ଦୀନକର ଆଇୱଲେଙ୍କ ପାଇଁ ଚଳିତ ବର୍ଷ ଅତ୍ୟନ୍ତ ନିରାଶାପୂର୍ଣ୍ଣ ଥିଲା, ଅନେକ ମାସ ଧରି ତାଙ୍କ ବଂଶୀରୁ କୌଣସି ସ୍ୱର ବାହାରି ନାହିଁ। “ଏ ଯନ୍ତ୍ର ସିଧାସଳଖ ମୁହଁ ସଂସ୍ପର୍ଶରେ ଆସିଥାଏ। ଏ କରୋନା କାଳରେ ଏପରି ସଂସ୍ପର୍ଶରେ ଆସିବା ବିପଦପୂର୍ଣ୍ଣ”, ଇଟା ଓ ମାଟିରେ ତିଆରି ନିଜ ଘର ଭିତରେ  ଥିବା କାର୍ଯ୍ୟଶାଳାରେ ବସି ସେ କୁହନ୍ତି।

ତାଙ୍କ ପାଖରେ ଥୁଆ ହୋଇଥିବା ଗୋଟିଏ କାଠ ବାକ୍ସରେ ବିଭିନ୍ନ ପ୍ରକାର ସରଞ୍ଜାମ ପୂରି ରହିଛି। ଯଦି ସେ ସେଗୁଡ଼ିକର ଉପଯୋଗ କରିବେ, ଯାହାକି ସେ ଗୋଟିଏ ବର୍ଷ ପୂର୍ବରୁ କରୁଥିଲେ, ତା’ହେଲେ ତାଙ୍କୁ ଗୋଟିଏ କୋଣରେ ସିଧା ହୋଇ ରଖାଯାଇଥିବା, କଞ୍ଚା ହଳଦିଆ ବାଉଁଶର କାଠିରୁ ବଇଁଶୀ ତିଆରି କରିବା ଲାଗି ଏକ ଘଣ୍ଟାରୁ କମ ସମୟ ଲାଗିବ।

ମାତ୍ର ଏହା କରିବା ପରିବର୍ତ୍ତେ, ୭୪ ବର୍ଷୀୟ ଦୀନକର ଆମର ଆଲୋଚନା ସମୟରେ ବାଉଁଶଗୁଡ଼ିକୁ କେବଳ ଚାହିଁ ରହିଥିଲେ। ମାର୍ଚ୍ଚ ୨୦୨୦ରେ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ତାଙ୍କ କାମ ସମ୍ପୂର୍ଣ୍ଣ ଭାବେ ଅଟକି ଯାଇଥିଲା-ନିଜର ଏହି ଶିଳ୍ପରେ ଦକ୍ଷତା ଅର୍ଜନ କରିବା ଲାଗି ସେ ପାଖାପାଖି ୧୫୦,୦୦୦ ଘଣ୍ଟା ପର୍ଯ୍ୟନ୍ତ କାମ କରିସାରିଛନ୍ତି, ଏବଂ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି, ବର୍ଷକୁ ୨୫୦ ଦିନ ଠାରୁ ଆରମ୍ଭ କରି ୨୭୦ ଦିନ ପର୍ଯ୍ୟନ୍ତ, ଦୈନିକ ୧୦ ଘଣ୍ଟା ପରିଶ୍ରମ କରୁଥିଲେ।

୧୯ ବର୍ଷ ବୟସରୁ ସେ ବଂଶୀ ତିଆରି କରିବା ଆରମ୍ଭ କରିଥିଲେ, ସେବେଠାରୁ ଆଇୱଲେ ଏତେ ଦୀର୍ଘ ସମୟ ଧରି କେବେବି ବିଶ୍ରାମ ନେଇନଥିଲେ। ସେହିପରି ତାଙ୍କୁ ବିଗତ ବର୍ଷ ଶହ ଶହ କିଲୋମିଟର ଯାତ୍ରା କରିବାକୁ ପଡ଼ିନଥିଲା, ଯେପରି ଯାତ୍ରା ତାଙ୍କୁ ସାଧାରଣତଃ ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଭିନ୍ନ ଯାତ୍ରା (ମେଳା)ରେ ବଂଶୀ ବିକ୍ରି କରିବା ଲାଗି କରିବାକୁ ପଡ଼ିଥାଏ। ଯାତ୍ରା ଭଳି ବଡ଼ ସମାରୋହ ପାଇଁ ଏଯାଏଁ ଅନୁମତି ମିଳିପାରିନାହିଁ।

Top left: The flute-makers toolkit with (left-to-right) a hacksaw blade, two types of patli, hatodi, three types of chaku (knives) a cleaning chaku, two varieties of masudichi aari, pakad, two aari for making holes, and the metal rod on top is the gaz. Top right: The tone holes on a flute are made using these sticks which have marks for measurements. Bottom: Dinkar Aiwale has spent over 1.5 lakh hours perfecting his craft and now takes less than an hour to make a flute
PHOTO • Sanket Jain

ଉପର ବାମ : ବଂଶୀ ତିଆରି କରାଯାଉଥିବା ସରଞ୍ଜାମରେ (ବାମରୁ ଡାହାଣ) ଆରୀ, ଦୁଇ ପ୍ରକାରର ବଟାଳୀ, ହାତୁଡ଼ି, ତିନି ପ୍ରକାରର ଛୁରୀ, ସଫା କରିବା ଲାଗି ଛୁରୀ, ଦୁଇ ପ୍ରକାରରର ମାସୁଡ଼ିଚୀ ଆରୀ, ପକଡ଼, କଣା କରିବା ଲାଗି ଦୁଇଟି ଆରୀ ଏବଂ ଉପରେ ଧାତୁର ଛଡ଼ ଲାଗିଥିବା ଗଜ ଆଦି ରହିଛି।  ଉପରେ ଡାହାଣ : ବଂଶୀରୁ ସ୍ୱର ବାହାର କରିବା ଲାଗି କଣା ତିଆରି କରିବା ନିମନ୍ତେ ଏହି ଛଡ଼ଗୁଡ଼ିକୁ ଉପଯୋଗ କରାଯାଇଥାଏ, ଯେଉଁଥିରେ ମାପର ଚିହ୍ନ ରହିଥାଏ। ତଳ : ଦୀନକର ଆଇୱଲେ ନିଜ ଶିଳ୍ପରେ ଦକ୍ଷତା ହାସଲ କରିବା ଲାଗି ୧.୫ ଲକ୍ଷ ଘଣ୍ଟା ପର୍ଯ୍ୟନ୍ତ କାମ କରିସାରିଛନ୍ତି। ଏବେ ଗୋଟିଏ ବଂଶୀ ତିଆରି କରିବା ପାଇଁ ତାଙ୍କୁ ଏକ ଘଣ୍ଟାରୁ ମଧ୍ୟ କମ ସମୟ ଲାଗିଥାଏ।

ଲକ୍‌ଡାଉନ୍‌ ପୂର୍ବରୁ ମଧ୍ୟ, ଦୀନକର ଆଇୱଲେଙ୍କ ପରିବାର-ଏମାନେ ହୋଲର ସମ୍ପ୍ରଦାୟର, ଯେଉଁମାନେ ଅନସୂଚିତ ଜାତି ବର୍ଗ ଭାବେ ସୂଚୀବଦ୍ଧ ହୋଇଛନ୍ତି-ନିଜ ଗ୍ରାମ, କୋଡ଼ୋଲିରେ ବଂଶୀ ତିଆରି କରୁଥିବା ଏକମାତ୍ର ପରିବାର ଥିଲା। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ପହ୍ନାଲା ତାଲୁକାରେ ଥିବା ଏହି ଗ୍ରାମର ଜନସଂଖ୍ୟା ପାଖାପାଖି ୨୯,୦୦୦ ଅଟେ(ଜନଗଣନା ୨୦୧୧)

ଅତୀତରେ, ସେମାନଙ୍କ ପୂର୍ବଜମାନେ ପାରମ୍ପରିକ ରୂପରେ ଶହନାଇ ଓ ଡଫଡ଼ା (ଡଫଲି) ବାଦକ ଥିଲେ, ସେମାନେ ମୁଖ୍ୟତଃ ଧାର୍ମିକ କିମ୍ବା ସାମାଜିକ ସମାରୋହରେ ବାଦ୍ୟଯନ୍ତ୍ର ବଜାଉଥିଲେ, ଏବଂ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାଉଥିଲେ। ସେମାନେ ଏକ ବ୍ୟାଣ୍ଡ ଦଳ ମଧ୍ୟ ଗଢ଼ିଥିଲେ ଏବଂ ୧୯୬୨ରେ ଏହି ଦଳରେ ସାମିଲ ହୋଇଥିବା ୧୪-୧୫ ବର୍ଷୀୟ ସଙ୍ଗୀତକାରଙ୍କ ମଧ୍ୟରୁ ଦୀନକର ଅନ୍ୟତମ ଥିଲେ। ସେତେବେଳେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା ଏବଂ ସେ ଅଷ୍ଟମ ଶ୍ରେଣୀରୁ ସ୍କୁଲ ଛାଡ଼ିବା ପରେ ନିଜର ପିତା ସ୍ଵର୍ଗତ ବାବୁରାମଙ୍କ ସହିତ ବିଭିନ୍ନ ସ୍ଥାନକୁ ଯିବା ଆରମ୍ଭ କରି ଦେଇଥିଲେ। ପରେ ସେ ଦୁଇଟି ବ୍ୟାଣ୍ଡରେ ବଜାଇବା ଆରମ୍ଭ କରିଥିଲେ, ଗୋଟିଏ ତାଙ୍କ ନିଜ ଗ୍ରାମର ଥିଲା ଏବଂ ଅନ୍ୟଟି ପଡ଼ୋଶୀ ଗ୍ରାମର ଥିଲା, ଉଭୟର ନାମ ‘ହନୁମାନ’ ବ୍ୟାଣ୍ଡ ଥିଲା।

“ମୋ ପିତାଙ୍କ ଭଳି, ମୁଁ ୩୮ ବର୍ଷ ପର୍ଯ୍ୟନ୍ତ ବ୍ୟାଣ୍ଡରେ ଶହନାଇ ଏବଂ ତୁରୀ ବଜାଇଥିଲି”, ଆଇୱଲେ ଗର୍ବର ସହିତ କୁହନ୍ତି। ସେ ଏହି ପରମ୍ପରା ବିଷୟରେ ସ୍ପଷ୍ଟ ରୂପରେ କହିଥାନ୍ତି : “ୱାଜନ୍ତ୍ରି ଚା ମୁଲଗା ଜର ରଡଲା ତର ତୋ ସ୍ଵରାଚ ରଡ଼ନା (ଯେତେବେଳେ ବ୍ୟାଣ୍ଡ ବଜାଉଥିବା ବ୍ୟକ୍ତିର ପିଲା କାନ୍ଦିଥାଏ, ତା’ର କାନ୍ଦରେ ମଧ୍ୟ ସ୍ଵର ରହିଥାଏ)।” ସେ ଅତି ସହଜରେ ଓ ଦକ୍ଷତାର ସହିତ ବଂଶୀ ଓ ଶହନାଇ ମଧ୍ୟ ବଜାଇଲେ।

ତେବେ, ବ୍ୟାଣ୍ଡ ବଜାଇବାରୁ ମିଳୁଥିବା ଆୟ ଖୁବ କମ ଥିଲା ଏବଂ କେବେବି ସ୍ଥିର ନଥିଲା। “ସେତେବେଳେ ୧୪-୧୫ ଜଣ ଲୋକମାନଙ୍କ ସମୂହକୁ ତିନି ଦିନିଆ ସମାରୋହ ପାଇଁ ମୋଟ ଉପରେ ୬୦ ଟଙ୍କା ମିଳୁଥିଲା”, ସେ ମନେ ପକାଇ କୁହନ୍ତି। ଏଥିରୁ ତିନି ଦିନରେ ବ୍ୟାଣ୍ଡ କାମରୁ ମାତ୍ର ୪ ଟଙ୍କା ମିଳୁଥିଲା। ସେଥିପାଇଁ ଦୀନକରଙ୍କୁ ଦିନ ମଜୁରିଆ ଭାବେ ଅନ୍ୟ କାମ ମଧ୍ୟ କରିବାକୁ ପଡ଼ୁଥିଲା। କିନ୍ତୁ ସେଥିରୁ ମଧ୍ୟ ଯେତେବେଳେ ପର୍ଯ୍ୟାପ୍ତ ଆୟ ହେଲା ନାହିଁ, ସେ ଅନ୍ୟ କିଛି କୌଶଳ ହାସଲ କରିବା ଲାଗି ଚେଷ୍ଟା କଲେ।

ଭିଡିଓ ଦେଖନ୍ତୁ : କୋହ୍ଲାପୁରର କୋଡୋଲି ଗ୍ରାମରୁ, ବଂଶୀର ସ୍ଵର

“ଅନ୍ୟ କୌଣସି ବିକଳ୍ପ ନଥିଲା”, ବଂଶୀ ବଜାଇବା ସେ କିପରି ଆରମ୍ଭ କରିଥିଲେ ସେ ସମ୍ପର୍କରେ ସୂଚନା ଦେଇ ସେ କୁହନ୍ତି। “ମୁଁ ମୋ ପରିବାର ଖର୍ଚ୍ଚ ତୁଲାଇଥାନ୍ତି କିପରି? ମଜୁରି ଟଙ୍କା ଯଥେଷ୍ଟ ନଥିଲା।” ୧୯୬୦ ଦଶକରେ, କୃଷି ଶ୍ରମିକ ଭାବେ ୧୦ ଘଣ୍ଟା କାମ କରିବା ପରେ ତାଙ୍କୁ ମାତ୍ର ୧୦ ଅଣା (ଗୋଟିଏ ଅଣା ଗୋଟିଏ ଟଙ୍କାର ୧/୧୬ତମ ଭାଗ ଥିଲା) ମିଳୁଥିଲା। ଦୀନକର ପାଖାପାଖି ଦୁଇ ଦଶନ୍ଧି ପର୍ଯ୍ୟନ୍ତ ମଜୁରିଆ ଭାବେ କାମ କରିଥିଲେ, ଯେପର୍ଯ୍ୟନ୍ତ ତାଙ୍କୁ ଏମିତି କିଛି ସମ୍ବଳ ନମିଳିଛି “ଯାହା ମୋତେ ଦିନରେ ଦୁଇ ଥର ଖାଇବା ଦେବାରେ ସହାୟତା କରିପାରିବ”, ସେ କୁହନ୍ତି।

ସେ ଏଠାରୁ ୨୦ କିଲୋମିଟର ଦୂରରେ ଥିବା ସୱର୍ଡେ ଗ୍ରାମ ସମ୍ପର୍କରେ କହିଥିଲେ, ଯେଉଁଠି ତାଙ୍କ ଶ୍ୱଶୁର ସ୍ୱର୍ଗତ ଦାଜୀରାମ ଦେସାଇ ତାଙ୍କୁ ବାଉଁଶରେ ବଇଁଶୀ ତିଆରି କରିବାର କୌଶଳ ଶିଖାଇବା ଆରମ୍ଭ କରିଥିଲେ। ସେ ବେଳେ ବେଳେ ଯାତ୍ରା ମଧ୍ୟ କରୁଥିଲେ ଏବଂ ବ୍ୟାଣ୍ଡ ବଜାଇବା ମଧ୍ୟ ଜାରି ରଖିଥିଲେ। (ବର୍ଷ ୨୦୦୦ରେ, ତାଙ୍କ ଯାତ୍ରା ସେତିକି ବେଳେ ବନ୍ଦ ହୋଇଯାଇଥିଲା ଯେତେବେଳେ ତାଙ୍କ ପତ୍ନୀ ତାରାବାଇଙ୍କର କୋରୋନାରୀ ବାଇପାସ ସର୍ଜରୀ ହେଲା ଏବଂ ତାଙ୍କର ଦେଖାଶୁଣା କରିବା ଲାଗି ତାଙ୍କୁ ଘରେ ରହିବାର ଆବଶ୍ୟକତା ପଡ଼ିଲା। ୨୦୧୯ରେ ତାରାବାଇଙ୍କର ଦେହାନ୍ତ ଘଟିଲା)।

ତାଙ୍କ ପୁଅ, ୫୨ ବର୍ଷୀୟ ସୁରେନ୍ଦ୍ରଙ୍କୁ ମଧ୍ୟ ତାଙ୍କ ପିତାଙ୍କଠାରୁ ଭଲ ବଂଶୀ ତିଆରି କରିବାର କୌଶଳ ପୈତୃକ ସନ୍ତକ ରୂପରେ ମିଳିଥିଲା। (ଦୀନକର ଓ ତାରାବାଇଙ୍କର ଦୁଇ ଝିଅଙ୍କର ବାହାଘର ହୋଇସାରିଛି ଏବଂ ଜଣଙ୍କର ପରଲୋକ ଘଟିସାରିଲାଣି)। ସୁରେନ୍ଦ୍ର ୧୩ ବର୍ଷ ବୟସରେ ବଂଶୀ ବିକ୍ରି କରିବା ଆରମ୍ଭ କରି ଦେଇଥିଲେ ଏବଂ ଯେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା, ନିଜ ପିତାଙ୍କ ଭଳି ତାଙ୍କୁ ମଧ୍ୟ ପୂର୍ଣ୍ଣକାଳୀନ କାମ କରିବା ଲାଗି ୧୦ମ ଶ୍ରେଣୀରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। “ଆରମ୍ଭରୁ, ମୋତେ (ରାସ୍ତାରେ ବୁଲି ବୁଲି ବଂଶୀ ବିକ୍ରି କରିବାରେ) ଅଡ଼ୁଆ ଓ ଲାଜ ଲାଗୁଥିଲା”, ସେ କୁହନ୍ତି। କିନ୍ତୁ, ଦୀନକର କୁହନ୍ତି, “ହେଲେ ଯେତେବେଳେ ଆପଣଙ୍କୁ ପରିବାରର ପେଟ ପୋଷିବାକୁ ପଡ଼ିଥାଏ, ଆପଣ ଲଜ୍ଜିତ ହେବା ଉଚିତ୍ ନୁହେଁ”।

ବିଗତ ବର୍ଷ ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବ ପର୍ଯ୍ୟନ୍ତ, ସୁରେନ୍ଦ୍ର ନିୟମିତ ଭାବେ ନିଜ ପିତାଙ୍କ ସହିତ ପୁଣେ ଓ ମୁମ୍ବାଇ ଭଳି ସହରରେ ସେଗୁଡ଼ିକୁ ବିକ୍ରି କରିବା ଲାଗି ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ। କିନ୍ତୁ ସେ ଓ ଦୀନକର ମାର୍ଚ୍ଚରୁ ଅକ୍ଟୋବର ୨୦୨୦ ମଧ୍ୟରେ ଗୋଟିଏ ହେଲେ ବଇଁଶୀ ବିକ୍ରି କରିପାରିନଥିଲେ। ଏକମାତ୍ର ଅର୍ଡର ତାଙ୍କୁ ନଭେମ୍ବରରେ ମିଳିଥିଲା, ଯେତେବେଳେ ତାଙ୍କ ଗାଁଠାରୁ ପାଖାପାଖି ୫୫ କିଲୋମିଟର ଦୂର, ସାଙ୍ଗଲୀ ସହରର ଜଣେ ବ୍ୟବସାୟୀ ତାଙ୍କୁ ଭିନ୍ନ ଭିନ୍ନ ଆକାରର ପାଞ୍ଚ ଡଜନ ବଇଁଶୀ (ସେମାନେ ସବୁଠୁ ଲମ୍ବ ୨.୫ ଫୁଟର ବଂଶୀ ତିଆରି କରିଥାନ୍ତି) ତିଆରି କରିବାକୁ କହିଥିଲେ। ସେ ଏହାକୁ-୬୦ ବଂଶୀ-୧୫୦୦ ଟଙ୍କାରେ ବିକ୍ରି କରିଥିଲେ। ବିନା କୌଣସି ବିକ୍ରି ଓ ଆୟର ସେହି ମାସଗୁଡ଼ିକ ସମୟରେ, ଏହି ପରିବାର ସହରରେ କାମ କରୁଥିବା ସେମାନଙ୍କ ସନ୍ତାନ ଓ ନାତିମାନେ ପଠାଉଥିବା ଟଙ୍କା ଉପରେ ନିର୍ଭରଶୀଳ ଥିଲେ।

PHOTO • Sanket Jain
PHOTO • Sanket Jain

ଦୀନକର ଆଇ ୱଲେ ନିଜ ବଂଶୀ ତିଆରି କରିବା ଲାଗି କୋହ୍ଲାପୁର ଜିଲ୍ଲାର ଅଜରା ଓ ଚନ୍ଦଗଡ଼ ତାଲୁକାର ବଜାରରୁ ଭଲ ଗୁଣବତ୍ତାର ବାଉଁଶ ଆଣିଥାନ୍ତି। ଡାହାଣ : ଆବଶ୍ୟକ ଲମ୍ବ ଅନୁସାରେ କଞ୍ଚା ବାଉଁଶର ବାଡ଼ି କାଟିବା ପରେ, ସେ ବାଉଁଶକୁ ପୋଲା କରିବା ଲାଗି ତା’ ଭିତରେ ଏକ ମୁନିଆ ଧାତୁ ରଡ ଭର୍ତ୍ତି କରିଥାନ୍ତି।

ନଭେମ୍ବର ପରେ ମଧ୍ୟ କାରବାର ବଢ଼ିଲା ନାହିଁ। ଦୀନକର ଓ ସୁରେନ୍ଦ୍ର ଶେଷ ଯାତ୍ରାରେ ଗୋଟିଏ ବର୍ଷ ପୂର୍ବରୁ, ୨୧ ଫେବୃଆରୀ ୨୦୨୦ରେ ସାଙ୍ଗଲୀ ଜିଲ୍ଲାର ଔଡମ୍ବର ଗ୍ରାମକୁ ଯାଇଥିଲେ। “ଯେକୌଣସି ଯାତ୍ରାରେ, ଆମେ ପାଖାପାଖି ୨-୨.୫ ମୋଟ (୧ ମୋଟ=୧୪୪ ୟୁନିଟ୍ ବଇଁଶୀ) ବଇଁଶୀ ସହଜରେ ବିକ୍ରି କରିପାରିବୁ”, ସୁରେନ୍ଦ୍ର କୁହନ୍ତି। ଆଇୱଲେ ଯେକୌଣସି ମେଳାର ପ୍ରସ୍ତୁତି ପାଇଁ, ପୂର୍ବରୁ ହିଁ ୫୦୦ରୁ ଅଧିକ ବଂଶୀ ତିଆରି କରିନେଇଥାନ୍ତି।

ପ୍ରତିବର୍ଷ ସେ ପଶ୍ଚିମ ମହାରାଷ୍ଟ୍ର ଏବଂ ଉତ୍ତର କର୍ଣ୍ଣାଟକର ଗ୍ରାମରେ ଆୟୋଜିତ ହେଉଥିବା ୭୦ରୁ ଅଧିକ ଯାତ୍ରାରେ ସାମିଲ ହୋଇଥାନ୍ତି। “ଆମେ ଗୋଟିଏ ଷ୍ଟାଣ୍ଡରେ ଅତି କମରେ ୫୦ ବଂଶୀ ଝୁଲାଇ ଥାଉ ଏବଂ ନିଜ ବଂଶୀ ବଜାଇ ଚାଲିଥାଉ। ଯଦି ଏହାର ସ୍ୱର ଲୋକମାନଙ୍କୁ ଆକୃଷ୍ଟ କଲା ତା’ହେଲେ ସେମାନେ ବଂଶୀ କିଣିଥାନ୍ତି”, ଦୀନକର କୁହନ୍ତି।

ଏହି ବଂଶୀଗୁଡ଼ିକୁ ତିଆରି କରିବା ଲାଗି ସେ କୋହ୍ଲାପୁର ଜିଲ୍ଲାର ଅଜରା ଓ ଚନ୍ଦଗଡ଼ ତାଲୁକାର ବଜାରରୁ ଭଲ ଗୁଣବତ୍ତା ବିଶିଷ୍ଟ ବାଉଁଶ ଆଣିଥାନ୍ତି। ଗୋଟିଏ ଶେଣ୍ଡା ପାଖାପାଖି ୮ରୁ ୯ ଫୁଟ ଲମ୍ବା ହୋଇଥାଏ, ଯାହାର ଦାମ ବର୍ତ୍ତମାନ ୨୫ ଟଙ୍କା। “୧୯୬୫ରେ, ମୁଁ ଯେତେବେଳେ ବଇଁଶୀ ତିଆରି କରିବା ଆରମ୍ଭ କରିଥିଲି, ଏହା ୫୦ ପଇସାରେ ମିଳୁଥିଲା। ଗୋଟିଏ ଶେଣ୍ଡା ରୁ, ଆମେ ସହଜରେ ୭-୮ଟି ବଇଁଶୀ ତିଆରି କରିପାରିବୁ”, ଦୀନକର କୁହନ୍ତି।

ଫିପଲ ବଇଁଶୀ (ଯାହାକୁ ଭୂମିରୁ ଲମ୍ବ କରି ଧରାଯାଇଥାଏ) ଲାଗି, ଆବଶ୍ୟକ ଲମ୍ବ ଅନୁସାରେ-ସେ ୧୫ରୁ ଅଧିକ ଆକାରର ବଂଶୀ ତିଆରି କରିଥାନ୍ତି-କଞ୍ଚା ବାଉଁଶ କାଠିକୁ କାଟିବା ପରେ, ସେହି ବଂଶୀକୁ ପୋଲା କରିବା ପାଇଁ ଧାରୁଆ ଧାତୁର ଏକ ଛଡ଼ ଉପଯୋଗ କରିଥାନ୍ତି। ସାମାନ୍ୟ ଭୁଲ ହୋଇଗଲେ, ବଂଶୀର ଗୁଣବତ୍ତା ଖରାପ ହୋଇପାରେ, ସେଥିରୁ ମଧ୍ୟମ ଧରଣର ସ୍ୱର ବାହାରିଥାଏ।

PHOTO • Sanket Jain
PHOTO • Sanket Jain

ବାମ : ଫୁଙ୍କାଯାଉଥିବା ଛିଦ୍ରରେ କର୍କ ଲଗାଇବା ପୂର୍ବରୁ, ତାହାକୁ ବଂଶୀର ପରିମାପ ସହିତ ମେଳ ଖାଇବା ଲାଗି ଆକାର ଦେବାକୁ ପଡ଼ିଥାଏ। ଡାହାଣ : ହାତୁଡ଼ିରେ ପିଟି ଫୁଙ୍କା ଯାଉଥିବା ଛିଦ୍ରରେ କର୍କ ଲଗାଇବା

ବଂଶୀ ତିଆରି କରିବା ପୂର୍ବରୁ, ଦୀନକର ଶାଗୁଆନର ଏକ କିଗ୍ରା ଓଜନ ବିଶିଷ୍ଟ କାଠକୁ ଆୟତାକାର ଛୋଟ ଛୋଟ ଖଣ୍ଡରେ କାଟିଥାନ୍ତି, ଯାହାକୁ ମରାଠିରେ ଖୁଟ୍ଟୟା (କର୍କ କିମ୍ବା ଫିପଲ ପ୍ଲଗ) କହିଥାନ୍ତି। ବାଉଁଶକୁ ସଫା କରିବା ପରେ, ଶାଗୁଆନର କର୍କକୁ ହାତୁଡ଼ି ସାହାଯ୍ୟରେ ଫୁଙ୍କାଯାଉଥିବା ଛିଦ୍ରରେ ଭର୍ତ୍ତି କରାଯାଇଥାଏ, ଯାହାଫଳରେ ଭିତରକୁ ଫୁଙ୍କା ଯାଉଥିବା ପବନ ବାହାରକୁ ବାହାରିବ ନାହିଁ।

ଦୀନକରଙ୍କ ପତ୍ନୀ ତାରାବାଇ ମଧ୍ୟ ବଂଶୀ ତିଆରି କରୁଥିଲେ। ସେ ଖୁଟ୍ଟୟା ତିଆରି କାମରେ ବିଶେଷ ଭାବେ ନିପୁଣା ଥିଲେ। “ସ୍ମୃତି ରୂପରେ ସେ ତିଆରି କରିଥିବା ଏହି ଖୁଟ୍ଟୟା ଟିକୁ ସୁରକ୍ଷିତ ରଖିଛି”, ଲୁହଭିଜା ଆଖିରେ ସେ କହିଥାନ୍ତି।

ବଂଶୀରେ ସ୍ୱର ବାହାର କରୁଥିବା ଛିଦ୍ର ତିଆରି କରିବା ଲାଗି ଶାଗୁଆନ ବାଡ଼ିର ଉପଯୋଗ କରାଯାଇଥାଏ, ଯେଉଁଥିରେ ମାପ କିମ୍ବା ଚିହ୍ନ ରହିଥାଏ। ଦୀନକରଙ୍କ ପାଖରେ ଏହି କାମକୁ ଠିକ୍ ଢଙ୍ଗରେ କରିବା ଲାଗି ୧୫ଟି ବାଡ଼ି ରହିଥାଏ। ସେ ଓ ସୁରେନ୍ଦ୍ର ପାଖାପାଖି ୩୦ କିଲୋମିଟର ଦୂର, କୋହ୍ଲାପୁର ସହରର କାର୍ଯ୍ୟଶାଳାକୁ ଯାଇଥାନ୍ତି, ଯେଉଁଠି ଦକ୍ଷ ହାରମୋନିୟମ ନିର୍ମାତା ଏହି ମାପଗୁଡ଼ିକୁ ଚିହ୍ନଟ କରିଥାନ୍ତି।

ଏହାପରେ ଚିହ୍ନଟ ହୋଇଥିବା ଛିଦ୍ର ପାରମ୍ପରିକ ଉପକରଣର ଉପଯୋଗ କରି ହାତରେ ତିଆରି କରାଯାଇଥାଏ। “ଡ୍ରିଲ୍ (ଛିଦ୍ର କରୁଥିବା) ମେସିନ ସମ୍ପୂର୍ଣ୍ଣ ବଂଶୀକୁ ଭାଙ୍ଗି ଦେଇଥାଏ, ସେଥିପାଇଁ ଆମେ କୌଣସି ମେସିନର ଉପଯୋଗ କରିନଥାଉ”, ଦୀନକର କୁହନ୍ତି, ଯିଏକି ମୁହଁରେ ଫୁଙ୍କା ଯାଉଥିବା ଛିଦ୍ର ବା ବଂଶୀର ଉତ୍ତର ଭାଗ ନିକଟରେ ସତର୍କତାପୂର୍ବକ ଏକ ମସୁଡ଼ (ମୁଖ) ତିଆରି କରୁଛନ୍ତି। “ ମସୁଡ଼ ବଂଶୀର ନାକ ଭଳି କାମ କରିଥାଏ। ଏହା ପବନକୁ ଘୂରାଇବାରେ ସହାୟକ ହୋଇଥାଏ।”

PHOTO • Sanket Jain
PHOTO • Sanket Jain

ବାମ : ଦୀନକର ସ୍ୱର ବାହାର କରୁଥିବା ଛିଦ୍ରକୁ ଚିହ୍ନିତ କରିବା ପୂର୍ବରୁ ମାପ ଥିବା ବାଡ଼ି ଓ ବାଉଁଶର ଏକ ଖଣ୍ଡକୁ ଏକ ସଙ୍ଗେ ଧରିଛନ୍ତି। ଡାହାଣ : ବଇଁଶୀରେ ଚିହ୍ନିତ ଅସ୍ଥାୟୀ ଛିଦ୍ରକୁ ଗରମ ଲୁହା ଛଡ଼ ସାହାଯ୍ୟରେ ସ୍ଥାୟୀ କରାଯାଇଥାଏ।

ଏହାପରେ ସେ ବାଉଁଶରେ ଠିକ୍ ଛିଦ୍ର ତିଆରି କରିବା ଲାଗି ଲୁହାର ଅତିକମରେ ଛଅଟି ଛଡ଼ (ମରାଠୀରେ ଗଜ ) ଗରମ କରିଥାନ୍ତି। “ସାଧାରଣତଃ, ଆମେ ଥରକେ ଅତିକମରେ ୫୦ଟି ବଂଶୀ ନେଇଥାଉ ଏବଂ ଏହି ପ୍ରକ୍ରିୟାକୁ ତିନି ଘଣ୍ଟାରେ ସମ୍ପୂର୍ଣ୍ଣ କରିଥାଉ”, ଦୀନକର କୁହନ୍ତି। ବଡ଼ି ଭୋରରୁ, ସେ ଛଡ଼ ଓ ପାଣି (ଗାଧୋଇବା ଲାଗି) ଗୋଟିଏ ଚୁଲି (ମାଟି ଚୁଲି)ରେ ଗରମ କରିଥାନ୍ତି। “ଏହିପରି ଆମେ ଦୁଇଟି କାମ ସମ୍ପୂର୍ଣ୍ଣ କରିପାରିବୁ”, ସେ କହିଥାନ୍ତି।

ସ୍ୱର ବାହାର କରୁଥିବା ଛିଦ୍ର ପରେ, ସେ ବାଲିକାଗଜ ଉପଯୋଗ କରି ବଂଶୀକୁ ଚମକାଇ ଥାନ୍ତି। ଏବେ କର୍କର ଅତିରିକ୍ତ ଭାଗକୁ ତେରେଛା କରିବା ଲାଗି ତା’କୁ କଟା ଯାଇଥାଏ। ଏହା ବଂଶୀ ଓ ମୁଖର ଉତ୍ତର ଭାଗ ମଧ୍ୟରେ ଫୁଙ୍କା ଯାଇଥିବା ପବନ ଲାଗି ଏକ ଛୋଟିଆ ମାର୍ଗ ତିଆରି କରିବାରେ ସହାୟକ ହୋଇଥାଏ।

“ବାଉଁଶର ପ୍ରତ୍ୟେକ ଖଣ୍ଡ ଅତିକମରେ ୫୦ ଥର ଆମ ହାତରେ ଲାଗିଥାଏ”, ଶ୍ରମସାଧ୍ୟ ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବେ କହିଥାନ୍ତି ଦୀନକର । “ବଂଶୀ ସରଳ ଦେଖାଯାଇଥାଏ, କିନ୍ତୁ ଏହାକୁ ତିଆରି କରିବା ସହଜ ନୁହେଁ।”

ସୁରେନ୍ଦ୍ରଙ୍କ ପତ୍ନୀ, ୪୦ ବର୍ଷୀୟା ସରିତା ମଧ୍ୟ ଚିହ୍ନିତ ଛିଦ୍ରକୁ ଖୋଳିବା, ଛଡ଼କୁ ଗରମ କରିବା, ଶାଗୁଆନ କାଠକୁ କାଟିବା ଏବଂ ଖୁଟ୍ଟୟା ତିଆରି କରିବା କାମ କରିଥାନ୍ତି। “ଆମକୁ ଏହି କଳା ଈଶ୍ୱରଙ୍କ ଠାରୁ ମିଳିଛି”, ସେ କୁହନ୍ତି। “ଆମକୁ ଏହା ଶିଖିବାକୁ ପଡ଼ିନଥାଏ।”

PHOTO • Sanket Jain
PHOTO • Sanket Jain

ବାମ : ଫୁଙ୍କାଯାଉଥିବା ଛିଦ୍ର ନିକଟରେ ଏକ ମସୁଡ଼ (ମୁଖ)କୁ ଚିହ୍ନିତ କରିବା। ଡାହାଣ : ଧାତୁ ଛଡ଼କୁ ଉପଯୋଗ କରି ବଂଶୀରେ ସ୍ଥାୟୀ ଛିଦ୍ର କରିବା

ଲକଡାଉନ ପୂର୍ବରୁ, ଦୀନକର ଓ ସୁରେନ୍ଦ୍ର ଯାତ୍ରାରେ ସାଧାରଣତଃ ବଡ଼ ବଂଶୀ (ସଙ୍ଗୀତଜ୍ଞଙ୍କ ଦ୍ୱାରା ଉପଯୋଗ କରାଯାଉଥିବା) ୭୦ରୁ ୮୦ ଟଙ୍କାରେ, ଏବଂ ପିଲାଙ୍କ ପାଇଁ ଛୋଟ ବଂଶୀ ୨୦-୨୫ ଟଙ୍କାରେ ବିକ୍ରି କରିଥାନ୍ତି। ମିଶ୍ରିତ ଆକାରର ଏକ ଡଜନ ବଂଶୀରୁ ତାଙ୍କୁ ଗୋଟିଏ ବର୍ଷ ପୂର୍ବ ପର୍ଯ୍ୟନ୍ତ ୩୦୦ରୁ ୩୫୦ଟଙ୍କା ମିଳୁଥିଲା।

ଆଇୱଲେ ଅନୁପ୍ରସ୍ଥ ବଂଶୀ ବା କଡ଼ରୁ ଫୁଙ୍କା ଯାଉଥିବା ବଂଶୀ ମଧ୍ୟ ତିଆରି କରିଥାନ୍ତି ଯାହାକୁ ଚଟାଣର ସମାନ୍ତରାଳ ଭାବେ ରଖି ବାଦନ କରାଯାଇଥାଏ। “ଆମେ ଏହାକୁ କୃଷ୍ଣ ବଂଶୀ କହିଥାଉ। ଲୋକମାନେ ଏହାକୁ ନିଜ ଘର ବାହାରେ ଝୁଲାଇଥାନ୍ତି। କାରଣ ଏହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ”, ଦୀନକର କୁହନ୍ତି। “ପ୍ରତ୍ୟେକ କୃଷ୍ଣ ବଂଶୀ ଅତି କମରେ ୧୦୦ ଟଙ୍କାରେ ବିକ୍ରି ହୋଇଥାଏ, ଏବଂ ସହରରେ ଏହାର ଅଧିକ ଚାହିଦା ଥାଏ”, ସେ କୁହନ୍ତି। ଆହୁରି ସେ ଯେଉଁ ମୂଲ୍ୟ ପାଇଥାନ୍ତି ତାହା ଅତି କଷ୍ଟରେ ତାଙ୍କର କଠିନ ପରିଶ୍ରମକୁ ଭରଣା କରିଥାଏ, “ତଥାପି ସେଥିରୁ ଯଥେଷ୍ଟ ଟଙ୍କା ମିଳିଯାଇଥାଏ”, ଦୀନକର ଲକଡାଉନ ପୂର୍ବ ସମୟ ବିଷୟରେ ଉଲ୍ଲେଖ କରି କହିଥାନ୍ତି।

ପାଞ୍ଚ ଦଶନ୍ଧି ଧରି ଚମତ୍କାର ବଂଶୀ ତିଆରି କରିବା ପରେ, ଏହାର ନିଖୁଣ ଓ କୁଶଳୀ କାମ ଦୀନକରଙ୍କ ଆଖିକୁ ପ୍ରଭାବିତ କରିଛି। କିଛି ବର୍ଷ ପୂର୍ବେ, ତାଙ୍କ ଠାରେ ମୋତିଆବିନ୍ଦୁ ଦେଖାଦେଇଥିଲା। “ଏବେ ମୁଁ ସ୍ପଷ୍ଟ ଭାବେ ଦେଖିପାରିବି”, ସେ ୨୦୧୧ ଏବଂ ୨୦୧୪ରେ ହୋଇଥିବା ଦୁଇଟି ଅସ୍ତ୍ରୋପଚାର ବିଷୟରେ ଉଲ୍ଲେଖ କରି କହିଥାନ୍ତି, “କିନ୍ତୁ ଏହି କାମ ଯୋଗୁ ଖୁବଜୋରରେ ପିଠି ଯନ୍ତ୍ରଣା ହୋଇଥାଏ।”

ଯଦି କେହି ତାଙ୍କୁ ପଚାରେ ଯେ “ଆପଣ ଜୀବନସାରା କ’ଣ କରିଛନ୍ତି?” ତା’ହେଲେ ଦୀନକର କୁହନ୍ତି, “ମୁଁ ଗର୍ବର ସହିତ ସେମାନଙ୍କୁ କହିପାରେ ଯେ ଏହି ବଇଁଶୀ ତିଆରି କରିବା କାରଣରୁ, ମୋର ସବୁ ପୁଅଝିଅ ଓ ନାତିନାତୁଣି ପାଠ ପଢ଼ିପାରିଛନ୍ତି ଏବଂ ଜୀବନରେ ଉନ୍ନତି କରିପାରିଛନ୍ତି; ମୁଁ ସେମାନଙ୍କୁ ସଠିକ୍ ରାସ୍ତାରେ ନେଇପାରିଲି। ଏହି କୌଶଳ ଆମକୁ ସବୁକିଛି ଦେଇଛି।”

PHOTO • Sanket Jain

ଉପରେ ବାମ : ଦୀନକର ବଂଶୀରେ ସ୍ଥାୟୀ ଛିଦ୍ର କରିଛନ୍ତି। ଏଠି କୌଣସି ପ୍ରକାର ଭୁଲ ହେଲେ ଖରାପ ସ୍ୱର ଓ ଧ୍ଵନି ସୃଷ୍ଟି କରିପାରେ, ଯାହା ଦ୍ୱାରା ବଂଶୀର ଗୁଣବତ୍ତା ନଷ୍ଟ ହୋଇପାରେ। ଉପରେ ଡାହାଣ : ଦୀନକର ସାବଧାନତାପୂର୍ବକ ମସୁଡ଼ (ମୁଖ) ତିଆରି କରୁଛନ୍ତି ଯାହାକି ବଂଶୀର ନାକ ଭଳି କାମ କରିଥାଏ। ତଳେ ବାମ ୫୨ବର୍ଷୀୟ ସୁରେନ୍ଦ୍ର ଆଇୱଲେ, ଯିଏକି ବଂଶୀ ନିର୍ମାତା ଓ ବଂଶୀ ବାଦକ ମଧ୍ୟ ଅଟନ୍ତି, କଳାର ଏହି ରୂପକୁ ଜୀବନ୍ତ ରଖିବା ଲାଗି ଆଇୱଲେ ପରିବାରର ସେ ହେଉଛନ୍ତି ଅନ୍ତିମ ପିଢ଼ି । ତଳେ ଡାହାଣ : ଦୀନକର ଓ ତାରାବାଇଙ୍କର ଗୋଟିଏ ପୁରୁଣା ଫଟୋ

ବର୍ଷ ୨୦୦୦ ଠାରୁ, ଦୀନକର ଅନ୍ୟମାନଙ୍କୁ ମଧ୍ୟ ବଂଶୀ ବଜାଇବା ଶିଖାଉଛନ୍ତି, ଏବଂ କୋଡୋଲି ଗ୍ରାମରେ ‘ମାଷ୍ଟର’ (ଉସ୍ତାଦ୍) ନାମରେ ପରିଚିତ ହୋଇପାରିଛନ୍ତି। ତାଙ୍କର ଛାତ୍ରଛାତ୍ରୀ -ତାଙ୍କ ଅନୁମାନ ଅନୁଯାୟୀ ଏବେସୁଦ୍ଧା ଅତିକମରେ ୫୦ ହୋଇସାରିଛନ୍ତି- ଙ୍କ ମଧ୍ୟରେ ସହର ଓ ଗାଁର ଡାକ୍ତର, ଶିକ୍ଷକ, କୃଷକ ଓ ବ୍ୟବସାୟୀ ସାମିଲ ଅଛନ୍ତି। ସେ ଶିଖାଇବା ପାଇଁ କିଛି ଶୁଳ୍କ ନେଇନଥାନ୍ତି। “ଯଦି ଲୋକମାନେ ମୋତେ ମନେ ରଖନ୍ତି, ସେତିକି ମୋ ପାଇଁ ଯଥେଷ୍ଟ”, ସେ କୁହନ୍ତି।

ତେବେ ଲକଡାଉନ ଓ ଏହାର ପରବର୍ତ୍ତୀ ସ୍ଥିତି ତାଙ୍କ ବ୍ୟବସାୟକୁ ଯଥେଷ୍ଟ ପ୍ରଭାବିତ କରିଛି, କିନ୍ତୁ ଦୀନକରଙ୍କର ବିଶ୍ୱାସ ରହିଛି ଯେ ବଂଶୀର ଚାହିଦାରେ ବୃଦ୍ଧି ଘଟିବ। କିନ୍ତୁ ସେ ଏହା ମଧ୍ୟ ଜାଣନ୍ତି ଯେ ଯୁବ ପିଢ଼ିର ଆକାଂକ୍ଷା ଭିନ୍ନ, ତେଣୁ ଅଳ୍ପ କିଛି ଲୋକ ବଂଶୀ ତିଆରି କରିବାର କଳା ଶିଖିବାକୁ ଚାହୁଁଛନ୍ତି। “ଆପଣ (ଏଥିରୁ) ଯଥେଷ୍ଟ ଟଙ୍କା ରୋଜଗାର କରିପାରିବେ, କିନ୍ତୁ କିଏ ଏତେ ପରିଶ୍ରମ କରିବାକୁ ଚାହୁଁଛି?” “ଆଗ୍ରହ ଥିଲେ ଯେ କେହି ସମୟ ବାହାର କରିପାରିବ। ଏହା ଆପଣଙ୍କର ଇଚ୍ଛା ଉପରେ ନିର୍ଭର କରିଥାଏ”, ସେ କହିଥାନ୍ତି।

୭୪ ବର୍ଷ ବୟସରେ ମଧ୍ୟ ଦୀନକରଙ୍କଠାରେ ସେହି ଇଚ୍ଛା ଦୃଢ଼ ରହିଛି ଏବଂ ସେ ଆଜି ମଧ୍ୟ ବଂଶୀ ତିଆରି କରୁଛନ୍ତି, କିନ୍ତୁ ଏବେ ବଂଶୀ ବଜାଇବା ସମୟରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସରେ ସମସ୍ୟା ଦେଖା ଦେଉଛି। “ମୁଁ ଯେପର୍ଯ୍ୟନ୍ତ ବଞ୍ଚି ରହିଛି, ଏହା(ବଂଶୀ ତିଆରି ଓ ବଜାଇବା) ମଧ୍ୟ ବଞ୍ଚି ରହିବ”, ସେ କୁହନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra, and a 2019 PARI Fellow.

Other stories by Sanket Jain
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE