ଆପଣ ଯେତେବେଳେ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ତାରାପୀଠ ରେଳ ଷ୍ଟେସନରେ ଓହ୍ଲାଇ ଗ୍ରାଣ୍ଡ୍‌ ଟ୍ରଙ୍କ୍‌ ରୋଡ୍‌ରେ ଯାଆନ୍ତି, ସବୁଆଡ଼େ ଧୂଳି ଭରି ରହିଥାଏ । ପଥର ଖଣ୍ଡ ବୋଝେଇ ବିଶାଳକାୟ ଟ୍ରକ୍‌ଗୁଡ଼ିକ ରାସ୍ତା ଜାମ୍‌ କରିଦିଅନ୍ତି, ସେଗୁଡ଼ିକ ପଛେ ପଛେ ଥାଏ ଧୂଳି ଆଉ ଧୂଆଁର ଆସ୍ତରଣ । ଧୂଳି ଭିତର ଦେଇ ଆପଣ କିଛି ଦେଖିପାରିବେନି ଏବଂ ନାକ, ଆଖି ଓ ପାଟିରେ ଧୂଳିକଣା ପଶି ନଯିବା ପାଇଁ ଆପଣଙ୍କୁ କପଡ଼ାରେ ମୁହଁ ଢାଙ୍କି ଦେବାକୁ ପଡ଼ିବ ।

ଏବେ ଆମେ ବୀରଭୂମର ମଲ୍ଲାରପୁର ପଥର ଅଞ୍ଚଳର ଆଦିବାସୀ ଗାଁ ଗରିଆ ଅଭିମୁଖେ ଯାଉଛୁ । ସେଠାରେ, ଉଥନୌ ନାମକ ଏକ ବେସରକାରୀ ସଂଗଠନ, ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ କରେ। ମୁଁ ସେହି ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଛି, ଯେଉଁମାନେ ଏ ଅଞ୍ଚଳର ପଥର କ୍ୱାରୀ ଏବଂ କ୍ରସରରେ କାମ କରନ୍ତି ।

ଗରିଆରେ ମୁଁ ଘାସିରାମ ହେମ୍ବ୍ରମ୍‌ଙ୍କୁ ଭେଟିଲି । ସେ ଜଣେ ସାମାଜିକ କର୍ମୀ ଏବଂ ଭାରତ ଜାକତ ମାଝି ମଣ୍ଡୁଆ ନାମକ ସାନ୍ତାଳ ଗାଁ ଓ ଆଞ୍ଚଳିକ ମୁଖିଆମାନଙ୍କର ଏକ ସଂଗଠନ ସହ କାର୍ଯ୍ୟ କରନ୍ତି । ସେ ହେବେ ମୋର ପଥ ପ୍ରଦର୍ଶକ । ଲିପିଡ଼ି ଗାଁକୁ ଯିବା ବାଟରେ ଏକାକୀ ଚାଲିଥିବା ଜଣେ ବୃଦ୍ଧାଙ୍କ ସହ ଆମର ଦେଖା ହେଲା । ତାଙ୍କ ଦେହର ରଙ୍ଗ କଳା, କୁଞ୍ଚୁକୁଞ୍ଚିଆ ପାଚିଲା କେଶ, ଖାଲି ପାଦ ଏବଂ ପାଟିରେ ଆଗ ଦାନ୍ତ ନଥିଲା । ଧଳା ରଙ୍ଗର ଶାଢ଼ି ଉପରେ ସେ ଏକ ପୁରୁଣା ଲାଲ ଶାଲ ଘୋଡ଼େଇ ହୋଇଥିଲେ । ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ସେ ଏକୁଟିଆ ରହନ୍ତି । ସେ କହନ୍ତି, ଅଳ୍ପ କିଛି ଟଙ୍କା ପାଇଁ ତାଙ୍କ ପୈତୃକ ଜମିକୁ ଜଣେ କ୍ୱାରୀ ମାଲିକଙ୍କୁ ଦେଇଦେଲା ପରେ ତାଙ୍କ ସ୍ୱାମୀ ଓ ପୁଅମାନେ ତାଙ୍କୁ ଛାଡ଼ି ଦେଇଛନ୍ତି। ଏବେ ସେ ତାଙ୍କ ଘର ବି ହରାଇବାକୁ ଯାଉଛନ୍ତି । କ୍ୱାରୀର ପ୍ରଶସ୍ତ ଖୋଲାମୁହଁ ଦିନକୁ ଦିନ ବିସ୍ତାରିତ ହେଉଛି ଏବଂ ଯେ କୌଣସି ଦିନ ଏହା ତାଙ୍କ କୁଡ଼ିଆକୁ ଗ୍ରାସ କରିବ । ବଞ୍ଚି ରହିବା ପାଇଁ ସେ ଏକ ପଥର କ୍ରସରରେ କାମ କରନ୍ତି; ଟ୍ରକ୍‌ରୁ ବଡ଼ ବଡ଼ ପଥର ଖଣ୍ଡ ତଳକୁ ଓହ୍ଲାନ୍ତି ଏବଂ ସେଗୁଡ଼ିକୁ ହାତୁଡ଼ିରେ ପିଟି ଖଣ୍ଡଖଣ୍ଡ କରନ୍ତି ।

PHOTO • Manabi

ପଥର କ୍ୱାରୀ ଶିଳ୍ପ ବିରୋଧରେ ଲୋକଙ୍କୁ ସଂଗଠିତ କରିବାରେ ଘାସିରାମ ସହାୟତା କରନ୍ତି । ସେମାନଙ୍କ ପୁଅମାନଙ୍କୁ ପଥର କ୍ୱାରୀ ମାଲିକମାନଙ୍କ ବିରୋଧ କରିବା ପାଇଁ କହିବା ଲାଗି ସେ ମହିଳାମାନଙ୍କୁ କହନ୍ତି । କିନ୍ତୁ ଅନ୍ୟମାନଙ୍କୁ ଆଦେଶ ଦେବାରେ ଅସମର୍ଥ ଜଣେ ପରିତ୍ୟକ୍ତା ମହିଳା ଚାଲିବାରେ ଲାଗନ୍ତି ।

PHOTO • Manabi

୨୦୧୦ମସିହାରେ, କ୍ୱାରୀ ଓ କ୍ରସରଗୁଡ଼ିକ ବନ୍ଦ କରିବା ଦାବିରେ ଆଦିବାସୀଙ୍କ ବିଦ୍ରୋହ ଯୋଗୁଁ ବୀରଭୂମର ନଳହାଟୀ ଏବଂ ମହମ୍ମଦବାଜାର ବ୍ଲକ୍‌ ଦୋହଲି ଉଠିଥିଲା । ବୀରଭୂମ ଆଦିବାସୀ ଗାଓଟା ନାମକ ଏକ ଆଦିବାସୀ ସଂଗଠନ ଏହି ଆନ୍ଦୋଳନ ଆରମ୍ଭ କରିଥିଲା । ସେତେବେଳେ ଘାସିରାମ ଏହି ସଂଗଠନରେ ସାମିଲ ହୋଇଥିଲେ । ଜମି, ପରିବେଶ, ପ୍ରଦୂଷଣ, ଖଣି ସୁରକ୍ଷା ଏବଂ ଶ୍ରମ ସଂକ୍ରାନ୍ତ ସମସ୍ତ ପ୍ରଚଳିତ ଆଇନକୁ ମାଲିକମାନେ ପାଳନ କରୁଛନ୍ତି ବୋଲି ପ୍ରମାଣ ନ କରିବା ପର୍ଯ୍ୟନ୍ତ ସମସ୍ତ କ୍ୱାରୀ ଓ କ୍ରସର ବନ୍ଦ କରିବା ଲାଗି ଏହି ସଂଗଠନ ଦାବି କରିଥିଲା । ଯେହେତୁ ଅଧିକାଂଶ କାର୍ଯ୍ୟକଳାପ ବେଆଇନ ଭାବେ ଚାଲୁଥିଲା, ଶହ ଶହ କ୍ୱାରୀ ଓ କ୍ରସର ମାସ ମାସ ଧରି ବନ୍ଦ ରଖିବାକୁ ପଡ଼ିଥିଲା ।

PHOTO • Manabi

ପରେ ପରେ ଘାସିରାମ ଓ ଅନ୍ୟମାନେ ଜାଣିପାରିଲେ ଯେ, କେତେକ ଆନ୍ଦୋଳନକାରୀ ନେତା ଏବଂ ସେମାନଙ୍କ ନିଜ ସାଥୀମାନେ ହିଁ ଗୋପନରେ କ୍ରସର ଓ କ୍ୱାରୀ ମାଲିକମାନଙ୍କ ପାଖରୁ ଲାଞ୍ଚ ନେଉଛନ୍ତି । ଗୋଟିକ ପରେ ଗୋଟିଏ କରି ପୁଣି କାମ ଚାଲୁ କରିବାକୁ ସେମାନେ ବାଟ ଛାଡ଼ି ଦେଉଛନ୍ତି । ଏହି ବିଶ୍ୱାସଘାତକତା କଥା ପଦାକୁ ଆସିବା ପରେ, ଭାରତ ଜାକତ ମାଝି ମଣ୍ଡୁଆ ସଂଗଠନ ଜରିଆରେ ସାନ୍ତାଳ ଗାଁ ଲୋକମାନଙ୍କୁ ପୁଣି ସଂଗଠିତ କରିବାକୁ ବର୍ଷେ କି ତା’ଠାରୁ ଅଧିକ ସମୟ ଲାଗିଗଲା । ସେମାନେ ଏହି ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ଅବିଶ୍ୱସ୍ତ କିମ୍ବା ବହିଷ୍କୃତ ବୋଲି ଘୋଷଣା କରି ବାସନ୍ଦ କରିଦେଲେ । ତଥାପି, କ୍ଷତି ତ ହୋଇସାରିଥିଲା । ଆନ୍ଦୋଳନ ଭୁଶୁଡ଼ି ପଡ଼ିଥିଲା ଏବଂ ସଂପ୍ରଦାୟର ଏକତା ନଷ୍ଟ ହୋଇସାରିଥିଲା । ଏଣିକି କ୍ୱାରୀ ମାଲିକମାନଙ୍କ ସହ ଘନିଷ୍ଠ ସଂପର୍କ ରଖିଥିବା ଏହି ଦୁର୍ନୀତିଗ୍ରସ୍ତ ନେତାମାନେ, ସଚ୍ଚୋଟ ଭାବେ କାମ  କରୁଥିବା ଲୋକମାନଙ୍କୁ କ୍ୱାରୀରେ ପୂରାଇ ଦେଉ ନଥିଲେ ।

ଏହି କାରଣରୁ କାମ କରିପାରୁ ନଥିବା ଲୋକଙ୍କ ଭିତରୁ ଜଣେ ହେଲେ ଛୋଟୁ ମୁଣ୍ଡା । ସେ ମୋତେ ତାଙ୍କ ଘରକୁ ନେଇଗଲେ । ସେଠାକାର ଦୃଶ୍ୟ ମୋତେ ସ୍ତବ୍ଧ କରିଦେଲା । କ୍ୱାରୀ କଡ଼ରେ, ଏହାର ଧାର ଉପରେ ଲଟକି ରହିଥିବା ଛୋଟ କୁଡ଼ିଆଟିଏ । କ୍ୱାରୀର ଗଭୀରତା ଅତି କମ୍‌ରେ ୫୦୦ ଫୁଟ୍‌ ଥିଲା । ଛୋଟୁ କହିଲେ, “ବର୍ଷାଦିନେ ଏହା ଅତି ବିପଜ୍ଜନକ’’ । ‘‘ରାସ୍ତା ପିଚ୍ଛିଳ ହୋଇଯାଏ, ଭୂସ୍ଖଳନ ଘଟେ । କେମିତି ଏଠାରେ ମୁଁ ପୂରା ପରିବାର ସହିତ ରହୁଛି ତାହା ଭଗବାନ ହିଁ ଜାଣନ୍ତି । ଘର ଚାଳ ଉପରୁ ବର୍ଷାପାଣି ଝରି କ୍ୱାରୀ ଭିତରେ ପଡ଼େ ।” ମୁଁ ଘର ଭିତରକୁ ଯିବାକୁ ଡରୁଥିଲି। ଏମିତି କି କ୍ୱାରୀ ଭିତରକୁ ଖସି ପଡ଼ିବା ଆଶଙ୍କାରେ ସେଠାକୁ ଲମ୍ବିଥିବା ଗଡ଼ାଣିଆ ରାସ୍ତାରେ ଚାଲିବାକୁ ବି ଡରୁଥିଲି।

PHOTO • Manabi

ଛୋଟୁ ତାଙ୍କ ଜମିକୁ ଜଣେ ପଥର କ୍ୱାରୀ ମାଲିକଙ୍କୁ ତିନି ଲକ୍ଷ ଟଙ୍କାରେ ବିକି ଦେଇଥିଲେ । ସେ କହନ୍ତି, “ଆମେ ଗାଁ ଲୋକେ ଆମ ଜମି ବିକିବାକୁ ଚାହୁଁ ନଥିଲୁ’’। ‘‘କିନ୍ତୁ ପଥର କ୍ୱାରୀ ମାଲିକ ସଂଗଠନର ସଭାପତି ନାଜିର ହୁସେନ୍‌ ଆମକୁ କହିଲେ ଯେ ଆମେ ଯଦି ଜମି ନ ଦେବୁ ତେବେ ସେମାନେ ଆମ ଗାଁକୁ ବିଦ୍ୟୁତ ସଂଯୋଗ ଦେବେ ନାହିଁ । ତେଣୁ ଆମେ ବାଧ୍ୟ ହେଲୁ ।” ଆଇନ ଅନୁସାରେ, ଆଦିବାସୀଙ୍କ ଜମିକୁ କେହି ଅଣ-ଆଦିବାସୀଙ୍କୁ ହସ୍ତାନ୍ତର କରିପାରିବେ ନାହିଁ । କିନ୍ତୁ, ଛୋଟୁ ଆଇନ ଜାଣି ନଥିଲେ । ସେ କହନ୍ତି, “ସେମାନେ କିଛି କାଗଜ ଆଣି ମୋତେ ଦସ୍ତଖତ କରିବାକୁ କହିଲେ’’। ‘‘ମୁଁ ଟିପଚିହ୍ନ ଦେଲି ଏବଂ ସେମାନେ ମୋତେ ଟଙ୍କା ଦେଲେ।”

ସ୍ଥିତି ବିଗିଡ଼ିବାରେ ଲାଗିଲା । କ୍ୱାରୀରେ ବିସ୍ଫୋରଣ ଯୋଗୁଁ ପଥର ଖଣ୍ଡ ବାହାରି ତାଙ୍କର ଅବଶିଷ୍ଟ ଜମି ଉପରେ ପଡ଼ିବାରୁ ଚାଷବାସ କରିବା କଷ୍ଟକର ହେଲା । ଜଳସ୍ତର ବି ଖସିବାରେ ଲାଗିଲା । ତେଣୁ ସେ ଫସଲକୁ ପାଣି ଦେଇପାରିଲେ ନାହିଁ । ଏବେ କ୍ୱାରୀ ଏହାର ମୁହଁ ମେଲାଇବାରେ ଲାଗିଛି । ଯେ କୌଣସି ଦିନ ଛୋଟୁଙ୍କ ଛୋଟିଆ ଘରଟି ତା’ ପେଟରେ ପଡ଼ିଯିବ ।

PHOTO • Manabi

ଢୋଲକାଟାରେ ସ୍ଥିତି ଆହୁରି ଖରାପ । ଘାସିରାମଙ୍କ ସହିତ ସେହି ଗାଁରେ ପହଞ୍ଚି ମୁଁ କେବଳ ଗାଁରେ ରହିଯାଇଥିବା ଶେଷ କୁଡ଼ିଆଟିକୁ ଦେଖିଲି । ସରଳ ଭାବରେ ମୁଁ ପଚାରିଲି, “ଆପଣ କହିବାକୁ ଚାହାଁନ୍ତି ଯେ ଏଇଟି ଗ୍ରାମବାସୀ ନ ଥିବା ଏକ ଗାଁ ?” ଅଳ୍ପ ହସି ଘାସିରାମ କହନ୍ତି, “ହଁ, ଏଇଟି ଏକ ଗାଁ ଥିଲା । କିନ୍ତୁ ଏବେ ଏହା ଏକ କ୍ୱାରୀ । ଗାଁ ଆଉ ନାହିଁ । କେବଳ ଜଣେ ବିଧବା ଯାହା ବଞ୍ଚି ଯାଇଛନ୍ତି । ତାଙ୍କ ପୁଅର ମୃତ୍ୟୁ ହେଲା । ଅନ୍ୟ ଲୋକମାନେ ପଥର କ୍ରସର ଓ କ୍ୱାରୀ ପାଇଁ କାମ କରିବାକୁ ଝାଡ଼ଖଣ୍ଡ ପଳାଇଲେ ।”

ସେଦିନ ସନ୍ଧ୍ୟାରେ ଗରିଆକୁ ଫେରିବା ପରେ ବୁଦ୍ଧ ନାମକ ଜଣେ ବାଳକ ଆମକୁ ତା’ର ମାଆଙ୍କ ସହ ସାକ୍ଷାତ କରାଇବାକୁ ନେଇଗଲା । ତା’ର ମାଆ ପଥର କ୍ରସରରେ କାମ କରନ୍ତି । ନାଁ ମୋନଖୁସି ଲୋହାର । ଦିନସାରା କାମ କରିବା ପରେ ସେ ଘରକୁ ଫେରି ଗାଧୋଇ, ଚିରିଯାଇଥିଲେ ବି ମ୍ୟାଚିଂ କରୁଥିବା ବ୍ଲାଉଜ୍‌ ସହ ସଫା ଶାଢ଼ିଟିଏ ପିନ୍ଧି ଆସନ୍ତି । ଲମ୍ବା ଏବଂ କଳା ରଙ୍ଗର ଶରୀର ସାଙ୍ଗକୁ ସେ ସୁନ୍ଦରୀ ମଧ୍ୟ । ଖୁବ୍‌ ପରିଷ୍କାର ମାଟିଓଳିରେ ସେ ଆମକୁ ଚା’ ଦିଅନ୍ତି । ସେ କହନ୍ତି, “ମୁଁ ସକାଳ ୫ଟାରେ କ୍ରସରକୁ ଗଲି’’ । ‘‘ଆମକୁ ପଥର ବୋଝେଇ କରିବାକୁ ଓ କାଢ଼ିବାକୁ ପଡ଼େ । ବଡ଼ ବଡ଼ ପଥର ଖଣ୍ଡକୁ ଆମକୁ ଖଣ୍ଡ ଖଣ୍ଡ କରିବାକୁ ପଡ଼େ । ତା ପରେ ତାକୁ କ୍ରସରରେ ଭାଙ୍ଗି ପଥର ଚିପ୍‌ସ କରାଯାଏ । ଏଥିରୁ ଆମକୁ ଦିନକୁ ୨୦୦ ଟଙ୍କା ମିଳେ । ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ତୁମକୁ କାମ କରିବାକୁ ପଡ଼ିବ । ଯଦି ତୁମେ ନ କରିପାରିବ ତେବେ କମ୍‌ ପଇସା ଦିଆଯିବ, ଆଉ ଯଦି ଅଧିକ ହୁଏ ତେବେ ତୁମକୁ ଅଧିକ ମିଳିବ।” ଅନେକ ସମୟରେ ଦୁର୍ଘଟଣା ଘଟେ । ଆମ୍ବୁଲାନ୍‌ସ ନାହିଁ କି ଡାକ୍ତର ନାହାନ୍ତି । “ଯଦି ସେମାନେ ଡାକ୍ତର ଆଣିବା କାମ ତୁଲାଇବେ ତେବେ ଆମ ମଜୁରି କାଟି ଦେବେ। ଟଙ୍କା ହିଁ ବଡ଼ କଥା । ଦେହମୁଣ୍ଡର ଛୋଟମୋଟ ସମସ୍ୟା ପାଇଁ ଆମେ ଟଙ୍କା ଛାଡ଼ି ପାରିବୁନି । ଖଣ୍ଡିଆଖାବରା ହେଲେ ଆମେ ନିଜେ ନିଜେ ଚଳାଇ ନେବୁ । କିନ୍ତୁ ବିନା ଟଙ୍କାରେ ଆମେ ପରିବାର ଚଳାଇ ପାରିବୁନି ।”

PHOTO • Manabi


ସେମାନଙ୍କର ମାସ୍କ୍‌(ମୁଖା) କିମ୍ବା ଗ୍ଲୋଭ୍‌ସ (ହାତମୋଜା)ଅଛି କି ବୋଲି ମୁଁ ପଚାରେ । ମୋନଖୁସି ହସି ପକାନ୍ତି । “ଦେଖନ୍ତୁ, ସେମାନେ ଆମକୁ ମାସ୍କ୍‌ ଦେଇଥିଲେ । କିନ୍ତୁ ଏତେ ଖରାରେ ମାସ୍କ୍‌ ଲଗାଇ କେହି କାମ କରିପାରିବେନି । ମାସ୍କ୍‌ ପିନ୍ଧିଲେ ରୁନ୍ଧି ହେଲା ଭଳି ଲାଗେ, ତାକୁ ପିନ୍ଧି ଆମେ ନିଶ୍ୱାସ ନେଇ ପାରିବୁନି । ଏଥିରେ ବାନ୍ତି ଲାଗିଲା ଭଳି ଲାଗେ ।” ଜଣେ କ୍ରସର ମାଲିକ ମୋତେ କହିଲେ, “ମ୍ୟାଡାମ୍‌, ଏହି ଶ୍ରମିକମାନେ ଖୁବ୍‌ ନିରୀହ । ଆମେ ପ୍ରତ୍ୟେକଙ୍କୁ ମାସ୍କ୍‌ ଦେଇଥିଲୁ। କିନ୍ତୁ ସେମାନେ ତାକୁ ପିନ୍ଧିବେନି ।” ଉଥନୌ ଅନୁସାରେ, ପଞ୍ଚମୀ, ମହମ୍ମଦବାଜାର ଏବଂ ତାଲବନ୍ଧ ଅଞ୍ଚଳର ବହୁ ଶ୍ରମିକ ଧୂଳିକଣା ଭିତରେ ରହି କାମ କରିବା କାରଣରୁ ହେଉଥିବା ସିଲିକୋସିସ୍‌ ରୋଗରେ ପ୍ରାଣ ହରାଇଛନ୍ତି । ସରକାରଙ୍କ କହିବା ଅନୁସାରେ ସେମାନେ ଟ୍ୟୁବରକ୍ୟୁଲୋସିସ୍‌ ବା ଯକ୍ଷ୍ମା ରୋଗରେ ପ୍ରାଣ ହରାଇଛନ୍ତି। ଏଠି ଗର୍ଭବତୀ ମହିଳାଙ୍କ ପାଇଁ ବି କୌଣସି ସୁବିଧା ନାହିଁ । ନା ଶିଶୁଗୃହ, ନା ଆମ୍ବୁଲାନ୍‌ସ, ନା ସ୍ୱାସ୍ଥ୍ୟ ପରୀକ୍ଷା, କିଛି ନାହିଁ । ତିନି ମାସ ତଳେ ଜଣେ ମହିଳା କାରଖାନା ହତା ଭିତରେ ଶିଶୁ ଜନ୍ମ ଦେଇଥିଲେ ।

ମୋନଖୁସି ଦୁଇଟି ପୁଅକୁ ଜନ୍ମ ଦେଇଥିଲେ । କିନ୍ତୁ ତାଙ୍କ ହିଂସ୍ର ସ୍ୱାମୀଙ୍କ କବଳରୁ ସେମାନଙ୍କୁ ବଞ୍ଚାଇ ଗରିଆ ଗାଁର ନିଜ ପୈତୃକ ଘରକୁ ପଳାଇ ଆସିଥିଲେ । ଏବେ ସେ ଲହୁଲୁହ ଦେଇ ତାଙ୍କ ପୁଅମାନଙ୍କ ଲାଳନପାଳନ କରୁଛନ୍ତି ଏବଂ ସେଠାରେ ରହୁଥିବାରୁ ପିତାମାତାଙ୍କ ପରିବାର ଚଳାଉଛନ୍ତି । କିଛି ସମୟ ପାଇଁ ସେ ଅଟକି ଯାଆନ୍ତି, ଏବଂ ତା’ ପରେ ତରବର ହୋଇ କୋଠରି ପଛପଟେ ଥିବା ଏକ ବାକ୍‌ସ ଭିତରୁ ରୂପା ଫରୁଆଟିଏ ଆଣନ୍ତି । ବୋଧହୁଏ ଏଇ ବାକ୍‌ସଟି ହିଁ ତାଙ୍କ ଜୀବନରଏକମାତ୍ର ବ୍ୟକ୍ତିଗତ କ୍ଷେତ୍ର। ସେ କହନ୍ତି, “ମୁଁ ଯେବେ ବାହା ହେଲି, ମୋ ବାପା ଏଇଟିକୁ ମୋତେ ଦେଇଥିଲେ’’ । ‘‘ବାହାଘର ବେଳେ ଆମ ସଂପ୍ରଦାୟର ପ୍ରତିଟି ମହିଳାଙ୍କୁ ଏଇ କାଜଲଦାନୀ (କଜ୍ଜଳ ଫରୁଆ) ଉପହାର ଦିଆଯାଏ ।” ଧୀର ହସ୍ତରେ ଫରୁଆଟିକୁ ଛୁଇଁ ଦିଅନ୍ତି ଏବଂ ଅଳ୍ପ ହସି କହନ୍ତି, “ମୋ ବାପା ଆପଣଙ୍କ ପାଇଁ ବି ଏଇଟା କରିଦେଇପାରିବେ, ଆପଣଙ୍କ ବାହାଘର ପାଇଁ ।” ହସରେ ଘର ଭିତର ଫାଟି ପଡ଼େ ଯେମିତି ।

ମୋନଖୁସିଙ୍କ ସ୍ୱାସ୍ଥ୍ୟରେ ଅବନତି ଲାଗି ରହିଛି । ସେ ଜାଣିନାହାନ୍ତି ଯେ ଆଉ କେତେ ଦିନ ପର୍ଯ୍ୟନ୍ତ କ୍ରସରରେ କାମ ଜାରି ରଖିପାରିବେ । ତଥାପି ତାଙ୍କ ପାଖରେ ବିକଳ୍ପ ନାହିଁ । କାରଣ ଏ ଅଞ୍ଚଳରେ ଆଜିକାଲି ଖୁବ୍‌ କମ୍‌ ଚାଷବାସ ହେଉଛି । “ଏ ଜମିକୁ ଆପଣ ଦେଖିପାରୁଛନ୍ତି କି ନାହିଁ,” ସେ କହନ୍ତି, “ଦେଖିଲେ ଲାଗେ ଯେମିତି ବର୍ଷ ବର୍ଷ ଧରି ଏହାକୁ ଧର୍ଷଣ କରାଯାଇଛି, ନିର୍ଯାତନାର ଚିହ୍ନ ଭର୍ତ୍ତି ଜଣେ ନାରୀର ଶରୀର ।”

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.