“ବର୍ଷା ପୁଣି ବନ୍ଦ ହୋଇଗଲା,” ବୋଲି ଧର୍ମା ଗାରେଲ୍ ଏକ ବାଉଁଶ ବାଡି ସହାୟତାରେ ତାଙ୍କ ଚାଷଜମି ଆଡକୁ ଚାଲିଚାଲି ଯିବାବେଳେ କହିଲେ । “ଜୁନ୍ ଏବେ ଏକ ଅଦ୍ଭୁତ ମାସରେ ପରିଣତ ହୋଇଗଲାଣି । କେବଳ ୨-୩ ଘଣ୍ଟା ବର୍ଷା ହେବ । ବେଳେବେଳେ ବିଜୁଳି ଚମକେ ଆଉ ବେଳେବେଳେ ଭାରି ବର୍ଷା ହୁଏ । ହେଲେ, କିଛି ଘଣ୍ଟା ପରେ ତାତି ପୁଣି ଥରେ ଅସହ୍ୟ ହୋଇଯାଏ । ମାଟିର ସମସ୍ତ ଆର୍ଦ୍ରତା ଶୋଷିନିଏ । ତାପରେ ମାଟି ପୁଣି ଶୁଷ୍କ ହୋଇଯାଏ । ଏମିତିରେ ଚାରାଗୁଡିକ ବଢିବେ କେମିତି?”
ଅଶୀ ବର୍ଷୀୟ ଗାରେଲ୍ ଓ ତାଙ୍କ ପରିବାର ଥାନେ ଜିଲ୍ଲାର ସାହାପୁର ତାଲୁକାରେ ଅବସ୍ଥିତ ୧୫ ୱାର୍ଲି ପରିବାର ରହୁଥିବା ଏକ ଛୋଟିଆ ଆଦିବାସୀ ପଲ୍ଲୀ ଗାରେଲପଡାରେ ଥିବା ସେମାନଙ୍କ ଏକ ଏକର ଜମିରେ ଧାନ ଚାଷ କରନ୍ତି । ଜୁନ୍ ୨୦୧୯ରେ ସେମାନେ ବୁଣିଥିବା ଧାନ ଶସ୍ୟ ସମ୍ପୂର୍ଣ୍ଣ ଭାବେ ଶୁଖିଗଲା । ସେହି ମାସରେ ୧୧ ଦିନରେ କେବଳ ୩୯୩ ମିମି ବର୍ଷା ହୋଇଥିଲା (ଯାହା ହାରାହାରି ପରିମାଣ ୪୨୧. ୯ ମିମି ଠାରୁ ମଧ୍ୟ କମ୍) ।
ସେମାନେ ରୋପଣ କରିଥିବା ଧାନ ଗଜା ମଧ୍ୟ ହେଲାନି – ଓ ସେମାନେ ବୀଜ, ସାର, ଭଡାରେ ଆଣିଥିବା ଟ୍ରାକ୍ଟର ଓ ଚାଷକାମ ପାଇଁ କରିଥିବା ଅନ୍ୟାନ୍ୟ ବ୍ୟୟ ବାବଦକୁ ୧୦,୦୦୦ଟଙ୍କା ଖର୍ଚ୍ଚ କରିଥିଲେ ଯାହା ବୁଡିଗଲା ।
“ଅଗଷ୍ଟ ମାସରେ ଯାଇ ନିୟମିତ ବର୍ଷା ହେବାରୁ ଜମି ଥଣ୍ଡା ହେବାକୁ ଆରମ୍ଭ ହେଲା । ମୁଁ ନିଶ୍ଚିତ ଥିଲି ଯେ ଦ୍ୱିତୀୟ ଥର ବୁଣିବାର ବିପଦ ଉଠାଇଲେ ଯାଇ ଆମେ କିଛି ଭଲ ଅମଳ କରିପାରିବୁ, କିଛି ଲାଭ ପାଇପାରିବୁ,” ବୋଲି ୩୮ ବର୍ଷ ବୟସ୍କ ରାଜୁ, ଧର୍ମାଙ୍କ ପୁଅ କହିଲେ ।
ଜୁନ୍ରେ ଅଭାବି ବର୍ଷା ହେବାପରେ, ଜୁଲାଇରେ ତାଲୁକାରେ ବହୁତ ବର୍ଷା ହେଲା – ୧୫୮୬.୮ ମିମି, ଯେତେବେଳେକି ସାଧାରଣ ବୃଷ୍ଟିପାତ ହାର ୯୪୭. ୩ ମିମି ଅଟେ । ଏଣୁ ଗାରେଲ୍ ପରିବାର ଦ୍ୱିତୀୟଥର ବୁଣା ହୋଇଥିବା ଶସ୍ୟ ଉପରେ ଭରସା ରଖିଥିଲେ । ହେଲେ, ଅଗଷ୍ଟ ବେଳକୁ ଅତି ପ୍ରବଳ ବର୍ଷା ହେଲା – ଓ ଏପରି ଅକ୍ଟୋବର ପର୍ଯ୍ୟନ୍ତ ଚାଲିଲା । ଏହି ବର୍ଷା ଯୋଗୁଁ ଥାନେ ଜିଲ୍ଲାର ସମସ୍ତ ସାତଟି ତାଲୁକାରେ ୧୧୬ ଦିନରେ ପ୍ରାୟ ୧,୨୦୦ ମିମି ଅତିରିକ୍ତ ବୃଷ୍ଟିପାତ ହୋଇଛି ।
“ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାହା ବର୍ଷା ହୋଇଥିଲା ତାହା ଗଛର ବୃଦ୍ଧି ପାଇଁ ଯଥେଷ୍ଟ ଥିଲା । ଆମେ ମନୁଷ୍ୟମାନେ ଆମ ପେଟ ଫାଟିବା ପର୍ଯ୍ୟନ୍ତ ଖାଦ୍ୟ ଖାଉନେ, ତାହାହେଲେ ଏକ ଛୋଟ ଗଛ କାହିଁକି ଖାଇବ?” ବୋଲି ରାଜୁ ପ୍ରଶ୍ନ କଲେ । ଅକ୍ଟୋବର ବର୍ଷାରେ ଗାରେଲ୍ଙ୍କ ଜମି ଜଳରେ ବୁଡିଗଲା । “ଆମେ ସେପ୍ଟେମ୍ବର ଶେଷ ସପ୍ତାହରେ ଧାନ କାଟିଲୁ ଓ ସେଗୁଡିକୁ ବିଡା ବାନ୍ଧି ଥାକ କରି ରଖିବାକୁ ଆରମ୍ଭ କଲୁ,” ବୋଲି ୩୫ ବର୍ଷ ବୟସ୍କ ସବିତା, ଚାଷୀ ଓ ରାଜୁଙ୍କ ସ୍ତ୍ରୀ ମନେପକାନ୍ତି । “ଆମେ ବଳକା ଫସଲ ସବୁ ଅମଳ କରିବା ବାକି ଥିଲା । ଅକ୍ଟୋବର ୫ ପରେ, ହଠାତ୍ ମୂଷଳଧାରାରେ ବର୍ଷା ହେବା ଆରମ୍ଭ ହେଲା । ଆମେ ଥାକ ମାରି ରଖିଥିବା ଶସ୍ୟ ବିଡ଼ାଗୁଡିକୁ ଯେତିକି ସମ୍ଭବ ସେତିକ ଘର ଭିତରକୁ ନେଇଯିବାକୁ ଚେଷ୍ଟାକଲୁ, ହେଲେ କିଛି ସମୟ ମଧ୍ୟରେ ଆମ ଜମି ଜଳାର୍ଣ୍ଣବ ହୋଇଗଲା…”
ଅଗଷ୍ଟରେ ଯାହା କିଛି ବୁଣା ହୋଇଥିଲା, ସେଥିରୁ ଗାରେଲ୍ ପରିବାର କୌଣସି ପ୍ରକାରେ ୩ କ୍ୱିଣ୍ଟାଲ୍ ଚାଉଳ ଉଦ୍ଧାର କରିପାରିଲେ – ଯେତେବେଳେକି ପୂର୍ବେ ସେମାନେ ଗୋଟିଏ ଥର ବୁଣିଲେ ପ୍ରାୟ ୮-୯ କ୍ୱିଣ୍ଟାଲ୍ ଅମଳ କରୁଥିଲେ ।











