ଯେଉଁ ସ୍ଥାନରେ ଚମ୍ପତ ନାରାୟଣ ଜାଙ୍ଗଲେ ମୃତ୍ୟୁବରଣ କରିଥିଲେ, ତାହା ଏକ ଅନାବନା କପା କ୍ଷେତର ଖଣ୍ଡେ ପଥୁରିଆ, ଅପନ୍ତରା ଭାଗ ଥିଲା।
ମହାରାଷ୍ଟ୍ରର ଏହିସବୁ ଆଖପାଖ ଅଞ୍ଚଳରେ, ଏହାକୁ ହଲକୀ ଜମିନ୍ ବା ଢିପ ଜମି ବୋଲି କୁହାଯାଏ। ଅନ୍ଧ ସମ୍ପ୍ରଦାୟ ସହ ଜଡ଼ିତ ଏହି ଦୋଳାୟମାନ ଚାଷ ଜମିର ପରିଦୃଶ୍ୟକୁ ସବୁଜ ପାହାଡ଼ ଏକ ସୁନ୍ଦର ପୃଷ୍ଠଭୂମି ପ୍ରଦାନ କରିଥାଏ। ଚାଷ ଜମିର ଏହି ଭୂଖଣ୍ଡ ଗାଁ ଠାରୁ ଦୂର ଏକ ଭିନ୍ନ ଭାଗରେ ରହିଛି।
ଚମ୍ପତଙ୍କ ନଡ଼ା ଛପର ମଞ୍ଚା- ଯାହାକୁ ସେ ଟାଣ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବା ଲାଗି ତିଆରି କରିଥିଲେ- ନିଜର ଚାଷ ଜମିକୁ ଜଙ୍ଗଲୀ ଘୁଷୁରିଙ୍କଠାରୁ ସୁରକ୍ଷା ଦେବାକୁ ଏହି ସ୍ଥାନରେ ସେ ଦିନ ରାତି ବିତାଉଥିଲେ- ତାହା ଏବେ ବି ସେହି ପରିଦୃଶ୍ୟରେ ପଥର ଚଟାଣ ଉପରେ ଦଣ୍ଡାୟମାନ ହୋଇ ରହିଛି। ଚମ୍ପତ ସବୁବେଳେ ଏଇଠି ରହୁଥିଲେ, ଚାଷ ଜମିର ଦେଖାଶୁଣା କରୁଥିଲେ ବୋଲି ତାଙ୍କର ପଡ଼ୋଶୀମାନେ ମନେ ପକାଇ କୁହନ୍ତି।
ପ୍ରାୟ ୪୦ ବର୍ଷ ବୟସ୍କ ଅନ୍ଧ ଜନଜାତିର ଚାଷୀ ଚମ୍ପତ ଏହ ମଞ୍ଚାରୁ ନିଶ୍ଚିତ ଭାବେ ତାଙ୍କର ଚାଷ ଜମିକୁ ସମ୍ପୂର୍ଣ୍ଣ ଭାବେ ଦେଖିପାରୁଥିଲେ। ଏଇଠୁ ହିଁ ସେ ଅନ୍ତହୀନ କ୍ଷତିକୁ ଅନୁଭବ କରୁଥିଲେ, ଅବିକଶିକ କପା ଗଛ, ଆଣ୍ଠୁ ଉଚ୍ଚର ହରଡ଼ ଗଛ ସବୁ ଦେଖି ସେ ନିରାଶ ହୋଇପଡ଼ୁଥିଲେ।
ସେ ଭଲ ଭାବେ ଜାଣିସାରିଥିଲେ ଯେ ଦୁଇ ମାସ ପରେ ଯେତେବେଳେ ଅମଳ ଆରମ୍ଭ ହେବ, ଏସବୁ କ୍ଷେତରୁ କିଛି ମିଳିବ ନାହିଁ। ଅନ୍ୟପଟେ ତାଙ୍କୁ ବକେୟା ଋଣ ସୁଝିବାକୁ ହେବ ଏବଂ ପରିବାରର ଦୈନନ୍ଦିନ ଖର୍ଚ୍ଚ ବି ତୁଲାଇବାକୁ ପଡ଼ିବ। ହେଲେ ତାଙ୍କ ପାଖରେ ଆଦୌ ଟଙ୍କା ନାହିଁ।
















