“କୌଣସି ଅସୁବିଧା ନଥିଲା। କିଛି ମଧ୍ୟ ଅସ୍ୱାଭାବିକ ନଥିଲା। ସବୁକିଛି ଠିକ୍‌ଠାକ ଥିଲା, ଜୀବନ ସ୍ୱାଭାବିକ ଗତିରେ ଆଗେଇ ଚାଲିଥିଲା,” ବୋଲି ୩୩ ବର୍ଷ ବୟସ୍କ ଦିନେଶ ଚନ୍ଦ୍ର ସୁଥର, ତାଙ୍କ ପରିବାରର ଫାଇଲ୍‌ ଓ ରିପୋର୍ଟଗୁଡିକ ମଝିରେ ବସି ଓ ଏପରି ଏକ କଳ୍ପନାତୀତ ଘଟଣା ଘଟିବାବେଳେ ସବୁଦିନ ପରିସ୍ଥିତି କିଭଳି ରହୁଥିଲା, ସେ ବିଷୟରେ ମନେ ପକାଇ କୁହନ୍ତି।

ରାଜସ୍ଥାନର ବଂଶୀ ଗ୍ରାମରେ ଥିବା ସୁଥର ଗୃହର କାନ୍ଥରେ ତାଙ୍କର ମୃତ ସ୍ତ୍ରୀଙ୍କର ଏକ ଫଟୋଗ୍ରାଫ୍‌ ଝୁଲୁଥିଲା। ଦିନେଶ ତାଙ୍କର ଫାଇଲ୍‌ରେ ଲଗାଇଥିବା ସେହି ଛବି ପରି । ୨୦୧୫ରେ ସେମାନଙ୍କ ବାହାଘର ଅନୁଷ୍ଠିତ ହେବାର କିଛି ମାସ ପରେ ଉଠାଯାଇଥିବା ଏହି ଫଟୋକୁ ଏକ ସରକାରୀ ସ୍କିମ୍‌ ପାଇଁ ଆବେଦନ ଦାଖଲ କରିବା ସମୟରେ ଆବେଦନ ପତ୍ରରେ ସଂଲଗ୍ନ କରାଯାଇଥାନ୍ତା ।

ପାଞ୍ଚ ବର୍ଷ ହେବ ଦିନେଶ ଏହି କାଗଜ ପତ୍ର ଓ ତାଙ୍କର ସ୍ୱଳ୍ପ ସମୟର ବୈବାହିକ ଜୀବନର ସାକ୍ଷୀ ଏହି ଫଟୋଗ୍ରାଫ୍‌କୁ ନିଜ ପାଖରେ ରଖିଛନ୍ତି । ସେ ଦୁଇଟି ପୁତ୍ର ସନ୍ତାନର ବାପା ଅଟନ୍ତି, ତିନି ବର୍ଷ ବୟସ୍କ ଚିରାଗ ଓ ଦେବାଂଶ । ବରି ସଦ୍ରି ପୌରପାଳିକାରେ ଅବସ୍ଥିତ ୫୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ  ଭାବନାଙ୍କ ବନ୍ଧ୍ୟାକରଣ କରିବାବେଳେ ତ୍ରୁଟିବଶତଃ ଅନ୍ତ୍ର ବିଦ୍ଧ ତାଙ୍କର ମୃତ୍ୟୁ ହେବା ବେଳକୁ ଦେବାଂଶକୁ କେବଳ  ୨୯ ଦିନ ହୋଇଥିଲା ଓ ତାଙ୍କର ନାମକରଣ ମଧ୍ୟ ହୋଇନଥିଲା ।

ଦିନେଶ – ଯିଏ ଜଣେ ବିଏଡ୍‌ ଡିଗ୍ରୀଧାରୀ ଶିକ୍ଷକ ଭାବେ ବଂଶୀଠାରୁ ଛଅ କିଲୋମିଟର ଦୂରରେ ଅବସ୍ଥିତ ବଡ୍‌ୱାଲ୍‌ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରି ମାସକୁ ୧୫,୦୦୦ ଟଙ୍କା ଉପାର୍ଜନ କରନ୍ତି – କ୍ରମରେ ଘଟି ଯାଇଥିବା ସେହି ସବୁ ଘଟଣାଗୁଡିକୁ ଏକାଠି କରି ଗୁନ୍ଥି  ସେ ମଧ୍ୟରୁ ଢିଲା ରହିଯାଇଥିବା ସୂତା ଖିଅ ଓ ସେହି ଗୋଟିଏ ତ୍ରୁଟି ଯାହା କାରଣରୁ ସେମାନଙ୍କ ଜୀବନ ଆଜି ଏତେ ଜଟିଳ ହୋଇଯାଇଛି ତାହା ଖୋଜି ବାହାର କରିବାକୁ ପ୍ରୟାସ କରୁଛନ୍ତି। ଆଉ ଏସବୁ ଘଟଣା ପାଇଁ ସେ ନିଜକୁ ଦାୟୀ କରୁଛନ୍ତି।

“ମୁଁ ଅସ୍ତ୍ରୋପଚାର ପାଇଁ ସହମତି ପ୍ରଦାନ କରିବାରୁ ତଥା ସବୁକିଛି ଠିକ୍‌ ଅଛି ବୋଲି ଆଶ୍ୱସ୍ତି ବାଣୀ ପ୍ରକାଶ କରୁଥିବା ଡାକ୍ତରଙ୍କ କଥାକୁ ବିଶ୍ୱାସ କରିବାରୁ କ’ଣ ଏପରି ହେଲା? ବୋଧହୁଏ ମୁଁ ଏନେଇ ଆହୁରି ଅଧିକ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ ଥିଲା । ଭଲ ହୋଇଥାନ୍ତା ଯଦି ମୁଁ ଏହି ଅସ୍ତ୍ରୋପଚାର ପାଇଁ ରାଜି ହୋଇନଥାନ୍ତି କିମ୍ବା କାହାକୁ ବିଶ୍ୱାସ କରିନଥାନ୍ତି । ତାହା ସବୁ ମୋର ତ୍ରୁଟି ଥିଲା,” ବୋଲି ଦିନେଶ କୁହନ୍ତି, ଯିଏ ଜୁଲାଇ ୨୪,୨୦୧୯ରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ପରେ ଏକାଧିକ ଥର ଏହିପରି ମାନସିକ ଯନ୍ତ୍ରଣାଦାୟକ ଭାବନା ସହିତ ସଂଘର୍ଷ କରିଆସୁଛନ୍ତି ।

ଜୁନ୍‌ ୨୫, ୨୦୧୯ରେ, ପ୍ରାୟ ତାଙ୍କ ମୃତ୍ୟୁର ଏକ ମାସ ପୂର୍ବରୁ, ୨୫ବର୍ଷ ବୟସ୍କ ଭାବନା  ସୁସ୍ଥ ପୁତ୍ର ସନ୍ତାନ ଦେବାଂଶକୁ ଜନ୍ମ ଦେଇଥିଲେ। ପ୍ରଥମଥର ପରି ଦ୍ୱିତୀୟ ଗର୍ଭଧାରଣ ଓ ପ୍ରସବ ମଧ୍ୟ ସମସ୍ୟାମୁକ୍ତ ଥିଲା। ତାଙ୍କର ରିପୋର୍ଟ, ଚେକ୍‌-ଅପ୍‌ ଓ ଏପରିକି ଚିତ୍ତୋରଗଡ ଜିଲ୍ଲାର ବରି ସଦ୍ରି ବ୍ଲକ୍‌ରେ ତାଙ୍କ ଗ୍ରାମଠାରୁ ପ୍ରାୟ ୬୦କିଲୋମିଟର ଦୂରରେ ବରି ସଦ୍ରିରେ ଥିବା ସିଏଚ୍‌ସିରେ ହୋଇଥିବା ତାଙ୍କର ପ୍ରସବ ପ୍ରକ୍ରିୟା ଆଦି ସବୁକିଛି ସମସ୍ୟାମୁକ୍ତ ଥିଲା।

Bhavna Suthar underwent permanent sterilisation at the CHC in Bari Sadri on July 16, 2019; she died a week later
PHOTO • Anubha Bhonsle

ଜୁଲାଇ ୧୬,୨୦୧୯ରେ ବରି ସଦ୍ରିର ସିଏଚ୍‌ସିରେ ଭାବନା ସୁଥର୍‌ଙ୍କର ବନ୍ଧ୍ୟାକରଣ କରାଯାଇଥିଲା; ଏହାର ଏକ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିଲା

ପ୍ରସବର ପ୍ରାୟ ୨୦ ଦିନ ପରେ, ଯେତେବେଳେ ଭାବନା ୩୮୮୩ ଜନସଂଖ୍ୟା ବିଶିଷ୍ଟ ବଂଶୀ ଗ୍ରାମରେ ଥିବା ତାଙ୍କ ମା’ଙ୍କ ଘରେ ଥିଲେ, ସେତେବେଳେ ଜଣେ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ତାଙ୍କୁ ନିୟମିତ ପରୀକ୍ଷଣ ଓ ରକ୍ତ ପରୀକ୍ଷା କରିବାକୁ ସିଏଚ୍‌ସିକୁ ଆସିବାକୁ କହିଥିଲେ। ସେତେବେଳେ ସେ କୌଣସି ପ୍ରକାରର ଦୁର୍ବଳତା ଅନୁଭବ କରୁନଥିଲେ, ହେଲେ ଭାବନା ତାଙ୍କ ସହିତ ଯିବାକୁ ନିଷ୍ପତି ନେଲେ। ତାଙ୍କ ସାଥିରେ ତାଙ୍କର ମା ଯାଇଥିଲେ। “ଆଶା କର୍ମୀ ଜଣକ ଯେତେବେଳେ ଆମ ଘରକୁ ଆସିଥିଲେ, ସେତେବେଳେ ସେ ଅପରେସନ୍‌ ବିଷୟରେ କିଛି ଜଣାଇନଥିଲେ,” ବୋଲି ଭାବନାଙ୍କ ମା’ ଦିନେଶକୁ କହିଲେ।

ପରୀକ୍ଷଣ ଓ ପରୀକ୍ଷା ପରେ, ଆଶା କର୍ମୀ ଓ କାର୍ଯ୍ୟରତ ଡାକ୍ତର ତାଙ୍କୁ ବନ୍ଧ୍ୟାକରଣ କରିବା ପାଇଁ କହିଲେ।

“ତାଙ୍କର ଦୁଇଟି ସନ୍ତାନ ହୋଇସାରିଥିଲେ ଓ ଯେହେତୁ ଦମ୍ପତି ପରିବାର ନିୟୋଜନ ବା ଜନ୍ମ ନିୟନ୍ତ୍ରଣ ପାଇଁ ଅନ୍ୟ କୌଣସି ଉପାୟ ଗ୍ରହଣ କରିନଥିଲେ, ଏପରି ସ୍ଥଳେ ଶଲ୍ୟୋପଚାର କରାଇନେବା ସର୍ବୋତ୍ତମ ଅଟେ । ଝନ୍‌ଝଟ୍‌ ଖତମ୍‌ (ଜଞ୍ଜାଳମୁକ୍ତ ହୋଇଯିବ)’’, ବୋଲି ଡାକ୍ତର ଓ ଆଶା କର୍ମୀ ଭାବନାଙ୍କୁ ତାଙ୍କ ମା’ଙ୍କ ଆଗରେ କହିଥିଲେ ।

ଯେତେବେଳେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଭାବନା ଏ ବିଷୟରେ ବିଚାର କରିବେ ଓ ଘରକୁ ଫେରିବା ପରେ ତାଙ୍କ ସ୍ୱାମୀଙ୍କ ସହିତ ବନ୍ଧ୍ୟାକରଣ ବିଷୟରେ ଆଲୋଚନା କରିବେ ବୋଲି କହିଲେ, ସେତେବେଳେ ସେମାନେ ତାଙ୍କୁ ସେହି ମୁହୂର୍ତ୍ତରେ ଏହା କରାଇନେବା ସବୁଠାରୁ ଭଲ ହେବ ବୋଲି କହିଲେ । “ସେହିଦିନ ସେମାନଙ୍କ ସିଏଚ୍‌ସିରେ ଏକ ବନ୍ଧ୍ୟାକରଣ କ୍ୟାମ୍ପ ଆୟୋଜିତ ହୋଇଥିଲା । ଏଣୁ ସେମାନେ ସେହିଦିନ ଏହା କରିବାକୁ ଆମକୁ ବାଧ୍ୟ କଲେ ଓ କହିଲେ ଯେ ଯେହେତୁ ଏବେ ମଧ୍ୟ ତାଙ୍କର ପ୍ରସବୋତ୍ତର ସ୍ୱାସ୍ଥ୍ୟ ଲାଭ ପ୍ରକ୍ରିୟା ଜାରି ରହିଛି, ଏଣୁ ଯଦି ସେ ଏହା ସହିତ ଏହି ଶଲ୍ୟୋପଚାର କରିଦିଅନ୍ତି, ତାହାହେଲେ ତାଙ୍କୁ ବାରମ୍ବାର ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନାହିଁ’’ ବୋଲି ଦିନେଶ ତାଙ୍କୁ ଡାକ୍ତର ଏହି କଥା କହିଥିବା କଥା ମନେ ପକାନ୍ତି। ସେ ତାଙ୍କ ସ୍ତ୍ରୀଙ୍କଠାରୁ ଏକ କଲ୍‌ ପାଇବା ପରେ ବିଦ୍ୟାଳୟରୁ ଆସି ସିଏଚ୍‌ସିରେ ପହଞ୍ଚିଥିଲେ ।

“ପ୍ରଥମେ ଆମକୁ ଟିକିଏ ଅଡୁଆ ଲାଗିଲା, ପ୍ରକୃତରେ, ଆମେ ପୂର୍ବରୁ କେବେ ମଧ୍ୟ ବନ୍ଧ୍ୟାକରଣ ବିଷୟରେ ଭାବିନଥିଲୁ । ବୋଧ ହୁଏ ପରେ କେତେବେଳେ ଏ ବିଷୟରେ ଚିନ୍ତା କରିଥାନ୍ତୁ, ହେଲେ ମୁଁ ପ୍ରଥମଥର ପାଇଁ ଏ ସବୁ ବିଷୟରେ ଶୁଣିବାକୁ ପାଇଲି । ଆଉ ମୁଁ ରାଜି ହୋଇଗଲି,” ବୋଲି ଦିନେଶ କୁହନ୍ତି ।

“ତାପରେ କିନ୍ତୁ ଆଉ କିଛି ପୂର୍ବ ପରି ରହିଲାନାହିଁ,” ବୋଲି ସେ କୁହନ୍ତି ।

The loss is palpable, but Dinesh is determined to to get whatever justice can look like in the face of this catastrophe
PHOTO • Anubha Bhonsle

ଏହି କ୍ଷତି ଅପୂରଣୀୟ, ହେଲେ ଦିନେଶ ଏଭଳି ଏକ ବିପର୍ଯ୍ୟୟ ପାଇଁ ଯଥୋଚିତ ନ୍ୟାୟ ପାଇବାକୁ ଦୃଢ ନିଶ୍ଚିତ ଅଛନ୍ତି ।

ଭାବନା ହେଉଛନ୍ତି ସେହି ପାଞ୍ଚଜଣ ମହିଳାଙ୍କ ମଧ୍ୟରୁ ଜଣେ ଯେଉଁମାନେ ଜୁଲାଇ ୧୬,୨୦୧୯ରେ ବରି ସଦ୍ରିର ସିଏଚ୍‌ସିରେ ସ୍ଥାୟୀ ବନ୍ଧ୍ୟାକରଣ ଶଲ୍ୟୋପଚାର କରାଇଥିଲେ । ସର୍ବପ୍ରଥମେ ସେ ଟ୍ୟୁବାଲ୍‌ ଲିଗେସନ୍‌ କରାଇଥିଲେ, ଯାହା ଜଣେ ଏମ୍‌.ବି.ବି.ଏସ୍‌ ଡାକ୍ତରଙ୍କ ଦ୍ୱାରା ମିନିଲାପ୍‌ ପ୍ରକ୍ରିୟା ବ୍ୟବହାର କରି କରାଯାଇଥିଲା । ଅନ୍ୟ ଚାରିଜଣଙ୍କୁ ଅପରେସନ୍‌ର ଦୁଇ ଘଣ୍ଟା ପରେ ଡିସ୍‌ଚାର୍ଜ କରାଯାଇଥିଲା। ହେଲେ, ତିନି ଘଣ୍ଟା ପରେ ଯେତେବେଳେ ଭାବନା ଚେତା ଫେରି ପାଇଲେ, ସେତେବେଳେ ସେ ତାଙ୍କ ତଳି ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିବା କଥା ଜଣାଇଲେ। ତା’ପରେ ସେମାନେ ତାଙ୍କୁ ଏକ ଇଂଜେକ୍ସନ୍‌ ଦେଲେ ଓ ତାଙ୍କର ରକ୍ତଚାପ ଅତ୍ୟଧିକ ଥିବାରୁ ତାଙ୍କୁ ସିଏଚ୍‌ସିରେ ପୂରା ରାତି ରହିବାକୁ କହିଲେ। ପରଦିନ ତାଙ୍କ ପେଟ ଯନ୍ତ୍ରଣା ହ୍ରାସ ପାଇନଥିଲେ ମଧ୍ୟ ସେମାନେ ତାଙ୍କୁ ଡିସ୍‌ଚାର୍ଜ କରିଦେଲେ।

“ଯେଉଁ ଡାକ୍ତର ଅପରେସନ୍‌ କରିଥିଲେ, ମତେ ରୁକ୍ଷ ହୋଇ କହିଲେ ଯେ, ଶଲ୍ୟୋପଚାର ପରେ ଯନ୍ତ୍ରଣା ଅନୁଭବ ହେବା ସାଧାରଣ ଅଟେ; ତାଙ୍କୁ ଘରକୁ ନେଇଯାଅ,” ଦିନେଶ ମନେପକାନ୍ତି ।

ରାତିରେ ଭାବନାଙ୍କ ପେଟ ଫୁଲିଯାଇଥିଲା, ଯନ୍ତ୍ରଣା ଅଧିକ ହେବାରୁ ସେ ଛଟପଟ ହେବାକୁ ଲାଗିଲେ । ପରଦିନ ସକାଳେ, ଦମ୍ପତି ପୁଣି ସିଏଚ୍‌ସିକୁ ଗଲେ । ପ୍ରଥମେ ଏକ୍ସ-ରେ ଓ ତା’ପରେ ସୋନୋଗ୍ରାଫି କରାଗଲା, ଭାବନାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଗଲା । କଣ ଅସୁବିଧା ହୋଇଛି, ସେ ବିଷୟରେ ସେମାନେ କିଛି ଜାଣି ପାରୁନଥିଲେ । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାଙ୍କୁ ପ୍ରତିଦିନ ଛଅ ବୋତଲ ଆଇଭି ତରଳ ପଦାର୍ଥ ଦିଆଗଲା । ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କୁ ଖୁଦ କଣିକାଟିଏ ମଧ୍ୟ ଖାଇବାକୁ ଅନୁମତି ଦିଆଯାଇନଥିଲା । ଧୀରେ ଧୀରେ ପେଟ ଫୁଲା କମିବାକୁ ଲାଗିଲା, ତା’ପରେ ପୁଣି ଥରେ ବୃଦ୍ଧି ପାଇଲା ।

ଶଲ୍ୟୋପଚାର ହେବାର ପାଞ୍ଚ ଦିନ ପରେ, ରାତି ପ୍ରାୟ ୧୦ଟା ବେଳକୁ, ଯେଉଁ ଡାକ୍ତର ଏହି ପଦ୍ଧତିର ପରିଚାଳନା କରିଥିଲେ ସେ ଦିନେଶଙ୍କୁ କହିଲେ ଯେ ତାଙ୍କୁ ଏଠାରୁ ପାଖାପାଖି ୯୫କି.ମି ଦୂରରେ ଉଦୟପୁରରେ ଅବସ୍ଥିତ ସରକାରୀ ଡାକ୍ତରଖାନାକୁ ଯଥାଶୀଘ୍ର ସ୍ଥାନାନ୍ତରଣ କରିବାକୁ ହେବ, ଯେଉଁଠାରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ସମ୍ଭବ ହୋଇପାରିବ । “ସେ ଏଥିପାଇଁ ଏକ ଘରୋଇ ପରିବହନର ବ୍ୟବସ୍ଥା କରିଦେଲେ ଯାହାର ଖର୍ଚ୍ଚ ମୁଁ ବହନ କରିଥିଲି (୧୫୦୦ଟଙ୍କା) ଓ ଏପରିକି ସେ ସିଏଚ୍‌ସିରେ କାମ କରୁଥିବା ତାଙ୍କର ଜଣେ କମ୍ପାଉଣ୍ଡରକୁ ମଧ୍ୟ ଆମ ସହିତ ପଠାଇଥିଲେ। ହେଲେ, ସମସ୍ୟା କ’ଣ ଥିଲା? ତାହା ମୁଁ ଆଜି ମଧ୍ୟ ଜାଣିନି। ନିଶ୍ଚିତ ଭାବେ ଶଲ୍ୟୋପଚାର ସମ୍ବନ୍ଧିତ କିଛି ସମସ୍ୟା ହୋଇଥିବ। ବାସ୍‌ ଏତିକି।’’

ସେମାନେ ଯେତେବେଳେ ମଧ୍ୟରାତ୍ରିରେ ୨ଟା ବେଳେ ଉଦୟପୁରରେ ଅବସ୍ଥିତ ମହାରଣା ଭୁପାଳ ସରକାରୀ ଡାକ୍ତରଖାନାର ଜରୁରୀକାଳୀନ ଚିକିତ୍ସା ୱାର୍ଡରେ ପହଞ୍ଚିଲେ, ସେତେବେଳେ ପୁଣିଥରେ ତାଙ୍କର ଏକ୍ସ-ରେଗୁଡିକର ବିଶ୍ଳେଷଣ କରାଗଲା ଓ ତାଙ୍କୁ ଅନ୍ୟ ଏକ ଶାଖାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି କରିବାକୁ ସେମାନଙ୍କୁ କୁହାଗଲା । ସେଠାରେ ପୁଣିଥରେ ଭାବନାଙ୍କୁ ପ୍ରବେଶ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଲା ।

ଆଉ ତା’ପରେ, ପ୍ରଥମଥର ପାଇଁ ଦିନେଶ ସେତେବେଳେ କିଛି ଭୟାନକ ତ୍ରୁଟି ହୋଇଥିବା କଥା ଅନୁଭବ କରିଥିଲେ, ଯେତେବେଳେ କାର୍ଯ୍ୟରତ ଡାକ୍ତରମାନେ ଭାବନାଙ୍କର ଚିକିତ୍ସା କରିବାକୁ କୁଣ୍ଠା ପ୍ରକାଶ କଲେ, ଆଉ ଅନ୍ୟ ଡାକ୍ତରଖାନାରେ ହୋଇଥିବା ତ୍ରୁଟିର ଚିକିତ୍ସା ଆମେ କରୁନୁ ବୋଲି କହିଲେ ।

Dinesh is left with two sons, three-year-old Chirag (in the photo with relatives) and Devansh, who was just 29 days old when Bhavna, his mother, died of a punctured intestine
PHOTO • Anubha Bhonsle

ଦିନେଶଙ୍କ ସହିତ ତାଙ୍କର ଦୁଇ ପୁଅ ଅଛନ୍ତି, ତିନି ବର୍ଷ ବୟସ୍କ ଚିରାଗ (ଫଟୋରେ ସମ୍ପର୍କୀୟଙ୍କ ସହିତ) ଓ ଦେବାଂଶ, ଯାହାକୁ ଭାବନା, ତାଙ୍କ ମା, ଅନ୍ତ୍ର ବିଦ୍ଧ ଛିଦ୍ର ହୋଇ ମୃତ୍ୟୁ ହେବା ବେଳକୁ ମାତ୍ର ୨୯ଦିନ ହୋଇଥିଲା

ଶେଷରେ, ଜୁଲାଇ୨୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଓ ସୋନୋଗ୍ରାଫି ହେବା ପରେ, ଦିନେଶଙ୍କୁ ଏହା କୁହାଯାଇଥିଲା ଯେ ସଙ୍ଗେ ସଙ୍ଗେ ଦୁଇଟି ଶଲ୍ୟୋପଚାର କରାଯାଇଛି – ପ୍ରଥମ ହେଉଛି ତାଙ୍କର ବୃହଦନ୍ତ୍ରକୁ ବାହାର କରିବା ପାଇଁ ଏକ ନଳୀ ଭର୍ତ୍ତି କରିବାକୁ ଓ ଦ୍ୱିତୀୟରେ, ତାଙ୍କର ଛିଦ୍ରଯୁକ୍ତ ଅନ୍ତ୍ରର ମରାମତି କରିବାକୁ। ଆସନ୍ତା ୪୮ ଘଣ୍ଟା ସ୍ଥିତି ସଙ୍କଟାପନ୍ନ ରହିବ ବୋଲି ତାଙ୍କୁ କୁହାଯାଇଥିଲା।

ଶଲ୍ୟୋପଚାର ପରେ ଡାକ୍ତରମାନେ ଦିନେଶଙ୍କୁ କହିଲେ ଯେ ବରି ସଦ୍ରିରେ ତାଙ୍କ ସ୍ତ୍ରୀଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯିବା ସମୟରେ ଡାକ୍ତରଙ୍କ ସ୍କାଲ୍‌ପେଲ୍‌ ବାଜି ତାଙ୍କ ଅନ୍ତ୍ର ଛିଦ୍ରିତ ହୋଇଯାଇଥିଲା ଓ ଏହି କାରଣରୁ ମଳ ତାଙ୍କର ପୂରା ପେଟରେ ବିଛେଇ ହୋଇଗଲା, ଯାହାର ଫଳ ସ୍ୱରୂପ ସମ୍ପୂର୍ଣ୍ଣ ଶରୀର ସଂକ୍ରମିତ ହୋଇଯାଇଛି ।

ପରବର୍ତ୍ତୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଭାବନାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଅନୁଧ୍ୟାନ କରାଗଲା। ତାଙ୍କର ପିଲାମାନେ ତାଙ୍କର ଜେଜେବାପା, ଜେଜେମା’ଙ୍କ ସହିତ ରହିଲେ। ତାଙ୍କର ସ୍ୱାମୀ ଚାହା ଓ ପାଣି ପିଇ କୌଣସି ମତେ କ୍ଷୁଧା ନିବାରଣ କରି ସ୍ୱାସ୍ଥ୍ୟାବସ୍ଥାରେ ସୁଧାରର ସଙ୍କେତ ପାଇବା ପାଇଁ ଅପେକ୍ଷା କରିରହିଲେ। ହେଲେ, ଭାବନାଙ୍କର ସ୍ଥିତିରେ କୌଣସି ସୁଧାର ଦେଖାଗଲା ନାହିଁ ଓ ଜୁଲାଇ ୨୪, ୨୦୧୯, ସନ୍ଧ୍ୟା ୭. ୧୫ରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରୟାସ ନାମକ ଚିତ୍ତୋରଗଡର ଏକ ବେସରକାରୀ ସଂଗଠନ ଏହାର ମାନବାଧିକାର ଆଇନ ନେଟ୍‌ୱର୍କ ସହିତ ଏହି ଘଟଣାର ବିଭିନ୍ନ ଦିଗ ଅନୁଧ୍ୟାନ କଲେ ଓ ଏହା ପଛର ରହସ୍ୟ ଜାଣିବା ପାଇଁ ଡିସେମ୍ବର ୨୦୧୯ରେ ସମ୍ପୂର୍ଣ୍ଣ ଘଟଣାକୁ ଅଧ୍ୟୟନ କରିବାକୁ ଆରମ୍ଭ କଲେ। ସେମାନେ ଏହା ଜାଣିବାକୁ ପାଇଲେ ଯେ ଭାବନାଙ୍କ କ୍ଷେତ୍ରରେ ବନ୍ଧ୍ୟାକରଣ ବେଳେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଫର୍‌ ଫିମେଲ ଏଣ୍ଡ ମେଲ୍‌ ଷ୍ଟେରିଲାଇଜେସନ୍‌ ସର୍ଭିସେସ୍‌ର (୨୦୦୬)  ଖୋଲାଖୋଲି ଉପେକ୍ଷା କରାଯାଇଛି।

ସେମାନଙ୍କ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ଭାବନାଙ୍କୁ ପ୍ରଲୋଭନ ଦେଖାଇ ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା ଓ ସେଠାରେ ତାଙ୍କୁ ସ୍ଥାୟୀ ବନ୍ଧ୍ୟାକରଣ କରାଇବା ପାଇଁ ବାଧ୍ୟ କରାଯାଇଥିଲା, ଯେଉଁଥିପାଇଁ ତାଙ୍କୁ ପୂର୍ବରୁ ସୂଚୀତ କରାଯାଇନଥିଲା କିମ୍ବା ତାଙ୍କ ସହିତ କୌଣସି ପରାମର୍ଶ ମଧ୍ୟ କରାଯାଇନଥିଲା । ଏପରିକି, ଶଲ୍ୟୋପଚାର ପରେ ମଧ୍ୟ ସିଏଚ୍‌ସିର ଡାକ୍ତରମାନେ ସେମାନଙ୍କ ଅବହେଳା କାରଣରୁ ସୃଷ୍ଟି ହୋଇଥିବା ଛିଦ୍ର ବିଷୟରେ ତାଙ୍କ ପରିବାରକୁ ଜଣାଇନଥିଲେ କିମ୍ବା ଏହି ଭୂଲ୍‌କୁ ସୁଧାରିବା ପାଇଁ ଅନ୍ୟ କୌଣସି ଅସ୍ତ୍ରୋପଚାର ମଧ୍ୟ କରିନଥିଲେ । ଅଧିକନ୍ତୁ, ସିଏଚ୍‌ସି ବା ଉଦୟପୁର ଡାକ୍ତରଖାନାରେ କେହି ମଧ୍ୟ ସରକାରଙ୍କର ପରିବାର ନିୟୋଜନ କ୍ଷତିପୂରଣ ଯୋଜନା, ୨୦୧୩, ଯାହା ଅଧିନରେ ମୃତକଙ୍କ ପରିବାର ଟ୍ୟୁବାଲ୍‌ ଲିଗେସନ୍‌ ପ୍ରକ୍ରିୟା କରାଯିବାର ଅଳ୍ପ ସମୟ ମଧ୍ୟରେ ମୁତ୍ୟୁ ପାଇଁ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପାଇବା ପାଇଁ ଦାବି କରିପାରିବେ, ସେ ବିଷୟରେ ଜଣାଇନାହାନ୍ତି ।

ଛାୟା ପାଚୁଲି, ପ୍ରୟାସର ନିର୍ଦ୍ଦେଶକ, ସ୍ପଷ୍ଟଭାବେ କହିଛନ୍ତି ଯେ, ବନ୍ଧ୍ୟାକରଣ କ୍ୟାମ୍ପଗୁଡିକରେ ଲକ୍ଷ୍ୟ ହାସଲ କରିବା ପାଇଁ ସରକାରଙ୍କର ବନ୍ଧ୍ୟାକରଣ ସମ୍ବନ୍ଧୀୟ ମାର୍ଗଦର୍ଶିକାର ଅବମାନନା କରାଯାଇ କିଭଳି ପଥ ଆପଣା ଯାଉଛି ଓ ଏହାଦ୍ୱାରା ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ଅଧିକାର କିଭଳି ଭାବେ ବିପନ୍ନ ହେଉଛି. ତାହାର ଏକ ଆଦର୍ଶ ଉଦାହରଣ ହେଉଛି ଭାବନାଙ୍କ ସହିତ ଘଟିଥିବା ଏହି ଘଟଣା ।

“ମାର୍ଗଦର୍ଶିକାରେ ଦିଆଯାଇଥିବା ସ୍ପଷ୍ଟୀକରଣ ମୁତାବକ, ଜଣେ ମହିଳା ଓ ତାଙ୍କର ସାଥୀ ସର୍ଜରୀ ବିକଳ୍ପ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବା ନାହାନ୍ତି ସେ ବିଷୟରେ ବିଚାର କରିବାକୁ, ଭାବିବାକୁ ଓ ବାରମ୍ବାର ଭାବିବାକୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରାଯିବା ଆବଶ୍ୟକ,” ବୋଲି ପାଚୁଲି କହିଛନ୍ତି ।  “କୌଣସି ପରିସ୍ଥିତିରେ ମଧ୍ୟ କେବଳ ଏକ କ୍ୟାମ୍ପ ଆୟୋଜନ କରାଯାଇଥିବାରୁ ଓ ସେଠାକୁ ଅଧିକ ସଂଖ୍ୟକ ମହିଳାଙ୍କୁ ଆଣିବା ପାଇଁ ଉଚ୍ଚ ଅଧିକାରିମାନଙ୍କଠାରୁ ପଡୁଥିବା ଚାପର ବଶବର୍ତ୍ତୀ ହୋଇ ମହିଳାମାନଙ୍କୁ ଏହି ସର୍ଜରୀ କରାଇବାକୁ ବାଧ୍ୟ କରାଯିବା ଅନୁଚିତ । କୌଣସି ପ୍ରକାରେ ‘ଧାର୍ଯ୍ୟ ଲକ୍ଷ୍ୟ’ ହାସଲ କରିବା ସରକାରଙ୍କର ପ୍ରାଥମିକତା ନୁହେଁ ବୋଲି ସରକାର କହୁଥିଲେ ମଧ୍ୟ, ଆମେ ସମସ୍ତେ ଏହା ଜାଣିଛେ ଯେ ବନ୍ଧ୍ୟାକରଣ ପାଇଁ ମହିଳାମାନଙ୍କୁ ରାଜି କରାଇବାକୁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବାଧ୍ୟ କରାଯାଉଛି ଓ ଜିଲ୍ଲା [ ପ୍ରଶାସନ]ରେ କେତେ ସଂଖ୍ୟକ ବନ୍ଧ୍ୟାକରଣ କରାଯାଇଛି ସେ ଆଧାରରେ ଜିଲ୍ଲାର ପ୍ରାକ୍‌ ଆକଳନ କରାଯାଉଛି ତଥା ଏ କ୍ଷେତ୍ରରେ ସର୍ବୋତ୍କୃଷ୍ଟତା ପ୍ରଦର୍ଶନ କରିଥିବା ଜିଲ୍ଲାକୁ ସରକାରଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ କରାଯାଉଛି । ଏହି ରୀତି ବନ୍ଦ ହେବା ଉଚିତ ।

“କେବଳ ସୁରକ୍ଷିତ ସର୍ଜରୀ ବ୍ୟବସ୍ଥା ଯୋଗାଇବା ଉଦ୍ଦେଶ୍ୟରେ ନୁହେଁ ବରଂ ବନ୍ଧ୍ୟାକରଣ ପୂର୍ବରୁ ଓ ପରେ ଉତ୍ତମ ଯତ୍ନ ନେବା ସମ୍ଭବପର କରିବା ପାଇଁ କ୍ୟାମ୍ପ ମାଧ୍ୟମରେ କାର୍ଯ୍ୟସାଧନର ଏହି ପ୍ରକ୍ରିୟାକୁ ସଚ୍ଚୋଟତା ସହିତ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ” ବୋଲି ମଧ୍ୟ ପାଚୋଲି କୁହନ୍ତି । “ଏହା ପରିବର୍ତ୍ତେ, ବନ୍ଧ୍ୟାକରଣକୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଅନ୍ତର୍ଗତ ଏକ ନିୟମିତ ଗତିବିଧି ଭାବେ ସାମିଲ କରାଯିବା ଉଚିତ। ଆଉ ସ୍ୱାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ଉଚିତ ପରାମର୍ଶ ପ୍ରଦାନ କରିବା କୌଶଳ ବିଷୟରେ ଜାଣିବା ଉଚିତ, ଯାହାକୁ ସେବା ପ୍ରଦାନର ଏକ ଅତ୍ୟାବଶ୍ୟକ ଉପାଦାନ ଭାବେ ପ୍ରୋତ୍ସାହିତ କରାଯିବା ଉଚିତ।

Dinesh Suthar is holding on to papers and photographs that mark his brief married life with Bhavna
PHOTO • Anubha Bhonsle
Dinesh Suthar is holding on to papers and photographs that mark his brief married life with Bhavna
PHOTO • Anubha Bhonsle

ଦିନେଶ ସୁଥର ଭାବନାଙ୍କ ସହିତ ତାଙ୍କର ସ୍ୱଳ୍ପ ଦିନର ବୈବାହିକ ଜୀବନର ସନ୍ତକ ସେହି କାଗଜପତ୍ର ଓ ଫଟୋଗ୍ରାଫ୍‌ଗୁଡିକୁ ଧରିଛନ୍ତି

ରାଜସ୍ଥାନରେ କାମ କରିବା ବେଳେ ପ୍ରୟାସ ଏପରି ଅନେକ ମହିଳାଙ୍କ ସଂସ୍ପର୍ଶରେ ଆସିଛି ଯେଉଁମାନଙ୍କ କ୍ଷେତ୍ରରେ ବନ୍ଧ୍ୟାକରଣ ସଫଳ ହୋଇପାରିନି ହେଲେ ସେମାନେ କେବେ ମଧ୍ୟ କୌଣସି ଅନୁକମ୍ପା ରାଶି ପାଇଁ ଦାବି ମଧ୍ୟ କରିନାହାନ୍ତି କାରଣ ସେମାନେ ଯେ ଏହା ପାଇବା ପାଇଁ ଯୋଗ୍ୟ ଅଟନ୍ତି, ଏହା ସେମାନଙ୍କୁ ଜଣାନାହିଁ ।

“ ପ୍ରାୟତଃ, ମହିଳାମାନଙ୍କୁ ସେମାନଙ୍କର ସ୍ୱାମୀ / ପରିବାର ସଦସ୍ୟଙ୍କୁ ପ୍ରକୃତରେ ବନ୍ଧ୍ୟାକରଣର ଆବଶ୍ୟକତା ସମ୍ବନ୍ଧୀୟ ପର୍ଯ୍ୟାପ୍ତ ତଥ୍ୟ ପ୍ରଦାନ କରାନଯାଇ ବନ୍ଧ୍ୟାକରଣ କରିବାକୁ ପ୍ରଲୋଭିତ କରାଯାଏ । ଏହା ଯୋଗୁଁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସମ୍ଭାବନା କମ୍‌ ହୋଇଥିବାବେଳେ ଏସବୁ ସମସ୍ୟା ବିଷୟରେ କେବେ ମଧ୍ୟ ଆଲୋଚନା କରାଯାଏନାହିଁ, କିମ୍ବା ମହିଳାମାନଙ୍କୁ ଏଥିପାଇଁ କେବେ ମଧ୍ୟ ପ୍ରସ୍ତୁତ କରାଯାଏ ନାହିଁ । ବନ୍ଧ୍ୟାକରଣ ପ୍ରକ୍ରିୟା ଅସଫଳ ହେଲେ ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଗଲେ କ’ଣ କରିବାକୁ ହେବ, ସେ ବିଷୟରେ ସେମାନଙ୍କୁ କୌଣସି ଉପଦେଶ ଦିଆଯାଏ ନାହିଁ । ଅସଫଳ ବନ୍ଧ୍ୟାକରଣ, ମୃତ୍ୟୁ ବା ସମସ୍ୟା ଉପୁଜିଲେ, ସେମାନେ ଯେ ଅନୁକମ୍ପା ରାଶି ପାଇଁ ଦାବି କରିପାରିବେ, ସେ ବିଷୟରେ ସେମାନଙ୍କୁ କ୍ୱଚିତ ସୂଚୀତ କରାଯାଏ,” ବୋଲି ପାଚୋଲି କୁହନ୍ତି ।

ଏହିପରି ପ୍ରତ୍ୟେକ ମାନଦଣ୍ଡ ଯାହାର ଉପେକ୍ଷା କରାଯାଇଛି, ତାହାର କୁପରିଣତି ଭୋଗିବା ସତ୍ତ୍ୱେ ଦିନେଶ ତାଙ୍କର ପରିବାରର ଏହି ଅପୂରଣୀୟ କ୍ଷତିର ସାମନା ଧୈର୍ଯ୍ୟ ସହିତ, ନିରସ ଭାବ ସହିତ କରିଛନ୍ତି। ବର୍ତ୍ତମାନ ସେ ପୁଣିଥିରେ ଶିକ୍ଷାଦାନ ବୃତ୍ତିକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି, ନିଜ ପାଇଁ ନିଜେ ଜଳଖିଆ ବାକ୍ସ ପ୍ୟାକ୍‌ କରୁଛନ୍ତି । "ଦିନେ ମୁଁ ଖାଲି ଲଞ୍ଚ ବକ୍ସ ନେଇଯାଇଥିଲି,” ବୋଲି ସେ ହସି ହସି କୁହନ୍ତି ।

ସୁଥର ପରିବାରର କ୍ଷତି ଅପୂରଣୀୟ ଅଟେ, ହେଲେ ସେମାନଙ୍କୁ ପୁଣିଥରେ ମୂଳରୁ ଆରମ୍ଭ କରିବାକୁ ହେବ । ସେ ସେମାନଙ୍କ ଘରେ ଚାଲିଥିବା କିଛି ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଟେଲିଭିଜନ୍‌ ଚାଲିଥିଲା, ଗୋଟିଏ କୋଣରୁ ପେଷଣାରେ କିଛି ବଟାଯାଉଥିବା ଶବ୍ଦ ଶୁଭୁଥିଲା ଓ ପଡିଶାଘରର ମହିଳାମାନେ ଦେବାଂଶର ଯତ୍ନ ନେଉଥିଲେ।

ଭାବନାଙ୍କ ମୃତ୍ୟୁ ପୂର୍ବର ଦିନଗୁଡିକରେ ପରିବାର ଔଷଧ ଓ ପରିବହନ ଖର୍ଚ୍ଚ ବାବଦକୁ ପ୍ରାୟ ୨୫,୦୦୦ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା ଓ ଦିନେଶ ଏହିପରି ଏକ ବିପର୍ଯ୍ୟୟ ପାଇଁ ଯଥୋଚିତ ନ୍ୟାୟ ପାଇବା ପାଇଁ ଦୃଢ ନିଶ୍ଚିତ ଅଛନ୍ତି। ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପାଇବା ପାଇଁ ସେ ଯେଉଁ ଆବେଦନ ପତ୍ର ଦାଖଲ କରିଥିଲେ ତାହା ଚିତ୍ତୋରଗଡ ସ୍ଥିତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏବେ ମଧ୍ୟ ପଡିରହିଛି। ମୋ ପାଖରେ ଯାହା କିଛି ଥିଲା, ‘‘ସେସବୁ ମୁଁ ଖର୍ଚ୍ଚ କରିଦେଇଛି,” ବୋଲି ସେ କୁହନ୍ତି । “ସେ ଆଜି ଯଦି ଜୀବୀତ ଥାଆନ୍ତା, ତାହାହେଲେ ସବୁକିଛି ଠିକ୍‌ ହୋଇଯାଇଥାନ୍ତା ।’’

ପ୍ରଚ୍ଛଦ ଚିତ୍ରଣ : ଲବାନି ଜାଙ୍ଗି, ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ମୂଳ ବାସିନ୍ଦା, କୋଲ୍‌କାତା ସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସ ଅନୁଷ୍ଠାନରେ ‘ପ୍ରବାସରେ ବଙ୍ଗାଳୀ ଶ୍ରମିକ’ ବିଷୟ ଉପରେ ପିଏଚ୍‌ଡି ଡିଗ୍ରୀ ଲାଭ କରିବା ପାଇଁ ଗବେଷଣା କରୁଛନ୍ତି । ସେ ଜଣେ ସେଲ୍ଫ-ଥଟ୍‌ ପେଣ୍ଟର ଅଟନ୍ତି ଓ ଯାତ୍ରା କରିବାକୁ ଭଲ ପାଆନ୍ତି ।

ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ଦ୍ୱାରା କିଶୋରୀ କନ୍ୟା ଓ ଯୁବତୀମାନଙ୍କ ଉପରେ ଦେଶବ୍ୟାପୀ ଚାଲିଥିବା ଏହି ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆର ସହାୟତାରେ ଏକ ପ୍ରମୁଖ ଅଥଚ ନିଜ ଅଧିକାରରୁ ବଞ୍ଚିତ ଏହି ଗୋଷ୍ଠୀର ସ୍ଥିତି ଯାଞ୍ଚ କରିବାକୁ ସାଧାରଣ ଲୋକଙ୍କ ସ୍ୱର ଓ ସ୍ୱ-ଅନୁଭୂତି ଆଧାରରେ ଆରମ୍ଭ ହୋଇଥିବା ଏକ ପ୍ରୟାସ ।

ଏହି ଆଲେଖର ପୁନଃ ପ୍ରକାଶନ କରିବାକୁ ଚାହୁଛନ୍ତି କି ? ଦୟାକରି [email protected] କୁ ସିସି କରିବା ସହିତ [email protected] କୁ ଲେଖନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Anubha Bhonsle is a 2015 PARI fellow, an independent journalist, an ICFJ Knight Fellow, and the author of 'Mother, Where’s My Country?', a book about the troubled history of Manipur and the impact of the Armed Forces Special Powers Act.

Other stories by Anubha Bhonsle