ନନ୍ଦା ଗୋତାର୍ଣ୍ଣେ କହିଲେ, ‘‘ସାଧାରଣତଃ ଗାଁରେ ଏହା ଏକ ଉତ୍ସବ ପରି ମନେହୁଏ’’। ପ୍ରତିବର୍ଷ ଅକ୍ଟୋବରର ଶେଷ ଭାଗରେ ତାଙ୍କ ଜମି ନିକଟରେ ଥିବା ପଡ଼ିଆ ଏକ ସାମୂହିକ ଧାନ ବେଙ୍ଗଳା କରିବା ସ୍ଥାନରେ ପରିଣତ ହୋଇଯାଏ । ଯେଉଁଠାରେ ଗେଟ୍‌ସ ବୁଦ୍ରୁକର ଚାଷୀମାନେ ସଦ୍ୟ କଟା ହୋଇଥିବା ଧାନକୁ ବଳଦ ସାହାଯ୍ୟରେ ଅମଳ କରନ୍ତି । ସେମାନେ ନଭେମ୍ବର ମାସର ମଧ୍ୟଭାଗ ପର୍ଯ୍ୟନ୍ତ ଏହି କାମ ଜାରି ରଖନ୍ତି ।

ଏ ବର୍ଷ, ଏହି ପଡ଼ିଆ ଏବଂ ଜମିଗୁଡ଼ିକ ଗତମାସର ମଝି ସୁଦ୍ଧା ସନ୍ତସନ୍ତିଆ ଜମି ପାଲଟିଯାଇଥିଲା । ଅମଳ ହୋଇଥିବା ଧାନକୁ ବେଙ୍ଗଳା ପକାଇବା ପାଇଁ ପ୍ରସ୍ତୁତି କରିବା ପରିବର୍ତ୍ତେ ନନ୍ଦା ଏବଂ ତାଙ୍କ ସ୍ୱାମୀ କୈଳାଶଙ୍କୁ ଅକ୍ଟୋବର ୧୬ ଏବଂ ୧୭ରେ ସେମାନଙ୍କର ଦୁଇ ଏକର ଜମିରୁ ଫସଲ ସଫା କରିବାକୁ ହୋଇଥିଲା ।

ଦୁଇଦିନ ପରେ, ସେମାନଙ୍କ ଜମିରେ ତଥାପି ଗୋଇଠି ବୁଡ଼ିବା ପର୍ଯ୍ୟନ୍ତ ପାଣି ଜମି ରହିଥିଲା ଏବଂ ୪୨ ବର୍ଷ ବୟସ୍କା ନନ୍ଦା ଓଦା ହୋଇଯାଇଥିବା ଧାନ ହଳାଗୁଡ଼ିକୁ ଖରାରେ ଶୁଖାଉଥିଲେ । ତାଙ୍କ ଶାଢ଼ୀର ଗୋଟିଏ କଣରେ ଲୁହ ପୋଛି ସେ କହିଲେ, ‘‘ମୁଁ ଜାଣିନି ଏଇ ଶୁଖାଇବା ଉପଯୁକ୍ତ ହେବ ନା ନାହିଁ…’’ (ଏହା ଠିକ୍‌ ହୋଇଥିଲା ଏବଂ ସେ ଧାନ ବେଙ୍ଗଳା ପକାଇବା ପରେ ନିମ୍ନମାନର ଛଅ କ୍ୱିଣ୍ଟାଲ ଧାନ ପାଇଥିଲେ – ଯାହାକି ସେ ଗତବର୍ଷ ପାଇଥିବା ପ୍ରାୟ ୧୫ କ୍ୱିଣ୍ଟାଲ ତୁଳନାରେ ଖୁବ୍‌ କମ୍‌ ଥିଲା) । ନନ୍ଦାଙ୍କ ସ୍ୱାମୀ କୈଳାଶ, ୪୭ ବଡ଼ା ତାଲୁକାର ଏକ ଘରୋଇ କାର୍ଯ୍ୟାଳୟରେ ଜଣେ ସହକାରୀ ଭାବରେ କାର୍ଯ୍ୟ କରନ୍ତି ଏବଂ ମାସକୁ ପ୍ରାୟ ଟ. ୮୦୦୦ ଆୟ କରନ୍ତି । ସେମାନଙ୍କର ଗୋଟିଏ ୧୪ବର୍ଷର ଝିଅ ଏବଂ ୧୦ ବର୍ଷର ପୁଅ ଅଛି, ଉଭୟ ସ୍ଥାନୀୟ ଜିଲ୍ଲା ପରିଷଦ ସ୍କୁଲରେ ପାଠ ପଢ଼ୁଛନ୍ତି।

ଅକ୍ଟୋବର ମାସରେ ଏକ ଅପ୍ରତ୍ୟାଶିତ ବୃଷ୍ଟିପାତ ୧,୧୩୪ ଜନସଂଖ୍ୟା ବିଶିଷ୍ଟ ଗେଟ୍‌ସ ବୁଦ୍ରୁକ ଗ୍ରାମର ନନ୍ଦାଙ୍କ ପରିବାର ଓ ଅନ୍ୟ ସମସ୍ତ ଚାଷୀଙ୍କୁ କ୍ଷତିଗ୍ରସ୍ତ କରିଥିଲା।

କାମିନୀ ଗୋତର୍ଣ୍ଣେଙ୍କ ଜମି ମଧ୍ୟ ସନ୍ତସନ୍ତିଆ ହୋଇଯାଇଥିଲା । ସେ କହିଲେ, ‘‘ଧାନଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଓଦା ହୋଇଯାଇଛି, ଏହା ମାଟିରେ ଭର୍ତ୍ତି ହୋଇଯାଇଛି ।’’ ସେ ଏବଂ ତାଙ୍କ ସ୍ୱାମୀ ମନୋଜ ଅକ୍ଟୋବର ମାସରେ ସେମାନଙ୍କର ଚାରିଏକର ଜମିର ନଷ୍ଟ ହୋଇଥିବା ଫସଲ ସଫା କରୁଥିଲେ, ଦାଆରେ ଶୋଇଯାଇଥିବା ଧାନଗଛଗୁଡ଼ିକୁ କାଟୁଥିଲେ । ଅନ୍ୟ ଚାରିଜଣ କୃଷକ ସେମାନଙ୍କୁ ସାହାଯ୍ୟ କରୁଥିଲେ । ଗାଁରେ ସମସ୍ତେ ସମସ୍ତଙ୍କ କ୍ଷେତରେ କାମ କରୁଛନ୍ତି ।

Nanda Gotarne drying paddy stalks; the accumulated water in her farm, which damaged the crop, remained after the stalks were cut (right)
PHOTO • Jyoti Shinoli
Nanda Gotarne drying paddy stalks; the accumulated water in her farm, which damaged the crop, remained after the stalks were cut (right)
PHOTO • Jyoti Shinoli

ନନ୍ଦା ଗୋତାର୍ଣ୍ଣେ ଧାନ ହଳା ଶୁଖାଉଛନ୍ତି; ତାଙ୍କ ଜମିରେ ଜମି ରହି ଫସଲକୁ ନଷ୍ଟ କରିଦେଇଥିବା ପାଣି ଗଛଗୁଡ଼ିକ କଟା ହେବା ପରେ ମଧ୍ୟ ରହିଛି, (ଡାହାଣ)

ଯେତେବେଳେ ଅକ୍ଟୋବର ୧୯ ତାରିଖରେ ମୁଁ ଜମିକୁ ଦେଖିବାକୁ ଯାଇଥିଲି ସେତେବେଳେ ୪୫ବର୍ଷ ବୟସ୍କ ମନୋଜ କହିଲେ, ‘‘ଏହି ବଡ଼ ମୂଳଗୁଡ଼ିକୁ ଦେଖୁଛନ୍ତି? ଏହି ଧାନ ଗଜା ହୋଇଯାଇଛି, କାରଣ ଫସଲ ପାଣିରେ ବୁଡ଼ି ରହିଲା। ବର୍ତ୍ତମାନ ଏହି ଧାନର ଚାଉଳ କୌଣସି ଉପଯୋଗ ନାହିଁ । ପାଚି ଯାଇଥିବା ଫସଲ ପାଇଁ ସାମାନ୍ୟ ବର୍ଷା ମଧ୍ୟ ଖରାପ । ବର୍ତ୍ତମାନ ପ୍ରାୟ ୮୦% ଧାନ ନଷ୍ଟ ହୋଇଯାଇଛି ।’’

ସେହି ସାମାନ୍ୟ ବର୍ଷା ସ୍ୱାଭାବିକତାଠାରୁ ମାତ୍ର ୯ମିମି ଅଧିକ ଥିଲା। କିନ୍ତୁ ପାଣି ଜମିବା ସହ ଏହା ପାଚିଯାଇଥିବା ଧାନଫସଲକୁ ନଷ୍ଟ କରିଦେଇପାରେ । ଗେଟ୍‌ସ ବୁଦ୍ରୁକ ଥିବା ମହାରାଷ୍ଟ୍ରର ବଡ଼ା ତାଲୁକାରେ ଅକ୍ଟୋବର ୧ରୁ ଅକ୍ଟୋବର ୨୧ ମଧ୍ୟରେ ପ୍ରାୟ ୫୦.୭ ମିମି ବର୍ଷା ହୋଇଥିଲା – ଏହି ସମୟରେ ସାଧାରଣ ବୃଷ୍ଟିପାତ ହେଉଛି ୪୧.୮ ମିମି । ଭାରତୀୟ ପାଣିପାଗ ବିଭାଗ ଅକ୍ଟୋବର ୧୩ ତାରିଖରେ କୋଙ୍କଣ ଏବଂ ଭାରତର ଅନ୍ୟ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷାର ଏକ ସତର୍କ ସୂଚନା ଜାରି କରିଥିଲା।

ଭୀଷଣ ପବନ ସହିତ ଏହି ବର୍ଷା ଧାନଗୁଡ଼ିକୁ ଶୁଆଇଦେଲା । କାମିନୀ ଏବଂ ମନୋଜଙ୍କ ଜମିର ଫସଲଗୁଡ଼ିକ ଅକ୍ଟୋବର ୧୩ରୁ ତିନିଦିନ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିଥିଲା। ସାଧାରଣତଃ ପ୍ରତିବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ତାଙ୍କ ପରିବାର ବଡ଼ାକୋଲାମ ପ୍ରଜାତିର ୧୫ରୁ ୨୦ କ୍ୱିଣ୍ଟାଲ ଧାନ ଅମଳ କରିଥାଏ । ସେମାନେ ୭-୮ କ୍ୱିଣ୍ଟାଲ ମହାମଣ୍ଡଳ (ଭାରତୀୟ ଖାଦ୍ୟ ନିଗମ, ମହାରାଷ୍ଟ୍ର କ୍ଷେତ୍ର)ରେ  କ୍ୱିଣ୍ଟାଲ ପିଛା ପ୍ରାୟ ଟ. ୨,୦୦୦-୨,୨୦୦ ଦାମରେ ବିକ୍ରି କରନ୍ତି ଏବଂ ବଳକା ସେମାନଙ୍କର ନିଜ ବ୍ୟବହାର ପାଇଁ ରଖନ୍ତୁ । କିନ୍ତୁ ଏ ବର୍ଷ ବୁଡ଼ି ଯାଇଥିବା ଧାନ ବିଷୟରେ କାମିନି କହିଲେ, ‘‘ଆମେ ଏହି ଧାନର ଚାଉଳ ଖାଇପାରିବୁ ନାହିଁ କିମ୍ବା ଆମର ଗାଈ ଏବଂ ମଇଁଷିଙ୍କ ପାଇଁ ଏହାକୁ ଦାନା ଭାବରେ ମଧ୍ୟ ବ୍ୟବହାର କରିପାରିବୁ ନାହିଁ ।’’

ଜଳସେଚନ ବିନା ଗୋତାର୍ଣ୍ଣେ ପରିବାର ରବିଫସଲ ଚାଷ କରିବାକୁ ଅସମର୍ଥ । ତେଣୁ ମନୋଜ ଗାଁରେ ଏକ ତେଜରାତି ଦୋକାନ ଚଳାଉଛନ୍ତି ଯେଉଁଥିରେ ସେ ଅଟା, ସାବୁନ, ବିସ୍କୁଟ, ଖାତା ଏବଂ ଅନ୍ୟ ଜିନିଷ ବିକ୍ରି କରନ୍ତି । ଏଥିରୁ ସେ ଏବଂ କାମିନୀ ମାସକୁ ପ୍ରାୟ ୧୦,୦୦୦ ଟଙ୍କା ଆୟ କରନ୍ତି । ସେମାନେ କୃଷକ ସମୁଦାୟ ଭାବରେ ଓବିସି ତାଲିକାଭୁକ୍ତ ହୋଇଛନ୍ତି ଏବଂ ସେମାନଙ୍କର ଗୋଟିଏ ୧୩ ବର୍ଷର ଝିଅ ବୈଷ୍ଣବି ଅଛି ଯିଏକି ସ୍ଥାନୀୟ ଜିଲ୍ଲା ପରିଷଦ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢ଼େ ।

ସେମାନେ ଏ ବର୍ଷ ଜୁନ୍‌ ମାସରେ ବିହନ, ସାର, ଶ୍ରମିକ, ଏବଂ ଏକ ଭଡ଼ା ଟ୍ରାକ୍ଟର ନିମନ୍ତେ ଟ. ୧୫,୦୦୦ ଖର୍ଚ୍ଚ କରିଥିଲେ। ଜିଲ୍ଲାରେ ଜୁନ୍‌ ମାସରେ ୨୦୩ ମିମିର ଦୁର୍ବଳ ବୃଷ୍ଟିପାତ (ପଲ୍‌ଘରରେ ସେହି ମାସ ପାଇଁ ହାରାହାରି ହେଉଛି ୪୧୧.୯ ମିମି) ସେପ୍ଟେମ୍ବର ମାସରେ ଋତୁ ଶେଷ ଭାଗରେ ବୃଦ୍ଧି ପାଇଥିଲା ଏବଂ ଏହା ମନୋଜ ଓ କାମିନୀଙ୍କୁ ଏକ ଭଲ ଅମଳ ହେବାର ଆଶା ଦେଇଥିଲା।

Across the fields of Palghar, the paddy got spoilt (left) with the unexpected October rain, and farmers tried hard to save some of it
PHOTO • Jyoti Shinoli
Across the fields of Palghar, the paddy got spoilt (left) with the unexpected October rain, and farmers tried hard to save some of it
PHOTO • Jyoti Shinoli

ପଲ୍‌ଘରରେ ଜମିଗୁଡ଼ିକରେ ଧାନ ଅକ୍ଟୋବର ମାସରେ ଅପ୍ରତ୍ୟାଶିତ ବର୍ଷାରେ ନଷ୍ଟ ହୋଇଗଲା (ବାମ) ଏବଂ କୃଷକମାନେ ଏ ମଧ୍ୟରୁ କିଛି ରକ୍ଷା କରିବାକୁ କଠିନ ପରିଶ୍ରମ କଲେ

ଗତ ବର୍ଷ ମଧ୍ୟ ଅକ୍ଟୋବର ମାସରେ ଅଦିନିଆ ବର୍ଷା ଅମଳର ମାନକୁ କ୍ଷତିଗ୍ରସ୍ତ କରିଥିଲା। ଏହି ପରିବାର ପ୍ରାୟ ୧୨ କ୍ୱିଣ୍ଟାଲ୍ ଅମଳ କରିଥିଲେ ଏବଂ ସେମାନେ ଅଧା ସେମାନଙ୍କର ନିଜର ବ୍ୟବହାର ପାଇଁ ରଖିଥିଲେ ଏବଂ ବଳକା ବିକ୍ରି କରିଥିଲେ। ମନୋଜ କହିଲେ, ‘‘ଗତ ବର୍ଷ ଏହା ଏତେ ଖରାପ ନଥିଲା। ଚାଉଳଗୁଡ଼ିକ ସେତେ ଭଲ ମାନର ନଥିଲା, କିନ୍ତୁ ଖାଇ ହେଉଥିଲା। ୨୦୧୮ରେ ଅଗଷ୍ଟ ପରେ ଆଦୌ ବର୍ଷା ନଥିଲା। ୨୦୧୯ରେ ଅକ୍ଟୋବରରେ ବର୍ଷା ହେଲା ଏବଂ ଏ ବର୍ଷ ମଧ୍ୟ ଠିକ୍‌ ସେଇଆ। ମୁଁ ପ୍ରକୃତରେ ବୁଝିପାରୁନି ବର୍ଷାର କ’ଣ ହେଉଛି।’’

ପାଲ୍‌ଘର ଜିଲ୍ଲା ସାରା, ଆହୁରି ଅନେକ କୃଷକ ମଧ୍ୟ ଏ ପର୍ଯ୍ୟନ୍ତ ଅକ୍ଟୋବର ମାସର ଅସ୍ୱାଭାବିକ ବର୍ଷା ଦ୍ୱାରା ସୃଷ୍ଟି ହୋଇଥିବା ବିନାଶ ସହ ଯୁଝୁଛନ୍ତି। କୋଙ୍କଣ କ୍ଷେତ୍ର (ଯାହାର ପାଲ୍‌ଘର ହେଉଛି ଏକ ଅଂଶ) ଏବଂ ମରୁଡ଼ି ପ୍ରବଣ ମରାଠାୱାଡା, ମଧ୍ୟ ମହାରାଷ୍ଟ୍ର ଏବଂ ପଶ୍ଚିମ ମହାରାଷ୍ଟ୍ରର ଚିନି କ୍ଷେତ୍ର ଚଳିତ ବର୍ଷ ଅକ୍ଟୋବର ୧ରୁ ଅକ୍ଟୋବର ୨୧ ମଧ୍ୟରେ  ଅତ୍ୟଧିକ ବର୍ଷାର ସାକ୍ଷୀ ହୋଇଥିଲେ (ଆଇଏମଡି ସୂଚିତ କରିଛି)। ଏହି ବିପର୍ଯ୍ୟୟ ମଧ୍ୟ ଏ ସବୁ କ୍ଷେତ୍ରରେ ୨୭ଟି ଜୀବନ ନେଇଛି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି।

ଏହି ସମୟ ମଧ୍ୟରେ କୋଙ୍କଣ କ୍ଷେତ୍ର ସ୍ୱାଭାବିକ ୭୩.୬ ମିମି ବର୍ଷା ବଦଳରେ ୧୭୧.୭ ମିମି ବର୍ଷା ପାଇଥିଲା (କୃଷି ବିଭାଗ, ମହାରାଷ୍ଟ୍ର ତଥ୍ୟ)। ଏହି ବର୍ଷା ମହାରାଷ୍ଟ୍ରର ଅନେକ ଭାଗରେ କ୍ଷେତରେ ଥିବା ଧାନ, ସୋୟାବିନ୍‌, କପା, ମକା, ଯଅ ଏବଂ ଆହୁରି ଅନେକ କିଛିର ଖରିଫ୍‌ ଫସଲକୁ ନଷ୍ଟ କରିଦେଇଥିଲା।

ଗେଟ୍‌ସ ବୁଦ୍ରୁକ୍‌ଠାରୁ ପ୍ରାୟ ୪୬ କିଲୋମିଟର ଦୂରରେ ଜୱର ତାଲୁକାର ଖାଦ୍‌କୀପଡ଼ା ଗାଁରେ ୪୪ ବର୍ଷ ବୟସ୍କ ଦାମୁ ଭୋୟେ ମଧ୍ୟ ଖୁବ୍‌ ଅସହାୟ ଅନୁଭବ କରୁଛନ୍ତି। ପୋକମାନେ କେମିତି ୩ ଏକର ଢ଼ିପ ଜମିରେ ଚାଷ ହୋଇଥିବା ତାଙ୍କର ହରଡ଼ ଫସଲକୁ ଖାଇଯାଉଛନ୍ତି ତାହା ମୋତେ ଦେଖାଇଥିଲେ। ସେପ୍ଟେମ୍ବର ମାସରେ ଗଛଗୁଡ଼ିକ ଭଲ ଅବସ୍ଥାରେ ଥିଲେ। କିନ୍ତୁ ଅକ୍ଟୋବର ମାସରେ ହଠାତ୍‌ ବର୍ଷା ପୋକ ଆକ୍ରମଣ ଆରମ୍ଭ କରିଦେଇଥିଲା।

ଦାମୁ କହିଥିଲେ, ‘‘ମୋ ଜମି ଏବେ ପୋକରେ ଭରପୂର, ସବୁ ପତ୍ର ଏବଂ ଛୁଇଁ ଖାଇଯାଉଛନ୍ତି। ଅକ୍ଟୋବର ହେଉଛି ଗୁରୁତ୍ୱପୂର୍ଣ୍ଣ, ଆମେ ମାସର ମଝି ସୁଦ୍ଧା ଛୁଇଁ ତୋଳିବା ଆରମ୍ଭ କରୁ। କିନ୍ତୁ ହଠାତ୍‌ ବର୍ଷା ପୋକ ଆଣିଲା, ଚେରଗୁଡ଼ିକ ସଢ଼ି ଗଲା ଏବଂ ଛୁଇଁଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପରିପକ୍ୱ ହେଲା ନାହିଁ। ମୁଁ ବିହନ ଏବଂ ସାରରେ ପ୍ରାୟ ଟ. ୧୦,୦୦୦ ଖର୍ଚ୍ଚ କରିଥିଲି। ଏହା ଏକ ସମ୍ପୂର୍ଣ୍ଣ କ୍ଷତି।’’

In Khadkipada hamlet, Damu Bhoye said, 'My farm is filled with bugs [due to the unseasonal rain], eating all the leaves and pods'
PHOTO • Jyoti Shinoli
In Khadkipada hamlet, Damu Bhoye said, 'My farm is filled with bugs [due to the unseasonal rain], eating all the leaves and pods'
PHOTO • Jyoti Shinoli

ଖାଦକିପଡ଼ା ଗ୍ରାମରେ ଦାମୁ ଭୋୟେ କହିଲେ, ‘ମୋ ଜମି ପୋକରେ ଭର୍ତ୍ତି ହୋଇଯାଇଛି [ଅଦିନିଆ ବର୍ଷା ଯୋଗୁଁ], ସବୁ ପତ୍ର ଏବଂ ଛୁଇଁ ଖାଇଯାଉଛନ୍ତି’

କୃଷି ବ୍ୟତୀତ ଦାମ ଏବଂ ତାଙ୍କ ପତ୍ନୀ ଗୀତା, ୪୦, ମଧ୍ୟ ନିକଟସ୍ଥ ଗ୍ରାମଗୁଡ଼ିକର କ୍ଲାଏଣ୍ଟମାନଙ୍କ ପାଇଁ ମହିଳାମାନଙ୍କ ବ୍ଲାଉଜ୍‌ ସିଲେଇ କରନ୍ତି ଏବଂ ସେହି ଅର୍ଥକୁ ଚାଷ ଖର୍ଚ୍ଚ ପାଇଁ ସଞ୍ଚୟ କରନ୍ତି। ସେ କହିଲେ, ‘‘ଆମେ ପ୍ରତି ମାସରେ କେବେ ଟ. ୧,୦୦୦, କେବେ ଟ. ୧,୫୦୦ ଆୟ କରୁ।’’

ଏବଂ ପ୍ରତି ବର୍ଷ, ନଭେମ୍ବର ମାସର ଶେଷ ଭାଗରୁ ମେ’ ପର୍ଯ୍ୟନ୍ତ ସେମାନେ ନିର୍ମାଣ ସ୍ଥଳଗୁଡ଼ିକରେ କାର୍ଯ୍ୟ କରିବା ପାଇଁ ମୁମ୍ବାଇ କିମ୍ବା ଥାନେକୁ ଯାଆନ୍ତି। ଦାମୁ କହିଲେ, ‘‘ଆମେ ନିର୍ମାଣ କାର୍ଯ୍ୟରୁ ଟ. ୫୦,୦୦୦ରୁ ୬୦,୦୦୦ ଆୟ କରୁ, କିନ୍ତୁ ଆମ ଆୟରୁ କିଛି ସଞ୍ଚୟ କରିପାରୁନି।’’

ସେମାନଙ୍କର ବଡ଼ ପୁଅ, ୨୫ ବର୍ଷ ବୟସ୍କ ଜଗଦୀଶ୍‌ ପାଲ୍‌ଘରର ବିକ୍ରମଗଡ଼ ତାଲୁକାରେ ଏକ ଘରୋଇ ଡାକ୍ତରଖାନାରେ ଲାବୋରେଟୋରୀ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରନ୍ତି। ଦାମୁ କହିଲେ, ‘‘ତାଙ୍କର ମାସିକ ଟ. ୧୫,୦୦୦ ଦରମା ହେଉଛି ଏକ ବଡ଼ ସହଯୋଗ ଏବଂ ଆମେ ଏବେ ତା’ ଦରମାରୁ ସଞ୍ଚୟ କରିବାକୁ ସମର୍ଥ ହେଉଛୁ।’’ ଦାମୁ ଏବଂ ଗୀତାଙ୍କର ଝିଅ ଅଷ୍ଟମ ଶ୍ରେଣୀରେ ପଢ଼ୁଛି ଏବଂ ଗୋଟିଏ ସାନ ପୁଅ ଗାଁରେ ଜିଲ୍ଲା ପରିଷଦ ସ୍କୁଲ୍‌ରେ ୫ମ ଶ୍ରେଣୀରେ ପଢ଼ୁଛି।

ଦେହାରି ଗ୍ରାମର ବାହାର ଅଂଶରେ ଥିବା ମହାରାଷ୍ଟ୍ରରେ ଏକ ନିର୍ଦ୍ଦିଷ୍ଟ ଦୁର୍ବଳ ଆଦିବାସୀ ଗୋଷ୍ଠୀ ଭାବରେ ତାଲିକାଭୁକ୍ତ ହୋଇଥିବା କାଟ୍‌କାରୀ ସମୂହର ୨୫ଟି ପରିବାର ବିଶିଷ୍ଟ ସେମାନଙ୍କର ପଡ଼ାରେ, ସମସ୍ତ ପରିବାର ମୁଖ୍ୟତଃ ଏକ ଏକରରୁ ତିନି ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମିରେ ଧାନ, ରାଗି, ଏବଂ ହରଡ଼ ଡାଲି ଚାଷ କରନ୍ତି। ଦାମୁ କହିଲେ, ‘‘୧୯୯୫ ମସିହାରୁ ଲଗାତାର ଦାବି ପରେ ଆମେ ସମସ୍ତେ ୨୦୧୮ରେ ଆମ ନାମରେ ଜମି ସ୍ୱତ୍ୱାଧିକାର (ଜଙ୍ଗଲ ଜମି କ୍ଷେତ ପାଇଁ) ପାଇଥିଲୁ।’’

ସେମାନଙ୍କ ଜମିଠାରୁ ଅନତି ଦୂରରେ ଚନ୍ଦ୍ରକାନ୍ତ ଭୋୟେ, ୪୫ ଏବଂ ତାଙ୍କ ପତ୍ନୀ ସାଲୁ, ୪୦ଙ୍କ ଦ୍ୱାରା ଚାଷ କରାଯାଇଥିବା ତିନି ଏକର ଖାଲ ଜମି ମଧ୍ୟ ଅକ୍ଟୋବର ବର୍ଷା କାରଣରୁ କ୍ଷତିର ଆଘାତ ସହିଛି। ସେମାନଙ୍କର ଧାନ ଫସଲ ମଧ୍ୟ ଅକ୍ଟୋବର ୧୩-୧୪ରେ ବୁଡ଼ି ଯାଇଥିଲା। ଚନ୍ଦ୍ରକାନ୍ତ କହିଥିଲେ, ‘‘ସେହି ଦିନମାନଙ୍କରେ ଭିଷଣ ପବନ ସହ ୪-୫ ଘଣ୍ଟା ବର୍ଷା ହୋଇଥିଲା।’’

Chandrakant Bhoye and his family were counting on a good yield this time to be able to repay a loan
PHOTO • Jyoti Shinoli
Chandrakant Bhoye and his family were counting on a good yield this time to be able to repay a loan
PHOTO • Jyoti Shinoli

ଚନ୍ଦ୍ରକାନ୍ତ ଭୋୟେ ଏବଂ ତାଙ୍କର ପରିବାର ଗୋଟିଏ ଋଣ ପରିଶୋଧ ନିମନ୍ତେ ସକ୍ଷମ ହେବା ପାଇଁ ଏଥର ଗୋଟିଏ ଭଲ ଅମଳ ଉପରେ ନିର୍ଭର କରୁଥିଲେ

ଜଣେ ସମ୍ପର୍କୀୟଙ୍କଠାରୁ ନିଆଯାଇଥିବା ଟ. ୧୫,୦୦୦ର ଋଣ ପରିଶୋଧ ପାଇଁ ଏଥର ଏହି ପରିବାର ଗୋଟିଏ ଭଲ ଅମଳକୁ ଅପେକ୍ଷା କରୁଥିଲେ। ୪୫ ବର୍ଷ ବୟସ୍କ ଚନ୍ଦ୍ରକାନ୍ତ କହିଥିଲେ, ‘‘ମୋ ପାଖରେ ବିହନ କିମ୍ବା ସାର କିଣିବାକୁ କୌଣସି ଅର୍ଥ ନଥିଲା। ତେଣୁ ମୁଁ ଧାର କଲି। ମୁଁ କେବେ ଅମଳ ହୋଇଥିବା ଧାନ ବିକ୍ରି କରେ ନାହିଁ। କିନ୍ତୁ ଏଥର ଋଣ ପରିଶୋଧ ପାଇଁ ୭-୮ କ୍ୱିଣ୍ଟାଲ୍ ବିକ୍ରି କରିବାକୁ ଚିନ୍ତା କରିଥିଲି [ମହାମଣ୍ଡଳକୁ]।’’

ସେ ଏବଂ ସାଲୁ ପ୍ରତି ବର୍ଷ ୧୦- ୧୨ କ୍ୱିଣ୍ଟାଲ୍ ଅମଳ କରନ୍ତି। ସେମାନେ ମଧ୍ୟ ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଦହାନୁରେ ଥିବା ଏକ ଇଟା ଭାଟିରେ କାମ କରନ୍ତି ଏବଂ ସେମାନଙ୍କର ଆୟକୁ ଚାଷରେ ନିବେଶ କରନ୍ତି। ୨୦୧୯ରେ ସେମାନେ ଭାଟ୍ଟିଗୁଡ଼ିକରୁ ଟ. ୫୦,୦୦୦ ସହିତ ଘରକୁ ଫେରିଥିଲେ। ନିଜର ଦୁଇ ବଖରା ମାଟି ଘରେ ତାଙ୍କ ଚାରି ବର୍ଷର ଝିଅ ରୂପାଲି ଏବଂ ତିନି ବର୍ଷର ପୁଅ ରୂପେଶ ସହ ବସିଥିବା ଚନ୍ଦ୍ରକାନ୍ତ କହିଥିଲେ, ‘‘ମାର୍ଚ୍ଚ ମାସରେ ବନ୍ଦ [ଲକ୍‌ଡାଉନ୍‌] ଆରମ୍ଭ ହୋଇଥିଲା, ତେଣୁ ଇଟା ଭାଟି ମାଲିକ ଆମକୁ ଅର୍ଥ ଦେଇନଥିଲେ, ଆମେ ଘରକୁ ଫେରିଆସିଲୁ।

ସେ ବର୍ତ୍ତମାନ ଋଣ ସମ୍ପର୍କରେ ଅଧିକରୁ ଅଧିକ ଚିନ୍ତିତ। ସେ ସ୍ଥିର କରିଥିଲେ, ‘‘ଆମେ ଏଥର ଇଟା ଭାଟିରେ ଅଧିକ କାମ କରିବୁ। ଆମେ ଏଥର କେବଳ ପାଞ୍ଚ ବସ୍ତା ଧାନ ପାଇଲୁ। କିନ୍ତୁ ମୁଁ ନିଶ୍ଚିତ ଯେ ଗତ ବର୍ଷ ତୁଳନାରେ ମୁଁ ଇଟା ଭାଟ୍ଟିରୁ ଅଧିକ ଆୟ କରିବି।’’ ସେ ନଭେମ୍ବର ୮ ତାରିଖରେ ଫୋନ୍‌ରେ ମୋତେ ଏହା କହିଥିଲେ।

ଚନ୍ଦ୍ରକାନ୍ତ ଏବଂ ସାଲୁ ନଭେମ୍ବର ୨୩ ସୁଦ୍ଧା ଏହି ଅପ୍ରତ୍ୟାଶିତ ବର୍ଷାର କ୍ଷତିକୁ ପଛରେ ଛାଡ଼ି ଭଲ ରୋଜଗାର ଋତୁର ଆଶା ବହନ କରି ରୂପାଲି ଏବଂ ରୂପେଶଙ୍କ ସହିତ ଦହାନୁରେ ଥିବା ଇଟା ଭାଟି ଉଦ୍ଦେଶ୍ୟରେ ଯିବା ପାଇଁ ଯୋଜନା କରୁଛନ୍ତି।

Unexpected rainfall in October hit all the farmers in Gates Budruk, a village of 1,134 people
PHOTO • Jyoti Shinoli
Unexpected rainfall in October hit all the farmers in Gates Budruk, a village of 1,134 people
PHOTO • Jyoti Shinoli
Unexpected rainfall in October hit all the farmers in Gates Budruk, a village of 1,134 people
PHOTO • Jyoti Shinoli

ଅକ୍ଟୋବର ମାସରେ ଅପ୍ରତ୍ୟାଶିତ ବର୍ଷା ୧,୧୩୪ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ଗେଟ୍‌ସ ବୁଦ୍ରୁକର ସମସ୍ତ ଚାଷୀଙ୍କୁ କ୍ଷତିଗ୍ରସ୍ତ କରିଛି

*****


ରାଜ୍ୟର ରିଲିଫ୍‌ ଏବଂ ପୁନର୍ବାସ ମନ୍ତ୍ରୀ ବିଜୟ ୱାଡେଟିୱାର୍‌ ଅକ୍ଟୋବର ୨୧ ତାରିଖରେ ଟିଭି୯ ମରାଠୀକୁ କହିଥିଲେ, ‘‘ଏହି କ୍ଷତି ବିପୁଳ ୧୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି।’’

ଅକ୍ଟୋବର ୨୨ରେ, ପଲ୍‌ଘର ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକାରୀମାନେ ମୋତେ କହିଥିଲେ ଯେ ‘‘ଅକ୍ଟୋବର ୧୬ ତାରିଖରୁ ନିରୀକ୍ଷଣ ଚାଲିଛି’’ ଏବଂ ସେମାନେ ଫସଲ ବିପର୍ଯ୍ୟୟ କିମ୍ବା ପ୍ରଭାବିତ ଚାଷୀମାନଙ୍କ ସମ୍ପର୍କରେ ତୁରନ୍ତ କୌଣସି ଆକଳନ ପ୍ରଦାନ କରିପାରିବେ ନାହିଁ।

ଅକ୍ଟୋବର ୨୩ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍‌ରେ ରାଜ୍ୟରେ ଭୀଷଣ ବର୍ଷା ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ଚାଷୀମାନଙ୍କ ନିମନ୍ତେ ଟ. ୧୦,୦୦୦ କୋଟିର ଏକ ପ୍ୟାକେଜ୍‌ ଘୋଷଣା କରିଥିଲେ।

ଏହି ଗ୍ରାମରୁ କୃଷକମାନେ ସେମାନଙ୍କର ଫସଲ ହାନି ସମ୍ପର୍କରେ ସୂଚନା ଦେବାକୁ ତଲାଥିଙ୍କ କାର୍ଯ୍ୟାଳୟକୁ ଯିବା ପରେ - ଅକ୍ଟୋବର ୨୭ ତାରିଖରେ ବଡ଼ ତାଲୁକାରେ ତଲାଥି (ରାଜସ୍ୱ ଅଧିକାରୀ)ଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଗେଟ୍‌ସ ବୁଦ୍ରୁକ୍‌ରେ ଏକ ନିରୀକ୍ଷଣ ପରିଚାଳନା କରିଥିଲେ। ମନୋଜ କହିଥିଲେ, ‘‘ସେମାନେ ସମସ୍ତ କାଦୁଆ ଜମି ଦେଖିଲେ, ଗଜା ହୋଇଥିବା ଧାନର ଫଟୋ ନେଲେ ଏବଂ କହିଲେ କ୍ଷତିପୂରଣ ସମ୍ପର୍କରେ ସେମାନେ ଆମକୁ ସୂଚିତ କରିବେ।’’

ପଲ୍‌ଘର ଜିଲ୍ଲାରେ ସମସ୍ତ ପ୍ରଭାବିତ ଜମିଗୁଡ଼ିକର ନିରୀକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏବଂ ସମସ୍ତ କ୍ଷତି ଆକଳନ କରାଯିବା ପରେ, ଏହା ଆଶା କରାଯାଉଛି ଯେ କୃଷକମାନେ ସେମାନଙ୍କର ନଷ୍ଟ ହୋଇଥିବା ଫସଲ ପାଇଁ କ୍ଷତିପୂରଣ ପାଇବେ।

କିନ୍ତୁ ତାହା ଏ ପର୍ଯ୍ୟନ୍ତ ହୋଇନାହିଁ। ଏବଂ ପଲ୍‌ଘରରେ, କାମିନି, ମନୋଜ ଓ ଅନ୍ୟ ଚାଷୀମାନେ କିଛି ପାଇବା ନେଇ ଅଧିକ ଆଶାବାଦୀ ନାହାନ୍ତି। କାମିନି କୁହନ୍ତି, ‘‘ମୁଁ ଗତବର୍ଷର କ୍ଷତିପୂରଣ ପାଇନଥିଲି। ମୁଁ ପ୍ରକୃତରେ କିଛି ଆଶା କରୁନି। ତଲାଥିଙ୍କ କାର୍ଯ୍ୟାଳୟର ଅଧିକାରୀମାନେ କହିଚାଲିଛନ୍ତି ତୁମେ ଆସନ୍ତା ମାସରେ ଅର୍ଥ ପାଇବ, ଆସନ୍ତା ମାସରେ, କିନ୍ତୁ ଆମେ କୌଣସି ସାହାଯ୍ୟ ପାଇନାହୁଁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jyoti Shinoli is a senior reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli