି ଦେବୀ ଅସୁସ୍ଥ ହୋଇପଡ଼ିଲେ ତାଙ୍କଠାରେ ଗୋଟିଏ ପରେ ଗୋଟିଏ ଲକ୍ଷଣ ଦେଖାଗଲା: ପ୍ରଥମେ କଫ ଓ ଥଣ୍ଡା ହେଲା । ପରଦିନ ଜ୍ୱର ହେଲା । ତାଙ୍କର ୬୫ ବର୍ଷୀୟା ଶାଶୁ କଳାବତୀ ଦେବୀ କହିଲେ, ‘‘ଗାଁରେ ସେହି ସମୟରେ ପ୍ରାୟ ସମସ୍ତେ ଅସୁସ୍ଥ ଥିଲେ । ଆମେ ତାକୁ ପ୍ରଥମେ ଝୋଲା ଛାପ ଡାକ୍ତର ପାଖକୁ ନେଇଯାଇଥିଲୁ।’’

ଡାକ୍ତରୀ ସେବା ପ୍ରଦାନ କରୁଥିବା ଝୋଲା ଛାପ ବା କ୍ୱାକ୍‌ମାନେ ଉତ୍ତରପ୍ରଦେଶର ପ୍ରାୟ ସବୁ ଗାଁରେ ଦେଖାଯାଆନ୍ତି। ମହାମାରୀ ସମୟରେ ସେହି ‘ଡାକ୍ତର’ଙ୍କ ପାଖକୁ ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଲୋକ ଯାଉଥିଲେ, କାରଣ ସେମାନେ ସହଜରେ ଉପଲବ୍ଧ ଏବଂ ସାଧାରଣ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ। ବାରଣାସୀ ଜିଲ୍ଲାର ଡାଲିପୁର ଗାଁରେ ରହୁଥିବା କଳାବତୀ କହିଲେ ‘‘କେହି ହସ୍ପିଟାଲ ଗଲେ ନାହିଁ କାରଣ ଆମେ ସମସ୍ତେ ଭୟଭୀତ ହୋଇଯାଇଥିଲୁ। ଆମେ ଡରୁଥିଲୁ ଯେ ଆମକୁ ଏକ (କ୍ୱାରେଣ୍ଟାଇନ୍‌) ସେଣ୍ଟରରେ ରଖି ଦିଆଯିବ। ଏବଂ ସରକାରୀ ହସ୍ପିଟାଲଗୁଡ଼ିକରେ ରୋଗୀ ଭର୍ତ୍ତି ଥିଲେ । ସେଠାରେ କୌଣସି ବେଡ୍‌ ଖାଲି ନ ଥିଲା । ତେଣୁ ଆମେ କେବଳ ଝୋଲା ଛାପ ଡାକ୍ତରଙ୍କ ପାଖକୁ ଯାଇପାରୁଥିଲୁ ।’’

କିନ୍ତୁ ଏହି ‘ଡାକ୍ତରମାନେ’ ଅଣତାଲିମପ୍ରାପ୍ତ, ଅଶିକ୍ଷିତ ଥିଲେ ଏବଂ ତେଣୁ ସେମାନେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ରୋଗୀଙ୍କର ଚିକିତ୍ସା କରିପାରୁ ନ ଥିଲେ ।

ଝୋଲା ଛାପ ଙ୍କ ପାଖକୁ ଯିବାର ୩ ଦିନ ପରେ ଶାନ୍ତିଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଆରମ୍ଭ ହେଲା । ସେତେବେଳେ କଳାବତୀ, ଶାନ୍ତିଙ୍କର ସ୍ୱାମୀ ମୁନୀର ଓ ଅନ୍ୟ ପରିବାର ସଦସ୍ୟମାନେ ଭୟଭୀତ ହୋଇପଡ଼ିଥିଲେ। ସେମାନେ ତାଙ୍କୁ ବାରଣାସୀର ପିଣ୍ଡ୍ରା ବ୍ଲକ୍‌ରେ ଥିବା ସେମାନଙ୍କ ଗାଁଠାରୁ ୨୦ କିମି ଦୂର ଏକ ଘରୋଇ ହସ୍ପିଟାଲକୁ ନେଇଗଲେ । କଳାବତୀ କହିଲେ, ‘‘କିନ୍ତୁ ଡାକ୍ତରଖାନାର କର୍ମଚାରୀ ତାଙ୍କୁ ଦେଖିଲେ (ତାଙ୍କର ପରିସ୍ଥିତିକୁ) ଏବଂ କିଛି ଆଶା ନାହିଁ ବୋଲି କହିଲେ । ଆମେ ଘରକୁ ଫେରିଲୁ ଏବଂ ଝାଡ୍‌-ଫୁଙ୍କ୍‌ ଆରମ୍ଭ କଲୁ।’’ ଝାଡ୍‌-ଫୁଙ୍କ ହେଉଛି ରୋଗକୁ ଏକ ଝାଡୁ ଦ୍ୱାରା ଦୂର କରିବାର ଏକ ବହୁ ପୁରୁଣା, ଅବୈଜ୍ଞାନିକ ପ୍ରଥା ।

ଏହା କାମ କଲାନାହିଁ; ଶାନ୍ତିଙ୍କର ସେହିଦିନ ରାତିରେ ମୃତ୍ୟୁ ହେଲା ।

Kalavati with her great-grandchildren at home in Dallipur. Her daughter-in-law Shanti died of Covid-like symptoms in April 2021
PHOTO • Parth M.N.

କଳାବତୀ ତାଙ୍କର ନାତିନାତୁଣୀମାନଙ୍କ ସହ ଡାଲିପୁରସ୍ଥିତ ଘରେ । ତାଙ୍କର ବୋହୂ ଶାନ୍ତି କୋଭିଡ୍‌ ପରି ଲକ୍ଷଣ ଦେଖାଯିବା ପରେ ଏପ୍ରିଲ୍‌ ୨୦୨୧ରେ ପ୍ରାଣ ହରାଇଛନ୍ତି

ଅକ୍ଟୋବର ୨୦୨୧ରେ ୟୁପି ସରକାର କୋଭିଡ୍‌-୧୯ରେ ମରିଥିବା ଲୋକଙ୍କର ପରିଜନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ଲାଗି ଘୋଷଣା କଲେ । ଏଭଳି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବାର ପ୍ରାୟ ୪ ମାସ ପରେ ଏହି ପଦକ୍ଷେପ ନିଆଗଲା । ରାଜ୍ୟ ସରକାର ୫୦ ହଜାର ଟଙ୍କା ଦାବି କରିବା ଲାଗି ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଜାରି କଲେ । କିନ୍ତୁ କଳାବତୀ ଦେବୀ ଏଥିଲାଗି ଦାବି କଲେ ନାହିଁ। ତାଙ୍କର ଦାବି କରିବାର ଯୋଜନା ବି ନାହିଁ ।

ଶାନ୍ତିଙ୍କର ପରିବାରକୁ ଟଙ୍କା ପାଇଁ ଦାବି କରିବା ଲାଗି ତାଙ୍କର ମୃତ୍ୟୁ କୋଭିଡ୍‌-୧୯ କାରଣରୁ ହୋଇଛି ବୋଲି ଏକ ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରିବାର ଥିଲା । ନିୟମାବଳିରେ କୁହାଯାଇଛି ଯେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହୋଇଥିବା ଆବଶ୍ୟକ । ରାଜ୍ୟ ସରକାର ପରେ ସେହି ରୋଗୀମାନଙ୍କୁ ସାମିଲ କରିବା ଲାଗି ‘କୋଭିଡ୍‌ ମୃତ୍ୟୁ’ର ପରିସରକୁ ବ୍ୟାପକ କରିଦେଲେ , ଯେଉଁମାନେ ୩୦ ଦିନ ହସ୍ପିଟାଲରେ ଥିଲେ, କିନ୍ତୁ ଡିସ୍‌ଚାର୍ଜ ହେବା ପରେ ସେମାନଙ୍କର ମୃତ୍ୟୁ ହୋଇଗଲା । ଯଦି ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍‌କୁ କାରଣ ଭାବେ ଦର୍ଶାଯାଇନଥାଏ, ଏକ ଆର୍‌ଟି-ପିସିଆର୍‌ ପରୀକ୍ଷା ବା ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ବା ଯାଞ୍ଚ ଯାହାକି ସଂକ୍ରମଣକୁ ସାବ୍ୟସ୍ତ କରେ ତାହା ପର୍ଯ୍ୟାପ୍ତ ହେବ । କିନ୍ତୁ ଏଥିମଧ୍ୟରୁ କିଛି ଶାନ୍ତିଙ୍କର ପରିବାରକୁ ସହାୟତା କଲା ନାହିଁ ।

ମୃତ୍ୟୁ ପ୍ରମାଣପତ୍ର ବା ପଜିଟିଭ୍‌ ପରୀକ୍ଷା ଫଳାଫଳ ବା ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରମାଣପତ୍ର ବିନା ଶାନ୍ତିଙ୍କର ମାମଲା ଗ୍ରହଣୀୟ ହେଉନାହିଁ ।

ଏପ୍ରିଲ ମାସରେ ତାଙ୍କର ମୃତଦେହକୁ ଡାଲିପୁରରେ ନଦୀ କୂଳରେ ଥିବା ଏକ ଘାଟରେ ଦାହ କରାଯାଇଥିଲା । ଶାନ୍ତିଙ୍କର ୭୦ ବର୍ଷୀୟ ଶ୍ୱଶୁର କହିଲେ, ‘‘ଶବକୁ ସଂସ୍କାର କରିବା ଲାଗି ଯଥେଷ୍ଟ କାଠ ନ ଥିଲା । ସେଠାରେ ଦାହ ହେବା ଲାଗି ଶବଗୁଡ଼ିକର ଲମ୍ବା ଧାଡ଼ି ଥିଲା । ଆମେ ଆମର ପାଳି ଆସିବା ଯାଏ (ଶାନ୍ତିଙ୍କୁ ଦାହ କରିବା ଲାଗି) ଅପେକ୍ଷା କଲୁ ଏବଂ ଫେରିଆସିଲୁ । ’’

Lullur, Shanti's father-in-law, pumping water at the hand pump outside their home
PHOTO • Parth M.N.

ଲୁଲ୍ଲୁର, ଶାନ୍ତିଙ୍କର ଶ୍ୱଶୁର ସେମାନଙ୍କ ଘର ବାହାରେ ଥିବା ହ୍ୟାଣ୍ଡ ପମ୍ପ୍‌ରୁ ପାଣି ବାହାର କରୁଛନ୍ତି

ମାର୍ଚ୍ଚ ୨୦୨୦ର ଶେଷଆଡ଼କୁ ମହାମାରୀର ଆରମ୍ଭ ପରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରି (ଏପ୍ରିଲ-ଜୁଲାଇ ୨୦୨୧)ରେ ଏହି ରୋଗ ଯୋଗୁଁ ସର୍ବାଧିକ ସଂଖ୍ୟାରେ ମୃତ୍ୟୁ ହେବାର ଦେଖାଗଲା । ଏକ ଆକଳନ ଅନୁସାରେ, ଜୁନ୍ ୨୦୨୦ ଓ ଜୁଲାଇ ୨୦୨୧ ମଧ୍ୟରେ ହୋଇଥିବା ୩.୨ ନିୟୁତ କୋଭିଡ୍ ମୃତ୍ୟୁ ମଧ୍ୟରୁ ୨.୭ ନିୟୁତ ମୃତ୍ୟୁ ଏପ୍ରିଲ-ଜୁଲାଇ ୨୦୨୧ ମଧ୍ୟରେ ହୋଇଥିଲା ସାଇନ୍‌ସ (ଜାନୁଆରୀ ୨୦୨୨)ରେ ପ୍ରକାଶିତ ହୋଇଥିବା ଏହି ସର୍ବେକ୍ଷଣ କୁ ଭାରତ, କାନାଡା ଓ ଆମେରିକାର କିଛି ଗବେଷକଙ୍କ ଏକ ସମୂହ ଦ୍ୱାରା କରାଯାଇଥିଲା ସେହି ବିଶ୍ଳେଷଣରୁ ଜଣାପଡ଼ିଲା ଯେ ୨୦୨୧ ମସିହା ସେପ୍ଟେମ୍ବର ମାସ ବେଳକୁ ଭାରତରେ ନିରନ୍ତର ବୃଦ୍ଧି ପାଉଥିବା କୋଭିଡ୍ ମୃତ୍ୟୁ ଆନୁଷ୍ଠାନିକ ଭାବେ ରେକର୍ଡ କରାଯାଇଥିବା ଅପେକ୍ଷା ୬-୭ ଗୁଣା ଅଧିକ ଥିଲା ।

ଗବେଷକମାନେ ମଧ୍ୟ ଏହି ନିଷ୍କର୍ସରେ ପହଞ୍ଚିଲେ ଯେ, ‘‘ଭାରତରେ ଆନୁଷ୍ଠାନିକ ସଂଖ୍ୟାରେ ମୃତ୍ୟୁକୁ ଖୁବ୍‌ କମ୍‌ କରି ରିପୋର୍ଟ କରାଯାଇଥିଲା’’ ଭାରତ ସରକାର ଏହାକୁ ଖଣ୍ଡନ କରନ୍ତି ।

ଏପରିକି ଫେବ୍ରୁଆରୀ ୭,୨୦୨୨ ସୁଦ୍ଧା ଭାରତର ଆନୁଷ୍ଠାନିକ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୫,୦୪,୦୬୨(୦.୫ ନିୟୁତ) ଥିଲା। ଯଦିଓ ଦେଶର ସବୁ ରାଜ୍ୟରେ ଅଣ୍ଡରକାଉଣ୍ଟିଂ ସମ୍ପର୍କରେ ରିପୋର୍ଟ ହୋଇଛି ତେବେ ୟୁପିରେ ଏହା ଉଲ୍ଲେଖନୀୟ ଭାବେ ଅଧିକ ଅଛି ।

ଆର୍ଟିକିଲ୍‌-୧୪.କମ୍‌ର ଏକ ରିପୋର୍ଟ ଅନୁସାରେ ୟୁପିର ୭୫ଟି ଜିଲ୍ଲା ମଧ୍ୟରୁ ୨୪ଟିରେ ମୃତ୍ୟୁ ସଂଖ୍ୟା ସବୁକୁ ମିଶାଇ ଆନୁଷ୍ଠାନିକ କୋଭିଡ୍‌ -୧୯ ମୃତ୍ୟୁ ପରିସଂଖ୍ୟାନଠାରୁ ୪୩ ଗୁଣା ଅଧିକ ଥିଲା । ସେହି ରିପୋର୍ଟ ଜୁଲାଇ ୧,୨୦୨୦ରୁ ମାର୍ଚ୍ଚ ୩୧, ୨୦୨୧ ମଧ୍ୟରେ ରେକର୍ଡ ହୋଇଥିବା ମୃତ୍ୟୁ ଉପରେ ପର୍ଯ୍ୟବେସିତ ଥିଲା । ଯଦିଓ ସବୁ ଅତିରିକ୍ତ ମୃତ୍ୟୁ କୋଭିଡ୍‌ - ୧୯ ପାଇଁ ହୋଇଥିବା ଦାବି କରାଯାଇପାରିବ ନାହିଁ ବୋଲି ରିପୋର୍ଟରେ ତର୍କ ଦିଆଯାଇଛି ଯେ ‘‘ସାଧାରଣ ହାରାହାରି ମୃତ୍ୟୁ ଏବଂ ମହାମାରୀ ଯୋଗୁଁ ଅତିରିକ୍ତ ମୃତ୍ୟୁ ମଧ୍ୟରେ ଥିବା ଅତ୍ୟଧିକ ପ୍ରଭେଦ ଏକ ପ୍ରଶ୍ନବାଚୀ ସୃଷ୍ଟି କରେ, ମାର୍ଚ୍ଚ ୨୦୨୧ର ଶେଷ ସୁଦ୍ଧା ୟୁପିର ଆନୁଷ୍ଠାନିକ କୋଭିଡ୍‌-୧୯ ମୃତ୍ୟୁ ସଂଖ୍ୟା ହେଉଛି ୪,୫୩୭''। ମେ ମାସରେ, ସମୂହ ଶବ ସଂସ୍କାରର ଚିତ୍ର ଏବଂ ଗଙ୍ଗା ନଦୀରେ ଶବ ଭାସୁଥିବାର ରିପୋର୍ଟ ଅନେକ ଗଣତି ହୋଇନଥିବା ମୃତ୍ୟୁ ଆଡ଼କୁ ଦର୍ଶାଉଛି ।

ତେବେ, ଯେତେବେଳେ ରାଜ୍ୟ ସରକାର କ୍ଷତିପୂରଣ ଲାଗି ଗାଇଡ୍‌ଲାଇନ୍‌ ଜାରି କଲେ, ସେତେବେଳେ ସେମାନେ ୟୁପିର କୋଭିଡ୍‌ ମୃତ୍ୟୁ ପରିସଂଖ୍ୟାନକୁ ୨୨,୮୯୮ ବୋଲି ଦର୍ଶାଇଥିଲେ । କିନ୍ତୁ ଶାନ୍ତିଙ୍କ ଭଳି ଲୋକ ଯେଉଁମାନଙ୍କର ପରିବାରକୁ କ୍ଷତିପୂରଣର ସବୁଠୁ ଅଧିକ ଆବଶ୍ୟକତା ରହିଛି ସେମାନେ ଏହାର ସୁବିଧା ପାଇଲେ ନାହିଁ ।

Shailesh Chaube (left) and his mother Asha. His father Shivpratap died of Covid-19 last April, and the cause of death was determined from his CT scans
PHOTO • Parth M.N.
Shailesh Chaube (left) and his mother Asha. His father Shivpratap died of Covid-19 last April, and the cause of death was determined from his CT scans
PHOTO • Parth M.N.

ଶୈଳେଶ ଚୌବେ (ବାମ) ଏବଂ ତାଙ୍କର ମା’ ଆଶା । ତାଙ୍କର ବାପା ଶିବପ୍ରତାପ ଗତବର୍ଷ ଏପ୍ରିଲରେ କୋଭିଡ୍‌-୧୯ ଯୋଗୁଁ ପ୍ରାଣ ହରାଇଥିଲେ । ଏବଂ ମୃତ୍ୟୁର କାରଣ ତାଙ୍କର ସିଟି ସ୍କାନ୍‌ରୁ ଜଣାପଡ଼ିଲା

ୟୁପି'ର ସୂଚନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନବନୀତ ସେହଗଲ ପରୀକୁ କହିଛନ୍ତି ଯେ କୌଣସି ପରିବାର ଆବଶ୍ୟକୀୟ କାଗଜପତ୍ର ବିନା କ୍ଷତିପୂରଣର ହକ୍‌ଦାର ହୋଇପାରିବେ ନାହିଁ । ସେ କହିଲେ, ‘‘ଲୋକମାନେ ସାଧାରଣ ଭାବେ ମଧ୍ୟ ମରିଥାଆନ୍ତି''। "ତେଣୁ ଏହା କୋଭିଡ୍‌ ଥିଲା କି ନାହିଁ ତାହା ନ ଜାଣି ପରିବାରଗୁଡ଼ିକୁ କ୍ଷତିପୂରଣ ଦେଇ ହେବ ନାହିଁ। ସେ ଆହୁରି କହିଲେ ଯେ, ‘କୋଭିଡ୍‌ ପରୀକ୍ଷା ଗ୍ରାମୀଣ କ୍ଷେତ୍ରରେ ବି ହେଉଥିଲା।’’

କେବଳ ଏହା ନ ଥିଲା । କୋଭିଡ୍‌ର ଦ୍ୱିତୀୟ ଲହର ସମୟରେ ୟୁପିର ଗ୍ରାମୀଣ ଅଞ୍ଚଳରେ ପରୀକ୍ଷଣରେ ବିଳମ୍ବର ସୂଚନା ମିଳିଥିଲା । ମେ’ ୨୦୨୧ରେ ଆହ୍ଲାବାଦ ହାଇକୋର୍ଟ କ୍ରମଶଃ କୋଭିଡ୍‌ ପରୀକ୍ଷା କମାଇବାକୁ ନେଇ ଅସନ୍ତୁଷ୍ଟ ଥିଲେ ଏବଂ ଦ୍ୱିତୀୟ ଲହରୀକୁ ଭୁଲ୍‌ ଭାବେ ପରିଚାଳନା କରିବା ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ । ପରୀକ୍ଷଣର ଅଭାବକୁ କମ୍‌ ପରୀକ୍ଷାର କାରଣ ଭାବେ ଦର୍ଶାଯାଇଥିବା ବେଳେ ପାଥୋଲୋଜି ଲ୍ୟାବ୍‌ଗୁଡ଼ିକ ପରୀକ୍ଷା କରିବା ଲାଗି ପ୍ରଶାସନଠାରୁ ନିର୍ଦ୍ଦେଶ ପାଇଥିବା ନେଇ ସଙ୍କେତ ଦେଇଥିଲେ ।

ଏପରିକି ସହରାଞ୍ଚଳରେ ମଧ୍ୟ, ଲୋକମାନେ ପରୀକ୍ଷା ସୁବିଧା ପାଇବା କଷ୍ଟକର ହୋଇପଡ଼ିଥିଲା । ଏପ୍ରିଲ ୧୫, ୨୦୨୧ରେ ବାରଣାସୀ ସହରର ୬୩ ବର୍ଷୀୟ ବାସିନ୍ଦା ଶିବପ୍ରତାପ ଚୌବେଙ୍କ ନିକଟରେ ଲକ୍ଷଣ ଥିବାରୁ ସେ କୋଭିଡ୍‌-୧୯ ପରୀକ୍ଷା କରାଇଥିଲେ । ୧୧ ଦିନ ପରେ ତାଙ୍କୁ ଲ୍ୟାବ୍‌ ପକ୍ଷରୁ ଜବାବ ଦିଆଯାଇ ତାଙ୍କର ନମୁନାକୁ ପୁଣିଥରେ ସଂଗ୍ରହ କରାଯିବ ବୋଲି କୁହାଗଲା ।

କିନ୍ତୁ ସେଥିରେ ଏକ ସମସ୍ୟା ଥିଲା :ଶିବପ୍ରତାପ ମରିଯାଇଥିଲେ । ଏପ୍ରିଲ ୧୯ରେ ତାଙ୍କର ପରଲୋକ ହୋଇଥିଲା ।

ଯେତେବେଳେ ଶିବପ୍ରତାପ ଅସୁସ୍ଥ ଥିଲେ, ତାଙ୍କୁ ପ୍ରଥମେ ଏକ କିଲୋମିଟର ଦୂରରେ ଥିବା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କର ୩୨ ବର୍ଷୀୟ ପୁଅ ଶୈଳେଶ ଚୌବେ କହନ୍ତି, ‘‘ସେଠାରେ କୌଣସି ବେଡ୍‌ ଉପଲବ୍ଧ ନ ଥିଲା । ଆମକୁ ଏକ ବେଡ୍‌ ପାଇଁ ୯ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଆନ୍ତା । କିନ୍ତୁ ଆମକୁ ତୁରନ୍ତ ଏକ ଅକ୍ସିଜେନ୍‌ ବେଡ୍‌ର ଆବଶ୍ୟକତା ଥିଲା ।’’

ଶେଷରେ କିଛି ଫୋନ୍‌ କରିବା ପରେ ଶୈଳେଶ ବାରଣାସୀରୁ ୨୪ କିମି ଦୂରରେ ବାବତପୁର ଗାଁ (ପିଣ୍ଡ୍ରା ବ୍ଲକ୍‌)ରେ ଥିବା ଏକ ଘରୋଇ ହସ୍ପିଟାଲରେ ବେଡ୍‌ ପାଇଲେ । ଶୈଳେଶ କହିଲେ, ‘କିନ୍ତୁ ସେ (ଶିବପ୍ରତାପ) ଦୁଇ ଦିନ ପରେ ସେଠାରୁ ଚାଲିଗଲେ।’’

ହସ୍ପିଟାଲର ସାର୍ଟିଫିକେଟ୍‌ରେ ଶିବପ୍ରତାପଙ୍କ ସିଟି ସ୍କାନ୍‌ ଆଧାରରେ ମୃତ୍ୟୁର କାରଣ ଭାବେ କୋଭିଡ୍‌-୧୯କୁ ଦର୍ଶାଇଯାଇଛି। ଏହା ପରିବାରକୁ ସରକାରୀ କ୍ଷତିପୂରଣ ପାଇବାରେ ସହାୟକ ହୋଇପାରିବ । ଶୈଳେଶ ଡିସେମ୍ବର ୨୦୨୧ର ଶେଷ ସପ୍ତାହରେ ଏଥିଲାଗି ଆବେଦନ କରିଛନ୍ତି । ଏହି କ୍ଷତିପୂରଣ ରାଶି ତାଙ୍କୁ ତାଙ୍କ ବାପାଙ୍କ ଚିକିତ୍ସା ଲାଗି କରିଥିବା ଋଣକୁ ପରିଶୋଧ କରିବାରେ ସହାୟତା କରିବ । ଏକ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ଶୈଳେଶ କହିଲେ, ‘‘ଆମକୁ କଳାବଜାରରୁ ଏକ ରେମ୍‌ଡେସିଭିର ଇଞ୍ଜେକ୍ସନ୍‌ ୨୫ ହଜାର ଟଙ୍କା ଦେଇ କିଣିବାକୁ ପଡ଼ିଲା।’’ "ଏହାଛଡ଼ା ପରୀକ୍ଷା, ହସ୍ପିଟାଲ ବେଡ୍‌ ଏବଂ ଔଷଧ ବାବଦରେ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଆମେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛୁ ଏବଂ ୫୦ ହଜାର ଟଙ୍କା ଆମ ପାଇଁ ବହୁ ପରିମାଣର ଅର୍ଥ ।’’

Left: Lullur says his son gets  work only once a week these days.
PHOTO • Parth M.N.
Right: It would cost them to get Shanti's death certificate, explains Kalavati
PHOTO • Parth M.N.

ବାମ : ଲୁଲ୍ଲୁର କହିଲେ ତାଙ୍କ ପୁଅ ଆଜିକାଲି ସପ୍ତାହରେ ଥରେ କାମ ପାଉଛନ୍ତି । ଡାହାଣ : ଶାନ୍ତିଙ୍କର ମୃତ୍ୟୁ ପ୍ରମାଣପତ୍ର ପାଇବା ଲାଗି ସେମାନଙ୍କୁ କିଛି ଅର୍ଥ ଖର୍ଚ୍ଚ କରିବାକୁ ହେବ, କଳାବତୀ ବୁଝାଇଲେ

ଶାନ୍ତିଙ୍କର ପରିବାର ଯାହାକି ମୁସାହାର ସମ୍ପ୍ରଦାୟର ସେମାନଙ୍କ ଲାଗି ଏହି ଟଙ୍କାର ପରିମାଣ ଅଧିକ ଅଟେ । ଗରିବ ଏବଂ ଅବହେଳିତ ମୁସାହାରମାନେ ଉତ୍ତରପ୍ରଦେଶର ଏକ ଅନୁସୂଚିତ ଜାତି । ସେମାନଙ୍କର କୌଣସି ଜମି ନାହିଁ ଏବଂ ସେମାନେ ରୋଜଗାର ପାଇବା ଲାଗି ଶ୍ରମିକ ଭାବେ କାମ କରିବା ଉପରେ ନିର୍ଭର କରନ୍ତି ।

ଶାନ୍ତିଙ୍କର ସ୍ୱାମୀ, ୫୦ ବର୍ଷୀୟ ମୁନୀର ଜଣେ ଶ୍ରମିକ ଯିଏକି ନିର୍ମାଣସ୍ଥଳୀଗୁଡ଼ିକରେ କାମ କରି ଦିନକୁ ୩୦୦ ଟଙ୍କା ରୋଜଗାର କରନ୍ତି । ତାଙ୍କ ପାଇଁ ୫୦ ହଜାର ଟଙ୍କା ରୋଜଗାର କରିବାକୁ ହେଲେ ତାଙ୍କୁ ୧୬୬ ଦିନ (ବା ୨୩ ସପ୍ତାହ) କାମ କରିବାକୁ ପଡ଼ିବ । ମହାମାରୀ ସମୟରେ ମୁନୀର ସପ୍ତାହରେ ଥରେ ମାତ୍ର କାମ ପାଉଥିବା ତାଙ୍କ ବାପା ଲୁଲ୍ଲୁର କହିଛନ୍ତି। ଏହି ହାରରେ ସେହି ଟଙ୍କା ରୋଜଗାର କରିବା ଲାଗି ତାଙ୍କୁ ୩ ବର୍ଷରୁ ଅଧିକ ସମୟ ଲାଗିଥାଆନ୍ତା ।

ମୁନୀରଙ୍କ ଭଳି ଶ୍ରମିକଙ୍କ ପାଇଁ ମହାତ୍ମା ଗାନ୍ଧି ନ୍ୟାସ୍‌ନାଲ୍‌ ରୁରାଲ୍‌ ଏମ୍ପଲଏମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (ମନରେଗା)ରେ ସେତେ ଅଧିକ କାମ ଉପଲବ୍ଧ ନାହିଁ ଯାହାକି ଏକ ଆର୍ଥିକ ବର୍ଷରେ ୧୦୦ ଦିନର କାମର ପ୍ରତିଶ୍ରୁତି ଦେଇଥାଏ । ଫେବ୍ରୁଆରୀ ୯ ତାରିଖ ସୁଦ୍ଧା ଉତ୍ତରପ୍ରଦେଶରେ ପ୍ରାୟ ୮୭.୫ ଲକ୍ଷ ପରିବାର ଏହି ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ କାମ ମାଗିଛନ୍ତି । ସେମାନଙ୍କ ମଧ୍ୟରୁ ୭୫.୪ ଲକ୍ଷରୁ ଅଧିକ ପରିବାରକୁ ବର୍ତ୍ତମାନ ସୁଦ୍ଧା ରୋଜଗାର ଯୋଗାଇ ଦିଆଯାଇଛି । କିନ୍ତୁ କେବଳ ୩,୮୪,୧୫୩ଟି ପରିବାର ଅର୍ଥାତ୍‌ ମାତ୍ର ୫% ଲୋକ ୧୦୦ ଦିନର କାମ ଶେଷ କରିଛନ୍ତି ।

ବାରଣାସୀସ୍ଥିତ ପିପୁଲ୍ସ ଭିଜିଲାନ୍ସ କମିଟି ଅନ୍‌ ହ୍ୟୁମାନ୍‌ ରାଇଟ୍‌ସ ସହ ସମ୍ପୃକ୍ତ ୪୨ ବର୍ଷୀୟ ସାମାଜିକ କର୍ମୀ ମଙ୍ଗଳା ରାଜଭର କହିଛନ୍ତି, କାମ ନିୟମିତ ଭାବେ ବା ନିରନ୍ତର ଉପଲବ୍ଧ ନାହିଁ । ‘‘କାମ ଅନିୟମିତ ଓ ଅସ୍ଥାୟୀ ଏବଂ ଶ୍ରମିକମାନେ ଏହାକୁ ଖଣ୍ଡବିଖଣ୍ଡିତ ଭାବେ କରିବାକୁ ବାଧ୍ୟ ହୁଅନ୍ତି ।’’ ରାଜଭର ଆହୁରି କହିଲେ ଏହି ଯୋଜନା ଅଧୀନରେ ନିୟମିତ କାମ ପ୍ରଦାନ ଲାଗି ରାଜ୍ୟ ପକ୍ଷରୁ କୌଣସି ଯୋଜନା ନାହିଁ ।

ସବୁଦିନ ସକାଳେ ଶାନ୍ତି ଓ ମୁନୀରଙ୍କର ୪ ଜଣ ପୁଅ ସମସ୍ତଙ୍କର ବୟସ ୨୦ ବର୍ଷ ମଧ୍ୟରେ କାମ ସନ୍ଧାନରେ ବାହାରକୁ ଯାଇଥାନ୍ତି । କିନ୍ତୁ ସେମାନେ ପ୍ରାୟତଃ ଖାଲି ହାତରେ ଫେରିଥାଆନ୍ତି । କଳାବତୀ କହିଲେ, ‘‘କେହି କୌଣସି କାମ ପାଇବାରେ ସକ୍ଷମ ହେଉନାହାନ୍ତି ।'' କୋଭିଡ୍‌ -୧୯ ମହାମାରୀ ଆରମ୍ଭ ହେବା ପରଠାରୁ ପରିବାରକୁ ଅନେକ ଥର ଭୋକରେ ରହିବାକୁ ପଡ଼ିଛି । "ସରକାରଙ୍କଠାରୁ ଆମକୁ ଯେଉଁ ମାଗଣା ରାସନ ମିଳୁଛି ଆମେ ସେଥିଯୋଗୁଁ ବଞ୍ଚିଯାଇଛୁ । କିନ୍ତୁ ତାହା ପୁରା ମାସ ଯାଏ ଯାଉନାହିଁ ।’’

‘‘ଶାନ୍ତିଙ୍କର ମୃତ୍ୟୁ ପ୍ରମାଣପତ୍ର ପାଇବା ଲାଗି ୨୦୦-୩୦୦ ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ଏହା ସହ ସାମିଲ ସମସ୍ୟା କଥା ବୁଝାଇ କଳାବତୀ କହିଲେ, ଆମକୁ ଆମର ପରିସ୍ଥିତି ବୁଝାଇବା ଲାଗି ବହୁ ଲୋକଙ୍କୁ ଭେଟିବାକୁ ପଡ଼ିଥାନ୍ତା । ଏବଂ ଲୋକମାନେ ଆମ ସହ ଭଲ ଭାବେ କଥା ହୁଅନ୍ତି ନାହିଁ । କିନ୍ତୁ ଆମେ ପ୍ରକୃତରେ କ୍ଷତିପୂରଣକୁ ବ୍ୟବହାର କରିଥାନ୍ତୁ।’’

ପାର୍ଥ ଏମ୍‌. ଏନ୍‌ ଠାକୁର ପରିବାର ଫାଉଣ୍ଡେସନ୍‌ ପକ୍ଷରୁ ମିଳିଥିବା ଏକ ମୁକ୍ତିବୃତ୍ତ ଅନୁଦାନ ମାଧ୍ୟମରେ ଜନସ୍ୱାସ୍ଥ୍ୟ ଏବଂ ନାଗରିକଙ୍କ ଅଧିକାର ସମ୍ପର୍କରେ ରିପୋର୍ଟ ଲେଖିଥାଆନ୍ତି । ଦି ଠାକୁର ଫାଉଣ୍ଡେସନ୍‌ ପକ୍ଷରୁ ଏହି ଆଲେଖ୍ୟର ବିଷୟବସ୍ତୁ ଉପରେ କୌଣସି ସମ୍ପାଦକୀୟ ନିୟନ୍ତ୍ରଣ କରାଯାଇନାହିଁ  ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE