କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ଆଲୁମିନା ରିଫାଇନାରିଠାରୁ ପ୍ରାୟ ୧୧୦ କିମି ଦୂରରେ କାର୍ଲାଗାଓଁ ଗାଁରେ ରହୁଥିବା ଜଣେ ଦଳିତ କବି, ଗାୟକ ଏବଂ ସାମାଜିକ କର୍ମୀ ରାଜକିଶୋର ସୁନାନି କହନ୍ତି, ‘ପିଲାଦିନରୁ ମୁଁ ଜଣେ ବିଦ୍ରୋହୀ। ଅନ୍ୟାୟ ବିରୋଧରେ ମୁଁ ସ୍ୱର ଉତ୍ତୋଳନ କରେ। ୨୦୦୨-୦୩ରେ ମୁଁ ଅଭିଯାନ (ନିୟମଗିରି ପାହାଡ଼ରୁ ବକ୍ସସାଇଟ ଉତ୍ତୋଳନକୁ ବିରୋଧ କରି)ରେ ସାମିଲ ହୋଇଥିଲି। ଲୋକଙ୍କୁ ସଚେତନ କରିବାକୁ ମୁଁ ଗୀତ ଲେଖିଥିଲି ଏବଂ ଅଭିଯାନର ବାର୍ତ୍ତା ପହଞ୍ଚାଇବା ପାଇଁ ଗାଁକୁ ଗାଁ ବୁଲିଥିଲି।

ରାଜକିଶୋର ମନେ ପକାନ୍ତି, ‘ସେ ସମୟରେ ମୋ ପତ୍ନୀ ଲୀଲାବତୀ ଏବଂ ମୁଁ ଏଠାକାର ଗାଁରେ ରହୁଥିଲୁ ଏବଂ ଗୀତ ଗାଉଥିଲୁ।’ ଲୋକମାନେ ଏହି ଦମ୍ପତ୍ତିଙ୍କୁ ସେମାନଙ୍କର ଘରକୁ ନିମନ୍ତ୍ରଣ କରି ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଉଥିଲେ। ନିଜ ଗାଁରେ ଚାଷ କରୁଥିବା ସୁନାନିମାନଙ୍କର ସେତେବେଳେ ଆୟର କୌଣସି ସ୍ରୋତ ନଥିଲାଏବଂ ସେମାନେ ଆଦିବାସୀଙ୍କ ବଦାନ୍ୟତା ଉପରେ ନିର୍ଭର କରୁଥିଲେ। ସେ କହନ୍ତି, ‘୨୦୦୪ରେ ବେଦାନ୍ତ ବିରୋଧରେ ଆନ୍ଦୋଳନ ପାଇଁ ମୁଁ ଓ ମୋ ସ୍ତ୍ରୀ ଜେଲ୍ ମଧ୍ୟ ଯାଇଥିଲୁ। ମୁଁ ୩ ମାସ ଓ ଲୀଳାବତୀ ଗୋଟିଏ ମାସ ପାଇଁ ଜେଲରେ ରହିଥିଲୁ। ଆଜି ମଧ୍ୟ, ସରକାର ଓ ଖଣି କମ୍ପାନୀ ଗୁଡିକର ଅସାଧୁ ମେଣ୍ଟ ଜାରି ରହିଛି ଏବଂ ସେମାନେ ଲୋକଙ୍କ ଆନ୍ଦୋଳନକୁ ଦବାଇ ଦେଉଛନ୍ତ।’

ଦକ୍ଷିଣ-ପଶ୍ଚିମ ଓଡିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ପରିବ୍ୟାପ୍ତ ନିୟମଗିରି ପର୍ବତମାଳା ଡଙ୍ଗରିଆ କନ୍ଧ (ବା ଝରଣିଆ କନ୍ଧ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ନାଁରେ ନିଜକୁ ପରିଚୟ ଦିଅନ୍ତି) ଙ୍କର ଆବାସସ୍ଥଳୀ, ଯେଉଁମାନେ ନିର୍ଦ୍ଧିଷ୍ଟ ଭାବେ ଏକ ବିଲୁପ୍ତପ୍ରାୟ ଆଦିବାସୀ ସଂପ୍ରଦାୟ, ଏମାନଙ୍କ ଆନୁମାନିକ ସଂଖ୍ୟା ଏବେ ମାତ୍ର ୮,୦୦୦ ରହିଛି। ନିୟମଗିରି ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ଟି ଗାଁରେ ଏମାନଙ୍କ ସହ ସଂପର୍କିତ ଅନ୍ୟ ଆଦିବାସୀ ସଂପ୍ରଦାୟ ରହନ୍ତି।

ସରକାରୀ ମାଲିକାନାରେ ଥିବା ଓଡିଶା ମାଇନିଂ କର୍ପୋରେସନ୍ ଏବଂ ଷ୍ଟେରେଲାଇଟ୍ ଇଣ୍ଡଷ୍ଟ୍ରିଜ୍ (ଏବେ ବେଦାନ୍ତ), ଏକ ବ୍ରିଟିଶ୍ ବହୁରଷ୍ଟ୍ରୀୟ କମ୍ପାନୀ ଦ୍ୱାରା ପ୍ରସ୍ତାବିତ ଏକ ପ୍ରକଳ୍ପକୁ ଦୀର୍ଘ ସମୟ ଧରି ଡଙ୍ଗରିଆ କନ୍ଧମାନେ ବିରୋଧ କରିଆସୁଥିଲେ। ରାଜ୍ୟର ଲାଞ୍ଜିଗଡ ତହସିଲରେ ଥିବା ବେଦାନ୍ତ ରିଫାଇନାରି ପାଇଁ ଆଦିବାସୀମାନଙ୍କର ପବିତ୍ର ପାହାଡରୁ ବକ୍ସାଇଟ୍ (ଆଲୁମିନିୟମ୍ ତିଆରି ପାଇଁ ବ୍ୟବହୃତ ହୁଏ) ନେବା ଥିଲା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।

୨୦୧୩ରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ନିୟମଗିରି ନିକଟରେ ଥିବା ୧୨ଟି ଆଦିବାସୀ ଗାଁରୁ ସଂଗୃହୀତ ଜନମତ ମାଧ୍ୟମରେ ଆଦିବାସୀମାନେ ସେମାନଙ୍କ ଭୂଇଁରୁ ଖଣିଜ ଉତ୍ତୋଳନକୁ ମିଳିତ ଭାବେ ଅସ୍ୱୀକାର କଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଆନେ୍ଦାଳନର ନେତୃତ୍ୱ ନେଉଥିଲା ସଂପୃକ୍ତ ଅଞ୍ଚଳର ଆଦିବାସୀ ଓ ରାଜକିଶୋରଙ୍କ ଭଳି ସମାଜସେବୀ ମାନଙ୍କୁ ନେଇ ଗଠିତ ନିୟମଗିରି ସୁରକ୍ଷା ସମିତି।

ସେହି ଜନମତ ବା ରେଫରେଣ୍ଡମକୁ ବଦଳାଇବାକୁ ଏ ଯାଏଁ ଚେଷ୍ଟା କରିଆସିଛନ୍ତି ଓଡିଶା ସରକାର(ଏ ଯାଏଁ ସଫଳ ହୋଇନାହାନ୍ତି), ଏବଂ ବେଦାନ୍ତ ରିଫାଇନାରି ଅନ୍ୟ ସୂତ୍ର (ଉତ୍ସ)ରୁ ଅଣାଯାଉଥିବା ବକ୍ସାଇଟ୍ରେ ଚାଲୁଛି। ତେବେ ଏ ଅଞ୍ଚଳର ଆଦିବାସୀଙ୍କ ପୂର୍ବପୁରୁଷଙ୍କ ଭୂଇଁ ଉପରେ ଏବେ ବି ରହିଛି ବିପଦ ।

Rajkishor Sunani sings a song while people gather around him to listen
PHOTO • Purusottam Thakur

୨୦୧୮ ଫେବ୍ରୁୟାରୀରେ ଅନୁଷ୍ଠିତ ନିୟମଗିରି ମହୋତ୍ସବରେ କବି-ଗାୟକ-ସମାଜସେବୀ ରାଜକିଶୋର ସୁନାନି

ଏହିପରି ଆନ୍ଦୋଳନ ଫଳରେ ବିଶ୍ୱର ପରିବେଶ କେତେକାଂଶରେ ସୁରକ୍ଷିତ ଓ ସଂରକ୍ଷିତ ରହୁଛି। ନହେଲେ ସବୁକିଛି ନଷ୍ଟ ହୋଇସାରିଥାନ୍ତା, ଧାପ ବଜାଉ ବଜାଉ ଗୀତ ଜରିଆରେ ପାହାଡର ସୌନ୍ଦର୍ଯ୍ୟ ବର୍ଣନା କରୁ କରୁ ସୁନାନି କହିଲେ ।

ନିୟମଗିରି ଅନଳଭଟ ଗାଁରେ  ନିକଟରେ ଅନୁଷ୍ଠିତ ଚଳିତ ବର୍ଷର ବାର୍ଷିକ ଅମଳ ପରବର୍ତ୍ତୀ ପର୍ବରେ ମୁଁ ରାଜକିଶୋରଙ୍କୁ ଭେଟିଥିଲି। ସେ ଦୁର୍ଗମ ପାହାଡିଆ ରାସ୍ତା ଦେଇ ଛଅ କିଲୋମିଟର ଯାତ୍ରା କରି ଆସି ଏଠାରେ ପହଞ୍ଚିଥିଲେ। ପ୍ରତିବର୍ଷ ଫେବ୍ରୁୟାରୀ ୨୩ରୁ ୨୫ ଯାଏଁ ଏହି ପର୍ବ ପାଳନ କରାଯାଏ ଏବଂ ଏହା ନିୟମ ରାଜା(ରାଜା ବା ଆଇନଦାତା)ଙ୍କୁ ସମର୍ପିତ।  ପର୍ବର ଦ୍ୱିତୀୟ ଦିନ ସନ୍ଧ୍ୟା ଏବଂ ଅନ୍ତିମ ଦିନର ସକାଳେ ଯେତେବେଳେ ସାମାଜିକ କର୍ମୀମାନେ ଲୋକମାନଙ୍କର ଅଭିଯାନ ସଂପର୍କରେ ସେମାନଙ୍କର ଅଭିଜ୍ଞତାକୁ ବର୍ଣ୍ଣନା କରନ୍ତି ସେତେବେଳେ ରାଜକିଶୋର ଗୀତ ଗାଇଥାନ୍ତି। ଯେତେବେଳେ ସେ ଗୀତ ଗାଆନ୍ତି ଅଧିକ ଲୋକ ସେଠାରେ ଏକତ୍ରିତ ହୋଇଥାନ୍ତି ।

ସେ ଗଭୀର ମନଯୋଗର ସହିତ ଗୀତ ଗାଆନ୍ତି, ଧାପ(ଡ୍ରମର ଏକ ଫ୍ରେମ) ଭଳି ବାଦ୍ୟଯନ୍ତ୍ର ବଜାଇଥାନ୍ତି ଏବଂ ବହୁ ସଂଖ୍ୟାରେ ଜନତାଙ୍କୁ ଏକତ୍ରିତ କରନ୍ତି। ନିୟମଗିରିରେ ଲୋକମାନଙ୍କର ଆନେ୍ଦାଳନ ବ୍ୟତୀତ ସେ ଅନ୍ୟ ସଂଘର୍ଷ ସଂପର୍କରେ ମଧ୍ୟ ଗୀତ ରଚନା କରିଛନ୍ତି। ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଧନ ପାହାଡ଼ରୁ ଭାରତ ଆଲୁମିନିୟମ କଂପାନି(ବାଲ୍କୋ) ଦ୍ୱାରା ବକ୍ସସାଇଟ ଉତ୍ତୋଳନ ବିରୋଧରେ ମଧ୍ୟ ସେ ଗୀତ ରଚନା କରିଛନ୍ତି ।

ବର୍ତ୍ତମାନ ୫୫ ବର୍ଷ ବୟସରେ ଉପନୀତ ରାଜକିଶୋର ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଗାୟକ ତଥା ସାମାଜିକ କର୍ମୀ ଭାବେ କାମ କରିଆସୁଛନ୍ତି। ସେ ମଧ୍ୟ ସମାଜବାଦୀ ଜନ ପରିଷଦ(ସମାଜବାଦୀ ନେତା କିଶେନ୍ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ରାଜନୈତିକ ଦଳ)ର ସଦସ୍ୟ ଅଛନ୍ତି। ଯାହାକି ନିୟମଗିରି ଏବଂ ଓଡ଼ିଶାର ଅନ୍ୟ ଗାଁରେ ଲୋକମାନଙ୍କର ଆନ୍ଦୋଳନକୁ ସମର୍ଥନ କରିଛି ।

ମୁଁ ତାଙ୍କୁ ପଚାରିଲି, ‘ଆପଣ ଯେଉଁ ସଂଘର୍ଷର ଅଂଶବିଶେଷ ଅଛନ୍ତି ତା’ ସଂପର୍କରେ କଣ ଅନୁଭବ କରନ୍ତି?’ ସେ କହନ୍ତି, ‘କେବଳ ଏଭଳି କିଛି ଅଭିଯାନ ଯୋଗୁ ବିଶ୍ୱର ପରିବେଶ କିଛି ମାତ୍ରାରେ ସଂରକ୍ଷିତ ହେଉଛି। ନ ହେଲେ ସବୁକିଛି ନଷ୍ଟ ହୋଇଯାଇଥାନ୍ତା ।’ ଏପରି ନ ହେବାକୁ ଦେବାଲାଗି ସେ ତାଙ୍କ ଧାପ୍  ବାଦନ କରନ୍ତି ଏବଂ ପାହାଡ଼ର ସୌନ୍ଦର୍ଯ୍ୟ ସଂପର୍କରେ ଗୀତ ଗାଇଥାନ୍ତି। ଏଠାରେ ଦିଆଯାଇଥିବା ଏଠାରେ ସଂଯୋଗ କରାଯାଇଥିବା ଭିଡିଓରେ ତାଙ୍କର ଗୀତକୁ ଉପଭୋଗ କରନ୍ତୁ ।(ଗୀତର ପଦ୍ୟାବଳୀ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି):

ଭିଡିଓ ଦେଖନ୍ତୁ : ସୁନାନିଙ୍କର ନିୟମଗିରି ପାଇଁ ଗୀତ

ନିୟମଗିରି ପାଇଁ ଗୀତ

ଆମେ କେବେହେଲେ ପାହାଡ଼, ଝରଣା, ଜଙ୍ଗଲ ଓ ଆମ ଘରକୁ ଛାଡ଼ି ଯିବୁ ନାହିଁ

ଆମେ କେବେହେଲେ ସଂଘର୍ଷକୁ ଛାଡ଼ିବୁ ନାହିଁ, ଏପରିକି ଆମକୁ ଆମର ପ୍ରାଣବଳି ଦେବାକୁ ପଡ଼ିଲେ ମଧ୍ୟ

ପ୍ରିୟ ବନ୍ଧୁ, ଆମେ କେବେହେଲେ ସଂଘର୍ଷକୁ ତ୍ୟାଗ କରିବୁ ନାହିଁ


ପାହାଡ଼, ଜଙ୍ଗଲ ଏବଂ ଝରଣାଗୁଡ଼ିକ ହେଉଛନ୍ତି ଆମର ଦେବତା

ଏହି ମାଟି ଫୁଲ ଓ ଫଳ ଦ୍ୱାରା ପରିପୂର୍ଣ୍ଣ ଯାହାକି କୁବେର ଭଳି (ହିନ୍ଦୁମାନଙ୍କର ଧନ ଦେବତା)

ପ୍ରିୟ ବନ୍ଧୁଗଣ, ପାହାଡ଼, ଜଙ୍ଗଲ, ଜମି ଓ ଝରଣାଗୁଡ଼ିକ ଆମର ଦେବତା

ଜମି,ଜଳ,ବାୟୁ,ଆକାଶ ଏବଂ ଅଗ୍ନି ହେଉଛି ଦେବତା(ଇଶ୍ୱର)


ଆମର ଦେବତା ହେଉଛନ୍ତି ସିଏ ଯିଏକି ସବୁବେଳେ ଦାନ କରନ୍ତି-ଆମର ଦେବତା ଆମ ଜୀବନ

ପ୍ରିୟ ବନ୍ଧୁଗ; ପାହାଡ଼, ଜଙ୍ଗଲ, ଜମି ଏବଂ ଝରଣାଗୁଡ଼ିକ ହେଉଛନ୍ତି ଆମର ଦେବତା

ଏହା ଆମର ଭ-ଗ-ବାନ୍: ‘ଭ’ର ଅର୍ଥ ଭୂମି (ମାଟି), ‘ଗ’ର ଅର୍ଥ ଗଗନ (ଆକାଶ), ‘ବା’ର ଅର୍ଥ ବାୟୁ (ପବନ) ଏବଂ ‘ନ’ର ଅର୍ଥ ନୀର (ଜଳ)


ମାଟି ଆମକୁ ସବୁଜିମା, ଗଛ, ଫଳ ଏବଂ ମୂଳ ଦେଇଥାଏ

ଆକାଶ ଆମକୁ ବାୟୁ  ଏବଂ ଝରଣାର ଜଳ ଦିଏ

ପାଣି ମା’ କ୍ଷୀର ଭଳି ପ୍ରବାହିତ ହୋଇଥାଏ


ପ୍ରିୟ ବନ୍ଧୁଗଣ, ଆମେ ମାତୃଭୂମିର ଅମୃତ ପାନ କରୁ

ତୁମେ ତୁମର ଭଗବାନଙ୍କୁ ଛାଡ଼ି ରହିପାର,

କିନ୍ତୁ ଆମେ ଆମର ଭଗବାନଙ୍କୁ ଛାଡ଼ି ବଞ୍ଚିପାରିବୁ ନାହିଁ


ଏହା ସତ୍ୟ କି ନାହିଁ, ଆମେ ଜାଣୁନା

ପ୍ରକୃତିକୁ ଛାଡ଼ି ତୁମେ କିପରି ବଞ୍ଚିପାରିବ?


ହେ ପ୍ରିୟ! ଏହି ବିଜ୍ଞାନ ହେଉଛି ସତ୍ୟ

ପ୍ରିୟ ବନ୍ଧୁଗଣ! ଦୟାକରି ସତ୍ୟକୁ ସ୍ୱୀକାର କର

ଏବଂ ଅସତ୍ୟକୁ ପରିତ୍ୟାଗ କର!

ପାହାଡ଼, ଜମି, ଜଙ୍ଗଲ ଏବଂ ଝରଣାଗୁଡ଼ିକ ହେଉଛନ୍ତି ଆମର ମୁଖ୍ୟ ଦେବତା


ଆମର ମାଟି ଜଙ୍ଗଲ, ଫଳ, ମୂଳ ଓ ଜୀବଜନ୍ତୁ ପୂର୍ଣ୍ଣ

ଆମେ ହିନ୍ଦୁ ନୁହଁ କି ମୁସଲମାନ ବା ଖ୍ରୀଷ୍ଟିଆନ୍ ନୁହଁ

ଆମେ ଆଦିବାସୀ ଏବଂ ପ୍ରକୃତିର ଉପାସକ

ପ୍ରିୟ ବନ୍ଧୁମାନେ, ଆମେ ସମାନ, ପୁରୁଷ ଓ ମହିଳା

ପ୍ରିୟ ବନ୍ଧୁଗଣ, ଆମେ ଏଠାରେ ସ୍ୱାଧୀନତାକୁ ଉପଭୋଗ କରିଥାଉ


ପ୍ରିୟ ବନ୍ଧୁଗଣ, ସରକାର ଏବଂ କର୍ପୋରେଟମାନେ ଆମକୁ ଦବାଉଛନ୍ତି

ସେମାନେ ପରସ୍ପର ସହିତ ଏକାଠି ହୋଇଛନ୍ତି

ପ୍ରିୟ ବନ୍ଧୁମାନେ, ପାହାଡ଼, ଭୂମି, ଜଙ୍ଗଲ ଏବଂ ଝରଣାଗୁଡ଼ିକ ଆମର ଦେବତା

ଆମେ ଜଙ୍ଗଲ, ଜମି, ପାଣି, ଜୀବଜନ୍ତୁ ଓ ଲୋକଙ୍କ ସୁରକ୍ଷା କରିବା


ଯଦି ପରିବେଶ ନଷ୍ଟ ହୋଇଯାଏ ତା ହେଲେ ଆମେ ସମସ୍ତେ ମରିବା

ଆମେ, ଚାଷୀମାନେ, ଶ୍ରମିକ ଏବଂ ଦିନ ମଜୁରିଆ, ଆମେ ସମସ୍ତେ ଏକାଠି ହେବା

ଆମକୁ ଯେଉଁମାନେ ଲୁଟ୍ କରୁଛନ୍ତି ଆମେ ସେମାନଙ୍କୁ ବିତାଡ଼ିତ କରିବା, ସେତେବେଳେ ଯାଇ ଆମେ ବଞ୍ଚିପାରିବା...


ପ୍ରିୟ ବନ୍ଧୁମାନେ, ପାହାଡ଼, ଜମି, ଜଙ୍ଗଲ ଏବଂ ଝରଣାଗୁଡ଼ିକ ଆମର ଦେବତା

ହେ ସରକାର! ଆମେ ତୁମର ଲାଠି, ଗୁଳି ଏବଂ ଜେଲକୁ ଭୟ କରିବୁ ନାହିଁ

ଆମେ ଆମର ମାତୃଭୂମି ପାଇଁ ପ୍ରାଣବଳି ଦେବୁ ଏବଂ ସଂଘର୍ଷକୁ କେବେହେଲେ ତ୍ୟାଗ କରିବୁ ନାହିଁ!

ସମସ୍ତ ଆଦିବାସୀ ଏବଂ ଶ୍ରମିକମାନେ ଜାଗ୍ରତ ହୁଅ

ଯଦି ଆମ ଉପରେ ଆକ୍ରମଣ କରାଯାଏ, ଆମେ, ମାଟିର ସନ୍ତାନ ଚୁପ୍ ହୋଇ ରହିବୁ ନାହିଁ

ଆମର ସଂଘର୍ଷ ଜାରି ରହିବ...


ପ୍ରିୟ ବନ୍ଧୁ! ଆମେ ଶାନ୍ତିର ସହ ଏବଂ ସ୍ୱାଧୀନ ଭାବେ ବଞ୍ଚିବାକୁ ଚାହୁଁ!

ପ୍ରିୟ ବନ୍ଧୁ, ଆମେ ଆମର ଅଧିକାର ପାଇଁ ଲଢେ଼ଇ କରୁଛୁ!

ପ୍ରିୟ ବନ୍ଧୁ, କର୍ପୋରେଟ ସରକାରଙ୍କୁ ବିତାଡ଼ିତ କର!

ପ୍ରିୟ ବନ୍ଧୁ, ପାହାଡ଼, ଜମି, ଜଙ୍ଗଲ ଏବଂ ଝରଣାଗୁଡ଼ିକ ଆମର ଦେବତା...

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur