୬୦ ବର୍ଷୀୟ ମଣି କହିଲେ, ‘‘ଥରେ ମୋତେ ଜଣେ ପୌର ଅଧିକାରୀ କହିଲେ ତୁମେ ଯଦି ସେଫ୍‌ଟି ସୁଟ୍ ପିନ୍ଧିବ, ଜଣେ ମହାକାଶଚାରୀ ଭଳି ଦେଖାଯିବ।’’ ମଣି ହେଉଛନ୍ତି କୋଇମ୍ବାଟୁର ନଗର ନିଗମର ଜଣେ ସଫେଇ କର୍ମଚାରୀ। ମଇଳା ସଫା କରିବାକୁ ସେ ସୁରେଜ ଭିତରେ ପଶନ୍ତି। ‘‘ମୁଁ ତାଙ୍କୁ ନମ୍ରତାର ସହ କହିଲି, ଆପଣ ଆଗ ଚେଷ୍ଟା କରନ୍ତୁ, ମୁଁ ଆପଣଙ୍କୁ ଅନୁକରଣ କରିବି।’’

ମଣି (ସେ କେବଳ ତାଙ୍କ ପ୍ରଥମ ନାମ ବ୍ୟବହାର କରନ୍ତି) କହି ଚାଲିଲେ, ‘‘ଭାରତରେ କୌଣସି ଅଧିକାରୀ ଯଦି ଆମକୁ ସେଫ୍‌ଟି ସୁଟ୍ ଏବଂ ଅମ୍ଳଜାନ ମୁଖା ପିନ୍ଧି ମ୍ୟାନହୋଲ କିମ୍ବା ସୁରେଜ ଲାଇନ ଭିତରେ ପଶିବାକୁ କହନ୍ତି ତେବେ ସେ ଜାଣି ନାହାନ୍ତି କିମ୍ବା ମହାନତା ଦେଖାନ୍ତି, କାରଣ ତା ଭିତରେ ପଶିବାକୁ ବାଟ ନାହିଁ। ଆମେ ତା ଭିତରେ କେବଳ ଚଡ଼ି (ଭିତର ପ୍ୟଣ୍ଟ) ପିନ୍ଧି ପଶି ପାରିବୁ। ସେମାନେ କେବଳ ଆମକୁ ବୋକା ବନେଇବାକୁ ଚାହାନ୍ତି। ଆମ ପ୍ରତି ସେମାନଙ୍କର ଖାତିର ନାହିଁ, କାରଣ ସେମାନେ ଭାବନ୍ତି ଆମ ଶରୀର ମୂଲ୍ୟହୀନ ଏବଂ କେବଳ ଏଇ କାମ କରିବାକୁ ଆମ ଜାତି ଗଢା ହୋଇଛି। ’’

ତଥାପି, ମଣି ତାଙ୍କ ଦକ୍ଷତା ଏବଂ ଅଭିଜ୍ଞତାକୁ ନେଇ ଗର୍ବ ଅନୁଭବ କରନ୍ତି। ମ୍ୟାନହୋଲ ଭିତରରେ କିଭଳି ପଶିବାକୁ ହୁଏ ଏବଂ ଉତ୍କଟ ଗ୍ୟାସ ସହ କେମିତି ମୁକାବିଲା କରିବାକୁ ପଡ଼େ, ସେ ନେଇ ଅନ୍ୟ ସଫେଇ କର୍ମଚାରୀଙ୍କୁ ସେ ତାଲିମ ଦିଅନ୍ତି। ସେ କହନ୍ତି, ‘‘ ଆଜିକାଲି ସମସ୍ତେ ଆମକୁ ଶିକ୍ଷା ଦେବାକୁ ଚାହାନ୍ତି’’, ‘‘କିନ୍ତୁ ସମସ୍ୟା କଣ ଆମେ ତାହା ଅନ୍ୟମାନଙ୍କଠାରୁ ଅଧିକ ଜାଣିଛୁ। ମୃତ୍ୟୁ ରୋକିବାକୁ ହେଲେ ସରକାରଙ୍କୁ ସିୱେଜ ଲାଇନ୍ ଏବଂ ମ୍ୟାନହୋଲ୍‌ର ଆଧୁନିକିକରଣ କରିବାକୁ ପଡ଼ିବ। ବାକି କଥା କେବଳ ଚୂନ ମାରିବ।’’

ସେ ଯେତେବେଳେ ଛୋଟ ଥିଲେ, ତାଙ୍କ ବାପା ସୁବନ ଓ ମା ପୋନି କୋଏମ୍ବାଟୁରର ଏକ ସରକାରୀ ଡାକ୍ତରଖାନାରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତ ହୋଇଥିଲେ। ସେ କହନ୍ତି, ‘‘ଆମେ ହସ୍ପିଟାଲ ପରିସର ଭିତରେ ରହୁଥିଲୁ’’। ‘‘ସ୍କୁଲ ଛୁଟି ହେବା ପରେ, ମୁଁ ସିଧାସଳଖ ଡାକ୍ତରଖାନା ଯାଇ ଇସିଜି, ଏକ୍ସ-ରେ ଏବଂ ପୋଷ୍ଟମର୍ଟମ୍ କାମରେ ସାହାଯ୍ୟ କରୁଥିଲି। ୧୯୬୦ ମସିହାରେ ଏହି କାମ ପାଇଁ ସେମାନେ ମୋତେ ଦିନକୁ ୫-୧୦ ପଇସା ଦିଅନ୍ତି। ମୁଁ ଅଷ୍ଟମ ପର୍ଯ୍ୟନ୍ତ ପଢିଲି, ତା ପରେ ମେହେନ୍ତର ହେଲି।’’

ଚକଲିଆର ଜାତିର ମଣି ଜଣେ ଦଳିତ। ସେ ସ୍କୁଲ ଛାଡିବାର କାରଣ ଶିକ୍ଷକ ଏବଂ ସହପାଠୀମାନେ ତାଙ୍କୁ ​ ‌ଥୋଟି ଡାକନ୍ତି, ଦକ୍ଷିଣ ଭାରତରେ ମେହେନ୍ତର ଜାତି ପାଇଁ ଏହା ଏକ ଅପମାନଜନକ ଶବ୍ଦ। ଏଥିସହ ତାଙ୍କୁ ଅଲଗା ବସିବାକୁ କୁହନ୍ତି। ମଣି କହିଲେ, ‘‘ସେମାନେ ମୋତେ ଖରାପ ବ୍ୟବହାର କରନ୍ତି କାରଣ ମୁଁ ମୃତଦେହ ଉଠାଏ ଏବଂ ମଇଳା ସଫାକରେ। ଶିକ୍ଷକମାନେ ମୋତେ କ୍ଲାସରୁମ୍ ବାହାରେ ବସିବାକୁ କହନ୍ତି। ’’

ମଣିଙ୍କ ସ୍ତ୍ରୀ ନାଗାମ୍ମା ଜିଲ୍ଲା ପ୍ରଥମିକ ଶିକ୍ଷା କାର୍ଯ୍ୟାଳୟରେ ଝାଡୁ ମାରନ୍ତି। ସେଠାରୁ ସେ ମାସିକ ୧୫,୦୦୦ ଟଙ୍କା ରୋଜଗାର କରନ୍ତି। ତାଙ୍କ ବାପା ନେସାୟାର ଏବଂ ମା କିରୁବା ମଧ୍ୟ ସଫେଇ କର୍ମଚାରୀ। ସେ କହନ୍ତି, ‘‘ମୁଁ ସେଣ୍ଟ ମେରୀ ସ୍କୁଲରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି। ସେଠି ମୁଁ କୌଣସି ଭେଦଭାବ ଦେଖିନି, କିନ୍ତୁ ବାହାର ଦୁନିଆରେ ମୁଁ ଅସ୍ପୃଶ୍ୟ। ଖ୍ରୀଷ୍ଟିଆନ ହୋଇଥିବାରୁ ମୋର ସଂରକ୍ଷଣ ନାହିଁ, ତେଣୁ ନଗର ନିଗମରେ ମୋତେ ନିଯୁକ୍ତି ମିଳିଲାନି। ମୁଁ ଖୁବ୍ କମ୍ ବୟସରେ ବାହା ହେଲି ଏବଂ ମୋ ନାଁ ହେଲା ଏମ୍.ନାଗାମ୍ମା। ଏହାର ଉଚ୍ଚାରଣ ହିନ୍ଦୁ ଶବ୍ଦ ଭଳି ହୋଇଥିବାରୁ ମୋତେ ଏହି ସରକାରୀ ଚାକିରୀ ଖଣ୍ଡକ ମିଳିଲା [ଝାଡ଼ୁଦାର ଭାବେ]।’’ ନାଗାମ୍ମା ୩୦ ବର୍ଷ ହେଲା ଝାଡ଼ୁଦାର କାର୍ଯ୍ୟ କରୁଛନ୍ତି, ସେ ୨୦୨୦ରେ ଅବସର ନେବେ।

ମଣିଙ୍କୁ ଯେତେବେଳେ ୨୭ ବର୍ଷ ହୋଇଥିଲା, ସେତେବେଳୁ ସେ ଏହି କାମ କରି ଆସୁଛନ୍ତି। ଏ​‌ବେ ସେ ମାସକୁ ୧୬,୦୦୦ ଟଙ୍କା ପାଉଛନ୍ତି। ଏହା ପୂର୍ବରୁ ଠିକା ଶ୍ରମିକ ଭାବେ ସେ ଏହି ସମାନ କାର୍ଯ୍ୟ କରୁଥିଲେ। ସେ କହନ୍ତି, ‘‘ଏହି ସବୁ ବର୍ଷଗୁଡିକରେ ମୋ ଦେହ କେବଳ ଆବର୍ଜନା ସଫା କରିବାରେ ବ୍ୟବହାର ହୋଇଛି। କିନ୍ତୁ ମୁଁ ଯେତେବେଳେ ଆରମ୍ଭ କଲି, ମୋର ମନେ ଅଛି ଏହା ମୋ ପାଇଁ କେତେ କଷ୍ଟକର ଥିଲା। ସମସ୍ତ ପୋଷାକ ଖୋଲି କେବଳ ଅନ୍ତବସ୍ତ୍ର ବିନ୍ଧି ନଳା ଭିତରେ ପଶିବାକୁ ପଡ଼ୁଥିଲା। ଅତି କମରେ ଗୋଟେ ବର୍ଷ ପଯ୍ୟନ୍ତ ମୋତେ ଖୁବ୍ ଲାଜ ଲାଗୁଥିଲା, ଯେତେବେଳେ ମୁଁ ରାସ୍ତାରେ ପୋଷାକ ଖୋଲୁଥିଲି। ତେବେ ସମୟ ଏବଂ ପ୍ରତିକୂଳ ପରିବେଶ ହେଉଛି ସୁବଠୁ ଉତ୍ତମ ଶିକ୍ଷକ। ଆମ ଜାତି ହେଉଛି ଆମ ଭାଗ୍ୟ, ଏହା ଆମ କପାଳରେ ଲେଖାଯାଇଛି। ତମେ ଯଦି ଥୋଟି କୂଳରେ ଜନ୍ମ ହୋଇଛ, ସାରା ଜୀବନ ଆବର୍ଜନାର ଦୁର୍ଭାଗ୍ୟ ଭିତରେ କଟିଯିବ। ମେହେନ୍ତର ହେବାକୁ ସମାଜ ତୁମକୁ ବାଧ୍ୟ କରିବ। ଏହି ଦୁର୍ଭାଗ୍ୟରୁ ମୁକୁଳିବାକୁ ହେଲେ ଦୃଢ ଇଛା ଶକ୍ତି ଏବଂ ପରିବାରର ସମର୍ଥନ ଆବଶ୍ୟକ। ଆମେ ଏଥିପାଇଁ ସକ୍ଷମ ନଥିଲୁ। କିନ୍ତୁ ଆମ ପିଲାଙ୍କୁ ଏଥିରୁ ମୁକ୍ତି ଦେବାକୁ ଆମେ ବାଟ ତିଆରି କରିଛୁ।’’

ଉଭୟ ମଣି ଏବଂ ନାଗମ୍ମା ଚାହୁଁଥିଲେ ତାଙ୍କର ଏହି ଜାତିଭିତ୍ତିକ କାମ ତାଙ୍କଠାରେ ହିଁ ଶେଷ ହେଉ। ସେମାନେ ନିଶ୍ଚିତ ଥିଲେ ଯେ ସେମାନଙ୍କ ପିଲାମାନେ ସମାନ ଭେଦଭାବର ଶିକାର ହେବା ସେମାନେ ଦେଖିବେ ନାହିଁ। ମଣି କହନ୍ତି, ‘‘ମୋର କେବଳ ଗୋଟିଏ ସ୍ୱପ୍ନ - ମୋ ପିଲାମାନେ ଏହି ଦୁର୍ଭାଗ୍ୟ ଆଉ ଏହି ଦୁର୍ଗନ୍ଧରୁ ମୁକ୍ତି ପାଆନ୍ତୁ।’’ ମୁଁ ଆଉ ମୋ ସ୍ତ୍ରୀ ଏହି ସ୍ୱପ୍ନକୁ ସତ୍ୟ କରିବା ପାଇଁ ସଂଘର୍ଷ କରିଛୁ।’’ ତାଙ୍କ ଝିଅ ତୁଳସୀ ବିବାହିତା।ସେ ଏକ ପୋଷାକ କମ୍ପାନୀରେ ପ୍ରଡକ୍ଟ କଣ୍ଟ୍ରୋଲ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ପୁଅ ମୂର୍ତ୍ତି ଏକ ଘରୋଇ କମ୍ପାନୀରେ କାମ କରନ୍ତି।

ଭିଡିଓ ଦେଖନ୍ତୁ : ତାଙ୍କ ଜାତି ଓ କାମର କଳଙ୍କ ସଂପର୍କରେ କହୁଛନ୍ତି ମଣି ଓ ତାଙ୍କ ସ୍ତ୍ରୀ ନାଗମ୍ମା

ଅବରୋଧ ହଟାଇବାକୁ ମ୍ୟାନହୋଲ ଭିତରେ ପଶିବା ପୂର୍ବରୁ ପରିସ୍ଥିତିକୁ କିଭଳି ଆକଳନ କରନ୍ତି, ତାର ନମୂନା ଦେଖାଇବାକୁ ମଣି ମୋତେ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପାଖରେ ଚୋକ୍ ହୋଇଥିବା ଏକ ସୁରେଜ ଲାଇନ୍ ଦେଖିବାକୁ ପରଦିନ ସକାଳେ ମଣି ମୋତେ ଡାକିଲେ। ସେ ଏକ ଟ୍ରକ୍ ପଛପଟକୁ ଗଲେ ଆଉ ପୋଷାକ ଖୋଲିଦେଇ କେବଳ ଅନ୍ତର୍ବସ୍ତ୍ର ପିନ୍ଧି ଫେରିଲେ। ସ୍ମିତ ହସି କହିଲେ, ‘‘ମୁଁ ଦଶନ୍ଧି ଦଶନ୍ଧି ଧରି ଏହି ନର୍କ ଭିତରେ ପଶୁଛି। କିନ୍ତୁ ପ୍ରତି ଥର ମୋର ସେଇ ସମାନ ଭୟ - ତା ଭିତରୁ ମୁଁ ଜୀବିତ ବାହାରି ନପାରେ। ଭିତରେ ପଶିବା ପୂର୍ବରୁ ମୁଁ ଆଖି ବନ୍ଦ କରେ ଆଉ ମୋ ଝିଅର ମୁହଁକୁ ସ୍ମରଣ କରେ। ସେ ମୋ ପାଇଁ ସୌଭାଗ୍ୟବତୀ। ସଂକଟ ସମୟରେ, ଯେତେବେଳେ ଚୋକ୍ ହଟାଇବା କଷ୍ଟକର ହୁଏ, ମୁଁ ତାର ନାଁ ନିଏ, ଏବଂ ବହାରି ଆସିବାକୁ ନିଷ୍ପତ୍ତି କରେ। ମୁଁ ସବୁବେଳେ ରକ୍ଷା ପାଇ ଯାଇଛି।

ସାରା ଦେଶରେ ମଣିଷ ଦ୍ୱାରା ମଇଳା ସଫା କରିବା କାମର ଉଛେଦ ପାଇଁ ଚାଲିଥିବା ସଂପ୍ରଦାୟ ଭିତ୍ତିକ ଅଭିଯାନ, ସଫେଇ କର୍ମଚାରୀ ଆନ୍ଦୋଳନ ପକ୍ଷରୁ ସାଂସଦମାନଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଏପ୍ରିଲ ୧ ରୁ ଜୁଲାଇ ୧୦ ମଧ୍ୟରେ ସାରା ଦେଶରେ ୩୯ ଜଣ ସଫେଇ କର୍ମଚାରୀ ସୁରେଜ ବା ସେପଟିକ୍ ଟ୍ୟାଙ୍କ୍ ଭିତରେ ମୃତ୍ୟୁମୁଖରେ ପଡ଼ିଛନ୍ତି।

ମ୍ୟାନହୋଲ ଭିତରେ ପଶିବାକୁ ମଣି ପ୍ରସ୍ତୁତ ହେବାବେଳେ ଅନ୍ୟ ସଫେଇ କର୍ମଚାରୀମାନେ ଏହାକୁ ଖୋଲି, କୌଣସି ବିଷାକ୍ତ ଗ୍ୟାସ ଅଛି କି ନାହିଁ ତାହା ଜାଣିବାକୁ ଦିଆସିଲ କାଠି ଜଳାଇଲେ। ସେମାନେ ସବୁଜ ସଂକେତ ଦେବା ପରେ ମଣି ଭିତରେ ପଶିଲେ।

କଣ ହୋଇଥାନ୍ତା ଯଦି ସେ ଭିତରୁ ଜୀବନ୍ତ ବାହାରି ନଥାନ୍ତେ? ଅନ୍ୟ ସଫେଇ କର୍ମଚାରୀ ଖୁବ୍ ନିରବ ଜଣାପଡ଼ୁଥିଲେ। ସେମାନଙ୍କ ପାଇଁ ଏହା ବେଉଷା। ମୁଁ ସେଠାରେ ଛିଡା ହୋଇ ନାଗମ୍ମା କହିଥିବା କଥା ମନେ ପକାଉଥିଲି, ‘‘ପ୍ରତିଦିନ ମୁଁ ଭୟରେ ବଞ୍ଚେ। ଏତେ ଚାପ ଭିତରେ ସ୍ୱାଭାବିକ ଭାବେ ବଞ୍ଚିବା କଷ୍ଟକର। ମଣି ପ୍ରତିଦିନ ମଦ ପିଅନ୍ତି। ଏଥିପାଇଁ ମୁଁ ତାଙ୍କ ସହ ଝଗଡ଼ା କରେ, କିନ୍ତୁ ମୁଁ ଜାଣେ ବିନା ନିଶାରେ ଏହି ଅମର୍ଯ୍ୟାଦାଜନକ ଏବଂ ଅକାର୍ଯ୍ୟ କରି ହେବନି। ଯେତେବେଳେ ପାଇଖାନା ଟାଙ୍କି କିମ୍ବା ସେପଟି ଟ୍ୟାଙ୍କ ଭିତରେ କେହି ମରିଥିବା ଶୁଣେ, ସେତେବେଳେ ମୁଁ ବହୁ ଯନ୍ତ୍ରଣା ପାଏ। ମୁଁ ଜାଣେ ସେଇ ଲୋକର ସ୍ତ୍ରୀ ପାଇଁ ଏହା କଣ ହୋଇଥିବ। ଆମ ଜାତିକୁ କେହି ମଣିଷ ଭଳି ବ୍ୟବହାର କରନ୍ତିନି। ଜାତିର ଏହି କଳଙ୍କକୁ ନେଇ ଆମେ ମରିବୁ।’’

କିଛି ସମୟ ପରେ ମ୍ୟାନହୋଲ ଭିତରୁ ମଣି ବାହାରିଲେ। ତାଙ୍କ ଦେହ ସାରା ମଇଳା ଆଉ ଆବର୍ଜନା। ସେ ତାଙ୍କ ହାତରେ ମୁହଁ ସଫା କରିବା ପରେ ତାଙ୍କ ଆଖି ଦେଖାଗଲା। ସେ କହିଲେ, ‘‘ଏଥରକ ବି ମୁଁ ଭାଗ୍ୟବାନ ରହିଲି। ’’

ଫଟୋ : ଭାଷା ସିଂ

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Bhasha Singh

Bhasha Singh is an independent journalist and writer, and 2017 PARI Fellow. Her book on manual scavenging, ‘Adrishya Bharat’, (Hindi) was published in 2012 (‘Unseen’ in English, 2014) by Penguin. Her journalism has focused on agrarian distress in north India, the politics and ground realities of nuclear plants, and the Dalit, gender and minority rights.

Other stories by Bhasha Singh