ମୁଁ ପନାମିକସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦୦ ଲୋକଙ୍କୁ କୋଭିଡ-୧୯ ଟିକା ନେବାକୁ ଅପେକ୍ଷା କରିଥିବା ଦେଖିଲି। ଏହା ଥିଲା ଅଗଷ୍ଟ ୧୧ ତାରିଖର ଦୃଶ୍ୟ। ଏହା କ’ଣ ସାରା ଦେଶର ଏପରି ହଜାର ହଜାର କେନ୍ଦ୍ରରେ ଲକ୍ଷ ଲକ୍ଷ ଅନ୍ୟ ଭାରତୀୟମାନେ ଅପେକ୍ଷା କରିବା ଭଳି ଥିଲା ? ନା ସେପରି ନୁହେଁ। ଲେହର ପନାମିକ ବ୍ଲକରେ ଥିବା ସର୍ବୋଚ୍ଚ ସ୍ଥାନ ସମୁଦ୍ର ପତ୍ତନଠାରୁ ୧୯,୦୯୧ ଫୁଟ ଉଚ୍ଚତାରେ ରହିଛି। ଯଦିଓ ଏହି ନାମରେ ଥିବା ମୁଖ୍ୟ ଗ୍ରାମଟି କିଛି ହଜାର ଫୁଟ ତଳେ ରହିଛି, ତଥାପି ପ୍ରାୟ ୧୧,୦୦୦ ଫୁଟ ଉଚ୍ଚତାରେ ଥିବା ଏହି ପିଏଚସି (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଅନ୍ୟ ଯେକୌଣସି ସ୍ଥାନରେ ଥିବା ସର୍ବୋଚ୍ଚ ଟିକାକରଣ କେନ୍ଦ୍ର ମଧ୍ୟରୁ ଅନ୍ୟତମ।

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଅଧିକାଂଶ ଭାଗ ପର୍ଯ୍ୟନ୍ତ କୋଭିଡ-୧୯ ଟିକା ନେବା ଏବଂ ସେଗୁଡ଼ିକର ଷ୍ଟକ ରଖିବା ବହୁତ ବଡ଼ କଥା। ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ଟିକା ନେବା ପାଇଁ କେନ୍ଦ୍ରକୁ ଆସିବାରେ ଲୋକମାନେ ସମ୍ମୁଖିନ ହେଉଥିବା ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି।

ସମୁଦ୍ର ପତ୍ତନଠାରୁ ଅସାଧାରଣ ଉଚ୍ଚତାରେ ଥିବା ଏହି କେନ୍ଦ୍ରର ଆହୁରି ଏକ ବିଶେଷତ୍ୱ ରହିଛି। ଆପଣ ଏହାକୁ ଅସାଧାରଣ ସାହସ ବୋଲି କହିପାରିବେ। ଲେହରେ ଥିବା ଏହି ପିଏଚସି, ସିଆଚେନ ଗ୍ଲେସିୟରର ଅତି ନିକଟରେ ରହିଛି, ଏହା ଏକ ଅସାଧାରଣ ରେକର୍ଡ ମଧ୍ୟ ହାସଲ କରିଛି। ଗୋଟିଏ ଦିନରେ ଏହି କେନ୍ଦ୍ର ୨୫୦ ଜଣ ସେନା କର୍ମଚାରୀଙ୍କ ଟିକାକରଣ କରିଛି। ତାହା ପୁଣି ନାମମାତ୍ର ଇଣ୍ଟରନେଟ ସଂଯୋଗ ଏବଂ ଅତି ଦୁର୍ବଳ ଯୋଗାଯୋଗ ସୁବିଧା ଥାଇ ସୁଦ୍ଧା। ତଥାପି ପନାମିକ ପିଏଚସି, ଲଦାଖରେ ଥିବା ଅନ୍ୟ କେନ୍ଦ୍ର ଭଳି, ଏହାର ଟିକାକରଣ ଅଭିଯାନକୁ ଯଥେଷ୍ଟ ସଫଳତା ପୂର୍ବକ ସମ୍ପାଦନ କରିପାରିଛି।

ଲେହ ସହର ଠାରୁ ପ୍ରାୟ ୧୪୦ କିମି ଦୂର ଏହି ପିଏଚସିରେ ଇଣ୍ଟରନେଟ ନଥିବା ସତ୍ତ୍ୱେ ସେମାନେ କିପରି ଏହା କରିବାକୁ ସକ୍ଷମ ହେଲେ? ସେରିଙ୍ଗ ଆଞ୍ଚୋକ, ଏଠାକାର ଶୀତଳ ଭଣ୍ଡାର ପରିଚାଳନାକାରୀ ଭାବେ କାମ କରନ୍ତି, ସେ ଅତି ସରଳ ଭାବେ କୁହନ୍ତି-“ଏହା ସହଜ! ଆମେ ଧୈର୍ଯ୍ୟର ସହିତ ଏହା କଲୁ। ଆମେ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ କାମ କରିଥିଲୁ, କିନ୍ତୁ ଶେଷରେ, ଆମେ ଠିକ୍ ପରିଣାମ ପାଇଲୁ।” ଯାହାର ଅର୍ଥ ହେଉଛି, ଦୁର୍ବଳ ଇଣ୍ଟରନେଟ ସଂଯୋଗ ଯୋଗୁ ଅନ୍ୟତ୍ର ଯେଉଁ କାମ ଅଳ୍ପ କିଛି ମିନିଟରେ ସରିଥାନ୍ତା ତାହା ସେମାନଙ୍କୁ ଘଣ୍ଟା ଘଣ୍ଟା ଲାଗିଥିଲା। ବାସ୍ତବରେ ଟିକାକରଣ ପ୍ରକ୍ରିୟା ପାଇଁ ଆହୁରି ଅଧିକ ଘଣ୍ଟା ଲାଗିଥିଲା।

PHOTO • Ritayan Mukherjee

“ମୁଁ ଫଟୋ ଉଠାଇବାକୁ ଚାହୁଁନାହିଁ,” ପନାମିକ ପିଏଚସିରେ ଜଣେ ଫାର୍ମାସିଷ୍ଟ ଥିବା ଷ୍ଟାଞ୍ଜିନ ଡୋଲମାଙ୍କ ଆଠ ବର୍ଷର ପୁଅ ଜିଗମତ ଜୋରଫାଲ କହିଥିଲେ। ଟିକାକରଣ ଅଭିଯାନରେ ଡ୍ୟୁଟିରେ ଥିବା ସମୟରେ ପିଲାଟି ପ୍ରାୟତଃ ମା’ଙ୍କ ସହିତ ଆସିଥାଏ

ଏହି ପିଏଚସିରେ ଫାର୍ମାସିଷ୍ଟ ଥିବା ଷ୍ଟାଞ୍ଜିନ ଡୋଲମା ଏଠାରେ କେବଳ ଘଣ୍ଟା ଘଣ୍ଟା ଧରି କାମ କରିନଥାନ୍ତି, ଏଥିସହିତ ତାଙ୍କ ଚାରି ପାଖରେ ବୁଲୁଥିବା ଆଠ ବର୍ଷର ବାଳକ ଉପରେ ମଧ୍ୟ ନଜର ରଖିଥାନ୍ତି। “ମୋ ସାନ ପୁଅ ମୋ ଠାରୁ ଅଲଗା ହୋଇ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ ନାହିଁ”, ସେ କୁହନ୍ତି।  “ତେଣୁ ମୋର ଅଧିକ ସମୟ (ବିଶେଷ କରି ଟିକାକରଣ ଦିନଗୁଡ଼ିକରେ), ମୁଁ ତା’କୁ ମୋ ସହିତ ନେଇ ଆସେ। ଦିନ ସାରା ସେ ପିଏଚସିରେ ରୁହେ। ଏପରିକି ରାତି ସିଫ୍ଟରେ ମଧ୍ୟ ସେ ମୋ ସହିତ ରହିଥାଏ।”

ପୁଅକୁ ପାଖରେ ରଖିବାରେ ସଂକ୍ରମଣର ବିପଦ ସମ୍ପର୍କରେ ସେ ଅବଗତ ଅଛନ୍ତି, ତଥାପି ସେ ଏପରି ଭାବେ ତା’ର ଅଧିକ ଯତ୍ନ ନେଇପାରିବେ ବୋଲି ଭାବନ୍ତି। “ରୋଗୀ ଓ ମୋ ପୁଅ-ଉଭୟ ମୋ ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ”, ସେ କୁହନ୍ତି।

ମୂଳତଃ ମଣିପୁର ବାସିନ୍ଦା, ପିଏଚସିର ରେସିଡେଣ୍ଟ ଡାକ୍ତର ଚାବୁଙ୍ଗବାମ ମିରାବା ମେଇତେଇ ସ୍ମରଣ କରି କୁହନ୍ତି, “ଆରମ୍ଭରୁ ସାମାନ୍ୟ ଅବ୍ୟବସ୍ଥା ରହିଥିଲା। ସୀମିତ ସୁବିଧା ଏବଂ ଦୁର୍ବଳ ସୂଚନା ସହିତ ଆମେ ବ୍ୟବସ୍ଥାକୁ ସଜାଡ଼ିବା ଲାଗି ବେଶ ସଂଘର୍ଷ କରିଥିଲୁ। ଶେଷରେ ପରିସ୍ଥିତି ଆମ ନିୟନ୍ତ୍ରଣରେ ଥିଲା। ଅନୁରୂପ ଭାବେ ଟିକା କାହିଁକି ଜରୁରି ସେ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବାରେ ଆମେ ସକ୍ଷମ ହୋଇଥିଲୁ।”

ଦେଶର ଅଧିକାଂଶ ଭାଗ ଭଳି କୋଭିଡର ‘ଦ୍ୱିତୀୟ ଲହରୀ’ରେ ଲଦାଖ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲା। ଲଗାତାର ଯାତାୟାତ, ଋତୁକାଳୀନ ଶ୍ରମିକମାନଙ୍କର ଆଗମନ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ବାହାରେ ପଢ଼ୁଥିବା କିମ୍ବା କାମ କରୁଥିବା ଲଦାଖ ଲୋକମାନେ ଲେହ ସହରକୁ ଫେରିବା କାରଣରୁ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଥିଲା।

ଲେହର, ଜିଲ୍ଲା ଟିକାକରଣ ଅଧିକାରୀ ତାଶୀ ନାମଗ୍ୟାଲ ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟ ସମ୍ପର୍କରେ କୁହନ୍ତି, “ତାହା ଅତି ଖରାପ ସମୟ ଥିଲା’’। ‘‘ସେ ସମୟରେ ଆମେ ଲେହ ସହରରେ ଅଧିକ ସଂଖ୍ୟାରେ ଲକ୍ଷଣ ଯୁକ୍ତ ସନ୍ଦିଗ୍ଧ ସଂକ୍ରମିତଙ୍କ ପରୀକ୍ଷା କରିବା ପାଇଁ ଆମ ପାଖରେ ଆବଶ୍ୟକ ଭିତ୍ତିଭୂମି ନଥିଲା । ସେଥିପାଇଁ ନମୁନା ଯାଞ୍ଚ ନିମନ୍ତେ ଆମେ ଚଣ୍ଡିଗଡ଼ ପଠାଉଥିଲୁ। ଯାଞ୍ଚର ଫଳାଫଳ ଆସିବା ଲାଗି ଅନେକ ଦିନ ଲାଗୁଥିଲା। କିନ୍ତୁ, ଏବେ ଆମେ ଏଠାରେ ଲେହର ସୋନମ ନୁର୍ବୁ ମେମୋରିଆଲ ହସ୍ପିଟାଲରେ ପ୍ରତି ଦିନ ପାଖାପାଖି ୧,୦୦୦ ଲୋକଙ୍କ ଯାଞ୍ଚ କରିପାରୁଛୁ। ଚଳିତ ବର୍ଷ ପ୍ରାରମ୍ଭରୁ ଆମେ ଶୀତ ଋତୁ ପୂର୍ବରୁ, ଟିକାକରଣ ପ୍ରକ୍ରିୟାକୁ ସମ୍ପାଦନ କରିବାର ଯୋଜନା କରିଛୁ ଅର୍ଥାତ୍-ଅକ୍ଟୋବର ଶେଷ ସୁଦ୍ଧା ଆମେ ଏହାକୁ ସାରିବୁ।”

ଏଠାକାର ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥିର ଇଣ୍ଟରନେଟ ସୁବିଧା ନାହିଁ ଏବଂ ଲୋକମାନେ ସଞ୍ଚାର ପ୍ରଯୁକ୍ତିର ସୀମିତ ସୁବିଧା ପାଇଥାନ୍ତି। ଏହି କାରଣରୁ ସେମାନେ କାର୍ଯ୍ୟ ସମ୍ପାଦନ ପାଇଁ ଅଭିନବ ମାର୍ଗ ସନ୍ଧାନ କରିଥାନ୍ତି। ସମୁଦ୍ର ପତନ ଠାରୁ ୯,୭୯୯ ଫୁଟ ଉଚ୍ଚତାରେ ଥିବା ଲେହ ଜିଲ୍ଲାର ଖାଲସେ ଗ୍ରାମର ଜଣେ ସ୍ୱାସ୍ଥ୍ୟ କର୍ମୀ କୁଞ୍ଜଙ୍ଗ କୋରୋଲ କୁହନ୍ତି, “ବୟସ୍କ ଲୋକମାନେ ସ୍ମାର୍ଟଫୋନ ବ୍ୟବହାର କରନ୍ତି ନାହିଁ। ଆହୁରି ଏଠାରେ ଇଣ୍ଟରନେଟ ସମସ୍ୟା ମଧ୍ୟ ରହିଛି” । ତା’ହେଲେ ସେମାନେ କିଭଳି ଭାବେ ଏହାର ପରିଚାଳନା କଲେ?

PHOTO • Ritayan Mukherjee

ଖାଲସି ତହସିଲର ପିଏଚସିରେ ଫିଜିଓଥେରାପିଷ୍ଟ ଭାବେ କାମ କରୁଥିବା କୁଞ୍ଜଙ୍ଗ କୋରୋଲ, ଖାଲସେ ଗ୍ରାମରେ କୋ ୱିନ ଆପରେ ରୋଗୀଙ୍କ ବିବରଣୀ ପଞ୍ଜୀକରଣ କରୁଛନ୍ତି

କୁଞ୍ଜଙ୍ଗ ଆଖପାଖ ଅଞ୍ଚଳରେ ‘କୁନେ’ ନାମରେ ପରିଚିତ। ସେ କହିଥିଲେ : “ପ୍ରଥମ ଡୋଜ ପରେ, ଆମେ ଏକ କାଗଜରେ ଦ୍ୱିତୀୟ ଡୋଜ୍ ଟିକାର ଅଭିନବ ନମ୍ବର ଏବଂ ତାରିଖ ଲେଖି ନେଇଥାଉ। ଏହାପରେ ଆମେ ଏକ ସେହି କାଗଜକୁ ଲୋକମାନଙ୍କ ଜରୁରି ଦସ୍ତାବିଜ ପଛରେ ଲଗାଇ ଦେଇଥାଉ। ଉଦାହରଣ ସ୍ୱରୂପ ସେମାନଙ୍କ ଆଧାର କାର୍ଡ ଇତ୍ୟାଦିରେ। ଏହିପରି ଭାବେ ଆମେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିଥାଉ। ବର୍ତ୍ତମାନସୁଦ୍ଧା, ଏହା ଗ୍ରାମବାସୀଙ୍କ ପାଇଁ ଭଲ ଭାବେ କାମ କରିଛି।’

“ଦୁଇଟି ଡୋଜ ନେବା ପରେ, ଆମେ ଟିକା ସାର୍ଟିଫିକେଟ ପ୍ରିଣ୍ଟ କରି ସେମାନଙ୍କୁ ଧରାଇ ଦେଇଥାଉ,” ସେ କହିଥିଲେ।

ଏକ ସମୟରେ ଅନ୍ୟତ୍ର ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଡାକ୍ତରଖାନାଗୁଡ଼ିକ ମହାମାରୀ ମୁକାବିଲାରେ ସେମାନଙ୍କ ସମସ୍ତ ସମ୍ବଳ ବିନିଯୋଗ କରୁଥିଲେ, ହେଲେ ମୁଁ ଏହା ଦେଖି ଚକିତ ହେଲି ଯେ ଠିକ୍ ସେହି ସମୟରେ ଫିଆଙ୍ଗ ଗ୍ରାମରେ ଥିବା ପିଏଚସିରେ ପିଲାମାନଙ୍କର ନିୟମିତ ଟିକାକରଣ ସେବା ସହିତ କୋଭିଡ ଟିକାକରଣ ଜାରି ରହିଛି। ଫିଆଙ୍ଗ ସମୁଦ୍ର ପତନ ଠାରୁ ୧୨,୦୦୦ ଫୁଟ ଉଚ୍ଚତାରେ ରହିଛି।

ଏବେ, ସେମାନଙ୍କ ଜନସଂଖ୍ୟାର ଶତପ୍ରତିଶତ ଯୋଗ୍ୟ ଲୋକମାନଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇସାରିଥିବା ଲଦାଖ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ପକ୍ଷରୁ ଦାବି କରାଯାଇଛି -ହୁଏତ’ ଏହି ଦାବିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇପାରନ୍ତି । ତେବେ, ବର୍ତ୍ତମାନ ମଧ୍ୟ ଏଠାକାର ଦୁର୍ଗମ ପାହାଡ଼ରେ ଯାତାୟାତ କରି ତୃଣମୂଳସ୍ତରରେ କାର୍ଯ୍ୟରତ ସମ୍ମୁଖ ସ୍ୱାସ୍ଥ୍ୟକର୍ମୀମାନେ ଭୋଗୁଥିବା ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ କେହି ଆଲୋଚନା କରୁନାହାନ୍ତି। ସମୁଦ୍ର ପତନ ଠାରୁ ୮,୦୦୦ ରୁ ୨୦,୦୦୦ ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ବସବାସ କରୁଥିବା ଲଦାଖର ୨୭୦,୦୦୦ ବାସିନ୍ଦାଙ୍କୁ ଟିକା ଯୋଗାଇବା ଲାଗି ସେମାନଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଛି।

ଲେହର ଟିକା ଓ କୋଲ୍ଡ ଚେନ ମ୍ୟାନେଜର ଜିଗ୍ମତ ନାମଗ୍ୟାଲ କୁହନ୍ତି, “ଆମକୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି। ପ୍ରାରମ୍ଭିକ ଦିନଗୁଡ଼ିକରେ ଆମକୁ କୋୱିନ ଆପ୍‌ରେ କାମ କରିବା ଶିଖିବାକୁ ପଡ଼ିଲା। ପନାମିକ ସ୍ଥିତ ପିଏଚସି ଭଳି, ଉପାନ୍ତ ଅଞ୍ଚଳରେ ଥିବା ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥିର ଇଣ୍ଟରନେଟ ସଂଯୋଗ ମଧ୍ୟ ନାହିଁ।” ନାମଗ୍ୟାଲ ଏହି ଶୀତଳ ମରୁଭୂମିରେ ପାଖାପାଖି ୩୦୦ କିମିରୁ ଅଧିକ ମାର୍ଗ ଅତିକ୍ରମ କରିଥାନ୍ତି, ଯାହାଫଳରେ ଟିକାକୁ ଉଚିତ୍ ତାପମାତ୍ରାରେ ସଂରକ୍ଷିତ ରଖାଯାଇପାରିବ ଏବଂ ପ୍ରତ୍ୟେକ ସଂରକ୍ଷଣ କେନ୍ଦ୍ରରେ ଯଥେଷ୍ଟ ମାତ୍ରାରେ ଉପଲବ୍ଧ କରାଯାଇପାରିବ।

PHOTO • Ritayan Mukherjee

ସମୁଦ୍ର ପତନ ଠାରୁ ପାଖାପାଖି ୧୨,୦୦୦ ଫୁଟ ଉଚ୍ଚତାରେ ଥିବା ଫିୟାଙ୍ଗ ପିଏଚସିରେ ଡାକ୍ତର, କୋଭିଡ ଟିକାକରଣ ଅଭିଯାନ ସହିତ ପିଲାମାନଙ୍କୁ ମଧ୍ୟ ପ୍ରତିଷେଧକ ଟିକା ଦେଉଛନ୍ତି

ଖାଲସି ତହସିଲ ପିଏଚସିରେ କାମ କରୁଥିବା ଡେଚେନ ଅଙ୍ଗମୋ କହିଥିଲେ, ‘‘କେବଳ କୋୱିନ ଆପ୍‌ର ଉପଯୋଗ ନୁହେଁ, ବରଂ ଟିକା ନଷ୍ଟ ହେବା ମଧ୍ୟ ଏକ ବଡ଼ ସମସ୍ୟା।’’ ‘‘ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।”

ଆଙ୍ଗମୋ ଯେଉଁ ସମସ୍ୟା ବିଷୟରେ ଇସାରା କରିଥିଲେ ତାହା ଅତ୍ୟନ୍ତ ଗମ୍ଭୀର। ଏ ସମ୍ପର୍କରେ ସେ କୁହନ୍ତି, “ଗୋଟିଏ ଶିଶିରୁ ଆମେ ୧୦ ଡୋଜ ଦେଇପାରିବୁ। କିନ୍ତୁ ଥରେ ଶିଶି ଖୋଲିଲେ, ଚାରି ଘଣ୍ଟା ମଧ୍ୟରେ ଏହାକୁ ଉପଯୋଗ କରିବା ଜରୁରି। ଖାଲସିରେ ଥିବା ଆମ ଗାଁ ଭଳି ଉପାନ୍ତ ଗ୍ରାମଗୁଡ଼ିକରେ, ଚାରି ଘଣ୍ଟାର ଅବଧି ମଧ୍ୟରେ ଅତି କଷ୍ଟରେ ଚାରିରୁ ପାଞ୍ଚ ଜଣ ଲୋକ ଟିକା ନେବା ପାଇଁ ଆସିଥାନ୍ତି, କାରଣ ସେମାନଙ୍କୁ ଏଠାକୁ ଆସିବା ଲାଗି ବହୁ ଦୂର ବାଟ ଅତିକ୍ରମ କରିବାକୁ ପଡ଼ିଥାଏ। ସେଥିପାଇଁ ନଷ୍ଟ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ, ମୋର ସାଥୀମାନେ ଗୋଟିଏ ଦିନ ପୂର୍ବରୁ ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ରରେ ପହଞ୍ଚିବା ଲାଗି କହି ଆସିଥିଲେ।  ଏହା ଅତି କଠିନ କାର୍ଯ୍ୟ ହୋଇଥିଲେ ସୁଦ୍ଧା, ଏହା କାମ ଦେଇଥିଲା। ଯାହାଫଳରେ, ଆମ କେନ୍ଦ୍ରରେ ଟିକା ନଷ୍ଟ ହେଉନାହିଁ।”

ପରେ ମୁଁ ଜାଣିବାକୁ ପାଇଥିଲି ଯେ ଖାଲସିର ସ୍ୱାସ୍ଥ୍ୟ କର୍ମୀମାନେ ଲୋକମାନଙ୍କୁ ଟିକା ଦେବା ଲାଗି ସାଥୀରେ ଟିକା ନେଇ ଲିଙ୍ଗସେଟ ନାମକ ବେଶ ଦୂରବର୍ତ୍ତୀ ଗ୍ରାମ ପର୍ଯ୍ୟନ୍ତ ବିମାନ ଯୋଗେ ଯାଇଥିଲେ। ସେହି ଗ୍ରାମ ମଧ୍ୟ ଏହି ତହସିଲ ଅଧୀନରେ ଆସିଥାଏ। ସ୍ତ୍ରୀ ଏବଂ ପ୍ରସୂତୀ ରୋଗ ବିଶେଷଜ୍ଞ ଡା. ପଦ୍ମା ସେଦିନ ପାଇଁ ଟିକାକରଣ ଇନଚାର୍ଜ ଥିଲେ; ସେ କୁହନ୍ତି, “ଆରମ୍ଭରୁ ଲୋକମାନଙ୍କ ମଧ୍ୟରେ ଟିକାକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ରହିଥିଲା, କିନ୍ତୁ ଆମେ ବୁଝାଇବା ପରେ ସେମାନେ ଏହାର ଗୁରୁତ୍ୱ ବୁଝିପାରିଥିଲେ। ଏବେ ଆମେ ଗୋଟିଏ ଦିନରେ ୫୦୦ ଲୋକଙ୍କୁ ଟିକା ଦେବାର ରେକର୍ଡ କରିପାରିଛୁ। ଆହୁରି ଆମେ ଦଳଗତ ଭାବେ କାମ କରି ଏହି ଉପଲବ୍ଧି ହାସଲ କରିଛୁ।”

ଜିଗ୍ମତନାମଗ୍ୟାଲ କୁହନ୍ତି, “ମୋତେ ତ’ ଆଶ୍ଚର୍ଯ୍ୟ ଲାଗୁଛି, କିଭଳି ଭାବେ ନର୍ସ, ଫାର୍ମାସିଷ୍ଟ ଓ ଡାକ୍ତରମାନେ ଏତେସବୁ ସମସ୍ୟାର ସମ୍ମୁଖିନ ହେବା ସତ୍ତ୍ୱେ ଟିକାକରଣ ଲକ୍ଷ୍ୟ ହାସଲ କରିବାରେ ସଫଳ ହେଲେ। ଗୋଟିଏ ସମୟରେ ଆମେ କେବଳ ଲଦାଖର ଲୋକମାନଙ୍କୁ ଟିକା ଦେଲୁ ନାହିଁ, ବରଂ ସେମାନଙ୍କ ସହିତ ଆମେ ଋତୁକାଳୀନ ପ୍ରବାସୀ ଶ୍ରମିକ, ନେପାଳରୁ ଆସିଥିବା ଶ୍ରମିକ ଏବଂ ଏପରିକି ଅନ୍ୟ ରାଜ୍ୟରୁ ଆସୁଥିବା ସେହି ପର୍ଯ୍ୟଟକମାନଙ୍କୁ ମଧ୍ୟ ଟିକା ଦେଇଥିଲୁ, ଯେଉଁମାନେ ଟିକା ନେଇନଥିଲେ।”

ଏହା ଆଦୌ ମିଛ ଦାବି ନଥିଲା। ଝାଡ଼ଖଣ୍ଡରୁ ଆସିଥିବା କିଛି ଋତୁକାଳୀନ ପ୍ରବାସୀ ଶ୍ରମିକମାନଙ୍କୁ ମୁଁ ଭେଟିଥିଲି। ସେମାନେ ପନାମିକ ପିଏଚସି ନିକଟରେ ଏକ ରାସ୍ତା କାମ କରୁଥିଲେ। ସେମାନେ ମୋତେ କହିଲେ, “ଲଦାଖରେ ଥିବାରୁ ଆମେ କୃତଜ୍ଞ। ଆମେ ସମସ୍ତେ ପ୍ରଥମ ଡୋଜ ଟିକା ନେଇସାରିଛୁ। ଏବେ ଆମେ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଛୁ। ସେଥିପାଇଁ, ଯେତେବେଳେ ଆମେ ଆମ ଘରକୁ ଫେରିଯିବୁ, ଆମ ଶରୀରରେ କୋଭିଡ ନିରୋଧୀ ପ୍ରତିଷେଧକ କ୍ଷମତା ବିକଶିତ ହୋଇସାରିଥିବ। ଏହିପରି ଭାବେ ଆମେ ଆମ ପରିବାରକୁ ସୁରକ୍ଷିତ ରଖିପାରିବୁ।”

PHOTO • Ritayan Mukherjee

ପନାମିକ ସ୍ଥିତ ଛାତ ଉପରେ ପିଏଚସିର ଜଣେ ସ୍ୱାସ୍ଥ୍ୟ କର୍ମୀ ଇଣ୍ଟରନେଟ୍‌ ସଂଯୋଗ ଚେକ୍‌ କରୁଛନ୍ତି; ଏଠାରେ ଇଣ୍ଟରନେଟ ଆସିବା ସବୁଠାରୁ ବଡ଼ ସମସ୍ୟା


PHOTO • Ritayan Mukherjee

ଲେହ ସହର ଠାରୁ ପାଖାପାଖି ୧୪୦ କିଲୋମିଟର ଦୂରରେ ଥିବା ପନାମିକ ପିଏଚସିରେ ଲାଇନରେ ଛିଡ଼ା ହୋଇଥିବା ୧୦୦ ପାଖାପାଖି ଲୋକ। ଏହି କେନ୍ଦ୍ର ସିୟାଚିନ ଗ୍ଲେସିୟରଠାରୁ ଖୁବ ନିକଟରେ ରହିଛି। ପନାମିକ ବ୍ଲକର ସବୁଠୁ ଉଚ୍ଚତମ ସ୍ଥାନ ସମୁଦ୍ର ପତନ ଠାରୁ ୧୯,୦୯୧ ଫୁଟ ଉଚ୍ଚରେ ରହିଛି


PHOTO • Ritayan Mukherjee

ଫାର୍ମାସିଷ୍ଟ ଷ୍ଟାନଜିନ ଡୋଲମା ପନାମିକ ପିଏଚସିରେ ଟିକା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି


PHOTO • Ritayan Mukherjee

ସେରିଙ୍ଗ ଆଙ୍ଗଚୋକ, ପନାମିକସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ଭଣ୍ଡାର ଯାଞ୍ଚ କରୁଛନ୍ତି। ଯଦିଓ କୋୱିନ ଆପ୍‌ ସହାୟତାରେ ଡିଜିଟାଲ ମାଧ୍ୟମରେ ଷ୍ଟକ ସମ୍ପର୍କରେ ଯାଞ୍ଚ କରାଯାଇପାରିବ, ତଥାପି ବେଳେ ବେଳେ ଏଗୁଡ଼ିକର ସଂଖ୍ୟା ସଠିକ ସଂଖ୍ୟା ଠାରୁ ଭିନ୍ନ ହୋଇପାରେ। ସେଥିପାଇଁ ସ୍ୱାସ୍ଥ୍ୟ କର୍ମୀମାନେ ଆଉଥରେ ଏହାକୁ ଚେକ୍ କରି ନେଇଥାନ୍ତି


PHOTO • Ritayan Mukherjee

ପନାମିକ ପିଏଚସିରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀ ସେ ୱାଙ୍ଗ ଡୋଲମା ସାମାନ୍ୟ ଡରି ଯାଇଥିବା ଜଣେ ବ୍ୟକ୍ତିଙ୍କୁ ସଟ୍ ନେବା ପୂର୍ବରୁ ବୁଝାଇ ଶାନ୍ତ କରିବା ଲାଗି ଚେଷ୍ଟା କରୁଛନ୍ତି


PHOTO • Ritayan Mukherjee

ଅଧିକ ଦିନ ଜ୍ୱର ରହିବା ପରେ ପନାମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଜଣେ ବୌଦ୍ଧ ଭିକ୍ଷୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଡାକ୍ତର ଚାବୁଙ୍ଗବାମ ମିରାବା


PHOTO • Ritayan Mukherjee

ଶ୍ୱାସରୋଗ ସମସ୍ୟାରେ ପଡ଼ିଥିବା ଜଣେ ଶିଶୁ ତେନଜିନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେବୁଲାଇଜର ଲଗାଉଛନ୍ତି ଜଣେ ବରିଷ୍ଠ ନର୍ସ


PHOTO • Ritayan Mukherjee

ଡାକ୍ତର ଚାବୁଙ୍ଗବାମ ମିରାବା ଚାଷ କାମ କରିବା ବେଳେ ଆହତ ହୋଇଥିବା ଜଣେ ଗ୍ରାମବାସୀଙ୍କ ଆଘାତ ଆଙ୍ଗୁଠିର ଷ୍ଟିଚିଂ କରୁଛନ୍ତି। ମହାମାରୀ କାଳରେ ପନାମିକ ପିଏଚସିରେ କାମ କରୁଥିବା ଡାକ୍ତରମାନଙ୍କୁ ବିଭିନ୍ନ ପ୍ରକାରର ଦାୟିତ୍ୱ ତୁଲାଇବାକୁ ପଡ଼ିଥିଲା


PHOTO • Ritayan Mukherjee

ତୁରତୁକ ଗ୍ରାମରେ ରହୁଥିବା ଏବଂ ପନାମିକ ପିଏଚସିରେ କାମ କରୁଥିବା ଫାର୍ମାସିଷ୍ଟ ଅଲୀ ମୁଶା କୁହନ୍ତି, ‘ପ୍ରଥମେ ପ୍ରଥମେ ଏଠାରେ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, କିନ୍ତୁ ଏବେ ଆମେ ଅଧିକାଂଶ ଲୋକଙ୍କୁ ଟିକା ଦେଇସାରିଲୁଣି’


PHOTO • Ritayan Mukherjee

ଟିକାକରଣ ଆରମ୍ଭ ହେବା ପୂର୍ବରୁ ଖାଲସି ଗ୍ରାମର ପିଏଚସିରେ ନିୟୋଜିତ ଡେଚେନ ଆଙ୍ଗମୋ ନିଜର ସହକର୍ମୀ ସେରିଙ୍ଗ ଲେଣ୍ଡୋଲଙ୍କୁ ପିପିଇ କିଟ୍‌ ପିନ୍ଧାଇବାରେ ସହାୟତା କରୁଛନ୍ତି


PHOTO • Ritayan Mukherjee

ଖାଲସି ପିଏଚସିରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡା. ପଦ୍ମା ଟିକାକରଣ ଅଭିଯାନ ପୂର୍ବରୁ ନିଜ ଫୋନରେ କିଛି ତଥ୍ୟ ଯାଞ୍ଚ କରୁଛନ୍ତି


PHOTO • Ritayan Mukherjee

ଖାଲସି ଗ୍ରାମର ପିଏଚସିରେ ଡେଚେନ ଆଙ୍ଗମୋ ପରବର୍ତ୍ତୀ ରୋଗୀ ଆସିବାକୁ ଅପେକ୍ଷା କରିଛନ୍ତି। ଲଦାଖରେ ଟିକା ନଷ୍ଟ ହେବାରୁ ବଞ୍ଚାଇବା ଏକ ବଡ଼ ସମସ୍ୟା, ସେଥିପାଇଁ ସ୍ୱାସ୍ଥ୍ୟ କର୍ମୀ ଏହା ସୁନିଶ୍ଚିତ କରିବା ଲାଗି ସମ୍ପୂର୍ଣ୍ଣ ଚେଷ୍ଟା କରିଥାନ୍ତି ଯେ ଗୋଟିଏ ଶିଶିରୁ ଯେପରି ସେମାନେ ୧୦-୧୧ ଡୋଜ ଲଗାଇପାରିବେ


PHOTO • Ritayan Mukherjee

ଖାଲସି ଗ୍ରାମର ଟିକାକରଣ କେନ୍ଦ୍ର ଭାବେ ଉପଯୋଗ ହେଉଥିବା ବିଦ୍ୟାଳୟର ଏକ କୋଠାରୀରେ ନିଜ ଟିକା ନେବାର ପାଳିକୁ ଅପେକ୍ଷା କରିଥିବା କିଛି ଲୋକ


PHOTO • Ritayan Mukherjee

ଖାଲସି ତହସିଲର ଏକ ଉପାନ୍ତ ଗ୍ରାମର ଜଣେ ବୟସ୍କ ମହିଳା ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ଆସିଛନ୍ତି, ତାଙ୍କୁ ଜଣେ ସ୍ୱାସ୍ଥ୍ୟ କର୍ମୀ ସହାୟତା କରୁଛନ୍ତି


PHOTO • Ritayan Mukherjee

ଖାଲସି ଗ୍ରାମର ପିଏଚସିରେ ଲାମାୟୁରୁ ଇଲାକାରୁ ଆସିଥିବା ଜଣେ ବ୍ୟକ୍ତି ଟିକାର ଦ୍ୱିତୀୟ ଡୋଜ୍ ନେଉଛନ୍ତି


PHOTO • Ritayan Mukherjee

ଖାଲସି ଗ୍ରାମରୁ ଆସିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ସତର୍କତା ପୂର୍ବକ ଟିକା ଦେଉଛନ୍ତି ଡେଚେନ ଆଙ୍ଗମୋ


PHOTO • Ritayan Mukherjee

ଦୁଇଟି ଡୋଜ ଟିକା ନେଇସାରିବା ପରେ ଟିକାକରଣ ସାର୍ଟିଫିକେଟ ସହିତ ଜଣେ ବ୍ୟକ୍ତି


PHOTO • Ritayan Mukherjee

ଖାଲସି ଗ୍ରାମର ପିଏଚସିରେ ଉପସ୍ଥିତ ସେରିଙ୍ଗ ଆଙ୍ଗଚୁକ କୁହନ୍ତି, ‘ଏହି ପୋଷାକ ସବୁବେଳେ ପିନ୍ଧି ରହିଲେ ସାମାନ୍ୟ ଅସୁବିଧା ହୋଇଥାଏ। ସାରା ଦିନ ପିପିଇ କିଟ୍‌ ପିନ୍ଧି ରହିବା ଅତି କଷ୍ଟକର। କିନ୍ତୁ ସୌଭାଗ୍ୟର ବିଷୟରେ ଏଠାକାର ପାଣିପାଗ ଅପେକ୍ଷାକୃତ ଥଣ୍ଡା ରହିଥାଏ, ସମତଳ ଅଞ୍ଚଳରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏଥିରେ ବହୁତ ସମସ୍ୟା ହେଉଥିବ


PHOTO • Ritayan Mukherjee

ସାରା ଦିନ ଲୋକମାନଙ୍କୁ ଟିକା ଦିଆଯିବା ପରେ ଖାଲସି ପିଏଚସିରେ ଥିବା ଅସ୍ଥାୟୀ ଟିକାକରଣ କୋଠରୀ ଖାଲି ପଡ଼ିଛି


ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

Ritayan Mukherjee is a Kolkata-based photographer and a 2016 PARI Fellow. He is working on a long-term project that documents the lives of pastoral nomadic communities of the Tibetan Plateau.

Other stories by Ritayan Mukherjee
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE