ମଇ ୨୦ ତାରିଖରେ ସାମୁଦ୍ରିକ ଝଡ଼ ଅମ୍ଫନ ଯୋଗୁଁ ତୀବ୍ର ବେଗରେ ବହୁଥିବା ପବନ ଓ ପ୍ରବଳ ବର୍ଷା ସତ୍ତ୍ୱେ ସବିତା ସର୍ଦ୍ଦାରଙ୍କ ମନରେ କୌଣସି ଭୟ ନଥିଲା। “ଖରାପ ପାଗର ସମ୍ମୁଖୀନ ହେବା ଆମ ପାଇଁ ସାଧାରଣ କଥା। ମୁଁ ଡରୁନଥିଲି। ପ୍ରକୃତରେ ଯେଉଁମାନେ କଂକ୍ରିଟ ଘରେ ରହୁଥିଲେ ସେମାନେ ଅଧିକ ଡରିଯାଇଥିଲେ”, ସେ କୁହନ୍ତି।

ଦକ୍ଷିଣ କୋଲକାତାର ଏକ ଲୋକପ୍ରିୟ ବଜାରର ରାସ୍ତାକଡ଼ରେ ଆଜକୁ ୪୦ ବର୍ଷ ହେବ ସବିତା ରହି ଆସୁଛନ୍ତି।

ସେଦିନ, ମହାବାତ୍ୟା ଅମ୍ଫନ ପଶ୍ଚିମବଙ୍ଗର ରାଜଧାନୀ ଦେଇ ଅତିକ୍ରମ କରୁଥିବା ସମୟରେ, ସବିତା ଏବଂ ଆଉ କେତେ ଜଣ ବାସହୀନ ମହିଳା ଗରିଆହାଟ ଫ୍ଲାଏଓଭର ତଳେ ସେମାନେ ତାଙ୍କର ତିନି ଚକିଆ ସାଇକେଲକୁ ଆଶ୍ରା କରି ଏକାଠି ବସି ରହିଥିଲେ। ଏହିପରି ଭାବେ ସେମାନେ ରାତି ବିତାଇଥିଲେ। “ଆମେ ସେଠାରେ ବସି ରହିଲୁ ଯେତେବେଳେ ଭଙ୍ଗା କାଚ ଖଣ୍ଡ ଚାରିପାଖରେ ଉଡ଼ିବୁଲୁଥିଲା ଏବଂ ଗଛଗୁଡ଼ିକ ଭାଙ୍ଗି ପଡ଼ୁଥିଲା। ପବନରେ ଉଡ଼ି ଆସୁଥିବା ବର୍ଷା ଆମକୁ ଭିଜାଇ ଦେଉଥିଲା। ଆମେ ଖୁବ ଜୋରରେ ହେଉଥିବା ଧୂମଧାମ ଶବ୍ଦ ଶୁଣିପାରୁଥିଲୁ,” ସବିତା ସ୍ମରଣ କରି କୁହନ୍ତି।

ଏଇ ମାତ୍ର ପୂର୍ବ ଦିନ ସେ ଫ୍ଲାଏଓଭର ତଳେ ଥିବା ନିଜର ବାସସ୍ଥଳୀକୁ ଫେରିଥିଲେ। “ଅମ୍ଫନର ଗୋଟିଏ ଦିନ ପୂର୍ବରୁ ମୋ ପୁଅ ଘରୁ ମୁଁ ଗରିଆହାଟକୁ ଫେରିଥିଲି। ମୋର ବାସନକୁସନ ଓ ପୋଷାକ ଏଣେ ତେଣେ ବିଚ୍ଛାଡ଼ି ହୋଇ ପଡ଼ିଛି ଯେମିତିକି କେହି ସେଥିରେ କ’ଣ ଖୋଳାଖୋଳି କରିଛି,” ସବିତା କୁହନ୍ତି, ଯାହାଙ୍କ ବୟସ ପାଖାପାଖି ୪୭ ବର୍ଷ ହେବ। ସେ ଟଲିଗଞ୍ଜର ଝଲଦର ମଠ ବସ୍ତି କଲୋନୀରେ ଥିବା ନିଜ ପୁଅ ଘରୁ ୪ କିମି ଦୂର ନିଜ ବାସସ୍ଥାନକୁ ଫେରିଥିଲେ। ସେଠାରେ ରାଜୁ, ୨୭, ତାଙ୍କ ପତ୍ନୀ ରୂପା, ୨୫, ସେମାନଙ୍କ ଛୋଟ ପିଲା ଏବଂ ରୂପାର ସାନ ଭଉଣୀ ରୁହନ୍ତି।

ମାର୍ଚ୍ଚ ୨୫ରେ ଲକଡାଉନ ଆରମ୍ଭ ହେବା ପରେ ଗରିଆହାଟର ରାସ୍ତାକଡ଼ ବାସିନ୍ଦାମାନଙ୍କୁ କୋଲକାତା ପୋଲିସ ଆଶ୍ରୟସ୍ଥଳୀକୁ ନେଇଯାଇଥିଲା। ସେଠାରୁ ସେ ଝଲଦର ମଠକୁ ଚାଲିଯାଇଥିଲେ। ସେଦିନ ରାତିରେ ପୋଲିସ ଅଧିକାରୀମାନେ ଫ୍ଲାଏଓଭର ତଳେ ରହୁଥିବା ସବିତା ଓ ଅନ୍ୟମାନଙ୍କୁ ସେଠାରୁ ଛାଡ଼ି ଚାଲିଯିବା ପାଇଁ ଅନୁରୋଧ କରିଥିଲେ। କରୋନା ଭୂତାଣୁ କାରଣରୁ ଆମେମାନେ ରାସ୍ତାକଡ଼ରେ ରହିପାରିବୁ ନାହିଁ ବୋଲି ସେମାନେ ଆମକୁ କହିଥିଲେ ଏବଂ ଆମକୁ ବର୍ତ୍ତମାନ ଆଶ୍ରୟସ୍ଥଳୀକୁ ଯିବାକୁ ହେବ,” ବୋଲି ସେ କହିଥିଲେ। ସେମାନଙ୍କୁ କୋଲକାତା ମହାନଗର ନିଗମର ୮୫ ନମ୍ବର  ୱାର୍ଡରେ ଥିବା ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା।

When Cyclone Amphan hit Kolkata on May 20, Sabita (on the left in the right image) huddled under the flyover with her daughter Mampi and grandson
PHOTO • Puja Bhattacharjee
When Cyclone Amphan hit Kolkata on May 20, Sabita (on the left in the right image) huddled under the flyover with her daughter Mampi and grandson
PHOTO • Puja Bhattacharjee

ମେ ୨୦ରେ କୋଲକାତାରେ ଅମ୍ଫନ ମାଡ଼ ହେବା ସମୟରେ, ସବିତା (ନାଲି ଶାଢ଼ିରେ) ଫ୍ଲାଏଓଭର ତଳେ ଆଶ୍ରା ନେଇଥିଲେ। ପରେ (ଡାହାଣ) ନିଜ ଝିଅ ମାମ୍ପି ଓ ନାତିଙ୍କ ସହିତ ବସିଛନ୍ତି।

ଏପ୍ରିଲ ୨୦ ତାରିଖରେ, ଅମ୍ଫନ ଆସିବାର ଗୋଟିଏ ମାସ ପୂର୍ବରୁ,  ଗରିଆହାଟ ଜନଶୂନ୍ୟ ଫୁଟପାଥର ଏକ ଭଙ୍ଗା କାଠ ବେଞ୍ଚ ଉପରେ ସବିତାଙ୍କୁ ବସିଥିବା ଦେଖିପାରିଲି। ଏପ୍ରିଲ ୧୫ ତାରିଖରେ ସେ ଆଶ୍ରୟସ୍ଥଳୀ ଛାଡ଼ି ନିଜ ପୁଅ ଘରକୁ ଚାଲିଯାଇଥିଲେ, କିନ୍ତୁ ତାଙ୍କ ଜିନିଷପତ୍ର ଠିକ ଅଛି କି ନାହିଁ ଜାଣିବା ଲାଗି ତାଙ୍କୁ ପୁଣିଥରେ ଫେରିବାକୁ ପଡ଼ିଲା। ସାମଗ୍ରୀ ବିକ୍ରି କରିବା ଲାଗି ବ୍ୟବହାର କରୁଥିବା ଉଠାଦୋକାନୀମାନଙ୍କର ଉଠାଦୋକାନଗୁଡ଼ିକ ଲକଡାଉନ କାରଣରୁ ମୋଡ଼ା ହୋଇ ରହିଥିଲା। ତେବେ ଫୁଟପାଥରେ ରହୁଥିବା କିଛି ଲୋକ ବୁଲାବୁଲି କରୁଥିଲେ। “ମୁଁ ମୋ ବାସନକୁସନ ଓ ପୋଷାକପତ୍ର ଠିକ ଅଛି କି ନାହିଁ ଦେଖିବାକୁ ଫେରିଆସିଥିଲି। ମୋର ଡର ଥିଲା ସେଗୁଡ଼ିକ କାଳେ ଚୋରି ହୋଇଯାଇଥିବ, କିନ୍ତୁ ସେଗୁଡ଼ିକ ସୁରକ୍ଷିତ ଥିବା ଦେଖି ଆଶ୍ୱସ୍ତ ହେଲି,” ସେ କହିଥିଲେ।

“ଆଶ୍ରୟସ୍ଥଳୀରେ ଆମ ପାଇଁ ଠିକ ବ୍ୟବସ୍ଥା ନଥିଲା,” ସବିତା କହିଲେ। ଗୋଷ୍ଠୀ କେନ୍ଦ୍ରରେ ଅସ୍ଥାୟୀ ଭାବେ ୧୦୦ ଲୋକ ରହୁଥିଲେ, ସେ କହିଥିଲେ। “ଜଣଙ୍କୁ ଅନ୍ୟ ଜଣଙ୍କ ଠାରୁ ଅଧିକ ଖାଇବା ମିଳିଲେ ଝଗଡ଼ା ଲାଗୁଥିଲା। ଏହା ସବୁଦିନ ଘଟୁଥିଲା। ଗୋଟିଏ ଚାମଚ ଭାତକୁ ନେଇ ହାତାହାତି ହୋଇଯାଉଥିଲା”। ସେ ଆହୁରି କହିଥିଲେ ଯେ ଖାଦ୍ୟର ମାନ ଦିନକୁ ଦିନ ଅତି ଖରାପ ହେବାକୁ ଲାଗିଲା। “ରାଗ ଖାଦ୍ୟ ଖାଇ ମୋ ତଣ୍ଟି ପୋଡ଼ିଲା। ସବୁଦିନ ଆମକୁ କେବଳ ପୁରି ଓ ଆଳୁ ତରକାରୀ ଦିଆଯାଉଥିଲା।” ସେଠାରେ ବନ୍ଦୀଙ୍କ ଭଳି ପରିବେଶ ଥିଲା-ଖାଇବାକୁ ନେଇ ଗଣ୍ଡଗୋଳ ଛଡ଼ା ସୁରକ୍ଷାକର୍ମୀମାନେ ଦୁର୍ବ୍ୟବହାର କରୁଥିଲେ, ଏବଂ ସେଠାରେ ଥିବା ଲୋକମାନଙ୍କୁ ଯଥେଷ୍ଟ ପିଇବା ପାଣି ଏବଂ ଗାଧୋଇବା ପାଇଁ ସାବୁନ ଦିଆଯାଉନଥିଲା।

ସବିତାଙ୍କୁ ଯେତେବେଳେ ମାତ୍ର ୭ ବର୍ଷ ହୋଇଥିଲା ଗରିଆହାଟର ଫୁଟପାଥକୁ ସେ ନିଜ ଘର ଭାବେ ଆପଣାଇ ନେଇଥିଲେ। ସହରକୁ ସେ ନିଜ ମା’ କାନନ ହାଲଦାର ଏବଂ ତିନି ଭଉଣୀ ଓ ତିନି ଭାଇଙ୍କ ସହିତ ଆସିଥିଲେ। “ମୋ ବାପା କାମ ପାଇଁ ବାହାରକୁ ଯାଉଥିଲେ। ଥରେ, ସେ କାମ ପାଇଁ ଗଲେ ଯେ ଆଉ ଫେରିଲେ ନାହିଁ”। ତେଣୁ କାନନ ଓ ତାଙ୍କର ୭ ଜଣ ପିଲା ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଏକ ଗ୍ରାମ (ସବିତାଙ୍କର ନିଜ ଗାଁ ନାଁ ଭଲ ଭାବେ ମନେ ନାହିଁ) କୋଲକାତାର ବାଲିଗଞ୍ଜ ଷ୍ଟେସନକୁ ଚାଲିଆସିଥିଲେ। “ମୋ ମା’ ଦିନ ମଜୁରିଆ ଭାବେ ନିର୍ମାଣ କ୍ଷେତ୍ରରେ କାମ କରୁଥିଲେ। ଏବେ ସେ ବୁଢ଼ୀ ହୋଇଯାଇଥିବାରୁ ଆଉ କାମକୁ ପାରୁନାହାନ୍ତି। ସେ ବର୍ଜ୍ୟବସ୍ତୁ ଗୋଟାଉଛନ୍ତି କିମ୍ବା ଟଙ୍କା ମାଗି ଚଳୁଛନ୍ତି,” ସବିତା କୁହନ୍ତି।

କିଶୋର ବୟସରେ ପରିବାରର ସହାୟତା ଲାଗି ସବିତା ମଧ୍ୟ ବର୍ଜ୍ୟବସ୍ତୁ (ସେଗୁଡ଼ିକୁ ଏକତ୍ରିତ କରି କବାଡ଼ିବାଲାକୁ ବିକ୍ରି କରି ଦେଉଥିଲେ) ଗୋଟାଇବା ଆରମ୍ଭ କରିଥିଲେ । ଯୁବାବସ୍ଥାରେ ପାଦ ଥାପିବା ପୂର୍ବରୁ ସେ ଶିବୁ ସର୍ଦ୍ଦାରଙ୍କୁ ବାହା ହୋଇଥିଲେ, ସେ ମଧ୍ୟ ଜଣେ ଫୁଟପାଥ ବାସିନ୍ଦା ଥିଲେ। ରାଜୁ ସମେତ ସେମାନଙ୍କର ୫ ଜଣ ପିଲା ଅଛନ୍ତି। ଶିବୁ ଗରିଆହାଟ ବଜାରରେ ବିଭିନ୍ନ ଦୋକାନ ପାଇଁ ମାଲ ପରିବହନ ଓ ମାଛ କାଟି ପରିବାର ଚଳାଉଥିଲେ। ୨୦୧୯ରେ ସେ ଯକ୍ଷ୍ମାରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ। ବର୍ତ୍ତମାନ ସେମାନଙ୍କର ଦୁଇ ଜଣ ସାନ ଝିଅ ଓ ପୁଅ ସହରରେ ଏକ ଏନଜିଓ ଦ୍ଵାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି। ସେମାନଙ୍କର ବଡ଼ ଝିଅ ମାମ୍ପି, ୨୦, ଏବଂ ତା’ର ଛୋଟ ପୁଅ ଅଧିକାଂଶ ସମୟରେ ସବିତା ସହିତ ରହୁଛନ୍ତି, କାରଣ ମାମ୍ପିର ସ୍ୱାମୀ ସେମାନଙ୍କୁ ମାରଧର କରୁଛି।

ଯେତେବେଳେ ଗରିଆହାଟ ଫ୍ଲାଏଓଭର ୨୦୦୨ରେ ନିର୍ମାଣ କରାଗଲା, ସବିତା ଓ ତାଙ୍କ ବର୍ଦ୍ଧିତ ପରିବାର-ମା’ କାନନ, ଭାଇ, ଏବଂ ଭଉଣୀ, ସେମାନଙ୍କର ପିଲାମାନେ ଓ ପତିପତ୍ନୀଙ୍କ ସମେତ ଅନ୍ୟମାନେ ଖୋଲା ଫୁଟପାଥରୁ ଫ୍ଲାଏଓଭର ତଳକୁ ଚାଲିଆସିଲେ। କୋଭିଡ-19 ମହାମାରୀ କାରଣରୁ ସେମାନଙ୍କର ଜୀବନ ବାଧାପ୍ରାପ୍ତ ହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହୁଥିଲେ।

PHOTO • Puja Bhattacharjee

ମାର୍ଚ୍ଚ ୨୫ ତାରିଖରେ କୋଲକାତା ପୋଲିସ ଗରିଆହାଟ ଫୁଟପାଥରେ ରହୁଥିବା ସବୁଲୋକଙ୍କୁ ଉଠାଇ ଦେଇଥିଲା-ସବିତା ଓ ତାଙ୍କର ସାଙ୍ଗ ଉଷା ଦୋଲୁଇ (ତଳେ ବାମ)ଙ୍କୁ ମଧ୍ୟ।  ସବିତା ତାଙ୍କ ପୁଅ ରାଜୁ (ତଳେ ଡାହାଣ)ଙ୍କ ଘରୁ ବାତ୍ୟା ଅମ୍ଫନର ଗୋଟିଏ ଦିନ ପୂର୍ବରୁ ମେ ୧୯ ତାରିଖରେ ଫେରି ଆସିଥିଲେ।

ମାର୍ଚ୍ଚ ୨୫ ତାରିଖରେ, ସବିତା, କାନନ, ମାମ୍ପି ଓ ତାଙ୍କ ପୁଅ ସହିତର ସବିତା ଭାଇ, ଭାଉଜ ପିଙ୍କି ହାଲଦାର ଏବଂ ସେମାନଙ୍କର ନାବାଳିକା ଝିଅମାନଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। କିଛିଦିନ ପରେ, ନିଯୁକ୍ତିଦାତାଙ୍କ ଅନୁରୋଧ କ୍ରମେ ପିଙ୍କି ଓ ତାଙ୍କର ଝିଅମାନଙ୍କୁ ଛାଡ଼ି ଦିଆଯାଇଥିଲା। ଗରିଆହାଟର ଏକ ଡାଳିଆ ନିକଟସ୍ଥ ଅଞ୍ଚଳରେ ଘରୋଇ ଶ୍ରମିକ ଭାବେ ପିଙ୍କି କାମ କରୁଥିଲେ। ତାଙ୍କୁ ନିଯୁକ୍ତି ଦେଇଥିବା ଜଣେ ବୃଦ୍ଧା ଘର କାମ କରିବାକୁ ସମସ୍ୟା ଭୋଗୁଥିଲେ। ପିଙ୍କି କୁହନ୍ତି, “ସେ [ନିଯୁକ୍ତିଦାତା] ଗରିଆହାଟ ଥାନାରେ ଏକ ଆବେଦନ କଲେ ଏବଂ ପରେ ସେମାନେ ଆମକୁ ଛାଡ଼ିଲେ। ମାଲିକାଣୀ ଆମ କଥା ବୁଝିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆମକୁ ଛଡ଼ାଯାଇଥିଲା।”

ଏପ୍ରିଲ ୧୫ ତାରିଖରେ ନିଜ ଶାଶୂ ଓ କାନନଙ୍କୁ ଫେରାଇ ଆଣିବା ଲାଗି ପିଙ୍କି ପୁଣିଥରେ ଆଶ୍ରୟସ୍ଥଳୀକୁ ଗଲେ। “ବନ୍ଦୀ ଭଳି ଜୀବନ ବିତାଇବାକୁ ସେ ଭଲ ପାଉନଥିଲେ,” ପିଙ୍କି କହିଥିଲେ। କିନ୍ତୁ ସେ ଯେତେବେଳେ ଆଶ୍ରୟସ୍ଥଳୀରେ ପହଞ୍ଚିଲେ, ସେଠାକାର ସୁରକ୍ଷାକର୍ମୀଙ୍କ ସହିତ ତାଙ୍କର ଝଗଡ଼ା ହେଲା। ସୁରକ୍ଷାକର୍ମୀ ତାଙ୍କ ଠାରୁ ପୋଲିସ ଷ୍ଟେସନରୁ ଲିଖିତ ଅନୁମତି ଆଣିବା ଲାଗି ଚାହିଁଲେ। “ମୁଁ ଖାଲି ତାଙ୍କୁ ପଚାରିଲି ଯେ କ’ଣ ସମସ୍ତଙ୍କ ପାଇଁ ଲିଖିତ ଅନୁମତି ଆଣିବାକୁ ପଡ଼ିବ। ଏହା ତାଙ୍କୁ କ୍ରୋଧିତ କଲା ଏବଂ ସେ ପୋଲିସକୁ ଡାକିଦେଲେ। ମୁଁ ମୋ ଶାଶୂଙ୍କ ପାଇଁ ଅପେକ୍ଷା କରିଥିଲି, ଜଣେ ପୋଲିସ ଅଫିସର ଆସି ନାଲି ଆଖି ଦେଖାଇଲେ ଏବଂ ମୋତେ ପିଟିବାକୁ ଲାଗିଲେ”, ସେ ଅଭିଯୋଗ କରନ୍ତି।

ସେହିଦିନ କାନନ ଓ ସବିତା ଆଶ୍ରୟସ୍ଥଳୀ ଛାଡ଼ିଦେଲେ। ସବିତା ଗରିଆହାଟ ଫ୍ଲାଏଓଭର ତଳେ ଥିବା ନିଜ ବାସସ୍ଥାନକୁ ଫେରିଗଲେ ଏବଂ ତାଙ୍କ ମା’ଙ୍କୁ ଏଠାରୁ ୪୦ କିମି ଦୂର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ମଲ୍ଲିକପୁର ସହରକୁ ସବିତାଙ୍କ ଭଉଣୀ ଘରକୁ ପଠାଇ ଦିଆଗଲା।

ଲକଡାଉନ ପୂର୍ବରୁ ସବିତା ପ୍ରତି ସପ୍ତାହରେ ୨୫୦-୩୦୦ ଟଙ୍କା ରୋଜଗାର କରୁଥିଲେ, କିନ୍ତୁ ଆଶ୍ରୟସ୍ଥଳୀରେ ରହି ଫେରିବା ପରେ ସେ ଆଉ ବର୍ଜ୍ୟବସ୍ତୁ ଗୋଟାଇବା କାମ କରିପାରିଲେ ନାହିଁ, କାରଣ କବାଡ଼ି ଦୋକାନଗୁଡ଼ିକ ବ୍ୟବସାୟ ପାଇଁ ଖୋଲିନଥିଲା। ଆହୁରି ଯେଉଁମାନେ ଆଶ୍ରୟସ୍ଥଳୀ ଛାଡ଼ି ସାରିଥିଲେ ସେମାନଙ୍କୁ ପୋଲିସର ଲାଠି ପାହାର ଠାରୁ ଲୁଚିବାକୁ ପଡ଼ୁଥିଲା। ତେଣୁ ଝଲଦାର ମଠରେ ଥିବା ନିଜ ପୁଅର ପରିବାର ସହ ରହିବାକୁ ସବିତା ଚାଲିଗଲେ।

ଗରିଆହାଟରେ ବର୍ଜ୍ୟ ସାମଗ୍ରୀ ଗୋଟାଉଥିବା ଆଉ ଜଣେ ମହିଳା ଉଷା ଦୋଲୁଇ କୁହନ୍ତି, “ମୁଁ ପୋଲିସକୁ ଦେଖି ଲୁଚୁଛି। ମୁଁ ଲାଠି ପାହାର ଖାଇବାକୁ ଚାହେଁ ନାହିଁ କିମ୍ବା ଭୂତାଣୁରେ ସଂକ୍ରମିତ ହେବାକୁ ମଧ୍ୟ ଚାହେଁ ନାହିଁ। ଯଦି ଆଶ୍ରୟସ୍ଥଳୀରେ ଭଲ ଖାଇବା ମିଳିଥାନ୍ତା, ମୁଁ ଆଶ୍ରୟସ୍ଥଳୀକୁ ଫେରିଯାଇଥାନ୍ତି।”  ଉଷା ଜଣେ ବିଧବା । ସେ ଏକ ଏନଜିଓ ଏବଂ ନାଗରିକମାନଙ୍କ ପକ୍ଷରୁ ବିତରଣ କରାଯାଉଥିବା ଖାଦ୍ୟସାମଗ୍ରୀ ଓ ରାସନ ସଂଗ୍ରହ କରିବା ଲାଗି ଆଶ୍ରୟସ୍ଥଳୀ ବାହାରକୁ ଯାଇଥିଲେ। ସେ ନିଜର କିଶୋର ପୁତ୍ର ଓ କନ୍ୟାଙ୍କ ଲାଗି ଏସବୁ ସାମଗ୍ରୀ ସଂଗ୍ରହ କରିବାକୁ ଆସିଥିଲେ, ଯେଉଁମାନେ ଏବେବି ଗୋଷ୍ଠୀ କେନ୍ଦ୍ରରେ ରହୁଛନ୍ତି।

PHOTO • Puja Bhattacharjee

ସବିତା (ଉପରେ ବାମ ଏବଂ ତଳେ ଡାହାଣ)ଙ୍କୁ ପରିବାର ପାଇଁ ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି। ଉପରୁ ଡାହାଣ : ଉଷା ଦୋଲୁଇ ପୋଲିସକୁ ଲୁଚି ଫ୍ଲାଏଓଭର ତଳେ ରହୁଛନ୍ତି। ତଳେ ବାମ : ସବିତାଙ୍କ ସମ୍ପର୍କୀୟା ପିଙ୍କି ହାଲଦାର (ବାମ), ଗରିଆହାଟରେ ଜଣେ ଘରୋଇ ଶ୍ରମିକଭାବେ କାମ କରିଥାନ୍ତି।

ଗରିଆହାଟ ଫୁଟପାଥରେ ରହୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୭ ଜଣ ବାସିନ୍ଦା ଆଶ୍ରୟସ୍ଥଳୀରେ ରହୁଥିଲେ । ଜୁନ ୩ ତାରିଖରେ ସେମାନଙ୍କୁ ସେଠାରୁ ଛାଡ଼ିବାକୁ କୁହାଗଲା। ଗୋଷ୍ଠୀ କେନ୍ଦ୍ରରେ ରହୁଥିବା ଜଣେ ସଫେଇ କର୍ମଚାରୀ ମୋତେ କହିଲେ ଯେ ଅଧିକାଂଶ ଅନ୍ତେବାସୀ ନିକଟସ୍ଥ ନଳକୂପରୁ ପାନୀୟ ଜଳ ଆଣିବାକୁ କହି ଆଶ୍ରୟସ୍ଥଳୀରୁ ଖସିଯାଇଥିଲେ।

ଉଷା ମଧ୍ୟ ଗରିଆହାଟ ଥାନାରୁ ଫ୍ଲାଏଓଭର ତଳେ ରାସ୍ତାକଡ଼ରେ ଥିବା ନିଜର ବାସସ୍ଥାନକୁ ଫେରି ଆସିଥିଲେ। ସେ କୁହନ୍ତି, ସେ ରାନ୍ଧୁଥିବା ସମୟରେ ଦୁଇଥର ଜଣେ ପୋଲିସ ଆସି ତାଙ୍କର ରନ୍ଧା ପାତ୍ରକୁ ତଳେ କଚାଡ଼ି ଦେଇ ଚାଲିଯାଇଥିଲେ। ସେ ମଧ୍ୟ ତାଙ୍କର ତିନିଚକିଆ ସାଇକେଲକୁ ନେଇଯାଇଥିଲେ ଯାହା ଉପରେ ତାଙ୍କର ପୋଷାକ ଓ ବିଛଣାପତ୍ର ଥିଲା। “ସେ ଆମକୁ ଆମ ଘରକୁ ଫେରିଯିବା ଲାଗି କହିଲେ, ଯେଉଁଠୁ ଆମେ ଆସିଥିଲୁ। ଆମେ ତାଙ୍କୁ କହିଲୁ, ଯଦି ଆମର ଘର ଥା’ନ୍ତା ତା’ହେଲେ ଆମେ ରାସ୍ତା କଡ଼ରେ ରହିନଥାନ୍ତୁ,” ଉଷା କୁହନ୍ତି।

ପରିବାରର ୬ ଜଣ ସଦସ୍ୟଙ୍କୁ ଖାଇବାକୁ ଦେବା ଲାଗି ତାଙ୍କ ପୁଅ ରାଜୁ ସଂଘର୍ଷ କରୁଥିଲେ, ତେଣୁ ସବିତାଙ୍କୁ ଅମ୍ଫନ ଆସିବା ପୂର୍ବରୁ ଗରିଆହାଟ ଫ୍ଲାଏଓଭର ତଳକୁ ରହିବା ଲାଗି ଫେରିବାକୁ ପଡ଼ିଥିଲା। ସେ ଗରିଆହାଟରେ ଥିବା ଏକ ଜୋତା ଦୋକାନରେ ସେଲ୍ସ ମ୍ୟାନ ଭାବେ କାମ କରୁଥିଲେ, ଏବଂ ଦିନକୁ ୨୦୦ ଟଙ୍କା ରୋଜଗାର କରୁଥିଲେ। ଲକଡାଉନ ପରେ ତାଙ୍କୁ ଅର୍ଥ ସଞ୍ଚୟ କରିବା ନିମନ୍ତେ କଠିନ ସଂଘର୍ଷ କରିବାକୁ ପଡ଼ିଲା। ସେ ଶସ୍ତାରେ ପରିବା କିଣିବା ଲାଗି ସାତ କିମି ଦୂର ବଜାରକୁ ଯାଉଥିଲେ। ରାଜୁ କୁହନ୍ତି, “ଆମେ ମୋ ପୁଅର ସ୍କୁଲରୁ କିଛି ରାସନ (ଶିକ୍ଷକମାନେ ଦେଇଥିଲେ) ପାଇଥିଲୁ ଏବଂ ଏବେ କିଛିଦିନ ହେବ ଭାତ ଓ ଆଳୁ ଖାଉଛୁ,” ରାଜୁ କୁହନ୍ତି। “ଆମର ବିସ୍କୁଟ, ଚା’, କ୍ଷୀର, ଖାଇବା ତେଲ, ମସଲା ଓ ମୋର ଦୁଇ ବର୍ଷର ପୁଅ ପାଇଁ ଡାଇପର ଦରକାର। ଯଦି ହଠାତ ମୋର କିଛି ଦରକାର ହୁଏ ମୁଁ କ’ଣ କରିବି? ମୋତେ ଏହି ଚିନ୍ତା ଘାରୁଛି। ମୋ ପାଖରେ ଆଉ ନଗଦ ଟଙ୍କା ବଳକା ନାହିଁ,” ସେ କୁହନ୍ତି।

ସବିତା ନିଜର ତିନି ଚକିଆ ସାଇକେଲକୁ ଜଣେ ଫଳ ବିକ୍ରେତାଙ୍କୁ ଭଡ଼ା ଦେଇଥିଲେ। ସେ ତାଙ୍କୁ ଦିନକୁ ୭୦ ଟଙ୍କା ଦେବାର ଥିଲା, କିନ୍ତୁ ସେ ମାତ୍ର ୫୦ ଟଙ୍କା ଦେଉଛନ୍ତି। “ଆମକୁ ଖାଇବାକୁ ହେବ”, ସେ କୁହନ୍ତି। ଏବେ ମାମ୍ପି ଓ ତାଙ୍କର ୮ ମାସର ପୁଅ ସବିତାଙ୍କ ସହିତ ରହୁଛନ୍ତି। ଏତିକି ଟଙ୍କା ସେମାନଙ୍କ ଖାଦ୍ୟ ପାଇଁ ଯଥେଷ୍ଟ ନୁହେଁ ଏବଂ ଏଥିରୁ କିଛି ଟଙ୍କା ସେମାନଙ୍କୁ ଶୌଚ ହେବା ଲାଗି ନିକଟସ୍ଥ ସୁଲଭ ଶୌଚାଳୟରେ ଦେବାକୁ ପଡ଼ୁଛି।

ବିଗତ କିଛିଦିନ ହେବ, ସବିତା ବର୍ଜ୍ୟ କାଗଜ ସଂଗ୍ରହ କରିବା ଆରମ୍ଭ କରିଛନ୍ତି କାରଣ କେତେକ ଦୋକାନ ଏବେ ସେଗୁଡ଼ିକୁ କିଣୁଛନ୍ତି। ତିନି ଅଖା କାଗଜ ବିକିଲେ ସେ ୧୦୦-୧୫୦ ଟଙ୍କା ପାଇବେ।

ସବୁପ୍ରକାରର ଭୟ ଓ ସଙ୍କଟ ମଧ୍ୟରେ ରାସ୍ତାକଡ଼ରେ ରହିବା ଫଳରେ ସବିତାଙ୍କ ମନରେ ଆଉ ମହାମାରୀ କିମ୍ବା ବାତ୍ୟାର ଭୟ ନାହିଁ। “ଲୋକମାନେ ଯେକୌଣସି ସମୟରେ ମୃତ୍ୟୁବରଣ କରିପାରନ୍ତି-ଏପରି ରାସ୍ତାକଡ଼ରେ ଚାଲି ଚାଲି ଯାଉଥିବା ସମୟରେ ତାଙ୍କୁ ଏକ କାର ଧକ୍କା ଦେଇପାରେ। ଫ୍ଲାଏଓଭର ଆମକୁ ସୁରକ୍ଷା ଦେଇଛି,” ସେ କୁହନ୍ତି। “ଝଡ଼ ପରଦିନ ସକାଳେ ମୁଁ ପଖାଳ ଭାତ ଖାଇଲି। ଝଡ଼ ଚାଲିଯିବା ପରେ ସବୁକିଛି ସ୍ୱାଭାବିକ ହୋଇଯାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Puja Bhattacharjee

Puja Bhattacharjee is a freelance journalist based in Kolkata. She reports on politics, public policy, health, science, art and culture.

Other stories by Puja Bhattacharjee