ପୋନ୍ ହରିଚନ୍ଦ୍ରନ୍ ଆଶ୍ଚର୍ଯ୍ୟ ହୋଇଗଲେ । “ତୁମେ ମୋ କାହାଣୀ ଶୁଣିବାକୁ ଏଠାକୁ ଆସିଛ? କାହାଣୀ ଶୁଣିବାକୁ ମୋ ପାଖକୁ କେହି ଆସିବାର ମୁଁ ମନେ ପକାଇ ପାରୁନାହିଁ । ଏବଂ ସତକଥା ହେଲା ମୋ’ପାଖରେ କହିବାକୁ ଅଧିକ କିଛି ନାହିଁ ।’’ ୬୦ ବର୍ଷୀୟ ଏହି ବ୍ୟକ୍ତିଜଣକ ଅନ୍ୟମାନଙ୍କର କାହାଣୀ କହି ଗୋଟିଏ ଜୀବନକାଳ ବିତାଇ ସାରିଛନ୍ତି । ନିଜ ଗାଁ କିଲାକୁୟିଲକୁଡି ଓ ସେଠାରୁ ମାତ୍ର ୧୫ କିମି ଦୂରରେ ଥିବା ୨୦୦୦ ବର୍ଷର ପୁରୁଣା ସହର ମଦୁରାଇ ସଂପର୍କରେ ସେ କାହାଣୀ କହିଥାନ୍ତି ।

ତାଙ୍କର ଶ୍ରୋତାଙ୍କ ମଧ୍ୟରେ ନିରକ୍ଷରଠାରୁ ପଣ୍ଡିତ, ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ପରିଦର୍ଶନରେ ଆସିଥିବା ଉଚ୍ଚଶିକ୍ଷିତ ଲୋକ ରହିଥାନ୍ତି । ସେମାନେ ସେହି କାହାଣୀକୁ ପୁରସ୍କାର ବିଜୟୀ ଉପନ୍ୟାସରେ ବ୍ୟବହାର କରିଛନ୍ତି, କିଛି ତାକୁ ନେଇ ଫିଲ୍ମ ବନାଇଛନ୍ତି । ବାକି ଅନ୍ୟମାନେ ନୃତତ୍ତ୍ୱସଂପର୍କୀୟ ଗବେଷଣା ପାଇଁ ତାକୁ ବ୍ୟବହାର କରିଛନ୍ତି । ସେ ଆଗ୍ରହ ସହକାରେ ପଚାରିଲେ, ‘‘ଆଜିକାଲି ମୋ ପାଖକୁ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଅଧିକ ପରିଦର୍ଶକ ଆସୁଛନ୍ତି । ପ୍ରଫେସରମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ନେଇ ମୋ ପାଖରୁ କାହାଣୀ ଶୁଣିବାକୁ ଆସୁଛନ୍ତି । ସେହି କାହାଣୀ ମଧ୍ୟରୁ ଆପଣଙ୍କୁ ବି ଗୋଟିଏ କାହାଣୀ କହିବି କି?’’

ଆମେମାନେ କିଲାକୁୟିଲକୁଡ଼ିରେ ବସିଥିଲୁ । ତାହା ପଦ୍ମଫୁଲରେ ପରିପୂର୍ଣ୍ଣ ଏକ ପୋଖରୀ ଏବଂ ଏହି ଅଞ୍ଚଳର ସୁଦୂରପ୍ରସାରୀ ଜୈନ ଗୁମ୍ଫା ମଧ୍ୟରେ ଥିଲା । ଗାଁଟି ମଦୁରାଇ ଜିଲ୍ଲାର ଥିରୁପରାକୁଣ୍ଡ୍ରମ୍ ବ୍ଲକ୍‌ରେ ଅବସ୍ଥିତ । କାରୁପାସାମୀ ମନ୍ଦିରରେ ବସିଥିବା ଗାଁର ବୟସ୍କ ଲୋକଙ୍କୁ ଆମେ ତାଙ୍କୁ କେଉଁଠି ପାଇବୁ ବୋଲି ପଚାରିଲୁ । ସେମାନେ କହିଲେ, ‘‘ଗୋଟିଏ ଚା’ ଦୋକାନରେ ବା ଘରେ ସେ ମିଳିଯିବେ । କିନ୍ତୁ ଯେତେବେଳେ ତୁମେମାନେ ଏଇଠି ଅଛ, ସେ ଖୁବ୍ ଶୀଘ୍ର ଆସିଯିବେ ।’’ ଏବଂ ସେ ସେଇୟା କଲେ, ତାଙ୍କର ସାଇକେଲ ଚଢି ପହଞ୍ଚିଗଲେ ।

ସେ ଆମକୁ ଅଭିନନ୍ଦନ ଜଣାଇ ଏକାଥରକେ ପ୍ରସଙ୍ଗ ଉପରକୁ ଆସିଗଲେ: ‘‘ଆପଣମାନଙ୍କୁ ଏହି ଗାଁକୁ ଆସିବା ରାସ୍ତା ଟିକେ ଜଟିଳ ଲାଗିଲା ନାହିଁ କି? ଆମର ପୂର୍ବପୁରୁଷମାନେ ଆମକୁ ଆକ୍ରମଣ କରିବାକୁ ଆସୁଥିବା ବ୍ରିଟିଶ ସେନାକୁ ଅଟକାଇ ରଖିବା ଲାଗି ତାକୁ ଏଭଳି ଭାବେ ଡିଜାଇନ୍ କରିଥିଲେ । ସେମାନେ ଏଠାରେ ପହଞ୍ଚିବା ପୂର୍ବରୁ ଆମର ସୂଚନାଦାତାମାନେ ସେମାନଙ୍କର ଗତିବିଧି ସଂପର୍କରେ ଆମକୁ ଜଣାଇ ଦେଉଥିଲେ । ତେଣୁ ସେମାନେ ଯେତେବେଳେ ଆସନ୍ତି ସେତେବେଳେ ଗ୍ରାମବାସୀମାନେ ସେମାନଙ୍କ ସହିତ ଲଢିବାକୁ ପ୍ରସ୍ତୁତ ହୋଇଯାଉଥିଲେ ।’’

Pon Harichandran standing by a lake filled with lotuses
PHOTO • Kavitha Muralidharan

ପଦ୍ମଗଛ ଓ ଫୁଲରେ ପରିପୂର୍ଣ୍ଣ ପୋଖରୀରେ ପୋନ୍ ହରିଚନ୍ଦ୍ରନ । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘ତୁମେ ଏଠାକୁ ମୋ’ କାହାଣୀ ଶୁଣିବାକୁ ଆସିଛ?’’

କିଲାକୁୟିଲକୁଡ଼ି ପିରାମଲାଇ କଲ୍ଲାର (ଥେଭର ସଂପ୍ରଦାୟର ଏକ ଉପ ଦଳ- ବର୍ତ୍ତମାନ ତାମିଲନାଡୁର ପ୍ରଭାବଶାଳୀ ଜାତି) ମାନଙ୍କର ଗାଁ ଥିଲା । ବ୍ରିଟିଶମାନଙ୍କ ସହିତ ସଂଘର୍ଷ କରିବା ନେଇ ଗାଁର ଇତିହାସ ରହିଛି, ଯେଉଁମାନଙ୍କର ଆଧିପତ୍ୟକୁ ସେମାନେ କେବେହେଲେ ଗ୍ରହଣ କଲେନାହିଁ ଏବଂ ବାରମ୍ବାର ଚାଲେଞ୍ଜ କଲେ । ସେମାନଙ୍କୁ ଦମନ କରିବା ଲାଗି ତକ୍ରାଳୀନ ମାଡ୍ରାସ ପ୍ରେସିଡେନ୍ସିର ଏହି ଭାଗରେ ବ୍ରିଟିଶମାନେ ଜାତିଆଣ ଏବଂ କ୍ରୁର ଅପରାଧିକ ଆଦିବାସୀ ଆଇନ ଆଣିଲେ । ଯଦିଓ ତାହା ସେଭଳି କାମ କଲାନାହିଁ । ହରିଚନ୍ଦ୍ରନ କହିଲେ, ‘‘ଲୋକମାନେ ବ୍ରିଟିଶ ଶାସକଙ୍କୁ ଟିକସ ଦେଉଥିବା ତୁମେ ହୁଏତ ଶୁଣିଥିବ । ଆମର ଗାଁ ଭିନ୍ନ ଥିଲା ।’’

ସେ କହନ୍ତି, ଗୋଟିଏ ସମୟରେ ବ୍ରିଟିଶ୍‌ ମାନଙ୍କର ସ୍ଥାନୀୟ ପ୍ରଶାସନ କିଲାକୁୟିଲକୁଡ଼ିର ଅତି କମ୍‌ରେ ଗୋଟିଏ ପରିବାରକୁ ଟିକସ ଦେଉଥିଲେ । ହରିଚନ୍ଦ୍ରନ କହିଲେ, ‘‘ତାହା ଥିଲା କାଝୁବା ଥେବରଙ୍କ ପରିବାର।’’ କାଝୁବା ଥେବର ନିଜେ ମଦୁରାଇର ରାଣୀଙ୍କର ଗହଣା ଚୋରି କରିବାକୁ ଚ୍ୟାଲେଞ୍ଜ ନେଇଥିଲେ । ତାହା ବ୍ରିଟିଶ ଶାସକମାନଙ୍କର ପୂର୍ବରୁ ଏବଂ ୧୬୨୩ ଏବଂ ୧୬୫୯ ମଧ୍ୟରେ ମଦୁରାଇର ରାଜା ଥିରୁମଲ୍ଲାଇ ନାୟକ୍କରଙ୍କର ସମୟରେ ଥିଲା । ଜଣେ ରାଜା, ପ୍ରସିଦ୍ଧ ମୀନାକ୍ଷୀ ମନ୍ଦିରଠାରୁ ଅତି ବେଶୀରେ ଦୁଇ କିଲୋମିଟର ଦୂରରେ ଥିବା ଯାହାଙ୍କର ବିଶାଳ ରାଜପ୍ରସାଦ-ଆଜି ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଛି ।

ଏବଂ କାହାଣୀ ଆରମ୍ଭ ହେଉଛି…

କାଝୁବା ଥେଭର ମହାରାଣୀଙ୍କ ଗହଣା ଚୋରି କରିବା ପାଇଁ ଏକ ନିଜସ୍ଵ ଉପାୟ ଚିନ୍ତା କଲେ । ତାଙ୍କର ତାଲିମପ୍ରାପ୍ତ ‘ଡକାୟତ’ ଥିଲେ ଦୁଇଟି ମନିଟର ଝିଟିପିଟି, ଗୋଟିଏ ପ୍ରଜାତି ଯିଏ କିଛି ଥରେ ଧରିଲେ ଆଉ ଛାଡ଼େ ନାହିଁ । ଏହି ମାମଲାରେ, ରାଣୀଙ୍କର ମୁଖ୍ୟ ଗହଣାଗୁଡ଼ିକୁ ସେତେବେଳେ ସେମାନେ ଆଣି କାଝୁବା ଥେଭରଙ୍କୁ ଦେଲେ । ହରିଚନ୍ଦ୍ରନ କହନ୍ତି, ‘‘ତୁମେ ଏବେ ବି ଥିରୁମଲ୍ଲାଇ ନାୟକ ରାଜପ୍ରସାଦରେ ଏକ ବୋର୍ଡ ଦେଖିବାକୁ ପାଇବ ଯେଉଁଥିରେ, ରାଣୀଙ୍କ ଗହଣା ଏହି ସ୍ଥାନରୁ ଚୋରି ହୋଇଥିଲା ବୋଲି ଲେଖାଯାଇଛି ।’’ (ଅତୀତରେ ସେହି ବୋର୍ଡ ହୁଏତ ରାଜପ୍ରସାଦରେ ଥିଲା, ଏବେ କିନ୍ତୁ ରାଜପ୍ରସାଦରେ ତାର ଚିହ୍ନବର୍ଣ୍ଣ ନାହିଁ) ।

ପ୍ରଥମେ ରାଗିଯାଇ ଏବଂ ପରେ ସନ୍ତୁଷ୍ଟ ହୋଇ, ରାଜା କାଝୁବା ଥେଭରଙ୍କୁ କହିଲେ, ସେ ତାଙ୍କୁ ସହାୟତା କରିବେ । ଥେଭର ଗୋଟିଏ ଭେଷ୍ଟି (ଅଣ୍ଟା ତଳକୁ ପିନ୍ଧା ଯାଉଥିବା ପୁରୁଷମାନଙ୍କର ପାରମ୍ପରିକ ପୋଷାକ, ଗୋଟିଏ ଭାଲ୍ଲାଭେଟ୍ଟୁ (ଟାୱେଲ୍‌ ଭଳି ଶରୀରର ଉପର ଅଂଶରେ ପିନ୍ଧା ଯାଉଥିବା ଗୋଟିଏ ପୋଷାକ) ଏବଂ ଗୋଟିଏ ଉରୁମା(ପଗଡ଼ି ଭଳି ମୁଣ୍ଡରେ ପିନ୍ଧାଯାଏ) ମାଗିଲେ ।

ହରିଚନ୍ଦ୍ରନ କହିଲେ, ‘‘ସେ ମଧ୍ୟ ମଦୁରାଇର ରକ୍ଷାକର୍ତ୍ତା ଭାବେ ଅଧିକାର ମାଗିଲେ-ଏବଂ ସେ ସମୟରେ ଗୋଟିଏ ଛୋଟ ସୁରକ୍ଷା ବାହିନୀ ବା ‘ପୋଲିସ୍‌’କୁ ଚଳାଇବା ପାଇଁ ବାର୍ଷିକ ଫି ଚାହିଁଲେ ।’’ “ଏହା ମଞ୍ଜୁର କରାଗଲା, ଏବଂ ତାଙ୍କ ପରିବାର ସେହି ସୁବିଧା ଦୀର୍ଘ ଦିନ ଧରି ବ୍ରିଟିଶ୍‌ ଅଫିସର ଏହି ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ମନା କରିବା ଯାଏଁ ଉପଭୋଗ କଲେ ।’’ ହରିଚନ୍ଦ୍ରନ କହିଲେ, ଅଫିସର ଏହାର ଇତିହାସ ଜାଣି ଏହାକୁ ସ୍ଵୀକାର କଲେ । ‘‘କିନ୍ତୁ ସେ ‘ଆମ ଭଳି ମହାନ ପ୍ରଶାସକମାନଙ୍କର ପ୍ରଶାସନ ଏକ ଅଜଣା ଗାଁର ସାଧାରଣ ପରିବାରକୁ ଟିକସ ଦେବାକୁ ପଡୁଥିବାର କାହାଣୀ’’ ସଂପର୍କରେ ତାଙ୍କର ବରିଷ୍ଠଙ୍କୁ ଗୋଟିଏ ଚିଠି ଲେଖିଲେ ।’’

Pon Harichandran at a temple
PHOTO • Kavitha Muralidharan

ହରିଚନ୍ଦ୍ରନ ଆମକୁ ଗାଁର କାରୁପାସାମୀ ମନ୍ଦିର ଚାରିପଟେ ଦେଖାଇଲେ: ‘ସେ କିଲାକୁୟିଲକୁଡ଼ିର ପୂରା କାହାଣୀକୁ ନିଜ ସହ ଆଗକୁ ନେଉଥିଲେ ।’

ହରିଚନ୍ଦ୍ରନ ଏଠାରେ ପାରମ୍ପରିକ କାହାଣୀକାର ନୁହନ୍ତି, ଲୋକକଥାର ସଂରକ୍ଷଣ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବଂଶାନୁକ୍ରମିକ ପେସା  । କିନ୍ତୁ ଏହି କଳା ତାଙ୍କୁ ପିଲାଦିନରୁ ଆକର୍ଷିତ କରିଛି ଯେତେବେଳେ ଗାଁର ବୟସ୍କ ଲୋକମାନେ ଏକାଠି ହୋଇ ବସୁଥିଲେ ଏବଂ ସେମାନଙ୍କର ନିଜ ଜୀବନ ତଥା ସେମାନଙ୍କ ପୂର୍ବପୁରୁଷମାନଙ୍କର ଜୀବନରୁ କାହାଣୀକୁ ବର୍ଣ୍ଣନା କରୁଥିଲେ। ସେଥିମଧ୍ୟରେ ପ୍ରାକ୍ ବ୍ରିଟିଶ ରାଜାଙ୍କ କର୍ମଚାରୀଙ୍କ ଧୋକ୍କାଠାରୁ ଆରମ୍ଭ କରି ବ୍ରିଟିଶମାନଙ୍କୁ ବିରୋଧ କରୁଥିବା ଗାଁର ପଳାୟନକାରୀମାନଙ୍କ କାହାଣୀ ସାମିଲ । କିଶୋର ଅବସ୍ଥାରୁ ମନ୍ତ୍ରମୁଗ୍ଧ ହରିଚନ୍ଦ୍ରନ୍ ସେହି ଲୋକକଥା ପ୍ରତି ଆକର୍ଷିତ ଥିଲେ, ସେ ଜାଣିନଥିଲେ ଯେ ଦିନେ ସେ ତାର ଅଧିକାରୀ ହେବେ । ଅନ୍ୟ ଶ୍ରୋତାଙ୍କୁ ସେହି କାହାଣୀ କହିବାକୁ ଏକୁଟିଆ ରହିବେ ।

କୌତୁହଳଜନକ ଭାବେ କିଲାକୁୟିଲକୁଡିର ଏଭଳି ଗତିବିଧି ଯୋଗୁ ବିରକ୍ତ ହୋଇ ବ୍ରିଟିଶମାନେ ୧୮୭୧ର ଅପରାଧିକ ଆଦିବାସୀ ଆଇନ(ସିଟିଏ)କୁ ଏଠାରେ ଲାଗୁ କଲେ । ସିଟିଏ ଲାଗୁ ହେବାରେ ମାଡ୍ରାସ ଶେଷ ଗଡ଼ଜାତ ରାଜ୍ୟ ଥିଲା ଯାହାକୁ କି ଉତ୍ତର ଭାରତରେ ବ୍ରିଟିଶମାନଙ୍କର ଶାସନକୁ ବିରୋଧ କରୁଥିବା ଆଦିବାସୀମାନଙ୍କୁ ଦମନ କରିବାକୁ ଅଧିକ ଭାବେ ବ୍ୟବହାର କରାଯାଉଥିଲା।

ହରିଚନ୍ଦ୍ରନ କହନ୍ତି “ଏହାପରେ ବ୍ରିଟିଶମାନଙ୍କର ଦୁର୍ବିସହ ଚାପ ଯୋଗୁ ବାଧ୍ୟ ହୋଇ ଗାଁ ଲୋକେ ଚୋରି କଲେ।’’ “ସେମାନେ କିଲାକୁୟିଲକୁଡିରୁ ମଦୁରାଇ ଯାଉଥିବା ଲୋକଙ୍କୁ ସନ୍ଧ୍ୟା ୫ଟାରୁ ସକାଳ ୧୦ଟା ମଧ୍ୟରେ ମଦୁରାଇ ଗସ୍ତ କରିବା ଉପରେ କଟକଣା ଲଗାଇଲେ ।’’ ସେଥିଯୋଗୁ ଏଠାକାର ଗାଁ ଲୋକଙ୍କର ଅନେକ କାମ ଓ ବେପାର କ୍ଷତିଗ୍ରସ୍ତ ହେଲା ।’’

ହରିଚନ୍ଦ୍ରନ୍ କହନ୍ତି, “ଚାରି ପ୍ରକାର ଚୋରି ହେଉଥିଲା: କଲାଭୁ(ଯାହା ମିଳିବ ତାକୁ ଚୋରି କରିବା), ଥିରୁଡୁ(ଯାହା ଆବଶ୍ୟକ ତାକୁ ଚୋରି କରିବା), କୋଲ୍ଲାଇ(ପୀଡ଼ିତଙ୍କ ପାଇଁ କିଛି ନ ଛାଡ଼ିବା) ଏବଂ ସୁରାଇ(ଘଟଣାସ୍ଥଳ ବା ପୀଡ଼ିତ କିମ୍ବା ଆଖପାଖ ସ୍ଥାନରୁ ମଧ୍ୟ ସବୁକିଛି ଚୋରେଇନେବା ) । ଏହି ସବୁ ପ୍ରକାର ଚୋରମାନଙ୍କ ମଧ୍ୟରେ ଗୋଟିଏ ସମାନତା ଥିଲା ସେମାନେ ହତ୍ୟା କରିବା ବା ବଳାତ୍କାର କରିବାକୁ ଦ୍ୱିଧାବୋଧ କରୁନଥିଲେ । କିନ୍ତୁ ଯେକୌଣସି ଐତିହାସିକ ରେକର୍ଡ ବା କାଗଜପତ୍ରକୁ ଦେଖ । ତୁମକୁ ଆମ ଗାଁ ଲୋକେ ସେପରି କରିଥିବାର ଗୋଟିଏ ବି ଉଦାହରଣ ମିଳିବ ନାହିଁ ।’’

ଅବାଧ୍ୟ ଗାଁରେ ‘ସଂସ୍କାର’ ଆଣିବା ଲାଗି ଉଦ୍ୟମ କରିବା କ୍ରମେ ବ୍ରିଟିଶମାନେ ସେମାନଙ୍କୁ ଋଣ ଦେବାକୁ ପ୍ରସ୍ତାବ ଦେଲେ, ଏପରିକି ମହିଳାଙ୍କ ପାଇଁ ଏକ ସ୍କୁଲ ନିର୍ମାଣ କଲେ ଯେଉଁମାନେ କି ପୁରୁଷମାନଙ୍କୁ ‘ପଥଭ୍ରଷ୍ଟ’ କରୁଥିବାର ସେମାନେ ଭାବୁଥିଲେ ।  ହରିଚନ୍ଦ୍ରନ କହିଲେ, “ସେମାନେ ଛୋଟ ମୋଟ ଅପରାଧ କରିଥିବା ଲୋକଙ୍କୁ ବନ୍ଦୀ କରିବା ପାଇଁ କିଲାକୁୟିଲକୁଡିରେ ଏକ ଜେଲ୍ ସ୍ଥାପନ କରିଥିଲେ ଏବଂ ମଦୁରାଇରେ ସେମାନଙ୍କର ଆଉ ଏକ ବଡ଼ ଜେଲ୍ ଥିଲା’’ । ଗ୍ରାମବାସୀ କିନ୍ତୁ ସିଧାସଳଖ ଭାବେ “ଋଣ ପାଇଁ ମନା କଲେ ଏବଂ ସ୍କୁଲକୁ ଜଳାଇଦେଲେ ।’’

Hill near Madurai
PHOTO • Kavitha Muralidharan

କିଲାକୁୟିଲକୁଡ଼ି ପାହାଡ଼ର ସାମ୍ନା ପଟରେ ଅବସ୍ଥିତ, ମଦୁରାଇ ତାର ଅନ୍ୟ ପଟରେ ରହିଛି । ପୁରୁଣା ଦିନମାନଙ୍କରେ ତାହା ଯୋଗୁ ଶତ୍ରୁମାନଙ୍କୁ ଗାଁରେ ପ୍ରବେଶ କରିବାକୁ କଷ୍ଟକର ହେଉଥିଲା

ବହୁ ଘଣ୍ଟା ପରେ ଅନେକ କାହାଣୀ ଶୁଣିବା ପରେ ମଧ୍ୟ ଆମେ ତାଙ୍କର ‘ନିଜ’ କାହାଣୀ ଶୁଣିନଥିଲୁ । ବର୍ତ୍ତମାନ ସୁଦ୍ଧା ସେ ବର୍ଣ୍ଣନା କରୁଥିବା ସେହି କାହାଣୀ ଯୋଗୁ ଖୁବ୍ ଉତ୍ସାହୀ ହୋଇଯାଇଛନ୍ତି ଏବଂ ଆମେ ତାଙ୍କୁ ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀକୁ ଫେରାଇ ଆଣିବାକୁ ଉଦ୍ୟମ କରିବାରୁ ସେ  ଦ୍ୱିଧାବୋଧ କଲେ । “ମୁଁ ଜଣେ ଚାଷୀ, ମୋର ଖଣ୍ଡେ ଜମି ଅଛି, ସେଥିରୁ ହେଉଥିବା ଫସଲ ମୋର ପରିବାର ଚଳାଇବା ପାଇଁ ଯଥେଷ୍ଟ । ତୁମେ ଆଉ ଅଧିକ କ’ଣ ଜାଣିବାକୁ ଚାହଁ?’’ ସେ ପଚାରିଲେ, ସେ ସାମାନ୍ୟ ବିରକ୍ତ ହେବାଭଳି ଲାଗିଲା । ତାଙ୍କର ପତ୍ନୀ ଓ ପୁଅ ଅଛନ୍ତି କିନ୍ତୁ ସେ ସେମାନଙ୍କ ସଂପର୍କରେ ଅଧିକ କିଛି କହିଲେ ନାହିଁ । ଏପରି ଲାଗୁଛି ଯେ ତାଙ୍କର ସେହି ଅସାଧାରଣ କଳାକୁ ବଞ୍ଚାଇ ରଖିବା ଲାଗି ତାଙ୍କ ପରିବାରରେ କେହି ନାହାନ୍ତି ।

କିନ୍ତୁ ତାଙ୍କର ମଧ୍ୟ କାହାଣୀ ଅଛି-ଗୋଟିଏ ବଡ଼ ରାଜନୈତିକ ଆନ୍ଦୋଳନ ଯେତେବେଳେ ଏମ.ଜି ରାମଚନ୍ଦ୍ରନ୍ ୧୯୭୨ରେ ନିଜର ଦଳ ଏଆଇଏଡିଏଏମ୍‌ଙ୍କ (ଏବେ ତାମିଲନାଡୁରେ କ୍ଷମତାସୀନ) ଗଠନ କରିବାକୁ ଡିଏମ୍‌କେ ଛାଡ଼ିଲେ । “ମୁଁ ଦଳରେ ଯୋଗ ଦେଲି ଏବଂ ସ୍ଥାନୀୟ ସଭାଗୁଡ଼ିକରେ ଭାଷଣ ଦେଉଥିଲି । ମୁଁ ବରିଷ୍ଠ ଏଆଇଏଡିଏମକେ ନେତା କେ.କାଲିମୁଥୁଙ୍କ ସହ ଖୁବ୍ ଘନିଷ୍ଠ ଥିଲି । ସେ ଜଣେ ନିରନ୍ତର ପାଠକ ଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ଆମେ ଅଧିକାଂଶ ସମୟରେ ଦୀର୍ଘ ଆଲୋଚନା କରୁଥିଲୁ ।’’ ୨୦୦୬ରେ କାଲିମୁଥୁଙ୍କ ପରଲୋକ ପରେ ହରିଚନ୍ଦ୍ରନ୍ ଦଳ ଛାଡ଼ିଲେ । ସେ କହନ୍ତି, ‘ମୁଁ ଏବେ କେବଳ କାହାଣୀ ଶୁଣାଇ ଖୁସି ଅଛି ।’’

ସୁ ଭେଙ୍କଟେସନ୍ ଯାହାଙ୍କର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଉପନ୍ୟାସ କାଭଲ କୋଟ୍ଟମ୍ ମଧ୍ୟ  ସେ ହରିଚନ୍ଦ୍ରନ୍‌ଙ୍କ ସହ କରିଥିବା ଅସମାପ୍ତ ଆଲୋଚନା ଉପରେ ପର୍ଯ୍ୟବସିତ ଥିଲା, ଅବଶ୍ୟ ତାର ସତ୍ୟତା ଜଣାନାହିଁ । ସେ କହିଲେ, “ସିଟି ଆଇନ ପ୍ରଥମେ ତାଙ୍କ ଗାଁରେ ଲାଗୁ କରାଯାଇଥିଲା । ମୁଁ ମୋର ଉପନ୍ୟାସ ପାଇଁ କରିଥିବା ବ୍ୟାପକ ଗବେଷଣାରେ ସରକାରୀ ରେକର୍ଡରୁ ଏ ବାବଦରେ ନିଶ୍ଚିତ ହେଲି। କିଲାକୁୟିଲକୁଡ଼ି ମାଡ୍ରାସ ପ୍ରେସିଡେନ୍ସିର ପ୍ରଥମ ଗାଁ ଥିଲା ଯେଉଁଠାରେ ଏହି ଆଇନ ଲାଗୁ କରାଯାଇଥିଲା ।’’

ଭେଙ୍କଟେସନ୍ କହନ୍ତି, “ମୁଁ ବିଶ୍ୱାସ କରେ ପ୍ରତି ଗାଁରେ ଜଣେ ଏମିତି ଲୋକ ଥାନ୍ତି ଯିଏ ସେହି ଗାଁର କାହାଣୀକୁ ନିଜ ସହ ଆଗକୁ ନିଅନ୍ତି । ସେ ସେଠାରେ ଥାନ୍ତି କିନ୍ତୁ ଜଣେ ବିରଳ ବ୍ୟକ୍ତିତ୍ୱ ହୋଇଥାନ୍ତି । ହରିଚନ୍ଦ୍ରନ୍ ସେଭଳି ଜଣେ ବିରଳ ବ୍ୟକ୍ତିତ୍ୱ । ସେ କିଲାକୁୟିଲକୁଡିର ପୂରା କାହାଣୀକୁ ନିଜ ସହ ଆଗକୁ ନେଉଛନ୍ତି । ଏପରିକି ସେ ଯେତେବେଳେ ଯୁବକ ଥିଲେ, ସେତେବେଳେ ସେ କେବଳ ୮୦ ଓ ୯୦ ବର୍ଷରେ ପଦାର୍ପଣ କରିଥିବା ଲୋକଙ୍କ ସହ ସମୟ କଟାଉଥିଲେ । ସେ ସ୍ୱତନ୍ତ୍ର, ବରପ୍ରାପ୍ତ ଏବଂ ଆମେ ଭାଗ୍ୟବାନ ଯେ ଆମେ ତାଙ୍କଠାରୁ କାହାଣୀ ଶୁଣିବାକୁ ପାଇବା ।’’

ସୁପ୍ରସିଦ୍ଧ ନିର୍ଦ୍ଦେଶକ ବସନ୍ତବାଲନ୍‌ଙ୍କ ଦ୍ୱାରା ନିର୍ମିତ ଫିଲ୍ମ ଆରାଭନ୍ (୨୦୧୨) ମଧ୍ୟ ହରିଚନ୍ଦ୍ରନ୍‌ଙ୍କ କାହାଣୀ ଉପରେ ପର୍ଯ୍ୟବସିତ ଥିଲା। (ଅଷ୍ଟାଦଶ ଶତାଦ୍ଦୀର କାହାଣୀ ଉପରେ ପର୍ଯ୍ୟବସିତ ଐତିହାସିକ କାଳ୍ପନିକ ଫିଲ୍ମର କାହାଣୀ କିଛି ଲୋକଙ୍କ ଉପରେ ଆଧାରିତ ଯେଉଁମାନେ ସେମାନଙ୍କର ଜନଜାତିଙ୍କୁ ବଞ୍ଚାଇ ରଖିବା ପାଇଁ ଧନୀମାନଙ୍କଠାରୁ ଚୋରି କରୁଥିଲେ) ।

କିନ୍ତୁ ମୁଖନିସୃତ ଲୋକକାହାଣୀ ସେଭଳି ରହିଛି । ସେଗୁଡ଼ିକୁ ଲିପିବଦ୍ଧ କରିବା ନେଇ ହରିଚନ୍ଦ୍ରନ୍‌ଙ୍କର କୌଣସି ଯୋଜନା ଅଛି କି?  ସେ ଏହି ଚିନ୍ତାଧାରା ସହ ଖେଳୁଥିବାର ଜଣାପଡୁଛି । କିନ୍ତୁ ସେ କହନ୍ତି, “ଗୋଟିଏ କାହାଣୀ କହିବାଠାରୁ ଅଧିକ ମଜାଦାର କିଛି ନାହିଁ । କିନ୍ତୁ ଏହି କାହାଣୀଗୁଡ଼ିକ ଜାଣିବା ନେଇ କେହି ଆଗ୍ରହୀ ନୁହନ୍ତି ବୋଲି ଭାବିବା ଖୁବ୍ ଦୁଃଖଦ । ଏହାକୁ କେବଳ ପରବର୍ତ୍ତୀ ପିଢିକୁ ଅବଗତ କରାଯାଉ । ମୁଁ ହୁଏତ ଏମିତି ଜଣକୁ ପାଇବି ଯାହାକୁ ମୁଁ ମୋ ହୃଦୟରେ ଥିବା ସବୁକିଛି ଦେଇଦେଇପାରିବି ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Kavitha Muralidharan

Kavitha Muralidharan is a Chennai-based independent journalist and translator. She was earlier the editor of 'India Today' (Tamil) and prior to that headed the reporting section of 'The Hindu' (Tamil). She is a PARI volunteer.

Other stories by Kavitha Muralidharan