html ବଗାନିର ଶତାଦ୍ଦୀ ପୁରୁଣା ଲୌହ ମାନବ

ଦିଲାୱର ସିକଲ୍‌ଗଡ ୧୯୬୦ର ଏକ ଘଟଣା ବିଷୟରେ ମନେପକାଇ ହସନ୍ତି । କେହିଜଣେ ତାଙ୍କର କମାରଶାଳରେ ଖଣ୍ଡେ ଲୁହାକୁ ହାତୁଡିରେ ପ୍ରହାର କରୁଥିଲେ ଓ ସେତେବେଳେ ଏଥିରୁ ବାହାରୁଥିବା କ୍ଷୁଦ୍ର ଲୁହା କଣିକା ଯୋଗୁଁ ତାଙ୍କ ବାମ ହାତର ତର୍ଜନୀରେ ଆଘାତ ଲାଗିଗଲା । ପାଞ୍ଚ ଦଶକ ପରେ ମଧ୍ୟ ଦୀର୍ଘ ଦିନ ପରେ ଶୁଖିଥିବା ସେହି କ୍ଷତ ଆଜି ମଧ୍ୟ ସେଭଳି ଜୀବିତ ରହିଛି ଓ ସେ ହସିହସି ଏହା ମଧ୍ୟ କୁହନ୍ତି ଯେ “ମୋର ପାପୁଲିକୁ ଦେଖନ୍ତୁ । ସେଗୁଡିକ ଏବେ ଧାତୁ ଭଳି ଶକ୍ତ ହୋଇଯାଇଛି ।’’

ସେହି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ୬୮ ବର୍ଷ ବୟସ୍କ ଦିଲୱର ଅନେକ ତାପଦୀପ୍ତ ଲୁହା ଓ ଅଙ୍ଗାର ଷ୍ଟିଲ୍‌ (ଲୁହା ଓ ଅଙ୍ଗାରର ମିଶ୍ରଧାତୁ)କୁ ଦିନରେ ଅନ୍ୟୁନ ୫୦୦ରୁ ଅଧିକ ଥର ହାତୁଡିରେ ପ୍ରହାର କରିଥିବେ – ଆଉ ପ୍ରାୟ ୫୫ ବର୍ଷରେ ସେ ତାଙ୍କର ପାରମ୍ପରିକ ପାଞ୍ଚ କେଜି ଓଜନର ଘନ (ହାତୁଡି)ରେ ପ୍ରାୟ ୮ଲକ୍ଷରୁ ଅଧିକ ଥର ଧାତୁ ଉପରେ ପ୍ରହାର କରିଥିବେ । 

ସଙ୍ଗାଲି ଜିଲ୍ଲାର ୱଲ୍‌ୱା ତାଲୁକାର ବଗାନି ଗ୍ରାମରେ ରହୁଥିବା ସିକଲ୍‌ଗଡ୍‌ କମାର ପରିବାର ଏକ ଶହ ବର୍ଷରୁ ଅଧିକ ସମୟ ହେବ ଏହି କାମ କରିଆସୁଛନ୍ତି – ଘରେ ଓ ଜମିରେ ବ୍ୟବହାର ହେଉଥିବା ବିଭିନ୍ନ ଉପକରଣ ତିଆରି କରି ଆସୁଛନ୍ତି । ହେଲେ, ହାତରେ ତିଆରି ଉଚ୍ଚମାନର ଗୁଆକାତି ବା ଅଦ୍‌କିତ୍ତା (ମରାଠି ଭାଷାରେ) – ସ୍ୱତନ୍ତ୍ର ଡିଜାଇନ୍‌, ସ୍ଥାୟୀତ୍ୱ ଓ ଧାର -ପାଇଁ ସେମାନଙ୍କୁ ସମସ୍ତେ ଜାଣନ୍ତି  ।

ଏହି ଗୁଆକାତିଗୁଡିକ ଚାରି ଇଂଚରୁ ଦୁଇ ଫୁଟ୍‌ ମଧ୍ୟରେ ବିଭିନ୍ନ ଆକାରରେ ଉପଲବ୍ଧ । ସବୁଠାରୁ ଛୋଟ ଅଦ୍‌କିତ୍ତାକୁ ସୁପାରୀ (ଗୁଆରୀ), କଥ୍‌ (ଖଇର), ଖୋବରା (ଖୁରୁଡୁ ନଡିଆ) ଓ ସୁତଲି (ନଡିଆ କତା ଦଉଡି) ଆଦି କାଟିବା ପାଇଁ ବ୍ୟବହାର କରାଯାଏ। ବଡ କାତିକୁ ସୁନା ଓ ରୂପା କାଟିବା ପାଇଁ  (ସୁନାରୀ ଓ ଅଳଙ୍କାର ଦୋକାନୀ) ଓ ବଜାରରେ ବିକ୍ରି ହେଉଥିବା ଛୋଟ ଗୁଆ ଖଣ୍ଡ ଭାବେ ବିକ୍ରି ହେଉଥିବା ବଡ ସୁପାରୀ କାଟିବା ପାଇଁ ବ୍ୟବହାର କରାଯାଏ ।

ସିକଲ୍‌ଗଡ ପରିବାର ଦ୍ୱାରା ନିର୍ମିତ ଗୁଆକାତି ଏତେ ପ୍ରସିଦ୍ଧ ଯେ ଏହାକୁ କିଣିବା ପାଇଁ ଦୂରଦୂରାନ୍ତରୁ ଲୋକ ଦୀର୍ଘ ପଥ ଯାତ୍ରା କରି ବଗାନି ଆସନ୍ତି । ସେମାନେ ମହାରାଷ୍ଟ୍ରର ଅକ୍‌ଜୁଲ୍‌, କୋହ୍ଲାପୁର, ଓସ୍‌ମାନାବାଦ, ସାଙ୍ଗୋଲ୍‌ ଓ ସାଙ୍ଗଲି ତଥା  କର୍ଣ୍ଣାଟକର ଅଥ୍‌ନି, ବିଜାପୁର, ରାୟବାଗ ଓ ଅନ୍ୟାନ୍ୟ ସ୍ଥାନରୁ ଆସନ୍ତି ।

Dilawar Shikalgar – here with and his son Salim – uses a hammer to shape an iron block into a nut cutter or adkitta of distinctive design and durability
PHOTO • Sanket Jain
Dilawar Shikalgar – here with and his son Salim – uses a hammer to shape an iron block into a nut cutter or adkitta of distinctive design and durability
PHOTO • Sanket Jain

ଦିଲୱର୍‌ ସିକଲ୍‌ଗଡ ତାଙ୍କ ପୁଅ ସଲିମଙ୍କ ସହିତ – ଏକ ଲୁହା ଗଡିକୁ ସ୍ୱତନ୍ତ୍ର ଡିଜାଇନ୍‌ ଓ ସ୍ଥାୟୀତ୍ୱ ଯୁକ୍ତ ଗୁଆକାତି ବା ଅଦ୍‌କିତ୍ତାର ଆକାର ଦେବା ପାଇଁ ହାତୁଡିରେ ପ୍ରହାର କରୁଛନ୍ତି

“ମୁଁ ତିଆରି କରିଥିବା ଅନେକ ଅଦ୍‌କିତ୍ତା ହଜିଗଲାଣି,” ବୋଲି କୁହନ୍ତି ଦିଲାୱର୍‌ । ସେ ଖୁପ୍‌ରୀ (ଛୋଟ ଦାଆ), ଭିଲା (ଦାଆ), ଭିଲାତି ( ପନିପରିବା କାଟିବା ଛୁରୀ), କଡବା କପାୟଚି ଭିଲାତି ( ନଡା କାଟା ବ୍ଲେଡ୍‌), ବଗିଚା କଟା କଇଁଚି, ଅଙ୍ଗୁର କାଟିବା କଇଁଚି, ପତ୍ର କପାୟଚି କତ୍ରି (ଛାତ ପକାଇବା ପାଇଁ ବ୍ୟବହାର କରାଯାଉଥିବା ସିଟ୍‌ କାଟିବା ଅସ୍ତ୍ର) ଓ ବର୍ଚା (ମାଛ ମାରିବା ପାଇଁ କରତ ଦାନ୍ତ ଥିବା ଉପକରଣ) ମଧ୍ୟ ତିଆରି କରନ୍ତି ।

ବଗାନିରେ ଏବେ ମଧ୍ୟ ଏହି ବ୍ୟବସାୟକୁ ଜାରି ରଖିଥିବା ସେହି ଚାରିଜଣ କମାରଙ୍କ ମଧ୍ୟରେ ସବୁଠାରୁ ବୟସ୍କ ହେଉଛନ୍ତି ଦିଲୱର ଯିଏ ତାଙ୍କର ୪୧ ବର୍ଷର ପୁଅ ସଲିମଙ୍କ ସହିତ ମିଶି କାମ କରନ୍ତି । (ଅନ୍ୟ ଦୁଇଜଣ ହେଉଛନ୍ତି ତାଙ୍କର ସମ୍ପର୍କୀୟ ଭାଇ ହରୁଣ ଓ ସମୀର ଶିକଲଗଡ଼।) ୧୯୫୦ ଓ ୬୦ରେ, ଦିଲୱର୍‌ କୁହନ୍ତି ଯେ, ତାଙ୍କ ଗ୍ରାମରେ ତାଙ୍କ ଭଳି ଆଉ ୧୦-୧୫ ଜଣ କମାର ଥିଲେ। ସେମାନଙ୍କ ମଧ୍ୟରୁ କିଛି ଆରପାରିକୁ ଚାଲିଗଲେଣି, ଅନ୍ୟମାନେ ଅଦ୍‌କିତ୍ତାର ଚାହିଦା କମିଯିବା କରାଣରୁ କେବଳ କୃଷି ଉପକରଣ କରିବାରେ ନିଜକୁ ନିୟୋଜିତ କରୁଛନ୍ତି । ଅଦ୍‌କିତ୍ତା ତିଆରି କରିବା ପାଇଁ ବହୁତ ସମୟ ଓ ଧୈର୍ଯ୍ୟ ଆବଶ୍ୟକ ହେଲେ ଏଥିରୁ ଭଲ ଉପାର୍ଜନ ହେଉନି, ବୋଲି ଦିଲୱର୍‌ କୁହନ୍ତି । “ଏହା ହେଉଛି ଏପରି ଏକ କାମ ଯେଉଁଥିପାଇଁ ଉଭୟ ଦକ୍ଷତା ଓ କଠିନ ପରିଶ୍ରମ କରିବା ଆବଶ୍ୟକ ।“

ତାଙ୍କ ପୁଅ ସଲିମ, ସିକଲ୍‌ଗଡ ପରିବାରର ଷଷ୍ଠ ପିଢି, ଯେପରି ପରିବାରର ଏହି କୌଳିକ ବୃତ୍ତି – ଧାତୁ କଳା- କୁ ଜୀବିତ ରଖିପାରିବେ, ତାହା ସେ ସୁନିଶ୍ଚିତ କରିଛନ୍ତି । “ଏବେ ଚାକିରି କେଉଁଠି ମିଳୁଛି ?” ବୋଲି ସେ ପଚାରନ୍ତି । “ଦକ୍ଷତା ଥିଲେ ଆପଣ କେବେ ମଧ୍ୟ ବେକାର ରହିବେନି । ଯଦି ଚାକିରି ନମିଳେ ତାହାହେଲେ ଆପଣ କ’ଣ କରିବେ?

ଦିଲୱର୍‌ ସର୍ବପ୍ରଥମେ ୧୩ ବର୍ଷ ବୟସରେ ତାଙ୍କ ବାପା ମକ୍‌ବୁଲ୍‌ଙ୍କ ସହିତ ମିଶି ଗୁଆକାତି ନିର୍ମାଣ କରିବାକୁ ଆରମ୍ଭ କରିଥିଲେ । ମକ୍‌ବୁଲ୍‌ଙ୍କ ସହାୟତା ପାଇଁ ତାଙ୍କ ପାଖରେ କେହି ମଧ୍ୟ ନଥିଲେ, ଏଣୁ ଦିଲୱର୍‌ଙ୍କୁ ୮ମ ଶ୍ରେଣୀ ପରେ ପାଠପଢା ବନ୍ଦ କରିବାକୁ ପଡିଲା ଓ ପରିବାରର କୌଳିକ ବ୍ୟବସାୟରେ ଯୋଗ ଦେବାକୁ ପଡିଲା । ସେତେବେଳେ ଗୋଟିଏ ଅଦ୍‌କିତ୍ତା ୪ଟଙ୍କାରେ ବିକ୍ରି ହେଉଥିଲା । “ମାତ୍ର ଦୁଇ ଟଙ୍କା ଖର୍ଚ୍ଚ କରି ଆମେ ସେତେବେଳେ ବସ୍‌ରେ ସାଙ୍ଗଲି ଯାଉଥିଲୁ ଓ ଗୋଟିଏ ଚଳଚିତ୍ର ମଧ୍ୟ ଦେଖିପାରୁଥିଲୁ,” ବୋଲି ଅତୀତ କଥା ମନେପକାଇ କୁହନ୍ତି ।

ଆଉ ତାପରେ ସେ ଅନ୍ୟ ଏକ କଥା ମନେପକାନ୍ତି ଯାହା ତାଙ୍କର ସ୍ୱର୍ଗତ ବାପା ତାଙ୍କୁ କହିଥିଲେ : ବ୍ରିଟିଶ ଅଧିକାରୀମାନେ ସିକଲ୍‌ଗଡ୍‌ଙ୍କ ଅଦ୍‌କିତ୍ତାର ନିର୍ମାଣ କୌଶଳ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ତାପରେ ସେମାନେ କାରିଗରମାନଙ୍କର (ସାଙ୍ଗଲି ଗଡଜାତ ଅଞ୍ଚଳ) ଏକ ସମାବେଶ ମିରାଜଠାରେ (ବଗାନିଠାରୁ ପ୍ରାୟ ୪୦କି.ମି ଦୂରରେ ଅବସ୍ଥିତ) ଆୟୋଜିତ କଲେ ଯେଉଁଠାରେ କାରିଗରମାନେ ସେମାନଙ୍କ ହସ୍ତକଳା ପ୍ରଦର୍ଶନ କରିଥିଲେ । “ସେମାନେ ମୋର ପଣି-ଜେଜେବାପା, ଇମାମ ସିକଲ୍‌ଗଡଙ୍କୁ ଆମନ୍ତ୍ରିତ କରିଥିଲେ । ତାଙ୍କର ଅଦ୍‌କିତ୍ତା ଦେଖି ଏହା ସେ କୌଣସି ଯନ୍ତ୍ରପାତି ବ୍ୟବହାର କରି ନିର୍ମାଣ କରିଛନ୍ତି କି ବୋଲି ପଚାରିଲେ’’ । ଇମାମ୍‌ କହିଲେ ନୁହେଁ । କିଛିଦିନ ପରେ, ଅଧିକାରୀମାନେ ତାଙ୍କୁ ପୁଣିଥରେ ଡାକିଲେ – ସେମାନେ ପୁଣିଥରେ ନିଖୂଣ ଭାବେ ତିଆରି ହୋଇଥିବା ଅଦ୍‌କିତ୍ତା ଦେଖିବାକୁ ଚାହିଁଲେ । “ସେମାନେ ତାଙ୍କୁ ପଚାରିଲେ ଯେ ଯଦି ତୁମକୁ ଏଥିପାଇଁ ଆବଶ୍ୟକ ଜିନିଷ ସବୁ ଯୋଗାଇଦିଆଯିବ, ତାହାହେଲେ କ’ଣ ତୁମେ ଆମ ସମ୍ମୁଖରେ ଅଦ୍‌କିତ୍ତା  ନିର୍ମାଣ କରିପାରିବ?” ସେ ସଙ୍ଗେ ସଙ୍ଗେ କହିଲେ, ‘ହଁ’ ।

Dilawar (left) meticulously files off swarfs once the nut cutter’s basic structure is ready; Salim hammers an iron rod to make the lower handle of an adkitta
PHOTO • Sanket Jain
Dilawar (left) meticulously files off swarfs once the nut cutter’s basic structure is ready; Salim hammers an iron rod to make the lower handle of an adkitta
PHOTO • Sanket Jain

ଗୁଆକାତିର ମୂଳ ଢାଞ୍ଚା ପ୍ରସ୍ତୁତ ହୋଇଯିବା ପରେ ସତର୍କତା ସହିତ ଦିଲୱର୍‌ ଏଥିରୁ ବାହାରୁଥିବା ଧାତୁର ଅନାବଶ୍ୟକ  ଅଂଶବିଶେଷକୁ ଫାଇଲ୍‌ କରି ଝାଡିଦିଅନ୍ତି,  ସଲିମ ଗୋଟିଏ ଲୁହା ଦଣ୍ଡକୁ ପିଟିପିଟି ସେଥିରେ ଅଦ୍‌କିତ୍ତାର ହ୍ୟାଣ୍ଡେଲ୍‌ ତିଆରି କରନ୍ତି

“ଅନ୍ୟଜଣେ କାରିଗର ମଧ୍ୟ ଅଛନ୍ତି ଯିଏ ତାଙ୍କ ପ୍ଲାୟର୍‌ ସହିତ ପ୍ରଦର୍ଶନୀକୁ ଯାଇଥିଲେ । ଯେତେବେଳେ ବ୍ରିଟିଶ୍ ଅଧିକାରୀମାନେ ତାଙ୍କୁ ସମାନ ପ୍ରଶ୍ନ ପଚାରିଲେ, ସେ ସେହି ପ୍ଲାୟର୍‌କୁ ମେସିନ୍‌ରେ ତିଆରି କରିଥିବା କହି ସେଠାରୁ ଦଉଡି ଚାଲିଗଲେ । ବ୍ରିଟିସମାନଙ୍କ ଚତୁରତା ଏଥିରୁ ଜଣାପଡୁଛି,” ବୋଲି ଦିଲାୱର୍‌ ହସିହସି କୁହନ୍ତି । “ସେମାନେ ଏହି କଳା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଜାଣିଥିଲେ’’ । ସେମାନଙ୍କ ମଧ୍ୟରୁ କେତେଜଣ ତାଙ୍କ ପରିବାର ଦ୍ୱାରା ନିର୍ମିତ ଗୁଆକାତି ନେଇ ନିଜ ଘର ୟୁକେକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଆଉ କେତେକ ସିକଲ୍‌ଗଡ ଅଦ୍‌କିତ୍ତା ୟୁଏସ୍‌ରେ ମଧ୍ୟ ପହଞ୍ଚିପାରିଛି ।

“ଆମେରିକାରୁ କିଛି ଗବେଷକ [୧୯୭୨] ଦୁର୍ଭିକ୍ଷ ବିଷୟରେ ଅଧ୍ୟୟନ କରିବାକୁ ତାଙ୍କ ଗ୍ରାମକୁ ଆସିଥିଲେ । ସେମାନଙ୍କ ସହିତ ଜଣେ ଅନୁବାଦକ ମଧ୍ୟ ଥିଲେ । “ଏହି ସ୍କୋଲାର୍‌ମାନେ, ଦିଲୱର୍‌ ମତେ କହିଲେ ଯେ, ତାଙ୍କ ଗ୍ରାମ ପାଖରେ ଥିବା ଅନ୍ୟ ଏକ ଗ୍ରାମ ନାଗାଓଁକୁ ଯାଇଥିଲେ” । ସେମାନଙ୍କୁ ପିଇବା ପାଇଁ ଚା’ ଦେଇ ସାରିବା ପରେ, କୃଷକଜଣକ ଏକ ଅଦ୍‌କିତ୍ତା ଟାଣି ବାହାର କରିଥିଲେ ଓ ସୁପାରୀ କାଟିବାକୁ ଆରମ୍ଭ କରିଥିଲେ । ଆଗ୍ରହାନ୍ୱିତ ହୋଇ ସେମାନେ ତାଙ୍କୁ ଏହି କାଟିବା ଯନ୍ତ୍ର ବିଷୟରେ ପଚାରି ବୁଝିଥିଲେ ଓ ଏହା ସିକଲ୍‌ଗଡର କମାରଶାଳରେ ତିଆରି ହେଉଥିବା ଆବିଷ୍କାର କରିଥିଲେ, ଯେଉଁଠାକୁ ସେମାନେ ପରବର୍ତ୍ତୀ ସମୟରେ ଯାଇଥିଲେ । “ସେମାନେ ମତେ ୧୦ଟି ଅଦ୍‌କିତ୍ତା ତିଆରି କରିବାକୁ କହିଥିଲେ ବୋଲି ଦିଲୱର୍‌ କୁହନ୍ତି । “ମୁଁ ଏକ ମାସ ଭିତରେ ତିଆରି କରିଦେଲେ ଓ ଏଥିପାଇଁ ସେମାନଙ୍କୁ ସମୁଦାୟ ୧୫୦ଟଙ୍କା ଦେବାକୁ କହିଲି । ହେଲେ, ସେମାନେ ଦୟାଭାବ ଦେଖାଇ ମତେ ଆଉ ଅଧିକ ୧୦୦ଟଙ୍କା ଦେଇଥିଲେ’’ ବୋଲି ସେ ସହସ ବଦନରେ କୁହନ୍ତି ।

ଏପରିକି ଆଜି ମଧ୍ୟ, ସିକଲ୍‌ଗଡ ପରିବାରର ସଦସ୍ୟମାନେ ୧୨ଟି ଭିନ୍ନ ଭିନ୍ନ କିଷମର ଅଦ୍‌କିତ୍ତା ତିଆରି କରୁଛନ୍ତି । “ସେମାନେ ଲୋକଙ୍କ କହିବା ମୁତାବକ ଢାଞ୍ଚାରେ ପରିବର୍ତ୍ତନ ମଧ୍ୟ କରିଥାଉ,” ବୋଲି ସଲିମ କୁହନ୍ତି, ଯିଏ ସାଙ୍ଗଲି ସହରରେ ଥିବା ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ରେ ମେସିନ୍‌ ଟୁଲ୍‌ ଗ୍ରାଇଣ୍ଡିଂ ପାଠ୍ୟକ୍ରମ ଶେଷ କରିଛନ୍ତି ଓ ତାପରେ ୨୦୦୩ରୁ ତାଙ୍କ ବାପାଙ୍କର ସହାୟତା କରୁଛନ୍ତି । ତାଙ୍କର ସାନ ଭାଇ, ଜାଭେଦ ୩୮ ଙ୍କର ପରିବାରର ଏହି କୌଳିକ ବୃତ୍ତିରେ ରୁଚି ନଥିବାରୁ ସେ ଲାଟୁର୍‌ ସହର ଜଳସେଚନ ବିଭାଗରେ ଜଣେ କିରାଣୀ ଭାବେ କାମ କରନ୍ତି ।

ଯଦିଓ ପଶ୍ଚିମ ମହାରାଷ୍ଟ୍ରରେ ଉଭୟ ପୁରୁଷ ଓ ମହିଳା କମାର ଭାବେ କାମ କରିଥାନ୍ତି, ହେଲେ ବଗାନି ଗ୍ରାମରେ ଏପରି ନୁହେଁ ବୋଲି ଦିଲୱର୍‌ କୁହନ୍ତି । “ଆରମ୍ଭରୁ ଏଠାରେ କେବଳ ପୁରୁଷମାନେ ଅଦ୍‌କିତ୍ତା ନିର୍ମାଣ କରି ଆସୁଛନ୍ତି । “ଦିଲୱର୍‌ଙ୍କ ସ୍ତ୍ରୀ ଜୈତୁନ୍‌ବି, ୬୧, ଓ ସଲିମଙ୍କ ସ୍ତ୍ରୀ ଅଫ୍‌ସାନା, ୩୫, ଉଭୟ ଗୃହିଣୀ ଅଟନ୍ତି ।

ଅଦ୍‌କିତ୍ତା ତିଆରି ଆରମ୍ଭ କରିବା ସହିତ ସଲିମ କୁହନ୍ତି ଯେ “ଏଠାରେ ଆପଣଙ୍କୁ କୌଣସି ଭେର୍ନିୟର୍‌ କାଲିପର୍‌ସ ବା ସ୍କେଲ୍‌ ମିଳିବନି । ସିକଲ୍‌ଗଡିମାନେ କେବେ ମଧ୍ୟ ମାପ ଲେଖନ୍ତିନି । “ଆମକୁ ଏପରି କରିବାକୁ ମଧ୍ୟ ଆବଶ୍ୟକ ପଡେନାହିଁ,” ବୋଲି ଦିଲୱର୍‌ କୁହନ୍ତି । “ଆମଚ୍ୟା ନଜ୍‌ରେତ୍‌ ବସ୍‌ଲା ଆହେ [ ଆମେ ଆଖିରେ ଦେଖି ମାପିଦେଇ ପାରିବୁ]” । ଗୁଆକାତିର ଉପର ହେଣ୍ଡେଲ୍‌ କମନ ପତ୍ତିରୁ  (ଅଙ୍ଗାର ଷ୍ଟିଲ୍‌ରୁ ନିର୍ମିତ ସ୍ପ୍ରିଂ ଲିଫ୍‌)  ଯେତେବେଳେକି ନିମ୍ନ ହେଣ୍ଡେଲ ଲୋଖଣ୍ଡ ସାଲିରୁ  (ଲୁହା ଦଣ୍ଡ) ତିଆରି ହୋଇଥାଏ । ବଗାନିଠାରୁ ପ୍ରାୟ ୩୦କିମି ଦୂରରେ ଅବସ୍ଥିତ ଉଭୟ ସାଙ୍ଗଲି ଓ କୋହ୍ଲାପୁର ସହରରେ ମିଳୁଥିବା ଏହି ସ୍ପ୍ରିଂକୁ ସଲିମ କେଜି ପିଛା ୮୦ଟଙ୍କା ମୂଲ୍ୟରେ କିଣିଥାନ୍ତି । ୧୯୬୦ର ପ୍ରଥମ ଭାଗରେ , ଦିଲୱର୍‌ କେବଳ ୫୦ପଇସା ମୂଲ୍ୟରେ ଏକ କେଜି ସ୍ପ୍ରିଂ କିଣୁଥିଲେ ।

After removing it from the forge, the red-hot carbon steel (top left) is hammered by a machine for a while (top-right). Then it is manually hammered using a ghan or hammer (bottom left) to shape it into a nut cutter (bottom right)
PHOTO • Sanket Jain

ଭାଟିରୁ ବାହାର କରିବା ପରେ, ଉତ୍ତପ୍ତ ଲାଲ୍‌ ଅଙ୍ଗାର ଷ୍ଟିଲ୍‌ (ବାମ ଶୀର୍ଷ)କୁ ଏକ ମେସିନ୍‌ ସହାୟତାରେ ହାତୁଡିରେ କିଛି ସମୟ ପାଇଁ ପ୍ରହାର କରାଯାଏ (ଶୀର୍ଷ-ଡାହାଣ) । ତାପରେ ଗୁଆକାତିର ଆକାର ଦେବାକୁ (ନିମ୍ନ ଡାହାଣ) ଏହାକୁ ହାତରେ ହାତୁଡି ବା ଘନ (ନିମ୍ନ ବାମ) ସାହାଯ୍ୟରେ ପ୍ରହାର କରାଯାଏ

ଉଭୟ ବାପା ଓ ପୁଅଙ୍କ ପାଇଁ କାର୍ଯ୍ୟଦିବସ ପୂର୍ବାହ୍ନ ୭ଟାରେ ଆରମ୍ଭ ହୁଏ ଓ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ସଲିମ ଅଙ୍ଗାର ଷ୍ଟିଲ୍‌କୁ ଭାଟିରେ ଉତ୍ତପ୍ତ କରିବା ସହିତ କାମ ଆରମ୍ଭ କରନ୍ତି ଓ ତାପରେ ଭାଟି ଫୁଙ୍କୁନଳାର ସ୍ୱିଚ୍‌ ଅନ୍‌ କରନ୍ତି । କିଛି ସମୟ ବିତିବା ପରେ, ସେ ଏକ ସିଧା ଚିମୁଟାରେ ଏହାକୁ ଧିରେ ଧିରେ ଉଠାନ୍ତି ଓ ଏହାକୁ ହାତୁଡି ପ୍ରହାର କରୁଥିବା ମେସିନ୍‌ ତଳେ ଥୋଇ ଦିଅନ୍ତି। ସେ ଏହି ମେସିନ୍‌କୁ ୨୦୧୨ରେ କୋହ୍ଲାପୁରରୁ ୧.୫ ଲକ୍ଷ ଟଙ୍କା ମୂଲ୍ୟରେ କ୍ରୟ କରି ଆଣିବା ପୂର୍ବରୁ ସିକଲ୍‌ଗଡିମାନେ ସେମାନଙ୍କ ଶରୀର ଓ ହାଡକୁ ପ୍ରଦିଦିନ ବିପଦରେ ପକାଇ ହାତରେ ହାତୁଡି ସହାୟତାରେ ପ୍ରହାର କରୁଥିଲେ । 

କିଛି ସମୟ ପାଇଁ ଅଙ୍ଗାର ଷ୍ଟିଲ୍‌କୁ ମେସିନ୍‌ ହାତୁଡିରେ ପ୍ରହାର କରିବା ପରେ, ସଲିମ ଏହାକୁ ଏକ ୫୦ କେଜି ଲୁହା ବ୍ଲକ୍‌ରେ ରଖିଦିଅନ୍ତି । ତାପରେ ଦିଲୱର୍‌ ଏହାକୁ ହାତରେ ପ୍ରହାର କରିବାକୁ ଆରମ୍ଭ କରି  ଗୁଆକାତିର ଆକାର ପ୍ରଦାନ କରିଥାନ୍ତି । “ମେସିନ୍‌ରେ ଆପଣ ଏହାକୁ ସଠିକ୍‌ ରୂପ ଦେଇପାରିବେ ନାହିଁ," ବୋଲି ସଲିମ କୁହନ୍ତି । ହାତୁଡି ପ୍ରହାର ଓ ଭାଟିରେ ଉତ୍ତପ୍ତ କରିବା ପ୍ରକ୍ରିୟା ଶେଷ ହେବା ପାଇଁ ପ୍ରାୟ ୯୦ମିନିଟ ସମୟ ଲାଗିଥାଏ ।

ଗୁଆକାତିର ମୌଳିକ ଢାଞ୍ଚା ତିଆରି ହୋଇଯିବା ପରେ, ଦିଲୱର୍‌ ଅଙ୍ଗାର ଷ୍ଟିଲ୍‌କୁ ସୁରକ୍ଷିତ କରିବା ପାଇଁ ଏକ ଉପକରଣ ବ୍ୟବହାର କରନ୍ତି । ତାପରେ ସେ ସତର୍କତା ସହିତ ବିଭିନ୍ନ ପ୍ରକାରର କନସ – ଯାହାକୁ ସେ କୋହ୍ଲାପୁର ସହରର ଏକ ହାର୍ଡୱେର୍‌ ଦୋକାନରୁ ଆଣିଥିଲେ-  ବ୍ୟବହାର କରି ଏଥିରୁ କ୍ଷୁଦ୍ର ଧାତୁ ଗୁଣ୍ଡ ବାହାର କରିଦିଅନ୍ତି । 

ଏକାଧିକ ଥର ଅଦିକ୍‌ତ୍ତାର ଆକାର ସମୀକ୍ଷା କରିବା ପରେ, ସେ ଏହାର ବ୍ଲେଡ୍‌କୁ ଧାର କରିବାକୁ ଆରମ୍ଭ କରନ୍ତି । ବଟାଳି ସହାୟତାରେ ସେ ଏତେ ନଖୁଣ ଭାବେ ଧାତୁ କାଟନ୍ତି ଯେ ଏହାକୁ ୧୦ ବର୍ଷ ପର୍ଯ୍ୟନ୍ତ ପୁଣି ଧାର କରିବା ଆବଶ୍ୟକ ହୋଇନଥାଏ ବୋଲି ସେ କୁହନ୍ତି । 

ବର୍ତ୍ତମାନ ସିକ୍‌ଲଗରମାନେ କେବଳ ପାଞ୍ଚ ଘଣ୍ଟା ସମୟରେ ଗୋଟିଏ ଅଦ୍‌କିତ୍ତା ତିଆରି କରିପାରୁଛନ୍ତି । ପୂର୍ବେ, ଏଥିପାଇଁ ଦୁଇଗୁଣ ସମୟ ଲାଗୁଥିଲା, ଯେତେବେଳେ ସେମାନେ ସବୁକିଛି ହାତରେ କରୁଥିଲେ । “ଆମେ କାର୍ଯ୍ୟକୁ ବାଣ୍ଟି ଦେଇଛୁ ଯାହା ଫଳରେ ଆମେ ଦ୍ରୁତିଗତିରେ ଏହାର ନିର୍ମାଣ କରିପାରିବୁ,” ବୋଲି ସଲିମ କୁହନ୍ତି, ଯିଏ ଧାତୁ ଖଣ୍ଡକୁ ଭାଟିରେ ଉତ୍ତପ୍ତ କରନ୍ତି, ତା‘ ଉପରେ ପ୍ରହାର କରନ୍ତି ଓ ଆକାର ଦିଅନ୍ତି ଯେତେବେଳେକି ତାଙ୍କ ବାପା ଏହାର ଫାଇଲିଂ ଓ ବ୍ଲେଡ୍‌କୁ ଧାର କରିବା କାର୍ଯ୍ୟ କରିଥାନ୍ତି ।

Dilawar also makes and sharpens tools other than adkittas. 'This side business helps us feed our family', he says
PHOTO • Sanket Jain
Dilawar also makes and sharpens tools other than adkittas. 'This side business helps us feed our family', he says
PHOTO • Sanket Jain

ଅଦ୍‌କିତ୍ତା ବ୍ୟତୀତ ଦିଲୱର ଅନ୍ୟ ଜିନଷ ମଧ୍ୟ ତିଆରି କରନ୍ତି ତଥା ଧାର କରନ୍ତି । “ଏହି ପାର୍ଶ୍ୱ ବ୍ୟବସାୟ ଆମ ପରିବାରର ଭରଣପୋଷଣରେ ସହାୟକ ହୋଇଥାଏ ବୋଲି ସେ କୁହନ୍ତି

ପ୍ରତ୍ୟେକ ପ୍ରସ୍ତୁତ ହୋଇଥିବା ଅଦ୍‌କିତ୍ତା  ଏହାର ଡିଜାଇନ୍‌ ଓ ଆକାର ହିସାବରେ ୫୦୦ ରୁ ୧୫୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ । ଏକ ଦୁଇ ଫୁଟ ଲମ୍ବା ଅଦ୍‌କିତ୍ତାର ମୂଲ୍ୟ ୪୦୦୦ ରୁ ୫୦୦୦ଟଙ୍କା ମଧ୍ୟରେ ହୋଇଥାଏ । ଆଉ ଏହି ଗୁଆକାତି କେତେଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ ? “ତୁମ୍‌ହି ଆହେ ତୋ ପର୍ୟ୍ୟନ୍ତ ଚଲ୍‌ତେ (ତୁମେ ଯେତେଦିନ ଅଛ, ସେତେଦିନ ପର୍ଯ୍ୟନ୍ତ କାମ କରୁଥିବ) ବୋଲି ଦିଲୱର ହସିହସି କୁହନ୍ତି ।

ହେଲେ ବର୍ତ୍ତମାନ ଏହି ମଜବୁତ ସିକଲ୍‌ଗଡ ଅଦ୍‌କିତ୍ତାକୁ ନେବା ପାଇଁ ବେଶି ଲୋକ ଆସୁନାହାନ୍ତି – ଅତୀତରେ ପ୍ରତି ମାସରେ ଅତିକମରେ ୩୦ଗୁଆକାତି ବିକ୍ରି ହେଉଥିବା ବେଳେ, ତାହାର ବିକ୍ରି ହାର ଏବେ ହ୍ରାସ ପାଇ ମାସକୁ ମାତ୍ର ୫- ୭ ଖଣ୍ଡ ବିକ୍ରି ହେଉଛି । “ପୂର୍ବେ ବହୁ ସଂଖ୍ୟକ ଲୋକ ପାନ ଖାଉଥିଲେ। ଏଥିପାଇଁ ସେମାନଙ୍କୁ ସବୁବେଳେ ସୁପାରୀ  କାଟିବାକୁ ପଡୁଥିଲା,” ବୋଲି ଦିଲୱର୍‌ କୁହନ୍ତି । ହେଲେ, ଆଜିକାଲି ଗ୍ରାମର ଯୁବପିଢି ବେଶୀ ପାନ ଖାଉନାହାନ୍ତି, ବୋଲି ସଲିମ କୁହନ୍ତି । “ଏବେ ସେମାନେ ଗୁଟ୍‌ଖା ଓ ପାନ ମସଲା ଖାଇବାକୁ ପସନ୍ଦ କରୁଛନ୍ତି ।

ଯେହେତୁ କେବଳ ଅଦ୍‌କିତ୍ତାସ ନିର୍ମାଣ କରି ଯଥେଷ୍ଟ ଉପାର୍ଜନ କରିବା ସମ୍ଭବ ନୁହେଁ, ଏଣୁ ଆମର ପରିବାର ଦାଆ ଓ ପନିପରିବା କାଟିବା କାତି ମଧ୍ୟ ତିଆରି କରୁଛି – ମାସକୁ ପ୍ରାୟ ୪୦ଟି । ଦିଲୱର୍‌ ଦାଆ ଓ କଇଁଚି ମଧ୍ୟ ଧାର କରନ୍ତି ଓ ଏଥିପାଇଁ ସେ ପ୍ରତ୍ୟେକ ଖଣ୍ଡ ପିଛା ୪୦-୫୦ଟଙ୍କା ନିଅନ୍ତି । “ଏହି ପାର୍ଶ୍ୱ ବ୍ୟବସାୟ ଆମକୁ ଆମ ପରିବାରର ଭରଣପୋଷଣରେ ସହାୟକ ହୋଇଥାଏ, ବୋଲି ସେ କୁହନ୍ତି । ସେ ଆଖୁଚାଷୀମାନଙ୍କୁ ତାଙ୍କ ପରିବାରର ଅଧା ଏକର ଜମିକୁ ଲିଜ୍‌ରେ ଦେଇ ମଧ୍ୟ ଆଉ କିଛି ଅଧିକ ଉପାର୍ଜନ କରନ୍ତି । 

ହେଲେ, ସିକଲଗଡ଼ରେ ତିଆରି ହୋଇଥିବା ଦାଆଗୁଡିକୁ ଶସ୍ତାରେ ଉପଲବ୍ଧ ବିଭିନ୍ନ ପ୍ରକାରର ଦାଆ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ପଡୁଛି ଯାହା ସ୍ଥାନୀୟ କମାରଙ୍କ ଦ୍ୱାରା  ନିମ୍ନମାନର ପଦାର୍ଥରୁ ତିଆରି ହୋଇଥାଏ ତଥା ନିମ୍ନ ଗୁଣବତ୍ତା ଯୁକ୍ତ ଅଟେ, ବୋଲି ସଲିମ କୁହନ୍ତି । ଏହା ପ୍ରାୟ ୬୦ଟଙ୍କା ମୂଲ୍ୟରେ ମିଳିଯାଏ ଯେତେବେଳେକି ସିକଲ୍‌ଗଡ ପରିବାର ସେମାନଙ୍କ ଦାଆକୁ ୧୮୦ - ୨୦୦ଟଙ୍କା ମଧ୍ୟରେ ବିକ୍ରି କରିଥାଏ । “ଏବେ ଲୋକମାନେ ଜିନିଷ ନେଇ କିଛି ସମୟ ବ୍ୟବହାର କରିବା ପରେ ଫୋପାଡି ଦେବାକୁ ପସନ୍ଦ କରୁଛନ୍ତି ଓ ଏହି କାରଣରୁ ସେମାନେ ଶସ୍ତା ମାଲ ଚାହୁଛନ୍ତି,’’ ବୋଲି ସେ ବର୍ଣ୍ଣନା କରନ୍ତି ।

“ଆଉ ସମସ୍ତ କମାର ଅଦ୍‌କିତ୍ତାସ୍‌ ତିଆରି କରିପାରିବେ ନାହିଁ,” ବୋଲି ମଧ୍ୟ ସେ କୁହନ୍ତି । “ଜମ୍‌ଲା ପହିଜେ" – ପ୍ରଥମେ  ତୁମେ ଏହାକୁ ତିଆରି କରିବା କୌଶଳ ଜାଣିବା ଆବଶ୍ୟକ ।

The Shikalgars make tools like sickles (top left), grapevine-cutting scissors (top right) and barchas (a serrated tool to kill fish; bottom right). They use different kinds of kanas (filing tools) to shape the adkitta
PHOTO • Sanket Jain and courtesy: Salim Shikalgar

ସିକଲ୍‌ଗଡମାନେ ଦାଆ (ବାମ ଶୀର୍ଷ), ଅଙ୍ଗୁର ବଗିଚା କାଟିବା କଇଁଚି (ଶୀର୍ଷ ଡାହାଣ) ଓ ବାର୍ଚା ( ମାଛ ମାରିବା ପାଇଁ କରତ ଦାନ୍ତ ଯୁକ୍ତ ଏକ ଉପକରଣ; ତଳ ଡାହାଣ) ତିଆରି କରିଥାନ୍ତି । ସେମାନେ ଅଦ୍‌କିତ୍ତା ତିଆରି କରିବା ପାଇଁ ବିଭିନ୍ନ କିଷମର କନାସ (ଫାଇଲିଂ ଟୁଲ୍‌) ବ୍ୟବହାର କରନ୍ତି

ପ୍ରତିଦିନ ଆହୁରି ଅନେକ ପ୍ରକାରର ଆହ୍ୱାନ ସ୍ୱୀକାର କରିବାକୁ ପଡେ । ସେଥିମଧ୍ୟରୁ ଗୋଟିଏ ହେଉଛି ଆଘାତ ପ୍ରାପ୍ତ ହେବା ବା ରୋଗରେ ପଡିବାର ସମ୍ଭାବନା । ସେମାନଙ୍କ ପାରିବାରିକ ଡାକ୍ତର ସିକଲ୍‌ଗଡର ସଦସ୍ୟମାନଙ୍କୁ କାମ କରିବାବେଳେ ଧାତୁର ମୁଖାବରଣ ବ୍ୟବହାର କରିବାକୁ ଉପଦେଶ ଦେଇଛନ୍ତି, ଯାହାଫଳରେ ସେମାନେ କର୍କଟ ସୃଷ୍ଟିକାରୀ କାରକଗୁଡିକୁ ଶ୍ୱାସକ୍ରିୟା ବେଳେ ଗ୍ରହଣ କରିବେନାହିଁ । ହେଲେ, ସେମାନେ କେବଳ ବହୁ ପରସ୍ତ ଥିବା ଏକ ସୂତି କପଡାର ମାସ୍କ ବ୍ୟବହାର କରନ୍ତି ଓ ବେଳେବେଳେ ଗ୍ଲୋଭ୍‌ସ ପିନ୍ଧିଥାନ୍ତି । ସେମାନେ ଏହା କୁହନ୍ତି ଯେ ଆଜି ପର୍ଯ୍ୟନ୍ତ କେହିମଧ୍ୟ କାର୍ଯ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇନାହାନ୍ତି – ଯଦିଓ ଦିଲୱର୍‌ଙ୍କର ଆଘାତପ୍ରାପ୍ତ ତର୍ଜନୀ ହେଉଛି ଏକ ଆକସ୍ମିକ ଦୁର୍ଘଟଣା ଯାହା ବେଳେବେଳେ ଘଟିଥାଏ ।

ପ୍ରତି ମାସରେ କମାରଶାଳ ପାଇଁ ସେମାନେ ଅତିକମରେ ୧,୦୦୦ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦିଅନ୍ତି , ହେଲେ ପ୍ରତିଦିନ  ପ୍ରାୟ ୪-୫ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ ହୋଇଥାଏ । ହାତୁଡିରେ ପ୍ରହାର କରିବା ମେସିନ୍‌ ଓ ଅନ୍ୟ ଏକ ମେସିନ୍‌ ଯାହା ସେମାନେ ଧାର କରିବା ପାଇଁ ବ୍ୟବହାର କରନ୍ତି,  ତାହା ବନ୍ଦ ହୋଇ ପଡିରହିବା ଫଳରେ ସେମାନେ ଉଭୟ କାର୍ଯ୍ୟ ସମୟ ଓ ଉପାର୍ଜନ ହରାଇବାକୁ ବାଧ୍ୟ ହୁଅନ୍ତି । “ବିଦ୍ୟୁତ୍‌ କେତେବେଳେ ମଧ୍ୟ ଚାଲିଯାଇପାରେ, ଏଥିପାଇଁ କୌଣସି ନିର୍ଦ୍ଧାରିତ ସମୟ ନାହିଁ,’’ ବୋଲି ସଲିମ କୁହନ୍ତି । ବିଜୁଳି ନଥିଲେ କୌଣସି କାମ କରିବା ସମ୍ଭବ ନୁହେଁ ।“  

ସମସ୍ତ ଅସୁବିଧା ସତ୍ତ୍ୱେ, ସେମାନଙ୍କ ଗୁଆକାତିର ଖ୍ୟାତି ଭଳି, ସେମାନେ ଯେଉଁ କାମ କରୁଛନ୍ତି ତାହାର ଉଚ୍ଚ ଗୁଣବତ୍ତା ବଜାୟ ରଖିବା ମଧ୍ୟ ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । “ବଗାନିରେ ପିଢି ପରେ ପିଢି ଅଦ୍‌କିତ୍ତା ତିଆରି କାମ ଜାରି ରହିଛି ବୋଲି ସଲିମ କୁହନ୍ତି,  ଯିଏ ବିଶ୍ୱାସ କରନ୍ତି ଯେ ତାଙ୍କ ପରେ ୪ର୍ଥ ଶ୍ରେଣୀରେ ପଢୁଥିବା ତାଙ୍କର ୧୦ବର୍ଷ ବୟସ୍କ ପୁଅ ପରିବାରର ଏହି ପରମ୍ପରାକୁ ଆଗେଇବ । “ସେଥିପାଇଁ ଅନେକ ଦୂରରୁ ଲୋକମାନେ ଆସୁଛନ୍ତି ଓ ଶସ୍ତା ଅଦ୍‌କିତ୍ତା ତିଆରି କରି ମୁଁ ସେମାନଙ୍କୁ ନିରାଶ କରିବାକୁ ଚାହୁଁନାହିଁ । ଥରେ ବିକ୍ରି ହୋଇଯିବା ପରେ, ଜଣେ ଗ୍ରାହକ ଅଭିଯୋଗ ନେଇ ପୁଣିଥରେ ଆସିବା ଠିକ୍‌ ନୁହେଁ । 

ଦିଲୱର୍‌ ମଧ୍ୟ, ଚାହିଦା କମିବା ସତ୍ତ୍ୱେ ବହୁ ପିଢିରୁ ଚାଲି ଆସୁଥିବା ଏହି କାରିଗରି ବିଦ୍ୟା ପାଇଁ ଗର୍ବ ଅନୁଭବ କରୁଚନ୍ତି । “ଏହି କାରିଗରି ହେଉଛି ଏପରି ଏକ କାମ ଯେଉଁଥିରେ ଲୋକମାନେ ଆପଣଙ୍କୁ ଖୋଜିଖୋଜି ଆସନ୍ତି, ଏପରିକି ଆପଣ କୌଣସି ପର୍ବତ ଉପରେ କାମ କରୁଥିଲେ ମଧ୍ୟ,” ବୋଲି ସେ କୁହନ୍ତି । “ଆଜି ଆମ ପାଖରେ ଯାହାକିଛି ଅଛି, ତାହା ସବୁ ଅଦ୍‌କିତ୍ତା କାରଣରୁ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sanket Jain

Sanket Jain is a journalist based in Kolhapur, Maharashtra, and a 2019 PARI Fellow.

Other stories by Sanket Jain