ହାତ ଆଙ୍ଗୁଠିର ନଖଠାରୁ ବଡ଼ ନୁହେଁ। କିନ୍ତୁ ଗୋଟି ଗୋଟି କରି ସବୁ ଫୁଲକଢ଼ ମଳିନ, ଧଳା ଏବଂ ସୁନ୍ଦର। ଏଠି ସେଠି ସବୁଠି, କ୍ଷେତ ସାରା ସଂପୂର୍ଣ୍ଣ ଫୁଟିଥିବା ଫୁଲରେ ଭର୍ତ୍ତି ଏବଂ ସେସବୁର ମନମତାଣିଆ ବାସ୍ନାରେ ଭରିଯାଏ ନାସାରନ୍ଧ୍ର। ମଲ୍ଲୀ ଫୁଲ ଏକ ଉପହାର – ଧୂଳି ଧୂସରିତ ଧରିତ୍ରୀ ପାଇଁ, ସଗର୍ବେ ଦଣ୍ଡାୟମାନ ବୃକ୍ଷ ପାଇଁ ଏବଂ ମେଞ୍ଚା ମେଞ୍ଚା ବାଦଲରେ ଭର୍ତ୍ତି ଆକାଶ ପାଇଁ।

ହେଲେ ଏମିତି ରୋମାଞ୍ଚକର ଢଙ୍ଗରେ ପୁରୁଣା ସ୍ମୃତିକୁ ସାଉଁଟିବାର ପ୍ରୟାସ ପାଇଁ ଏଠାକାର ଶ୍ରମିକଙ୍କ ପାଖରେ ସମୟ ହିଁ ନାହିଁ। ଫୁଲ ପୂରା ଫୁଟିବା ପୂର୍ବରୁ ସେମାନଙ୍କୁ ମଲ୍ଲୀକୁ ନେଇ ପୋକଡ଼ାଇ ରେ (ଫୁଲ ବଜାର) ପହଞ୍ଚାଇବାକୁ ପଡ଼ିବ। ଆଉ ଦିନ ଚାରିଟା ପରେ ବିନାୟକ ଚତୁର୍ଥୀ, ପ୍ରଭୁ ଗଣେଶଙ୍କ ଜନ୍ମଦିନ। ଅର୍ଥାତ୍‌ ଏହି ସମୟରେ ହିଁ ଆପଣ ଭଲ ଦର ମିଳିବ ବୋଲି ଆଶା କରିପାରିବେ।

କେବଳ ବୁଢ଼ା ଆଙ୍ଗୁଠି ଏବଂ ବିଶି ଆଙ୍ଗୁଠିରେ ଅତି ଶୀଘ୍ର ଶୀଘ୍ର ଫୁଲକଢ଼ ତୋଳିବାରେ ଲାଗି ପଡ଼ନ୍ତି ପୁରୁଷ ଓ ମହିଳାମାନେ। କଢ଼ରେ ହାତ ପାପୁଲି ଭରିଗଲେ ସେମାନେ ନିଜ ନିଜ ଶାଢ଼ି ବା ଧୋତିରେ କରିଥିବା ମୁଣାରେ ରଖି ଦିଅନ୍ତି ଏବଂ ପରେ ଏହାକୁ ଅଖାବସ୍ତାରେ ଭରି ଦିଅନ୍ତି। ନିର୍ଭୁଲ ଧାରାରେ ଏହି କାମ କରିବାକୁ ପଡ଼େ: ପ୍ରଥମେ ଡାଳକୁ ଟେକିଧର (କଡ଼ମଡ଼, କଡ଼ମଡ଼), ଫୁଲକଢ଼ି ତୋଳିନିଅ (ଟକ୍‌, ଟକ୍‌, ଟକ୍‌), ପରବର୍ତ୍ତୀ ଗଛ ପାଖକୁ ଯାଅ, ଯେଉଁ ଗଛର ଉଚ୍ଚତା ତିନି ବର୍ଷର ଛୁଆ ଭଳି, ଆଉ ଅଧିକ ଫୁଲ ତୋଳିରଖ ଏବଂ ଗପସପ କର। ତା ସହିତ ରେଡିଓରୁ ଲୋକପ୍ରିୟ ତାମିଲ ଗୀତ ବି ଶୁଣ, ସୂର୍ଯ୍ୟ ଯେବେ ପୂର୍ବ ଆକାଶରେ ଧୀରେ ଧୀରେ ଉଇଁ ଆସେ ...

ଖୁବ୍‌ ଶୀଘ୍ର ଏହି ଫୁଲ ପହଞ୍ଚିବ ମଦୁରାଇ ସହରର ମାଟ୍ଟୁତାବାଣୀ ବଜାରରେ ଏବଂ ସେଠାରୁ ତାମିଲନାଡୁର ଅନ୍ୟ କେତେକ ସହରକୁ ଯିବ। ଏବଂ ବେଳେବେଳେ ଉତ୍ତୁଙ୍ଗ ସମୁଦ୍ର ପାର କରି ଅନ୍ୟ ଦେଶକୁ ବି ଯିବ।

PARI ଟିମ୍‌ ୨୦୨୧, ୨୦୨୨ ଏବଂ ୨୦୨୩ ମସିହାରେ ମଦୁରାଇ ଜିଲ୍ଲାର ତିରୁମଙ୍ଗଳମ ଏବଂ ଉସିଲାମ୍‌ପାଟ୍ଟି ତାଲୁକ ଗସ୍ତ କରିଥିଲା। ଐତିହାସିକ ମୀନାକ୍ଷୀ ଆମ୍ମାନ୍‌ ମନ୍ଦିର ଏବଂ ଫୁଲ ବଜାରର ଗହଳଚହଳ ଦେଇ ମଦୁରାଇ ସହରରୁ ଗାଡ଼ିରେ ଗଲେ ଘଣ୍ଟାକରୁ କମ୍‌ ସମୟରେ ମଲ୍ଲୀଫୁଲ କ୍ଷେତରେ ପହଞ୍ଚି ହୁଏ। ଏଠାକାର ଫୁଲ ବଜାରରେ ଆଞ୍ଜୁଳାଏରୁ ଆରମ୍ଭ କରି ଗଦା ଗଦା ପର୍ଯ୍ୟନ୍ତ ମଲ୍ଲୀଫୁଲ ବିକ୍ରି ହୁଏ।

PHOTO • M. Palani Kumar

ମଦୁରାଇର ତିରୁମଙ୍ଗଳମ୍‌ ତାଲୁକାର ଏକ ପଲ୍ଲୀ ଗାଁ ମେଲାଉପ୍ପିଲିଗୁଣ୍ଡୁରେ ନିଜ ଫୁଲ କ୍ଷେତ ମଝିରେ ଠିଆ ହୋଇଛନ୍ତି ଗଣପତି ଏଇ ନିକଟରେ ମଲ୍ଲୀ ଫୁଲ ଫୁଟିବାର ପ୍ରକୃଷ୍ଟ ସମୟ ସରିଛି ଏବଂ ଏବେ କେବଳ ଦିନକୁ ପ୍ରାୟ ଏକ କିଲୋ ଫୁଲ ଯାହା ତୋଳା ହେଉଛି

PHOTO • M. Palani Kumar

ଆଞ୍ଜୁଳାଏ ବାସ୍ନାଭରା ମଲ୍ଲୀ କଢ଼

ଯେଉଁ ଫୁଲ ପାଇଁ ମଦୁରାଇ ଅଞ୍ଚଳର ନାଁ ରହିଛି, ସେହି ମଲ୍ଲୀଫୁଲ ସଂପର୍କରେ ମୋତେ ସମ୍ୟକ୍‌ ସୂଚନା ଦିଅନ୍ତି ତିରୁମଙ୍ଗଳମ ତାଲୁକା ଅନ୍ତର୍ଗତ ମେଲାଉପ୍ପିଲିଗୁଣ୍ଡୁ ପଲ୍ଲୀ ଗାଁର ୫୧ ବର୍ଷୀୟ ପି. ଗଣପତି। “ଏଠାକାର ସୁଗନ୍ଧିତ ମଲ୍ଲୀଫୁଲ ପାଇଁ ଏହି ଅଞ୍ଚଳ ପ୍ରସିଦ୍ଧ। କାହିଁକି ନା ଆପଣ ଘରଭିତରେ କେବଳ ଅଧା କିଲୋଗ୍ରାମ ମଲ୍ଲୀ ଫୁଲ ରଖିଲେ ଏହାର ବାସ୍ନା ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ।”

ନୀଳରଙ୍ଗର ଲୁଙ୍ଗି ସହିତ ଧୋବ ଫରଫର ଶାର୍ଟ ପିନ୍ଧିଥାଆନ୍ତି ଗଣପତି। ତାଙ୍କ ପକେଟରେ କିଛି ଟଙ୍କା ଖୋସା ହେଲା ଭଳି ଥାଏ ଏବଂ ସେ ହସି ହସି ମଦୁରାଇର ତାମିଲ ଭାଷାରେ କହନ୍ତି। “ବର୍ଷେ ନ ପୂରିଲା ଯାଏ ମଲ୍ଲୀଗଛଟି ଗୋଟିଏ ଶିଶୁ ଭଳି ଏବଂ ଆପଣଙ୍କୁ ସେହିଭଳି ଏହାର ଯତ୍ନ ନେବାକୁ ପଡ଼ିବ।” ସେ ବୁଝାଇ ଦିଅନ୍ତି। ତାଙ୍କର ଅଢ଼େଇ ଏକର ଜମି ଅଛି ଏବଂ ସେଥିରୁ ଗୋଟିଏ ଏକରରେ ସେ ମଲ୍ଲୀ ଚାଷ କରନ୍ତି।

ପ୍ରାୟ ଛଅ ମାସରେ ଗଛରେ ଫୁଲ ଫୁଟିବା ଆରମ୍ଭ କରେ। ହେଲ ଏହା ସମାନ ଢଙ୍ଗରେ ନୁହେଁ। ଗୋଟିଏ କିଲୋ ମଲ୍ଲୀଫୁଲର ଦର ଭଳି ଏହା ତଳ ଉପର ହୋଇଥାଏ। ବେଳେବେଳେ ଗୋଟିଏ ଏକରରୁ ଗଣପତିଙ୍କୁ ଅତି ବେଶୀରେ ଗୋଟିଏ କିଲୋ ଫୁଲ ହିଁ ମିଳିଥାଏ। ଦୁଇ ସପ୍ତାହ ପରେ ହୁଏତ ତାହା ୫୦ କିଲୋ ହୋଇପାରେ। “ବାହାଘର ଏବଂ ପର୍ବପର୍ବାଣୀ ଋତୁରେ ଭଲ ଦର ମିଳେ: ହଜାରେ, ଦି ହଜାର, ତିନି ହଜାର ଟଙ୍କା.. ତାହା ବି ଗୋଟିଏ କିଲୋ ମଲ୍ଲୀଫୁଲ ପାଇଁ। ହେଲେ ଯେତେବେଳେ ସମସ୍ତଙ୍କ ଗଛରେ ଫୁଲ ଭର୍ତ୍ତି ହୋଇଥାଏ, ଫୁଲ ବିକ୍ରିବଟା ପାଇଁ ଭଲ ସମୟ ହୋଇଥିଲେ ହେଁ ଦର କମିଯାଏ।” ଏ ଫୁଲଚାଷରେ କୌଣସି କଥା ନିଶ୍ଚିତ ନୁହେଁ। ଗୋଟିଏ କଥା ନିଶ୍ଚିତ ଯେ ଏଥିରେ ଖର୍ଚ୍ଚ କରିବାକୁ ପଡ଼ିବ।

ଆଉ ତା ସହିତ ପରିଶ୍ରମ। ଏମିତି ବି ଦିନ ଯାଇଛି, ଯେବେ ସକାଳୁ ସେ ଓ ତାଙ୍କ ଭୀଟୁକାରାମ୍ମା - ଏଇ ନାଁରେ ଗଣପତି ତାଙ୍କ ପତ୍ନୀ ପିଚୈୟାମ୍ମାଙ୍କୁ ଡାକନ୍ତି- ମିଶି ଆଠ କିଲୋ ଫୁଲ ତୋଳିଛନ୍ତି। ସେ କହନ୍ତି, “ଆମ ପିଠିରେ ଯନ୍ତ୍ରଣା ହୁଏ, ଖୁବ୍‌ କଷ୍ଟ ହୁଏ।” କିନ୍ତୁ ତା ତୁଳନାରେ ତାଙ୍କୁ ଅଧିକ ଯାହା ବାଧେ ତାହା ହେଲା ସାର ଓ କୀଟନାଶକର ଦରଦାମ, ଶ୍ରମିକ ମଜୁରି ଓ ଇନ୍ଧନର ଦରବୃଦ୍ଧି। “କେମିତି ଆମେ କିଛିଟା ଭଲ ଲାଭ ପାଇବୁ ?” ଏ ଥିଲା ୨୦୨୧ ସେପ୍ଟେମ୍ବରର କଥା।

ଏହି ସବୁଦିନିଆ ଫୁଲ, ପ୍ରତିଟି ଗଳିକନ୍ଦିରେ ଉପଲବ୍‌ଧ ତଥା ତାମିଲ ସଂସ୍କୃତିର ପରିଚାୟକ; ମଲ୍ଲୀ, ଗୋଟିଏ ସହରର ସମାର୍ଥବୋଧକ, ଯେମିତି କି ଗୋଟିଏ ପ୍ରକାରର ଇଡ଼ଲି, କିମ୍ବା ଗୋଟିଏ ଚାଉଳକୁ ନେଇ ଗଢ଼ି ଉଠିଥିବା ପରିଚୟ ଭଳି। ମଲ୍ଲୀ ମହକାଇ ଦିଏ ପ୍ରତିଟି ମନ୍ଦିର, ବିବାହ ଉତ୍ସବ ଏବଂ ବଜାର, ବସ୍‌ ଭିତରୁ ଆରମ୍ଭ କରି ଶୟନକକ୍ଷ ପର୍ଯ୍ୟନ୍ତ, ଜନଗଣଙ୍କ ନିକଟରେ ସୁପରିଚିତ ଏହି ଫୁଲ, ଏହାର ଚାଷ କିନ୍ତୁ ଏତେ ସହଜ ନୁହେଁ...

*****

PHOTO • M. Palani Kumar
PHOTO • M. Palani Kumar

ଗଣପତିଙ୍କ କ୍ଷେତରେ (ଡାହାଣ) ମଲ୍ଲୀଗଛର ନୂଆ ଚାରା ଏବଂ ମଲ୍ଲୀକଢ଼

PHOTO • M. Palani Kumar

ମଲ୍ଲୀ କ୍ଷେତକୁ ସଫା କରିବା ଲାଗି କୃଷି ଶ୍ରମିକମାନଙ୍କ ସହ କାର୍ଯ୍ୟରତ ପିଚୈୟାମ୍ମା

୨୦୨୨ ଅଗଷ୍ଟରେ ଦ୍ୱିତୀୟ ଥର ପାଇଁ ଆମେ ସେ ଅଞ୍ଚଳ ଗସ୍ତ କରିବା ବେଳକୁ ଗଣପତି ଗୋଟିଏ ଏକର ଜମିରେ ମଲ୍ଲୀଫୁଲର ନୂଆ ଚାରା ରୋପଣ କରିଥାଆନ୍ତି: ୯,୦୦୦ଟି ସାତ ମାସ ପୁରୁଣା ଗଛ। ସେ ତାଙ୍କ ଆଙ୍ଗୁଠି ବାହାର କରି ଏବଂ ଗୋଟିଏ କହୁଣୀକୁ ଅନ୍ୟ ହାତରେ ଛୁଇଁ ଗଛର ଉଚ୍ଚତାକୁ ସଂକେତ କରି କହନ୍ତି, ରାମନାଥପୁରମ ଜିଲ୍ଲାର ରାମେଶ୍ୱରମ ନିକଟ ତାଙ୍ଗାଚିମାଡ଼ାମର ବିଭିନ୍ନ ନର୍ସରୀରେ ପ୍ରତିଟି ଗଛର ମୂଲ୍ୟ ଚାରି ଟଙ୍କା। ଏବଂ ଭଲ ଫୁଲ ପାଇବା ଲାଗି ସେ ନିଜେ ନିଜ ହାତରେ ଟାଣ ଟାଣ ଗଛ ବାଛି ଆଣନ୍ତି। ମାଟି ଭଲ ଥିଲେ- ଉର୍ବର, ଫସଫସିଆ ଏବଂ ନାଲିମାଟି ହୋଇଥିଲେ-ଗଣପତି ମୋତେ କହନ୍ତି, “ଆପଣ ସେଗୁଡ଼ିକୁ ଚାରି ଚାରି ଫୁଟ ଛାଡ଼ି ବି ଲଗାଇ ପାରିବେ। ଗଛ ଖୁବ୍‌ ବଡ଼ ହୋଇ ବଢ଼ିବ।” ନିଜ ହାତକୁ ଯେତେଦୂର ସମ୍ଭବ ଚକ୍ରାକାରରେ ଶୂନ୍ୟରେ ଘୂରାଇ ଗଛର ଆକାର ସଂପର୍କରେ ସଂକେତ ଦିଅନ୍ତି। “କିନ୍ତୁ ଏଠାକାର ମାଟି ପୋଡ଼ା ଇଟା ପାଇଁ ହିଁ ଉପଯୋଗୀ।’’ ଅର୍ଥାତ୍‌ କାଦୁଆ ମାଟି।

ମଲ୍ଲୀଫୁଲ ଚାଷ ପାଇଁ ଗୋଟିଏ ଏକର ଜମି ପ୍ରସ୍ତୁତ କରିବା ଲାଗି ଗଣପତି ୫୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି। “ଆପଣ ଜାଣନ୍ତି, ଏହାକୁ ଠିକ୍‌ ଭାବରେ କରିବା ଲାଗି ଟଙ୍କା ଦରକାର।” ଖରାଦିନେ ଫୁଲରେ ଭରିଯାଇ ତାଙ୍କ ଜମି ଉଜ୍ଜ୍ୱଳ ଦିଶେ। ତାମିଲ ଭାଷାରେ ସେ କହନ୍ତି, “ ପାଲିଚିନ୍ନୁ ପୁକୁମ୍‌ ”। ଯେଉଁଦିନ ସେ ୧୦ କିଲୋ ଫୁଲ ଅମଳ କରିଥିଲେ ସେଦିନ ସଂପର୍କରେ କହିବାକୁ ଯାଇ ସେ ଅଳ୍ପ ହସି କହନ୍ତି, କେତେକ ଗଛରୁ ୧୦୦ ଗ୍ରାମ୍‌ ତ ଆଉ କେତେକରୁ ୨୦୦ ଗ୍ରାମ୍‌ ଫୁଲ ମିଳେ। ତାଙ୍କ ଆଖିରେ ଉତ୍ସାହ ଏବଂ ସ୍ୱରରେ ଉତ୍କଣ୍ଠା ବାରି ହୋଇଯାଏ। ତାଙ୍କ ହସରେ ଥାଏ ପୁଣି ଥରେ ଏମିତି ଅମଳ ହେବାର ଆଶା।  ଅତି ଶୀଘ୍ର।

ରାତି ପାହିଲା ବେଳରୁ ହିଁ ଗଣପତିଙ୍କ କାମ ଆରମ୍ଭ ହୁଏ। ପୂର୍ବରୁ ଏହା ଘଣ୍ଟାଏ କି ଦୁଇ ଘଣ୍ଟା ଆଗରୁ ଆରମ୍ଭ ହେଉଥିଲା। କିନ୍ତୁ ଏବେ “ଶ୍ରମିକମାନେ ଡେରିରେ ଆସନ୍ତି”, ସେ କହନ୍ତି। ମଲ୍ଲୀକଢ଼ ତୋଳିବା ଲାଗି ସେ ମଜୁରିଆଙ୍କୁ କାମରେ ଲଗାନ୍ତି। ଏବଂ ସେମାନଙ୍କୁ ଘଣ୍ଟାକର ପରିଶ୍ରମ ବାବଦରେ ୫୦ ଟଙ୍କା ମଜୁରି ଦିଅନ୍ତି କିମ୍ବା ଗୋଟିଏ ‘ଡବା’ – ମାପିବା ପାଇଁ ଥିବା ଏକ ‘ପାତ୍ର’- ଫୁଲ ତୋଳିବା ପାଇଁ ୩୫ରୁ ୫୦ ଟଙ୍କା ଦିଅନ୍ତି। ତାଙ୍କ କଥା ଅନୁସାରେ ଏଥିରେ ଗୋଟିଏ କିଲୋ ଫୁଲ ଧରିବ।

PARI ଟିମ୍‌ର ପୂର୍ବ ଗସ୍ତର ୧୨ ମାସ ଭିତରେ ଫୁଲର ଦର ବଢ଼ିଛି। ‘ଅତର’ କାରଖାନା ପକ୍ଷରୁ ହିଁ ଫୁଲର ଦର ସ୍ଥିର ହୋଇଥାଏ। ଏଗୁଡ଼ିକ ହେଲେ ଫୁଲ ପ୍ରକ୍ରିୟାକରଣ କାରଖାନା। ମଲ୍ଲୀଫୁଲ ଅମଳ ସମୟରେ ସେମାନେ ବିପୁଳ ପରିମାଣରେ ଫୁଲ କିଣନ୍ତି ଏବଂ କିଲୋ ପ୍ରତି ୧୨୦ରୁ ୨୨୦ ଟଙ୍କା ମୂଲ୍ୟ ଦେଇଥାଆନ୍ତି। ଫୁଲ କିଲୋ ପ୍ରତି ପାଖାପାଖି ଦୁଇ ଶହ ଟଙ୍କା ହେଲେ ତାଙ୍କର କ୍ଷତି ହୁଏ ନାହିଁ ବୋଲି ଗଣପତି କହନ୍ତି।

ଯେତେବେଳେ ଚାହିଦା ଅଧିକ ଥାଏ ଏବଂ ଉତ୍ପାଦନ କମ୍‌ ହୋଇଥାଏ, ସେତେବେଳେ ମଲ୍ଲୀଫୁଲ କିଲୋ ପିଛା ବହୁଗୁଣ ଅଧିକ ଦରରେ ବିକ୍ରି ହୁଏ। ପର୍ବପର୍ବାଣୀ ସମୟରେ ଏହା କିଲୋ ପିଛା ୧,୦୦୦ ଟଙ୍କାରୁ ବି ଅଧିକ ହୋଇଥାଏ। ହେଲେ ଗଛ ତ କ୍ୟାଲେଣ୍ଡର ଅନୁସାରେ ବଢ଼େନି। ସେମାନେ ନା ‘ ମୁହୂରତା ନାଲ ’ ଦେଖନ୍ତି ନା ‘ କାରି ନାଲ - ଅର୍ଥାତ୍‌ ଶୁଭ ଏବଂ ଅଶୁଭ ଦିନ।

ସେମାନେ କେବଳ ପ୍ରକୃତିର କଥା ମାନନ୍ତି। ଯେତେବେଳେ ସୂର୍ଯ୍ୟ କିରଣ ଝଲସାଇ ଦିଏ ଏବଂ ପରେ ପରେ ଭଲ ବର୍ଷା ହୋଇଯାଏ, ସେତେବେଳେ ଚାରିଆଡ଼ ଫୁଲରେ ଭରିଯାଏ। ଅଳ୍ପ ହସି ଗଣପତି ମୋତେ ପଚାରନ୍ତି, “ଆପଣ ଯେଉଁଠିକି ଯିବେ ସେଠି ମଲ୍ଲୀ ପାଇବେ। ଆପଣ ଗଛରେ ଫୁଲ ଫୁଟିବାକୁ ବନ୍ଦ କରିପାରିବେନି, ପାରିବେ କି ?”

PHOTO • M. Palani Kumar

ପାଚିଲା ପିଜୁଳି ତୋଳି ଆମକୁ ଖାଇବାକୁ ଦିଅନ୍ତି ଗଣପତି

ସେ କହନ୍ତି, ମଦୁରାଇ ଆଖପାଖ ବଜାରରେ ବର୍ଷାଦିନିଆ ଫୁଲରେ ଭରିଯାଏ। “ହଜାର ହଜାର କିଲୋ ମଲ୍ଲୀଫୁଲ ବଜାରକୁ ଆସେ। ପାଞ୍ଚ ଟନ୍‌, ଛଅ ଟନ୍‌, ସାତ ଟନ୍‌, ଏମିତି କି ଦିନେ ତ ଆମେ ଦଶ ଟନ୍‌ ଫୁଲ ପାଇଥିଲୁ।” ଏହାର ଅଧିକାଂଶ ଭାଗ ଅତର କାରଖାନାକୁ ଯାଏ ବୋଲି ସେ ବୁଝାଇ ଦିଅନ୍ତି।

ଫୁଲମାଳ ଏବଂ ହାର ପାଇଁ କିଲୋପିଛା ୩୦୦ ଟଙ୍କାରୁ ଅଧିକ ଦରରେ ଫୁଲ ବିକ୍ରି ହୁଏ। “କିନ୍ତୁ ଯେତେବେଳେ ଫୁଲ ବେଶୀ ଧରି ନଥାଏ ଆମେ ଅତି ବେଶୀରେ କିଲେ ଫୁଲ ତୋଳୁ ଏବଂ ଯୋଗାଣ କମ୍‌ ହେବାରୁ ଦର ବଢ଼ିଯାଏ। ଖୁବ୍‌ ଅଧିକ ଚାହିଦା ସମୟରେ ଯଦି ମୁଁ ୧୦ କିଲୋ ଫୁଲ ପାଆନ୍ତି, ତେବେ ଦିନକୁ ୧୫,୦୦୦ ଟଙ୍କା ରୋଜଗାର କରିପାରନ୍ତି। ଏଇଟା ଖୁବ୍‌ ବଡ଼ ରୋଜଗାର ନୁହେଁ କି ?” ତାଙ୍କ ହସରେ ଆଶାର ଝଲକ, ଆଖି କୁଞ୍ଚି ହୋଇଯାଏ, ଏବଂ ଓଠରେ ଉଜ୍ଜ୍ୱଳ ସ୍ମିତହାସ୍ୟ ନେଇ ସେ ଆହୁରି କହନ୍ତି, “କାହିଁ, ସେମିତି ହେଲେ ତ ମୁଁ ଏଠି କେଇଟା ଚଉକି ପକାନ୍ତି, ଆପଣମାନଙ୍କ ପାଇଁ ଖୁବ୍‌ ସୁନ୍ଦର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରନ୍ତି ଆଉ ଏଇଠି ବସି ଆପଣଙ୍କୁ ସାକ୍ଷାତ୍‌କାର ଦିଅନ୍ତି !”

ସତକଥା ହେଲା ସେ ସେମିତି କରିପାରିବେନି। ତାଙ୍କ ସ୍ତ୍ରୀ ବି ନୁହେଁ। ସେମାନଙ୍କ ପାଇଁ ବହୁତ କାମ କରିବାର ଅଛି। ବଡ଼କାମ ହେଲା ମାଟିକୁ ଖୋସା ମାରି ସୁଗନ୍ଧିତ ଚାଷ ପାଇଁ ପ୍ରସ୍ତୁତ କରିବା। ଗଣପତି ତାଙ୍କର ଅବଶିଷ୍ଟ ୧.୫ ଏକର ଜମିରେ ପିଜୁଳି ଚାଷ କରନ୍ତି। “ଆଜି ସକାଳେ, ମୁଁ ବଜାରକୁ ୫୦ କିଲୋ ପିଜୁଳି ନେଇଥିଲି। ସେମାନେ ଏହାକୁ କିଲୋ ପିଛା ମାତ୍ର ୨୦ ଟଙ୍କାରେ କିଣନ୍ତି। ଗାଡ଼ିର ଇନ୍ଧନ ବାବଦ ଖର୍ଚ୍ଚ ବାଦ୍‌ ଦେବା ପରେ ମୋତେ ପ୍ରାୟ ୮୦୦ ଟଙ୍କା ମିଳେ। ଆଗରୁ ଯେତେବେଳେ ଏ ଅଞ୍ଚଳରେ ଏତେ ପରିମାଣରେ ପିଜୁଳି ମିଳୁ ନଥିଲା କିଣିବାକୁ ଆସୁଥିବା ଲୋକେ ମୋ କ୍ଷେତରୁ ନିଜେ ନିଜେ ପିଜୁଳି ତୋଳି ନେଉଥିଲେ ଏବଂ ମୋତେ କିଲୋ ପିଛା ୨୫ ଟଙ୍କା ହିସାବରେ ଦେଉଥିଲେ। ସେଦିନ ଆଉ ନାହିଁ...। ”

ମଲ୍ଲୀଫୁଲ ଚାଷ ପାଇଁ ଚାରା କିଣିବା ଏବଂ ଜମି ପ୍ରସ୍ତୁତ କରିବା ଲାଗି ଗଣପତି ପାଖାପାଖି ଏକ ଲକ୍ଷ ଟଙ୍କା ବିନିଯୋଗ କରନ୍ତି। ଏତେ ଟଙ୍କା ଖର୍ଚ୍ଚ କରିବା ପରେ ହିଁ ତାଙ୍କ ଜମିରୁ ତାଙ୍କୁ ଅତି କମ୍‌ରେ ୧୦ ବର୍ଷ ପାଇଁ ଫୁଲ ମିଳେ। ପ୍ରତି ବର୍ଷ, ମଲ୍ଲୀ ଋତୁ ଆଠ ମାସ ପାଇଁ ରହେ। ସାଧାରଣତଃ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ। ଏବଂ ସେ କହନ୍ତି, ଏଥିରେ ଭଲ ଦିନ ଥାଏ, ଅତି ଭଲ ଦିନ ବି ଥାଏ, କିନ୍ତୁ ଏମିତି ଦିନ ବି ଥାଏ ଯେବେ ଗଛରେ ଆଦୌ କଢ଼ ଧରେ ନାହିଁ। ହାରାହାରି ଗୋଟିଏ ଋତୁରେ ତାଙ୍କ ଏକ ଏକର ଜମିରୁ ତାଙ୍କୁ ମାସକୁ ୩୦,୦୦୦ ଟଙ୍କାର ଲାଭ ମିଳେ ବୋଲି ସେ ଆକଳନ କରନ୍ତି।

ତାଙ୍କ କଥାରୁ ତାଙ୍କର ବର୍ତ୍ତମାନ ସ୍ଥିତି ତୁଳନାରେ ସେ ଅଧିକ ସଂପନ୍ନ ବୋଲି ମନେ ହୁଅନ୍ତି। ଅନ୍ୟ ଅନେକ ଚାଷୀଙ୍କ ଭଳି, ତାଙ୍କ ସ୍ତ୍ରୀ ଓ ନିଜର ପରିଶ୍ରମ ବାବଦ ଖର୍ଚ୍ଚକୁ ସେ ତାଙ୍କ କୃଷି ବିନିଯୋଗରେ ସାମିଲ କରନ୍ତି ନାହିଁ। ଏହି ପରିଶ୍ରମକୁ ବିନିଯୋଗରେ ମିଶାଇ ଦେଲେ ବି କେତେ ଫରକ ପଡ଼ିବ ? ତାଙ୍କ ହିସାବରେ “ତାଙ୍କ ନିଜ ପରିଶ୍ରମ ବାବଦରେ ୫୦୦ ଟଙ୍କା ଏବଂ ସ୍ତ୍ରୀଙ୍କ ପାଇଁ ୩୦୦ ଟଙ୍କା ହିସାବକୁ ନିଆଯାଉ।” ଯଦି ସେ ସେତିକି ବି ହିସାବକୁ ନିଅନ୍ତି ତା’ହେଲେ ମଲ୍ଲୀଚାଷରୁ ତାଙ୍କ ଲାଭ ୩୦,୦୦୦ରୁ ପ୍ରାୟ ୬,୦୦୦ ଟଙ୍କାକୁ ଖସି ଆସିବ।

ଏତିକି ବି, “ଆପଣ ଭାଗ୍ୟରେ ଥିଲେ ପାଇବେ,” ସେ କହନ୍ତି। ତାଙ୍କ ମୋଟର ରହିଥିବା ସେଇ ଚାଳିଆ ଘର ଭିତରୁ ଆମେ ଏତିକି ଜାଣିଲୁ ଯେ ଏହା କେବଳ ଭାଗ୍ୟ, ଆଉ କିଛି ରାସାୟନିକ ଦ୍ରବ୍ୟ।

*****

PHOTO • M. Palani Kumar
PHOTO • M. Palani Kumar

ଗଣପତିଙ୍କ କ୍ଷେତରେ ମୋଟର ରଖିବାକୁ ଥିବା ଚାଳିଆ ଘର। ଚଟାଣ ସାରା ବିଛାଇ ହୋଇ ପଡ଼ିଛି (ଡାହାଣ) ବ୍ୟବହୃତ କୀଟନାଶକ ବୋତଲ ଏବଂ ଡବା

ମୋଟର ରଖିବାକୁ ଥିବା ଚାଳିଆ ଘର କହିଲେ ଛୋଟିଆ ଘରଟିଏ ଏବଂ ଏଥିରେ ଅପରାହ୍‌ଣରେ ଗଣପତିଙ୍କ କୁକୁରମାନେ ଶୁଅନ୍ତି। ଘର କୋଣରେ ପଲେ କୁକୁଡ଼ା ବି ଥିଲେ ଏବଂ ସେଠାରେ ଆମ ନଜରରେ ପ୍ରଥମେ ପଡ଼ିଲା କୁକୁଡ଼ାର ଅଣ୍ଡା। ଗଣପତିଙ୍କ ମୁହଁରେ ହସ ଫୁଟି ଉଠିଲା ଏବଂ ସେ ଅଣ୍ଡାଟିକୁ ସଯତ୍ନେ ଉଠାଇ ନିଜ ପାପୁଲିରେ ଧରିଲେ। ଘର ଚଟାଣରେ କୀଟନାଶକ ଔଷଧର ଖାଲି ଡବା ଓ ବୋତଲ ପଡ଼ି ରହିଥିଲା। ଏହା ବ୍ୟବହୃତ ରାସାୟନିକ ଦ୍ରବ୍ୟର ଶୋ’ରୁମ୍‌ ଭଳି ଦେଖାଯାଉଥିଲା। ଗଣପତି ଧୈର୍ଯ୍ୟର ସହ ବୁଝାଇବାରେ ଲାଗିଲେ, ଗଛରେ ଫୁଲ ଧରିବା ଲାଗି ସେସବୁ ଦରକାର ହୁଏ। “ ପାଲିଚୁ ,” ଧଳା ମଲ୍ଲୀକଢ଼, ସଶକ୍ତ, ଓଜନଦାର ଏବଂ ସୁସ୍ଥ ଗଛ।

“ଏହାକୁ ଇଂଲିଶରେ କ’ଣ କହନ୍ତି?” ହାତରେ କେତେକ ଡବା ଧରି ଗଣପତି ମୋତେ ପଚାରିଲେ। ମୁଁ ଗୋଟିଏ ପରେ ଆଉ ଗୋଟିକର ନାଁ ପଢ଼ିଲି। “ଏଥିରେ ନାଲି ପୋକ ମରେ, ଏଇଟା କୀଟ ପାଇଁ। ଏବଂ ଏଇଟା, ଏହା ସବୁ ପ୍ରକାର ପୋକକୁ ନିଷ୍ଟ କରେ। ମଲ୍ଲୀଗଛକୁ ଏତେ ପୋକ ଆକ୍ରମଣ କରନ୍ତି,” ବୋଲି କହି ସେ ଗରଗର ହୁଅନ୍ତି।

ଗଣପତିଙ୍କ ପୁଅ ହିଁ ତାଙ୍କ ପରାମର୍ଶଦାତା। “ସେ ଗୋଟିଏ “ ମାରୁନ୍ଦୁ କୁଦାଇ ”ରେ, କୀଟନାଶକ ବିକୁଥିବା ଦୋକାନରେ କାମ କରେ,” ସୂର୍ଯ୍ୟଙ୍କ ପ୍ରଖର କିରଣ ଭଳି ତାଙ୍କ ଧୋବ ଫରଫର ମଲ୍ଲୀ କିଆରି ଦେଇ ଆଗକୁ ଚାଲିବା ବେଳେ ସେ କହନ୍ତି। ଛୋଟ କୁକୁର ଛୁଆଟିଏ ଓଦାମାଟିରେ ଗଡ଼ିବାରେ ଲାଗିଥାଏ। ତା ଦେହର ଧଳା ଲୋମ ଲାଲ ପଡ଼ିଯାଉଥାଏ। ସେଇ ଛୋଟ ଘର ପାଖରେ ଗୋଟିଏ ଧୂସର ରଙ୍ଗର କୁକୁର ପଇଁତରା ମାରୁଥାଏ। “ସେମାନଙ୍କୁ କ’ଣ କୁହାଯାଏ ?” ମୁଁ ତାଙ୍କୁ ପଚାରିଲି। “ମୁଁ ପାଟି କରି କହେ ‘ କାରୁପ୍ପୁ ’, ସେମାନେ ଦୌଡ଼ି ଆସନ୍ତି,” ଏହା କହି ସେ ହସନ୍ତି। ତାମିଲ ଭାଷାରେ ‘ କାରୁପ୍ପୁ ’ର ଅର୍ଥ କଳା। ହେଲେ ସେ କୁକୁରମାନେ ତ କଳା ନୁହଁନ୍ତି, ମୁଁ ତାଙ୍କୁ ଦେଖାଇ ଦିଏ।

“ସେ ଯାହା ହେଉ, ସେମାନେ ତ ଆସନ୍ତି,” ଏହା କହି ଗଣପତି ହସନ୍ତି ଏବଂ ଆଉ ଏକ ବଡ଼ ଚାଳିଆ ଭିତରକୁ ଯାଆନ୍ତି। ସେଠାରେ ଥାଏ ଗଦା ଗଦା ନଡ଼ିଆ, ଗୋଟିଏ ବାଲ୍‌ଟିରେ ଅତି ପାଚିଯାଇଥିବା ପିଜୁଳି। “ଆମ ଗାଈ ଏହାକୁ ଖାଇବ। ଏବେ ସେ ସେଇ ପଡ଼ିଆରେ ଅଛି, ଚରୁଛି।” ତା ସାଙ୍ଗରେ କେତେକ ଦେଶୀ କୁକୁଡ଼ା ଥଣ୍ଟରେ ଖୁମ୍ପିବାରେ ଲାଗିଛନ୍ତି, ରାବ ଦେଇ ଏଣେ ତେଣେ ଦୌଡୁଛନ୍ତି।

ଏହା ପରେ ସେ ମୋତେ ତାଙ୍କ ସାର ଗୋଦାମ ଦେଖାନ୍ତି। ଗୋଟିଏ ବଡ଼ ଧଳା ରଙ୍ଗର ପାତ୍ରରେ ଥାଏ ମାଟିକୁ ଉର୍ବର କରିବା ପାଇଁ ୮୦୦ ଟଙ୍କାରେ ସେ କିଣିଥିବା ‘ମୃତ୍ତିକା ଉର୍ବରକ’ ଏବଂ ତା ସହିତ କେତେକ ସଲଫର ଦାନା ଏବଂ ଆଉ କେତେକ ଜୈବିକ ଖତ। “ଏଥର କାର୍ତିଗାଇ ମାସମ୍‌ ରେ (ନଭେମ୍ବର ୧୫ରୁ ଡିସେମ୍ବର ୧୫) ମୁଁ ଭଲ ଅମଳ କରିବାକୁ ଚାହୁଁଛି। ସେତେବେଳକୁ ବିବାହ ଋତୁ ହୋଇଥିବାରୁ ଖୁବ୍‌ ଭଲ ଦର ଥିବ।” ତାଙ୍କର ସେଇ ଚାଳିଆ ଘରର ଗ୍ରାନାଇଟ୍‌ ଖମ୍ବରେ ଆଉଜି ସେ ଅଳ୍ପ ହସି ମୋତେ ଶୁଣାନ୍ତି ତାଙ୍କ ଭଲ ଫସଲର ଭିତିରି କଥା: “ଆପଣଙ୍କୁ ଗଛକୁ ସମ୍ମାନ ଦେବାକୁ ପଡ଼ିବ। ଯଦି ଆପଣ ଏହା କରିବେ, ସେମାନେ ବି ଆପଣଙ୍କୁ ସମ୍ମାନ ଦେବେ।”

PHOTO • M. Palani Kumar
PHOTO • M. Palani Kumar

ତାଙ୍କ ଘର ଅଗଣାରେ ଗଣପତି ତାଙ୍କର ଦୁଇ କୁକୁରଙ୍କ ସହ -ଦୁହିଁଙ୍କୁ ସେ କାରୁପ୍ପୁ (କାଳିଆ) ବୋଲି ଡାକନ୍ତି-  ଡାହାଣ: ଗୋଟିଏ କୁକୁଡ଼ା ଖାଦ୍ୟ ଖୁମ୍ପିବାରେ ଲାଗିଛି

PHOTO • M. Palani Kumar
PHOTO • M. Palani Kumar

ବାମ: ଗୋଟିଏ ସାର ଡବା। ଡାହାଣ: ପୋକ ଆକ୍ରମଣ କରୁଥିବା ମଲ୍ଲୀଗଛର ଅଂଶକୁ ଦେଖାଉଛନ୍ତି ଗଣପତି

ଗଣପତି ଜଣେ ଖୁବ୍‌ ଭଲ ବକ୍ତା। ତାଙ୍କ ପାଇଁ, ତାଙ୍କ ଚାଷଜମି ଏକ ରଙ୍ଗମଞ୍ଚ ଭଳି, ଯେଉଁଠି କି ନିତିଦିନ କିଛି ନା କିଛି ନୂଆ ନାଟକ ମଞ୍ଚସ୍ଥ ହୋଇଥାଏ। “ଗତକାଲି ରାତି ପ୍ରାୟ ୯ଟା ୪୫ ବେଳକୁ ସେପଟରୁ ଚାରିଟି ଘୁଷୁରି ଆସିଲେ। ସେଠି କାରୁପ୍ପୁ ଥିଲା ଏବଂ ସେ ଘୁଷୁରିମାନଙ୍କୁ ଦେଖିଲା। ସେମାନେ ପାଚିଲା ପିଜୁଳିର ବାସ୍ନାରେ ଆକର୍ଷିତ ହୋଇ ଆସିଥିଲେ। ସେ ସେମାନଙ୍କୁ ଘଉଡ଼ାଇ ଦେଲା। ଗୋଟିଏ ଘୁଷୁରି ସେ ପଟକୁ ଦୌଡ଼ି ପଳାଇଲା।” ସେ ତାଙ୍କ ହାତ ବଢ଼ାଇ ମୁଖ୍ୟ ରାସ୍ତା ଆଡ଼କୁ ଦେଖାଇ ଦେଲେ, ସେପଟେ ଗୋଟିଏ ମନ୍ଦିର ଥିଲା ଏବଂ ଚାରିଆଡ଼େ ଖୋଲା ଚାଷଜମି। “ଆପଣ ଏଥିରେ କ’ଣ ବା କରିପାରିବେ?” ବହୁ ପୂର୍ବରୁ ଏଠାରେ ଶିକାରୀ କୋକିଶିଆଳିମାନେ ଥିଲେ। ଏବେ ଆଉ ନାହାନ୍ତି।”

ଘୁଷୁରି ଭଳି କୀଟପତଙ୍ଗ ବି ଅନ୍ୟ ଏକ ସମସ୍ୟା। ମଲ୍ଲୀ କ୍ଷେତରେ ଚାଲୁ ଚାଲୁ ଗଣପତି ବୁଝାଇ ଦିଅନ୍ତି ଯେ କେତେ ଶୀଘ୍ର ଏବଂ କେତେ ତୀବ୍ର ଭାବରେ ନୂଆ ଫୁଲକୁ କୀଟପତଙ୍ଗମାନେ ଆକ୍ରମଣ କରିପାରନ୍ତି। ତା ପରେ, ନିଜ ହାତରେ ଶୂନ୍ୟରେ ବର୍ଗକ୍ଷେତ୍ର ଓ ବୃତ୍ତ ଆଙ୍କି ସେ ଚାରା ଲଗାଇବାର ବିଧି ସଂପର୍କରେ ବୁଝାଇ ଦିଅନ୍ତି ଏବଂ ମୁକ୍ତା ସଦୃଶ ଦିଶୁଥିବା କେତେକ ଫୁଲ ତୋଳି ପ୍ରଶଂସା କରିବା ଲାଗି ସେ ମୋତେ ଦିଅନ୍ତି। ଏବଂ ଶୁଙ୍ଘନ୍ତୁ। “ମଦୁରାଇ ମଲ୍ଲୀର ବାସ୍ନା ସବୁଠାରୁ ଭଲ,” ସେ ଜୋର୍‌ ଦେଇ କହନ୍ତି।

ମୁଁ ସମ୍ମତ ହୁଏ। ଏହାର ବାସ୍ନା ଖୁବ୍‌ ମନମତାଣିଆ ଏବଂ ଯାହାସବୁ ଏକ ସମ୍ମାନଜନକ ସ୍ଥିତିର ଅନୁଭୂତି ଆଣିଦିଏ ତାହା ହେଲା: ସେ ଖୋଳିଥିବା କୂଅ ପାଖ ଦେଇ ଗାଢ଼ ଧୂସର ମାଟିରେ ଚାଲି ଚାଲି ବୁଲିବା, ଆମ ପାଦତଳେ ମକଚି ହେଉଥିବା ଛୋଟ ଛୋଟ ଗୋଡ଼ିର କଡ଼ମଡ଼ ଶବ୍ଦ, ଚାଷବାସ ସଂପର୍କିତ ଗଣପତିଙ୍କ ଜ୍ଞାନଭରା କଥା ଏବଂ ପତ୍ନୀ ପିଚୈୟାମ୍ମାଙ୍କ ପ୍ରତି ତାଙ୍କର ସମ୍ମାନବୋଧ। “ଆମେ ବଡ଼ ଜମିଦାର ନୁହଁ, ଆମେ ଚିନ୍ନା ସଂସାରୀ (ଛୋଟ ଜମି ମାଲିକ), ଆଉ ଆମେ କେବଳ ଘରେ ବସି ଲୋକଙ୍କୁ ଆଦେଶ ଦେଇପାରିବୁନି। ମୋ ସ୍ତ୍ରୀ ଆମ ମଜୁରିଆମାନଙ୍କ ସହ ମିଶି କାମ କରନ୍ତି, ଆଉ ଆପଣ ଜାଣନ୍ତି, ଏମିତି ହିଁ ଆମ ସଂସାର ଚଳେ।”

*****

ଅତି କମ୍‌ରେ ୨,୦୦୦ ବର୍ଷ କାଳ ଏ ଅଞ୍ଚଳରେ ମଲ୍ଲୀଫୁଲ ନିଜର ସ୍ଥିତି ବଜାୟ ରଖିଛି ଏବଂ ଏହାର ଏକ ଅସାମାନ୍ୟ ଇତିହାସ ବି ରହିଛି। ଗୋଟି ଗୋଟି କରି ମଲ୍ଲୀକୁ ନେଇ ମାଳଟିଏ ପ୍ରସ୍ତୁତ କରିବା ଭଳି ତାମିଲ ଅତୀତ ସହିତ ଗୁନ୍ଥି ହୋଇ ରହିଛି ଏହି ଫୁଲ। ଏହାର ଆକାର ଓ ସୁଗନ୍ଧ ଇତିହାସକୁ ସମୃଦ୍ଧ କରିଛି। ହାୱାଇରେ ରହୁଥିବା ସଂଗମ ତାମିଲ ବିଦ୍ୱାନ ଏବଂ ଅନୁବାଦକ ବୈଦେହୀ ହର୍ବଟ କହନ୍ତି, ସଂଗମ ସାହିତ୍ୟରେ ଅନ୍ୟାନ୍ୟ ଫୁଲ ସହିତ ୧୦୦ରୁ ଅଧିକ ଥର ମୁଲ୍ଲାଇ ଉଲ୍ଲେଖ କରାଯାଇଛି - ସେତେବେଳେ ମଲ୍ଲୀଫୁଲକୁ ମୁଲ୍ଲାଇ ବୋଲି କୁହାଯାଉଥିଲା। ଖ୍ରୀଷ୍ଟପୂର୍ବ ୩୦୦ ଏବଂ ୨୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଲିଖିତ ସଙ୍ଗମ ଯୁଗର ସମସ୍ତ ୧୮ଟି ପୁସ୍ତକକୁ ଇଂଲିଶରେ ଅନୁବାଦ କରିଛନ୍ତି ବୈଦେହୀ ଏବଂ ବିନା କୌଣସି ପାଉଣାରେ ସେ ଅନ୍‌ଲାଇନ୍‌ରେ ଏହାର ଉପସ୍ଥାପନା କରନ୍ତି

ତାଙ୍କ ମତରେ ମୁଲ୍ଲାଇ ଶବ୍ଦ ହିଁ ମଲ୍ଲିଗାଇ ଶବ୍ଦର ମୂଳରୂପ, ଯାହାକୁ କି ଏବେ ଆମେ ମଲ୍ଲୀ ନାମରେ ଜାଣିଛୁ। ସଙ୍ଗମ କବିତାର ପାଞ୍ଚଟି ଆଭ୍ୟନ୍ତରୀଣ ପ୍ରାକୃତିକ ଦୃଶ୍ୟପଟ୍ଟ – ‘ ଆକାମ ତିନ୍ନାଇ -ରୁ ଗୋଟିଏ ହେଉଛି ମୁଲ୍ଲାଇ ଏବଂ ଏହା ଜଙ୍ଗଲ ଓ ସଂଲଗ୍ନ ସ୍ଥାନଗୁଡ଼ିକୁ ସୂଚାଇ ଥାଏ। ଅନ୍ୟ ଚାରିଟି ମଧ୍ୟ ବିଭିନ୍ନ ଫୁଲ କିମ୍ବା ଗଛ ନାମରେ ନାମିତ ହୋଇଛି ଏବଂ ସେଗୁଡ଼ିକ ହେଲା: କୁରିଞ୍ଜି (ପର୍ବତ), ମରୁତମ୍‌ (କ୍ଷେତ), ନୈତାଲ (ସମୁଦ୍ର କୂଳ) ଏବଂ ପୋଲାଇ (ଶୁଷ୍କ ମରୁଭୂମି)।

PHOTO • M. Palani Kumar

ମଦୁରାଇ ଜିଲ୍ଲା ଉସିଲାମପାଟ୍ଟି ତାଲୁକାର ନାଦୁମୁଦାଲାଇକୁଲାମ ପଲ୍ଲୀରେ ଥିବା ପାଣ୍ଡିଙ୍କ କ୍ଷେତରେ ମଲ୍ଲୀ କଢ଼ ଓ ଫୁଲର ସମ୍ଭାର

ତାଙ୍କ ବ୍ଲଗ୍‌ରେ , (ବୈଦେହୀ ଉଲ୍ଲେଖ କରନ୍ତି ଯେ ସଙ୍ଗମ ଯୁଗର ଲେଖକମାନେ ନିଜ ଲେଖାରେ କାବ୍ୟିକ ଲାଳିତ୍ୟ ସୃଷ୍ଟି କରିବା ଲାଗି “ ଆକାମ ତିନାଇ ”ର ଉପଯୋଗ କରିଛନ୍ତି। ତାଙ୍କ ମତ ଅନୁସାରେ ସେମାନଙ୍କ ଲେଖାରେ ପ୍ରଦତ୍ତ ରୂପକ ଏବଂ ଉପମାଗୁଡ଼ିକ “ନିର୍ଦ୍ଦିଷ୍ଟ ଏକ ପ୍ରାକୃତିକ ଦୃଶ୍ୟପଟ୍ଟରେ ସନ୍ନିହିତ ଉପାଦାନ ଭିତ୍ତିରେ ରଚିତ ହୋଇଛି। କବିତାଗୁଡ଼ିକର ବାସ୍ତବ ରୂପରେଖ ସହିତ ବିଭିନ୍ନ ଚରିତ୍ରର ଭାବଧାରା ପରିପ୍ରକାଶ ନିମନ୍ତେ ଉଦ୍ଭିଦ ଓ ପ୍ରାଣୀ ଜଗତ ସହିତ ସେହି ସବୁ ପ୍ରାକୃତିକ ପରିଦୃଶ୍ୟଗୁଡ଼ିକୁ ବ୍ୟବହାର କରାଯାଇଛି।” ମୁଲ୍ଲାଇ ପ୍ରାକୃତିକ ଦୃଶ୍ୟାବଳୀ ପ୍ରେକ୍ଷାପଟ୍ଟରେ ରଚିତ ସେହି ସବୁ ସାହିତ୍ୟର ମୂଳକଥା ହେଉଛି “ଧୈର୍ଯ୍ୟର ସହ ପ୍ରତୀକ୍ଷା”। ଅର୍ଥାତ୍‌, କୌଣସି ସ୍ଥାନକୁ ଯାତ୍ରା କରିଥିବା ନାୟକର ଫେରିବା ବାଟକୁ ଅପେକ୍ଷା କରିଛି ନାୟିକା।

୨୦୦୦ ବର୍ଷରୁ ଅଧିକ କାଳ ପୂର୍ବରୁ ରଚିତ ଏହି ଆଇଙ୍କୁରୁନୁରୁ କବିତାରେ, ପୁରୁଷ ହିଁ ତା’ ନାରୀର ଶରୀରରେ ସୂକ୍ଷ୍ମ ବୈଶିଷ୍ଟ୍ୟ କାମନା କରେ:

ଯେମିତି ଏକ ମୟୂରଟିଏ ତୁମ ଭଳି ନାଚି ଉଠେ
ଯେମିତି କି ମଲ୍ଲୀ ଫୁଲ ଫୁଟିବାର ସୁଗନ୍ଧ
ଠିକ୍‌ ତମ କପାଳର ବାସ୍ନା ପରି
ଯେମିତି କି ଭୀତତ୍ରସ୍ତ ହରିଣୀଟିଏ ତୁମ ଭଳି ଚାହିଁଥାଏ
ତୁମ କଥା ଭାବି ମୁଁ ତରବରରେ ଘରକୁ ଫେରେ
ହେ ମୋ ନାୟିକା, ତମେ ମୌସୁମୀ ବାଦଲଠାରୁ ବି ଅଧିକ କ୍ଷୀପ୍ର।

ସଙ୍ଗମ ଯୁଗୀୟ କବିତାର ଅନୁବାଦକ ଚେନ୍ଥିଲ ନାଥନ୍‌, ‘ଓଲ୍‌ଡ୍‌ତାମିଲପୋଏଟ୍ରି.କମ୍‌’ (OldTamilPoetry.com) ନାମକ ୱେବ୍‌ସାଇଟ୍‌ ପରିଚାଳନା କରନ୍ତି। ସେ ମୋତେ ଅନ୍ୟ ଏକ ରଚନାର ସନ୍ଧାନ ଦେଲେ। ଏହା ସଙ୍ଗମ କବିତାରେ ଉଲ୍ଲିଖିତ ସାତ ଜଣ ବିଶିଷ୍ଟ ପୃଷ୍ଠପୋଷକଙ୍କ ମଧ୍ୟରୁ ଅନ୍ୟତମ ଚିଫ୍‌ ପରିଙ୍କ ସମ୍ବନ୍ଧରେ ରଚିତ। ଚେନ୍ଥିଲ କହନ୍ତି, ଏହା ଏକ ସୁଦୀର୍ଘ କବିତା। କିନ୍ତୁ ଏହି ଚାରିଟି ଧାଡ଼ି ଖୁବ୍‌ ସୁନ୍ଦର। ଏବଂ ପ୍ରାସଙ୍ଗିକ ବି।

ସୁବିସ୍ତୃତ ପ୍ରସିଦ୍ଧିର ପରୀ,
ଯେ ତାଙ୍କ ଘଣ୍ଟାଖଚିତ ରାଜକୀୟ ରଥକୁ ତ୍ୟାଗ କଲେ
ଆଶ୍ରୟ ନ ପାଇ ଲୋଟିପଡ଼ିଥିବା ମଲ୍ଲୀଫୁଲର ଏକ ଲତା ପାଇଁ
ଯଦିବା ସେ କେବେ ବି ଗାଇପାରିବନି ତାଙ୍କ ପ୍ରଶଂସାର ଗୀତି

ପୁରାନାନୁରୁ ୨୦୦ , ଧାଡ଼ି ୯ରୁ ୧୨

ଆଜିକାଲି ତାମିଲନାଡୁର ବ୍ୟାପକ ଅଞ୍ଚଳରେ ଚାଷ କରାଯାଉଥିବା ମଲ୍ଲୀ ଫୁଲର ବିଭିନ୍ନ ପ୍ରଜାତିର ବୈଜ୍ଞାନିକ ନାମ ହେଉଛି ଜସ୍‌ମିନମ୍‌ ସାମ୍ବାକ୍‌ ( Jasminum sambac ) ସାରା ଦେଶରେ ଗୋଟିକିଆ ଫୁଲଚାଷରେ ରାଜ୍ୟ ଅଗ୍ରଣୀ ସ୍ଥାନରେ ରହିଛି (କଟା ଫୁଲରେ ନୁହେଁ)। ଏବଂ ମଲ୍ଲୀ ଉତ୍ପାଦନ ରେ ଏହାର ସ୍ଥାନ ପ୍ରଥମ। ଭାରତରେ ଉତ୍ପାଦିତ ମୋଟ  ୨୪୦, ୦୦୦ ଟନ୍‌ ମଲ୍ଲୀରୁ ତାମିଲନାଡୁରୁ ୧୮୦,୦୦୦ ଟନ୍‌ ଉତ୍ପାଦିତ ହୁଏ।

ମଦୁରାଇ ମଲ୍ଲୀର ନାଁ ସହିତ GI ( ଭୌଗୋଳିକ ସଂକେତ ) ଯୋଡ଼ି ହୋଇଛି ଏବଂ ଏହି ଫୁଲର ଅନେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି। ସେଥିରେ, ‘ତୀବ୍ର ସୁଗନ୍ଧ, ମୋଟା ମୋଟା ପାଖୁଡ଼ା, ସବୁଠାରୁ ଲମ୍ବା ବୃନ୍ତ, କଢ଼ ମେଲିବାରେ ବିଳମ୍ବ, ପାଖୁଡ଼ାର ରଙ୍ଗ ଫିକା ପଡ଼ିବାରେ ବିଳମ୍ବ ଏବଂ ଗୁଣବତ୍ତା ବଜାୟ ରଖିବା (ଦୀର୍ଘ ଦିନ ଯାଏ ସଂରକ୍ଷଣ କରାଯାଇପାରେ)’ ପ୍ରଭୃତି ଅନ୍ତର୍ଭୁକ୍ତ।

PHOTO • M. Palani Kumar

ମଲ୍ଲୀଫୁଲରେ ବସି ରସ ପିଉଛି ପ୍ରଜାପତି

ଅନ୍ୟ କେତେକ ପ୍ରକାର ମଲ୍ଲୀଫୁଲର ମଜାଳିଆ ନାଁ ସବୁ ରହିଛି। ମଦୁରାଇ ମଲ୍ଲୀ ବ୍ୟତୀତ, ସେଗୁଡ଼ିକ ଗୁଣ୍ଡୁ ମଲ୍ଲୀ, ନାମ୍ମା ଓରୁ ମଲ୍ଲୀ, ଆମ୍ବୁ ମଲ୍ଲୀ, ରାମବନମ୍‌, ମାଧନବନମ୍‌, ଇରୁବାଚ୍ଚି, ଇରୁବାଚ୍ଚିପୁ, କସ୍ତୁରୀ ମଲ୍ଲୀ, ଉସୀ ମଲ୍ଲୀ ଏବଂ ସିଙ୍ଗଲ ମୋଗ୍ରା ନାମରେ ପରିଚିତ।

ହେଲେ, ମଦୁରାଇ ମଲ୍ଲୀ କେବଳ ମଦୁରାଇ ଜିଲ୍ଲାରେ ସୀମିତ ନୁହେଁ, ବରଂ ବିରୁଧୁନଗର, ଥେନି, ଦୁଣ୍ଡିଗଲ ଏବଂ ଶିବଗଙ୍ଗାଇ ସମେତ ଅନ୍ୟାନ୍ୟ କେତେକ ଜିଲ୍ଲାରେ ମଧ୍ୟ ଏହା ଚାଷ କରାଯାଏ।  ତାମିଲନାଡୁର ମୋଟ ଚାଷ ଜମିର ୨.୮ ପ୍ରତିଶତ ଜମିରେ ଫୁଲଚାଷ କରାଯାଉଥିବା ବେଳେ ଏଥିରୁ ୪୦ ପ୍ରତିଶତ ଜମିରେ କେବଳ ମଲ୍ଲୀ ଚାଷ କରାଯାଇଥାଏ। ରାଜ୍ୟର ପ୍ରତି ଛଅଟିରୁ ଗୋଟିଏ ମଲ୍ଲୀ କ୍ଷେତ, ଅର୍ଥାତ୍‌ ମୋଟ ୧୩,୭୧୯ ହେକ୍ଟରରୁ ୧,୬୬୬ ହେକ୍ଟର ମଲ୍ଲୀଫୁଲ କ୍ଷେତ, ମଦୁରାଇ ଅଞ୍ଚଳରେ ରହିଛି।

କାଗଜପତ୍ରରେ ଏହି ସଂଖ୍ୟା ବେଶ୍‌ ଆମୋଦଦାୟକ ହୋଇଥିଲେ ହେଁ ଦରଦାମର ହ୍ରାସବୃଦ୍ଧି ଯୋଗୁଁ ଚାଷୀମାନେ ହନ୍ତସନ୍ତ ହୁଅନ୍ତି। ଅନିୟନ୍ତ୍ରିତ ଦରଦାମକୁ ଗୋଟିଏ ଶବ୍ଦରେ କହିଲେ ଏହା ପାଗଳପ୍ରାୟ। ନୀଲାକୋଟ୍ଟାଇ ବଜାରରେ ‘ଅତର’ ପାଇଁ କିଣାଯାଉଥିବା ମଲ୍ଲୀର ମୂଳ ଦର କିଲୋଗ୍ରାମ ପିଛା ୧୨୦ ଟଙ୍କା ରହିଥିବା ବେଳେ ମାଟ୍ଟୁତାବାଣୀ ଫୁଲ ବଜାରରେ (ସେପ୍ଟେମ୍ବର ୨୦୨୨ ଏବଂ ଡିସେମ୍ବର ୨୦୨୧ରେ) ଏହାର ମୂଲ୍ୟ ୩,୦୦୦ ଏବଂ ୪,୦୦୦ ଟଙ୍କା ରହିଥିଲା। ଦରଦାମର ଏହି ତାରତମ୍ୟ ଆଶ୍ଚର୍ଯ୍ୟଜନକ ଏବଂ ଉଦ୍ଭଟ ଓ କ୍ଷଣସ୍ଥାୟୀ ମନେହୁଏ।

*****

ଫୁଲଚାଷ ଲଟେରୀ ସଦୃଶ। ଏଥିରେ ଠିକ୍‌ ସମୟରେ ଉତ୍ପାଦନ ହିଁ ବଡ଼କଥା। “ଯଦି ପର୍ବପର୍ବାଣୀ ଋତୁରେ ଆପଣଙ୍କ ଗଛରେ ଫୁଲ ଧରେ ତା’ହେଲେ ଆପଣ ଖୁବ୍‌ ଲାଭ କରନ୍ତି। ଅନ୍ୟଥା, ଏହାକୁ ଜୀବିକା ରୂପେ ଗ୍ରହଣ କରିବା ଆଗରୁ ଆପଣଙ୍କ ପିଲାମାନେ ଦୁଇ ଥର ଭାବିବେ, ଭାବିବେ କି ନାହିଁ ? ସେମାନେ କେବଳ ସେମାନଙ୍କ ବାପାମାଆଙ୍କ ଦୁଃଖକଷ୍ଟ ଯାହା ଦେଖିଥାଆନ୍ତି। ନୁହେଁ କି ?” ଉତ୍ତର ପାଇଁ ଅପେକ୍ଷା ନକରି ଗଣପତି ତାଙ୍କ କଥା ଆଗକୁ ବଢ଼ାନ୍ତି। “ଜଣେ କ୍ଷୁଦ୍ରଚାଷୀ ଜଣେ ବଡ଼ ଚାଷୀଙ୍କ ସହ ପ୍ରତିଯୋଗିତା କରିପାରିବନି। ବଡ଼ ଚାଷୀ ଜଣକ ଯଦି ତାଙ୍କ ବିଶାଳ ଜମିରୁ ୫୦ କିଲୋ ଫୁଲ ତୋଳିବାକୁ ମଜୁରିଆ ଦରକାର କରନ୍ତି, ତେବେ ସେ ୧୦ ଟଙ୍କା ଲେଖାଏଁ ଅଧିକ ଦେଇପାରିବେ, ସେମାନଙ୍କୁ ଗାଡ଼ିରେ ବସାଇ କ୍ଷେତକୁ ନେଇପାରିବେ ଏବଂ ଜଳଖିଆ ବି ଦେଇପାରିବେ। ଆମେ ତାହା କରିପାରିବୁ କି ?”

ଅନ୍ୟ କ୍ଷୁଦ୍ର ଚାଷୀଙ୍କ ଭଳି, ବଡ଼ ବଡ଼ ବ୍ୟବସାୟୀଙ୍କ ପାଖରେ “ଆଦାଇକଲାମ”, ଆଶ୍ରୟ ନିଅନ୍ତି। ଗଣପତି କହନ୍ତି, “ବହୁ ପରିମାଣରେ ଫୁଲ ଫୁଟିବା ସମୟରେ ସେ ଅନେକ ଥର ବଜାରକୁ ଯାଆନ୍ତି। ସକାଳେ, ଅପରାହ୍‌ଣରେ, ସନ୍ଧ୍ୟାରେ ସେ ବସ୍ତା ବସ୍ତା ଫୁଲ ନେଇ ଯାଆନ୍ତି। ମୋ ଫୁଲ ବିକିବା ଲାଗି ମୁଁ ବ୍ୟବସାୟୀମାନଙ୍କ ସହାୟତା ଲୋଡ଼େ।” ପ୍ରତି ଗୋଟିଏ ଟଙ୍କାର ମଲ୍ଲୀଫୁଲ ଉପରେ ବେପାରୀମାନେ ୧୦ ପଇସା କମିଶନ ଦାବି କରନ୍ତି।

ପାଞ୍ଚ ବର୍ଷ ତଳେ, ପୁକାଡ଼ାଇ ରାମଚନ୍ଦ୍ରନ ନାମକ ମଦୁରାଇର ଜଣେ ବଡ଼ ଫୁଲ ବ୍ୟବସାୟୀଙ୍କ ପାଖରୁ ଗଣପତି କେତେ ଲକ୍ଷ ଟଙ୍କା ଧାର ନେଇଥିଲେ। ସେ ଥିଲେ ମଦୁରାଇ ଫୁଲ ବଜାର ସଂଘର ସଭାପତି। ତାଙ୍କୁ ଫୁଲ ବିକ୍ରି କରି ହିଁ ଗଣପତି ଋଣ ଟଙ୍କା ଶୁଝିଥିଲେ। ଏଭଳି କାରବାରରେ କମିଶନ ବି ଅଧିକ ଦେବାକୁ ହୁଏ ଏବଂ ଏହା  ୧୦ରୁ ୧୨ ଦଶମିକ ୫ ପ୍ରତିଶତକୁ ବୃଦ୍ଧି ପାଇଥାଏ।

କୀଟନାଶକ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବା ଲାଗି କ୍ଷୁଦ୍ର ଚାଷୀମାନେ ସ୍ୱଳ୍ପକାଳୀନ ଋଣ ମଧ୍ୟ ନେଇଥାଆନ୍ତି। ଏବଂ ଗଛ ଓ ପୋକ ମଧ୍ୟରେ ଲଢ଼େଇ ଅବ୍ୟାହତ ରହେ। ବିଡ଼ମ୍ବନାର ବିଷୟ ଯେ, ମାଣ୍ଡିଆ ଭଳି ଶକ୍ତ ଶସ୍ୟ କ୍ଷେତକୁ ମଧ୍ୟ ହାତୀ ଭଳି ବିଶାଳକାୟ ପ୍ରାଣୀ ଆକ୍ରମଣ କରିପାରେ। ନିଜ ନିଜର ମାଣ୍ଡିଆ କ୍ଷେତ ବଞ୍ଚାଇବା ଦିଗରେ ଚାଷୀମାନେ ଫଳପ୍ରଦ ଉପାୟ ଖୋଜିବା ଲାଗି ବହୁ ସଂଘର୍ଷ କରନ୍ତି। ହେଲେ ସବୁବେଳେ ସେମାନଙ୍କୁ ସଫଳତା ମିଳେନାହିଁ। ସୁତରାଂ ସେମାନଙ୍କ ମଧ୍ୟରୁ ଅନେକ ଫୁଲଚାଷକୁ ଆଦରି ନେଇଛନ୍ତି। ମଦୁରାଇର ଫୁଲଚାଷ ଇଲାକାର ଚାଷୀମାନଙ୍କୁ ଅନେକ କ୍ଷୁଦ୍ର ଜୀବ ସହିତ ସଂଘର୍ଷ କରିବାକୁ ପଡ଼େ- ଯେମିତି କି କଢ଼ରେ ଲାଗୁଥିବା ପୋକ, ଫୁଲ ଫୁଟିବା ପରେ ଲାଗୁଥିବା କୀଟ, ପତ୍ରଖିଆ ପୋକ ଏବଂ ଉଈ। ଏହି ପୋକ ଲାଗିଲେ ଫୁଲର ରଙ୍ଗ ଫିକା ପଡ଼ିଯାଏ, ଗଛ ନଷ୍ଟ ହୋଇଯାଏ ଏବଂ ଚାଷୀମାନେ ହତାଶ ହୋଇଯାଆନ୍ତି।

PHOTO • M. Palani Kumar

ମଦୁରାଇ ଜିଲ୍ଲାର ତିରୁମଲ ଗାଁରେ ପୋକ ଲାଗିଥିବା ତାଙ୍କ ମଲ୍ଲୀଫୁଲ କ୍ଷେତରେ କାର୍ଯ୍ୟରତ ଚିନ୍ନାମା

PHOTO • M. Palani Kumar
PHOTO • M. Palani Kumar

ଉଭୟ ପିଲା ଓ ବୁଢ଼ା ଫୁଲ ତୋଳିବାରେ ଲାଗି ପଡ଼ନ୍ତି। ଡାହାଣ: ତିରୁମଲ ଗାଁର ଏକ ମଲ୍ଲୀଫୁଲ କ୍ଷେତକୁ ଲାଗି ରହିଛି କବାଡ଼ି ଖେଳ ପଡ଼ିଆ

ଗଣପତିଙ୍କ ଘରଠାରୁ ଅଳ୍ପ କିଛି ଦୂର ତିରୁମଲ ଗାଁରେ ଆମେ ଦେଖିଲୁ ଯେ ଗୋଟିଏ ମଲ୍ଲୀଫୁଲ କ୍ଷେତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଉ ଏହା ସହିତ ନଷ୍ଟ ହୋଇଯାଇଛି ଅନେକ ସ୍ୱପ୍ନ। ଏହି ମଲ୍ଲୀ ତୋଟ୍ଟାମ୍‌ (ମଲ୍ଲୀ କ୍ଷେତ)ର ମାଲିକ ହେଉଛନ୍ତି ୫୦ ବର୍ଷୀୟା ଆର୍‌. ଚିନ୍ନାମ୍ମା ଏବଂ ତାଙ୍କ ସ୍ୱାମୀ ରାମାର। ମଲ୍ଲୀଫୁଲ ଫୁଟିଥିବାରୁ ସେମାନଙ୍କର ଦୁଇ ବର୍ଷ ପୁରୁଣା ଗଛଗୁଡ଼ିକ ଧଳା ଦିଶୁଛନ୍ତି। କିନ୍ତୁ ସେଗୁଡ଼ିକ ସବୁ “ନିମ୍ନ ମାନର ଫୁଲ ଏବଂ ଖୁବ୍‌ କମ୍‌ ଦରରେ ବିକ୍ରି ହେବ” ବୋଲି ଚିନ୍ନାମ୍ମା କହନ୍ତି। ପତିପତ୍ନୀ ଦୁହେଁ ରୋଗରେ ପୀଡ଼ିତ। ଦୀର୍ଘଶ୍ୱାସ ଛାଡ଼ି, ଜିଭ ବାହାର କରି ଏବଂ ମୁଣ୍ଡ ହଲାଇ ସେ କହନ୍ତି. “ଏ ଫୁଲଗୁଡ଼ିକ ଆଉ ଫୁଟିବନି କି ବଡ଼ ହେବନି।”

ଯାହାହେଲେ ବି ଫୁଲଚାଷ ଲାଗି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼େ। ବୁଢ଼ାବୁଢ଼ୀ, ଛୋଟପିଲା ଏବଂ କଲେଜ ପଢୁଆ ଝିଅ, ସମସ୍ତେ ଫୁଲତୋଳାରେ ଲାଗନ୍ତି। ଆମକୁ ଏ କଥା କହୁଥିବା ବେଳେ ଚିନ୍ନାମା ଅତି ଯତ୍ନରେ ଗଛ ଡାଳକୁ ଧରନ୍ତି, ଫୁଲକଢ଼ ଖୋଜନ୍ତି ଏବଂ ତୋଳିଥିବା କଢ଼କୁ କଣ୍ଡାଙ୍ଗି ଶୈଳୀରେ ସେ ପିନ୍ଧିଥିବା ଶାଢ଼ିରେ ରଖନ୍ତି। ତାଙ୍କ ସ୍ୱାମୀ ରାମର କ୍ଷେତରେ ଅନେକ ପ୍ରକାର କୀଟନାଶକ ପ୍ରୟୋଗ କଲେ। “ସେ ଅନେକ ଦାମୀ ଔଷଧ” ପକାଇଲେ। ସେସବୁ ସାଧାରଣ କୀଟନାଶକ ନୁହେଁ। ଲିଟର ପିଛା ଆମକୁ ୪୫୦ ଟଙ୍କା ପଡ଼େ। ହେଲେ କିଛି କାମ ଦେଲାନି ! ଏମିତି ଏକ ସମୟ ଆସିଲା ଯେତେବେଳେ କି ନିଜେ ଦୋକାନ ମାଲିକ ହିଁ ଆଉ ଅଧିକ ପଇସା ନଷ୍ଟ ନକରିବାକୁ କହିଲେ।” ତା’ପରେ ରାମର ଚିନ୍ନାମ୍ମାଙ୍କୁ କହିଲେ, “ଗଛଗୁଡ଼ିକ ଓପାଡ଼ି ଫିଙ୍ଗି ଦିଅ। ଆମେ ଦେଢ଼ ଲକ୍ଷ ଟଙ୍କା କ୍ଷତି ସହିଲୁଣି।”

ସେଥିପାଇଁ ହିଁ ତାଙ୍କ ସ୍ୱାମୀ କ୍ଷେତରେ ନଥିଲେ ବୋଲି ଚିନ୍ନାମ୍ମା କହିଲେ। ସେ କହନ୍ତି, “ ବାୟିତେରିଚାଲ ,” ତାମିଲ ଭାଷାରେ ତିକ୍ତତା ଓ ଅସୂୟାକୁ ସୂଚାଉଥିବା ଏହି ଶବ୍ଦର ଆକ୍ଷରିକ ଅର୍ଥ ପେଟ ପୋଡ଼ିଯିବା। “ଅନ୍ୟମାନେ ଯେତେବେଳେ ମଲ୍ଲୀ କିଲୋ ପିଛା ୬୦୦ ଟଙ୍କା ପାଆନ୍ତି ଆମକୁ ମିଳେ ମାତ୍ର ୧୦୦ ଟଙ୍କା।” ହେଲେ, ଗଛ ପ୍ରତି ତାଙ୍କର ରାଗ ଓ ବିରକ୍ତିଭାବ ନଥାଏ। ସେ ଅତି ଯତ୍ନରେ ଗଛର ଡାଳକୁ ଧରନ୍ତି, କଢ଼ ତୋଳିବା ପାଇଁ ଯେତିକି ଆବଶ୍ୟକ ଠିକ୍‌ ସେତିକି ମୋଡ଼ନ୍ତି। “ଆମ ଫୁଲଚାଷ ଭଲ ହୋଇଥିଲେ ଗୋଟିଏ ଗୋଟିଏ ଗଛରୁ ଫୁଲ ତୋଳିବାରେ ବହୁ ସମୟ ଲାଗିଥାଏ। ହେଲେ ଏବେ... ” ତରବର ହୋଇ ପରବର୍ତ୍ତୀ ଗଛ ପାଖକୁ ଆଗେଇ ଯାଆନ୍ତି।

କାନ୍ଧରେ ତଉଲିଆ ପକାଉ ପକାଉ ଚିନ୍ନାମ୍ମାଙ୍କ ଗଛକୁ ହାତରେ ଧରି ଗଣପତି କହନ୍ତି ଯେ ଫୁଲ ଅମଳ ଅନେକ କାରଣ ଉପରେ ନିର୍ଭର କରେ। “ମାଟି, ଗଛର ବୃଦ୍ଧି ଏବଂ ଚାଷୀଙ୍କ ଦକ୍ଷତା ଅନୁସାରେ ଏହା ନିର୍ଦ୍ଧାରିତ ହୁଏ। ଏହାକୁ ଆପଣ ଶିଶୁଟିଏ ଭଳି ବଢ଼ାନ୍ତି।” ପୁଣି ଥରେ ସେ ତାହା କହନ୍ତି। “ଶିଶୁଟିଏ ଆପଣଙ୍କୁ ଏଇଟା ଦିଅ କି ସେଇଟା ଦିଅ ବୋଲି କହିପାରିବନି। ଠିକ୍‌ ନୁହେଁ କି ? ଆପଣଙ୍କୁ ଅନୁମାନ କରିବାକୁ ପଡ଼ିବ ଏବଂ ନିଜ ବୁଦ୍ଧି ଅନୁସାରେ ତା’ର ଆବଶ୍ୟକତା ପୁରଣ କରିବାକୁ ହେବ। ଗଛଟିଏ ପିଲାଙ୍କ ଭଳି କାନ୍ଦି ପାରିବନି। କିନ୍ତୁ ଆପଣଙ୍କର ଯଦି ଅନୁଭୂତି ଅଛି, ଆପଣ ଜାଣିପାରିବେ... ଯେ ଗଛଟି ଅସୁସ୍ଥ, କି ରୋଗଗ୍ରସ୍ତ, କିମ୍ବା ମରିଯିବା ଉପରେ।”

ବିଭିନ୍ନ ରାସାୟନିକ ଦ୍ରବ୍ୟର ମିଶ୍ରଣ ପ୍ରୟୋଗ କରି ଏଥିରୁ ଅଧିକାଂଶ ରୋଗର ‘ଚିକିତ୍ସା’ କରାଯାଏ। ଜୈବିକ ଉପାୟରେ ମଲ୍ଲୀ ଚାଷ ସଂପର୍କରେ ମୁଁ ତାଙ୍କୁ ପଚାରେ। ତାଙ୍କ ଉତ୍ତରରେ ଜଣେ କ୍ଷୁଦ୍ର ଚାଷୀଙ୍କ ଦ୍ୱନ୍ଦ୍ୱ ଭରି ରହିଥାଏ। ଗଣପତି କହନ୍ତି, “ଆପଣ କରିପାରିବେ, କିନ୍ତୁ ସେଥିରେ ଅନେକ କ୍ଷତିର ଆଶଙ୍କା ବି ରହିଛି। ମୁଁ ବି ଜୈବିକ ଚାଷ ସଂପର୍କିତ ପ୍ରଶିକ୍ଷଣରେ ଭାଗ ନେଇସାରିଛି।” ଶାଣିତ ସ୍ୱରରେ ସେ ପଚାରନ୍ତି, “ହେଲେ ଏହି ଫୁଲକୁ ଅଧିକ ମୂଲ୍ୟରେ କିଏ ବା କିଣିବ ?”

PHOTO • M. Palani Kumar
PHOTO • M. Palani Kumar

ବାମ: ଅନେକ ସୁସ୍ଥ ମଲ୍ଲୀ ଗଛ ଘେରରେ ରହିଥିବା ମୃତ ଗଛଟିଏ। ଡାହାଣ: ପାଦି (ମାପିବା ପାଇଁ ଥିବା  ଡବା) ସହିତ ଗୋଟିଏ ପାତ୍ରରେ ମଲ୍ଲୀକଢ଼ । ପ୍ରତିଟି ଶ୍ରମିକ ତୋଳିଥିବା ଫୁଲକଢ଼ ମାପିବା ପାଇଁ ଏହା ବ୍ୟବହୃତ ହୁଏ ଏବଂ ସେହି ଅନୁସାରେ ମଜୁରି ଦିଆଯାଏ

PHOTO • M. Palani Kumar

ଗପସପ କରି, ଗୀତ ଶୁଣି ଶୁଣି ଫୁଲ ଫୁଟି ଯିବା ଆଗରୁ ବଜାରରେ ପହଞ୍ଚାଇବା ଲାଗି ତରବର ହୋଇ ଫୁଲତୋଳାରେ ଲାଗି ପଡ଼ିଛନ୍ତି ଦଳେ ମଲ୍ଲୀ ତୋଳାଳି, ସେମାନଙ୍କ ମଧ୍ୟରେ ଅଛନ୍ତି ଉଭୟ ମାଲିକ ଓ ଶ୍ରମିକ

“ରାସାୟନିକ ସାର ପ୍ରୟୋଗ ବଳରେ ଭଲ ଅମଳ ହୁଏ। ଏବଂ ଏହା ସହଜ ମଧ୍ୟ। ଜୈବିକ ଚାଷରେ ବହୁ ସମସ୍ୟା ଏବଂ ଏଥିରେ ଗୋଳେଇ ଘାଣ୍ଟି ହେବାକୁ ପଡ଼େ। ଆପଣ ସବୁ ସାମଗ୍ରୀକୁ ଗୋଟିଏ କୁଣ୍ଡରେ ରଖନ୍ତି ଏବଂ ଅତି ଯତ୍ନର ସହ ଛିଞ୍ଚନ୍ତି। ହେଲେ ବଜାରକୁ ନେଲେ ସେହି ଏକା ଦର ମିଳେ ! ଏହା ଅତି ଦୁଃଖର କଥା। କାରଣ ଜୈବିକ ପଦ୍ଧତିରେ ଚାଷ କରାଯାଇଥିବା ମଲ୍ଲୀଫୁଲ ବଡ଼ ଓ ତୋଫା ଧଳା ରଙ୍ଗର ହୋଇଥାଏ। ଯଦି ଏଥିପାଇଁ ଭଲ ଦର ନ ମିଳେ, ଯେମିତି କି ଦୁଇ ଗୁଣ ଅଧିକ ଦର- ତା’ହେଲେ ଏତେ ସମୟ ଓ ପରିଶ୍ରମ କରିବା ଅର୍ଥହୀନ ହୋଇପଡ଼େ।”

ତାଙ୍କ ପରିବାର ପାଇଁ ସେ ଜୈବିକ ପଦ୍ଧତିରେ ପନିପରିବା ଚାଷ କରନ୍ତି। “କେବଳ ଆମ ପାଇଁ ଏବଂ ପାଖ ଗାଁରେ ବାହା ହୋଇଥିବା ଆମ ଝିଅ ପାଇଁ। ମୁଁ ବି ରାସାୟନିକ ଦ୍ରବ୍ୟଠାରୁ ଦୂରେଇ ଯିବାକୁ ଚାହେଁ। ଏଥିରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ବୋଲି ସେମାନେ କହନ୍ତି। ଅତି ଶକ୍ତିଶାଳୀ କୀଟନାଶକ ସହ ଏତେ ସମୟ ଧରି ରହିବା ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ। କିନ୍ତୁ, ଏହାର ଆଉ ଅନ୍ୟ ବିକଳ୍ପ ବା କ’ଣ ଅଛି ?”

*****

ଗଣପତିଙ୍କ ସ୍ତ୍ରୀ ପିଚୈୟାମ୍ମାଙ୍କ ପାଇଁ ମଧ୍ୟ ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ସାରାଦିନ ସେ କାମ କରନ୍ତି। ସବୁଦିନ। ତାଙ୍କ ହସରେ ହିଁ ରହିଥାଏ ବଞ୍ଚି ରହିବାର ଉପାୟ। ଏହା ବେଶ୍‌ ସ୍ପଷ୍ଟ ଏବଂ ଅବିରତ। ୨୦୨୨ ଅଗଷ୍ଟ ମାସ ଶେଷ ଭାଗରେ ଦ୍ୱିତୀୟ ଥର ପାଇଁ ତାଙ୍କ ଘରକୁ ଯାଇଥିଲା PARI ଟିମ୍‌। ଅଗଣାରେ ପଡ଼ିଥିବା ଖଟ ଉପରେ, ନିମ୍ବ ଗଛର ଶୀତଳ ଛାଇରେ ବସି ସେ ତାଙ୍କ ଦିନଯାକର କାମ କଥା ବର୍ଣ୍ଣନା କରୁଥିଲେ।

ଆଦା ପାକା, ମାଦା ପାକା, ମଲ୍ଲିଗାପୁ ତୋଟ୍ଟାମ ପାକା, ପୁୱା ପାରିକା, ସାମାଇକା, ପୁଲ୍ଲାଇଗାଲା ଆନ୍ନୁପିଭିଦା... (ଗାଈ ଓ ଛେଳିଙ୍କର ଏବଂ ମଲ୍ଲୀ କ୍ଷେତର ଯତ୍ନ ନେବା; ମଲ୍ଲୀ ତୋଳିବା, ରାନ୍ଧିବା, ପିଲାଙ୍କୁ ସ୍କୁଲ୍‌ ପଠାଇବା...)।” ଘରକାମର ଏମିତି ଏକ ଅବିଶ୍ରାନ୍ତ ତାଲିକା।

କେବଳ ପିଲାମାନଙ୍କ ପାଇଁ ହିଁ ଏହି ଅବିରତ କାମ। ୪୫ ବର୍ଷୀୟା ପିଚୈୟାମ୍ମା କହନ୍ତି, “ମୋ ପୁଅ ଓ ଝିଅମାନେ ଉଚ୍ଚ ଶିକ୍ଷିତ ଏବଂ ଡିଗ୍ରୀ ହାସଲ କରିଛନ୍ତି।” ସେ ନିଜେ କେବେହେଲେ ସ୍କୁଲ ଯାଇନାହାନ୍ତି ଏବଂ ପିଲାବେଳେ ବାପାମାଆଙ୍କ ଜମିରେ ଏବଂ ଏବେ ନିଜ ଜମିରେ କାମ କରିଆସୁଛନ୍ତି। ତାଙ୍କ କାନ ଓ ନାକରେ ସେ କେତେକ ଗହଣା ପିନ୍ଧନ୍ତି; ବେକର ହଳଦୀ ସୂତାରେ ବନ୍ଧା ଥାଲି (ମଙ୍ଗଳସୂତ୍ର) ପିନ୍ଧନ୍ତି।

ଆମେ ତାଙ୍କୁ ଭେଟିଲା ଦିନ ସେ ତାଙ୍କ ମଲ୍ଲୀ କ୍ଷେତରୁ କାଠିକୁଟା ସଫା କରୁଥିଲେ। ଏହା ଖୁବ୍‌ କଷ୍ଟକର କାମ- ସବୁ ସମୟରେ ଅଣ୍ଟା ନଇଁ ରହେ, ତତଲା ଖରାରେ ଅଳ୍ପ ଅଳ୍ପ ବ୍ୟବଧାନରେ ପାଦ ପକାଇ ବଢ଼ିବାକୁ ହୁଏ। ହେଲେ ଠିକ୍‌ ଏବେ, ସେ କେବଳ ଆମ କଥା ବୁଝିବାରେ ଲାଗିଛନ୍ତି, ତାଙ୍କ ଅତିଥିମାନଙ୍କ କଥା। ସେ କହନ୍ତି, “କିଛି ଖାଇ ନିଅନ୍ତୁ।” ଗଣପତି ଆମ ପାଇଁ ସୁବାସିତ ପାଚିଲା ପିଜୁଳି ଏବଂ ପଇଡ଼ପାଣି ନେଇ ଆସନ୍ତି। ଆମ ଖାଇବା ପିଇବାରେ ଲାଗିଥିବା ବେଳେ ସେ ଆମକୁ ବୁଝାଇବା ଭଳି କହନ୍ତି ଯେ ଶିକ୍ଷିତ ଯୁବକମାନେ ଗାଁ ଛାଡ଼ି ସହରକୁ ପଳାଇଲେଣି। ଏଠାକାର ଜମି ଏକର ପିଛା ୧୦ ଲକ୍ଷରୁ କମ୍‌ରେ ବିକ୍ରି ହୁଏନାହିଁ। ମୁଖ୍ୟ ରାସ୍ତା ପାଖ ଜମି ହୋଇଥିଲେ ଏହାର ଚାରିଗୁଣ ଦରରେ ବିକ୍ରି ହୁଏ। “ଏହାକୁ ଘର କରିବା ପାଇଁ ‘ପ୍ଲଟ୍‌’ ହିସାବରେ ବିକ୍ରି କରାଯାଏ।”

PHOTO • M. Palani Kumar
PHOTO • M. Palani Kumar

ପିଚୈୟାମ୍ମା ମୋତେ ତାଙ୍କ ଦିନକର କାମ ସଂପର୍କରେ କହନ୍ତି ଏବଂ (ଡାହାଣ) ଗାଁର ଜଣେ ଶ୍ରମିକଙ୍କ ସହ ମିଶି ସେ କେଉଁଠାରେ ମଲ୍ଲୀ କ୍ଷେତରୁ ଅନାବନା ଗଛ ସଫା କରିଥିଲେ ତାହା ଦେଖାଇ ଦିଅନ୍ତି

ଯେଉଁମାନଙ୍କର ନିଜସ୍ୱ ଜମି ଅଛି ସେମାନେ ବି ପରିବାରର ସମସ୍ତେ ମିଶି ‘ମାଗଣାରେ’ କାମ କଲେ ଯାଇ କ୍ଷେତରୁ ନିଶ୍ଚିତ ରୂପେ ଲାଭ କରିବାର ସମ୍ଭାବନା ଥାଏ। ଗଣପତି ଏହା ସ୍ୱୀକାର କରନ୍ତି ଯେ ଏଥିରେ ମହିଳାମାନଙ୍କ ଭାଗ ଅଧିକ। ମୁଁ ପିଚୈୟାମ୍ମାଙ୍କୁ ପଚାରେ, “ଏହି କାମ ଅନ୍ୟ କାହାରି ପାଇଁ କଲେ ଆପଣ କେତେ ମଜୁରି ନେଇଥାଆନ୍ତେ।” ସେ ଉତ୍ତର ଦିଅନ୍ତି, “୩୦୦ ‘ଟଙ୍କା।” କିନ୍ତୁ ତାଙ୍କ ପରିବାର ପାଇଁ ପରିଶ୍ରମରେ କିମ୍ବା ସେମାନଙ୍କ ଗୃହପାଳିତ ପଶୁଙ୍କ ଦେଖାରଖା ପାଇଁ ସେ ଯାହା ସବୁ କରନ୍ତି ତାହାକୁ ହିସାବ କରାଯାଏ ନାହିଁ।

ମୁଁ ପଚାରେ, “ଆପଣଙ୍କ ପରିବାର ପାଇଁ ଆପଣ ଅତି କମ୍‌ରେ ୧୫,୦୦୦ ଟଙ୍କା ବଞ୍ଚାଇ ଦିଅନ୍ତି ବୋଲି କହିଲେ ଠିକ୍‌ ହେବ କି ? ସେ ତୁରନ୍ତ ସମ୍ମତ ହୁଅନ୍ତି ଏବଂ ତାଙ୍କ ସହିତ ଗଣପତି ମଧ୍ୟ। ଥଟ୍ଟାମଜାରେ ମୁଁ ପ୍ରସ୍ତାବ ଦିଏ ଯେ ଏବେ ତାଙ୍କୁ ସେହି ଟଙ୍କା ମିଳିବା ଦରକାର। ସମସ୍ତେ ହସନ୍ତି, ବେଶୀ ସମୟ ଧରି ହସନ୍ତି ପିଚୈୟାମ୍ମା।

ତା’ ପରେ ମୁହଁରେ ସ୍ମିତ ହସ ଏବଂ ପ୍ରଶ୍ନିଳ ଆଖିରେ ସେ ମୋତେ ମୋ ଝିଅ ସଂପର୍କରେ ପଚାରି ବସନ୍ତି ଏବଂ ତା’ର ବିବାହ ସମୟରେ ମୋତେ କେତେ ସୁନା ଦେବାକୁ ପଡ଼ିବ ବୋଲି ପ୍ରଶ୍ନ କରନ୍ତି। “ଆମ ଏଠାରେ ୫୦ ଭରି ସୁନା ଦେଉ। ତା ସହିତ ଯଦି କେହି ନାତିନାତୁଣୀ ଥାଆନ୍ତି ଆମେ ତାକୁ ଗୋଟିଏ ସୁନା ଚେନ୍‌ ଓ ରୁପା ପାଉଁଜି ଦେଉ। କାନଫୋଡ଼ା ସମୟରେ ଭୋଜି ପାଇଁ ଛେଳି ଦେଇଥାଉ; ଏମିତି ଏ ତାଲିକା ଲମ୍ବି ଚାଲିଥାଏ। ଏ ବାବଦ ଟଙ୍କା ଆମ ରୋଜଗାରରୁ ଖର୍ଚ୍ଚ କରିବାକୁ ପଡ଼େ। ଏବେ ମୋତେ କହନ୍ତୁ ତ, ଦରମା ନେଲେ କ’ଣ ମୋତେ ପୋଷାଇବ?”

*****

ସେଦିନ ସନ୍ଧ୍ୟାରେ ଜଣେ ଯୁବ ମଲ୍ଲୀଫୁଲ ଚାଷୀଙ୍କ ପାଖରୁ ଜାଣିଲି ଯେ ଦରମା ନେବା ଭଲ, ଏବଂ ଦରକାର ମଧ୍ୟ। କାରଣ ଏହା ଚାଷ କାମରେ ସାହାଯ୍ୟ କରେ। ଏଥିପାଇଁ ଦୁଇଗୁଣ ପରିଶ୍ରମ କରିବାକୁ ପଡ଼ିଲେ ବି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପାଉଣା, ଏକ ସ୍ଥିର ରୋଜଗାର। ଛଅ ବର୍ଷ ତଳେ, ମଦୁରାଇ ଜିଲ୍ଲାର ଉସିଲାମପଟ୍ଟି ତାଲୁକାର ନାଦୁମୁଦାଲାଇକୁଲାମ ପଲ୍ଲୀର ଧାନ ଚାଷୀ ଜେୟାବାଲ ଓ ପୋଦୁମଣିଙ୍କ ପାଖରୁ ମୁଁ ଏଭଳି ବିଚାରପୂର୍ଣ୍ଣ କଥା ଶୁଣିଥିଲି। ଏଥର ୨୦୨୨ ଅଗଷ୍ଟରେ ସେଠାକୁ ଯାଇଥିବା ବେଳେ ଜେୟାବାଇ ମୋତେ ତାଙ୍କ ପିଲାଦିନର ବନ୍ଧୁ ତଥା ମଲ୍ଲୀଫୁଲ ଚାଷୀ ଏମ୍‌. ପାଣ୍ଡିଙ୍କ ସହ ପରିଚୟ କରାଇ ଦେଲେ। ପାଣ୍ଡି ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ତାମିଲନାଡୁ ରାଜ୍ୟ ବିପଣନ ନିଗମ ଲିମିଟେଡ୍‌ (TASMAC)ରେ ପୂର୍ଣ୍ଣକାଳୀନ ନିଯୁକ୍ତି ପାଇଛନ୍ତି। ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ (IMFL) ବିକ୍ରି ପାଇଁ କେବଳ ଏହି ନିଗମର ଅଧିକାର ରହିଛି।

ପୂର୍ବରୁ ୪୦ ବର୍ଷୀୟ ପାଣ୍ଡି ଜଣେ ପୂର୍ଣ୍ଣକାଳୀନ ଚାଷୀ ନ ଥିଲେ। ଗାଁରୁ ଗାଡ଼ିରେ ତାଙ୍କ କ୍ଷେତକୁ ଯିବାକୁ ୧୦ ମିନିଟ୍‌ ଲାଗେ ଏବଂ ସେହି ରାସ୍ତାରେ ଯିବା ସମୟରେ ସେ ତାଙ୍କ କାହାଣୀ କହିବା ଆରମ୍ଭ କଲେ। ଆମ ଚାରିପଟେ ମାଇଲ ମାଇଲ ଧରି ସବୁଜିମା ଭରି ରହିଥିଲା, ତା ସହିତ ପାହାଡ଼, ଜଳାଶୟ, ଏବଂ ଆଖିଝଲସା ଧୋବ ଫରଫର ମଲ୍ଲୀକଢ଼।

PHOTO • M. Palani Kumar

ସୌନ୍ଦର୍ଯ୍ୟଭରା ନାଦୁମୁଦାଲାଇକୁଲମ ପଲ୍ଲୀରେ ନିଜ ମଲ୍ଲୀ କ୍ଷେତରେ ପାଣ୍ଡି। ଏଠାକାର ଅନେକ ଚାଷୀ ଧାନଚାଷ କରନ୍ତି

“୧୮ ବର୍ଷ ତଳେ ମୋର ପାଠପଢ଼ା ସାରି ମୁଁ TASMACରେ ଯୋଗ ଦେଇଥିଲି। ଏବେ ବି ମୁଁ ସେଠାରେ କାମ କରେ ଏବଂ ସକାଳ ବେଳା ମୋର ମଲ୍ଲୀ କ୍ଷେତର ଦେଖାରଖା କରେ।” ୨୦୧୬ରେ ସେତେବେଳର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏବଂ ଏଆଇଏଡିଏମ୍‌କେ ଦଳର ମୁଖ୍ୟ ଜେ. ଜୟଲଳିତା, TAMACର କାର୍ଯ୍ୟ ସମୟ ୧୨ ଘଣ୍ଟାରୁ ୧୦ ଘଣ୍ଟାକୁ କମ୍‌ କରିଦେଲେ। ଯେତେବେଳେ ବି ପାଣ୍ଡି ଜୟଲଳିତାଙ୍କ ସଂପର୍କରେ କହନ୍ତି, ତାଙ୍କୁ ‘ ମାନବୁମିଗୁ ପୁରାଚି ତାଲାଇଭି ଆମ୍ମା ଆଭାର୍ଗଲ ’ (ସମ୍ମାନନୀୟା ବିପ୍ଳବୀ ନେତା, ଆମ୍ମା) ବୋଲି ସମ୍ବୋଧନ କରନ୍ତି। ଏହି ଉପାଧି ଉଭୟ ସମ୍ମାନସୂଚକ ଏବଂ ଔପଚାରିକ।

ନିଜ ମଲ୍ଲୀ କ୍ଷେତରେ କୀଟନାଶକ ସ୍ପ୍ରେ କରୁ କରୁ ପାଣ୍ଡି ତାଙ୍କର ଦୁଇଟି ଯାକ ପେସା ସଂପର୍କରେ ଦୃଢ଼ ସ୍ୱରରେ ଏବଂ ସ୍ପଷ୍ଟ ଭାବରେ କହନ୍ତି। “ଦେଖନ୍ତୁ, ମୁଁ ଜଣେ ଚାକିରିଆ ଏବଂ ମୁଁ ବି ୧୦ ଜଣ ଶ୍ରମିକଙ୍କୁ ମୋ କ୍ଷେତରେ କାମ କରିବାକୁ ନିଯୁକ୍ତି ଦେଇଛି।” ତାଙ୍କ ସ୍ୱରରେ ଗଭୀର ଆତ୍ମବିଶ୍ୱାସ ଭରି ରହିଥିଲା। ହେଲେ ବାସ୍ତବତା ତାହାକୁ ଭିନ୍ନ ଦିଗରେ ନେଉଥିଲା। “କିନ୍ତୁ କଥା ହେଲା ଆପଣଙ୍କର ନିଜର ଜମି ଥିଲେ ହିଁ ଆପଣ ଏବେ ଚାଷବାସ କରିପାରିବେ। କୀଟନାଶକର ବାବଦରେ ଶହ ଶହ ଟଙ୍କା ଏମିତି କି ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଯେହେତୁ ମୋତେ ଦରମା ମିଳୁଛି ମୁଁ ଚଳେଇ ନେଉଛି। ଅନ୍ୟଥା, ଆଜିକାଲି ଚାଷବାସ କରିବା ଖୁବ୍‌ କଷ୍ଟକର କାମ।”

ମଲ୍ଲୀ ଚାଷ ତ ଆହୁରି କଷ୍ଟକର ବୋଲି ସେ କହନ୍ତି। ତା ସାଙ୍ଗକୁ ମଲ୍ଲୀ ଗଛକୁ କେନ୍ଦ୍ର କରି ହିଁ ଆପଣଙ୍କୁ ନିଜ ଜୀବନର ଧାରା ଗଢ଼ିବାକୁ ହେବ। “ଆପଣ କେଉଁଠିକି ହେଲେ ଯାଇପାରିବେନି; ସବୁଦିନ ସକାଳେ ଆପଣଙ୍କ କାମ ହେଲା ଗଛରୁ ଫୁଲ ତୋଳି ବଜାରକୁ ନେଇଯିବା। ତା ବ୍ୟତୀତ ହୁଏତ ଆଜି ଆପଣ ଗୋଟିଏ କିଲୋ ପାଇବେ। ପର ସପ୍ତାହରେ ଏହା ୫୦ କିଲୋ ହୋଇପାରେ। ଯେ କୌଣସି ସ୍ଥିତି ପାଇଁ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ।”

ପାଣ୍ଡି ତାଙ୍କର ଏକ ଏକର ଜମିରେ ଅଳ୍ପ ଅଳ୍ପ କରି ମଲ୍ଲୀଫୁଲ ଗଛ ଲଗାଇଛନ୍ତି। ସେ କହନ୍ତି ଯେ, ମଲ୍ଲୀଗଛର ଦେଖାରଖା ପାଇଁ ଜଣେ ଚାଷୀଙ୍କୁ ବହୁ ସମୟ କାମ କରିବାକୁ ପଡ଼େ। “ମଧ୍ୟରାତ୍ରୀ ବେଳକୁ ମୁଁ ମୋ କାମରୁ ଫେରିଆସେ। ଭୋର ୫ଟାରେ ଉଠି ଏହି କ୍ଷେତକୁ ଆସେ। ଆମର ଦୁଇ ପିଲାଙ୍କୁ ସ୍କୁଲ ପଠାଇବା ପରେ ମୋ ସ୍ତ୍ରୀ ମୋ ସହିତ ଯୋଗ ଦିଅନ୍ତି। ଆମେ ଯଦି ଅଳସୁଆ ହୋଇ ଶୋଇ ରହିବୁ ତେବେ ସଫଳ ହୋଇପାରିବୁ କି ? ଆଉ ମୁଁ ଅନ୍ୟ ୧୦ ଜଣଙ୍କୁ କାମ ଦେଇପାରିବି କି ।

ଫୁଲ ସଂପୂର୍ଣ୍ଣ ଫୁଟିବା କଥାକୁ ଦର୍ଶାଇବା ପାଇଁ ନିଜ ହାତକୁ ମେଲାଇ ପାଣ୍ଡି କହନ୍ତି ଯେ ଯଦି ଏହି ଏକର ଯାକ ଜମିରେ ଫୁଲ ପୂରାପୂରି ଫୁଟି ଯିବ “ତେବେ ତୋଳିବା ପାଇଁ ଆପଣ ୨୦-୩୦ ଜଣ ଶ୍ରମିକ ଦରକାର କରିବେ।” ସକାଳ ୬ଟାରୁ ୧୦ଟା ଯାଏ ଚାରି ଘଣ୍ଟାର କାମ ପାଇଁ ଜଣକୁ ୧୫୦ ଟଙ୍କା ହିସାବରେ ଦେବାକୁ ପଡ଼ିବ। ଫୁଲଫୁଟା କମି ଯିବା ପରେ, ଯଦି ମାତ୍ର ଗୋଟିଏ କିଲୋ ପାଖାପାଖି ଫୁଲ ମିଳିବାର ସମ୍ଭାବନା ଥାଏ ତା’ହେଲେ ପାଣ୍ଡି ଓ ତାଙ୍କ ସ୍ତ୍ରୀ ଶିବାଗାମୀ ଏବଂ ସେମାନଙ୍କର ଦୁଇ ପିଲା ଏହା ତୋଳି ଦିଅନ୍ତି। “ଅନ୍ୟ ସ୍ଥାନରେ ହୁଏତ ଫୁଲ ଫୁଟିବାର ହାର କମ୍‌ ଥାଇପାରେ, କିନ୍ତୁ ଏହା ବେଶ୍‌ ଉର୍ବର ଅଞ୍ଚଳ ଏବଂ ଏଠାରେ ଅନେକ ଧାନଜମି ରହିଛି। ଏଠି ଶ୍ରମିକଙ୍କ ଚାହିଦା ବହୁତ ବେଶୀ। ଆପଣଙ୍କୁ ସେମାନଙ୍କୁ ଭଲ ମଜୁରି ଦେବାକୁ ପଡ଼ିବ ଏବଂ ତାଙ୍କ ପାଇଁ ଚା’ ଓ ବଡ଼ାଇ ଆଣି ଦେବାକୁ ହେବ।”

ଗ୍ରୀଷ୍ମକାଳରେ (ଏପ୍ରିଲ ଏବଂ ମେ ମାସ) ବହୁଳ ମାତ୍ରାରେ ଫୁଲ ଫୁଟେ। “ଆପଣ ୪୦ରୁ ୫୦ କିଲୋ ଯାଏ ଫୁଲ ପାଇପାରନ୍ତି। ହେଲେ ଦର ଖୁବ୍‌ କମ ଥାଏ ଏବଂ ବେଳେବେଳେ କିଲୋ ପ୍ରତି ୭୦ ଟଙ୍କାରେ ବିକ୍ରି ହୁଏ। ଭଗବାନଙ୍କ ଦୟାରୁ ଏବେ କେତେକ ‘ଅତର’ କମ୍ପାନି ଆସି ଦର ବଢ଼ାଇ ଦେଇଛନ୍ତି ଏବଂ ସେମାନେ କିଲୋ ପିଛା ୨୨୦ ଟଙ୍କା ଦରରେ ମଲ୍ଲୀ କିଣି ନେଉଛନ୍ତି।” ବଜାରରେ ହଜାର ହଜାର କିଲୋ ଫୁଲ ଥିବା ସମୟରେ ହିଁ ଚାଷୀମାନେ ସବୁଠାରୁ ଭଲ ଦର ପାଆନ୍ତି। ଏବଂ ପାଣ୍ଡିଙ୍କ ମତରେ ସେହି ଦର ହେଉଛି ଆପଣ ଯେତେବେଳେ ବିନା ଲାଭ କିମ୍ବା କ୍ଷତିରେ ଫୁଲ ବିକିବାକୁ ସ୍ଥିର କରନ୍ତି।

PHOTO • M. Palani Kumar

ପାଣ୍ଡି ତାଙ୍କ ମଲ୍ଲୀଗଛରେ ସାର ଓ କୀଟନାଶକର ମିଶ୍ରଣ ସ୍ପ୍ରେ କରୁଛନ୍ତି

PHOTO • M. Palani Kumar
PHOTO • M. Palani Kumar

ଧାଡ଼ିରେ ଲାଗିଥିବା ତାଙ୍କ ମଲ୍ଲୀଚାରା ମଝିରେ ଚାଲୁଛନ୍ତି ଗଣପତି। ଡାହାଣ: ତାଙ୍କ ଘର ଆଗରେ ପିଚୈୟାମ୍ମା

ସେ ତାଙ୍କ ଫୁଲକୁ ସେଠାରୁ ପ୍ରାୟ ୩୦ କିଲୋମିଟର ଦୂର ପଡ଼ୋଶୀ ଦିଣ୍ଡିଗୁଲ ଜିଲ୍ଲାର ନୀଲାକ୍କୋଟ୍ଟାଇ ବଜାରକୁ ନେଇ ଯାଆନ୍ତି। “ମାଟ୍ଟୁତାବାଣୀରେ ଆପଣ ଏହାରୁ କିଲୋ ହିସାବରେ ବିକ୍ରି କରନ୍ତି - ଏହା ଖୁବ୍‌ ଭଲ, ମୋତେ ଭୁଲ ବୁଝନ୍ତୁନି- କିନ୍ତୁ ନୀଲାକ୍କୋଟ୍ଟାଇରେ ଆପଣ ଏହାକୁ ବସ୍ତା ଦରରେ ବିକ୍ରି କରନ୍ତି। ତା ସହିତ ବେପାରୀ ପାଖରେ ବସିଥାଆନ୍ତି। ସେ ବିକ୍ରିବଟା ଉପରେ ନଜର ରଖନ୍ତି ଏବଂ ଭବିଷ୍ୟତରେ ସମ୍ଭାବିତ ଖର୍ଚ୍ଚ, ପର୍ବପର୍ବାଣୀ ଏବଂ ବେଳେବେଳେ ଫୁଲଗଛରେ ଛିଞ୍ଚିବା ପାଇଁ ରାସାୟନିକ ଦ୍ରବ୍ୟ କିଣିବା ପାଇଁ ଅଗ୍ରୀମ ଟଙ୍କା ବି ଦିଅନ୍ତି।”

ତାଙ୍କର ସେଇ ଛୋଟ ଘର ଭିତରେ ହାଫ୍‌ପ୍ୟାଣ୍ଟ ଓ ଗାରଗାରିଆ ଟି-ସାର୍ଟ ପିନ୍ଧୁ ପିନ୍ଧୁ ପାଣ୍ଡି କହନ୍ତି ଯେ ସ୍ପ୍ରେ କରିବା ହିଁ ମୂଳକଥା। ମଲ୍ଲୀଫୁଲର ବହୁ ପ୍ରଶଂସକ ଅଛନ୍ତି। ସେମିତି ଏହା ଅନେକ ପୋକଙ୍କୁ ବି ଆକର୍ଷିତ କରିଥାଏ। ଗଣପତିଙ୍କ ପାଖରେ ତାଙ୍କ ପୁଅ ଭାବରେ ସେ ନିଜ ଘରେ ହିଁ ଜଣେ ବିଶେଷଜ୍ଞ ପାଇଯାଇଛନ୍ତି। ହେଲେ ଦରକାରୀ ନିର୍ଦ୍ଦିଷ୍ଟ ରାସାୟନିକ ଦ୍ରବ୍ୟ ଆଣିବା ଲାଗି ପାଣ୍ଡିଙ୍କୁ ଦୋକାନକୁ ଯିବାକୁ ପଡ଼େ। ସେ ମୋତେ ତଳେ ପଡ଼ିଥିବା ବ୍ୟବହୃତ ଡବା ଓ ବୋତଲକୁ ଦେଖାଇ ଦିଅନ୍ତି ଏବଂ ସେଇ ଛୋଟ ଘର ଭିତରକୁ ଯାଇ ଗୋଟିଏ ଟାଙ୍କି ଓ ସ୍ପ୍ରେୟର ବା ଛିଞ୍ଚିବାରେ ବ୍ୟବହୃତ ଯନ୍ତ୍ର ଆଣନ୍ତି। ସେଥିରେ ସେ ପାଣି ସହିତ ରୋଗୋର (ଏକ କୀଟନାଶକ) ଓ ଆସ୍ଥା (ଏକ ସାର) ଗୋଳାଇ ଦିଅନ୍ତି। ଗୋଟିଏ ଏକର ଜମିରେ ଥରେ ଏହା ସ୍ପ୍ରେ କରିବା ଲାଗି ତାଙ୍କୁ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ଏବଂ ସେ ପ୍ରତି ଚାରି-ପାଞ୍ଚ ଦିନରେ ଥରେ ଏହା ସ୍ପ୍ରେ କରନ୍ତି। “ଫୁଲବିକ୍ରିର ଭଲ ସମୟ ହେଉ କି ଖରାପ ସମୟ, ଆପଣଙ୍କୁ ଏହା କରିବାକୁ ହିଁ ପଡ଼ିବ। ଆଉ କିଛି ଉପାୟ ନାହିଁ...।”

ନାକ ଢାଙ୍କିବା ପାଇଁ କେବଳ କପଡ଼ାର ଏକ ମାସ୍କ ପିନ୍ଧି ସେ ପ୍ରାୟ ୨୫ ମିନିଟ୍‌ ଧରି ଏହି କୀଟନାଶକ ଓ ସାର ମିଶ୍ରିତ ପାଣିକୁ ତାଙ୍କ ଗଛ ଉପରେ ଛିଞ୍ଚନ୍ତି। ସ୍ପ୍ରେ କରିବା ଲାଗି ଥିବା ଓଜନିଆ ଯନ୍ତ୍ରଟିକୁ ପିଠିରେ ଲଦି ଘଞ୍ଚ ବୁଦା ଭିତର ଦେଇ ସେ ଚାଲନ୍ତି ଏବଂ ଏହି ଶକ୍ତିଶାଳୀ ଯନ୍ତ୍ରରୁ ବାହାରୁଥିବା ମିଶ୍ରଣ ଯେମିତି ସବୁ ପତ୍ର, ଡାଳ, ଫୁଲ ଓ କଢ଼ ଉପରେ ବୁନ୍ଦା ବୁନ୍ଦା ହୋଇ ପଡ଼େ ତାହା ନିଶ୍ଚିତ କରନ୍ତି। ଗଛଗୁଡ଼ିକ ତାଙ୍କ ଅଣ୍ଟା ଉଚ୍ଚର ଏବଂ ଏହି ମିଶ୍ରଣ ବୁନ୍ଦା ତାଙ୍କ ମୁହଁରେ ବି ପଡ଼େ। ସ୍ପ୍ରେ ଯନ୍ତ୍ରଟି ଖୁବ୍‌ ଜୋରରେ ଶବ୍ଦ ସୃଷ୍ଟି କରେ ଏବଂ ବାତାବରଣରେ ରାସାୟନିକ ମିଶ୍ରଣର ଏକ ସ୍ତର ସୃଷ୍ଟି ହୁଏ। ପାଣ୍ଡି କିନ୍ତୁ ସ୍ପ୍ରେ କରି କରି ଚାଲିବାରେ ଲାଗିଥାଆନ୍ତି ଏବଂ ମଝିରେ ମଝିରେ ଅଟକି ଯନ୍ତ୍ରରେ ପୁଣି ମିଶ୍ରଣ ଭରି ନେଇ ପୁଣି ଆଗକୁ ବଢ଼ନ୍ତି।

ପରେ, ଗାଧୁଆପାଧୁଆ ସାରି ସେ ତାଙ୍କ ଧଳା ଜାମା ଓ ନୀଳ ଲୁଙ୍ଗି ପିନ୍ଧି ସାରିବା ପରେ ମୁଁ ତାଙ୍କୁ ଏହି ରାସାୟନିକ ମିଶ୍ରଣ ସହ ଏତେ ସମୟ ରହିବାର ପ୍ରଭାବ ସଂପର୍କରେ ପଚାରେ। ସେ ମୋ କଥାର ଉତ୍ତର ଦେବାକୁ ଯାଇ ଧୀରସ୍ଥିର କଣ୍ଠରେ କହନ୍ତି, “ଆପଣ ଯଦି ମଲ୍ଲୀଫୁଲ ଚାଷ କରିବେ, ତେବେ ଏଥିପାଇଁ ଯାହା ଯାହା ଦରକାର ସବୁ କରିବେ। ଆପଣ ଯଦି (ସ୍ପ୍ରେ କରିବାକୁ) ଚାହାଁନ୍ତିନି, ତା’ହେଲେ ଆପଣଙ୍କୁ ଘରେ ବସିବାକୁ ପଡ଼ିବ।” ଏହା କହିବା ବେଳେ ସେ ନିଜର ଦୁଇ ହାତ ପାପୁଲିକୁ ଯୋଡ଼ି ନିଅନ୍ତି, ସତେ ଯେମିତି ପ୍ରାର୍ଥନା କରୁଛନ୍ତି।

ଆମେ ସେଠାରୁ ଫେରିବା ସମୟରେ ଗଣପତି ବି ସେଇ ଏକାକଥା କହିଲେ। ମୋ ହାତବ୍ୟାଗ୍‌କୁ ପିଜୁଳିରେ ଭରି ଦେଇ ସେ ମୋର ଯାତ୍ରା ପାଇଁ ଶୁଭକାମନା ଜଣାଇବା ସହିତ ଆଉ ଥରେ ଆସିବାକୁ ନିମନ୍ତ୍ରଣ କରନ୍ତି। “ଆର ଥରକୁ ଏଇ ଘରଗୁଡ଼ିକ ତିଆରି ହୋଇଯାଇଥିବ,” ତାଙ୍କ ପଛରେ ପଲସ୍ତରା ହୋଇ ନଥିବା ଇଟା ଘରକୁ ଦେଖାଇ ସେ କହନ୍ତି, “ଆଉ ଆମେ ଏଇଠି ବସି ବଢ଼ିଆ ଭୋଜନ କରିବା।”

ପାଣ୍ଡି ଏବଂ ଗଣପତି, ହଜାର ହଜାର ମଲ୍ଲୀଫୁଲ ଚାଷୀଙ୍କ ଭଳି ସେମାନେ ମଧ୍ୟ ତୀବ୍ର ସୁଗନ୍ଧଯୁକ୍ତ ଏଇ କ୍ଷୁଦ୍ର ଧଳା ଫୁଲଟି ଉପରେ ନିଜ ନିଜର ଆଶା ବାନ୍ଧିଛନ୍ତି, ଯେଉଁ ଫୁଲର ଅତୀତ ବେଶ ମନୋରମ ଏବଂ ଯାହାର ବଜାର ବେଶ୍‌ ଚଳଚଞ୍ଚଳ ଏବଂ ଅପ୍ରତ୍ୟାଶିତ, ଏବଂ ଯେଉଁଠି ପାଞ୍ଚ ମିନିଟ୍‌ରେ ଏ ହାତରୁ ସେ ହାତକୁ ଚାଲିଯାଏ ହଜାର ହଜାର ଟଙ୍କା ଏବଂ କିଲୋ କିଲୋ ମଦୁରାଇ ମଲ୍ଲୀ।

ହେଲେ ତାହା ଆଉ କେଉଁ ଦିନର କଥା।

ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଫଣ୍ଡିଂ ପ୍ରୋଗ୍ରାମ-୨୦୨୦ ଅଧୀନରେ ଏହି ଗବେଷଣାମୂଳକ ଅନୁଶୀଳନକୁ ଆର୍ଥିକ ସହଯୋଗ ପ୍ରଦାନ କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan
Photographs : M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE