ଏହା ସମ୍ପୂର୍ଣ୍ଣ ଭାବରେ ସିନେମା ଶୈଳୀର ପ୍ରବେଶ ଥିଲା। ନାନା ପ୍ରକାରର ପରିବହନ, ଭାରୀ ଜିନିଷ ଉଠାଇବା ଏବଂ ବିପଦ କାରଣରୁ ପଣସ ବ୍ୟବସାୟ ଜଣେ ମହିଳାର କାମ ନୁହେଁ ବୋଲି ଛଅ ଜଣ ପୁରୁଷ ଲୋକ ଦୃଢ଼ୋକ୍ତି କରିବାର ପାଞ୍ଚ ମିନିଟ୍ ପରେ ଲକ୍ଷ୍ମୀ ଗୋଟିଏ ହଳଦିଆ ଶାଢ଼ି ପିନ୍ଧି, ଧଳା କେଶରେ ଜୁଡ଼ା କରି ଓ ନାକ ଓ କାନରେ ସୁନାର ଅଳଙ୍କାର ପିନ୍ଧି ଦୋକାନ ଭିତରକୁ ଗଲେ। ସମ୍ମାନର ସହ ଜଣେ କୃଷକ ଘୋଷଣା କଲେ, ‘‘ସେ ଏହି ବ୍ୟବସାୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି।’’
‘‘ସେ ହିଁ ଆମ ଉତ୍ପାଦ ପାଇଁ ଦାମ୍ ସ୍ଥିର କରନ୍ତି।’’
୬୫ ବର୍ଷ ବୟସ୍କା ଏ. ଲକ୍ଷ୍ମୀ ହେଉଛନ୍ତି ପନ୍ରୁତିର ଏକମାତ୍ର ମହିଳା ପଣସ ବ୍ୟବସାୟୀ – ଏବଂ ଯେ କୌଣସି କୃଷି ବ୍ୟବସାୟରେ ଥିବା ଅଳ୍ପ କେଇ ଜଣ ବରିଷ୍ଠ ମହିଳା ବ୍ୟାପାରୀ (ବ୍ୟବସାୟୀ)ଙ୍କ ମଧ୍ୟରେ ସେ ଅନ୍ୟତମ।
ତାମିଲନାଡ଼ୁର କୁଡାଲୋର ଜିଲ୍ଲାର ପନ୍ରୁତି ସହର ଏହାର ପଣସ ପାଇଁ ବିଖ୍ୟାତ। ପଣସ ଋତୁ ସମୟରେ ଏଠାରେ ପ୍ରତିଦିନ ଶହ ଶହ ଟନ୍ ଆସେ ଏବଂ ବିକ୍ରି ହୁଏ। ପ୍ରତି ବର୍ଷ ସହରର ପଣସ ମଣ୍ଡିରେ ଥିବା ୨୨ଟି ଦୋକାନରେ ବିକ୍ରି ହେବାକୁ ଥିବା ହଜାର ହଜାର କିଲୋର ଏହି ଫଳ ପାଇଁ ଦାମ୍ ସ୍ଥିର କରନ୍ତି। ସେ କମିଶନ୍ ଭାବରେ ଖୁବ୍ କମ୍ ଅର୍ଥ ପାଆନ୍ତି – କ୍ରେତାଙ୍କଠାରୁ - ପ୍ରତି ୧,୦୦୦ ପାଇଁ ୫୦ ଟଙ୍କା। ଯଦି କୃଷକମାନେ ଚାହାଁନ୍ତି ତେବେ ତାଙ୍କୁ କିଛି ଦେଇପାରନ୍ତି। ଏହି ଋତୁରେ ତାଙ୍କର ଦୈନିକ ଆୟ ୧,୦୦୦ରୁ ୨,୦୦୦ ଟଙ୍କା ମଧ୍ୟରେ ବୋଲି ସେ ଆକଳନ କରନ୍ତି।
ଏହି ରୋଜଗାର ପାଇଁ ସେ ୧୨ ଘଣ୍ଟା କାମ କରନ୍ତି। ସେ ରାତି ୧ରେ କାମ ଆରମ୍ଭ କରନ୍ତି। ଲକ୍ଷ୍ମୀ ବୁଝାଇ କହନ୍ତି, ‘‘ଯଦି ଅଧିକ ସରାକୁ (ଜିନିଷ) ଥାଏ ତେବେ ମୋତେ ପାଇବା ପାଇଁ ବ୍ୟବସାୟୀମାନେ ଘରକୁ ଶୀଘ୍ର ପଳାଇ ଆସନ୍ତି।’’ ତାଙ୍କୁ ଅଟୋରିକ୍ସା ଧରି ଅତି ବେଶୀରେ ରାତି ୩ଟା ସୁଦ୍ଧା ମଣ୍ଡିରେ ପହଞ୍ଚିବାକୁ ହୁଏ। ତାଙ୍କର କାର୍ଯ୍ୟ ଦିବସ ଅପରାହ୍ଣ ୧ ପର୍ଯ୍ୟନ୍ତ ଚାଲେ, ଏହା ପରେ ସେ ଘରକୁ ଯାଆନ୍ତି, ଖାଆନ୍ତି ଓ ବଜାରକୁ ପୁଣି ଯିବାର ସମୟ ହେବା ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତି…
ସେ ମୋତେ କହନ୍ତି, ‘‘ମୁଁ ପଣସ ଚାଷ ବିଷୟରେ ଅଧିକ ଜାଣିନି। କିନ୍ତୁ ମୁଁ ବିକ୍ରି କରିବା ବିଷୟରେ କିଛି ଜାଣେ।’’ ଘଣ୍ଟା ଘଣ୍ଟା ଧରି କଥା ହେବା ଏବଂ ଚିତ୍କାର କରିବା ଯୋଗୁଁ ତାଙ୍କର କଣ୍ଠ ସ୍ୱର କର୍କଶ ଶୁଣାଯାଉଥିଲା। ଲକ୍ଷ୍ମୀ ଖୁବ୍ ବିନମ୍ର ଭାବରେ କହୁଥିଲେ। ତିନି ଦଶକ ଧରି ସେ ଜଣେ ବ୍ୟବସାୟୀ ଭାବରେ କାମ କରୁଛନ୍ତି ଏବଂ ତା’ ପୂର୍ବରୁ ୨୦ ବର୍ଷ ଧରି ସେ ଚଳନ୍ତା ଟ୍ରେନ୍ରେ ଏହି ଫଳ ବିକ୍ରି କରୁଥିଲେ।















