ନନ୍ଦା ଗୋତାର୍ଣ୍ଣେ କହିଲେ, ‘‘ସାଧାରଣତଃ ଗାଁରେ ଏହା ଏକ ଉତ୍ସବ ପରି ମନେହୁଏ’’। ପ୍ରତିବର୍ଷ ଅକ୍ଟୋବରର ଶେଷ ଭାଗରେ ତାଙ୍କ ଜମି ନିକଟରେ ଥିବା ପଡ଼ିଆ ଏକ ସାମୂହିକ ଧାନ ବେଙ୍ଗଳା କରିବା ସ୍ଥାନରେ ପରିଣତ ହୋଇଯାଏ । ଯେଉଁଠାରେ ଗେଟ୍ସ ବୁଦ୍ରୁକର ଚାଷୀମାନେ ସଦ୍ୟ କଟା ହୋଇଥିବା ଧାନକୁ ବଳଦ ସାହାଯ୍ୟରେ ଅମଳ କରନ୍ତି । ସେମାନେ ନଭେମ୍ବର ମାସର ମଧ୍ୟଭାଗ ପର୍ଯ୍ୟନ୍ତ ଏହି କାମ ଜାରି ରଖନ୍ତି ।
ଏ ବର୍ଷ, ଏହି ପଡ଼ିଆ ଏବଂ ଜମିଗୁଡ଼ିକ ଗତମାସର ମଝି ସୁଦ୍ଧା ସନ୍ତସନ୍ତିଆ ଜମି ପାଲଟିଯାଇଥିଲା । ଅମଳ ହୋଇଥିବା ଧାନକୁ ବେଙ୍ଗଳା ପକାଇବା ପାଇଁ ପ୍ରସ୍ତୁତି କରିବା ପରିବର୍ତ୍ତେ ନନ୍ଦା ଏବଂ ତାଙ୍କ ସ୍ୱାମୀ କୈଳାଶଙ୍କୁ ଅକ୍ଟୋବର ୧୬ ଏବଂ ୧୭ରେ ସେମାନଙ୍କର ଦୁଇ ଏକର ଜମିରୁ ଫସଲ ସଫା କରିବାକୁ ହୋଇଥିଲା ।
ଦୁଇଦିନ ପରେ, ସେମାନଙ୍କ ଜମିରେ ତଥାପି ଗୋଇଠି ବୁଡ଼ିବା ପର୍ଯ୍ୟନ୍ତ ପାଣି ଜମି ରହିଥିଲା ଏବଂ ୪୨ ବର୍ଷ ବୟସ୍କା ନନ୍ଦା ଓଦା ହୋଇଯାଇଥିବା ଧାନ ହଳାଗୁଡ଼ିକୁ ଖରାରେ ଶୁଖାଉଥିଲେ । ତାଙ୍କ ଶାଢ଼ୀର ଗୋଟିଏ କଣରେ ଲୁହ ପୋଛି ସେ କହିଲେ, ‘‘ମୁଁ ଜାଣିନି ଏଇ ଶୁଖାଇବା ଉପଯୁକ୍ତ ହେବ ନା ନାହିଁ…’’ (ଏହା ଠିକ୍ ହୋଇଥିଲା ଏବଂ ସେ ଧାନ ବେଙ୍ଗଳା ପକାଇବା ପରେ ନିମ୍ନମାନର ଛଅ କ୍ୱିଣ୍ଟାଲ ଧାନ ପାଇଥିଲେ – ଯାହାକି ସେ ଗତବର୍ଷ ପାଇଥିବା ପ୍ରାୟ ୧୫ କ୍ୱିଣ୍ଟାଲ ତୁଳନାରେ ଖୁବ୍ କମ୍ ଥିଲା) । ନନ୍ଦାଙ୍କ ସ୍ୱାମୀ କୈଳାଶ, ୪୭ ବଡ଼ା ତାଲୁକାର ଏକ ଘରୋଇ କାର୍ଯ୍ୟାଳୟରେ ଜଣେ ସହକାରୀ ଭାବରେ କାର୍ଯ୍ୟ କରନ୍ତି ଏବଂ ମାସକୁ ପ୍ରାୟ ଟ. ୮୦୦୦ ଆୟ କରନ୍ତି । ସେମାନଙ୍କର ଗୋଟିଏ ୧୪ବର୍ଷର ଝିଅ ଏବଂ ୧୦ ବର୍ଷର ପୁଅ ଅଛି, ଉଭୟ ସ୍ଥାନୀୟ ଜିଲ୍ଲା ପରିଷଦ ସ୍କୁଲରେ ପାଠ ପଢ଼ୁଛନ୍ତି।
ଅକ୍ଟୋବର ମାସରେ ଏକ ଅପ୍ରତ୍ୟାଶିତ ବୃଷ୍ଟିପାତ ୧,୧୩୪ ଜନସଂଖ୍ୟା ବିଶିଷ୍ଟ ଗେଟ୍ସ ବୁଦ୍ରୁକ ଗ୍ରାମର ନନ୍ଦାଙ୍କ ପରିବାର ଓ ଅନ୍ୟ ସମସ୍ତ ଚାଷୀଙ୍କୁ କ୍ଷତିଗ୍ରସ୍ତ କରିଥିଲା।
କାମିନୀ ଗୋତର୍ଣ୍ଣେଙ୍କ ଜମି ମଧ୍ୟ ସନ୍ତସନ୍ତିଆ ହୋଇଯାଇଥିଲା । ସେ କହିଲେ, ‘‘ଧାନଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଓଦା ହୋଇଯାଇଛି, ଏହା ମାଟିରେ ଭର୍ତ୍ତି ହୋଇଯାଇଛି ।’’ ସେ ଏବଂ ତାଙ୍କ ସ୍ୱାମୀ ମନୋଜ ଅକ୍ଟୋବର ମାସରେ ସେମାନଙ୍କର ଚାରିଏକର ଜମିର ନଷ୍ଟ ହୋଇଥିବା ଫସଲ ସଫା କରୁଥିଲେ, ଦାଆରେ ଶୋଇଯାଇଥିବା ଧାନଗଛଗୁଡ଼ିକୁ କାଟୁଥିଲେ । ଅନ୍ୟ ଚାରିଜଣ କୃଷକ ସେମାନଙ୍କୁ ସାହାଯ୍ୟ କରୁଥିଲେ । ଗାଁରେ ସମସ୍ତେ ସମସ୍ତଙ୍କ କ୍ଷେତରେ କାମ କରୁଛନ୍ତି ।













