‘‘ସେମାନେ ବୋଧେ ମୋତେ ମାରି ଦେଇଥାନ୍ତେ....’’ ୨୮ ବର୍ଷ ବୟସ୍କା ଅରୁଣା କୁହନ୍ତି। କିଛି ଦୂରରେ ଖେଳୁଥିବା ନିଜ ଛଅ ବର୍ଷର ଝିଅ ଉପରେ ନଜର ରଖିଥିବା ଅରୁଣା ଏହା କହିବା ସମୟରେ ତାଙ୍କ ମୁଖମଣ୍ଡଳରେ ବ୍ୟସ୍ତତା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥାଏ। ଏଠି ‘ସେମାନେ’ର ଅର୍ଥ ହେଉଛି ଅରୁଣାଙ୍କ ପରିବାର। ସେମାନେ ମଧ୍ୟ ଅରୁଣା କାହିଁକି ଏପରି ବ୍ୟବହାର କରୁଥିଲେ ତାହା ବୁଝିପାରୁନଥିଲେ। ‘‘ମୁଁ ସବୁ ଜିନିଷ ଫିଙ୍ଗି ଦେଉଥିଲି, ଘରେ ରହୁନଥିଲି। କେହି ଆମ ଘର ପାଖକୁ ଆସୁନଥିଲେ....’’

ପ୍ରାୟତଃ ସେ ତାମିଲନାଡ଼ୁର କାଞ୍ଚିପୁରମ ଜିଲ୍ଲାରେ ଥିବା ତାଙ୍କ ଘର ପାଖ ପାହାଡ଼ ଉପରେ ଘୂରି ବୁଲୁଥିଲେ। କିଛି ଲୋକ ଆକ୍ରମଣ ଆଶଙ୍କା କରି ତାଙ୍କ ପାଖକୁ ଯାଉନଥିଲେ, ଅନ୍ୟମାନେ ତାଙ୍କ ଉପରକୁ ପଥର ଫିଙ୍ଗୁଥିଲେ। ତାଙ୍କ ବାପା ତାଙ୍କୁ ଘରକୁ ଫେରାଇ ଆଣୁଥିଲେ ଏବଂ ବେଳେବେଳେ ତାଙ୍କୁ ବାହାରକୁ ଯିବାରୁ ରୋକିବା ଲାଗି ଏକ ଚୌକିରେ ବାନ୍ଧି ଦେଉଥିଲେ।

ଅରୁଣା (ଛଦ୍ମନାମ)ଙ୍କୁ ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ଠାରେ ସ୍କିଜୋଫ୍ରେନିଆ ନାମକ ମାନସିକ ବିକାର ଦେଖା ଦେଇଥିଲା। ଏହି ଅସୁସ୍ଥତା ତାଙ୍କର ଚିନ୍ତାଧାରା, ଭାବନା ଓ ଅଭ୍ୟାସକୁ ପ୍ରଭାବିତ କରିଥିଲା।

କାଞ୍ଚିପୁରମର ଚେଙ୍ଗଲପଟ୍ଟୁ ତାଲୁକ କୋଣ୍ଡାଙ୍ଗୀ ଗାଁର ଦଳିତ କଲୋନୀରେ ନିଜ ଘର ବାହାରେ ବସିଥିବା ଅରୁଣା ନିଜ କଷ୍ଟର ଦିନ ବିଷୟରେ କହୁଥିବା ସମୟରେ ହଠାତ୍‌ ଅଟକି ଯାଆନ୍ତି। ସେ ଅଚାନକ ଉଠି ଚାଲି ଯାଆନ୍ତି। ଗୋଲାପୀ ରଙ୍ଗର ନାଇଟୀ ପିନ୍ଧିଥିବା ଓ କେଶକୁ ଛୋଟ ଛୋଟ କରି କାଟି ଦେଇଥିବା ଶ୍ୟାମଳ ବର୍ଣ୍ଣର ମହିଳା ଅରୁଣା ଚାଲିବା ସମୟରେ ଆଗକୁ ନଇଁ ପଡ଼ନ୍ତି। ସେ ନିଜର ବଖୁରିକିଆ ଚାଳ ଛପର ଘର ଭିତରକୁ ପ୍ରବେଶ କରନ୍ତି ଏବଂ ଡାକ୍ତରଙ୍କ ସୁପାରିସପତ୍ର ଓ ଦୁଇଟି ବଟିକା ଖୋଳ ଧରି ଫେରି ଆସନ୍ତି। ‘‘ଏହି ଔଷଧ ଖାଇଲେ ମୋତେ ନିଦ ହୋଇଯାଏ। ଆଉ ଗୋଟିଏ ସ୍ନାୟୁ ସମସ୍ୟା ଦୂର କରିଥାଏ,’’ ବଟିକାଗୁଡ଼ିକୁ ଦେଖାଇ ସେ କୁହନ୍ତି। ‘‘ମୁଁ ଏବେ ଭଲରେ ଶୋଇପାରୁଛି। ଔଷଧ ଆଣିବାକୁ ମୁଁ ସବୁ ମାସରେ ସେମ୍ବକ୍କମ (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଯାଇଥାଏ।’’

ଯଦି ଶାନ୍ତି ଶେଷା ନଥା’ନ୍ତେ ତା’ହେଲେ ବୋଧହୁଏ ଅରୁଣାଙ୍କ ରୋଗ ଚିହ୍ନଟ ହୋଇପାରିନଥାନ୍ତା।

Aruna and her little daughter in their home in the Dalit colony in Kondangi village, Kancheepuram district.
PHOTO • M. Palani Kumar
Shanthi Sesha, who was the first to spot Aruna's mental illness. Her three decades as a health worker with an NGO helped many like Aruna, even in the remotest areas of Chengalpattu taluk, get treatment and medicines
PHOTO • M. Palani Kumar

ବାମ : ଅରୁଣା ଓ ତାଙ୍କ ଛୋଟ ଝିଅ କାଞ୍ଚିପୁରମ ଜିଲ୍ଲାର କୋଣ୍ଡାଙ୍ଗି ଗ୍ରାମର ଦଳିତ କଲୋନୀରେ ଥିବା ସେମାନଙ୍କ ଘରେ ଅଛନ୍ତି। ଡାହାଣ : ପ୍ରଥମ ଥର ପାଇଁ ଅରୁଣାଙ୍କ ମାନସିକ ଅସୁସ୍ଥତା ଚିହ୍ନଟ କରିଥିବା ଶାନ୍ତି ଶେଷା। ଶାନ୍ତି ଏକ ଏନଜିଓରେ ତିନି ଦଶନ୍ଧି ଧରି ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରିବା ଅରୁଣା ଙ୍କ ଭଳି ଅନେକ ମହିଳାଙ୍କୁ ସହାୟକ ହୋଇଛି ଏପରି ଚେଙ୍ଗଲପଟ୍ଟୁ ତାଲୁକର ଉପାନ୍ତ ଅଞ୍ଚଳରେ ସେମାନେ ମାଗଣାରେ ଚିକିତ୍ସା ଓ ଔଷଧ ପାଇପାରୁଛନ୍ତି

କ’ଣ ଘଟୁଥିଲା ତାହା ୬୧ ବର୍ଷୀୟା ଶାନ୍ତି ଦେଖିପାରୁଥିଲେ। ସ୍କିଜୋଫ୍ରେନିଆରେ ପୀଡ଼ିତ ଅରୁଣାଙ୍କ ଭଳି ଶତାଧିକ ଲୋକଙ୍କୁ ସେ ସାହାଯ୍ୟ କରିଛନ୍ତି। କେବଳ ୨୦୧୭-୨୦୨୨ରେ ଶାନ୍ତି ଚେଙ୍ଗଲପଟ୍ଟୁରେ ୯୮ ଜଣ ରୋଗୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟସେବା ପାଇବାରେ ସହାୟତା କରିଛନ୍ତି। ସ୍କିଜୋଫ୍ରେନିଆ ରିସର୍ଚ୍ଚ ଫାଉଣ୍ଡେସନ (ସ୍କାର୍ଫ) ସହିତ ଅନୁବନ୍ଧିତ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଭାବେ, ଶାନ୍ତି ମାନସିକ ରୂପରେ ପୃଥକ ହୋଇପଡ଼ିଥିବା ଲୋକମାନଙ୍କୁ ସହାୟତା କରିବା ଲାଗି କୋଣ୍ଡାଙ୍ଗୀ ଗ୍ରାମରେ ବେଶ ପରିଚିତ।

ଗୋଟିଏ ଦଶନ୍ଧି ପୂର୍ବରୁ ଶାନ୍ତି ଯେତେବେଳେ ଅରୁଣାଙ୍କୁ ଭେଟିଥିଲେ, ‘‘ସେ ଯୁବତୀ ଏବଂ ପତଳା ଥିଲେ ଏବଂ ତାଙ୍କର ବାହାଘର ହୋଇନଥିଲା,’’ ସେ କୁହନ୍ତି। ‘‘ସେ କେବଳ ବୁଲୁଥିଲେ ଓ କିଛି  ଖାଉନଥିଲେ। ଥିରୁକଲୁକୁନ୍ଦ୍ରମରେ ଆୟୋଜିତ ଏକ ଚିକିତ୍ସା ଶିବିରକୁ ତାଙ୍କୁ ନେଇ ଆସିବା ଲାଗି ମୁଁ ତାଙ୍କ ପରିବାର ଲୋକମାନଙ୍କୁ କହିଲି’’। ସ୍କିଜୋଫ୍ରେନିଆରେ ପୀଡ଼ିତ ଲୋକମାନଙ୍କ ନିଦାନ ଓ ଚିକିତ୍ସା ଲାଗି ସ୍କାର୍ଫ ପ୍ରତି ମାସରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥାଏ।

ଯେତେବେଳେ ଅରୁଣାଙ୍କ ପରିବାର ତାଙ୍କୁ କୋଣ୍ଡାଙ୍ଗୀଠାରୁ ୩୦ କିଲୋମିଟର ଦୂର ଥିରୁକାଲୁକୁନ୍ଦ୍ରମଙ୍କୁ ନେଇଯିବା ଲାଗି ଚେଷ୍ଟା କଲେ, ସେ ହିଂସ୍ର ହୋଇପଡ଼ିଥିଲେ ଏବଂ ତାଙ୍କ ପାଖକୁ କାହାରିକୁ ଆସିବାକୁ ଦେଇନଥିଲେ। ତାଙ୍କ ହାତଗୋଡ଼ ବାନ୍ଧି ଶିବିରକୁ ନିଆଗଲା। ‘‘ତାଙ୍କୁ ୧୫ ଦିନରେ ଥରେ ଇଞ୍ଜେକ୍ସନ ଦେବା ଲାଗି ମାନସିକ ରୋଗ ବିଶେଷଜ୍ଞମାନେ ମୋତେ କହିଥିଲେ,’’ ଶାନ୍ତି କୁହନ୍ତି।

ଇଞ୍ଜେକ୍ସନ ଏବଂ ଔଷଧ ବ୍ୟତୀତ ଅରୁଣାଙ୍କୁ ଶିବିରରେ ପ୍ରତି ପନ୍ଦର ଦିନରେ ଥରେ ମାନସିକ ପରାମର୍ଶ ସେବା ଯୋଗାଇ ଦିଆଯାଉଥିଲା। ‘‘କିଛି ବର୍ଷ ପରେ,’’ ଶାନ୍ତି କୁହନ୍ତି, ‘‘ତାଙ୍କର ଚିକିତ୍ସା ଜାରି ରଖିବା ଲାଗି ମୁଁ ତାଙ୍କୁ ସେମ୍ବକ୍କମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲି।’’ ପିଏଚସିରେ ଆଉ ଏକ ଏନଜିଓ (ବାନ୍ୟନ) ମାନସିକ ସ୍ୱାସ୍ଥ୍ୟ କ୍ଲିନିକ ଚଳାଇଥିଲା। ‘‘ଅରୁଣା ଏବେ ବେଶ ଭଲ ସ୍ଥିତିରେ ଅଛନ୍ତି,’’ ଶାନ୍ତି କୁହନ୍ତି। ‘‘ସେ ଭଲ କଥାବାର୍ତ୍ତା କରୁଛନ୍ତି।’’

ଅରୁଣାଙ୍କ ଘରଠାରୁ କିଛି ଦୂରରେ କୋଣ୍ଡାଙ୍ଗୀ ଗାଁର କେନ୍ଦ୍ରସ୍ଥଳୀ ରହିଛି। ଏଠାରେ ଉଚ୍ଚ ଜାତି – ନାଇଡ଼ୁ, ନାଇକରମାନେ ରୁହନ୍ତି। ଶାନ୍ତି ମଧ୍ୟ ଜଣେ ନାଇଡ଼ୁ ହୋଇଥିବାରୁ ଏଠାରେ ରହୁଛନ୍ତି। ‘‘ଅରୁଣା ଅନୁସୂଚିତ ଜନଜାତି ବର୍ଗର ହୋଇଥିବାରୁ ସେହି ସମୁଦାୟ ଦଳିତ କଲୋନୀରେ ତାଙ୍କୁ ରହିବାକୁ ଦେଇଛନ୍ତି,’’ ବୋଲି ଶାନ୍ତି ବିଶ୍ୱାସ କରିଥାନ୍ତି। ଏହି କଲୋନୀର ବାସିନ୍ଦାମାନେ ନାଇଡ଼ୁ-ନାଇକରଙ୍କ ପଡ଼ାକୁ ଆସନ୍ତି ନାହିଁ। ‘‘ଯଦି ଅରୁଣା କେବେ ଏଠାକୁ ଆସିଲେ, ତା’ହେଲେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ।’’

ଚିକିତ୍ସାର ଚାରି ବର୍ଷ ପରେ ଅରୁଣା ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଯିଏକି ଗର୍ଭବତୀ ହେବା ପରେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହାପରେ ସେ ନିଜ ମାତାପିତାଙ୍କ ଘରକୁ ଚାଲି ଆସିଲେ ଓ ସେଠାରେ ନିଜର ବାପା ଓ ବଡ଼ଭାଇଙ୍କ ସହ ରହିଥିଲେ। ଚେନ୍ନାଇରେ ରହୁଥିବା ଅରୁଣାଙ୍କର ବିବାହିତା ବଡ଼ ଭଉଣୀ ଏବେ ତାଙ୍କ ପିଲାର ଦେଖାଶୁଣା କରୁଛନ୍ତି। ଫଳରେ ଅରୁଣା ନିଜ ଚିକିତ୍ସା ଓ ଔଷଧ ଠିକ୍‌ ଭାବେ ଜାରି ରଖିପାରିଛନ୍ତି।

ଶାନ୍ତି ଆକ୍କା ଙ୍କୁ ସେ ନିଜ ଉନ୍ନତ ସ୍ୱାସ୍ଥ୍ୟର ଶ୍ରେୟ ଦେଇଥାନ୍ତି, ସେ କୁହନ୍ତି।

Shanthi akka sitting outside her home in Kondangi. With her earnings from doing health work in the community, she was able to build a small one-room house. She was the only person in her family with a steady income until recently
PHOTO • M. Palani Kumar

ଶାନ୍ତି ଆକ୍କା କୋଣ୍ଡାଙ୍ଗୀ ସ୍ଥିତ ନିଜ ଘର ବାହାରେ ବସିଛନ୍ତି। ସ୍ଥାନୀୟ ସମୁଦାୟରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ କରିବା ଯୋଗୁଁ ହେଉଥିବା ରୋଜଗାରରେ ସେ ନିଜ ପାଇଁ ଏକ ଛୋଟ ବଖୁରିକିଆ ଘରଟିଏ ତିଆରି କରିବାକୁ ସକ୍ଷମ ହୋଇଛନ୍ତି। କିଛି ସମୟ ପୂର୍ବ ପର୍ଯ୍ୟନ୍ତ, ସେ ନିଜ ପରିବାରରେ ସ୍ଥିର ଆୟ ଥିବା ଏକମାତ୍ର ସଦସ୍ୟା ଥିଲେ

A list of villages in Tamil Nadu's Chengalpattu taluk that Shanthi would visit to identify people suffering from schizophrenia
PHOTO • M. Palani Kumar
A list of villages in Tamil Nadu's Chengalpattu taluk that Shanthi would visit to identify people suffering from schizophrenia
PHOTO • M. Palani Kumar

ତାମିଲନାଡ଼ୁର ଚେଙ୍ଗଲପଟ୍ଟୁ ତାଲୁକରେ ଗାଁଗୁଡ଼ିକର ତାଲିକା, ଶାନ୍ତି ସ୍କିଜୋଫ୍ରେନିଆ ପୀଡ଼ିତ ଲୋକଙ୍କୁ ଚିହ୍ନଟ କରିବା ଲାଗି ଏସବୁ ଗାଁ ପରିଦର୍ଶନ କରିବେ

*****

ହାତରେ ମଧ୍ୟାହ୍ନ ଭୋଜନ ଡବା ଧରି, ଶାନ୍ତି ଚେଙ୍ଗଲପଟ୍ଟୁ ତାଲୁକର ସର୍ବେକ୍ଷଣ କରିବା ଲାଗି ଗାଁ ଓ ପଡ଼ା ଗାଁଗୁଡ଼ିକର ତାଲିକା ସହିତ ପ୍ରତିଦିନ ସକାଳ ୮ଟାରେ ଘରୁ ବାହାରିଥାନ୍ତି। ମଦୁରନ୍ତକମରେ ଥିବା ବସ ଷ୍ଟାଣ୍ଡରେ ପହଞ୍ଚିବା ଲାଗି ତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ୧୫ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡ଼ିଥାଏ। ‘‘ଏହି ସ୍ଥାନରୁ ହିଁ ଆମକୁ ସବୁ ଗାଁରୁ ପରିବହନ ସୁବିଧା ମିଳିଥାଏ,’’ ସେ କୁହନ୍ତି।

ତାଙ୍କ କାମ ହେଉଛି ତାଲୁକ ସାରା ବୁଲିବା, ମାନସିକ ଅସୁସ୍ଥ ଲୋକମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା।

‘‘ପ୍ରଥମେ ଆମେ ସହଜ ଗମନାଗମନ ସୁବିଧା ଥିବା ଗାଁଗୁଡ଼ିକୁ ଯାଇଥାଉ ଏବଂ ପରେ ଉପାନ୍ତ ଅଞ୍ଚଳରେ ପହଞ୍ଚିଥାଉ। ସେସବୁ ଅଞ୍ଚଳକୁ ବସ୍‌ ସେବା କେବଳ ନିର୍ଦ୍ଦିଷ୍ଟ ସମୟରେ ମିଳିଥାଏ। ବେଳେବେଳେ ଆମକୁ ସକାଳ ୮ଟାରୁ ଦିନ ୧୨ଟା- ଗୋଟାଏ ପର୍ଯ୍ୟନ୍ତ ବସ୍‌କୁ ଅପେକ୍ଷା କରିବାକୁ ପଡ଼ିଥାଏ,’’ ଶାନ୍ତି କୁହନ୍ତି।

ଶାନ୍ତି କେବଳ ରବିବାରକୁ ଛାଡ଼ି ଦେଲେ ମାସର ସବୁ ଦିନ କାମ କରନ୍ତି। ତିନି ଦଶନ୍ଧି ଧରି ସେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଭାବେ ଲଗାତର କାମ କରି ଆସୁଛନ୍ତି। ଭାରତରେ ମାନସିକ ଅସୁସ୍ଥତାର ସ୍ଥିତିକୁ ଦେଖିଲେ ତାଙ୍କ କାମ ଦୃଷ୍ଟି ଆଢ଼ୁଆଳରେ ରହୁଥିଲେ ସୁଦ୍ଧା ବିଶେଷ ଗୁରୁତ୍ୱ ବହନ କରିଥାଏ। ଭାରତରେ ୧୦.୬ ପ୍ରତିଶତ ଜନସଂଖ୍ୟା ମାନସିକ ଅସୁସ୍ଥତାରେ ପୀଡ଼ିତ। ସେହିପରି ୧୩.୭ ପ୍ରତିଶତ ଲୋକ ନିଜ ଜୀବନକାଳର କୌଣସି ଏକ ସମୟରେ ମାନସିକ ଅସୁସ୍ଥତାର ସମ୍ମୁଖିନ ହୋଇଥାନ୍ତି। କିନ୍ତୁ ଚିନ୍ତାର ବିଷୟ ହେଉଛି ୮୩ ପ୍ରତିଶତ ଲୋକ ଚିକିତ୍ସାଠାରୁ ବଞ୍ଚିତ ରହିଥାନ୍ତି। ସ୍କିଜୋଫ୍ରେନିଆରେ ପୀଡ଼ିତ ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳିପାରିନଥାଏ।

ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଭାବେ ଶାନ୍ତିଙ୍କ କାମ ୧୯୮୬ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ ଭାରତର ଅଧିକାଂଶ ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ଯଥେଷ୍ଟ ସ୍ୱାସ୍ଥ୍ୟ କର୍ମୀ ନଥିଲେ। ଯଦିଓ ସହରାଞ୍ଚଳରେ କିଛି ପ୍ରଶିକ୍ଷିତ ଲୋକ ଥିଲେ; ଗାଁରେ ଏପରି ପେସାଦାର ପାଇବା ଅସମ୍ଭବ ଥିଲା। ଏହି ସମସ୍ୟାର ସମାଧାନ ଲାଗି, ୧୯୮୨ ମସିହାରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଏନଏମଏଚପି) ପ୍ରତିଷ୍ଠା କରାଯାଇଥିଲା। ସମସ୍ତଙ୍କ ପାଇଁ, ବିଶେଷ କରି ସବୁଠୁ ଦୁର୍ବଳ ଓ ବଞ୍ଚିତ ଲୋକମାନଙ୍କୁ ‘‘ସର୍ବନିମ୍ନ ମାନସିକ ସ୍ୱାସ୍ଥ୍ୟ ସେବା ସୁଲଭ ଓ ଉପଲବ୍ଧ’’ କରିବା ଏହାର ଉଦ୍ଦେଶ୍ୟ ଥିଲା।

୧୯୮୬ ମସିହାରେ ଶାନ୍ତି ରେଡକ୍ରସରେ ଜଣେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେଇଥିଲେ। ସେ ଚେଙ୍ଗଲପଟ୍ଟୁର ଉପାନ୍ତ ଅଞ୍ଚଳକୁ ଗସ୍ତ କରିଥିଲେ ଏବଂ ଶାରୀରିକ ଭିନ୍ନକ୍ଷମ ଲୋକମାନଙ୍କୁ ଚିହ୍ନଟ କରିବା ସହିତ ସଂଗଠନକୁ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ତୁରନ୍ତ ରିପୋର୍ଟ କରୁଥିଲେ।

A photograph from of a young Shanthi akka (wearing a white saree) performing Villu Paatu, a traditional form of musical storytelling, organised by Schizophrenia Research Foundation. She worked with SCARF for 30 years.
PHOTO • M. Palani Kumar
In the late 1980s in Chengalpattu , SCARF hosted performances to create awareness about mental health
PHOTO • M. Palani Kumar

ବାମ: ଶାନ୍ତି (ଧଳା ଶାଢ଼ି ପିନ୍ଧିଛନ୍ତି)ଙ୍କ ଯୁବାବସ୍ଥାର ଏକ ଫଟୋ ଯେଉଁଥିରେ ସେ ସ୍କ୍ରିଜୋଫ୍ରେନିଆ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ ପାରମ୍ପରିକ ଗୀତିକଥା କାର୍ଯ୍ୟକ୍ରମ ଭିଲ୍ଲୁପାତୁ ପରିବେଷଣ କରୁଛନ୍ତି। ସେ ୩୦ ବର୍ଷ ଧରି ସ୍କାର୍ଫ ପାଇଁ କାମ କରିଥିଲେ। ଡାହାଣ : ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ସ୍କାର୍ଫ ପକ୍ଷରୁ ଅଶୀ ଦଶକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା

ଯେତେବେଳେ ୧୯୮୭ ମସିହାରେ ସ୍କାର୍ଫ ପକ୍ଷରୁ ଶାନ୍ତିଙ୍କୁ ପ୍ରସ୍ତାବ ଦିଆଗଲା, ସେତେବେଳେ ଏହି ସଂଗଠନ କାଞ୍ଚିପୁରମ ଜିଲ୍ଲାର ତିରୁପୁର ବ୍ଲକରେ ମାନସିକ ଭାବେ ଅସୁସ୍ଥ ଲୋକମାନଙ୍କର ଥଇଥାନ ଲାଗି ଏନଏମଏଚପି ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରୁଥିଲା। ସ୍କାର୍ଫ ଦ୍ୱାରା ତାମିଲନାଡ଼ୁର ଗ୍ରାମୀଣ ଇଲାକାଗୁଡ଼ିକରେ ଗୋଷ୍ଠୀ ଆଧାରିତ ସ୍ୱେଚ୍ଛାସେବୀମାନଙ୍କର ଏକ କ୍ୟାଡର ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୧୯୮୭ ମସିହାରେ ସଂଗଠନରେ ଯୋଗ ଦେଇଥିବା ସ୍କାର୍ଫର ନିର୍ଦ୍ଦେଶକ ଡକ୍ଟର ଆର. ପଦ୍ମାବତୀ କୁହନ୍ତି, ‘‘ସ୍କୁଲ ସ୍ତରର ଶିକ୍ଷା ସମ୍ପୂର୍ଣ୍ଣ କରିଥିବା ଜନ ସମୁଦାୟର ସଦସ୍ୟମାନଙ୍କୁ ସଂଗଠନରେ ସାମିଲ କରାଯାଇଥିଲା। ମାନସିକ ବିକାର ଥିବା ଲୋକମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଡାକ୍ତରଖାନାକୁ ପଠାଇବା ଲାଗି ଏହି ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।’’

ଏସବୁ ଶିବିରରେ, ଶାନ୍ତି ବିଭିନ୍ନ ପ୍ରକାରର ମାନସିକ ବିକାର ସମ୍ପର୍କରେ ଜାଣିବାକୁ ପାଇଥିଲେ ଏବଂ କିପରି ସେଗୁଡ଼ିକୁ ଚିହ୍ନଟ କରିବାକୁ ହେବ ତାହା ଶିଖିଥିଲେ। ସେ ମଧ୍ୟ ମାନସିକ ଅସୁସ୍ଥତାରେ ପୀଡ଼ିତ ଲୋକମାନଙ୍କୁ ଡାକ୍ତରଖାନାକୁ ଯିବା ଲାଗି ରାଜି କରାଇବାର କୌଶଳ ଶିଖିଥିଲେ। ତାଙ୍କର ପ୍ରାରମ୍ଭିକ ବେତନ ମାସକୁ ୨୫ ଟଙ୍କା ଥିଲା, ସେ କୁହନ୍ତି। ତାଙ୍କୁ କେବଳ ମାନସିକ ଅସୁସ୍ଥ ଲୋକମାନଙ୍କୁ ଠାବ କରିବା ଏବଂ ସେମାନଙ୍କୁ ସ୍ୱାସ୍ଥ୍ୟ ଶିବିରକୁ ଆଣିବାର କାମ ଦିଆଯାଇଥିଲା। ‘‘ମୋତେ ଏବଂ ଆଉ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ତିନୋଟି ପଞ୍ଚାୟତ – ପ୍ରତ୍ୟେକ ପଞ୍ଚାୟତରେ ପ୍ରାୟ ୨-୪ ଟି ଗାଁ ଅଛି –ର ଦାୟିତ୍ୱ ଦିଆଯାଇଥିଲା’’, ସେ କୁହନ୍ତି। ତାଙ୍କ ଆୟ ବର୍ଷକୁ ବର୍ଷ ବଢ଼ି ଚାଲିଥିଲା। ୨୦୨୨ରେ ସେ ଯେତେବେଳେ ସ୍କାର୍ଫରୁ ଅବସର ନେଲେ ସେତେବେଳକୁ ଭବିଷ୍ୟନିଧି ଓ ବୀମା କାଟିବା ପରେ ମାସିକ ୧୦,୦୦୦ ଟଙ୍କା ବେତନ ପାଉଥିଲେ।

ତାଙ୍କର କାମ ତାଙ୍କୁ ଏକ ସ୍ଥିର ଆୟ ଦେଇଥିଲା ଯାହା ତାଙ୍କୁ ଜୀବନର ଉତ୍ଥାନପତନ ସମୟରେ ସାହାଯ୍ୟ କରିଥିଲା। ତାଙ୍କ ସ୍ୱାମୀ ଜଣେ ମଦ୍ୟପ ଥିଲେ ଏବଂ ଘର ଖର୍ଚ୍ଚ ପାଇଁ କ୍ୱଚିତ କିଛି ଯୋଗଦାନ ଦେଉଥିଲେ। ଶାନ୍ତିଙ୍କର ୩୭ ବର୍ଷ ବୟସ୍କ ପୁଅ ଜଣେ ବିଦ୍ୟୁତ ମିସ୍ତ୍ରୀ ଭାବେ କାମ କରନ୍ତି ଏବଂ ଦୈନିକ ୭୦୦ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ତାଙ୍କ ରୋଜଗାର ଅସ୍ଥିର, କାରଣ ମାସକୁ ମାତ୍ର ୧୦ ଦିନ ହିଁ ତାଙ୍କୁ କାମ ମିଳିଥାଏ। ଏତିକି ଅର୍ଥ ତାଙ୍କ ପତ୍ନୀ ଓ ଝିଅର ସହାୟତା ପାଇଁ ଯଥେଷ୍ଟ ନୁହେଁ। ଶାନ୍ତିଙ୍କ ମା’ ମଧ୍ୟ ସେମାନଙ୍କ ସହିତ ରୁହନ୍ତି। ୨୦୨୨ରେ ସ୍କାର୍ଫର ସ୍କିଜୋଫ୍ରେନିଆ କାର୍ଯ୍ୟକ୍ରମ ଶେଷ ହେବା ପରେ ଶାନ୍ତି ତାଞ୍ଜାଭୁର କଣ୍ଢେଇ ତିଆରି କରିବା ଆରମ୍ଭ କରିଥିଲେ, ୫୦ଟି କଣ୍ଢେଇ ପାଇଁ ତାଙ୍କୁ ୩,୦୦୦ ଟଙ୍କା ମିଳୁଛି।

୩୦ ବର୍ଷରୁ ଅଧିକ ବର୍ଷ ଧରି ନିଜ ସମୁଦାୟ ପାଇଁ କାମ କରିବା ସତ୍ତ୍ୱେ ଶାନ୍ତି କେବେ ବି ଥକି ଯାଇନଥିଲେ। ଏନଜିଓରେ ତାଙ୍କର ଶେଷ ପାଞ୍ଚ ବର୍ଷ ମଧ୍ୟରେ, ସେ ଚେଙ୍ଗଲପଟ୍ଟୁର ଆଖପାଖ ଅଞ୍ଚଳରେ ୧୮୦ ଗାଁ ଓ ପଡ଼ା ବୁଲିଛନ୍ତି। ‘‘ମୋର ବୟସ ହୋଇଯାଇଛି, କିନ୍ତୁ ମୁଁ ଏହି କାମ କରିବା ଜାରି ରଖିଛି,’’ ସେ କୁହନ୍ତି। ‘‘ଯଦିଓ ମୁଁ ବେଶୀ ଟଙ୍କା ରୋଜଗାର କରିନାହିଁ ତଥାପି ଯେତିକି ରୋଜଗାର କରିଛି ସେତିକିରେ ପରିବାର ଚଳେଇ ନେଇଛି। ମୋତେ ମାନସିକ ଶାନ୍ତି ମିଳିଛି। ସମ୍ମାନ ମିଳିଛି।’’

*****

ଶାନ୍ତିଙ୍କ ସହିତ ୪୯ ବର୍ଷ ବୟସ୍କ ସେଲ୍‌ଭୀ ଚେଙ୍ଗଲପଟ୍ଟୁ ଆଖପାଖ ଅଞ୍ଚଳରେ ବୁଲିବା ସହିତ ସ୍କିଜୋଫେର୍ଣ୍ଣିଆ ପୀଡ଼ିତ ଲୋକଙ୍କୁ ଚିହ୍ନଟ କରୁଥିଲେ। ୨୦୧୭ରୁ ୨୦୨୨ ମଧ୍ୟରେ, ସେଲଭୀ ତିନୋଟି ବ୍ଲକ ପଞ୍ଚାୟତ ଉଥିରାମେରୁର, କଟ୍ଟଙ୍କୋଲାଟ୍ଟୁର ଏବଂ ମଦୁରାନ୍ତକମର ୧୧୭ଟି ଗ୍ରାମକୁ ଯାଇଥିଲେ ଏବଂ ୫୦୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ସହାୟତା ପାଇବାରେ ସାହାଯ୍ୟ କରିଥିଲେ। ସେ ୨୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍କାର୍ଫ ପାଇଁ କାମ କରିଛନ୍ତି ଏବଂ ଏବେ ସେ ଆଉ ଏକ ପ୍ରକଳ୍ପରେ ଡିମେନ୍ସିଆ ରୋଗୀଙ୍କୁ ଚିହ୍ନଟ କରିବା କ୍ଷେତ୍ରରେ କାମ କରୁଛନ୍ତି।

ଚେଙ୍ଗଲପଟ୍ଟୁର ସେମ୍ବକ୍କମ ଗ୍ରାମରେ ସେଲଭି ଜନ୍ମ ନେଇଥିଲେ। ସ୍କୁଲ ପାଠପଢ଼ା ସାରିବା ପରେ ସେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଭାବେ କାମ ଆରମ୍ଭ କରିଥିଲେ। ସେ ସେଙ୍ଗୁନ୍ଥାର ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି ଯେଉଁମାନଙ୍କର ମୁଖ୍ୟ ବେଉସା ହେଉଛି ଲୁଗା ବୁଣିବା। ଏହାକୁ ତାମିଲନାଡୁର ଅନ୍ୟ ପଛୁଆ ଶ୍ରେଣୀ ଭାବରେ ବର୍ଗୀକୃତ କରାଯାଇଛି | ‘‘ଦଶମ ଶ୍ରେଣୀ ପରେ ମୁଁ ପାଠପଢ଼ିଲି ନାହିଁ,’’ ସେ କୁହନ୍ତି। ‘‘କଲେଜରେ ପଢ଼ିବାକୁ ହେଲେ ମୋତେ ତିରୁପୋରୁର ଯିବାକୁ ପଡ଼ିଥା’ନ୍ତା ଯାହାକି ମୋ ଘରଠାରୁ ଆଠ କିଲୋମିଟର ଦୂର। ମୁଁ ପଢ଼ିବାକୁ ଚାହୁଁଥିଲି, କିନ୍ତୁ ଦୂରବାଟ କାରଣରୁ ମାତାପିତା ମୋତେ ଅନୁମତି ଦେଇନଥିଲେ,’’ ସେ କୁହନ୍ତି।

Selvi E. in her half-constructed house in Sembakkam village. She has travelled all over Chengalpattu taluk for more than 25 years, often with Shanthi, to help mentally ill people
PHOTO • M. Palani Kumar

ସେମ୍ବରକ୍କମ ଗ୍ରାମରେ ନିଜର ଅର୍ଦ୍ଧନିର୍ମିତ ଘରେ ସେଲଭୀ। ୨୫ ବର୍ଷରୁ ଅଧିକ ସମୟ ଧରି ସେ ଶାନ୍ତିଙ୍କ ସହିତ ଅଧିକାଂଶ ସମୟରେ ମାନସିକ ଅସୁସ୍ଥ ଲୋକଙ୍କୁ ସହାୟତା କରିବା ଲାଗି ଚେଙ୍ଗଲପଟ୍ଟୁ ତାଲୁକ ସାରା ବୁଲିଛନ୍ତି

୨୬ ବର୍ଷ ବୟସରେ ବାହା ହେବା ପରେ ସେଲଭୀ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହେଲେ। ବିଦ୍ୟୁତ ମରାମତି ମିସ୍ତ୍ରୀ ଭାବେ କାମ କରୁଥିବା ତାଙ୍କ ସ୍ୱାମୀଙ୍କ ରୋଜଗାର ଭରସାଯୋଗ୍ୟ ନୁହେଁ। ତେଣୁ ନିଜର ସ୍ୱଳ୍ପ ଆୟରେ ତାଙ୍କୁ ଘର ଖର୍ଚ୍ଚ ତୁଲାଇବା ସହିତ ଦୁଇ ପୁଅଙ୍କ ପାଠପଢ଼ା କଥା ମଧ୍ୟ ବୁଝିବାକୁ ପଡ଼ିଥାଏ। ତାଙ୍କ ୨୨ ବର୍ଷର ବଡ଼ ପୁଅ ଛଅ ମାସ ପୂର୍ବରୁ କମ୍ପ୍ୟୁଟର ସାଇନ୍ସରେ ଏମଏସସି ପଢ଼ା ଶେଷ କରିଛି। ୨୦ ବର୍ଷର ସାନପୁଅ ଚେଙ୍ଗଲପଟ୍ଟୁ ସରକାରୀ କଲେଜରେ ପାଠ ପଢ଼ୁଛି।

ଗାଁକୁ ଯିବା ଏବଂ ସ୍କିଜୋଫେର୍ଣ୍ଣିଆ ରୋଗୀଙ୍କୁ ଚିକିତ୍ସା ଗ୍ରହଣ ଲାଗି ରାଜି କରାଇବା ପୂର୍ବରୁ ସେଲଭୀ ରୋଗୀମାନଙ୍କୁ ପରାମର୍ଶ ଦେଉଥିଲେ। ତିନି ବର୍ଷ ଧରି ସେ ୧୦ ଜଣ ରୋଗୀଙ୍କୁ ଏପରି ସେବା ଦେଇଥିଲେ। ‘‘ସପ୍ତାହକୁ ଥରେ ମୁଁ ସେମାନଙ୍କ ପାଖକୁ ଯାଇଥାଏ,’’ ସେ କୁହନ୍ତି। ‘‘ଏହି ପରାମର୍ଶ ଅଧିବେଶନ ସମୟରେ, ଆମେ ଚିକିତ୍ସାର ଗୁରୁତ୍ୱ ବୁଝାଇବା, ଚିକିତ୍ସା ଜାରି ରଖିବା, ଖାଦ୍ୟପେୟ ଓ ସ୍ୱଚ୍ଛତା ସମ୍ପର୍କରେ ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ସହିତ କଥା ହୋଇଥାଉ ଓ ସେମାନଙ୍କୁ ସଚେତନ କରିଥାଉ।’’

ପ୍ରାରମ୍ଭିକ ଅବସ୍ଥାରେ, ସେଲଭୀଙ୍କୁ ନିଜ ସମୁଦାୟଠାରୁ ଅନେକ ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡ଼ିଥିଲା। ‘‘ଏହାକୁ ଏକ ସମସ୍ୟା ବୋଲି ସେମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ,’’ ସେ କୁହନ୍ତି। ‘‘ଆମେ ତାଙ୍କୁ କହୁଥିଲୁ ଏହା ଏକ ଅସୁସ୍ଥତା ଏବଂ ଏହାର ଚିକିତ୍ସା କରାଯାଇପାରିବ। ଏକଥା ଶୁଣି ରୋଗୀଙ୍କ ପରିବାର ଲୋକମାନେ ରାଗି ଯାଉଥିଲେ। କିଛି ଲୋକ ନିଜର ଅସୁସ୍ଥ ସମ୍ପର୍କୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଧାର୍ମିକ ସ୍ଥାନକୁ ଯାଉଥିଲେ। ଏଥିପାଇଁ ଅନେକ ଉଦ୍ୟମ କରିବାକୁ ପଡ଼ିଲା ଏବଂ ବାରମ୍ବାର ସେମାନଙ୍କୁ ଘରକୁ ଯିବାକୁ ପଡ଼ିଥିଲା। ଶେଷରେ ସେମାନେ ଚିକିତ୍ସା ଶିବିରକୁ ଆସିବା ପାଇଁ ରାଜି ହୋଇଥିଲେ। ଯେତେବେଳେ ରୋଗୀମାନେ ଯିବାକୁ ସକ୍ଷମ ହେଉନଥିଲେ, ଡାକ୍ତର ସେମାନଙ୍କ ଘରକୁ ଆସୁଥିଲେ।’’

ଆଗକୁ ବଢ଼ିବା ଲାଗି ସେଲଭୀ ନିଜସ୍ୱ ଏକ ରଣନୀତି ପ୍ରସ୍ତୁତ କରିଥିଲେ। ସେ ଗାଁର ସବୁ ଘରକୁ ଯାଉଥିଲେ। ସେ ମଧ୍ୟ ଲୋକମାନେ ଏକାଠି ହେଉଥିବା ଚା’ ଖଟିକୁ ଯାଉଥିଲେ। ବିଦ୍ୟାଳୟର ଶିକ୍ଷକ ଓ ପଞ୍ଚାୟତ ନେତାମାନଙ୍କ ସହିତ କଥା ହେଉଥିଲେ। ସେମାନେ ହିଁ ତାଙ୍କର ମୁଖ୍ୟ ଯୋଗାଯୋଗ ମାଧ୍ୟମ। ସେଲଭୀ ସେମାନଙ୍କୁ ସ୍କିଜୋଫେର୍ଣ୍ଣିଆର ଲକ୍ଷଣ ବିଷୟରେ କହୁଥିଲେ, ଚିକିତ୍ସା ଦ୍ୱାରା ଏହାକୁ କିଭଳି ଭଲ କରାଯାଇପାରିବ ସେ ସମ୍ପର୍କରେ ସୂଚନା ଦେଉଥିଲେ। ଏଥିସହିତ ଗାଁରେ କେହି ମାନସିକ ଅସୁସ୍ଥ ବ୍ୟକ୍ତି ଥିଲେ ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ସେମାନଙ୍କୁ ଅନୁରୋଧ କରୁଥିଲେ। ‘‘କିଛି ଲୋକ କୁଣ୍ଠାବୋଧ କରୁଥିଲେ, କିନ୍ତୁ ଆଉ କିଛି ଲୋକ ଆମକୁ ଆବଶ୍ୟକ ସୂଚନା ଦେଉଥିଲେ ଏବଂ ରୋଗୀଙ୍କ ଘର ଦେଖାଇ ଦେଉଥିଲେ,’’ ସେଲଭୀ କୁହନ୍ତି। ‘‘ଅଧିକାଂଶ ଲୋକ ନିର୍ଦ୍ଦିଷ୍ଟ ସମସ୍ୟା ବିଷୟରେ ଜାଣନ୍ତି ନାହିଁ। ସେମାନେ ଆମକୁ କୁହନ୍ତି ଯେ ଜଣେ ବ୍ୟକ୍ତିଙ୍କ ବ୍ୟବହାର ଏମିତି ସନ୍ଦେହଜନକ ରହିଛି, କିମ୍ବା ଆଉ କିଛି ଲୋକ ଲମ୍ବା ନିଦ୍ରାହୀନତା ସମସ୍ୟା ବିଷୟରେ କହିଥାନ୍ତି,’’ ସେଲଭୀ କୁହନ୍ତି।

ସେଲଭୀ ଏପରି ଏକ ସମୁଦାୟରେ ବଢ଼ିଥିଲେ ଯେଉଁଠି ସଜାତୀୟ ବିବାହକୁ ଅତି କଠୋରତା ପୂର୍ବକ ପାଳନ କରାଯାଇଥାଏ। ସେମାନଙ୍କ ସମୁଦାୟର ଲୋକମାନେ ପରସ୍ପରର ଖୁବ ନିକଟତର ଥିଲେ ଏବଂ ସଜାତୀୟ ବିବାହ ଅତି ସାଧାରଣ କଥା ଥିଲା। ଏଭଳି ସ୍ଥିତିରେ ବହୁସଂଖ୍ୟାରେ ଶିଶୁ ମାନସିକ ଅକ୍ଷମତା ସହ ଜନ୍ମ ନେଉଥିବା ସେଲଭୀ ଦେଖିବାକୁ ପାଇଥିଲେ। ସେ କୁହନ୍ତି ଯେ, ଏହି କାରଣରୁ ମାନସିକ ଅସୁସ୍ଥତା ଏବଂ ମାନସିକ ଅକ୍ଷମତା ମଧ୍ୟରେ ପାର୍ଥକ୍ୟ ଜାଣିବା ଲାଗି ସେ ସକ୍ଷମ ହୋଇପାରିଥିଲେ। ଏହା ତାଙ୍କ କାମ ପାଇଁ ଆବଶ୍ୟକ ସବୁଠୁ ଗୁରୁତ୍ୱପୂର୍ଣ୍ଣ କୌଶଳ ଥିଲା।

ସେଲଭୀଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଗୋଟିଏ ଥିଲା ରୋଗୀଙ୍କ ଘର ଦ୍ୱାରରେ ଔଷଧ ପହଞ୍ଚାଇବା। ଭାରତରେ ଅଧିକାଂଶ ମାନସିକ ବିକାରଗ୍ରସ୍ତ ଲୋକ ସ୍ୱାସ୍ଥ୍ୟସେବା ଏବଂ ଔଷଧ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ଭାବେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିଥାନ୍ତି। ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ୪୦ ପ୍ରତିଶତ ପର୍ଯ୍ୟନ୍ତ ରୋଗୀଙ୍କୁ ୧୦ କିଲୋମିଟରରୁ ଅଧିକ ଦୂର ଯାତ୍ରା କରିବାକୁ ପଡ଼ିଥାଏ। ଦୂରଦୂରାନ୍ତ ଗାଁରେ ରହୁଥିବା ଲୋକମାନଙ୍କୁ ନିୟମିତ ଭାବେ ଚିକିତ୍ସା ସୁବିଧା ପାଇବା କଷ୍ଟକର ହୋଇପଡ଼ିଥାଏ। ଆଉ ଏକ ବାଧା ହେଉଛି ରୋଗୀମାନଙ୍କ ସହ ଜଡ଼ିତ ଅପବାଦ। ରୋଗୀମାନେ ନିଜର ରୋଗର ଲକ୍ଷଣଗୁଡ଼ିକୁ ନେଇ ସଂଘର୍ଷ କରିଥାନ୍ତି ଏବଂ ସାମାଜିକ ପ୍ରତ୍ୟାଶାକୁ ପୂରଣ କରିବା ଲାଗି ଅସମର୍ଥ ହୋଇଥାନ୍ତି।

Selvi with a 28-year-old schizophrenia patient in Sembakkam whom she had counselled for treatment. Due to fear of ostracisation, this patient’s family had refused to continue medical care for her.
PHOTO • M. Palani Kumar
Another patient whom Selvi helped
PHOTO • M. Palani Kumar

ବାମ : ସେମ୍ବକ୍କମ ଗାଁରେ ଜଣେ ୨୮ ବର୍ଷ ବୟସ୍କ ସ୍କିଜୋଫେର୍ଣ୍ଣିଆ ରୋଗୀଙ୍କ ସହିତ ସେଲଭୀ ଯାହାଙ୍କୁ ସେ ଚିକିତ୍ସା ପାଇଁ ରାଜି କରାଇଛନ୍ତି। ବହିଷ୍କାର ଭୟରେ ଏହି ରୋଗୀଙ୍କ ପରିବାର ତାଙ୍କ ଚିକିତ୍ସା ସେବା ଜାରି ରଖିବାକୁ ମନା କରି ଦେଇଥିଲେ। ଡାହାଣ : ସେଲଭୀଙ୍କ ସାହାଯ୍ୟ ପାଇଥିବା ଆଉ ଜଣେ ରୋଗୀ

ସେଲଭୀ କୁହନ୍ତି, ‘‘ଟିଭି ଦେଖିବା କାରଣରୁ ଏବେ କିଛି ସୁଧାର ଆସିଲାଣି’’। ‘‘ଲୋକମାନେ ଏତେ ଭୟଭୀତ ନାହାନ୍ତି। ବିପି, ସୁଗାର (ରକ୍ତ ଚାପ ସମସ୍ୟା ଓ ମଧୁମେହ)ର ଚିକିତ୍ସା କରିବା ସହଜ ହୋଇଯାଇଛି’’। ଏହା ସତ୍ତ୍ୱେ, ‘‘ଆମେ ଯେତେବେଳେ ମାନସିକ ରୋଗୀମାନଙ୍କ ପରିବାର ନିକଟରେ ପହଞ୍ଚିଥାଉ, ସେମାନେ ରାଗି ଯାଆନ୍ତି ଏବଂ ଆମ ସହ ଗଣ୍ଡଗୋଳ କରିବାକୁ ଚାଲିଆସନ୍ତି, ‘ତୁମେ କାହିଁକି ଏଠାକୁ ଆସିଛ.... ଏଠି ପାଗଳ ଲୋକ ରହୁଛନ୍ତି ବୋଲି ତୁମକୁ କିଏ କହିଲା?’’’

*****

ଚେଙ୍ଗଲପଟ୍ଟୁ ତାଲୁକର ମନମଥୀ ଗାଁରେ ରହୁଥିବା ୪୪ ବର୍ଷୀୟା ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ଡି. ଲିଲି ପୁଷ୍ପମ ମାନସିକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଗ୍ରାମୀଣ କ୍ଷେତ୍ରରେ ରହିଥିବା ଭ୍ରାନ୍ତ ଧାରଣାକୁ ନେଇ ସେଲଭୀଙ୍କ ସହିତ ସହମତ ହୋଇଥାନ୍ତି। ଲିଲି କୁହନ୍ତି, ‘‘ଅନେକ ସନ୍ଦେହ ରହିଛି। କିଛି ଲୋକ ଭାବନ୍ତି ଯେ ମାନସିକ ରୋଗ ବିଶେଷଜ୍ଞ ରୋଗୀଙ୍କୁ ଅପହରଣ କରି ନେଇଯିବେ ଓ ନିର୍ଯାତନା ଦେବେ। ଏପରି କିଛି ଚିକିତ୍ସା ପାଇଁ ଆସିବା ସମୟରେ ସେମାନେ ଭୟଭୀତ ଥାଆନ୍ତି। ଆମେ ସେମାନଙ୍କୁ ନିଜ ପରିଚୟପତ୍ର ଦେଖାଇ ଥାଉ ଏବଂ କହିଥାଉ ଯେ ଆମେ ଡାକ୍ତରଖାନାରୁ ଆସିଛୁ। ତଥାପି ସେମାନେ ଆମକୁ ସନ୍ଦେହର ସହ ଚାହିଁଥାନ୍ତି। ଆମକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ।

ଲିଲି ମନମଥୀ ଗାଁର ଦଳିତ କଲୋନୀରେ ବଡ଼ ହୋଇଛନ୍ତି। ଫଳରେ ଏହି କ୍ଷେତ୍ରରେ ହେଉଥିବା ବାଛବିଚାର ବିଷୟରେ ସେ ଭଲ ଭାବେ ଜାଣିଛନ୍ତି। ବେଳେବେଳେ ନିଜ ଜାତି ପାଇଁ ସେ ଅଡ଼ୁଆ ପରିସ୍ଥିତିରେ ପଡ଼ିଥାନ୍ତି। ତେଣୁ ଘର କଥା ପଚାରିଲେ ସେ କୌଣସି ସୂଚନା ଦିଅନ୍ତି ନାହିଁ। ସେ କୁହନ୍ତି, ‘‘ଯଦି ମୁଁ ନିଜ ଘର ଠିକଣା ଦେଇଦେବି ତା’ହେଲେ ସେମାନେ ମୋ ଜାତି ବିଷୟରେ ଜାଣିନେବେ ଏବଂ ମୋ ସହିତ ଭିନ୍ନ ବ୍ୟବହାର କରିବେ ବୋଲି ମୋର ଆଶଙ୍କା ରହିଛି।’’ ଯଦିଓ ଲିଲି ଜଣେ ଦଳିତ ଖ୍ରୀଷ୍ଟିଆନ ସେ ନିଜକୁ ଜଣେ ଖ୍ରୀଷ୍ଟିଆନ ଭାବେ ପରିଚୟ ଦେଇଥାନ୍ତି।

ଲିଲି କୁହନ୍ତି ଯେ, ଗାଁରୁ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପୃଥକ ବ୍ୟବହାର କରାଯାଇଥାଏ। ସେ କୁହନ୍ତି, ‘‘ଯେଉଁ ଗାଁରେ ଧନୀ, ଉଚ୍ଚ ଜାତିର ଲୋକମାନେ ରୁହନ୍ତି ସେମାନେ ଆମକୁ ପାଣି ପିଇବାକୁ ସୁଦ୍ଧା ଯାଚିନଥାନ୍ତି’’। ‘‘ବେଳେବେଳେ ଆମେ ଏତେ ଥକିଯାଉ ଯେ କୌଣସି ଏକ ସ୍ଥାନରେ ବସି ଖାଇବାକୁ ଚାହିଁଥାଉ, କିନ୍ତୁ ସେମାନେ ଆମକୁ ସେମିତି କରିବାକୁ ଦିଅନ୍ତି ନାହିଁ। ଆମକୁ ଭାରି ଖରାପ ଲାଗିଥାଏ, ସତରେ ଅତି ଖରାପ ଲାଗେ। ତା’ପରେ ଆମେ ଅତି କମ୍‌ରେ ୩ କିମ୍ବା ୪ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାଉ ଓ କୌଣସି ଏକ ସ୍ଥାନରେ ବସି ଖାଉ। କିନ୍ତୁ ଆଉ କିଛି ସ୍ଥାନରେ ସେମାନେ ଆମକୁ କେବଳ ପାଣି ପିଇବାକୁ ଦିଅନ୍ତି ଏବଂ ଆମେ ମଧ୍ୟାହ୍ନ ଭୋଜନ ଖାଇବାକୁ ବସିଲେ ଆଉ କିଛି ଦରକାର କି ବୋଲି ପଚାରନ୍ତି।’’

ଲିଲି ମାତ୍ର ୧୨ ବର୍ଷ ବୟସରେ ନିଜର ଜଣେ ସମ୍ପର୍କୀୟଙ୍କୁ ବିବାହ କରିଥିଲେ। ସେ ତାଙ୍କଠାରୁ ୧୬ ବର୍ଷ ବଡ ଥିଲେ।‘‘ଆମେ ୪ ଝିଅ ଥିଲୁ ଏବଂ ମୁଁ ସବୁଠୁ ବଡ଼ ଥିଲି,’’ ସେ କୁହନ୍ତି। ପରିବାରର ୩ ସେଣ୍ଟ ଜମି ଥିଲା ଯାହା ଉପରେ ସେମାନେ ଏକ ମାଟି ଘର ତିଆରି କରିଥିଲେ। ‘‘ମୋ ବାପା ଏମିତି ଜଣେ ପୁରୁଷଙ୍କ ଚାହୁଁଥିଲେ ଯିଏକି ତାଙ୍କ ସମ୍ପତ୍ତି ଦେଖାଶୁଣା କରିବ ଏବଂ ତାଙ୍କୁ ଚାଷ କାମରେ ସାହାଯ୍ୟ କରିବ। ତେଣୁ ସେ ମୋତେ ନିଜ ବଡ଼ ଭଉଣୀଙ୍କ ପୁଅ ସହିତ ବାହା କରେଇ ଦେଲେ।’’ କିନ୍ତୁ ବୈବାହିକ ଜୀବନ ସୁଖପୂର୍ଣ୍ଣ ନଥିଲା। ତାଙ୍କ ସ୍ୱାମୀ ବିଶ୍ୱସ୍ତ ନଥିଲେ ଏବଂ ମାସ ମାସ ଧରି ତାଙ୍କ ପାଖକୁ ଆସୁନଥିଲେ। ଆଉ ଯେତେବେଳେ ସେ ଘରକୁ ଆସୁଥିଲେ ତାଙ୍କୁ ମାଡ଼ ମାରୁଥିଲେ। ୨୦୧୪ରେ କିଡନୀ କର୍କଟରେ ପଡ଼ି ତାଙ୍କର ପରଲୋକ ଘଟିଥିଲା। ସ୍ୱାମୀ ଚାଲିଯିବା ପରେ ଲିଲି ଏବେ ନିଜର ୧୮ ଓ ୧୪ ବର୍ଷର ଦୁଇ ପିଲାଙ୍କ କଥା ବୁଝୁଛନ୍ତି।

୨୦୦୬ରେ ସ୍କାର୍ଫଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରିବାର ପ୍ରସ୍ତାବ ମିଳିବା ପର୍ଯ୍ୟନ୍ତ ଲିଲି ଜଣେ ମହିଳା ଦରଜୀ ଭାବେ କାମ କରୁଥିଲେ। ଏଥିରୁ ସେ ଗୋଟିଏ ସପ୍ତାହରେ ୪୫୦-୫୦୦ ଟଙ୍କା ରୋଜଗାର କରୁଥିଲେ, କିନ୍ତୁ ତାହା ଗ୍ରାହକଙ୍କ ସଂଖ୍ୟା ଉପରେ ନିର୍ଭର କରୁଥିଲା। ଭଲ ଦରମା ଥିବାରୁ ସେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରିଥିଲେ ବୋଲି କୁହନ୍ତି। କୋଭିଡ -୧୯ ତାଙ୍କର ୧୦,୦୦୦ ଟଙ୍କା ମାସିକ ଆୟକୁ ପ୍ରଭାବିତ କରିଥିଲା।  ମହାମାରୀ ପୂର୍ବରୁ, ତାଙ୍କୁ ବସ ଭଡ଼ା ଏବଂ ଫୋନ ଚାର୍ଜ ବାବଦ ଟଙ୍କା ମିଳୁଥିଲା। ‘‘କିନ୍ତୁ କରୋନା ପାଇଁ, ଦୁଇ ବର୍ଷ ଧରି ମୋତେ ଫୋନ୍‌ ବିଲ୍‌ ଓ ଗାଡ଼ି ଭଡ଼ାକୁ ସେହି ୧୦,୦୦୦ ଟଙ୍କାର ବେତନ ମଧ୍ୟରୁ ବହନ କରିବାକୁ ପଡ଼ିଥିଲା। ଯାହାକି ବେଶ କଷ୍ଟକର ଥିଲା,’’ ସେ କୁହନ୍ତି।

Lili Pushpam in her rented house in the Dalit colony in Manamathy village. A health worker, she says it is a difficult task to allay misconceptions about mental health care in rural areas. Lili is herself struggling to get the widow pension she is entitled to receive
PHOTO • M. Palani Kumar

ମନମଥୀ ଗ୍ରାମର ଦଳିତ କଲୋନୀରେ ଥିବା ନିଜ ଭଡ଼ା ଘରେ ଲିଲି ପୁଷ୍ପମ। ଜଣେ ସ୍ୱାସ୍ଥ୍ୟକର୍ମୀ ଭାବେ ଗ୍ରାମାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ରହିଥିବା ଭ୍ରାନ୍ତଧାରଣା ଦୂର କରିବାର କାମ ଖୁବ କଷ୍ଟକର ବୋଲି ସେ କୁହନ୍ତି ଲିଲିଙ୍କୁ ନିଜ ହକ୍‌ ବାବଦ ସରକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ୁଛି

ଏବେ ଯେହେତୁ ଏନଏମଏଚପି ଅଧୀନରେ ସ୍କାର୍ଫର ଗୋଷ୍ଠୀ ପ୍ରକଳ୍ପର ଅବଧି ଶେଷ ହୋଇଯାଇଛି ଲିଲିଙ୍କୁ ଡିମେନସିଆ ପୀଡ଼ିତ ଲୋକମାନଙ୍କ ଉପରେ ସଂଗଠନର ପ୍ରକଳ୍ପ ପାଇଁ ନିଯୁକ୍ତ କରାଯାଇଛି। ମାର୍ଚ୍ଚ ମାସରେ ଏହି କାମ ଆରମ୍ଭ ହୋଇଥିଲା ଏବଂ ସେ ସପ୍ତାହକୁ ଥରେ କାମକୁ ଯାଇଥାନ୍ତି। କିନ୍ତୁ, ସ୍କିଜୋଫ୍ରେନିଆ ରୋଗୀଙ୍କ ଚିକିତ୍ସା ଜାରି ରଖିବା ଲାଗି ସେମାନଙ୍କୁ ସେ ଚେଙ୍ଗଲପଟ୍ଟୁ, କୋଭାଲମ ଏବଂ ସେମ୍ବକ୍କମରେ ଥିବା ସରକାରୀ ଡାକ୍ତରଖାନାକୁ ନେଇ ଯାଇଥାନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟସେବା ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ଶାନ୍ତି, ସେଲଭୀ ଓ ଲିଲିଙ୍କ ଭଳି ମହିଳାମାନେ ୪-୫ ବର୍ଷିଆ ଚୁକ୍ତିରେ କାମ କରିବାକୁ ବାଧ୍ୟ ହୋଇଥାନ୍ତି। ସମୟ ଅବଧି ଆଧାରିତ ପ୍ରକଳ୍ପଗୁଡ଼ିକ ପାଇଁ ମିଳୁଥିବା ପାଣ୍ଠି ଅନୁଯାୟୀ ସ୍କାର୍ଫ ଭଳି ସଂଗଠନ ସେମାନଙ୍କୁ ନିଯୁକ୍ତି ଦେଇଥାନ୍ତି। ‘‘ରାଜ୍ୟ ସ୍ତରରେ ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ଆମେ ସରକାରଙ୍କ ସହିତ କଥା ହେଉଛୁ,’’ ସ୍କାର୍ଫର ପଦ୍ମାବତୀ କୁହନ୍ତି, ଏହା ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଙ୍କ କାର୍ଯ୍ୟକୁ ବ୍ୟବସ୍ଥିତ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ କରିଥାନ୍ତି।

ଯଦି ଭାରତରେ ମାନସିକ ସ୍ୱାସ୍ଥ୍ୟ ସେବା ପାଇଁ ବଜେଟ୍‌ ଆବଣ୍ଟନ ଏତେ କମ୍‌ ହୋଇନଥାନ୍ତା ତା’ହେଲେ ସ୍ଥିତି ଭିନ୍ନ ହୋଇଥା’ନ୍ତା। ୨୦୨୩-୨୪ରେ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ବଜେଟ୍‌ ଆକଳନରେ ମାନସିକ ସ୍ୱାସ୍ଥ୍ୟ ପାଇଁ ୯୧୯ କୋଟି ଟଙ୍କା ରଖାଯାଇଛି ଯାହାକି କେନ୍ଦ୍ର ସରକାରଙ୍କ ମୋଟ୍‌ ସ୍ୱାସ୍ଥ୍ୟ ବଜେଟର ମାତ୍ର ୧ ପ୍ରତିଶତ। ଏହାର ଏକ ବଡ଼ ଭାଗ – ୭୨୧ କୋଟି ଟଙ୍କା ବାଙ୍ଗାଲୋରସ୍ଥିତ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନ (ନିମହାନ୍ସ) ପାଇଁ ଆବଣ୍ଟନ କରାଯାଇଛି। ଅବଶିଷ୍ଟ ଟଙ୍କା (୬୪କୋଟି) ଲୋକପ୍ରିୟ ଗୋପୀନାଥ ଆଞ୍ଚଳିକ ମାନସିକ ସ୍ୱାସ୍ଥ୍ୟ ସଂସ୍ଥାନ, ତେଜପୁର ଏବଂ ଜାତୀୟ ଟେଲି-ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (୧୩୪ କୋଟି) ପାଇଁ ଆବଣ୍ଟନ କରାଯାଇଛି। ଏହାବ୍ୟତୀତ, ମୌଳିକ ଭିତ୍ତିଭୂମି ଓ ସ୍ୱାସ୍ଥ୍ୟକର୍ମୀଙ୍କ ବିକାଶ ଉପରେ ଧ୍ୟାନ ଦେଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ଜାତୀୟ ସ୍ୱାସ୍ଥ୍ୟ ମିଶନର ‘ତୃତୀୟକ ବା ଗମ୍ଭୀର ସ୍ତରର ଚିକିତ୍ସା ଗତିବିଧି’ ଅଧୀନରେ ସାମିଲ କରାଯାଇଛି। ସେଥିପାଇଁ, ଗମ୍ଭୀର ସ୍ତରର ମାନସିକ ଚିକିତ୍ସାକୁ ବିଚାରକୁ ନିଆଯାଇପାରିବ ନାହିଁ।

ଇତିମଧ୍ୟରେ ମନମଥୀରେ, ଲିଲି ପୁଷ୍ପମ୍‌ ସେହିସବୁ ସାମାଜିକ ସୁରକ୍ଷା ଲାଭରୁ ବଞ୍ଚିତ ରହିଛନ୍ତି ଯାହାର ସେ ହକଦାର ଅଟନ୍ତି। ‘‘ବିଧବା ଭତ୍ତା ପାଇବାକୁ ଆବେଦନ କରିବାକୁ ହେଲେ ମୋତେ ଲାଞ୍ଚ ଦେବାକୁ ପଡ଼ିବ। ସେମାନଙ୍କୁ ଦେବା ପାଇଁ ମୋ ପାଖରେ ୫୦୦ କିମ୍ବା ୧୦୦୦ ଟଙ୍କା ସୁଦ୍ଧା ନାହିଁ’’, ସେ କୁହନ୍ତି। ‘‘ମୁଁ ରୋଗୀଙ୍କୁ ଇଞ୍ଜେକ୍ସନ, ଔଷଧ, ପରାମର୍ଶ ଓ ପରବର୍ତ୍ତୀ ଚିକିତ୍ସା ସେବା ଦେଇପାରିବି। କିନ୍ତୁ ସ୍କାର୍ଫ ଛଡ଼ା ଅନ୍ୟ କେଉଁଠି ଏହି ଅଭିଜ୍ଞତା ଦରକାର ନାହିଁ। ମୋ ଜୀବନର ସବୁଦିନ ଲୁହରେ ପରିପୂର୍ଣ୍ଣ। ମୋତେ ସହାୟତା କରିବାକୁ କେହି ନଥିବାରୁ ମୁଁ ଦୁଃଖିତ।’’

ଫିଚର ଫଟୋ: ଯୁବତୀ ଅବସ୍ଥାରେ ଶାନ୍ତି ଶେଷା

ଅନୁବାଦ: ଓଡ଼ିଶାଲାଇଭ୍‍

S. Senthalir

S. Senthalir is Senior Editor at People's Archive of Rural India and a 2020 PARI Fellow. She reports on the intersection of gender, caste and labour. Senthalir is a 2023 fellow of the Chevening South Asia Journalism Programme at University of Westminster.

Other stories by S. Senthalir
Photographs : M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar
Editor : Vinutha Mallya

Vinutha Mallya is a journalist and editor. She was formerly Editorial Chief at People's Archive of Rural India.

Other stories by Vinutha Mallya
Photo Editor : Riya Behl

Riya Behl is Senior Assistant Editor at People’s Archive of Rural India (PARI). As a multimedia journalist, she writes on gender and education. Riya also works closely with students who report for PARI, and with educators to bring PARI stories into the classroom.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE