ସଂଯୋଗବଶତଃ କ୍ରିଷ୍ଣନ ଯେତେବେଳେ ସେହି କଅଁଳ ଧଳାରଙ୍ଗର ଚୋପା ଲାଗିଥିବା ମିଠା ଫଳକୁ ପାଇଲେ, ସମସ୍ତଙ୍କ ଭିତରେ ଖୁବ୍ ଉତ୍ସାହ ଭରିଗଲା । ସେ ଏହାର ଚୋପା ଛଡ଼ାନ୍ତି, ଭିତରୁ ଗୋଲାପି-ଧଳା ରଙ୍ଗର ଚମକଫୁଟି ବାହାରେ । ଆଉ ୧୨ ବର୍ଷର ଆର୍. ରାଜକୁମାର ଅତି ଆଗ୍ରହରେ ଏଥିରୁ ଖଣ୍ଡେ ଚୋବେଇ ଦିଏ, ତା’ର ଓଠ ବି ଲାଲ ରଙ୍ଗରେ ଚମକି ଉଠେ- ତେଣୁ, ସେ ଓ ଅନ୍ୟ ପିଲାମାନେ ଏହାର ନାଁ ଦେଇଛନ୍ତି ଥାପ୍ପାଟ୍ଟିକାଲ୍ଲି, ଅର୍ଥାତ୍ ‘ଲିପ୍ଷ୍ଟିକ୍ ଫଳ’ । ଅନ୍ୟମାନେ ବି ତାହା ହିଁ କରନ୍ତି, ଫଳଟିକୁ ଚୋବାଇ ଚୋବାଇ ସେମାନଙ୍କ ପାଟି ବି ଲାଲ ହୋଇଉଠେ । ସବୁ ସମୟରେ ଏଭଳି ଏକ ଜଙ୍ଗଲ ଯାତ୍ରା ସେମାନଙ୍କ ପାଇଁ ରୋମାଞ୍ଚକର ।
ଡିସେମ୍ବର ଶେଷଭାଗର ସେହି ସକାଳରେ ସେମାନଙ୍କୁ ବାଟ ଦେଖାଉଥିଲେ ୩୫ ବର୍ଷୀୟ ଜି.ମାନିଗଣ୍ଡନ ଏବଂ ୫୦ ବର୍ଷୀୟ କେ.କ୍ରିଷ୍ଣନ । ଲତାବୁଦା ସଫା କରି ସେମାନେ ଚେରୁକ୍କାନୁର ଗାଁ ପାଖ ବୁଦା ଜଙ୍ଗଲର ଅତି ଭିତରକୁ ଯାଉଥିଲେ ଏବଂ କନ୍ଦା ଚେର ଖୋଳିବାକୁ ଶାବଳ ବ୍ୟବହାର କରୁଥିଲେ । ପିଲାମାନଙ୍କ ମଧ୍ୟରେ ୧.୫ ବର୍ଷର ଶିଶୁରୁ ଆରମ୍ଭ କରି ୧୨ ବର୍ଷ ବୟସର ପିଲା ଥିଲେ । ସେମାନେ ଏବଂ ସେମାନଙ୍କ ପଥ ପ୍ରଦର୍ଶକ, ସମସ୍ତେ ଇରୁଲା ଆଦିବାସୀ ସଂପ୍ରଦାୟର ।
ସେହି ରବିବାର ସକାଳେ, ସେମାନେ କାଟ୍ଟୁ ଭେଲ୍ଲିକିଝାଙ୍ଗୁ ନାମକ ଏକ କନ୍ଦମୂଳର ଲତା ଖୋଜୁଥିଲେ । ମାନିଗଣ୍ଡନ ବୁଝାଇ ଦିଅନ୍ତି, “ଏହାକୁ ଆପଣ ନିର୍ଦ୍ଦିଷ୍ଟ କେତେକ ମାସରେ (ଡିସେମ୍ବର-ଜାନୁଆରୀରେ) ଖାଇପାରିବେ । ଏହା ନରମ ହୋଇଥିଲେ ଭଲ, ନହେଲେ ଖାଇଲା ବେଳେ କୁଣ୍ଡାଇ ହେବ’’ । “ଆମକୁ ପ୍ରଥମେ ଅନ୍ୟ ଲଟାବୁଦା ମଧ୍ୟରୁ ଏହି ଲତାର କାଣ୍ଡ ଚିହ୍ନିବାକୁ ହେବ । ଲତାର ମୋଟେଇକୁ ଦେଖି ଜାଣି ହେବ ଯେ କନ୍ଦ କେତେ ବଡ଼ ହୋଇଥିବ ଏବଂ ଏହାକୁ ପୂରା ପାଇବାକୁ ହେଲେ କେତେ ଗଭୀରକୁ ଖୋଳିବାକୁ ପଡ଼ିବ ।” ଏହି କନ୍ଦ ଖୋଜିବା ବେଳେ ହିଁ ସେମାନେ ଲିପ୍ଷ୍ଟିକ୍ ଫଳ (ସ୍ଥାନୀୟ ଭାଷାରେ ଏହାକୁ ନାଧେଲ୍ଲିପାଝାମ ମଧ୍ୟ କୁହାଯାଏ) ଦେଖିଥିଲେ ।
କିଛି ସମୟ ଏପଟସେପଟ ଦେଖିବା ପରେ, ସେମାନେ କାଟ୍ଟୁଭେଲ୍ଲିଝାଙ୍ଗୁ ନାମକ ଏକ ଉପଯୋଗୀ ଲତା ଦେଖିଥିଲେ ଏବଂ ଏହାର ଚେର ଖୋଳି ବାହାର କରିଥିଲେ । ପଛେ ପଛେ ଯାଇ ସେମାନଙ୍କ କାର୍ଯ୍ୟ ନିରୀକ୍ଷଣ କରୁଥିବା ପିଲାମାନେ ଆଗ୍ରହରେ ଏହାର ଚୋପା ଛଡ଼ାଇ ଖାଇବାରେ ଲାଗିଲେ ।
ସକାଳ ନଅଟାରେ ଘରୁ ବାହାରିଥିବା ଏହି ଦଳ ମଧ୍ୟାହ୍ନ ସୁଦ୍ଧା ଚେରୁକାନ୍ନୁର ଗାଁର ବାଙ୍ଗଲାମେଡୁ ଇରୁଲା ବସ୍ତିକୁ ଫେରିଆସିଥିଲେ । ବସ୍ତିଟି ତାମିଲନାଡୁର ଥିରୁଭାଲୁର ଜିଲ୍ଲା ଅନ୍ତର୍ଗତ ତିରିଟ୍ଟାନି ତାଲୁକାରେ ଥିବା ଏହି ଗାଁଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ।








