ନହକୁଲ ପାଣ୍ଡୋଙ୍କୁ ଟାଇଲ୍ ତିଆରିରେ ସହାୟତା କରିବା ଲାଗି ସମ୍ପୂର୍ଣ୍ଣ ବମଦାଭାଇସା ମୋହଲ୍ଲା ଚାଲି ଆସିଥିଲା। ନହକୁଲ ବାଣ୍ଟୁଥିବା ଅଳ୍ପ ପରିମାଣର ଘର ତିଆରି ମଦକୁ ଯଦି ଆପଣ ଅଣଦେଖା କରନ୍ତି- ତା’ହେଲେ ଏହି କାର୍ଯ୍ୟ ଏକତା ପ୍ରଦର୍ଶନ କରିବା ଲାଗି ଏକ ସାମୁହିକ ପ୍ରୟାସ ଥିଲା, ଯେଉଁଥିରେ ଟାଇଲ ତିଆରି କରୁଥିବା ଲୋକମାନେ ମାଗଣାରେ କାମ କରୁଥିଲେ।

କିନ୍ତୁ ସେମାନେ କାହିଁକି ତାଙ୍କ ଛାତ ପାଇଁ ଟାଇଲ ତିଆରି କରୁଥିଲେ? ପୂର୍ବରୁ ଏଠାରେ ଥିବା ଛାତ ଗଲା କୁଆଡ଼େ? ତାଙ୍କ ଘର ଆଡ଼କୁ ଟିକିଏ ଚାହିଁଲେ, ମୁଖ୍ୟ ଢାଞ୍ଚାର ବଡ଼ ବଡ଼ ସ୍ଥାନରେ ଛାତ ନଥିବା, କିଛି କିଛି ସମ୍ପୂର୍ଣ୍ଣ ଭାଗର ଟାଇଲ ଗାଏବ ହୋଇଥିବା ଦେଖିବାକୁ ମିଳିଥାଏ।

“ଏହା ଏକ ସରକାରୀ ଋଣ ଥିଲା,” ସେ ବେଶ କ୍ଳାନ୍ତ ସ୍ୱରରେ କୁହନ୍ତି । “ମୁଁ ୪୮୦୦ ଟଙ୍କା ଉଧାର ଆଣି ଦୁଇଟି ଗାଈ କିଣିଥିଲି।” ସରକାରୀ ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା ‘କୋହଳ ଋଣ’ ପ୍ରଦାନ। ଏଥିରେ ଏକ ସବସିଡି ଉପାଦାନ ଏବଂ କମ ସୁଧ ଉପାଦାନ ରହିଥିଲା। ଯଦି ଆପଣ ଗାଈ କିଣିବାକୁ ଯାଇଥାନ୍ତେ, ତା’ହେଲେ ୧୯୯୪ରେ ସୁରଗୁଜାର ଏହି ଭାଗରେ ଆପଣ ସେତିକି ଅର୍ଥରେ ଦୁଇଟି ଗାଈ କିଣିପାରିଥାନ୍ତେ। (ଏହି ଜିଲ୍ଲା ସେତେବେଳେ ମଧ୍ୟପ୍ରଦେଶ ରାଜ୍ୟରେ ଥିଲା ବର୍ତ୍ତମାନ ଛତିଶଗଡ଼ରେ ରହିଛି)

ମୂଳରୁ ଋଣ ନେବାର ବିଚାର ନହକୁଲଙ୍କ ମୁଣ୍ଡକୁ ଆଦୌ ଆସିନଥିଲା। ସେ ପ୍ରତିନିଧିତ୍ୱ କରୁଥିବା ପାଣ୍ଡୋ ଆଦିବାସୀ ସମୁଦାୟର ପ୍ରାୟ ଅଧିକାଂଶ ସଦସ୍ୟ, ସେମାନଙ୍କ ନିଜର ଅନୁଭୂତିରୁ, ଏହି ଧାରଣା ପୋଷଣ କରିଥାନ୍ତି ଯେ, ଋଣ ନେଲେ ସେମାନଙ୍କୁ ନିଜର ଜମି ହରାଇବାକୁ ପଡ଼ିପାରେ। କିନ୍ତୁ ଏ ଗୋଟିକ ସରକାରୀ ଋଣ ଥିଲା, ଯାହାକି ବିଶେଷ ଭାବେ ଆଦିବାସୀଙ୍କ ଲାଭ ପାଇଁ ସ୍ଥାନୀୟ ବ୍ୟାଙ୍କ ପକ୍ଷରୁ ବଣ୍ଟନ କରାଯାଉଥିଲା। ଯାହାର ଅର୍ଥ ହେଉଛି, ଏହାକୁ ଗ୍ରହଣ କରିବାରେ ସେତେଟା କ୍ଷତି ନଥିଲା। ଯେମିତି କଥାରେ କହିଲେ – ସେତେବେଳେ ଏହା ଏକ ଭଲ ଉପାୟ ଥିଲା।

“କିନ୍ତୁ ମୁଁ ଏହାକୁ ପରିଶୋଧ କରିପାରିଲି ନାହିଁ”, ନହକୁଲ କହିଥିଲେ। ‘ବିଶେଷ ଦୁର୍ବଳ ଆଦିବାସୀ ବର୍ଗ’ ଭାବେ ବର୍ଗୀକୃତ ପାଣ୍ଡୋମାନେ ଖୁବ୍‌ ଗରିବ ଥିଲେ। ସେମାନଙ୍କର ସାଧାରଣ ସ୍ଥିତିରେ ନହକୁଲଙ୍କ ଅବସ୍ଥା ମଧ୍ୟ କୌଣସି ବ୍ୟତିକ୍ରମ ନଥିଲା।

PHOTO • P. Sainath

ଏହି କାର୍ଯ୍ୟକ୍ରମ ନହକୁଲଙ୍କୁ ମଧ୍ୟ ଏକ ଦଣ୍ଡର ଅନୁଭୂତି ଦେଇଥିଲା

“କିସ୍ତି ପରିଶୋଧ କରିବା ଲାଗି ଚାପ ପଡ଼ିଥିଲା”, ସେ ଆମକୁ କହିଥିଲେ। ଆହୁରି ବ୍ୟାଙ୍କ ଅଧିକାରୀମାନେ ଖୁବ୍ ଗାଳିମନ୍ଦ କରିଥିଲେ। “ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରି ମୁଁ କିଛି ଋଣ ପରିଶୋଧ କଲି। ଶେଷରେ, ଆଉ କିଛି ଟଙ୍କା ଯୋଗାଡ଼ କରିବା ଲାଗି ମୁଁ ମୋ ଛାତରେ ଥିବା ଟାଇଲ୍ ବିକ୍ରି କରି ଦେଇଥିଲି।”

ନହକୁଲଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଲାଗି ଋଣ ଉଦ୍ଦିଷ୍ଟ ଥିଲା, ହେଲେ ଶେଷରେ ତାଙ୍କୁ ନିଜର ଛାତ ବିକ୍ରି କରିବାକୁ ପଡ଼ିଲା। ତାଙ୍କ ପାଖରେ ତାଙ୍କର ଗାଈ ଯୋଡ଼ିକ ମଧ୍ୟ ନଥିଲା, ସେଗୁଡ଼ିକୁ ମଧ୍ୟ ତାଙ୍କୁ ବିକ୍ରି କରିବାକୁ ପଡ଼ିଥିଲା। ଯୋଜନାର ଲାଭ ତାଙ୍କୁ ମିଳିବ ବୋଲି ନହକୁଲଙ୍କ ମନରେ ସେତେବେଳେ ଏକ ବିଶ୍ୱାସ ସୃଷ୍ଟି ହୋଇଥିଲା, ହେଲେ ବାସ୍ତବରେ ସେ ଋଣ ଯୋଗାଣ ପାଇଁ କେବଳ ଏକ ‘ଲକ୍ଷ୍ୟ’ ଥିଲେ। ପରବର୍ତ୍ତୀ ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଏଠାକାର ଅନ୍ୟ ଲୋକମାନେ, ଅଧିକାଂଶ ଗରିବ ଆଦିବାସୀ ମଧ୍ୟ ଏହି କାର୍ଯ୍ୟକ୍ରମ ଓ ଦଣ୍ଡର ପରିଣାମ ଭୋଗିଛନ୍ତି।

ଆଡଭୋକେଟ ମୋହନ କୁମାର ଗିରିଙ୍କ ଘର ସୁରଗୁଜାରେ। ତାଙ୍କ ଘର ପାଖରେ ଥିବା କେତେକ ଗାଁକୁ ସେ ମୋ ସହିତ ଯାଇଥିଲେ। ସେ କୁହନ୍ତି, “ଏହି ଯୋଜନାରେ ଋଣ ଆଣିଥିବା ଟଙ୍କା ନହକୁଲ ଓ ଅନ୍ୟମାନଙ୍କର ଦରକାର ଥିଲା-କିନ୍ତୁ ଯେଉଁ ଉଦ୍ଦେଶ୍ୟ ପାଇଁ ସେମାନେ ଏହା ଚାହୁଁଥିଲେ ତାହା ପାଇପାରିଲେ ନାହିଁ ? ସେମାନଙ୍କୁ ଏପରି ଏକ ଯୋଜନାରେ ସାମିଲ ହେବାକୁ ପଡ଼ିଲା ଯାହା ସେମାନଙ୍କ ଆବଶ୍ୟକତା ପାଇଁ ଆଦୌ ପ୍ରାସଙ୍ଗିକ ନଥିଲା। ସାଧାରଣତଃ ମୁଣ୍ଡ ଉପରେ ଛାତ ସୁରକ୍ଷିତ ରଖିବା ପାଇଁ ଲୋକମାନେ ଋଣ ନେଇଥାନ୍ତି। ହେଲେ ନହକୁଲ ଏମିତି ଏକ ଋଣ ନେଲେ ଯାହା ପାଇଁ ତାଙ୍କୁ ନିଜ ଛାତ ହରାଇବାକୁ ପଡ଼ିଲା। ଏବେ ଆପଣ ବୁଝିପାରୁଥିବେ ଯେ ଏବେବି କାହିଁକି ଏତେ ଲୋକ ସାହୁକାରଙ୍କ ପାଖକୁ ଯାଉଛନ୍ତି?”

ଆମ ଭିତରୁ ଦୁଇ ଜଣ ସେହି ଲୋକମାନଙ୍କୁ ଏକାଗ୍ରଚିତ୍ତରେ ଚାହିଁ ରହିଥିଲେ ଯେଉଁମାନେ ସେମାନଙ୍କର କୁଶଳୀ ହାତରେ ଚରିତ୍ରହୀନ ମାଟିରୁ ଚମତ୍କାର ଢଙ୍ଗରେ ନିଖୁଣ ଟାଇଲ ତିଆରି କରୁଛନ୍ତି। ଆମ ଦଳର ଅନ୍ୟ ଦୁଇ ଜଣ ଅତି ଆକର୍ଷଣୀୟ ମଦ ପାନ କରୁଥିବା ସେହି ଟାଇଲ ନିର୍ମାତାମାନଙ୍କୁ ଇର୍ଷାଳୁ ଦୃଷ୍ଟିରେ ଚାହିଁ ରହିଥିଲେ।

ମୂଳତଃ  ଏଭ୍ରିବଡି ଲଭ୍ସ ଏ ଗୁଡ ଡ୍ରଟ୍ ପୁସ୍ତକରେ ‘ଟେକ୍ ଏ ଲୋନ୍, ଲସ୍ ୟୋର ରୁଫ’ (ଋଣ ନିଅନ୍ତୁ, ନିଜ ଛାତ ହରାନ୍ତୁ) ଷ୍ଟୋରୀରୁ ଉଦ୍ଧୃତ – କିନ୍ତୁ ଏହି ମୂଳ ଫଟୋଗୁଡ଼ିକ ମିଳିନଥିବାରୁ ବିନା ଫଟୋରେ ଏହା ପ୍ରକାଶ ପାଇଥିଲା।

ଅନୁବାଦ : ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE