html ଦରିଦ୍ରତା ଯୋଗୁଁ ମେଘକୁ ରାସ୍ତା ତିଆରି କାମରେ ସାମିଲ ହୋଇଛନ୍ତି

ବର୍ଡର ରୋଡ୍‌ ସଂଗଠନର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ଲଦାଖର ବିସ୍ତୃତ ଅଞ୍ଚଳରେ ଉଚ୍ଚ-ପତ୍ତନରେ ନିର୍ମାଣ ହୋଇଥିବା ବିଭିନ୍ନ ରାସ୍ତାର ନେଟ୍‌ୱର୍କ ଯୋଗୁଁ ଲଦାଖରେ ଯାତ୍ରା କରିବା ସୁଗମ ତଥା ସମ୍ଭବପର ହୋଇପାରିଛି । ଏହି ପାହାଡ଼ି ରାସ୍ତା ନିର୍ମାଣରେ ନିୟୋଜିତ ହୋଇଥିବା ଅଧିକାଂଶ ଶ୍ରମିକ ବିହାର, ଛତିଶଗଡ ଓ ଝାଡଖଣ୍ଡରୁ  ପ୍ରବାସରେ ଆସିଛନ୍ତି । ସେମାନେ ଏଠାରେ ମେ ମାସରୁ ଅକ୍ଟୋବରର ମଧ୍ୟ ପର୍ଯ୍ୟନ୍ତ ରହନ୍ତି ଓ ସେନାକୁ ସେମାନଙ୍କ ଅତ୍ୟାବଶ୍ୟକ ଜିନିଷଗୁଡିକ ପରିବହନ କରିବା ପାଇଁ, ପର୍ଯ୍ୟଟକମାନେ ଓ ଲଦାଖ୍‌ରେ ବସବାସ କରୁଥିବା ଲୋକମାନଙ୍କ ଗମନାଗମନ ସୁଗମ କରିବା ପାଇଁ ବିଭିନ୍ନ ସ୍ଥାନକୁ ସ୍ଥଳପଥରେ ଯୋଡ଼ିବା ନିଶ୍ଚିତ କରିଥାନ୍ତି।

କିଛି ସପ୍ତାହ ପୂର୍ବେ ମୁଁ ଲେହ ସହରଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ଚିଲିଂ ସହରକୁ ଯାଇଥିଲି । ଶୀତଦିନେ ଭାରି ତୁଷାରପାତ ଯୋଗୁଁ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ପେନ୍‌ସି ଲା ପାସ୍‌ ଦେଇ ଯାତାୟତ କରିବା ସମ୍ଭବ ହୋଇପାରେନାହିଁ । ତେବେ ନିର୍ମାଣାଧୀନ ଅବସ୍ଥାରେ ଥିବା ଲେହ-ପାଦମ ରାଜପଥ, ଯାହା ଚିଲିଂ ଦେଇ ଯାଇଛି, ତାହା ସମ୍ପୂର୍ଣ୍ଣ ହେବାପରେ ଜାଂସକର ଉପତ୍ୟକାକୁ ବର୍ଷସାରା ଯିବାଆସିବା କରିବା ସମ୍ଭବ ହୋଇପାରିବ । ମୁଁ ସେହି ଶ୍ରମିକମାନଙ୍କ ସହିତ ସେମାନେ ରହୁଥିବା ଟେଣ୍ଟରେ କିଛି ରାତି ବିତେଇବାକୁ ଯୋଜନା କଲି ।   

୧୧ x ୮.୫  ବର୍ଗଫୁଟର ଏହି ଟେଣ୍ଟଗୁଡିକରେ ସଂଖ୍ୟାଧିକ ଲୋକ ରହନ୍ତି, ଗୋଟିଏ ଟେଣ୍ଟରେ ପ୍ରାୟ ୬-୭ ଜଣ ଲୋକ ଛଅ ମାସ ପର୍ଯ୍ୟନ୍ତ ରହିଥାନ୍ତି । ସେମାନେ ସେହି ଥଣ୍ଡା ପୃଷ୍ଠ ଉପରେ କେବଳ ଖଣ୍ଡିଏ ଅଖା ପକେଇ ତା’ଉପରେ ଶୁଅନ୍ତି, ସେମାନଙ୍କ ବାସନକୁସନ ଓ ଅନ୍ୟ ସାମଗ୍ରୀଗୁଡିକ ରଖିବା ପାଇଁ ମଧ୍ୟ କିଛି ସ୍ଥାନ ଆବଶ୍ୟକ ହୋଇଥାଏ । ଏହି ଟେଣ୍ଟଗୁଡିକୁ ସାଧାରଣତଃ କାର୍ଯ୍ୟସ୍ଥଳିରୁ ପ୍ରାୟ ୧-୨କିଲୋମିଟର୍‌ ଦୂରରେ ପକାଯାଇଥାଏ ଓ ରାସ୍ତା କାମ ଆଗେଇବା ସହିତ ଏଗୁଡିକୁ ପୁଣି ନୂଆ ସ୍ଥାନକୁ ସ୍ଥାନାନ୍ତରିତ କରାଯାଏ ।

ମୁଁ ଏହି ଟେଣ୍ଟରେ ଗୋଟିଏ ରାତିରୁ ଅଧିକ ସମୟ ରହିପାରିଲି ନାହିଁ । ପବନ, ଧୂଳି ଓ ଥଣ୍ଡା – ଗ୍ରୀଷ୍ମ ଋତୁରେ ମଧ୍ୟ ରାତ୍ରିର ତାପମାତ୍ରା ଶୂନ୍ୟ ଡିଗ୍ରୀ ସେଲ୍‌ସିଅସ୍‌କୁ ଖସିଯାଏ -–ଟେଣ୍ଟ ଭିତରେ ଏହାକୁ ସହିବା ପ୍ରାୟତଃ ଅସମ୍ଭବ ହୋଇଥାଏ । 

ଏହି କାରଣରୁ ମୁଁ ଦିନବେଳା ସେମାନେ ଲଦାଖରେ କାର୍ଯ୍ୟ କରୁଥିବା ବିଭିନ୍ନ କାର୍ଯ୍ୟସ୍ଥଳିକୁ ବିଭିନ୍ନ ସମୟରେ ବୁଲିବାକୁ ଗଲି (କେବଳ ନିର୍ମାଣାଧୀନ ରାଜପଥ ନୁହେଁ)। ସେଠାରେ ଦିନ ବିତେଇବା ମଧ୍ୟ ସହଜ ନୁହେଁ। ଗ୍ରୀଷ୍ମ ଋତୁରେ ଏହାର ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିଅସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଏ ଓ  ସିଧାସଳଖ ପଡୁଥିବା ପାହାଡ଼ି ସୂର୍ଯ୍ୟକିରଣ ମଧ୍ୟ ରୁକ୍ଷ ମନେ ହେଉଥିଲା। ଲଦାଖ ଅଞ୍ଚଳ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧,୦୦୦ ରୁ ୧୮,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏହାର ବାୟୁ ପତଳା। ଏଠାରେ ପର୍ଯ୍ୟାପ୍ତ ଅମ୍ଳଜାନ ଉପଲବ୍ଧ ହେଉନଥିବାରୁ ସମତଳ ଅଞ୍ଚଳରୁ ଆସିଥିବା ଲୋକମାନଙ୍କ ପାଇଁ ଏଠାରେ ରାସ୍ତା ନିର୍ମାଣ ପରି ଏକ ପରିଶ୍ରମ ସାପେକ୍ଷ କାମ କରିବା ନିଶ୍ଚିତ ଭାବେ ଅତ୍ୟନ୍ତ କଷ୍ଟଦାୟକ – ଏପରିକି ସ୍ଥାନୀୟ ନିବାସୀମାନଙ୍କ ପାଇଁ ମଧ୍ୟ । ଏହି ଶ୍ରମିକମାନେ ଏଠାରେ ମାଟି ଖୋଳିବା କାର୍ଯ୍ୟ କରିଥାନ୍ତି ତଥା ମାଟି କାଦୁଅ ଓ ଓଜନିଆ ପଥର ସବୁ ବୋହିବା କାମ କରିଥାନ୍ତି । ପୁରୁଷମାନେ ଦିନକୁ ପ୍ରାୟ ୧୦ ଘଣ୍ଟା କାମ କରନ୍ତି, ସପ୍ତାହରେ ଛଅ ଦିନ , ଯେଉଁଥିପାଇଁ ସେମାନଙ୍କୁ ଦୈନିକ ୩୫୦ଟଙ୍କା –  ୬୦୦ଟଙ୍କା ମଧ୍ୟରେ ମଜୁରି ମିଳିଥାଏ, ଯାହା ସେମାନଙ୍କ କାମ ଓ କାର୍ଯ୍ୟ ଅନୁଭୂତି ଉପରେ ନିର୍ଭର କରିଥାଏ ।

ଇଣ୍ଡସ୍‌ ନଦୀ କୂଳରେ ଅବସ୍ଥିତ ଚୁମାଥଙ୍ଗ ଗ୍ରାମରେ ବିହାର ଓ ଛତିଶଗଡରୁ ଆସି ରହୁଥିବା ଶ୍ରମିକମାନଙ୍କ ଏକ ଦଳ ମୋତେ ଏହା କହିଲେ ଯେ, “ଆମ ପାଖରେ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନକାରୀ ପୋଷାକ ନାହିଁ [ଆମ ମଧ୍ୟରୁ କିଛି ଲୋକ ହେଲ୍‌ମେଟ୍‌, ଜୋତା ଓ ଗଗଲ୍‌ସ ପିନ୍ଧନ୍ତି] । ରାତି ପାଇଁ ଭାରତୀୟ ସ୍ଥଳ ସେନା ପକ୍ଷରୁ କିଛି ଉଷୁମପ୍ରଦାନକାରୀ ପୋଷାକ ପ୍ରଦାନ କରାଯାଇଛି। କାର୍ଯ୍ୟସ୍ଥଳୀରେ ପିଇବା ପାଣିର ଅଭାବ ମଧ୍ୟ ରହିଛି ।

ଚୁଶୁଲ୍‌ ଗ୍ରାମ ପାଖରେ ଭକତ ରାମ ସୁର୍ଜି, ବୟସ ପ୍ରାୟ ୫୦ ପାଖାପାଖିଙ୍କ ସହିତ ମୋର ସାକ୍ଷାତ ହୋଇଥିଲା, ଯିଏ ଇଣ୍ଡସ ନଦୀ ଉପରେ ଚାଲିଥିବା ସେତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେ ଝାଡ଼ଖଣ୍ଡରୁ ଆସିଛନ୍ତି ଓ ଗତ ପାଞ୍ଚ ବର୍ଷ ହେବ ଲଦାଖରେ ରହି ଆସୁଛନ୍ତି । ସେ ଗତ ଚାରି ବର୍ଷ ହେବ ଏଠାକୁ ନିୟମିତ ଆସୁଛନ୍ତି, କିନ୍ତୁ ସେ କୁହନ୍ତି ଯେ “ଏଠାରେ କାମ କରିବାକୁ ମୋର ଇଚ୍ଛା ନାହିଁ। ଏଠାରେ ମଜୁରି କମ୍‌ ଓ କାମ ଅତ୍ୟନ୍ତ କଷ୍ଟକର । କେତେକ ସ୍ଥାନରେ ରାସ୍ତାକାମ କରିବା ଏତେ ବିପଦପୂର୍ଣ୍ଣ ଯେ ମୁଁ ଆସନ୍ତାକାଲିର ସୂର୍ଯ୍ୟୋଦୟ ଦେଖିପାରିବି କି ନାହିଁ ତାହା ତାହା ଜାଣିପାରେ ନାହିଁ । ମୁଁ ସବୁବେଳେ ଭାବେ ଯେ ଆସନ୍ତା ବର୍ଷ ମୁଁ ଏଠାକୁ ଆସିବି ନାହିଁ କିନ୍ତୁ ମୁଁ ପୁଣି ଆସେ । ମୁଁ ଆସିବାକୁ ବାଧ୍ୟ ହୋଇଥାଏ କାରଣ ମୁଁ ଯେଉଁ ସ୍ଥାନରେ ରହେ ସେଠାରେ ନିରନ୍ତର ଛଅ ମାସ ପର୍ଯ୍ୟନ୍ତ କିଛି କାମ କରିବାକୁ ମିଳେନାହିଁ ’’।

PHOTO • Ritayan Mukherjee

ଏହି ପାହାଡ଼ି ରାସ୍ତା ନିର୍ମାଣରେ ନିୟୋଜିତ ହୋଇଥିବା ଅଧିକାଂଶ ଶ୍ରମିକ ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ପ୍ରବାସରେ ଆସିଛନ୍ତି, ସେମାନେ ଉଚ୍ଚ ପତ୍ତନରେ ଅବସ୍ଥିତ ଏହି ଦୁର୍ଗମ ଭୂଭାଗରେ ମେ ମାସରୁ ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ ରହିଥାନ୍ତି 

PHOTO • Ritayan Mukherjee

ବିହାରରୁ ଆସିଥିବା ଜିତେନ ମୁର୍ମୁ (ବାମ), ନିଜର ସହକର୍ମୀଙ୍କ ସହିତ ଚିଲିଂ ଗ୍ରାମ ନିକଟରେ ଥିବା ସେମାନଙ୍କ ଟେଣ୍ଟ ବାହାରେ ମଧ୍ୟାହ୍ନ ଭୋଜନ ପାଇଁ ଅପେକ୍ଷା କରି ରହିଛନ୍ତି ଯାହା ଅନ୍ୟ ଏକ କ୍ୟାମ୍ପ ସାଇଟ୍‌ରୁ ଆସିଥାଏ । କାନଭାସ୍‌ ଟେଣ୍ଟରେ ରହୁଥିଲେ ମଧ୍ୟ ଶୀତ ରାତିରେ ଥଣ୍ଡାର ପ୍ରକୋପରୁ ସେମାନେ ସମ୍ପୂର୍ଣ୍ଣ ରକ୍ଷା ପାଇପାରନ୍ତି ନାହିଁ । ସେମାନେ ରାସ୍ତାପାର୍ଶ୍ୱରେ କ୍ୟାମ୍ପ ପକେଇଥାନ୍ତି ଓ ରାସ୍ତା କାମ ଅଗ୍ରଗତି ହେବା ସହିତ ସେମାନଙ୍କ ରହିବା ସ୍ଥାନ ବଦଳାଇଥାନ୍ତି 

PHOTO • Ritayan Mukherjee

ଉଚ୍ଚ-ପତ୍ତନରେ ଅବସ୍ଥିତ ଏହି ରାସ୍ତାଗୁଡ଼ିକ ମୁଖ୍ୟତଃ ଶାରୀରିକ ଶ୍ରମ ଦ୍ୱାରା ନିର୍ମାଣ କରାଯାଇଥାଏ – ଭାରି ଯନ୍ତ୍ର ସାଧାରଣତଃ କମ୍‌ ବ୍ୟବହାର କରାଯାଏ । ଶ୍ରମିକମାନଙ୍କ ପାଖରେ ପ୍ରାୟତଃ ସୁରକ୍ଷା ପ୍ରଦାନକାରୀ ପୋଷାକ ନାହିଁ ଓ ପ୍ରଚୁର ଧୂଳି ମଧ୍ୟରେ କାମ କରୁଥିଲେ ମଧ୍ୟ ସେମାନେ ନିଜ ମୁହଁକୁ କୌଣସି ମାସ୍କ ପରିବର୍ତ୍ତେ କେବଳ କପଡ଼ାରେ ଘୋଡ଼େଇଥାନ୍ତି । ସେମାନେ ଉଚ୍ଚ-ପତ୍ତନରେ ଥିବା ଏହି ସ୍ଥାନଗୁଡ଼ିକରେ, ଯେଉଁଠାରେ ଅମ୍ଳଜାନର ଅଭାବ ରହିଛି, ସେଠାରେ ନିଜ ପିଠିରେ ଓଜନିଆ ଭାର ଲଦି ବୋହିଥାନ୍ତି ଓ ଶ୍ୱାସ ପ୍ରଶ୍ୱାସ ନେବା ପାଇଁ ବହୁବାର ମଝିରେ ବସି ଥକାମାରନ୍ତି 

PHOTO • Ritayan Mukherjee

ବିହାରରୁ ଆସିଥିବା ପ୍ରକାଶ ସିଂହ ଲେହ-ନିମୋ-ଚିଲିଂ-ପାଦମ ରାଜପଥର ନିର୍ମାଣ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରୁଛନ୍ତି 

PHOTO • Ritayan Mukherjee

ଏକ ଡ୍ରିଲିଂ ରିଗ୍‌ ସହାୟତାରେ, ଜଣେ ଶ୍ରମିକ ପ୍ରସିଦ୍ଧ ଲାମାୟୁରୁ ମଠଠାରୁ ୫୦କିଲୋମିଟର ଦୂରତାରେ ଥିବା ଏକ ପାହାଡ଼ି ରାସ୍ତାକୁ ଚଉଡ଼ା କରିବା କାମ କରୁଛି – ଯେଉଁଠାରେ ଶ୍ୱାସକ୍ରିୟା ସମ୍ପାଦନ କରିବା କଷ୍ଟକର ହେଉଛି ସେହିପରି ପତଳା ବାୟୁରେ ରହି ନିରନ୍ତର ଧୂଳି ପ୍ରଶ୍ୱାସରେ ଗ୍ରହଣ କରୁଛନ୍ତି 

PHOTO • Ritayan Mukherjee

ଝାଡ଼ଖଣ୍ଡରୁ ଆସିଥିବା ସନ୍ଧ୍ୟା ରାଣୀ ମୁର୍ମୂ ହେଉଛନ୍ତି ସେହି କାର୍ଯ୍ୟସ୍ଥଳିରେ କାମ କରୁଥିବା ଏକାଧିକ ମହିଳାମାନଙ୍କ ମଧ୍ୟରୁ ଜଣେ; ସେ ନିଜ ଭାଇଙ୍କ ପାଖକୁ ଆସିଛନ୍ତି, ବୋଲି ସେ କୁହନ୍ତି ଓ ଚାଙ୍ଗ ଲା ପାସ୍‌ ଓ ଟାଗ୍‌ସେ ମଧ୍ୟରେ ଥିବା ଦୁର୍ବୋକ୍‌ ଗ୍ରାମ ପାଖରେ ଚାଲିଥିବା ରାସ୍ତା କାମରେ ସମସ୍ତଙ୍କ ସହିତ ମିଶି କାମ କରୁଛନ୍ତି । ମାଟି ଅତଡ଼ା ଖସିବା ଚାଙ୍ଗ ଲାରେ ଏକ ସାଧାରଣ ଘଟଣା, ଏଣୁ ସବୁବେଳେ ଏଠାରେ ଶ୍ରମିକମାନଙ୍କ ଚାହିଦା ରହିଥାଏ 

PHOTO • Ritayan Mukherjee

ବୀର ବାହାଦୂର ନେପାଳରୁ ଆସିଛନ୍ତି । ସେ ପ୍ରତ୍ୟେକ ଗ୍ରୀଷ୍ମ ଋତୁରେ ରାସ୍ତା ନିର୍ମାଣ କାମ  କରିବା ପାଇଁ ଲଦାଖକୁ ଛଅ ମାସ ପାଇଁ ଆସିଥାନ୍ତି । ଚଳିତ ଥର, ଚଣ୍ଡିଗଡ଼ର ଜଣେ ଠିକାଦାର ତାଙ୍କୁ ଏହି କାମ ଯୋଗାଇ ଦେଇଛନ୍ତି । ସେ ନେପାଳରୁ ଆସିଥିବା ଅନ୍ୟ ପାଞ୍ଚ ଜଣ ଶ୍ରମିକଙ୍କ ସହିତ ଏକ ଟେଣ୍ଟରେ ରୁହନ୍ତି

PHOTO • Ritayan Mukherjee

ପେମା ନିଜର ତିନି ବର୍ଷର ପୁଅ ନାଓଦୁପଙ୍କ ସହିତ କାର୍ଯ୍ୟକ୍ଷେତ୍ରକୁ ଆସିଥାନ୍ତି । ସେମାନେ ପଶ୍ଚିମ ଲଦାଖରେ ଥିବା ପଙ୍ଗୋଗ ସୋ ହ୍ରଦ ନିକଟରେ ଅବସ୍ଥିତ ଲୁକୁଙ୍ଗ ଗ୍ରାମରେ ରୁହନ୍ତି। ଏହି ପ୍ରବାସୀମାନଙ୍କ ସହିତ ଲଦାଖରେ ବସବାସ କରୁଥିବା ଅନେକ ପରିବାର ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି

PHOTO • Ritayan Mukherjee

ଝାଡଖଣ୍ଡର ସନ୍ତୋଷ ଟୋପ୍‌ନୋ ଚୁମାଥଙ୍ଗରେ ଚାଲିଥିବା ସେତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଓ କିଛି ସମୟ ପାଇଁ ବିଶ୍ରାମ ନେଉଛନ୍ତି 

PHOTO • Ritayan Mukherjee

ଚୁଶୁଲ ଗ୍ରାମ, ଯେଉଁଠାକୁ ଗାଡ଼ିରେ ଯିବା ପାଇଁ ଏକ ଘଣ୍ଟା ସମୟ ଲାଗିଥାଏ, ସେଠାରେ ପ୍ରବାସୀ ଶ୍ରମିକମାନେ ଏକ ଟେଣ୍ଟରେ ନିଜର ମଧ୍ୟାହ୍ନ ଭୋଜନ ଗ୍ରହଣ କରୁଛନ୍ତି । ମଧ୍ୟାହ୍ନ ଭୋଜନ ପାଇଁ ଏକ ଘଣ୍ଟା ସମୟ ଦିଆଯାଇଥାଏ । ସେମାନେ ଅତି ସାଧାରଣ ଖାଦ୍ୟ ଖାଆନ୍ତି ଯାହା ଏହି ଜଳବାୟୁରେ ଜୀବନଧାରଣ କରିବା ପାଇଁ ପାଇଁ ଆଦୌ ପର୍ଯ୍ୟାପ୍ତ ନୁହେଁ- ଭାତ, ଡାଲି ଓ କିଛି ପନିପରିବା ଯାହା ସେମାନଙ୍କ ଟେଣ୍ଟରେ ଥିବା ଏକ ଷ୍ଟୋଭ୍‌ରେ ରନ୍ଧାଯାଇଛି 

PHOTO • Ritayan Mukherjee

ବିଭିନ୍ନ ସ୍ଥାନରେ ଯେତେବେଳେ ଇଣ୍ଡସ୍‌, ସେଠାରେ ଚୁମାଥଙ୍ଗ ଦେଇ କିଆରି ଓ ମାହେ ସେତୁ ମଧ୍ୟ ଦେଇ ପ୍ରବାହିତ ହୁଏ, ତାହା ଦ୍ୱାରା ରାସ୍ତା କ୍ଷତିଗ୍ରସ୍ତ ହୋଇଥାଏ । ସେନା ଯାତାୟତ କରିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ, ଏହାର ମରାମତି ପାଇଁ ଶ୍ରମିକମାନଙ୍କୁ ଡକାଯାଇଥାଏ 

PHOTO • Ritayan Mukherjee

ଝାଡ଼ଖଣ୍ଡ ଜିଲ୍ଲାର କୋଦେର୍ମା ଜିଲ୍ଲାରୁ ଆସିଥିବା ଭକତ ରାମଙ୍କ ବୟସ ୫୩ବର୍ଷ । ସେ ଦିନକୁ ୪୦୦ ଟଙ୍କା ରୋଜଗାର କରନ୍ତି ଓ ଏଠାକୁ ଗତ ଚାରି ବର୍ଷ ହେବ ଆସୁଛନ୍ତି । ଏଠାରେ ଯେଉଁ ପରିସ୍ଥିତିରେ କାମ କରିବାକୁ ହୋଇଥାଏ ତାହା ସେ ନାପସନ୍ଦ କରନ୍ତି ଓ ଆସନ୍ତା ବର୍ଷ ଏଠାକୁ ଆଉ ଆସିବେ ନାହିଁ ବୋଲି କହୁଛନ୍ତି 

PHOTO • Ritayan Mukherjee

ହମିଦ ଅନ୍‌ସାରୀ, ୩୨, ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାରୁ ଆସିଛନ୍ତି । ଅକ୍ଟୋବର ୧୦ରେ ତାଙ୍କର କାର୍ଯ୍ୟ ଚୁକ୍ତି ସମୟ ଶେଷ ହୋଇଯାଇଛି ଓ ସେ ଲେହକୁ ଫେରିବା ପାଇଁ ସୋ ମୋରିରି ନିକଟରେ ଯାନବାହନକୁ ଅପେକ୍ଷା କରି ରହିଛନ୍ତି 

PHOTO • Ritayan Mukherjee

ଝାଡ଼ଖଣ୍ଡରୁ ଆସିଥିବା ଦୁଇଜଣ ଶ୍ରମିକ ସେମାନଙ୍କ କାମ ସାରି ମ୍ୟାଗ୍ନେଟିକ୍‌ ହିଲ୍‌ ପାଖରେ ଥିବା ସେମାନଙ୍କ ଟେଣ୍ଟ ଆଡ଼କୁ ଚାଲି ଚାଲି ଯାଉଛନ୍ତି 

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Ritayan Mukherjee

Ritayan Mukherjee is a Kolkata-based photographer and a 2016 PARI Fellow. He is working on a long-term project that documents the lives of pastoral nomadic communities of the Tibetan Plateau.

Other stories by Ritayan Mukherjee