html ପିନ୍ ଓ ଛୁଞ୍ଚିରେ ଦିନକୁ ୧୨ ଘଣ୍ଟା

ଘରକୁ ଫେରିବା ବେଳେ ସାଙ୍ଗରେ ଆଫଲାତୁନ ନେଇ ଯିବାକୁ ମହମ୍ମଦ ସାମିମ ଯୋଜନା କରୁଥିଲେ। ତାଙ୍କ ଘର ବିହାର ସମସ୍ତିପୁର ଜିଲ୍ଲାର ଖରଜ (ଦିନମାନପୁର) ଗାଁରେ। ‘‘୩୬ ଘଣ୍ଟାର ଯାତ୍ରାରେ ଏହା ନଷ୍ଟ ହେବନି। ମୁମ୍ବାଇର ଏଇଟା ସବୁଠୁ ଭଲ ମିଠେଇ,’’ ଘିଅ ଆଉ ମାୱାରେ ତିଆରି ହୋଇଥିବା ମିଠେଇ କଥା ସେ କହିଲେ। ସାମିମ ୬ ମାସ ତଳେ ଖରଜା ଯାଇଥିଲେ। ଏବେ ପୁଣି ଗାଁକୁ ଯିବାକୁ କିଛି ସପ୍ତାହ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ସ୍ତ୍ରୀ ସୀମା ଖାତୁନ ଚାହୁଁଥିଲେ ସେ ତାଙ୍କ ପାଇଁ ‘‘ବମ୍ବେ ଷ୍ଟାଇଲ୍ର ସୁଟ୍ [ସାଲୱାର କାମିଜ୍],’’ ଗୋଟିଏ ମୁଣ୍ଡଲଗା ତେଲ, ଗୋଟିଏ ସାମ୍ପୁ, ଗୋଟିଏ ମୁହଁଲଗା କ୍ରିମ ଏବଂ ଆଉ କିଛି ଉପହାର ଆଣି ଆସନ୍ତୁ, ଯାହା ସେ କହିବାକୁ ଲାଜ କରୁଥିଲେ। 

ସାମିମ ଚଟାଣରେ ବସି ଗୋଟିଏ କପଡ଼ାରେ ଖୁବ୍ ଶୀଘ୍ର ଶୀଘ୍ର ପ୍ଲାଷ୍ଟିକ ପତ୍ର ଆଉ ଫୁଲ ସିଲେଇ କରୁଥିଲେ। କପଡ଼ାଟି ଖଣ୍ଡେ କାଠ ଚାରିପାଖରେ ବେଢା ଯାଇଥିଲା। ସେ ଏଠାରେ ବହୁ ଦିନ ହେବ କାମ କରି ଆସୁଛନ୍ତି - ‘‘ସମସ୍ତେ ୟାକୁ ଆସଲମ ଭାଇ କାରଖାନା ଭାବେ ଜାଣନ୍ତି’’ - ମଧ୍ୟ ମୁମ୍ବାଇର ମାହିମ୍କୁ ସେ ପ୍ରାୟ ଏକ ଦଶନ୍ଧି ହେବ ଆସିଲେଣି। ସେ ମୁମ୍ବାଇକୁ ଆସିବା ଦିନରୁ ଜରି କାମ କରୁଛନ୍ତି। 

କାରଖାନାର ଗୋଟିଏ ପାର୍ଶ୍ୱକୁ ଥିବା ଏକ ଛୋଟ ବଖରାରେ ଲୁଗାପଟା, ବ୍ୟାଗ ଆଉ ବେଡ଼ସିଟ୍ ଥାକ କରି ରଖା ଯାଇଛି। ମୁଖ୍ୟ ଘରର ଚଟାଣର ଆୟତ୍ତନ ୪୦୦-ବର୍ଗଫୁଟ। ଏଠି ଏକା ବେଳକେ ୩୫ ଜଣ ପର୍ଯ୍ୟନ୍ତ କର୍ମଚାରୀ ବସି ଜରି ବୁଣା କାମ କରନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାୟ ମୁମ୍ବାଇ ବାହାରର। ଅଧିକାଂଶ ସେଇ ଘରେ ରାତିରେ ଶୁଅନ୍ତି। ଉପରେ ଲାଗିଥିବା ସିଲିଂ ଫ୍ୟାନ୍ ଖରାଦିନେ ଯଥେଷ୍ଟ ହୁଏନି। ସାମିମ ସ୍ମିତ ହସି କହିଲେ, ‘‘ସେଇଥି ପାଇଁ ରୁମ୍ରେ ଥିବା ଷ୍ଟାଣ୍ଡ ଫ୍ୟାନ୍ ପାଖକୁ ଲାଗି ଶୋଇବାକୁ ସମସ୍ତଙ୍କର ମନ।’’ 

ସିଲେଇ ହେଉଥିବା ଜରି ପାରଂପରିକ ଭାବେ ସୁନା ବା ରୁପାର ପ୍ରଲେପ ଦିଆଯାଇଥିବା ମିଶ୍ର ଧାତୁରେ ତିଆରି ହୋଇଥାଏ; ଏବେ ତମ୍ବା କିମ୍ବା ଶସ୍ତା ମିଶ୍ର ଧାତୁ, କିମ୍ବା ଚିକ୍ ଚିକ୍ କରୁଥିବା ପ୍ଲାଷ୍ଟିକ ସମେତ ବିଭିନ୍ନ ପଦାର୍ଥରେ ଆକର୍ଷଣୀୟ କରାଯାଉଛି। ମାହିମଙ୍କ କାରଖାନାରେ କାରିଗରମାନେ ଧାତବ ତାରରେ ମଧ୍ୟ ଜରି କାମ କରନ୍ତି। ଗ୍ରାହକଙ୍କ ଅର୍ଡର ଉପରେ ଏହା ନିର୍ଭର କରେ - ସାଧାରଣତଃ ଷ୍ଟୋର ଏବଂ ଫାସନ ଡିଜାଇନରମାନେ ତାଙ୍କ ଗ୍ରାହକ।    

ସମିମ୍ଙ୍କୁ ଏବେ ୪୦ ବର୍ଷ, ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ସେତେବେଳୁ ସେ ଏହି ଛୋଟିଆ କୋଠରୀକୁ ଯାତ୍ରା ଆରମ୍ଭ କରିଥିଲେ। ଏକ ଉର୍ଦ୍ଦୁ-ମାଧ୍ୟମ ସ୍କୁଲରେ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ତାଙ୍କ ବାପା ମହମ୍ମଦ ସାଫିକ୍ କାଲା-ଆଜାର (ଏକ ପ୍ରକାର ଧୂଳି ମାଛି କାମୁଡିବା ଦ୍ୱାରା ଏହି ରୋଗ ହୋଇଥାଏ) ରେ ସଂକ୍ରମିତ ହୋଇ ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ପଡ଼ି ରହିଥିଲେ। ସେତେବେଳେ ତାଙ୍କ ଜେଜେ ଏବଂ ମାମୁଁ ତାଙ୍କ ପରିବାରର ଦେଖାଶୁଣା କରୁଥିଲେ। ସାମିମ କହନ୍ତି ଜରି କାମ କରି ନଥିଲେ ତାଙ୍କ ବାପାଙ୍କ ଭଳି ସେ କଂସେଇ କାମ କରିଥାନ୍ତେ।  

PHOTO • Urja
Zari workers
PHOTO • Urja

ବାମ: ମହମ୍ମଦ ସାମିମ କାମ କରୁଛନ୍ତି। ଦକ୍ଷିଣ: ଏହି କାରଖାନାରେ ଜରି କାମ ହୋଇଥିବା ଏହି କପଡ଼ା ଏବେ ଷ୍ଟୋର ଏବଂ ବଡ଼ ଫ୍ୟାସନ ଡିଜାଇନରଙ୍କ ପାଖକୁ ଯିବ 

‘‘ତା ପରେ ଦିଲ୍ଲୀରେ ମୋ ପାଇଁ କାମଟିଏ ବୁଝି ଦେବାକୁ ମୋ ମାଆ ଦାଦାଙ୍କୁ କହିଲେ। ଦାଦା ସେଠି ଦରଜୀ କାମ କରନ୍ତି। ସେଇଟା ୧୯୯୪ର କଥା। ସମସ୍ତିପୁରରୁ ଦିଲ୍ଲୀ ଗଲାବେଳେ ମୁଁ ଟ୍ରେନ୍ରେ କାନ୍ଦିଥିଲି। ଦାଦା ମୋତେ ମିଠେଇ ଦେଲେ। କିନ୍ତୁ ଘର ବ୍ୟତୀତ ସେତେବେଳେ ମୁଁ ଆଉ କିଛି ଚାହୁଁ ନଥିଲି। ଜରି କାମ ଶିଖିବା ପାଇଁ ଅନ୍ୟ ସହରକୁ ଯିବାବେଳେ ସବୁ ପିଲା ଏମିତି କାନ୍ଦନ୍ତି।’’ 

ଦିଲ୍ଲୀରେ ଗୋଟିଏ ରେଫ୍ରିଜରେଟର କାରଖାନାରେ ସମିମ ହେଲପର ଭାବେ କାମ ଆରମ୍ଭ କଲେ। କିନ୍ତୁ ତାଙ୍କ ଡାହଣ ହାତର ପୁରୁଣା ଜଖମ ଯୋଗୁ ଓଜନିଆ ଜିନିଷ ବୋହିବା ତାଙ୍କ ପାଇଁ କଷ୍ଟ ହେଲା। ଲୁଗାରେ ପ୍ଲାଷ୍ଟିକ୍ ମାଳି ଗୁନ୍ଥିବା ବେଳେ ସେ କହିଲେ, ‘‘ଜଖମ ଭଲ ହୋଇ ଯାଇଥିଲା, କିନ୍ତୁ ଓଜନିଆ ଜିନିଷ ବୋହିବା ମାତ୍ରେ ବିନ୍ଧା ଆରମ୍ଭ ହେଉଥିଲା।’’  

ଜରି କାମ କରୁଥିବା ଜଣେ ସାଙ୍ଗ ସହ ସହ ତାଙ୍କ ଦାଦା ପରିଚିତ କରାଇଦେଲେ ଆଉ ସାମିମଙ୍କୁ ଏହି କାମ ଶିଖେଇବାକୁ କହିଲେ। ଦିଲ୍ଲୀରେ କାମ ଶିଖିବା ବେଳେ ସାମିମଙ୍କୁ କିଛି ପାରିଶ୍ରମିକ ଦିଆଯାଉ ନଥିଲା। କେବଳ ଖାଇବାକୁ ଆଉ ରହିବାକୁ ଜାଗା ଦିଆଯାଥିଲା। ସେ ମନେ ପକାଇ କହିଲେ, ‘‘ପ୍ରଥମ ତିନି ମାସ ସେମାନେ ସହଜିଆ ହାତକାମ ଶିଖାଇଲେ [ଜରି ଉପରେ ସିଲେଇ]। ଏଥିରେ ଓସ୍ତାତ ହେବାକୁ ମୋତେ ଏକ ବର୍ଷ ଲାଗିଲା।’’ କିଛି ବର୍ଷ ଧରି ସମିମ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଜରି କାମ କରିଛନ୍ତି। ଓଭର ଟାଇମ୍କାମ କରିବା ଯୋଗୁ ଅନ୍ୟ ଜରି କାରିଗରଙ୍କ ଭଳି ନିଜର ଦକ୍ଷତା ବଢାଇଲେ ଆଉ କମ୍ ସମୟରେ ଅଧିକ କାମ କରିପାରିଲେ। ତା ପରେ ସେ ଦିନକୁ ୬୫ ଟଙ୍କା ରୋଜଗାର କଲେ। 

ଦିଲ୍ଲୀ ରଘୁବୀର ନଗରରେ ଥିବା ଏକ ଜରି କାରଖାନାରେ କାମ କରୁଥିବା ତାଙ୍କର ଜଣେ ପୁରୁଣା ସହଯୋଗୀ ମୁମ୍ବାଇ ପଳାଇଥିଲେ। ସମିମଙ୍କୁ ମୁମ୍ବାଇ ଚାଲି ଆସିବାକୁ ସେ ପରାମର୍ଶ ଦେଲେ। ତା ପରେ ସେ ମୁମ୍ବାଇ ଯାତ୍ରା ପାଇଁ ଯୋଜନା କଲେ। ୨୦୦୯ରେ ସେ ମୁମ୍ବାଇ ଆସିଲେ। ସେ କହନ୍ତି, ପ୍ରଥମେ ଏମିତି ବଡ ସହରକୁ ଦେଖି ଡରି ଯାଇଥିଲେ। ସେଠାରେ ଥିବା ପୁରୁଣା କର୍ମୀମାନେ ତାଙ୍କୁ କହିଲେ ଏହି ସହରରେ ‘‘ତପୋରିଗିରି’’ (ଗୁଣ୍ଡାଗର୍ଦ୍ଦି) ଚାଲେ ଆଉ ବାହାରୁ ଆସିଥିବା ଲୋକେ ଆକ୍ରମଣର ଶିକାର ହୁଅନ୍ତି। ‘‘ଲୋକେ କହନ୍ତି ‘ମାରୋ ବିହାରୀ କୋ, ବେଙ୍ଗଲୀ କୋ, ଭୈୟା କୋ’। ଏବେ କିନ୍ତୁ ଏ ସବୁ ବଦଳି ଯାଇଛି।’’  

Close up of hand while doing zari work.
PHOTO • Urja
Low angle shot
PHOTO • Urja

ପ୍ରଥମ ତିନି ମାସ ସେମାନେ ମୋତେ ସହଜ ହାତ କାମ ଶିଖାଇଲେ। ଏଥିରେ ଦକ୍ଷ ହେବାକୁ ମୋତେ ଏକ ବର୍ଷ ଲାଗିଲା’, ଜରି କାରିଗର ଭାବେ ପ୍ରଥମ ବର୍ଷଗୁଡ଼ିକ କେମିତି ଥିଲା ସେ କଥା ମନେ ପକାଇଲେ ହମିମ

ଜଣେ ଅଭିଜ୍ଞ କର୍ମଚାରୀ ଭାବେ ହମିମ ଏବେ ଦିନକୁ ୫୫୦ ଟଙ୍କା ରୋଜଗାର କରୁଛନ୍ତି। ଜରି ସିଲେଇ କାମରେ, ପ୍ରଥମ ୬ ଘଣ୍ଟାର କାର୍ଯ୍ୟ (ଗୋଟିଏ ନଫ୍ରି ବା ମଜୁରୀ ଭାବେ ଗଣାଯାଏ) ପାଇଁ କର୍ମଚାରୀମାନେ ୨୨୫ ଟଙ୍କା ପାଆନ୍ତି, ପର ଚାରି ଘଣ୍ଟା ପାଇଁ (୧୦ ଘଣ୍ଟାକୁ ଦୁଇଟି ନଫ୍ରି ଧରାଯାଏ) ୨୨୫ ଟଙ୍କା ଏବଂ ଏହା ପର ଦୁଇ ଘଣ୍ଟା ପାଇଁ ୧୦୦ ଟଙ୍କା (୧୨ଘଣ୍ଟାକୁ ଅଢେଇଟି ନାଫ୍ରି), କିମ୍ବା ସର୍ବାଧିକ ୧୨ ଘଣ୍ଟାକୁ ୫୫୦ ଟଙ୍କା। 

ସାମିମଙ୍କ ମାସିକ ରୋଜଗାର ପ୍ରାୟ ୧୨,୦୦୦ ରୁ ୧୩,୦୦୦ ଟଙ୍କା। ଏଥିରୁ ତାଙ୍କ ନିଜ ଖର୍ଚ୍ଚ ୪,୦୦୦ ଟଙ୍କା। ସୀମା ଖାତୁନ ଓ ପିଲାଙ୍କ ପାଇଁ ସେ ୮,୦୦୦ ଟଙ୍କା ପଠାନ୍ତି। ଏଥିରୁ ତାଙ୍କ ବାପା ମାଆଙ୍କୁ ସୀମା ଖାତୁନ ୧,୦୦୦ ଟଙ୍କା ଦିଅନ୍ତି। ସେମାନେ ତାଙ୍କ ଘରକୁ ଲାଗିଥିବା ଅନ୍ୟ ଗୋଟିଏ ଘରେ ରୁହନ୍ତି।  

୨୦୧୮ରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମିମ ଓ ସୀମାଙ୍କୁ ଘର ମିଳିଛି। ଛୋଟିଆ ରୋଷେଇ ଘର ସାଙ୍ଗକୁ ଏକ ବଖୁରିଆ ଘର। ଘର ପାଇଁ ୧୨୦,୦୦୦ ଟଙ୍କାର ସହାୟତା ସେମାନେ ପାଇବା କଥା। କିନ୍ତୁ ଜଣେ ମଧ୍ୟସ୍ଥି ୨୦,୦୦୦ ଟଙ୍କା ନେଇଗଲେ। ସମୀମ କହନ୍ତି, ‘‘ମୋ ଶଳାଠାରୁ ୨୦,୦୦୦ ଟଙ୍କା ଋଣ କଲି।’’ ଏଥିରୁ ସେ ଅଧା ସୁଝିଛନ୍ତି, ବାକି ୧୦,୦୦୦ ସୁଝିବା ପାଇଁ ମାସକୁ ୧,୦୦୦ ଟଙ୍କା ସଂଚୟ କରିବାକୁ ଚେଷ୍ଟା କରୁଛନ୍ତି। 

ସମିମଙ୍କୁ ଯେତେବେଳେ ୨୦ ବର୍ଷ ଓ ସୀମାଙ୍କୁ ୧୫ ବର୍ଷ, ସେତେବେଳେ ଉଭୟଙ୍କ ବିବାହ ହୋଇଥିଲା। ତାଙ୍କର ୧୦ ବର୍ଷର ପୁଅ ମହମ୍ମଦ ଇର୍ଫାନ ଓ ୮ ବର୍ଷର ଝିଅ ମନ୍ତାସା ପର୍ବିନ ତାଙ୍କ ଗାଁର ସରକାରୀ ସ୍କୁଲରେ ପଢନ୍ତି। ବିହାର ଖାନପୁର ବ୍ଳକ୍ର ଖରଜପୁର ଗାଁରେ ତାଙ୍କ ଘର। ବଡ଼ ପୁଅ ମହମ୍ମଦ ଇମ୍ରାନ ଦଶମ ପରୀକ୍ଷା ଦେଉଛି। ଅଧିକ ପଢିବା ପାଇଁ ତାର ଇଛା ନାହିଁ। ଜେଜେବାପାଙ୍କ ସହ କଂସେଇ କାମ କରିବାକୁ ତାର ଯୋଜନା। 

ସମିମ ଚାହାନ୍ତିନି ସେ ମୁମ୍ବାଇ ଆସି ଜରି କାମ କରୁ, କାରଣ ଏଥିରେ କମ୍ ମଜୁରୀକୁ ବେଶୀ ପରିଶ୍ରମ। “ଜରି ଆଉ ହାତକାମ ଶିଖିବାକୁ ମୋ ସାନଭାଇକୁ ଆଣିଥିଲି, କିନ୍ତୁ ଶିଖିବା ପାଇଁ ବି ତାର ଧର୍ଯ୍ୟ ରହିଲାନି। ମୋ ଖଲା ପୁଅ [ସଂପର୍କୀୟ ପୁତୁରା] ବି କାମ କଲାନି।’’ ତାଙ୍କ ଭାଇ ଗୁରୁଗ୍ରାମରେ ଗୋଟେ ଦୋକାନରେ କାମ କରୁଛନ୍ତି। ସେଠି ଡେଲିଭରି ପାର୍ସଲ ସବୁ ଗାଡ଼ିକୁ ଉଠାଉଛନ୍ତି। ପୁତୁରା ଦରଜୀ କାମ କରୁଛନ୍ତି। ସମିମ କହିଲେ, ‘‘ମୁଁ ଚାହୁଁନି ମୋ ଭଳି ମୋ ପୁଅ କମ୍ ପାରିଶ୍ରମିକରେ ଅଧିକ କାମ କରୁ।’’ ମୁଁ ଚାହୁଁଛି ମୋ ସହ ଏହି କଳା ମରିଯାଉ।’’  

Weavers working
PHOTO • Urja
workers stay in factory.
PHOTO • Urja

ମାହିମଙ୍କ କାରଖାନାରେ, ପାଖକୁ ଲାଗିଥିବା ଗୋଟିଏ ଘରେ ବ୍ୟକ୍ତିଗତ ଜିନିଷ ସବୁ ଥାକରେ ରଖାଯାଇଛି; ୩୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ମୁଖ୍ୟ ଘରର ୪୦୦ ବର୍ଗଫୁଟ ବିଶିଷ୍ଟ ଚଟାଣରେ ରାତିରେ ଶୋଇଥାନ୍ତି 

ସାମିମଙ୍କୁ ଯେତେବେଳେ ୩୦ ବର୍ଷ ହେଲା, ଛୁଞ୍ଚିରେ ସୂତା ପୂରେଇବାକୁ କଷ୍ଟ ହେଲା - ମାହିମଙ୍କ କାରଖାନାରେ ୧୪ଟି ଟ୍ୟୁବ୍ ଲାଇଟ୍ ଲାଗିଥିବା ସତ୍ତ୍ଵେ - ତାଙ୍କ ଦୃଷ୍ଟି ଶକ୍ତି ଝାପ୍ସା ହୋଇଯାଇଥିଲା। ସାଧାରଣତଃ ଜରି କାରିଗରଙ୍କ ଦୃଷ୍ଟି ଶକ୍ତି କିଛି ବର୍ଷ କାମ କରିବା ପରେ କମିଯାଏ। ତାଙ୍କ ସହକର୍ମୀ ଅବଦୁଲଙ୍କ ଆଡ଼କୁ ଛୁଞ୍ଚିଟି ଦେଖାଇ ମଜାଦାର ଢଙ୍ଗରେ କହିଲେ, ‘‘ସେ ବର୍ଷେ ତଳେ ବାହା ହୋଇଛି, ସେ ମୋ ଭଳି ବୁଢା ଦେଖାଯିବାକୁ ଚାହୁଁନି। ’’ 

ଜଣେ ପଡ଼ୋଶୀ ମହିଳାଙ୍କ ଠାରୁ ସମିମ ଓ ତାଙ୍କ ସହକର୍ମୀମାନେ ଟିଫିନ ଖାଆନ୍ତି। ସେ କହିଲେ, ‘‘ମୋତେ କିନ୍ତୁ ଡିଲ୍ଲୀ ବେଶୀ ପସନ୍ଦ, ଖରାଜ ପାଖରେ ଖାଦ୍ୟ ବେଶୀ ଶସ୍ତା ଆଉ ସ୍ୱାଦିଷ୍ଟ।’’ ଖାଇବା ବାବଦକୁ ୬ ଦିନରେ ୧୨ଟି ମିଲ୍ ପାଇଁ ୪୫୦ ଟଙ୍କା ଦେବାକୁ ପଡ଼େ। ଏଥିରେ ସପ୍ତାହକୁ ଦୁଇ ଥର ଆମିଷ, ସାଧାରଣତଃ ଚିକେନ ଏବଂ ବେଳେବେଳେ ମଇଁଷି ମାଂସ। ସାମିମ କହନ୍ତି ତାଙ୍କୁ ମିଳୁଥିବା ଖାଇବାଠାରୁ ତାଙ୍କ ସ୍ତ୍ରୀ ବହୁତ ଭଲ ରୋଷେଇ କରନ୍ତି। ମିଳୁଥିବା ଖାଦ୍ୟ ସେତେ ସୁଆଦିଆ ନୁହେଁ। 

ରବିବାର ଛୁଟି। ସେଦିନ କର୍ମଚାରୀମାନେ ବାହାରେ ଖାଆନ୍ତି। ବେଳେବେଳେ ସାମିମ ପବନ ଖାଇବାକୁ ସମୁଦ୍ରକୂଳକୁ ଯାଆନ୍ତି, କିମ୍ବା ବାବା ମାଖଡୁମ ଶାହ ଦରଗାହ କୁ ଯାଆନ୍ତି। କିଛି ସପ୍ତାହ ଭିତରେ ସେ ଖରାଜ (ଦିନମାନପୁର) ଫେରିବା ପାଇଁ ପୱନ ଏକ୍ସପ୍ରେସ୍ର ସାଧାରଣ ବଗିରେ ବସିବେ। ତାଙ୍କ ଘରର ଟିଣ ଛପର ଉଠାଇ ସିମେଣ୍ଟ ଛାତ କରିବେ। ସେଥିପାଇଁ ତାଙ୍କୁ ଫେରିବାକୁ ପ୍ରାୟ ମାସେ ଲାଗିବ। ସେ କହିଲେ, ‘‘ମୁଁ ଘରେ ରହିବା ବେଳେ ବାପାଙ୍କ ଖାତିକ୍ [କଂସେଇ କାର୍ଯ୍ୟ] କାମରେ ସାହାଯ୍ୟ କରିବା ସବୁଠୁ ଭଲ। ଏଥିରେ [ଦିନକୁ ୧୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ] ରୋଜଗାର ହେବ।’’ 

‘‘କିଛି ନୂଆ କାମ କରିବାକୁ ମୋ ପାଖରେ ସୁଯୋଗ ନାହିଁ, ନୂଆ କାମ ଧରିବାକୁ ବର୍ଷେ ପାଖାପାଖି ସମୟ ଲାଗିବ। ସେହି ସମୟରେ ଗାଁରେ ମୋ ପରିବାର କେମିତି ଚଳିବ?’’ ପାଖରେ ଥିବା ଦରଗାହରୁ ଭାସି ଆସୁଥିବା ଆଜନ ଭିତରେ ତାଙ୍କ ସ୍ୱର ମିଳେଇ ଯିବା ପୂର୍ବରୁ ସେ ପ୍ରଶ୍ନ କଲେ। 

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Urja
urja@ruralindiaonline.org

Urja is a Video Coordinator at the People’s Archive of Rural India.

Other stories by Urja