ଏହି ମହିଳାମାନେ କେଶରେ ଧଳା ରଙ୍ଗର ଯୁଇ ଏବଂ ଆବୋଲି ଫୁଲ ଲଗାଇଛନ୍ତି। ସେମାନଙ୍କ ନାଲି, ନେଳି, ସବୁଜ ଆଉ ଖଇରିଆ ରଙ୍ଗର ଶାଢ଼ିରେ ନାଲି ରଙ୍ଗର ବ୍ୟାଚ ଲାଗିଛି। ସେମାନଙ୍କ ଦେହର ରଙ୍ଗ ବେଶ୍‌ ସଫା ଦେଖାଯାଉଛି। ଚଳିତ ସପ୍ତାହର ମଙ୍ଗଳବାର ଅପରାହ୍ନରେ ଦହାନୁରୋଡ୍‌ ଷ୍ଟେସନର ପ୍ଲାଟଫର୍ମ ୩ରେ ସେମାନେ ଅନ୍ୟ ଯାତ୍ରୀମାନଙ୍କ ସହ ଗୋଟିଏ ଟ୍ରେନ୍‌କୁ ଅପେକ୍ଷା କରିଛନ୍ତି। ସେମାନଙ୍କ ସହ ଦକ୍ଷିଣରୁ ମୁମ୍ବାଇକୁ ପ୍ରାୟ ୧୦୦ କିଲୋମିଟର ଯାତ୍ରା କରୁଥିବା ଛାତ୍ରଛାତ୍ରୀ ଏବଂ ଉତ୍ତରରେ ଥିବା ଉମ୍ବେରଗାଓଁ ସହର ପରି ନିକଟରେ ଥିବା ଛୋଟ ଛୋଟ ସହରକୁ ଯାଉଥିବା କାରଖାନା ଶ୍ରମିକମାନେ ମଧ୍ୟ ଅଛନ୍ତି।

ଏହି ମହିଳାମାନେ ସମସ୍ତେ ୱାର୍ଲି ଆଦିବାସୀ ସମୁହର କୃଷକ। ଏମାନେ ମହାରାଷ୍ଟ୍ରର ପଲଘର ଜିଲ୍ଲାର ଦହାନୁ ତାଲୁକାରୁ ଆସୁଥିବା ଅନ୍ୟ ପୁରୁଷ ଓ ମହିଳାମାନଙ୍କ ସହ ଖୁବ୍‌ ଶୀଘ୍ର ଯୋଗଦେବେ।

ସେମାନେ ସମସ୍ତେ ଦିଲ୍ଲୀକୁ ଯାଉଛନ୍ତି। ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ୍‌ କମିଟିର ଡକରାରେ ନଭେମ୍ବର ୨୯-୩୦ରେ ଆୟୋଜିତ ସଂସଦ ଅଭିମୁଖେ ପଦଯାତ୍ରାରେ ସେମାନେ ଅଂଶଗ୍ରହଣ କରିବେ। ଏହି କମିଟି ସାରା ଦେଶର ପ୍ରାୟ ୨୦୦ କୃଷକ ଗୋଷ୍ଠୀର ସମୁହ ସଂଗଠନ। ଏ ମଧ୍ୟରେ ଅଲ୍‌ ଇଣ୍ଡିଆ କିଷାନ ସଭା(AIKS) ମଧ୍ୟ ରହିଛି। ଦହାନୁ ଷ୍ଟେସନରେ ଅପେକ୍ଷା କରିଥିବା କୃଷକମାନେ ସମସ୍ତେ AIKS ର ସଦସ୍ୟ। ସେମାନଙ୍କ ଦାବି ମଧ୍ୟରେ ରହିଛି କୃଷି ବିପର୍ଯ୍ୟୟ ଉପରେ ସଂସଦରେ ୩ ସପ୍ତାହ ବିଶେଷ ଅଧିବେଶନ।  ଏଥିସହ ମହିଳା କୃଷକମାନଙ୍କର ନିର୍ଦ୍ଦିଷ୍ଟ ଦାବି ସମ୍ପର୍କରେ ୩ ଦିନିଆ ଆଲୋଚନା।

Women from Dahanu, Maharashtra on their way to Delhi to participate in march
PHOTO • Himanshu Chutia Saikia

ମହରାଷ୍ଟ୍ରର ପଲଘର ଜିଲ୍ଲାର ଦହାନୁ ତାଲୁକାରୁ ଆହୁରି ଅନେକ ଏହି ୱାର୍ଲି ମହିଳା କୃଷକମାନଙ୍କ ସହ ଦିଲ୍ଲୀ ଯିବା ରାସ୍ତାରେ ଯୋଗଦେବେ।

ଆଦିବାସୀ ମହିଳା କୃଷକମାନଙ୍କ ପାଇଁ କୃଷି ବିପର୍ଯ୍ୟୟର ପ୍ରସଙ୍ଗ କ’ଣ?

‘ଆମର ସବୁ ଧାନ ମରିଗଲା।’ ବୋଲି କହିଲେ ମୀନା ବର୍ଷେ କୋମ୍‌। ‘‘ଆମର ବର୍ଷା ବ୍ୟତୀତ ପାଣିର ଅନ୍ୟ କୌଣସି ଉତ୍ସ ନାହିଁ। ଯଦି ବର୍ଷା ନହୁଏ, ତା’ହେଲେ ଆମ ଧାନ କେମିତି ବଞ୍ଚିବ?’’ ଦହାନୁ ତାଲୁକାର ଧମନଗାଓଁ ଗ୍ରାମର ବାସିନ୍ଦା ମୀନା। ପଲଘର ଜିଲ୍ଲା ଭୀଷଣ ମରୁଡ଼ି ମଧ୍ୟଦେଇ ଯାଉଛି।  କିନ୍ତୁ ମୀନା ଏବଂ ଅନ୍ୟ ମହିଳାମାନେ ଯେଉଁମାନେ କି ସମସ୍ତେ ଧାନ ଚାଷୀ ଏବଂ ଚଳିତ ଋତୁର ମରୁଡ଼ି ଯୋଗୁ ନିଜର ଫସଲ ହରାଇଛନ୍ତି, କୁହନ୍ତି- ସରକାର ଏ ପର୍ଯ୍ୟନ୍ତ କୌଣସି ସହାୟତାମୂଳକ ପଦକ୍ଷେପ ନେଇନାହାନ୍ତି।

୩୨ ବର୍ଷ ବୟସ୍କା ହିରୁ ବସନ୍ତ ବାବର କୁହନ୍ତି, ‘‘ମୁଁ ଏବର୍ଷ ମାତ୍ର ୫ବସ୍ତା (ପ୍ରତି ବସ୍ତା ୧୦୦ କେଜି) ଧାନ ପାଇଛି। କିନ୍ତୁ ଏହା ପରିବାରର ସମୁଦାୟ ବର୍ଷର ଖର୍ଚ୍ଚ ପାଇଁ ଯଥେଷ୍ଟ ନୁହେଁ।’’ ତାଙ୍କ ସ୍ଵାମୀ ଅସୁସ୍ଥ, ତେଣୁ କାମ କରିପାରନ୍ତି ନାହିଁ। ତାଙ୍କର ୩ଟି ପୁଅ, ସେମାନେ ସ୍କୁଲ ଯାଆନ୍ତି ନାହିଁ।

ମୀନାଙ୍କର ଦୁଇଟି ଝିଅ ମଧ୍ୟ ଅଧାରୁ  ସ୍କୁଲ ଛାଡ଼ିଛନ୍ତି। ସେ କୁହନ୍ତି, ସେମାନଙ୍କ ପାଇଁ ପୋଷାକ କିଣିବାକୁ ବି ଅର୍ଥ ନାହିଁ। ସେମାନେ ସ୍କୁଲ ଯାଇପାରିଲେ ନାହିଁ। ତାଙ୍କ ପୁଅ ଏବଂ ସ୍ଵାମୀ ଏକ ଜାହାଜରେ ଶ୍ରମିକ ଭାବରେ କାମ କରନ୍ତି। ସେମାନେ ମାସ ମାସ ଧରି ଦୂରରେ ରୁହନ୍ତି। ବେଳେ ବେଳେ ୯ ମାସ ପର୍ଯ୍ୟନ୍ତ ମଧ୍ୟ ଘରକୁ ଆସିପାରନ୍ତି ନାହିଁ। ସେମାନେ ଯେଉଁ ସୀମିତ ରୋଜଗାର ଆଣନ୍ତି, ସେଥିରେ ସେ ଘର ଚଳାନ୍ତି। ଏଥିସହ ତାଙ୍କ ସ୍ଵାମୀଙ୍କ ପରିବାରର ୫ଏକର ଜମି ମଧ୍ୟ ଅଛି ଯାହାକୁ ସେ ଚାଷ କରନ୍ତି।

ତାଙ୍କ ଜମିରେ ହେଉଥିବା ଧାନ ଏବଂ ଯଅ ପରିବାରର ଖାଇବା ପାଇଁ ଯଥେଷ୍ଟ ହେଉନାହିଁ। ସେ ରାସନ ଦୋକାନରୁ ରିହାତି ଦରରେ ମିଳୁଥିବା ୧୦ କେଜି ଚାଉଳ, ୧ କେଜି ଚିନି, ୧ କେଜି ଡାଲି ଓ ୧୦ କେଜି ଗହମ ଉପରେ ନିର୍ଭର କରନ୍ତି। ସେ କୁହନ୍ତି, ‘‘ଏହା ଯଥେଷ୍ଟ ନୁହେଁ। ଏଜେଣ୍ଟମାନଙ୍କର ମେଣ୍ଟ ଅଛି। ସେମାନେ ଆମର ରାସନ ଖାଦ୍ୟ ସାମଗ୍ରୀ ବିକ୍ରି କରିଦେଉଛନ୍ତି ଏବଂ ତାହା ଆମ ପାଖରେ ପହଞ୍ଚି ପାରୁନାହିଁ। ଗୋଟିଏ ୭ଜଣିଆ ପରିବାର କେମିତି ଏଥିରେ ବଞ୍ଚିବ?

Hiru Babar at Dahanu station
PHOTO • Himanshu Chutia Saikia
Meena Barse Kom at Dahanu station
PHOTO • Himanshu Chutia Saikia
Neelam Ravte at Dahanu station
PHOTO • Himanshu Chutia Saikia

ବାମରୁ ଡାହାଣ: ଚଳିତ ସପ୍ତାହର ମଙ୍ଗଳବାରରେ ଦହାନୁ ଷ୍ଟେସନରେ ହିରୁ ବାବର, ମୀନା ବର୍ଷେ କୋମ୍‌ ଏବଂ ନିଲମ୍‌ ରାଭ୍‌ତେ।

ଚଳିତବର୍ଷ ଧାନ ଫସଲ ନଷ୍ଟ ହେବାରୁ ଏବଂ ରାସନ ସାମଗ୍ରୀ ଯଥେଷ୍ଟ ହେଉନଥିବାରୁ ମୀନା, ହିରୁ ଏବଂ ଅନ୍ୟ ମହିଳାମାନେ ନିଜ ପରିବାରକୁ ଖୁଆଇବା କଷ୍ଟକର ହୋଇଯାଇଛି।

ହିରୁଙ୍କର ସେଦିନ ଷ୍ଟେସନରେ ଥିବା ଅନ୍ୟ ଚାଷୀମାନଙ୍କ ପରି କିଛି ଅଳ୍ପ ଜମି ଅଛି। ପାରିବାରିକ ଜମିଗୁଡ଼ିକ ସାଧାରଣତଃ ସେମାନଙ୍କ ସ୍ଵାମୀ କିମ୍ବା ପିତାଙ୍କ ନାମରେ। “ଆଦିବାସୀମାନଙ୍କର ପଲଘରରେ ଖୁବ୍‌ କମ୍‌ ଜମି ଅଛି, ଏକରେରୁ ୫ଏକର ପର୍ଯ୍ୟନ୍ତ। ସେମାନେ ସବୁବେଳେ ବିସ୍ଥାପିତ ହେବାର କିମ୍ବା ସେମାନଙ୍କ ଜମି ଛଡ଼େଇ ନିଆଯିବାର ଆଶଙ୍କା ମଧ୍ୟରେ ରହୁଛନ୍ତି। ଏ ସବୁ ଜମି ସେମାନେ ଲ୍ୟାଣ୍ଡ ସିଲିଂ ଆକ୍ଟ କିମ୍ବା ପାରମ୍ପରିକ ଚାଷୀ ଭାବରେ ଜଙ୍ଗଲ ଜମି ଭାବରେ ପାଇଛନ୍ତି। ଯାହାକି ଜଙ୍ଗଲ ଅଧିକାର ଆଇନ’’ ଅନୁଯାୟୀ ଆଇନତଃ ସେମାନଙ୍କର ବୋଲି କୁହନ୍ତି କିଷାନ ସଭାର ପଲଘର ଜିଲ୍ଲା ସମ୍ପାଦକ ଚନ୍ଦ୍ରକାନ୍ତ ଘୋରକନା, ଯିଏକି ଦିଲ୍ଲୀକୁ ଯାଉଥିବା ଦହାନୁ ଗୋଷ୍ଠୀଙ୍କର ନେତୃତ୍ଵ ନେଇଛନ୍ତି।

ସେ କୁହନ୍ତି, ‘‘ଯଦି ଆମେ ଏକାଠି ନହେବୁ ଏବଂ ପରସ୍ପରକୁ ନଲୋଡ଼ିବୁ ତା’ହେଲେ ଆମ ଜମିଗୁଡ଼ିକ ଚାଲିଯିବ। ଅତୀତରେ ଜମିଦାରମାନେ ୱାର୍ଲିମାନଙ୍କଠାରୁ ସେମାନଙ୍କ ଆଇନ ସମ୍ମତ ଜମି ଛଡ଼ାଇ ନେବାକୁ ସବୁ ପ୍ରକାର ରାସ୍ତା ଖୋଜିଥିଲେ। ସେମାନେ ବିଭିନ୍ନ ମିଛ କାରଣ ଦର୍ଶାଇ କିମ୍ବା ଚାପ ପକାଇ ବନ୍ଧକ କାଗଜରେ ଦସ୍ତଖତ କରାଇ ନେଇଥିଲେ। କିନ୍ତୁ ଏହା କାମ କଲାନାହିଁ। ଆଜି ସେମାନେ ଆମକୁ ଜମି ପାଇଁ ବିଭିନ୍ନ ପ୍ରକାର ଭୟ ଦେଖାଉଛନ୍ତି। ଏହା ଏକ  ନିୟମିତ ସଂଘର୍ଷ।

Women waiting for the train to participate in farmers march in delhi
PHOTO • Himanshu Chutia Saikia
PHOTO • Himanshu Chutia Saikia
Chandrakant Ghorkana
PHOTO • Himanshu Chutia Saikia

ଯଦି ଆମେ ଏକାଠି ନହେବୁ ଏବଂ ପରସ୍ପରକୁ ସାହାଯ୍ୟ ନକରିବୁ, ତା’ହେଲେ ଆମ ଜମିଗୁଡ଼ିକ ଚାଲିଯିବ ବୋଲି କୁହନ୍ତି ଚନ୍ଦ୍ରକାନ୍ତ ଘୋରକନା (ଡାହାଣ)

ଏହି କାରଣରୁ ନିଲମ୍‌ ପ୍ରକାଶ ରାଭ୍‌ତେଙ୍କ ପରି ଚାଷୀମାନେ ନିଜ ଅଧିକାର ପାଇଁ କିଷାନ ସଭାର ପ୍ରତ୍ୟେକ ଶୋଭାଯାତ୍ରା ଆହ୍ଵାନକୁ ସ୍ଵୀକାର କରନ୍ତି। ଯଦିଓ ଏହା ସେମାନଙ୍କୁ ପରିବାର ଏବଂ ଜମିଠାରୁ ଅନେକ ଦିନ ପର୍ଯ୍ୟନ୍ତ ଦୂରେଇ ରଖେ। ନିଲମ୍‌ଙ୍କ ଘର ଦହାନୁର ଜରାଲି ପଡ଼ାରେ। ତାଙ୍କ ସ୍ଵାମୀ ପ୍ରକାଶ ସୁରଟରେ କାମ କରନ୍ତି ଏବଂ ସେମାନଙ୍କର ୩ଟି ସନ୍ତାନ। ସେ କୁହନ୍ତି, ‘‘ଯେତେବେଳେ ମୁଁ ନାସିକ୍‌ରୁ ମୁମ୍ବାଇ ଦୀର୍ଘ ପଦଯାତ୍ରାରେ (ମାର୍ଚ୍ଚ ୨୦୧୮) ଯାଇଥିଲି, ସେତେବେଳେ ମୁଁ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଘରଠାରୁ ଦୂରରେ ଥିଲି। ମୋ ସାନ ପୁଅ ଅସୁସ୍ଥ ହୋଇଗଲା। ଆମେ ଫୋନ୍‌ରେ କଥା ହେଉଥିଲୁ ଏବଂ ସେ ମୋତେ ସବୁବେଳେ ଘରକୁ ଡାକୁଥିଲା। ମୁଁ ଘରକୁ ଫେରିବା ପରେ ସେ ସୁସ୍ଥ ହେଲା। ଏଥର ସେ ମୋ ବ୍ୟାଗ କାଢ଼ିବାକୁ ଦେଲାନି। ସେ ଜିନିଷପତ୍ର ଲୁଚେଇଲା, ଯେମିତିକି ମୁଁ ଯାଇପାରିବିନି।’’

ତା’ହେଲେ ତୁମେ  ପ୍ରତି ପଦଯାତ୍ରାରେ ଯୋଗଦିଅ କାହିଁକି? ‘‘ଆମକୁ ଯୋଗ ଦେବାକୁ ହେବ। ଯଦି ଆମେ ସଂଘର୍ଷ ନକରିବୁ ତା’ହେଲେ ଆମ ଜମି ଚାଲିଯିବ। ପିଲାଙ୍କ ଭବିଷ୍ୟତ ପାଇଁ ମୋର ଏ ପଦଯାତ୍ରା। ଯେ ପର୍ଯ୍ୟନ୍ତ ଆମର ଦାବି ସବୁ ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ଆମର ପଦଯାତ୍ରା ଚାଲିଥିବ। ’’

Women waiting for the train at the station to participate in Delhi farmers march
PHOTO • Himanshu Chutia Saikia

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Siddharth Adelkar

Siddharth Adelkar is tech editor, People’s Archive of Rural India

Other stories by Siddharth Adelkar