“ତାଲାବନ୍ଦ ସମୟରେ ଅତ୍ୟଧିକ ଚାପ ଭିତରେ ମଧ୍ୟ ଆମକୁ କାମ କରିବାକୁ ପଡିଛି । କୋଭିଡ୍- ୧୯ ବ୍ୟତୀତ, କେବଳ ଏପ୍ରିଲ ରୁ ଜୁଲାଇ ମଧ୍ୟରେ ମୁଁ ୨୭ ଟି ଶିଶୁଜନ୍ମ ପରିଚାଳନା କରିଛି । ମା’ର ସ୍ୱାସ୍ଥ୍ୟ ଯାଞ୍ଚ ଠାରୁ ଆରମ୍ଭ କରି ତାକୁ ପ୍ରସବ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପର୍ଯ୍ୟନ୍ତ, ମୁଁ ସବୁ କାମରେ ସେମାନଙ୍କ ପାଖରେ ରହିଛି,” ବୋଲି ଓସ୍ମାନାବାଦ୍ ଜିଲ୍ଲାର ନିଲେଗାଓଁର ଜଣେ ଆଶା କର୍ମୀ –ଅନୁମୋଦିତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ- ତନୁଜା ୱାଘୋଲ୍ କୁହନ୍ତି ।
ମାର୍ଚ୍ଚ ଶେଷଭାଗରେ ତାଲାବନ୍ଦ ଘୋଷଣା କରାଯିବା ପରେ, ତନୁଜା ପ୍ରତିଦିନ କାମକୁ ଯିବା ପୂର୍ବରୁ ନିଜ ଘରକାମ କରିବାକୁ ଓ ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ରଖିବାକୁ ସକାଳ ୪ଟା ( ସାଧାରଣତଃ ସେ ସକାଳ ୭.୩୦ରେ ଉଠନ୍ତି) ବେଳେ ଉଠିବାକୁ ଲାଗିଲେ । “ଯଦି ମୁଁ ୭.୩୦ରେ କାମ ଆରମ୍ଭ କରିବିନି, ତାହାହେଲେ ମୁଁ ସମସ୍ତଙ୍କୁ ଭେଟି ପାରିବିନାହିଁ । ବେଳେବେଳେ, ଆମକୁ ଏବଂ ଆମର ନିର୍ଦ୍ଦେଶକୁ ଏଡାଇବା ପାଇଁ ଲୋକମାନେ ଶୀଘ୍ର ନିଜ ଘର ଛାଡିଥାନ୍ତି ବୋଲି ସେ କୁହନ୍ତି।
ଆଉ, ଆଶାମାନେ ସାଧାରଣତଃ ଦିନକୁ ୩-୪ ଘଣ୍ଟା ହିସାବରେ ମାସକୁ ୧୫ -୨୦ ଦିନ କାମ କରୁଥିବାବେଳେ ,୪୦ ବର୍ଷ ବୟସ୍କ ତନୁଜା, ଯିଏ ୨୦୧୦ରୁ ଆଶା ଭାବେ କାମ କରିଆସୁଛନ୍ତି, ବର୍ତ୍ତମାନ ପ୍ରାୟ ସବୁଦିନ ଦିନକୁ ଛଅ ଘଣ୍ଟା ପର୍ଯ୍ୟନ୍ତ ଚାରିଆଡେ ବୁଲି ହାଲଚାଲ ବୁଝୁଛନ୍ତି ।
ତୁଲ୍ଜାପୁର ତାଲୁକାର ନିଳେଗାଓଁରେ କୋଭିଡ୍- ୧୯ ସର୍ବେକ୍ଷଣ ଏପ୍ରିଲ ୭ରେ ଆରମ୍ଭ ହୋଇଥିଲା । ତନୁଜା ଓ ତାଙ୍କର ଜଣେ ଆଶା ସହକର୍ମୀ ଅଳକା ମୁଳୟ, ଦୁଇ ଜଣ ମିଶି ପ୍ରତିଦିନ ସେମାନଙ୍କ ଗ୍ରାମର ପ୍ରାୟ ୩୦-୩୫ ଘରକୁ ପରିଦର୍ଶନରେ ଯାଉଛନ୍ତି । “ଆମେ ଘର ଘର ବୁଲୁଛୁ ଓ କାହା ପାଖରେ ଜ୍ୱର ବା କରୋନାଭୂତାଣୁର ଅନ୍ୟ ଲକ୍ଷଣ ରହିଛି କି ନାହିଁ ତାହା ଯାଞ୍ଚ କରୁଛୁ,” ବୋଲି ସେ କୁହନ୍ତି । ଯଦି କାହାକୁ ଜ୍ୱର ହୋଇଥାଏ, ତାହାହେଲେ ତାକୁ ପାରାସିଟମଲ୍ ଟାବ୍ଲେଟ୍ ଦିଆଯାଉଛି । ଯଦି କାହା ପାଖରେ କରୋନା ଭୂତାଣୁର କୌଣସି ଲକ୍ଷଣ ରହିଥିବା ନଜରକୁ ଆସେ, ତାହାହେଲେ ଏ ସମ୍ୱନ୍ଧରେ ଏଠାରୁ ୨୫କିଲୋମିଟର ଦୂରରେ ଅବସ୍ଥିତ ଅନ୍ଦୁର ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୂଚୀତ କରାଯାଏ । (ତା’ପରେ କୋଭିଡ୍ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରିବାକୁ ଏହି ପିଏଚ୍ସିରୁ ଜଣଙ୍କୁ ଗ୍ରାମକୁ ପଠାଯାଏ ; ଯଦି ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସେ, ତାହାହେଲେ ସଂଗରୋଧରେ ରହିବା ପାଇଁ ଓ ଚିକିତ୍ସା ପାଇଁ ସଂପୃକ୍ତ ବ୍ୟକ୍ତିକୁ ତୁଲ୍ଜାପୁରରେ ଥିବା ଗ୍ରାମ୍ୟ ଡାକ୍ତରଖାନାକୁ ପଠାଯାଏ ।
ଗ୍ରାମର ସମସ୍ତ ଘର ବୁଲିବା ପାଇଁ ଆଶା କର୍ମୀମାନଙ୍କୁ ପନ୍ଦର ଦିନ ସମୟ ଲାଗିଥାଏ – ତାପରେ ସେମାନେ ପୁଣି ଆରମ୍ଭ କରନ୍ତି । ନିଲେଗାଓଁ ଚାରିପାଖରେ ଦୁଇଟି ତଣ୍ଡା ରହିଛି ଯାହା ହେଉଛି ଏକଦା ଯାଯାବର ଭାବେ ବୁଲୁଥିବା ଏକ ଅନୁସୂଚୀତ ଜାତି ଲମନ ସମ୍ପ୍ରଦାୟର ବସତି । କେନ୍ଦ୍ର ଗ୍ରାମ ଓ ତଣ୍ଡାର ସମୁଦାୟ ଜନସଂଖ୍ୟା ପ୍ରାୟ ୩,୦୦୦ ହେବ ବୋଲି ତନୁଜା ଆକଳନ କରନ୍ତି । (୨୦୧୧ ଜନଗଣନା ମୁତାବକ ନିଲେଗାଓଁର ସମୁଦାୟ ପରିବାର ସଂଖ୍ୟା ହେଉଛି ୪୫୨) ।












