ହାସନ ଅଲ୍ଲୀଙ୍କ ଜୀବନ ସେ ବାସ କରୁଥିବା ଚାର୍‌ ପରି ଭଙ୍ଗୁର। ଯେତେବେଳେ ଅନ୍ୟ ଚାର୍‌ ବାସିନ୍ଦାମାନେ ବ୍ରହ୍ମପୁତ୍ର ସେମାନଙ୍କ ଜମି ଖାଇନେବା ପରେ ନଦୀକୂଳ କିମ୍ବା ଏହାଠାରୁ ଦୂରକୁ ଚାଲିଯାଆନ୍ତି, ଅଲ୍ଲୀ କିନ୍ତୁ ନଦୀକୂଳରେ ଥିବା ପାନିକ୍ଷେତି ଗାଁରୁ ଏକ ଚାର୍‌କୁ ଆସିଛନ୍ତି ବସବାସ କରିବା ପାଇଁ। ଏହା ଅନିଶ୍ଚିତତା ଆଡ଼କୁ ଏକ ବିପରୀତ ଯାତ୍ରା।

ଆସାମର କାମରୂପ ଜିଲ୍ଲା ମେହତୋଲି ପଞ୍ଚାୟତର ଏକ ଗାଁ ପାନିକ୍ଷେତି।

ଅଲ୍ଲୀ କୁହନ୍ତି, ‘‘ଗତ ୩ବର୍ଷ ତଳେ ଯେତେବେଳେ ଭୀଷଣ ବନ୍ୟା ଆମର ଘର ଧୋଇନେଲା, ସେତେବେଳେ ମୋ ପାଖରେ ପଇସାଟିଏ ବି ନଥିଲା। ମୁଁ ଏହି ଚାର୍‌କୁ ଆସିଲି, ଯେଉଁଠାରେ ଅତିକମ୍‌ରେ ମୁଁ ନିଜ ପାଇଁ ମୁଣ୍ଡ ଉପରେ ଚାଳଟିଏ କରିପାରିବି।’’

PHOTO • Ratna Bharali Talukdar

ବ୍ରହ୍ମପୁତ୍ରରୁ ଚାର୍‌ଟିର ଦୃଶ୍ୟ : ଆସାମର ସମୁଦାୟ କ୍ଷେତ୍ରଫଳର ପ୍ରାୟ ୫ ପ୍ରତିଶତ ଏହି ଚାର୍‌ମାନଙ୍କୁ ନେଇ ଗଠିତ।

ଚାର୍‌କୁ ଆସିବା ପୂର୍ବରୁ ଅଲ୍ଲୀଙ୍କର ୩ ବିଘା (୭ବିଘା ଏକ ହେକ୍ଟର ସହ ସମାନ) ଚାଷୋପଯୋଗୀ ଜମି ଥିଲା। କିନ୍ତୁ ଗତ ୩ବର୍ଷ ତଳେ ସମୁଦାୟ ଜମିକୁ ନଈ ଖାଇଗଲା। ସେ ଚିନ୍ତା କରିନାହାନ୍ତି ଯେତେବେଳେ ଏହି ଚାର୍‌ ଧୋଇଯିବା କାରଣରୁ ତାଙ୍କୁ ଅନ୍ୟସ୍ଥାନକୁ ଯିବାକୁ ପଡ଼ିବ, ସେତେବେଳେ ସେ କେଉଁଠିକୁ ଯିବେ।

ଚାର୍‌ -ବେଣୀପରି ଗତି କରୁଥିବା ନଦୀଗୁଡ଼ିକ ମଧ୍ୟରେ ଏହା ଛୋଟଛୋଟ ବାଲୁକା ଦୀପ ବା ବାଲିକୁଦ। ଆସାମର ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ବ୍ରହ୍ମପୁତ୍ର ନଦୀର ୭୨୮ କିଲୋମିଟର ଦୀର୍ଘ ଅବବାହିକାରେ ଏମିତି ଅନେକ ଚାର୍‌ ଅଛି। ଏହା ରାଜ୍ୟର ୧୪ଟି ଜିଲ୍ଲା ଏବଂ ୫୫ଟି ବ୍ଲକ୍‌ରେ ଅଛି। ଆସାମର ସମୁଦାୟ କ୍ଷେତ୍ରଫଳର ପ୍ରାୟ ୫ପ୍ରତିଶତ ଏସବୁ ବାଲୁକା ଦୀପ।

ଆସାମ ମାନବ ବିକାଶ ରିପୋର୍ଟ ୨୦୧୪ ଅନୁଯାୟୀ ନଦୀ ଏବଂ ଏହାର ଉପନଦୀଗୁଡ଼ିକର ପ୍ରବାହର ଏକ ଅଭିନ୍ନ ଅଂଶ ଚାର୍‌। ଭାସମାନ ସାମଗ୍ରୀ ଏବଂ ବନ୍ୟା ସମୟରେ ପଟୁମାଟି ମିଶି ନଦୀ ମଧ୍ୟରେ ଏହି ପେସ୍ତା ବାଦାମ ଆକାରର ଭୂଖଣ୍ଡ ନିର୍ମିତ ହୁଏ। ଏହାର ଉର୍ବର ପଟୁମାଟି ସୋରିଷ, ଆଖୁ, ଛୋଟ, ବାଦାମ, ରାଶି, ବିରି, ଆଳୁ ଏବଂ ଅନ୍ୟାନ୍ୟ ପନିପରିବା ପାଇଁ ଖୁବ୍‌ ଉପଯୋଗୀ। କିନ୍ତୁ ଚାର୍‌ର ଉଚ୍ଚତା କେବେ ବି ବନ୍ୟାର ସର୍ବାଧିକ ଉଚ୍ଚତାଠାରୁ ଅଧିକ ହୋଇନଥାଏ। ଏହା ଫଳରେ ସେଗୁଡ଼ିକ କ୍ଷୟ ହେବାର ଆଶଙ୍କା ସବୁ ସମୟରେ ଲାଗି ରହିଥାଏ।

ବ୍ରହ୍ମପୁତ୍ର ଉପତ୍ୟକାରେ ୨,୨୫୧ଟି ଚାର୍‌ ଗ୍ରାମ ରହିଛି। ଏଗୁଡ଼ିକର ଜନସଂଖ୍ୟା ୨୬ଲକ୍ଷରୁ ଅଧିକ। ସୋସିଓ-ଇକୋନୋମିକ୍‌ ସର୍ଭେ ରିପୋର୍ଟ (୨୦୦୨-୦; ସଦ୍ୟତମ ଜନସଂଖ୍ୟା ତଥ୍ୟ ଉପଲବ୍ଧତା) ଅନୁଯାୟୀ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ପୂର୍ବ ବଙ୍ଗରୁ ଆସିଥିବା ମୁସଲମାନ ପରିବାର। ଆସାମ ସରକାରଙ୍କ ଚାର୍‌ ଅଞ୍ଚଳ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା ଏହି ତଥ୍ୟ ପ୍ରକାଶିତ ହୋଇଛି।

PHOTO • Ratna Bharali Talukdar

ଏକ ବୋଟ୍‌ରୁ ଚାର୍‌ର ଦୃଶ୍ୟ : ନଦୀକୂଳରୁ ହାସନ ଅଲ୍ଲୀଙ୍କ ଚାର୍‌ରେ ପହଞ୍ଚିବା ପାଇଁ ଭୁଟ୍‌ଭୁଟି ( ଯାନ୍ତ୍ରିକ ଦେଶୀ ଡଙ୍ଗା ) ରେ ୨୫ ମିନିଟ୍‌ ସମୟ ଲାଗେ।

ବ୍ରିଟିଶ ସରକାରଙ୍କ ସମୟରେ କୃଷି ଉପଯୋଗୀ ଜମିରୁ ରାଜସ୍ୱ ଆଦାୟ କରିବା ନିମନ୍ତେ ପୂର୍ବ ବଙ୍ଗର ଗରିବ ଚାଷୀମାନଙ୍କୁ ଏସବୁ ଚାର୍‌ରେ ବସବାସ କରିବା ପାଇଁ ଏବଂ ଏଠାରେ ଚାଷ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଏଠାରେ ଜନ୍ମ ହୋଇଥିବା ଏବଂ ବଡ଼ ହୋଇଥିବା ପିଢ଼ିମାନେ ଉଭୟ ବଙ୍ଗଳା ଏବଂ ଆସାମୀ ଭାଷାରେ କଥାବାର୍ତ୍ତା କରନ୍ତି। ଜନସଂଖ୍ୟା ଗଣନାରେ ସେମାନେ ଆସାମୀ ଭାଷୀ ଭାବରେ ସୂଚିତ ହୋଇଛନ୍ତି।

ଅଲ୍ଲୀଙ୍କ ଚାର୍‌ର ତିନୋଟି ଭିନ୍ନ ଭିନ୍ନ ନାଁ ରହିଛି- ପାନିକ୍ଷେତି (ପୂର୍ବ ଅଂଶ ଯେଉଁଠାରେ ସେ ବାସ କରୁଛନ୍ତି), ଲାଖିଚାର୍‌ (ମଧ୍ୟ ଭାଗ) ଏବଂ ମୋରିସାକାଣ୍ଡି (ପଶ୍ଚିମ ଅଂଶ)। ପ୍ରତ୍ୟେକ ଅଂଶ ବିସ୍ଥାପିତ ହୋଇଥିବା ବାସିନ୍ଦାମାନଙ୍କ ମୌଳିକ ଗ୍ରାମର ନାମ ଅନୁଯାୟୀ ସୂଚିତ ହୋଇଛି।

ନଦୀ କୂଳରୁ ଭୁଟ୍‌ଭୁଟି (ଏକ ଯାନ୍ତ୍ରିକ ଦେଶୀ ଡଙ୍ଗା)ରେ ଚାର୍‌ରେ ପହଞ୍ଚିବା ପାଇଁ ୨୫ ମିନିଟ୍‌ ସମୟ ଲାଗିଥାଏ। ଚାର୍‌ ଏବଂ ନଦୀକୂଳ ମଧ୍ୟରେ ନଦୀର ଚଉଡ଼ା ବର୍ତ୍ତମାନ ପ୍ରାୟ ୩ କିଲୋମିଟର- ୧୦ବର୍ଷ ତଳେ ଏହି ଚାର୍‌ ଏବଂ ପାନିକ୍ଷେତି ଗ୍ରାମକୁ ଅଲଗା କରୁଥିବା  ବ୍ରହ୍ମପୁତ୍ର ନଦୀର ଏକ ଛୋଟ ଧାରା ଥିଲା। ଏହି ଚାର୍‌ ୨ କିଲୋମିଟର ଚଉଡ଼ା ଏବଂ ୨ କିଲୋମିଟର ଲମ୍ବା। ବର୍ତ୍ତମାନ ଏଠାରେ ୮୦୦ରୁ ଅଧିକ ବିସ୍ଥାପିତ ପରିବାର ପାଇଁ ଘର ପାଲଟିଛି ବୋଲି ସ୍ଥାନୀୟ ଲୋକଙ୍କ ଆକଳନ।

ଆମେ କେବଳ ବୟସ୍କ, ମା’ମାନଙ୍କୁ ଏବଂ ପିଲାମାନଙ୍କୁ ଘରେ ପାଇଲୁ। ଅଧିକାଂଶ ଛୋଟ ଝିଅ ଘର କାମରେ ସାହାଯ୍ୟ କରନ୍ତି ଏବଂ ୧୪-୧୫ବର୍ଷ ବେଳକୁ ବିବାହ କରନ୍ତି। କମ୍‌ ବୟସର ପୁଅମାନେ କାମ ପାଇଁ ବାହାରକୁ ଚାଲିଯାଆନ୍ତି। ସେମାନେ ଉତ୍ତରପୂର୍ବର ବିଭିନ୍ନ ସହର ତଥା ଗୌହାଟିକୁ ଯାଆନ୍ତି। ବେଳେବେଳେ ସେମାନେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ପରି ଦୂର ସ୍ଥାନକୁ ନିର୍ମାଣ ଶ୍ରମିକ, ସିକ୍ୟୁରିଟି ଗାର୍ଡ, କାରଖାନା ଶ୍ରମିକ କିମ୍ବା ହୋଟେଲ୍‌ କର୍ମଚାରୀ ଭାବରେ କାମ କରିବାକୁ ମଧ୍ୟ ଚାଲିଯାଆନ୍ତି। ସେମାନେ ସମସ୍ତେ ବିସ୍ଥାପନ ଏବଂ ପରବର୍ତ୍ତୀ କଷ୍ଟକର ସମୟର ସମାନ କାହାଣୀ ବର୍ଣ୍ଣନା କରନ୍ତି। ଅଲ୍ଲୀଙ୍କ ବଡ଼ପୁଅ ଉଚ୍ଚମାଧ୍ୟମିକ ପରୀକ୍ଷା ଦେବା ପରେ ଦିନ ମଜୁରିଆ ଭାବରେ କାମ କରିବାକୁ ଗୌହାଟି ଚାଲିଯାଇଛନ୍ତି।

PHOTO • Ratna Bharali Talukdar

ଅନିଶ୍ଚିତତାର ହତାଶା ମଧ୍ୟରେ ସମସ୍ତେ : ହାସନ ଅଲ୍ଲୀ ତାଙ୍କ ଚାର୍‌ର ପଡ଼ୋଶୀମାନଙ୍କ ସହ।

ବୟସ୍କ ଲୋକମାନେ ସାଧାରଣତଃ କୁଆଡ଼େ ଯାଆନ୍ତି ନାହିଁ। କାରଣ ଠିକାଦାରମାନେ ସେମାନଙ୍କୁ ନିଯୁକ୍ତି ଦେବା ଯୋଗ୍ୟ ବିବେଚନା କରନ୍ତି ନାହିଁ। ସେମାନେ ନିଜର ଜମିରେ କିମ୍ବା ଅନ୍ୟମାନଙ୍କ ଜମିରେ କୃଷି ଶ୍ରମିକ ଭାବରେ କାମ କରନ୍ତି। ଅଲ୍ଲୀଙ୍କ ବୟସ ବର୍ତ୍ତମାନ ପ୍ରାୟ ୬୦ବର୍ଷ। ତେଣୁ ସେ ବି ଗାଁରେ ଅଛନ୍ତି। ମାଛ ଧରାରୁ ସେ ଜୀବିକା ନିର୍ବାହ କରନ୍ତି। ମାସକୁ ଅତି ବେଶୀରେ ୧୫୦୦ ଟଙ୍କା ପାଆନ୍ତି। ତାଙ୍କ ପୁଅ ଘର ଚଳାଇବା ପାଇଁ ଆଉ ୧୫୦୦ ଟଙ୍କା ପଠାନ୍ତି। ଅଲ୍ଲୀଙ୍କର ୭ଜଣ ସନ୍ତାନ। ୪ଜଣ ଝିଅ ଅପ୍ରାପ୍ତ ବୟସରେ ବିବାହ କରିଛନ୍ତି, ୫ମ ଝିଅର ବୟସ ପ୍ରାୟ ୧୩ବର୍ଷ ଏବଂ ସେ ମଧ୍ୟ ଖୁବ୍‌ ଶୀଘ୍ର ବିବାହ କରିବ।

ଆମେ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲୁ, ସେତେବେଳେ ତାଙ୍କର ଆମ ସହ କଥା ହେବା ପାଇଁ କିଛି ସମୟ ଥିଲା। କାରଣ ସେ ନଦୀ ଆରପଟେ ଥିବା ସାପ୍ତାହିକ ହାଟକୁ ଯାଉନଥିଲେ। ଏହି ହାଟ ଚାର୍‌ ପଡ଼ୋଶୀମାନଙ୍କ ଭେଟିବା ସ୍ଥାନ ମଧ୍ୟ। ଅଲ୍ଲୀ କୁହନ୍ତି, ‘‘ଆମର ଦୈନନ୍ଦିନ ଚଳିବା ପାଇଁ ଆମେ ଏହି ହାଟ ଉପରେ ନିର୍ଭର କରୁ। ଯିବା ଆସିବା ପାଇଁ ୨୦ ଟଙ୍କା ଆବଶ୍ୟକ ଏବଂ ମୋ ପାଖରେ ଟଙ୍କା ନାହିଁ।’’ ସରକାରୀ ବୋଟ୍‌ ସେବା ନଥିବାରୁ ଘରୋଇ ଯାନ୍ତ୍ରିକ  ବୋଟଗୁଡ଼ିକ ଏଠାରେ ଯାତାୟାତର ଏକମାତ୍ର ମାଧ୍ୟମ।

ଭିଡିଓ ଦେଖନ୍ତୁ : କ୍ଷୟ ପାଇଯାଉଥିବା ଏକ ଚାର୍‌ରେ ଅସ୍ଥାୟୀ ଜୀବନ ସମ୍ପର୍କରେ ହାସନ ଅଲ୍ଲୀ କହୁଛନ୍ତି।

ଜିଲ୍ଲା ପ୍ରଶାସନ ସହ ମିଳିତ ଭାବରେ ଚାର୍‌ ଅଞ୍ଚଳ ନିର୍ଦ୍ଦେଶାଳୟ ଚାର୍‌ଗୁ‌ଡ଼ିକରେ କେତେକ ନିର୍ଦ୍ଦିଷ୍ଟ ବିକାଶମୂଳକ  କାର୍ଯ୍ୟକ୍ରମ ଲାଗୁ କରେ। ପାନିକ୍ଷେତି ଚାର୍‌ରେ ସରକାରୀ ପରିଚାଳିତ ଦୁଇଟି ଉଚ୍ଚ ପ୍ରାଥମିକ ସ୍କୁଲ ଅଛି। କେହି ଏହାଠାରୁ ପଢ଼ିବାକୁ ଚାହିଁଲେ, ଦୈନିକ ବୋଟ୍‌ରେ ନଦୀ ପାର୍‌ ହେବାର ଖର୍ଚ୍ଚ ବହନ କରିବାକୁ ପଡ଼େ- ଏହା ହିଁ ଅଧାରୁ ସ୍କୁଲ ଛାଡ଼ିବାର ମୁଖ୍ୟ କାରଣ।

ପାନିକ୍ଷେତିରେ ମଧ୍ୟ ଏକ ଉପସ୍ୱାସ୍ଥ୍ୟକେନ୍ଦ୍ର ଅଛି- ବିନା ଛାତରେ। ଏହାର ଚାରିପାଖରେ ଏବଂ ଭିତରେ ଗଛଲତା ବଢ଼ିଛି। ତେଣୁ ଏହା ପରିତ୍ୟକ୍ତ ମନେହୁଏ। ଜଣେ ଅତିରିକ୍ତ ନର୍ସ ଧାଈ (ଏଏନ୍‌ଏମ୍‌) ମଝିରେ ମଝିରେ ଚାର୍‌କୁ ଆସନ୍ତି। କିନ୍ତୁ ସେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅପେକ୍ଷା ଜଣଙ୍କ ଘରୁ କାମ କରିବାକୁ ପସନ୍ଦ କରନ୍ତି। କୌଣସି ଜରୁରୀ ସ୍ୱାସ୍ଥ୍ୟ ଆବଶ୍ୟକତା ନିମନ୍ତେ ସେମାନଙ୍କୁ ନଦୀ ପାର୍‌ ହୋଇ ସୋନ୍ତାଲିସ୍ଥିତ ନିକଟତମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଆଉ ୩ କିଲୋମିଟର ଚାଲିବାକୁ ପଡ଼ିଥାଏ।

PHOTO • Ratna Bharali Talukdar

ଚାର୍ ‌ମାନଙ୍କରେ ମୌଳିକ ସୁବିଧା ମଧ୍ୟ ନାହିଁ: ଏହି ଛାତ ନଥିବା ଅଟ୍ଟାଳିକା ପାନିକ୍ଷେତିର ଏକମାତ୍ର ସ୍ୱାସ୍ଥ୍ୟ ଉପକେନ୍ଦ୍ର

ଅଲ୍ଲୀ କୁହନ୍ତି, ‘‘ସେପ୍ଟେମ୍ବର ମାସ [୨୦୧୬]ର ବନ୍ୟା ବ୍ୟୁତ୍ପାତ ସମୟରେ କୌଣସି ସ୍ୱାସ୍ଥ୍ୟ ଅଧିକାରୀ ଆମ ପାଖକୁ ଆସିନଥିଲେ। ପ୍ରଶାସନ ବନ୍ୟା ସହାୟତା ଭାବରେ କେବଳ ୨ କେଜି ଲେଖାଏଁ ଗୋଖାଦ୍ୟ ଦେଇଥିଲେ। ଏହି ବନ୍ୟାରେ ସେମାନଙ୍କ ଘର ସାମୟିକ ଭାବରେ ବୁଡ଼ିଯାଇଥିଲା। କାଉଁରିଆ କାଠିରେ ତିଆରି ସେମାନଙ୍କ ଘରର କାନ୍ଥରେ ବନ୍ୟାର ଚିହ୍ନ ଏବେ ବି ସ୍ପଷ୍ଟ ଭାବରେ ଦେଖାଯାଉଛି।

PHOTO • Ratna Bharali Talukdar

ସାମୟିକ ଭାବରେ ବନ୍ୟାରେ ବୁଡ଼ିଯାଉଥିବା ସେମାନଙ୍କ ଘରର କାଉଁରିଆ କାଠିରେ ପ୍ରସ୍ତୁତ କାନ୍ଥରେ ବନ୍ୟାର ଚିହ୍ନ ରହିଛି

PHOTO • Ratna Bharali Talukdar

ପ୍ରାୟ ୧୦ଟି ପରିବାର ପିଇବା ପାଣି ପାଇଁ ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି , ଯାହାକୁ ସେମାନେ ନିଜ ଖର୍ଚ୍ଚରେ ରକ୍ଷଣାବେକ୍ଷଣ କରନ୍ତି

ଖୋଲାରେ ମଳତ୍ୟାଗ ବାଧ୍ୟତାମୂଳକ ଏବଂ ପ୍ରତ୍ୟେକ ପରିବାରରେ ଝାଡ଼ାବାନ୍ତି ଖୁବ୍‌ ସାଧାରଣ। ବିଶେଷକରି ବନ୍ୟା ପରେ। ପିଇବା ପାଣି ପାଇଁ ପ୍ରାୟ ୧୦ଟି ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି। ଯାହାକୁ କି ସେମାନେ ନିଜ ଖର୍ଚ୍ଚରେ ରକ୍ଷଣାବେକ୍ଷଣ କରନ୍ତି।

ଅଲ୍ଲୀ କୁହନ୍ତି, ‘‘ଆମ ଚାର୍‌ ସମାନ ଭାବରେ ଦୁଇଟି ବିଧାନସଭା କ୍ଷେତ୍ର ମଧ୍ୟରେ ବିଭାଜିତ- ଦକ୍ଷିଣକୂଳ ବୋକୋ ଏବଂ ଉତ୍ତରକୂଳ ଚେଙ୍ଗା। କିନ୍ତୁ କୌଣସି ପ୍ରଶାସନିକ ତ୍ରୁଟି କାରଣରୁ ଚେଙ୍ଗା ବିଧାନସଭା ଅନ୍ତର୍ଗତ ଲୋକମାନେ ଦାରିଦ୍ର୍ୟ ସୀମାରେଖା (ବିପିଏଲ୍‌) ରାସନରୁ ଦୀର୍ଘଦିନ ହେବ ବଞ୍ଚିତ ହୋଇଛନ୍ତି।’’ ଅଲ୍ଲୀ ବୋକୋ ବିଧାନସଭା କ୍ଷେତ୍ରରେ ସୂଚିବଦ୍ଧ ହୋଇଛନ୍ତି, କେବଳ ବିପିଏଲ୍‌ ଚାଉଳ ବ୍ୟତୀତ ଅନ୍ୟ କୌଣସି ସୁବିଧା ପାଉନାହାନ୍ତି।

ବିଦ୍ୟୁତ ଏଠାରେ ଏକ ଦୂରନ୍ତ ସ୍ୱପ୍ନ ଏବଂ କୌଣସି ପରିବାର ପାଖରେ ସୋଲାର୍‌ ଲ୍ୟାମ୍ପ ନାହିଁ। ଏହା ବଦଳରେ ସେମାନେ କିରାସିନି ଉପରେ ନିର୍ଭର କରନ୍ତି। ଯାହାର ଦାମ୍‌ ଲିଟର ପିଛା ୩୫ଟଙ୍କା- ଅଲ୍ଲୀଙ୍କ ପରିବାର ମାସକୁ ୫-୭ ଲିଟର ଆବଶ୍ୟକ କରନ୍ତି। ଏପରିକି ରେଡିଓ ମଧ୍ୟ ଏଠାରେ ଏକ ବିଳାସ।

ଅଲ୍ଲୀ କୁହନ୍ତି, ‘‘ଯଦି ଗୋଟିଏ ଚାର୍‌ ଅତି କମ୍‌ରେ ୨୦ବର୍ଷ ରହୁଥାଆନ୍ତା, ତା’ହେଲେ ଜୀବନ ଟିକେ ଭଲ ହେଉଥାନ୍ତା। କିନ୍ତୁ ଚାର୍‌ର ଜୀବନ ଅତିବେଶୀରେ ୧୦ବର୍ଷ। ଯେତେବେଳେ ଆମେ କିଛି ଉପାର୍ଜନ କରିବାକୁ ଆରମ୍ଭ କରିବୁ ଏବଂ ଅପେକ୍ଷାକୃତ ଭାବରେ ସ୍ଥିର ଜୀବନ ପାଇଁ ପ୍ରସ୍ତୁତ ହେବୁ, ସେତେବେଳକୁ ପୁଣି କ୍ଷୟ ଆରମ୍ଭ ହେବ ଏବଂ ଆମେ ଅନ୍ୟ ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବୁ।

‘‘ଏହା ଆମର କାହାଣୀ, ସମସ୍ତ ଚାର୍‌ ବାସିନ୍ଦାଙ୍କ କାହାଣୀ। ମୋ କାହାଣୀ କିନ୍ତୁ ଏହିଠାରେ ଶେଷ ହୁଏ ନାହିଁ…’’ ଏବଂ ଅଲ୍ଲୀ ନିଜର ଦ୍ୱିତୀୟ ପୁଅ ବିଷୟରେ କହିବାକୁ ଆରମ୍ଭ କଲେ। ତା’ର ବୟସ ଏବେ ୧୮। ସେ ଲୋୟର ଆସାମର ବାରପେଟା ଜିଲ୍ଲାର ଏକ କଲେଜରେ ଦ୍ୱାଦଶ ବିଜ୍ଞାନ ଶ୍ରେଣୀର ଛାତ୍ର। ସେ ବର୍ତ୍ତମାନ ମେଡିକାଲ୍‌ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଛି। ଅଲ୍ଲୀ ତାଙ୍କ ବଡ଼ପୁଅର ଉଚ୍ଚଶିକ୍ଷା ପାଇଁ ଅର୍ଥ ଯୋଗାଇପାରିଲେ ନାହିଁ। କିନ୍ତୁ ସବୁ ସମସ୍ୟା ସତ୍ତ୍ୱେ ଶିକ୍ଷକଙ୍କ ସହାୟତାରେ ତାଙ୍କ ସାନ ପୁଅ ୨ବର୍ଷ ତଳେ ମାଟ୍ରିକ ପରୀକ୍ଷାରରେ ୮୩ପ୍ରତିଶତ ମାର୍କ ପାଇଥିଲା।

ଅଲ୍ଲୀ କୁହନ୍ତି, ‘‘ସେ ମେଡିକାଲ୍‌ କଲେଜରେ ନାଁ ଲେଖାଇବା ପାଇଁ ଦୃଢ଼ ନିଶ୍ଚିତ। ତାଙ୍କ ଶିକ୍ଷକମାନେ କୁହନ୍ତି, ଏହି ପାଠ ପଢ଼ା ଶେଷ ହେବା ପାଇଁ ଅତିକମ୍‌ରେ ୩୦ଲକ୍ଷ ଟଙ୍କା ଆବଶ୍ୟକ। ମୁଁ ଜାଣିନି, ସେ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହେଲେ ବି କେମିତି ଏହା ଶେଷ କରିପାରିବ।’’

କିନ୍ତୁ ଅଲ୍ଲୀଙ୍କ ଆଖି କହୁଥିଲା, ଦିନେ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେବ ବୋଲି ସେ ଆଶାପୋଷଣ କରିଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Ratna Bharali Talukdar

Ratna Bharali Talukdar is a 2016-17 PARI Fellow. She is the executive editor of Nezine, an online magazine on India's North East. Also a creative writer, she travels widely in the region to cover various issues including migration, displacement, peace and conflict, environment, and gender.

Other stories by Ratna Bharali Talukdar