ପ୍ରାୟ ଏକ ବର୍ଷ ପୂର୍ବେ କାଠ ଏବଂ କରତ ଗୁଣ୍ଡ ଦ୍ୱାରା ଚାଲୁଥିବା କୁମ୍ଭାର ଚୁଲା ସବୁ ଭାଙ୍ଗିଦେବା ପାଇଁ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଆଦେଶକୁ ଦର୍ଶାଇ ପଶ୍ଚିମ ଦିଲ୍ଲୀର ଉତ୍ତମନଗର ବାସୀ କୁମ୍ଭକାର ଜଗମୋହନ କହନ୍ତି, "ଆମର ବ୍ୟବସାୟ ପ୍ରଥମରୁ କ୍ଷତିରେ ଚାଲିଛି’’ । “ଏହା ଯୋଗୁଁ କେତେକ କୁମ୍ଭାର ଅଳ୍ପ ଉତ୍ପାଦନ କରୁଛନ୍ତି । କେତେକ ବିକ୍ରେତା ହୋଇଛନ୍ତି ଏବଂ ଅନ୍ୟମାନେ ଏ କାମକୁ ଛାଡିଦେଲେଣି । ବର୍ତ୍ତମାନ ଏହି ବ୍ୟାପକ ମହାମାରୀ ଏବଂ ତାଲାବନ୍ଦ, ଆମର ସର୍ବୋଚ୍ଚ ବିକ୍ରି ସମୟ (ମାର୍ଚ୍ଚ ରୁ ଜୁଲାଇ ) ର ବାଧକ ହୋଇଛି’’।
ଜଗମୋହନଙ୍କର,( ପ୍ରଚ୍ଛଦ ପୃଷ୍ଠାର ଉପରେ ଥିବା ଫୋଟୋ ; ତାଙ୍କର ପ୍ରଥମ ନାମକୁ ବ୍ୟବହାର କରନ୍ତି ) ବୟସ ୪୮, ଏବଂ ସେ ଗତ ତିନି ଦଶନ୍ଧି ଧରି ଜଣେ କୁମ୍ଭକାର । "ଭଲ କଥା ହେଲା ଯେ, (କୋଭିଡ-୧୯ ଚିନ୍ତା ଯୋଗୁଁ ) ଲୋକମାନଙ୍କର ଫ୍ରିଜର ଥଣ୍ଡା ପାଣି ପିଇବା ଠାରୁ ଦୂରରେ ରହିବା ପାଇଁ ମଟକା (ମାଟି ହାଣ୍ଡି ) ର ଚାହିଦା ଏବର୍ଷ ଅଧିକ। କିନ୍ତୁ ତାଲାବନ୍ଦ ଯୋଗୁଁ ଆବଶ୍ୟକ ପରିମାଣର ମାଟି ସଂଗ୍ରହ କରି ନପାରିବାରୁ ପର୍ଯ୍ୟାପ୍ତ ପରିମାଣର ମଟକା ଆମେ କରି ପାରିଲୁ ନାହିଁ ’’। ପ୍ରାୟତଃ, ଜଣେ କୁମ୍ଭାର ଏବଂ ତାର ପରିବାର ମିଶି ୨/୩ ଦିନରେ ୧୫୦ ରୁ ୨୦୦ ମଟକା ତିଆରି କରିପାରିବେ ।
ରାସ୍ତାକଡ଼େ କଡ଼େ ଦେଖାଯାଉଛି କେବଳ ମାଟିର ଗଦା... ଏବଂ ବ୍ୟସ୍ତବହୁଳ ସମୟରେ କୁମ୍ଭାର ଚକ ଘୁରିବାର ଏବଂ କବାଟ ପଛପଟୁ ମାଠିଆକୁ ପିଟିବାର ଶବ୍ଦ ଶୁଭୁଛି, ଶହ ଶହ ହାତ ତିଆରି ମାଠିଆ, ଦୀପ, ମୂର୍ତ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଅଗଣାରେ ଏବଂ ଚାଳିଆରେ ଶୁଖୁଛି। ତାହା ପରେ ଏଗୁଡ଼ିକ ଭାଟିରେ ପୋଡ଼ାଯିବା ପୂର୍ବରୁ ଗେରୁଆ ରଙ୍ଗରେ (ଟେରାକୋଟା ସାମଗ୍ରୀକୁ ନାଲି ଚିକ୍କଣ ମାଟି ଦେଉଥିବା ପ୍ରାକୃତିକ ରଙ୍ଗ)ରଙ୍ଗାଇ ଦିଆଯିବ। ବାହାରେ ଆଗନ୍ତୁକମାନଙ୍କ ପାଇଁ ପ୍ରଦର୍ଶନ ନିମନ୍ତେ ଓ କ୍ରେତାମାନଙ୍କ ପାଇଁ ଓ ବିକ୍ରୟ ନିମନ୍ତେ ବହୁ ସାମଗ୍ରୀ ପ୍ରସ୍ତୁତ କରାଯାଇ ରଖାଯାଇଛି।
ପଡୋଶୀ ଏବଂ ସ୍ଥାନୀୟ ଭାଷାରେ ଯାହାକୁ ପ୍ରଜାପତି କଲୋନୀ କହନ୍ତି, ଏହାର ମୁଖିଆ ହରକିଶନ ପ୍ରଜାପତିଙ୍କ ହିସାବ ଅନୁସାରେ ସେଠାରେ ୪୦୦ ରୁ ୫୦୦ ପରିବାର ରହନ୍ତି । ୧୯୯୦ ରେ ରାଷ୍ଟ୍ରୀୟ ପୁରସ୍କାର ଏବଂ ୨୦୧୨ ରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଶିଳ୍ପଗୁରୁ ପୁରସ୍କାର ପାଇଥିବା ଏହି ୬୩ ବର୍ଷୀୟ ବ୍ୟକ୍ତି କହନ୍ତି, "ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ଅନେକ କୁମ୍ଭାର ଏବଂ ତାଙ୍କ ସହାୟକ କାମ ନ ଥିବାରୁ ନିଜ ଗାଁକୁ ଚାଲିଗଲେଣି।"










