ଉତ୍ତର-ପଶ୍ଚିମ ମହାରାଷ୍ଟ୍ରର ସତପୁଡା ପାହାଡ ମଧ୍ୟରେ ଫଲାଇ ଗ୍ରାମର ଏକ ଚାଳ ଛପର ଘର ଭିତରେ, ଆଠ ବର୍ଷ ବୟସର ଶର୍ମିଳା ପାୱରା ବଡ଼ କତୁରୀ, କପଡ଼ା, ଛୁଞ୍ଚି ଏବଂ ସୂତା ସହିତ ତାଙ୍କ ‘ଅଧ୍ୟୟନ ଟେବୁଲ’ ନିକଟରେ ବସିଛନ୍ତି।
ଟେବୁଲ ଉପରେ ଏକ ପୁରୁଣା ସିଲେଇ ମେସିନ୍ ଅଛି, ଯେଉଁଥିରେ ତାଙ୍କ ପିତା ପୂର୍ବ ରାତିରେ ଅଧା ତିଆରି କରିଥିବା ପୋଷାକ ରହିଛି। ସେ ଏହାକୁ ଉଠାଇଲେ, ନିଜର ଯଥେଷ୍ଟ ସିଲେଇ ଦକ୍ଷତାରେ ପେଡାଲ ମାରି ଅତି ନିପୁଣତାର ସହ ପ୍ରତ୍ୟେକ ସିଲାଇ ରେଖାରେ ସିଲାଇ କରିବାକୁ ଲାଗିଲେ।
୨୦୨୦ ମସିହା ମାର୍ଚ୍ଚ ମାସରେ ମହାମାରୀ କାରଣରୁ ତାଲାବନ୍ଦ ପରେ ତାଙ୍କ ଆବାସିକ ବିଦ୍ୟାଳୟ ବନ୍ଦ ହେବା ଦିନଠାରୁ ଏହି ଟେବୁଲ ନନ୍ଦୁରବାର ଜିଲ୍ଲାର ତୋରାନମଲ ଅଞ୍ଚଳର ସୁଦୂର ଗାଁରେ ତାଙ୍କର ପାଠ ପଢିବାର ସ୍ଥାନ ପାଲଟି ଯାଇଛି। ସେ କୁହନ୍ତି, "ମୁଁ କେବଳ ମା’ ଏବଂ ବାବାଙ୍କୁ ସିଲେଇ କରୁଥିବାର ଦେଖି ଏକା ଏକା ମେସିନ୍ ଚଳାଇବା ଶିଖିଗଲି।
ସେ ବିଦ୍ୟାଳୟରେ ଯାହା ଶିଖିଥିଲେ, ୧୮ ମାସରୁ ଅଧିକ ବ୍ୟବଧାନ ପରେ ଶର୍ମିଳାଙ୍କର ବୋଧ ହୁଏ ଅଳ୍ପ କିଛି ମନେଅଛି।
ଫଲାଇରେ କୌଣସି ବିଦ୍ୟାଳୟ ନାହିଁ। ନିଜର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ୨୦୧୯ ମସିହା ଜୁନ୍ ମାସରେ ଶର୍ମିଳାଙ୍କ ପିତାମାତା ନିଜ ଗ୍ରାମଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଥିବା ନନ୍ଦୁରବାର ସହରର ଅଟଳ ବିହାରୀ ବାଜପେୟୀ ଆନ୍ତର୍ଜାତୀୟ ଆବାସିକ ବିଦ୍ୟାଳୟରେ ତାଙ୍କ ନାମ ଲେଖାଇଥିଲେ। ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏବଂ ମହାରାଷ୍ଟ୍ର ଆନ୍ତର୍ଜାତୀୟ ଶିକ୍ଷା ବୋର୍ଡ ସହିତ ଅନୁବନ୍ଧିତ ପ୍ରାୟ ୬୦ ଟି ‘ଆଶ୍ରମଶାଳା’ (ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପିଲାମାନଙ୍କ ପାଇଁ ମହାରାଷ୍ଟ୍ରର ସ୍ୱତନ୍ତ୍ର ବିଦ୍ୟାଳୟ) ମଧ୍ୟରୁ ଏହି ବିଦ୍ୟାଳୟଟି ଗୋଟିଏ। ୨୦୧୮ ମସିହାରେ ସ୍ଥାପିତ ହୋଇଥିବା ଏହି ବୋର୍ଡର ଦାବି ଅନୁସାରେ ଏହା ଆଞ୍ଚଳିକ ସ୍ତରରେ ଡିଜାଇନ୍ ହୋଇଥିଲା ଏବଂ ମରାଠୀ ଭାଷା ମାଧ୍ୟମରେ ‘ଆନ୍ତର୍ଜାତୀୟ ସ୍ତର’ର ଶିକ୍ଷା ପ୍ରଦାନ କରାଯାଉଥିଲା। (ଏହା ପରେ ବୋର୍ଡଟିକୁ ଭାଙ୍ଗି ଦିଆଯାଇଛି ଏବଂ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ରାଜ୍ୟ ବୋର୍ଡ ଅଧୀନରେ ରହିଛି।)
















