ଲକ୍ଷ ଲକ୍ଷ ମନୁଷ୍ୟଙ୍କୁ ପାଣି ଓ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିଦେବା, ଏପରି କରି ସେମାନଙ୍କ ସ୍ୱାସ୍ଥ୍ୟକୁ ଗମ୍ଭୀର ବିପଦ ମଧ୍ୟକୁ ଠେଲି ଦେବା, ପୋଲିସ ଓ ଅର୍ଦ୍ଧସୈନିକ ବଳ ନିୟୋଜିତ କରାଯାଇ ବାରିକେଡ୍‌ କରି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ମଧ୍ୟରେ ସୀମିତ କରିବା ସହିତ ସେମାନଙ୍କୁ ଅତ୍ୟନ୍ତ ବିପଦଶଙ୍କୁଳ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିବାକୁ ବାଧ୍ୟ କରିବା, ସମ୍ବାଦିକମାନେ ଯେପରି ପ୍ରଦର୍ଶନକାରୀ ଚାଷୀଙ୍କ ପାଖରେ ପହଞ୍ଚିବା ପ୍ରାୟତଃ ସମ୍ଭବ ହୋଇପାରିବ ନାହିଁ, ସେପରି ବ୍ୟବସ୍ଥା ଗ୍ରହଣ କରାଯିବା, ଗତ ଦୁଇ ମାସରେ ବୋଧହୁଏ  ୨୦୦ରୁ ଅଧିକ ପ୍ରିୟଜନଙ୍କୁ ହାଇପୋଥର୍ମିଆ ଓ ଅନ୍ୟ କାରଣରୁ ଜୀବନ ହାରିଥିବା ଦେଖିଥିବା ଏପରି ଏକ ଗୋଷ୍ଠୀକୁ ଦଣ୍ଡିତ କରିବା। ବିଶ୍ୱର ଯେକୌଣସି ସ୍ଥାନରେ ମଧ୍ୟ ଏହାକୁ ଏକ ବର୍ବରୋଚିତ ଓ ମାନବ ଅଧିକାର ଓ ମର୍ଯ୍ୟାଦା ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ।

ହେଲେ, ଆମର ସରକାର ଓ ସମ୍ଭ୍ରାନ୍ତ ଶାସକ ଗୋଷ୍ଠୀ ଏହାଠାରୁ ଅଧିକ ଗମ୍ଭୀର କୌଣସି ଚିନ୍ତାରେ ବୁଡି ରହିଥିବା ଭଳି ମନେ ହେଉଛି । ଯେପରିକି କିଭଳି ବିଶ୍ୱର ଭୟଙ୍କର ଆତଙ୍କବାଦୀ ରିହାନା ଓ ଗ୍ରୀଟା ଥନ୍‌ବର୍ଗଙ୍କ ଷଡଯନ୍ତ୍ର, ଯାହାର ଉଦ୍ଦେଶ୍ୟ ହେଉଛି ପୃଥିବୀର ଅନ୍ୟତମ ମହାନ ଦେଶକୁ ବଦ୍‌ନାମ ଓ ଅପମାନିତ କରିବାକୁ ବିଫଳ କରିବା ।

ଗଳ୍ପ ଭାବେ ତାହା ଏକ ଉନ୍ମତ୍ତ ଆମୋଦଦାୟକ ବିଷୟ ହୋଇପାରେ। ବାସ୍ତବରେ କିନ୍ତୁ ଏହା କେବଳ ପାଗଳାମି ଅଟେ ।

ଏସବୁ କିଛି ଆଚମ୍ବିତ କରିପାରେ, ହେଲେ ଏଗୁଡିକ ଆଶ୍ଚର୍ଯ୍ୟଜନକ ମନେହେବା ଅନୁଚିତ । ଏପରିକି ଯେଉଁମାନେ “ମିନିମାଲ ଗଭର୍ଣ୍ଣମେଣ୍ଟ ମାକ୍ସିମମ୍‌ ଗଭର୍ଣ୍ଣାନ୍ସ" ର ସ୍ଲୋଗାନ ଦେଉଥିଲେ, ସେମାନେ  ମଧ୍ୟ ବର୍ତ୍ତମାନ ନିଶ୍ଚିତ ରୂପେ ଏହା ବୁଝି ଯାଇଥିବେ। ଅସଲ କଥା ଏହା ଥିଲା ଯେ – ସରକାରୀ ଶକ୍ତିର ଅଧିକ ପ୍ରୟୋଗ ଓ ଅଧିକରୁ ଅଧିକ ରକ୍ତରଞ୍ଜିତ ଶାସନ କରିବା । କିନ୍ତୁ, ଚିନ୍ତାର ବିଷୟ ଏହା ଯେ ସାଧାରଣତଃ ଉଚ୍ଚ ସ୍ୱରରେ କହୁଥିବା ଅନେକ ଲୋକ ଆଜି ନିରବ ରହିଛନ୍ତି. ଯେଉଁମାନଙ୍କ ମଧ୍ୟରେ ଏପରି ମଧ୍ୟ କେତେଜଣ ଅଛନ୍ତି ଯେଉଁମାନେ କ୍ଷମତାର ପ୍ରତିରକ୍ଷା ଓ ଏପରି ସମସ୍ତ ଆଇନର ପ୍ରଶଂସା କରିବାରେ କେବେ ମଧ୍ୟ ଅବହେଳା କରିନାହାନ୍ତି । ଆପଣମାନେ ଏହା ଭାବିପାରିବେ ଯେ ସେମାନେ ଗଣତନ୍ତ୍ର ଉପରେ ସବୁଦିନ ଯେଭଳି ପ୍ରହାର କରାଯାଉଛି, ତାହା ମଧ୍ୟ ଅଗ୍ରାହ୍ୟ କରିଦେବେ ।

କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରତ୍ୟେକ ସଦସ୍ୟ, ବର୍ତ୍ତମାନ ଚାଲିଥିବା ଚାଷୀ ବିରୋଧ ପ୍ରଦର୍ଶନର ସମାଧାନ ପଥରେ କ’ଣ ପ୍ରତିବନ୍ଧକ ସାଜିଛି, ସେ ବିଷୟରେ ଜାଣନ୍ତି ।

PHOTO • Q. Naqvi
PHOTO • Labani Jangi

ସେମାନେ ଜାଣନ୍ତି ଯେ ଏହି ତିନି ଆଇନ୍‌ ସମ୍ବନ୍ଧରେ ଚାଷୀମାନଙ୍କ ସହିତ କୌଣସି ବିଚାର-ବିମର୍ଷ ହୋଇନଥିଲା – ଯଦିଓ, ଚାଷୀମାନେ ସେହି ଦିନଠାରୁ ଏହା ଚାହୁଁଥିଲେ ଯେଉଁଦିନ ସେମାନଙ୍କୁ ଜଣାପଡିଥିଲା ଯେ ଏହାକୁ ଅଧ୍ୟାଦେଶ ଭାବେ ଆଣିବାକୁ ପ୍ରସ୍ତୁତି ଚାଲିଛି ।

ଏହି ଆଇନ୍‌ ପ୍ରସ୍ତୁତ କରାଯିବା ସମୟରେ ରାଜ୍ୟଗୁଡିକ ସହିତ ମଧ୍ୟ କୌଣସି ବିଚାର-ବିମର୍ଷ କରାଯାଇନଥିଲା – ଯଦିଓ କୃଷି ସମ୍ବିଧାନରେ ରାଜ୍ୟ ସୂଚୀ ଅନ୍ତର୍ଭୁକ୍ତ ଅଟେ। କୌଣସି ବିରୋଧୀ ଦଳ ସହିତ ନୁହେଁ କିମ୍ବା ସଂସଦ ଭିତରେ ମଧ୍ୟ ଏପରି କିଛି କରାଯାଇନଥିଲା ।

ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଜାଣିଥିଲେ ଯେ କାହା ସହିତ କୌଣସି ପ୍ରକାରର ବିଚାର-ବମର୍ଷ କରାଯାଇନାହିଁ – କାରଣ ସେମାନେ କେବେ ମଧ୍ୟ ନିଜ ମଧ୍ୟରେ ଏନେଇ କୌଣସି ବିଚାର-ବିମର୍ଷ କରିନଥିଲେ । ଏହା ଉପରେ ନୁହେଁ କି ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ମଧ୍ୟ ନୁହେଁ । ସେମାନଙ୍କର କାମ କେବଳ ଏତିକି ଯେ, ସେମାନଙ୍କ ନେତାଙ୍କର ଯଦି ଆଦେଶ ମିଳେ ତାହାହେଲେ ସେମାନେ ମହାସାଗରର ଲହଡିର ଗତି ମଧ୍ୟ ବଦଳାଇ ପଛକୁ ଫେରାଇ ଦେବେ ।

ବର୍ତ୍ତମାନ ପର୍ଯ୍ୟନ୍ତ, ଲହଡିଗୁଡିକ ଦରବାରୀଙ୍କର ତୁଳନାରେ ଭଲ କାମ କରୁଥିବା ଦେଖାଯାଉଛି । ଉତ୍ତର ପ୍ରଦେଶରେ ବଡ ଧରଣର ବିରୋଧ ପ୍ରଦର୍ଶନ । ପଶ୍ଚିମ ୟୁପି କୃଷକ ନେତା ରାକେଶ୍‌ ତିକେଟ୍‌ଙ୍କୁ ସରକାର ବର୍‌ବାଦ କରିବାକୁ ଅନେକ ଚେଷ୍ଟା କରିବା ପରେ ମଧ୍ୟ, ସେ ବର୍ତ୍ତମାନ ପୂର୍ବାପେକ୍ଷା ଆହୁରି ପ୍ରଭାବଶାଳୀ ବ୍ୟକ୍ତି ଭାବେ ପ୍ରକଟ ହୋଇଛନ୍ତି । ଜାନୁଆରି ୨୫ରେ ମହାରାଷ୍ଟ୍ରରେ ଚାଷୀମାନଙ୍କ ଦ୍ୱାରା ଏକ ବିଶାଳ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସେହିପରି, ରାଜସ୍ଥାନ, କର୍ଣ୍ଣାଟକରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରାଯାଇଥିଲା – ଯେଉଁଥିରେ ଟ୍ରାକ୍ଟର ରାଲ୍ଲୀକୁ ବେଙ୍ଗାଲୁରୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା – ଆନ୍ଧ୍ର ପ୍ରଦେଶ ଓ ଅନ୍ୟ ସ୍ଥାନରେ ମଧ୍ୟ । ହରିୟାଣାରେ, ସରକାର ଏପରି ଏକ ରାଜ୍ୟରେ କାମ କରୁଛନ୍ତି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ସାର୍ବଜନୀକ ସଭାରେ ଅଂଶଗ୍ରହଣ କରିବାକୁ ସମର୍ଥ ହୋଇପାରୁନାହାନ୍ତି ।

ପଞ୍ଜାବରେ, ପ୍ରାୟତଃ ପ୍ରତ୍ୟେକ ଘର ପ୍ରଦର୍ଶନକାରୀଙ୍କ ସହିତ ଠିଆ ହେଉଛି -  ଅନେକ ସେମାନଙ୍କ ସହିତ ଯୋଗ ଦେବାକୁ ପ୍ରୟାସ କରୁଛନ୍ତି, କିଛି ପୂର୍ବରୁ ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି । ଫେବୃଆରି ୧୪ରେ ହେବାକୁ ଥିବା ସହରୀ ସ୍ଥାନୀୟ ନିକାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଯୋଗାଡ କରିବାକୁ ବିଜେପି ସଂଘର୍ଷ କରୁଛି । ପୂର୍ବରୁ ଯେଉଁମାନେ ଏହା ସହିତ ଅଛନ୍ତି – ପୁରୁଣା ବିଶ୍ୱସ୍ତମାନେ- ସେମାନେ ମଧ୍ୟ ସତର୍କତା ସହିତ ସେମାନଙ୍କ ନିଜ ଦଳର ଚିହ୍ନ ବ୍ୟବହାର କରୁଛନ୍ତି । ଇତିମଧ୍ୟରେ, ରାଜ୍ୟରେ ଯୁବକମାନଙ୍କର ସମ୍ପୂର୍ଣ୍ଣ ଏକ ପିଢି ପୂରାପୁରି ପୃଥକ୍‌ ହୋଇଯାଇଛି, ଯେଉଁମାନଙ୍କର ଭବିଷ୍ୟତ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

PHOTO • Shraddha Agarwal ,  Sanket Jain ,  Almaas Masood

ଏହା ସରକାରଙ୍କ ଏକ ଆଶ୍ଚର୍ଯ୍ୟଜନକ ଉପଲବ୍ଧି ଅଟେ ଯେଉଁଥିରେ ଏହା ଏକ ବିଶାଳ ଓ ଅସମ୍ଭବ ମନେ ହେଉଥିବା ସାମାଜିକ ଶକ୍ତିର ବର୍ଣ୍ଣାଳୀକୁ ଏକତ୍ରିତ କରିପାରିଛି, ଯେଉଁଥିରେ କିଛି ପାରମ୍ପରିକ ଶତ୍ରୁ ଯେପରିକି ଚାଷୀ ଓ ଅର୍ଥିୟାସ୍‌ ( କମିଶନ ଏଜେଣ୍ଟ) ମଧ୍ୟ ସାମିଲ ଅଛନ୍ତି । ଏହା ବ୍ୟତୀତ ଏହା ଶିଖ, ହିନ୍ଦୁ, ମୁସଲ୍‌ମାନ, ଜାଟ୍‌ ଓ ଅଣ-ଜାଟ୍‌ ଏପରିକି ଖାଫ୍‌ ଓ ଖାନ୍‌ ବଜାରର ଗହଳିକୁ ମଧ୍ୟ ଏକତ୍ରିତ କରିଛି । ଚମତ୍କାର ।

କିନ୍ତୁ, ଯେଉଁସବୁ ସ୍ୱର ବର୍ତ୍ତମାନ ନିରବ ହୋଇ ଯାଇଛି, ତାହା ଆମକୁ ଦୁଇମାସ ପର୍ଯ୍ୟନ୍ତ କେବଳ ଏହି ଆଶ୍ୱସନା ପ୍ରଦାନ କରିବାରେ ବିତିଗଲା ଯେ “ଏହା କେବଳ ପଞ୍ଜାବ ଓ ହରିୟାଣା ସହିତ ପରିପ୍ରେକ୍ଷୀରେ ଥିଲା ।’’ ଅନ୍ୟ କେହି ପ୍ରଭାବିତ ହୋଇନାହାନ୍ତି । ଏହାଦ୍ୱାରା ବାସ୍ତବରେ କିଛି ଫରକ ପଡିଲାନାହିଁ ।

କୌତୁହଳପୂର୍ଣ୍ଣ । ଯେତେବେଳେ ଅନ୍ତିମ ଥର ପାଇଁ ଏକ କମିଟି ଯାଞ୍ଚ କରାଯାଇଥିଲା, ଯାହା ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ ହୋଇନଥିଲା, ଉଭୟ ପଞ୍ଜାବ ଓ ହରିୟାଣା ଭାରତୀୟ ସଂଘର ଅଂଶ ଥିଲେ। ଆପଣମାନେ ଭାବିପାରିବେ ଯେ ସେଠାରେ ଯାହା ସବୁ ଘଟୁଛି, ତାହା ଦ୍ୱାରା ଆମେ ସମସ୍ତେ ପ୍ରଭାବିତ ହେବା ।

ଏକଦା ସ୍ପଷ୍ଟ ମତବ୍ୟକ୍ତ କରୁଥିବା ସେହି ସ୍ୱରଗୁଡିକ ଆମକୁ କହିଥିଲେ – ଆଉ ଏବେ ମଧ୍ୟ ଚାପା ସ୍ୱରରେ କହିଚାଲିଛନ୍ତି ଯେ – ସୁଧାରକୁ ଯେଉଁମାନେ ବିରୋଧ କରିଚାଲିଛନ୍ତି, ସେମାନେ ସମସ୍ତେ “ଧନୀ ଚାଷୀ” ଅଟନ୍ତି ।

ଅତି ରୋଚକ । ଗତ ଏନ୍‌ଏସ୍‌ଏସ୍‌ ସର୍ବେକ୍ଷଣ ଅନୁସାରେ, ପଞ୍ଜାବରେ ଏକ ଚାଷୀ ପରିବାରର ହାରାହାରି ମାସିକ ଆୟ ୧୮,୦୫୯ଟଙ୍କା  ଥିଲା ।  ପ୍ରତ୍ୟେକ ଚାଷୀ ପରିବାରରେ ବ୍ୟକ୍ତିଙ୍କ ହାରାହାରି ସଂଖ୍ୟା ଥିଲା ୫.୨୪। ଏଣୁ ବ୍ୟକ୍ତି ପ୍ରତି ମୁଣ୍ଡପିଛା ମାସିକ ଆୟ ହାରାହାରି ୩,୪୫୦ଟଙ୍କା ଥିଲା, ଯାହା କୌଣସି ସଂଗଠିତ କ୍ଷେତ୍ରରେ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସର୍ବନିମ୍ନ ପାରିଶ୍ରମିକଠାରୁ ମଧ୍ୟ କମ୍‌ ଅଟେ ।

ବାଃ! ଏତେ ସମ୍ପତ୍ତି । ଅଧା କଥା ଆମକୁ କୁହାଯାଇନଥିଲା । ହରିୟାଣା ପାଇଁ ସମ୍ବନ୍ଧିତ ସଂଖ୍ୟାଗୁଡିକ (ଚାଷୀ ପରିବାରର ଆକାର – ୫.୯ବ୍ୟକ୍ତି) ଯଥାକ୍ରମେ ହାରାହାରି ମାସିକ ଆୟ ୧୪, ୪୩୪ଟଙ୍କା ଥିଲା ଓ ମୁଣ୍ଡପିଛା ଆୟ ପାଖାପାଖି ୨,୪୫୦ଟଙ୍କା ଥିଲା । ନିଶ୍ଚିତ ଭାବେ, ଏହି ନଗଣ୍ୟ ସଂଖ୍ୟାଗୁଡିକୁ ସେମାନଙ୍କୁ ଅନ୍ୟ ଭାରତୀୟ ଚାଷୀଙ୍କ ତୁଳନାରେ ବହୁତ ଉପରେ ସ୍ଥାନିତ କରୁଛି । ଯେପରିକି, ଉଦାହରଣ ସ୍ୱରୂପଗୁଜୁରାଟରେ ଏକ ଚାଷୀ ପରିବାରର ହାରାହାରି ମାସିକ ଆୟ ୭,୯୨୬ଟଙ୍କା ହୋଇଥିବାବେଳେ ହାରାହାରି ୫.୨ଜଣ ବ୍ୟକ୍ତି ବିଶିଷ୍ଟ ଏକ ଚାଷୀ ପରିବାରର ମୁଣ୍ଡପିଛା ମାସିକ ଆୟ୧,୫୨୪ଟଙ୍କା ଅଟେ ।

PHOTO • Kanika Gupta ,  Shraddha Agarwal ,  Anustup Roy

ସମଗ୍ର ଭାରତରେ ଏକ ଚାଷୀ ପରିବାରର ହାରାହାରି ମାସିକ ଆୟର ପରିମାଣ ଥିଲା ୬,୪୨୬ ଟଙ୍କା ( ପ୍ରାୟ ୧,୩୦୦ ଟଙ୍କା ମୁଣ୍ଡପିଛା ଆୟ)। ପ୍ରକୃତରେ କହିଲେ – ଏହି ସମସ୍ତ ମାସିକ ହାରାହାରି ପରିମାଣରେ ସମସ୍ତ ସୁତ୍ରରୁ ହେଉଥିବା ଆୟକୁ ସମିଲ କରାଯାଇଛି। କେବଳ କୃଷି ନୁହେଁ ବରଂ ସମସ୍ତ ପଶୁସମ୍ପଦ, ଅଣ-ଚାଷ ବ୍ୟବସାୟ ଓ ମଜୁରୀ ଓ ବେତନରୁ ହେଉଥିବା ଆୟ ମଧ୍ୟ।

ଏହା ହେଉଛି ଭାରତୀୟ ଚାଷୀମାନଙ୍କର ସ୍ଥିତି, ଯାହା ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣର ୭୦ତମ ରାଉଣ୍ଡର ‘ଭାରତରେ ଚାଷୀ ପରିବାଗୁଡିକର ସ୍ଥିତିର ମୁଖ୍ୟ ପ୍ରମୁଖ ସୂଚକ (୨୦୧୩)ରେ ଉଲ୍ଲେଖ ହୋଇଛି । ଆଉ, ଏହା ମନେରଖନ୍ତୁ ଯେ ସରକାର ଆସନ୍ତା ୧୨ ମାସରେ , ଅର୍ଥାତ୍‌ ୨୦୨୨ ଭିତରେ ଏହି ଚାଷୀମାନଙ୍କର ଆୟ ଦ୍ୱିଗୁଣିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏକ କଠିନ କାମ, ଯାହା ରିହାନା ଓ ଥନବର୍ଗଙ୍କ ଭଳି ବିଘଟନକାରୀଙ୍କର ହସ୍ତକ୍ଷେପ ଦ୍ୱାରା ଆହୁରି କଷ୍ଟଦାୟକ ହୋଇଯାଇଛି ।

ଓଃ, ଦିଲ୍ଲୀର ସୀମାରେ ଉପସ୍ଥିତ ଥିବା ସେହି ଧନୀ ଚାଷୀମାନେ, ଯେଉଁମାନେ ୨ ଡିଗ୍ରୀ ସେଲ୍‌ସିୟସ୍‌ ବା ତା’ଠାରୁ ମଧ୍ୟ କମ୍‌ ତାପମାତ୍ରାରେ ଧାତୁର ଟ୍ରଲିଗୁଡିକରେ ଶୋଉଛନ୍ତି. ଯେଉଁମାନେ ୫- ୬ ଡିଗ୍ରୀ ତାପମାତ୍ରାରେ ଖୋଲାରେ ସ୍ନାନ କରୁଛନ୍ତି – ସେମାନେ ନିଶ୍ଚିତଭାବେ ଭାରତୀୟ ଧନୀ ବ୍ୟକ୍ତିଙ୍କ ବିଷୟରେ ଥିବା ମୋର ଧାରଣାକୁ ଉନ୍ନତ କରିଦେଇଛନ୍ତି । ଆମେ ଯେତିକି ଚିନ୍ତା କରୁଥିଲେ, ତା’ଠାରୁ ସେମାନେ ଯଥେଷ୍ଟ ଅଧିକ ପରିଶ୍ରମୀ ଅଟନ୍ତି ।

ଇତି ମଧ୍ୟରେ, ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା କମିଟି ସୁସଙ୍ଗତ ଭାବେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବାକୁ ଅସମର୍ଥ ଥିବା ଭଳି ଜଣାପଡୁଥିଲା – ଏହାର ଚାରି ସଦସ୍ୟଙ୍କ ମଧ୍ୟରୁ ଜଣେ ନିଜର ପ୍ରଥମ ବୈଠକ ପୂର୍ବରୁ ହିଁ ଏହାକୁ ଛାଡି ଦେଲେ । ଯେତେଦୂର ପର୍ଯ୍ୟନ୍ତ ପ୍ରକୃତ ପ୍ରଦର୍ଶନକାରୀଙ୍କ ସହିତ କଥା ହେବା କଥା ଉଠୁଛି, ଏପରି ବିଲ୍‌କୁଲ୍‌ ହୋଇନାହିଁ  ।

୧୨ ମାର୍ଚ୍ଚରେ, ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ କମିଟିର ଦୁଇ ମାସର ଅବଧି (କୃଷି ପାଇଁ ଅତ୍ୟନ୍ତ ଜରୁରୀ କୀଟ ପରାଗଣକାରୀର ସର୍ବାଧିକ ଜୀବନ କାଳ ସହିତ ପ୍ରାୟ ସମାନ ହେବ) ସମାପ୍ତ ହୋଇ ସାରିଥିବ । ସେତେବେଳକୁ କମିଟି ପାଖରେ ସେହି ଲୋକମାନଙ୍କର ଏକ ଲମ୍ବା ସୂଚୀ ପହଞ୍ଚି ସାରିଥିବ ଯେଉଁମାନଙ୍କ ସହିତ ସେମାନେ କଥା ହୋଇନାହାନ୍ତି ଆଉ ଏହା ଠାରୁ ଅଧିକ ଲମ୍ବର ସେହି ଲୋକମାନଙ୍କର ସୂଚୀ ଥିବ ଯେଉଁମାନେ ସେମାନଙ୍କ ସହିତ କଥା ହୋଇନାହାନ୍ତି । ଆଉ, ବୋଧହୁଏ ସେହି ଲୋକମାନଙ୍କର ଏକ ଛୋଟ ତାଲିକା ଥିବ, ଯେଉଁମାନଙ୍କ ସହିତ ସେମାନେ କେବେ ମଧ୍ୟ କଥା ହେବା ଆବଶ୍ୟକ ନଥିଲା ।

ପ୍ରଦର୍ଶନକାରୀ ଚାଷୀମାନଙ୍କୁ ଡରାଇବା ଓ ଧମକାଇବା ପାଇଁ ସମସ୍ତ ସମ୍ଭବ ପ୍ରୟାସ କରିବା ପରେ ସେମାନଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ଦେଖିବାକୁ ମିଳିଲା । ସେମାନଙ୍କୁ ବଦ୍‌ନାମ କରିବା ପାଇଁ ଉଠାଯାଇଥିବା ପ୍ରତ୍ୟେକ ପଦକ୍ଷେପ ପ୍ରତି ଗଣମାଧ୍ୟମ ବହୁତ ଅଧିକ ଆକର୍ଷିତ ହୋଇଥାଇ ପାରେ – ହେଲେ, ପୃଷ୍ଠରେ ଏହାର ବିପରୀତ ପ୍ରଭାବ ପଡିଛି । ସବୁଠାରୁ ଭୟଙ୍କର କଥା ଏହା ଯେ ଏହା କୌଣସି ପ୍ରକାରେ ଏହି ସରକାରଙ୍କୁ ସେହି ସବୁ ପ୍ରୟାସଗୁଡିକୁ ଆହୁରି ତ୍ୱରିତ କରାଯିବାଠାରୁ ଅଟକାଯାଇ ପାରିବନାହିଁ ଯାହା ଆହୁରି ଅଧିକ ଅଧିକାରବାଦୀ, ଶାରିରୀକ ଓ କ୍ରୁର ହେବାକୁ ଲାଗିବ ।

PHOTO • Satyraj Singh
PHOTO • Anustup Roy

କର୍ପୋରେଟ୍‌ ଗଣମାଧ୍ୟମର ଅନେକ ଲୋକ ଏହା ଜାଣନ୍ତି ଆଉ ବିଜେପିର ଅନେକ ଲୋକ ମଧ୍ୟ ଏହା ଭଲଭାବେ ଜାଣନ୍ତି ଯେ, ଏହି ବିବାଦର ସବୁଠାରୁ ଅଲଂଘନୀୟ ପ୍ରତିବନ୍ଧକ ହେଉଛି ବ୍ୟକ୍ତିଗତ ଅହଂକାର। ନୀତି ନୁହେଁ କିମ୍ବା ସବୁଠାରୁ ଧନୀ କର୍ପୋରେଟ୍‌ଗୁଡିକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣର କଥା ନୁହେଁ, (ଯାହା ଦିନେ ନା ଦିନେ ପୂରଣ କରାଯିବ)। ଏହା ଆଇନ୍‌ର ପବିତ୍ରତା ରକ୍ଷା କରିବା ପାଇଁ ମଧ୍ୟ ନୁହେଁ (ଯେପରି ସରକାର ନିଜେ ସ୍ୱୀକାର କରିଛନ୍ତି ଯେ ଏଥିରେ ଅନେକ ସଂଶୋଧନ କରାଯିବ) । କଥା କେବଳ ଏତିକି ଯେ ରାଜା କେବେ ମଧ୍ୟ ଭୁଲ୍‌ କରିପାରିବ ନାହିଁ । ଆଉ, ଦୋଷ ସ୍ୱୀକାର କରିବା ଓ ସେଥିରୁ ଓହରି ଯିବା କଳ୍ପନାତୀତ ଅଟେ । ଏଥିପାଇଁ, ଦେଶର ପ୍ରତ୍ୟେକ ଚାଷୀ ଶତ୍ରୁଭାବାପନ୍ନ ହୋଇଯାଉ, ଚଳିବ – ହେଲେ ନେତା ଭୁଲ୍‌ ହୋଇପାରିବେ ନାହିଁ, ସେମାନଙ୍କର ଚେହେରା ମଳିନ ପଡିବନି । ମତେ ଏ ସମ୍ବନ୍ଧରେ କୌଣସି ଏକ ବଡ ଦୈନିକ ଖବର କାଗଜରେ ସମ୍ପାଦକୀୟଟିଏ ମଧ୍ୟ ମିଳିଲାନି. ଯେତେବେଳେକି ସେମାନେ ସମସ୍ତେ ଏହା ସତ ବୋଲି ଜାଣନ୍ତି ।

ଏହି ଓଲଟପାଲଟ ସ୍ଥିତିରେ ଅହଂକାର କେତେ ମହତ୍ତ୍ୱପୂର୍ଣ୍ଣ ନୁହେଁ ସତେ ? ଇଣ୍ଟରନେଟ ବନ୍ଦ କରିବା ଯୋଗୁଁ  ରିଦିମ୍‌ ଏଣ୍ଡ ବ୍ଲୁ କଳାକାରଙ୍କ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ୍‌ – “ଆମେ ଏ ବିଷୟରେ କାହିଁକି କିଛି କଥା ହେଉନେ” – ପ୍ରତି ପ୍ରତିକ୍ରିୟା ଦେଖନ୍ତୁ । ଯେତେବେଳେ ଏହା ଉପରେ ହେଉଥିବା ଯୁକ୍ତି ଏହି ସ୍ତରରେ ପହଞ୍ଚି ଯାଉଛି ଯେ , ‘ଆରେ, ଟ୍ୱିଟରରେ ରିହାନା ତୁଳନାରେ ମୋଦୀଙ୍କ ଫଲୋଅର୍‌ ଅଧିକ ହୋଇଗଲେଣି,’ ତାହାର ଅର୍ଥ ଏହା ଯେ ଆମେ ସମସ୍ତେ ବାଟ ହୁଡିଛେ । ପ୍ରକୃତରେ, ଆମେ ତ ସେହି ଦିନ ହିଁ ବାଟ ହୁଡି ସାରିଥିଲେ, ଯେଉଁଦିନ ବିଦେଶ ମନ୍ତ୍ରାଳୟ ଏହି ମାମଲାରେ କାମିକାଜେ ଭଳି ଆତଙ୍କବାଦ-ବିରୋଧୀ ଆକ୍ରମଣର ନେତୃତ୍ୱ ନେଇଥିଲା, ଯାହା ଦେଶଭକ୍ତ ସେଲିବ୍ରିଟି ଲାଇଟ୍‌ ବ୍ରିଗେଡ୍‌କୁ ନିଜ ତରଫରୁ ସାଇବର ହାମଲା କରିବାକୁ ପ୍ରେରିତ କରିଥିଲା । (ବିନାଶର ଡିଜିଟାଲ ଘାଟୀରେ, ଯେଉଁଠାରେ ଟ୍ୱିଟର୍‌ର ବର୍ଷା ହୋଇଥିଲା, ଯେଉଁଥିରେ ବୃଦ୍ଧି ପାଉଥିବା ନିରାଶାକୁ ଖାତି ନ କରି, ଶ୍ରେଷ୍ଠ ଛଅ ଶହ ଅଙ୍କ ପ୍ରାପ୍ତ କରିଥିଲା) ।

ମୂଳ ଅପମାନଜନକ ଟ୍ୱିଟ୍‌, ଯେଉଁଥିରେ କେବଳ ଏହା ଉପରେ ଚିନ୍ତା ବ୍ୟକ୍ତ କରାଯାଇଛି ଯେ ଆମେ କାହିଁକି ଏ ବିଷୟରେ କଥା ହେଉନାହୁଁ, ଏଥିରେ କୌଣସି ସ୍ପଷ୍ଟ ମତ ବା ପକ୍ଷ ରଖାଯାଇନଥିଲା – ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥଶାସ୍ତ୍ରୀ ଓ ସଂଚାର ନିର୍ଦ୍ଦେଶକଙ୍କ ବକ୍ତବ୍ୟର ବିପରୀତ.ଥିଲା, ଯେଉଁମାନେ ସାର୍ବଜନିକ ଭାବେ କୃଷି ଆଇନ୍‌ର ପ୍ରଶଂସା କରିଛନ୍ତି, (ଯେତେବେଳେକି ‘ସୁରକ୍ଷାତ୍ମକ ଉପାୟ’ ବିଷୟରେ ‘ସତର୍କତା’କୁ ଯୋଡି ଦିଆଯାଇଛି – ଯେପରିକି ନିକୋଟିନ ବିକାଳିମାନେ ସମ୍ପୂର୍ଣ୍ଣ ସଚ୍ଚୋଟତା ସହିତ ନିଜର ସିଗାରେଟ ଡବାଗୁଡିକ ଉପରେ ବୈଧାନିକ ଚେତାବନି ଲେଖିଥାନ୍ତି)

ନୁହେଁ, ଆର୍‌ –ଏଣ୍ଡ – ବି କଳାକାର ଓ ୧୮ ବର୍ଷ ବୟସ୍କ ଜଳବାୟୁ କାର୍ଯ୍ୟକର୍ତ୍ତା ଏଠାରେ ନିଶ୍ଚତ ରୂପେ ବିପଦଜ୍ଜନକ ଅଟନ୍ତି, ଯାହା ସହିତ ଦୃଢତା ଓ ଅସହନଶୀଳତା ସହିତ କାରବାର କରାଯିବା ଉଚିତ। ଏହା ଆଶ୍ୱସ୍ତିର ବିଷୟ ଯେ ଦିଲ୍ଲୀ ପୋଲିସ ପୁଣି ନିଜ କାମରେ ଲାଗି ଗଲାଣି । ଆଉ ଯଦି ସେମାନେ ଜାଗତିକ ଷଡଯନ୍ତ୍ରରୁ ଆଗକୁ ଆଗକୁ ବଢି ଏଥିରେ ଅନ୍ୟ ଗ୍ରହର କିଛି ଜିନିଷର ହାତ ଥିବା କଥା ଅନୁସନ୍ଧାନ କରିବାକୁ ବାହାରି ପଡନ୍ତି – ଆଜି ପୃଥିବୀ, କାଲି ଆକାଶ ଗଙ୍ଗା – ତାହାହେଲେ ମୁଁ ସେହି ଲୋକମାନଙ୍କ ମଧ୍ୟରେ ନଥିବି, ଯେଉଁମାନେ ସେମାନଙ୍କୁ ଉପହାସ କରୁଥିବେ । ଯେପରିକି ମୋର ମନପସନ୍ଦ କଥାଗୁଡିକ ମଧ୍ୟରୁ ଗୋଟିଏ ବର୍ତ୍ତମାନ ଇଣ୍ଟର୍‌ନେଟ୍‌ରେ ପ୍ରଚାରିତ ହେଉଛି । “ଅନ୍ୟ ଗ୍ରହର ଜ୍ଞାନର ଅସ୍ତିତ୍ୱର ସବୁଠାରୁ ବିଶ୍ୱସନୀୟ ପ୍ରମାଣ ଏହା ଯେ ସେମାନେ ଆମକୁ ଏକଲା ଛାଡି ଚାଲିଗଲେ ।’’

ଏହି ଆଲେଖ ପ୍ରଥମେ ଦ ୱାଇର୍‌ରେ ପ୍ରକାଶିତ ହୋଇଥିଲା ।

ପ୍ରଚ୍ଛଦ ଚିତ୍ରଣ : ଲାବଣି ଜାଙ୍ଗି ହେଉଛନ୍ତି ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲାର ଏକ ଛୋଟ ଟାଉନ୍‌ର ନିବାସୀ, ବର୍ତ୍ତମାନ ସେ କୋଲ୍‌କାତା ସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍‌ସରେ ବଙ୍ଗାଳି ଶ୍ରମିକଙ୍କ ପ୍ରବାସ ଉପରେ ପି.ଏଚ୍‌.ଡି କରୁଛନ୍ତି ।

ଅନୁବାଦ - ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE