html ତାମିଲନାଡ଼ୁରେ: ଲକଡାଉନରେ ପାରାଇ ବାଦନ, ଲାଇଭ!

“କଳା ଉପରେ କ’ଣ ଆପଣ ବାସ୍ତବରେ କର୍ଫ୍ୟୁ ଜାରି କରିପାରିବେ?” କଥା ଛଳରେ ପ୍ରଶ୍ନ କରନ୍ତି ମଣିମାରାନ। “ଚଳିତ ସପ୍ତାହରେ ଆମେ  ନିଶ୍ଚିତ ଭାବେ ବାଂଲାଦେଶରେ ଥାଆନ୍ତୁ”, କିଛି ସମୟ ରହିବା ପରେ ସେ କୁହନ୍ତି । “ସେଠାକୁ ଯିବାକୁ ଥିବା ଆମ ୧୨ ଜଣଙ୍କ ପାଇଁ ଏହା ଏକ ବଡ଼ ମୁହୂର୍ତ୍ତ ହୋଇପାରିଥାନ୍ତା । ମାତ୍ର ମାର୍ଚ୍ଚ ଓ ଏପ୍ରିଲ ପାଇଁ ଆମର ସବୁ କାର୍ଯ୍ୟକ୍ରମ ବାତିଲ ହୋଇଗଲା”। କିନ୍ତୁ ତାମିଲନାଡ଼ୁର ଶ୍ରେଷ୍ଠ କଳାକାରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ୪୫ ବର୍ଷୀୟ ପାରାଇ କଳାକାର ତଥା ଶିକ୍ଷକ ଚୁପ ହୋଇ ବସିରହିପାରିବେ ନାହିଁ।

ତେଣୁ ମଣିମାରାନ ଓ ତାଙ୍କ ପତ୍ନୀ ମାଗିଝିନୀ ଲକଡାଉନ ସମୟରେ ଫେସବୁକ ଲାଇଭ କିମ୍ବା ୟୁଟ୍ୟୁବ ଭିଡିଓ ଜରିଆରେ ପ୍ରତିଦିନ କଳା ପ୍ରଦର୍ଶନ ଜାରି ରଖିଛନ୍ତି।

କୋଭିଡ-19 ଯଦିଓ ଦୁଇ ମାସ ହେବ ସେମାନଙ୍କ ଦଳର ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛି, ତଥାପି ମଣିମାରାନ ସବୁସମୟ ଭଳି ଏହି ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଗୀତ ଗାଇବା ଆରମ୍ଭ କରି ଦେଇଛନ୍ତି। ଏହି କଳାକାରଙ୍କ ଦ୍ୱାରା ରଚିତ ଏବଂ ତାଙ୍କ ପତ୍ନୀ ମାଗିଝିନୀଙ୍କ କଣ୍ଠରେ ଏ ଗୀତଗୁଡ଼ିକ ବେଶ ଲୋକପ୍ରିୟ ହେଉଛି, ଯେଉଁଥିରେ ସୁବ୍ରମଣ୍ୟମ ଓ ଆନନ୍ଦ ବୃନ୍ଦଗାନ କରୁଛନ୍ତି। “ଦୁବାଇର ଏକ ରେଡିଓ ଷ୍ଟେସନ ଏହାକୁ ନେଇଛି”, ସେ କୁହନ୍ତି, “ଏବଂ ଏହାକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛି”।

କରୋନା ଗୀତ ଦେଖନ୍ତୁ

ମଣିମାରାନ ତାମିଲନାଡ଼ୁର ସବୁଠୁ ସଫଳ ଲୋକ କଳା ଦଳ- ବୁଦ୍ଧାର କାଲାଇ କୁଡ଼ୁ (୨୦୦୭ରେ ଆରମ୍ଭ ହୋଇଥିବା ବୁଦ୍ଧାର କଳା ଦଳ)ର ପରିଚାଳନା କରୁଛନ୍ତି। ସେ ପ୍ରତିବର୍ଷ ଶତାଧିକ ପ୍ରତିଭାଙ୍କୁ ପାରାଇ ବାଜା ବଜାଇବା ଲାଗି ପ୍ରଶିକ୍ଷଣ ଦେଉଛନ୍ତି। ଏକଦା ଏହି ବାଦ୍ୟକୁ କେବଳ ଦଳିତମାନେ ବଜାଉଥିଲେ, ତାହା ପୁଣି ଅନ୍ତ୍ୟେଷ୍ଟିକ୍ରିୟା ସମୟରେ । ମାତ୍ର ଆଜି ମଣିମାରାନଙ୍କ ଭଳି କଳାକାରଙ୍କ ପାଇଁ ପାରାଇ ଏକ ବାଦ୍ୟଯନ୍ତ୍ର ଓ କଳା ଶୈଳୀ ଭାବେ ଅଧିକ ଲୋକପ୍ରିୟ ହୋଇଛି।

“ତେବେ, ଆଜି ବି ଏପରି ଲୋକ ଅଛନ୍ତି ଯେଉଁମାନେ ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ପାରାଇ ବଜାଉଛନ୍ତି, କିନ୍ତୁ ସେମାନଙ୍କୁ କଳାକାର ଭାବେ ବିବେଚନା କରାଯାଉନାହିଁ। ଏପରିକି କଳାଇମାମାନି ପୁରସ୍କାର (ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା) କେବଳ ଲୋକ କଳା ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ଏଥିରେ ପାରାଇକୁ ଏକ ଲୋକକଳା ଭାବେ ଗ୍ରହଣ କରାଯାଉନାହିଁ। କିନ୍ତୁ ମଣିମାରାନ ପାରାଇକୁ ସମାଜିକ ବନ୍ଧନରୁ ମୁକ୍ତ କରିବା ସହିତ ଅସ୍ପୃଶ୍ୟତା ଓ ବାଛବିଚାରଠାରୁ ଊର୍ଦ୍ଧ୍ୱକୁ ନେଇଛନ୍ତି ଏବଂ ନିୟମିତ ଭାବେ ସାପ୍ତାହିକ ପ୍ରଶିକ୍ଷଣ ଓ ବାର୍ଷିକ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜନ କରୁଛନ୍ତି। ସମାଜର ବିଭିନ୍ନ ବର୍ଗର ପ୍ରଶିକ୍ଷାର୍ଥୀ ଏହି ଅଭିନବ, ଉତ୍ସାହପ୍ରତ ବାଦ୍ୟ ବଜାଇବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନେ ମଧ୍ୟ ଏହାର ପ୍ରଭାବକୁ ଜାଣୁଛନ୍ତି। ନିଶ୍ଚିତ ଭାବେ, ଏବେ ଲକଡାଉନ କାରଣରୁ ପ୍ରଶିକ୍ଷଣ ଶିବିରଗୁଡ଼ିକ ବାତିଲ ହୋଇଯାଇଛି।

ମଣିମାରାନ କୁହନ୍ତି, ଭୁଲ ସୂଚନା ଦେଉଥିବା କେତେକ ଗାନା (ଏକ ଚେନ୍ନାଇ ଲୋକ କଳା) ସାମ୍ନାକୁ ଆସିବା ପରେ ଭୂତାଣୁ ସମ୍ପର୍କରେ ସଚେନତା ସୃଷ୍ଟି ଲାଗି ସେ ଗୀତ ଲେଖିଥିଲେ । “କେତେଜଣ କଳାକାର ଏ ସମ୍ପର୍କରେ ଭ୍ରମାତ୍ମକ ସୂଚନା ପ୍ରସାର କରୁଥିବା ସେମାନେ ଶୁଣିବାକୁ ପାଇଲେ। ଉଦାହରଣ ସ୍ଵରୁପ, ଆମିଷ ଖାଦ୍ୟ କାରଣରୁ କରୋନା ଭୂତାଣୁ ବ୍ୟାପିଥାଏ। କିନ୍ତୁ ଯେତେବେଳେ ଆମିଷ ବିରୋଧରେ ଏକ ଦୃଢ଼ ରାଜନୈତିକ ଲବି କାମ କରୁଛି, ସେହି ସମୟରେ କରୋନା ଏହି ଏଜେଣ୍ଡାକୁ ଆହୁରି ଅଧିକ ପ୍ରଚାର କରିବା, ଠିକ ନଥିଲା। ତେଣୁ ଆମେ ଏହି ଗୀତ ପ୍ରସ୍ତୁତ କଲୁ”। 

ଏହାଛଡ଼ା, ମଣିମାରାନ ସବୁବେଳେ ପ୍ରଥମ କଳାକାର ଭାବେ କୌଣସି ସଙ୍କଟ ସମୟରେ ଆଗେଇ ଆସନ୍ତି । “କଳା ରାଜନୈତିକ ବୋଲି ମୁଁ ବିଶ୍ୱାସ କରେ। ସମାଜରେ ସେମାନଙ୍କ ଚାରିପାଖରେ କ’ଣ ଘଟୁଛି ସେଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା କଳାକାରଙ୍କ ପାଇଁ ଜରୁରି। ଲୋକକଳା ଏବଂ ଗାନା କଳାକାରମାନେ ତାହା କରିଛନ୍ତି, ସଙ୍କଟ ସମୟରେ ସେମାନେ ନିଜର କଳାତ୍ମକ ଯୋଗଦାନ ଦେଇଛନ୍ତି। ଆମର କରୋନା ଗୀତ କେବଳ ଭୁଲଧାରଣା ଦୂର କରୁନାହିଁ, ବରଂ ସଚେତନତା ମଧ୍ୟ ସୃଷ୍ଟି କରୁଛି ।

“୨୦୦୪ରେ ସୁନାମୀ ଏବଂ ଏହାପରେ ୨୦୧୮ରେ ଗାଜା ସାମୁଦ୍ରିକ ଝଡ଼ରେ ତାମିଲନାଡ଼ୁର ବହୁ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ସମୟରେ ବିପନ୍ନ ଲୋକମାନଙ୍କୁ ସାନ୍ତ୍ୱନା ଦେବା ଲାଗି ମଣିମରାନ ଗୀତ ଓ କଳା ପ୍ରଦର୍ଶନ କରିଥିଲେ। “ଲୋକକଳା ବାସ୍ତବରେ ଲୋକମାନଙ୍କର ଏକ କଳା। ବିପର୍ଯ୍ୟୟ ସମୟରେ ଲୋକମାନଙ୍କ ସହିତ ଛିଡ଼ା ହେବା ଆମର କର୍ତ୍ତବ୍ୟ। ଅର୍ଥ ଦାନ କରିବା ସ୍ଥିତିରେ ଆମେ ନାହୁଁ, ତେଣୁ ଆମେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଆମର କଳା ଉପଯୋଗ କରୁଛୁ”, ବୋଲି ନିଜର ସଦ୍ୟତମ କରୋନା ଗୀତ ବିଷୟରେ ମାଗିଡ଼ିନି କୁହନ୍ତି।

PHOTO • M. Palani Kumar

୨୦୧୮ରେ ଗାଜା ସାମୁଦ୍ରିକ ଝଡ଼ ଯୋଗୁଁ ପ୍ରଭାବିତ ହୋଇଥିବା ତାମିଲନାଡ଼ୁ ଅଞ୍ଚଳରେ ବୁଧାର କାଲାଇ କୁଜୁ କଳା ପ୍ରଦର୍ଶନ କରିବାର ଫାଇଲ ଫଟୋ। କଳା ପ୍ରଦର୍ଶନ ଓ ସଙ୍ଗୀତ ବିପନ୍ନମାନଙ୍କୁ ସାନ୍ତ୍ୱନା ଦେଇଥିଲା।

ଗାଜା ସାମୁଦ୍ରିକ ଝଡ଼ ପରେ ସେମାନେ ଯାହା କରିଥିଲେ ଏହା ଠିକ୍ ସେହିପରି ଥିଲା। ମଣିମାରାନ ଓ ତାଙ୍କ ଦଳ ଗାଜା ଝଡ଼ ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳ, ବିଶେଷ କରି କାବେରୀ ଉପତ୍ୟାକା ଅଞ୍ଚଳକୁ ଗସ୍ତ କରିଥିଲେ ଏବଂ ସେମାନେ ସେଠାରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ଲାଗି ପାରାଇ ବଜାଇଥିଲେ। ଏହାପରେ ସେମାନେ କିଛି ସମୟ ପର୍ଯ୍ୟନ୍ତ ପାରାଇ ବଜାଇବା ଓ ଗୀତ ଗାଇବା ଜାରି ରଖିଥିଲେ ଯାହା କିଛି ପରିମାଣରେ ସାନ୍ତ୍ୱନା ପ୍ରଦାନ କରିଥିଲା। “ମୁଁ କେବେ ବି ଭୁଲି ପାରିବି ନାହିଁ, ଜଣେ ବ୍ୟକ୍ତି ଆମ ପାଖକୁ ଆସିଲେ ଏବଂ କହିଲେ : “ଆମେ ବିସ୍କୁଟ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ସବୁପ୍ରକାର ରିଲିଫ ପାଇଲୁ। କିନ୍ତୁ ଆପଣମାନେ ଆମକୁ ଯାହା ଦେଲେ ତାହା ଆମ ମନରୁ ଭୟ ସମ୍ପୂର୍ଣ୍ଣ ଦୂର କରିଦେଲା”। କଳାକାର ଭାବେ ଆମର ଆଉ କ’ଣ ଦରକାର?” ମଣିମାରାନ ପଚାରନ୍ତି ।

ଏହି ଦମ୍ପତି ଏବେ ପେରମ୍ବଲୁର ଜିଲ୍ଲାର ଆଲାଦୁର ବ୍ଲକ ଅନ୍ତର୍ଗତ ତେନୁର ଗ୍ରାମରେ ରହୁଛନ୍ତି । ସେମାନେ କୋଭିଡ-19 ଏବଂ ତତସଂକ୍ରାନ୍ତ ପ୍ରସଙ୍ଗରେ ସବୁଦିନ ଫେସବୁକ ଲାଇଭରେ ଯୋଗ ଦେଉଛନ୍ତି, କଳା ପ୍ରଦର୍ଶନ କରୁଛନ୍ତି ଓ ଛୋଟ ଛୋଟ ଆଲୋଚନା କରୁଛନ୍ତି। “ଆମେ ଏହାକୁ କରୋନା କୁମ୍ବିଡୁ (କରୋନା ନମସ୍ତେ) ବୋଲି କହୁଛୁ । ଲକଡାଉନର ଦୁଇ ଦିନ ପୂର୍ବରୁ ଆମେ ଏହାକୁ ଆରମ୍ଭ କରିଥିଲୁ ଏବଂ ଏହା ଉଠିବା ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର କରିଛୁ।

ଦିନେ ଏହି ଶୃଙ୍ଖଳାର ଏକ ଗୀତରେ, ନୂଆ ଗୀତ ବ୍ୟତୀତ, ମଣିମାରାନ କରୋନା ମହାମାରୀ ସମୟରେ ରାସ୍ତାକଡ଼ରେ ରହୁଥିବା ଲୋକଙ୍କ ସମସ୍ୟା ଉଠାଉଥିଲେ । ଦ୍ୱିତୀୟ ଦିନରେ ସେମାନେ ଭୂତାଣୁ ସଂକ୍ରମଣର ଅଧିକ ବିପଦ ଥିବା ବୟସ୍କ ଲୋକଙ୍କ ଉପରେ ଏକ ଗୀତ ଗାଇଥିଲେ । ତୃତୀୟ ଦିନରେ ସେ ଯେତେବେଳେ ପିଲାମାନଙ୍କ କଥା କହିଲେ, ମଣିମାରାନ ସେମାନଙ୍କୁ ବ୍ୟସ୍ତ ରଖିବା ଲାଗି ପାରମ୍ପରିକ କ୍ରୀଡ଼ାର ପୁନରୁଦ୍ଧାର ପାଇଁ ପରାମର୍ଶ ଦେଇଥିଲେ। ଚତୁର୍ଥ ଦିନରେ ସେମାନେ କିନ୍ନରଙ୍କ ପ୍ରସଙ୍ଗ ଉଠାଇଥିଲେ ଏବଂ ଲକଡାଉନ ସମୟରେ ସେମାନେ ଭୋଗୁଥିବା ସମସ୍ୟା ବିଷୟରେ କହିଥିଲେ।

“ଆମକୁ ସେମାନଙ୍କ ବିଷୟରେ କେବଳ ଆଜି ନୁହେଁ ଅନ୍ୟ ସାଧାରଣ ଦିନରେ ମଧ୍ୟ ଭାବିବା ଉଚିତ’, ସେ କୁହନ୍ତି। “ମୁଁ ଏହାକୁ ମୋର ଫେସବୁକ ଲାଇଭରେ ମଧ୍ୟ ଦେଇପାରିଲି। କିନ୍ତୁ ଆମେ ଯେତେବେଳେ ଏହି କଥା କହୁଛୁ, କରୋନା କାରଣରୁ ସେମାନେ ଯେଉଁ ମାନସିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି, ମୁଁ ଅନୁଭବ କରେ ଯେମିତି ସେମାନଙ୍କ ବାର୍ତ୍ତା ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପନ କରାଯିବା ଆବଶ୍ୟକ’’।

PHOTO • M. Palani Kumar

ଶୀର୍ଷରେ ବାମ: ମଣିମାରାନ ଓ ମାଗିଝିନୀ ଶାସ୍ତ୍ରୀୟ କବି ଥିରୁଭଲ୍ଲୁଭରଙ୍କ ମୂର୍ତ୍ତି ନିକଟରେ ଛିଡ଼ା ହୋଇଛନ୍ତି। ସେମାନଙ୍କ ଦଳ ତିରୁକ୍କୁରାଲ କବିତାକୁ ପାରାଇ ବାଦ୍ୟ ସହ ପ୍ରଦର୍ଶନ କରିବାର ଏକ ଶୃଙ୍ଖଳା ଆରମ୍ଭ କରିଛନ୍ତି। ଶୀର୍ଷରେ ଡାହାଣ: ପାରାଇ ପ୍ରଶିକ୍ଷାର୍ଥୀଙ୍କ ସହିତ ଦମ୍ପତି। ତଳ ଧାଡ଼ିରେ: ମଣିମାରାନ ଏବଂ ତାଙ୍କ ଦଳ ରାତିରେ ପାରାଇ ବଜାଉଛନ୍ତି (ଫାଇଲ ଫଟୋ)

ଗ୍ରାମୀଣ ବିକାଶ ପାଇଁ କାର୍ଯ୍ୟ କରୁଥିବା ପାୟିର ନାମକ ଏକ ସଂଗଠନ ସହିତ ପେରମ୍ବଲୁର ଗ୍ରାମରେ ମଣିମାରାନ ପିଲାମାନଙ୍କ ପାଇଁ ଏକ ନୂଆ ଖେଳ ସୃଷ୍ଟି କରିବା ଲାଗି ଚାହୁଁଛନ୍ତି ଯେଉଁଥିରେ ଦୃଢ଼ ସାମାଜିକ ମୂଲ୍ୟବୋଧ ସହିତ ଶାରୀରିକ ଦୂରତା ବଜାୟ ରଖାଯାଇପାରିବ। “ଆମେ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛୁ, କିନ୍ତୁ ଆମ ଗ୍ରାମରେ କୋଭିଡ-19 ବିରୋଧରେ ସଚେତନତା ସୃଷ୍ଟି କରିବା ପ୍ରତି ଅଧିକ ଗୁରୁତ୍ୱ ଦେଉଛୁ, କାରଣ ଏହା ନୂଆ ଏବଂ ଆମର ଲୋକମାନେ ଏହା ବିଷୟରେ ବିଶେଷ କିଛି ଜାଣିନାହାନ୍ତି । “ପିଲାମାନଙ୍କ ପାଇଁ ଏଭଳି ଖେଳ ଉପରେ ଆମେ ମଣିମାରାନ ଏବଂ ମାଗିଝିନୀଙ୍କ ସହିତ ଖୁବଶୀଘ୍ର କାମ କରିବୁ”, ପାୟିର ପୃଷ୍ଠପୋଷକ ପ୍ରୀତି ଜାଭିୟର କୁହନ୍ତି ।

ମଣିମାରାନ କୁହନ୍ତି ଯେ, ସେମାନଙ୍କ ଭଳି କଳାକାରଙ୍କ ପାଇଁ ଏହା ବିଶେଷ କରି ପ୍ରୟାସ କରିବାର ସମୟ। “ଲୋକ କଳାକାର, ବିଶେଷ କରି ସଙ୍କଟ ସମୟରେ ସବୁବେଳେ ଲୋକଙ୍କ ସହିତ ରହିଥାନ୍ତି । କିନ୍ତୁ ଏପରି ସାମାଜିକ ଦୂରତା ରକ୍ଷା କରିବା, ଅଲଗା ରହିବା ବାସ୍ତବରେ କଷ୍ଟଦାୟକ”। କାମ ହରାଉଥିବା ଲୋକ କଳାକାରଙ୍କ ପାଇଁ ସରକାର କିଛି ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି ସେ କୁହନ୍ତି। “ପ୍ରତିବଦଳରେ ଆମେ ସାମାଜିକ ଗଣମାଧ୍ୟମରେ ଆମର ପ୍ରଦର୍ଶନ ଜାରି ରଖିବୁ। ଆର୍ଥିକ ଦୃଷ୍ଟିକୋଣରୁ ଲୋକକଳାକାରମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି, ତେଣୁ ସରକାର ଏ ବିଷୟରେ କିଛି ଚିନ୍ତା କରିବା ଉଚିତ,” ସେ କୁହନ୍ତି ।

କିନ୍ତୁ ରିଲିଫ ମିଳୁ କି ନମିଳୁ, ମଣିମାରାନ ଓ ମାଗିଝିନୀ ସବୁଦିନ କରୋନା ଭୂତାଣୁର ଭୟ ଦୂର କରିବା ଲାଗି ପାରାଇ ବଜାଇବେ ଓ ଗୀତ ଗାଇବା ଜାରି ରଖିବେ । “ସଚେତନ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆମେ ସଚେତନତା ଜାରି ରଖିବୁ। ଏବଂ ଯେତେବେଳେ କରୋନା ଏକ କୁମ୍ବିଡ଼ୁ ସହିତ ଆମକୁ ଛାଡ଼ି ଚାଲିଯିବ, ସେତେବେଳେ ଆମେ ପାରାଇ ବଜାଇ ଉତ୍ସବ ପାଳନ କରିବୁ”।

କରୋନା ଗୀତର ଅନୁବାଦ

ତାନା ତାନା ତାନା

କରୋନା ଭୟଙ୍କର ରୂପ ନେଉଛି


ଅନେକ ଲୋକ ଅଛନ୍ତି

ଯେଉଁମାନେ ଅଯଥା ଗୁଜବ ସୃଷ୍ଟି କରୁଛନ୍ତି


ଗୁଜବରେ ବିଶ୍ୱାସ କର ନାହିଁ 

ଅପମାନଜନକ କଥା କୁହ ନାହିଁ


ବାଚ୍ଛବିଚାର କାମରେ ଆସିବ ନାହିଁ

ଭୟ କରିବାର ଆବଶ୍ୟକତା ନାହିଁ


ମାର୍ଗର ସନ୍ଧାନ କର

କରୋନାର ଆକ୍ରମଣକୁ ପ୍ରତିହତ କରିବା ଲାଗି


କରୋନରୁ ରକ୍ଷା ପାଇବା ଲାଗି

ନିଜର ନାକ ଘୋଡ଼ାଇ ରଖ


କେବଳ ସଚେତନତା 

କରୋନାକୁ ରୋକିପାରିବ


ଯଦି ଆମେ ଶାରୀରିକ ଦୂରତା ରଖିବା

କରୋନା ମଧ୍ୟ ଚାଲିଯିବ


ତାନା ତାନା ତାନା

କରୋନା ଭୟଙ୍କର ରୂପ ନେଉଛି


ମିଛ ଗୁଜବ ସୃଷ୍ଟି କରନାହିଁ, ବନ୍ଦ କର!


ଆମିଷ ଖାଦ୍ୟ ଖାଇଲେ

କରୋନା ବ୍ୟାପିବ ନାହିଁ


ନିରାମିଶାଷୀଙ୍କୁ ମଧ୍ୟ

କରୋନା ଛାଡ଼ିବ ନାହିଁ


ସବୁ ଦେଶ

ଏକ ପ୍ରକାରର ଧକ୍କା ଦେଇ ଗତି କରୁଛନ୍ତି


ସମାଧାନ ଖୋଜିବା ଲାଗି 

ଗବେଷଣା ଜାରି ରହିଛି

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ଖାଅ

ନିଜକୁ ରକ୍ଷା କର

ମିଛକୁ ଦୂରେଇ ଦିଅ


କଫ ଥିବା ଲୋକଙ୍କଠାରୁ ଦୂରତା ରକ୍ଷାକର

ଛିଙ୍କୁଥିବା ଲୋକଙ୍କଠାରୁ ଦୂରେଇ ରୂହ


ତୁମେ ଦୀର୍ଘଦିନ ପର୍ଯ୍ୟନ୍ତ ରହୁଥିବା ଜ୍ୱରକୁ ନେଇ ଚିନ୍ତା କରିବା ଉଚିତ

ତୁମେ ଅସ୍ୱାଭାବିକ ନିଶ୍ୱାସକୁ ନେଇ ଚିନ୍ତା କରିବା ଉଚିତ


ଏସବୁ କିଛି ଆଠ ଦିନ ପର୍ଯ୍ୟନ୍ତ ରହୁଥିଲେ

ଏହା କରୋନା ହୋଇପାରେ


କରୋନାକୁ ଦୂର କରିବାକୁ ହେଲେ 

ଆପଣଙ୍କୁ ଡାକ୍ତରୀ ଚିକିତ୍ସା ନେବାର ଆବଶ୍ୟକତା ରହିଛି


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Kavitha Muralidharan

Kavitha Muralidharan is a Chennai-based independent journalist and translator. She was earlier the editor of 'India Today' (Tamil) and prior to that headed the reporting section of 'The Hindu' (Tamil). She is a PARI volunteer.

Other stories by Kavitha Muralidharan