ଛତିଶଗଡ଼ର ଆଦିବାସୀ ସଂପ୍ରଦାୟର ସଙ୍ଗୀତ ହେଉଛି ସ୍ଥିତିସ୍ଥାପକତାର ସଙ୍ଗୀତ-ଦଶନ୍ଧି ଦଶନ୍ଧି ଧରି ହିଂସାତ୍ମକ ସଂଘର୍ଷରେ ଘାଣ୍ଟି ହୋଇଥିବା ଲୋକଙ୍କର ସଙ୍ଗୀତ । ପ୍ରାୟତଃ ଢୋଲବାଦନ ସମ୍ମିଳିତ ଏହି ସଙ୍ଗୀତରେ ସେମାନେ କହନ୍ତି ସେମାନଙ୍କ କ୍ଷେତ, ସେମାନଙ୍କର ଜଙ୍ଗଲ, ସେମାନଙ୍କର ନିତିଦିନିଆ ଜୀବନ ଏବଂ ପ୍ରକୃତି ପୂଜନର କଥା । ଖୁବ୍‌ କମ୍‌ ବୟସରୁ ହିଁ ପରିବାରର ପିଲାମାନଙ୍କୁ ଏହି ସଙ୍ଗୀତ ଶିଖାଯାଏ ।

ଛତିଶଗଡ଼ର ଦକ୍ଷିଣରେ ଅବସ୍ଥିତ ବିଜାପୁର ଜିଲ୍ଲାରେ ଥିବା ଭୈରମଗଡ଼ ତହସିଲର ଫର୍‌ସେଗଡ଼ ଗାଁକୁ ଆମେ ୨୦୧୬ ମସିହା ଅଗଷ୍ଟରେ ଯାଇଥିଲୁ । ବିଜାପୁରରର ଜନସଂଖ୍ୟା ପ୍ରାୟ ୨୫୫,୦୦୦ (୨୦୧୧ ଜନଗଣନା) ଏବଂ ଏଥିରୁ ପ୍ରାୟ ୮୦ ପ୍ରତିଶତ ଅଧିସୂଚିତ ଜନଜାତି । ଫର୍‌ସେଗଡ଼ର ୧,୪୦୦ ବାସିନ୍ଦା ଏବଂ ଆଖପାଖ ଗାଁର ଲୋକଙ୍କ ମଧ୍ୟରୁ ଅଧିକାଂଶ ମୁରିଆ ଗୋଣ୍ଡ । ନକ୍‌ସଲପନ୍ଥୀ ଉଗ୍ରବାଦୀ, ରାଜ୍ୟ ସରକାର ଏବଂ ସରକାରଙ୍କ ସମର୍ଥିତ ସାଲୱା ଜୁଡୁମ୍‌ ସଂଗଠନ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଯୋଗୁଁ ପ୍ରଭାବିତ ଅନେକ ଗାଁ ମଧ୍ୟରୁ ଫର୍‌ସେଗଡ଼ ଗୋଟିଏ । ଗାଁର ଲୋକେ କହନ୍ତି ଯେ, ହିଂସାର ଏକ ଚିରକାଳୀନ ଚକ୍ରରେ ସେମାନେ ଫସି ଯାଇଛନ୍ତି ।

ଏହି ସଂଘର୍ଷରେ ସ୍ୱାମୀଙ୍କୁ ହରାଇଥିବା ଫର୍‌ସେଗଡ଼ର ଜଣେ ମହିଳା ପଚାରନ୍ତି, “ଗୋଟିଏ ପୁଅ ନକ୍‌ସଲ ଏବଂ ଅନ୍ୟ ଜଣକ ପୋଲିସ ସମର୍ଥକ ହୋଇଗଲେ ଆଉ କ’ଣ ବା ଘଟିବ? ଜଣେ ଅନ୍ୟ ଜଣକୁ ମାରିବାକୁ ବସିଲେ ପରିବାର ଲୋକେ କ’ଣ ବା କରିବେ ? ଏଇ ବାସ୍ତବିକତା ଭିତରେ ହିଁ ଆମେ ବଞ୍ଚିଛୁ ।” ୫୦ରୁ ଅଧିକ ବର୍ଷ ବୟସ୍କା ଏହି ମହିଳା ଜଣେ କୃଷକ ଏବଂ ସେ ତାଙ୍କ ନାଁ ଜଣାଇବାକୁ ରାଜି ନ ଥିଲେ । “ଆମେ ଅଧିକ ରୋଜଗାର କରୁନାହିଁ । ଆମେ ଏ କଥା ବି ଜାଣିନୁ ଯେ କାଲି ଆମେ ବଞ୍ଚିଥିବୁ କି ନାହିଁ । ଆଜି ଆମେ ବଞ୍ଚିଛୁ ଏବଂ ଆମେ କେବଳ ଏଇତକ କଥା ହିଁ ଚିନ୍ତା କରୁ।”

ଅନେକ ସରକାରୀ ଯୋଜନା ଫର୍‌ସେଗଡ଼ରେ ପହଞ୍ଚେ ନାହିଁ । ମନେହୁଏ, ଗୋଟିଏ ଆବାସିକ ବିଦ୍ୟାଳୟ, ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ହିଁ ଏଠାରେ ରାଜ୍ୟ ସରକାରଙ୍କ ଉପସ୍ଥିତିକୁ ବୁଝାଏ ।

Toddy trees in Farsegarh village, Chhattisgarh
PHOTO • Arundhati V. ,  Shobha R.
An open book with drawings
PHOTO • Arundhati V. ,  Shobha R.

ଫର୍‌ସେଗଡ଼ ଓ ଅନ୍ୟାନ୍ୟ ଗାଁର ଆଦିବାସୀମାନଙ୍କ ଅନେକ ଗୀତରେ ଏ ଅଞ୍ଚଳର ସ୍ନିଗ୍‌ଧ ସୌନ୍ଦର୍ଯ୍ୟ ଉଦ୍ଭାସିତ ହୁଏ ସତ, ହେଲେ ଲୋକଙ୍କ ଅନୁଭୂତି କହେ ଭିନ୍ନ ଏକ କଥା । ଡାହାଣ: ସଂଘର୍ଷରେ ସ୍ୱାମୀଙ୍କୁ ହରାଇଥିବା ଜଣେ ଆଦିବାସୀ ମହିଳା ଜୀବନ ଓ ସଂଘର୍ଷ ସଂପର୍କରେ ଯାହା କହିଲେ, ତାହାର ଏକ ଚିତ୍ର ଉପସ୍ଥାପନା (ସହ-ଲେଖିକା ଅରୁନ୍ଧତୀ ଭି.ଙ୍କ ଚିତ୍ରକଳା) ।

ଆଦିବାସୀ ପିଲାମାନଙ୍କ ପାଇଁ ଫର୍‌ସେଗଡ଼ ଗାଁ ପରିସରରେ ଥିବା ଆବାସିକ ବିଦ୍ୟାଳୟର ଅବସ୍ଥା ବି ସେତେ ଭଲ ନୁହେଁ । ବିଦ୍ୟୁତ୍‌ ମଝିରେ ମଝିରେ ଯାହା ରହେ, ବର୍ଷା ଦିନେ କୋଠାର ଛାତରୁ ପାଣି ଗଳେ । ଛାତ୍ରୀନିବାସରେ ଛାତ୍ରୀମାନଙ୍କୁ ହିଁ ରାନ୍ଧିବାକୁ ଏବଂ ସଫାସଫି କରିବାକୁ ପଡ଼େ । ଏଠାରେ ପ୍ରାୟ ୫୦ ଜଣ ଆଦିବାସୀ ଛାତ୍ରୀ (ସମସ୍ତେ ବିଭିନ୍ନ ଆଖପାଖ ଗାଁରୁ ଆସିଥିବା ୬ରୁ ୧୫ ବର୍ଷ ବୟସର ଝିଅ), ଜଣେ ଶିକ୍ଷକ ତଥା ତତ୍ତ୍ୱାବଧାରକ ଏବଂ ଜଣେ ରାନ୍ଧୁଣିଆ ଅଛନ୍ତି ।

ଆମ ଗସ୍ତ ସମୟରେ, ଛାତ୍ରୀମାନେ ସେମାନଙ୍କ ସଂପ୍ରଦାୟ ସମୂହର ଗୀତଗୁଡ଼ିକୁ ଗୋଣ୍ଡି ଭାଷାରେ ଗାଇଲେ ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ଆମ ପାଇଁ ହିନ୍ଦୀରେ ଅନୁବାଦ କଲେ ।

Song 1

ଝିଅମାନେ ଅତି ଆଦରରେ ମହୁଲ ଗଛ ସଂପର୍କରେ ଗୀତ ଗାଇଲେ, ଯାହାକି ସେମାନଙ୍କ ଜୀବନ ଓ ଜୀବିକାରେ ଅନ୍ତର୍ନିହିତ

ଓ ଓ ମହୁଲ ଗଛ

ଓ ଓ ମହୁଲ ଗଛ

ସତେ ତମେ କେଡ଼େ ସୁନ୍ଦର

ଓ ଓ ମହୁଲ ଗଛ

ଝରୁଅଛି ମହୁଲର ଫୁଲ

ନାଲି ନାଲି ଫୁଲ

ସତେ କି ନାଲି ବର୍ଷାର ଧାର

ଓ ଓ ମହୁଲ ଗଛ

ଓ ଓ ମହୁଲ ଗଛ

ସତେ ତମେ କେଡ଼େ ସୁନ୍ଦର

ଓ ଓ ମହୁଲ ଗଛ

କଣ୍ଠଶିଳ୍ପୀ

ସୁଶୀଳା ମାନ୍‌ରା, ଫର୍‌ସେଗଡ଼ ଗାଁ

ଗାୟତ୍ରୀ ତେଲ୍ଲାମ୍‌, ଧାନୋରା ଗାଁ

କମଳା ଉଡ୍ଡେ, ସାଗ୍‌ମେତା ଗାଁ

Song 2

ଝିଅମାନେ ସେମାନଙ୍କ ସଂପର୍କୀୟ ଭାଇଭଉଣୀ ଏବଂ ବନ୍ଧୁମାନେ କେତେ ସୁନ୍ଦର ବୋଲି ଗୀତ ଗାଇ ପରସ୍ପରକୁ ଚିଡ଼ାନ୍ତି


ପ୍ରିୟ ଭାଇ ଓ ଭଉଣୀ ମୋର

ସତେ ତମେ କେଡ଼େ ସୁନ୍ଦର

କହ ମତେ କ’ଣ ପସନ୍ଦ ତୁମର?

କାଉ ରାବେ କା କା

ବୁଲୁଥାଏ ଗାଁ ଗାଁ

କା କା କା

କେମିତିକା ମତେ କହିଦିଅ,

କେମିତିକା ମତେ କହିଦିଅ?

କଣ୍ଠଶିଳ୍ପୀ

ଗାୟତ୍ରୀ ତେଲ୍ଲାମ, ଧାନୋରା ଗାଁ

Song 3

ସଜବାଜ ହୋଇ ନାଚିବାରେ ଥିବା ସରଳ ଆନନ୍ଦକୁ ବ୍ୟକ୍ତ କରି ଝିଅମାନେ ଖୁସିରେ ଗାଆନ୍ତି

ଝିଅ ଲୋ, ପିନ୍ଧି ନେ ତୋ କାନଫୁଲ ଆଉ ଆ ଆମ ସଙ୍ଗେ ନାଚିବୁ

ରେ ଲା ରେ ଲା ରେ ଲା... (ସମବେତ ସ୍ୱର)

ଝିଅ ଲୋ, ପିନ୍ଧି ନେ ତୋ ଚକମକ ଲୁଗା ଆଉ ଆ ଆମ ସଙ୍ଗେ ନାଚିବୁ

ରେଲା ରେଲା ରେଲା... (ସମବେତ ସ୍ୱର)

ଝିଅ ଲୋ, ପିନ୍ଧି ନେ ତୋ ନୂଆ ଜୋତା ହଳ ଆଉ ଆ ଆମ ସଙ୍ଗେ ନାଚିବୁ

ରେଲା ରେଲା ରେଲା... (ସମବେତ ସ୍ୱର)

କଣ୍ଠଶିଳ୍ପୀ

ଅବନ୍ତିକା ବାର୍ସେ, ଫର୍‌ସେଗଡ଼ ଗାଁ

A chameleon lazes in the sun, at the government residential school for Adivasi children, Farsegarh village
PHOTO • Arundhati V. ,  Shobha R.
An Adivasi woman in Farsegarh village wearing traditional anklets
PHOTO • Arundhati V. ,  Shobha R.

ବାମ: ଫର୍‌ସେଗଡ଼ର ଆଦିବାସୀ ପିଲାଙ୍କ ସ୍କୁଲ୍‌ରେ ଗୋଟିଏ ଏଣ୍ଡୁଅ ଖରା ପୋଉଁଛି । ‘ତମେ ସେ ଏଣ୍ଡୁଅର ଲାଞ୍ଜ ଦେଖିପାରୁଛ କି? ତାକୁ ଧର !’ ଏମିତିକା କୌତୁକିଆ ଢଙ୍ଗରେ ଗୀତଟିଏ ଆରମ୍ଭ ହୁଏ । ଡାହାଣ: ମାରିଆ ଗୋଣ୍ଡ ମହିଳାମାନେ ପିନ୍ଧିଥିବା ଗୋଡ଼ ବଳା; ଝିଅମାନେ ଗାଉଥିବା ଆଉ ଏକ ଗୀତରେ ସଜବାଜ ହେବା ଏବଂ ନାଚିବା କଥା କୁହାଯାଇଛି ।

Song 4

ସେମାନଙ୍କ ପରିବାର ସହ ବିତାଇଥିବା ସମୟକୁ ମନେ ପକାଇ ଝିଅମାନେ ଗୋଟିଏ ଏଣ୍ଡୁଅ ସଂପର୍କରେ ଗୀତ ଗାଆନ୍ତି ।

ରେରେଲା ରେଲା ରେଲା ରେଲା... (ସମବେତ ସ୍ୱର)

ସେଇ ଏଣ୍ଡୁଅ ଲାଞ୍ଜକୁ ଦେଖୁଛ କି ? ଧର ତାକୁ !

ଆଲୋ ନାନି, ମୋ ପାଇଁ ଗାଆ ଗୀତଟିଏ, ଗାଇବୁ କି ?

ଆଲୋ ନାନି, ଲା ଲା ଲା

ଆଗୋ ଭିଣୋଇ ବାବୁ, ଆସ ମୋ ଆଗକୁ

ଏଣ୍ଡୁଅର ଲାଞ୍ଜ ନେଳିଆ

ତାକୁ ତମେ ଦେଖୁଛ କି, ଆଗୋ ଭିଣୋଇ ବାବୁ ?

କଣ୍ଠଶିଳ୍ପୀ

ଗାୟତ୍ରୀ ତେଲ୍ଲାମ, ଧାନୋରା ଗାଁ

Song 5

ସେମାନଙ୍କ ଦେଶ ଓ ତ୍ରିରଙ୍ଗା ସଂପର୍କରେ ଝିଅମାନେ ନରମ ସ୍ୱରରେ ଗୀତ ଗାଆନ୍ତି

ରେରେଲା ରେଲା ରେ ରେଲା ରେଲା... (ସମବେତ ସ୍ୱର)

ଏ ତ କମଳା ରଙ୍ଗର ଝଣ୍ଡା, ବନ୍ଧୁ ହେ !

ଏତ ଧବଳ ରଙ୍ଗର ଝଣ୍ଡା, ବନ୍ଧୁ ହେ !

ଏ ତ ସବୁଜ ରଙ୍ଗର ଝଣ୍ଡା, ବନ୍ଧୁ ହେ !

ଝଣ୍ଡା ମଝିରେ ଅଛି ଚବିଶ ଗୋଟି ରେଖା

ରେରେଲା ରେଲା ରେ ରେଲା ରେଲା... (ସମବେତ ସ୍ୱର)

କଣ୍ଠଶିଳ୍ପୀ

ସୁଶୀଳା ମାନ୍‌ରା, ଫର୍‌ସେଗଡ଼ ଗାଁ

ସରସ୍ୱତୀ ଗୋତା, ବଡ଼େ କାକ୍‌ଲେର ଗାଁ

କମଳା ଗୁଡ୍ଡେ, ସାଗ୍‌ମେଟା ଗାଁ

Song 6

କିଏ ସେମାନଙ୍କର ଭଲ ଯୋଡ଼ିଦାର ହେବ ବୋଲି ଝିଅମାନେ ଏ ମଧୁର ଗୀତ ଗାଆନ୍ତି

ରେଲାରେ ରେଲା (ସମବେତ ସ୍ୱର)

ତମେ ଆଉ ମୁଁ, ମିଶିଗଲେ ହେବ ସୁନ୍ଦର ଯୋଡ଼ି

ହେ ମୋର ପ୍ରିୟ ପୁଅରେ, ଆମର ହେବ ସୁନ୍ଦର ଯୋଡ଼ି...

କଣ୍ଠଶିଳ୍ପୀ

ଅବନ୍ତିକା ବାର୍ସେ, ଫର୍‌ସେଗଡ଼ ଗାଁ

Sweet toddy being tapped from a tree in Farsegarh village, Chhattisgarh
PHOTO • Arundhati V. ,  Shobha R.
Girls in a residential hostel in Farsegarh singing softly with the lights switched off, after school hours
PHOTO • Arundhati V. ,  Shobha R.

ବାମ: ଫର୍‌ସେଗଡ଼ର ଏକ ଗଛରୁ ବାହାରୁଛି ମିଠା ତାଡ଼ି; ଗୋଟିଏ ଗୀତରେ କୁହାଯାଇଛି, ‘ଆମେ ବୁହାଇବୁ ତାଡ଼ି, ଓ! ଆମ ଦେଶକୁ ଆସ’। ଡାହାଣ: ସ୍କୁଲ୍‌ ସମୟ ପରେ ଝିଅମାନେ ଆଲୁଅ ଲିଭାଇ ନରମ ସ୍ୱରରେ ଗୀତ ଗାଆନ୍ତି ।

Song 7

ଝିଅମାନେ ଗୀତ ଗାଆନ୍ତି ଏବଂ ତାଙ୍କ ଅଞ୍ଚଳକୁ ଆସି ପ୍ରକୃତିକୁ ଭରପୂର ଉପଭୋଗ କରିବାକୁ ଏବଂ ସେମାନେ କେମିତି କ୍ଷେତରେ କାମ କରନ୍ତି ଦେଖିବାକୁ ସମସ୍ତଙ୍କୁ ସ୍ୱାଗତ କରନ୍ତି ।

ରେଲା ରେ ରେଲା... (ସମବେତ ସ୍ୱର)

ଧୀରେ ଧୀରେ ଦୋହଲୁଥାଏ ତାଳଗଛ ପତର

ଓ! ଆମ ରାଇଜକୁ ଆସ

ଆମେ କାଢ଼ି ଦେବୁ ତାଡ଼ି, ଓ! ଆମ ରାଇଜକୁ ଆସ

ଆସ ଆମେ ଲମ୍ବା ଲମ୍ବା ଘାସ ସବୁ କାଟିବା

ଦୋହଲଇ ଘାସ ଧୀରେ ଧୀରେ

ଏଇଠି ଆଉ ସେଇଠି,

ଏଇଠି ଆଉ ସେଇଠି

ଓ! ଆମ ରାଇଜକୁ ଆସ

ମିଳିମିଶି କିଛି ଘାସ କାଟିଦେବା ଆମେ

ଆମ ରାଇଜକୁ ଆସ

ମିଳିମିଶି ଧାନ ଅମଳ କରିବା ଆମେ

ଦୋହଲଇ ଧାନ ପତର ଧୀରେ ଧୀରେ

ଏଇଠି ଆଉ ସେଇଠି,

ଏଇଠି ଆଉ ସେଇଠି

କଣ୍ଠଶିଳ୍ପୀ:

ସରିତା କୁସରାମ, ସାଗମେଟା ଗାଁ

ସରସ୍ଵତୀ ଗୋତା,ବଡ଼େ କାକ୍‌ଲେର ଗାଁ

ସୁଶୀଳା ମାନ୍‌ରା, ଫର୍‌ସେଗଡ଼ ଗାଁ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Arundhati V.

Arundhati V. is a human rights activist, theatre artist and trainer; she works with the Sambhaavnaa Institute in Palampur, Himachal Pradesh on issues of rights and justice.

Other stories by Arundhati V.
Shobha R.

Shobha R. is a human rights activist, theatre artist and trainer based in Bangalore. She works on issues of eviction and gender justice, and on facilitating expressions of oppression, justice and resilience.

Other stories by Shobha R.