ପେସାଗତ, ବ୍ୟକ୍ତିଗତ, ଶାରୀରିକ-ସବୁ ଦୃଷ୍ଟିରୁ ଅବଦୁଲ ରେହମାନଙ୍କ ଦୁନିଆ ସଙ୍କୁଚିତ ହୋଇଯାଇଛି । ଏହା ହିଁ ବାସ୍ତବତା । ଯିଏ ଦିନେ ଜଣେ ପ୍ରବାସୀ ଶ୍ରମିକ ଭାବେ ଚାରିଟି ମହାଦେଶରେ ଶ୍ରମିକ ଦଳରେ ରହି କାମ କରୁଥିଲେ, ତାଙ୍କ ଜୀବନ ଏବେ ପରିବାରର ୫ ଜଣ ସଦସ୍ୟଙ୍କ ସହ ୧୫୦ ବର୍ଗଫୁଟର ଏକ କୋଠରୀରେ ସୀମିତ ରହିଯାଇଛି ।

ମୁମ୍ବାଇର ଏହି ଟ୍ୟାକ୍ସି ଡ୍ରାଇଭରଙ୍କ ପିତା କିଛି ଦଶନ୍ଧି ପୂର୍ବରୁ ତାମିଲନାଡ଼ୁର ଗ୍ରାମାଞ୍ଚଳରୁ ଏ ସହରକୁ ଆସିଥିଲେ । ଅତୀତରେ ସେ ସାଉଦୀ ଆରବ, ଦୁବାଇ, ବ୍ରିଟେନ, କାନାଡ଼ା, ଇଣ୍ଡୋନେସିଆ, ମାଲେସିଆ ଏବଂ ଆଫ୍ରିକାର ବିଭିନ୍ନ ଅଞ୍ଚଳରେ ବୁଲଡୋଜର ଏବଂ କାର୍‌ ଚଳାଉଥିଲେ । ହେଲେ ଆଜି ସେ ଶାରୀରିକ ଭାବେ ଅକ୍ଷମ । ଏକ ଚେୟାରରେ ବସାଇ ତାଙ୍କୁ ମାହିମ୍‌ ବସ୍ତି କଲୋନୀର ସଙ୍କୀର୍ଣ୍ଣ ଗଳିରେ ଟ୍ୟାକ୍ସି ପର୍ଯ୍ୟନ୍ତ ବୋହି ନେବାକୁ ପଡ଼ୁଛି, ଯାହାଫଳରେ ସେ ସାୟନରେ ଥିବା ଡାକ୍ତରଖାନାରେ ପହଞ୍ଚି ପାରିବେ ।

ଡାକ୍ତରଖାନା ଯିବାର ସମୟ ହେଲେ, ରେହମାନ ନିଜ କୋଠରୀରୁ ବାହାରିବା ପାଇଁ ପ୍ରସ୍ତୁତି କରିଥାନ୍ତି । ଠିକ୍‌ କବାଟ ବାହାରେ ଶିଢ଼ି ରହିଛି । ସେ ଚଟାଣରେ ବସି ପଡ଼ିଥାନ୍ତି, ତାଙ୍କ ପୁଅ ତାଙ୍କ ଗୋଡ଼କୁ ତଳୁ ଧରିଥାନ୍ତି, ଜଣେ ପୁତୁରା କିମ୍ବା ପଡ଼ୋଶୀ ତାଙ୍କୁ ଉପରୁ ଧରିଥାନ୍ତି । ଏହାପରେ ରେହମାନ ଅତ୍ୟଧିକ ଯନ୍ତ୍ରଣାରେ, ଧୀରେ ଧୀରେ ତଳକୁ ଓହ୍ଲାଇଥାନ୍ତି, ନଅଟି ପାହାଚ ଥିବା ଶିଢ଼ିରେ ଗୋଟିଏ ପରେ ଗୋଟିଏ ପାଦ ପକାଇ ସେ ଆସନ୍ତି ।

ତଳେ ଥିବା ସଙ୍କୀର୍ଣ୍ଣ ଗଳିରେ, ତାଙ୍କୁ ରଙ୍ଗ ହୋଇଥିବା ଏକ ପୁରୁଣା ପ୍ଲାଷ୍ଟିକ ଚେୟାର ଉପରେ ବସାଇ ଦିଆଯାଇଥାଏ, ତାଙ୍କ ଡାହାଣ ଗୋଡ଼ ସହିତ ପାଦକୁ ସେ ଏକ ସିଟ୍‌ ଉପରେ ରଖିଥାନ୍ତି । ଏହାପରେ ତାଙ୍କ ପୁଅ ଏବଂ ଅନ୍ୟ ଦୁଇ ଜଣ ତାଙ୍କୁ ସେହି ଲମ୍ବା ଏବଂ ଅଙ୍କାବଙ୍କା ଗଳିରେ ବୋହି ନେଇ ଯାଇଥାନ୍ତି । ତାଙ୍କୁ ମାହିମ ବସ ଡିପୋ ନିକଟ ରାସ୍ତା ପାଖକୁ ନିଆଯାଏ । ସେଠାରେ ରେହମାନ ଘୋଷାଡ଼ି ହୋଇ ଟ୍ୟାକ୍ସିରେ ବସିଥାନ୍ତି ।

ମାତ୍ର ୫ କିଲୋମିଟର ଦୂରରେ ଥିବା ସାୟନ ସରକାରୀ ଡାକ୍ତରଖାନାକୁ ଯିବା ଲାଗି ଟ୍ୟାକ୍ସି ଭଡ଼ା ମଧ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼େ, ତଥାପି ଗତ ବର୍ଷ ମାସ ମାସ ଧରି ପ୍ରତି ସପ୍ତାହରେ ତାଙ୍କୁ ନିଜର ପାଦ ବ୍ୟାଣ୍ଡେଜ୍‌ କରିବା ଲାଗି ସେଠାକୁ ଯିବାକୁ ପଡ଼ିଥିଲା । ଅବଶ୍ୟ, ତାଙ୍କ ଘା’ ସାମାନ୍ୟ ଉପଶମ ହେବା ପରେ ତାଙ୍କୁ ଏବେ ଆଉ ବାରମ୍ବାର ଡାକ୍ତରଖାନା ଯିବାକୁ ପଡ଼ୁନାହିଁ । ତଥାପି ଉତ୍ତର ମୁମ୍ବାଇର ମୋରି ରୋଡସ୍ଥିତ କଲୋନୀର ଉଭୟ ପାର୍ଶ୍ୱରେ ଛୋଟ ଛୋଟ ଘର ମଝିରେ ଥିବା ସଙ୍କୀର୍ଣ୍ଣ ଗଳି ଦେଇ ତାଙ୍କୁ ମଝିରେ ମଝିରେ ଡାକ୍ତରଖାନା ଯିବାକୁ ପଡ଼ୁଛି । ଚେୟାରରେ ତାଙ୍କୁ ବୋହି ନେବାର ଶୋଭାଯାତ୍ରା ଏବେ ସୁଦ୍ଧା ଜାରି ରହିଛି ବୋଲି କହିହେବ ।

When it’s time to go to the hospital, Rahman begins to prepare for the descent from his room. In the narrow lane below, he is helped onto an old plastic chair
PHOTO • Sandeep Mandal
When it’s time to go to the hospital, Rahman begins to prepare for the descent from his room. In the narrow lane below, he is helped onto an old plastic chair
PHOTO • Sandeep Mandal

ଡାକ୍ତରଖାନାକୁ ଯିବାର ସମୟ ହେଲେ, ରେହମାନ ତାଙ୍କ କୋଠରୀରୁ ତଳକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥାନ୍ତି । ତଳେ ଥିବା ସଙ୍କୀର୍ଣ୍ଣ ଗଳିରେ ତାଙ୍କୁ ଏକ ପୁରୁଣା ପ୍ଲାଷ୍ଟିକ ଚେୟାର ଉପରେ ବସାଇ ଦିଆଯାଇଥାଏ

ଅନେକ ବର୍ଷ ପର୍ଯ୍ୟନ୍ତ, ଅବଦୁଲ ରେହମାନ ଅବଦୁଲ ସମଦ୍‌ ଶେଖ ପ୍ରତିଦିନ ସକାଳୁ ତରବର ହୋଇ ଏହି ଗଳିରେ ଚାଲି ଚାଲି ଯାଉଥିଲେ । କିଛି ଦୂରରେ ଛିଡ଼ା ହୋଇଥିବା ନିଜର ଟ୍ୟାକ୍ସି ପାଖରେ ପହଞ୍ଚିବା ପରେ ତାଙ୍କର ୧୨ ଘଣ୍ଟିଆ କାର୍ଯ୍ୟଦିବସ ଆରମ୍ଭ ହେଉଥିଲା ।  ମାର୍ଚ୍ଚ ୨୦୨୦ରେ ଲକଡାଉନ ଆରମ୍ଭ ହେବା ପରେ ସେ ଟ୍ୟାକ୍ସି ଚଳାଇବା ବନ୍ଦ କରିଦେଲେ କିନ୍ତୁ ବେଳେ ବେଳେ ‘‘ଦୋସ୍ତଲୋଗ୍’’, ବନ୍ଧୁ ଓ ସହକର୍ମୀ ମାନଙ୍କୁ ଭେଟିବା ଲାଗି ସେ ତାଙ୍କ ପରିଚିତ ଚା’ ଦୋକାନକୁ ଯାଉଥିଲେ । ତାଙ୍କର ଡାଏବେଟିସ ବଢ଼ି ଚାଲିଥିଲା, ସେ ଅସୁସ୍ଥ ଅନୁଭବ କରୁଥିଲେ। ଲକଡାଉନ ସାମାନ୍ୟ କୋହଳ ହେବା ପରେ ମଧ୍ୟ ସେ ପୁନର୍ବାର କାମ ଆରମ୍ଭ କରିପାରିଲେ ନାହିଁ । କିନ୍ତୁ ସେ ଚଲାବୁଲା କରିପାରୁଥିଲେ ।

ଏହାପରେ ସେ ନିଜର ପାଦ ଆଙ୍ଗୁଠିରେ ଏକ ଛୋଟ କଳା ଦାଗ ଦେଖିଲେ, ‘‘ତାହା ଏକ କଲମ ମୁନରେ କରାଯାଇଥିବା ଚିହ୍ନ’’ ଭଳି ଥିଲା । କିଛି ଦିନ ଆଣ୍ଟିବାୟୋଟିକ୍‌ ଖାଇଲେ ତାହା ଠିକ୍‌ ହୋଇଯିବ ବୋଲି ଡାକ୍ତର କହିଲେ, ତେଣୁ ରେହମାନ ସେଥିପ୍ରତି ଅଧିକ ଧ୍ୟାନ ଦେଲେ ନାହିଁ । ସେ କୁହନ୍ତି, ‘‘ଏଥିରେ କିଛି ଲାଭ ହୋଇନଥିଲା ।’’ ଡାହାଣ ଗୋଡ଼ ମଝି ଆଙ୍ଗୁଠିରେ ହୋଇଥିବା ଦାଗ ଧୀରେ ଧୀରେ ବଢ଼ିବାକୁ ଲାଗିଲା । ‘‘ମୋ ପାଦରେ ଖୁବ୍‌ ଯନ୍ତ୍ରଣା ଆରମ୍ଭ ହେଲା’’, ସେ କୁହନ୍ତି । ‘‘ଚାଲିବା ବେଳେ ଏମିତି ଲାଗିଲା ଯେମିତି ସେଥିରେ କିଛି ଛୁଞ୍ଚି କିମ୍ବା କଣ୍ଟା ଫୋଡ଼ି ହୋଇଯାଉଛି ।’’

କିଛି ଦିନ ଏମିତି ଡାକ୍ତରଙ୍କ ପାଖକୁ ଯିବା ପଡ଼ିଲା, ଏକ୍ସ-ରେ ଓ ଟେଷ୍ଟ ହେଲା, କଳା ପଡ଼ିଥିବା ଚମଡ଼ା ପରୀକ୍ଷା ହେଲା। ସେଥିରେ ମଧ୍ୟ କୌଣସି ଲାଭ ମିଳିଲା ନାହିଁ । ଗୋଟିଏ ମାସ ଭିତରେ ଅଗଷ୍ଟ ୨୦୨୧ରେ ପାଦ ଆଙ୍ଗୁଠିକୁ କାଟିବାକୁ ପଡ଼ିଲା । କିଛି ସପ୍ତାହ ପରେ, ତା’ ପାଖ ଆଙ୍ଗୁଠିକୁ ମଧ୍ୟ କାଟିବାକୁ ପଡ଼ିଲା ।  ରକ୍ତ ସଞ୍ଚାଳନ ବନ୍ଦ ହୋଇ ଗମ୍ଭୀର ସ୍ଥିତିରେ ପହଞ୍ଚିଥିଲା ଏବଂ ଧୀରେ ଧୀରେ ବଢ଼ି ଚାଲିଥିଲା । ଗତବର୍ଷ ଅକ୍ଟୋବର ସୁଦ୍ଧା, ରେହମାନଙ୍କ ଡାହାଣ ପାଦର ପ୍ରାୟ ଅଧା ଭାଗ କାଟି ବାହାର କରି ଦେବାକୁ ପଡ଼ିଥିଲା । ନିଜ କୋଠରୀର ଚଟାଣ ଉପରେ ଥିବା ଏକ ପତଳା ଗଦି ଉପରେ ବସି ସେ କୁହନ୍ତି, ‘‘ପାଞ୍ଚୋ ଉଙ୍ଗଲି ଉଡ଼ା ଦିୟା (ସେମାନେ ମୋର ପାଞ୍ଚ ଆଙ୍ଗୁଠି କାଟି ବାହାର କରିଦେଲେ) ।’’

ସେବେଠାରୁ, ଲଗାତାର ଡାକ୍ତରଖାନା ଯିବାକୁ ଛାଡ଼ିଦେଲେ, ସେହି ଛୋଟିଆ ବାୟୁହୀନ ପ୍ରଥମ ମହଲା କୋଠରୀରେ ତାଙ୍କ ଜୀବନ ବିତୁଛି । ‘‘ବସ, ଅକେଲା ପଡ଼ା ରେହତା ହୁଁ [ମୁଁ କେବଳ ଏକାକୀ ଏଇଠି ପଡ଼ି ରହିଥାଏ], ସେ କୁହନ୍ତି । ‘‘ସମୟ ବିତାଇବା ପାଇଁ ମୋ ପାଖରେ କୌଣସି ମାଧ୍ୟମ ନାହିଁ । ଆମର ଗୋଟିଏ ଟିଭି ଅଛି, କିନ୍ତୁ ତା’କୁ ଚଲାଇବାର ଖର୍ଚ୍ଚ ଆମେ ଉଠାଇପାରିବୁ ନାହିଁ .... ମୁଁ କେବଳ ବସି ଭାବୁଛି.... ମୋର ମୋ ସାଙ୍ଗ ମାନଙ୍କ କଥା ମନେ ପଡ଼ୁଛି, ଯେଉଁସବୁ ଜିନିଷ ମୁଁ ମୋ ପିଲାମାନଙ୍କ ପାଇଁ କିଣିଥିଲି... କିନ୍ତୁ ସେସବୁ ମନେ ପକାଇ ମୁଁ କ’ଣ କରିବି?’’

Carrying the chair are his eldest son Abdul Ayaan, a neighbour's son and a nephew.
PHOTO • Sandeep Mandal
The taxi fare to the hospital in Sion more than he can afford, and yet he has had to keep going back there
PHOTO • Sandeep Mandal

ସେହି ଚେୟାରକୁ ବୋହିନିଅନ୍ତି ତାଙ୍କ ପୁଅ ଅବଦୁଲ ଆୟାନ (ବାମ), ଜଣେ ପଡ଼ୋଶୀଙ୍କ ପୁଅ ଏବଂ ଜଣେ ପୁତୁରା ।  ସାୟନରେ ଥିବା ଡାକ୍ତରଖାନକୁ ଯିବା ଲାଗି ଟ୍ୟାକ୍ସି ଭଡ଼ା ମଧ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼େ, ତଥାପି ତାଙ୍କୁ ସେଠାକୁ ଯିବାକୁ ହୋଇଥାଏ

ପାଦ କଟିବା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପୂର୍ବରୁ ଚାରି ଦଶନ୍ଧି ପର୍ଯ୍ୟନ୍ତ ରେହମାନଙ୍କ ଦୁନିଆ ସେହି କୋଠରୀ ଏବଂ ଗଳି ଠାରୁ ବେଶ ଦୂର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଥିଲା –ନିଜ ଟ୍ୟାକ୍ସିରେ ସହରର କୋଣଅନୁକୋଣ ଏବଂ ତା’ଠାରୁ ଆହୁରି ଦୂର ପର୍ଯ୍ୟନ୍ତ । ମାତ୍ର ୧୮ ବର୍ଷ ହୋଇଥିବା ସମୟରେ, ସହର ରାସ୍ତାରେ ଅନ୍ୟ ଟ୍ୟାକ୍ସି ଡ୍ରାଇଭରଙ୍କ ଠାରୁ ରେହମାନ ଟ୍ୟାକ୍ସି ଚଲାଇବା ଶିଖିଥିଲେ । କିଛି ଦିନ ପରେ ସେ ଏକ ଟ୍ୟାକ୍ସି ଭଡ଼ାରେ ଆଣିଥିଲେ । ସେଥିରୁ ‘‘୩୦ରୁ ୫୦’’ ଟଙ୍କା ରୋଜଗାର ହେଲା । ତାଙ୍କୁ ୨୦ ବର୍ଷ ହୋଇଥିବା ସମୟରେ ସେ ମୁମ୍ବାଇର ସରକାରୀ ବସ ସେବା ବିଇଏସଟିରେ ଜଣେ କ୍ଲିନର ଏବଂ ମେକାନିକ୍‌ ହେଲ୍ପର ଭାବେ ଚାକିରି ପାଇଥିଲେ ।

ଆଠ ବର୍ଷ ପରେ, ପ୍ରାୟ ୧୯୯୨ ମସିହା କଥା, ସେତେବେଳେ ତାଙ୍କର ଦରମା ୧୭୫୦ ଟଙ୍କା ଥିଲା, ଏହି ସମୟରେ  ଜଣେ ଏଜେଣ୍ଟଙ୍କ ସହାୟତାରେ ସଉଦୀ ଆରବରେ ତାଙ୍କୁ ଏକ ଚାକିରି ମିଳିଥିଲା। ସେ କୁହନ୍ତି, ‘‘ଚଳିବା ସେତେବେଳେ ଏତେ କଷ୍ଟକର ନଥିଲା । ସେଠାରେ (ସଉଦୀ ଆରବରେ) ମୁଁ ମାସକୁ ୨୦୦୦-୩୦୦୦ ଟଙ୍କା ପାଉଥିଲି ଏବଂ ଏପରିକି ୫୦୦ ଟଙ୍କା (ମୋର ବିଇଏସଟି ଦରମା ଠାରୁ ଅଧିକ) ଅଧିକ ହୋଇଥିଲେ ଗୋଟିଏ ମାସ ମୋ ପରିବାର ଚଳାଇବା ପାଇଁ ଯଥେଷ୍ଟ ଥିଲା ।’’

ରେହମାନ ସେଠାରେ ବୁଲଡୋଜର ଚାଳକ ଭାବେ କାମ କଲେ ଏବଂ ବେଳେ ବେଳେ ଭଡ଼ା କାର ଚଲାଉଥିଲେ । ‘‘ମୋର ପ୍ରାୟୋଜକ (ନିଯୁକ୍ତିଦାତା) ଜଣେ ଭଲ ଲୋକ ଥିଲେ’’, ସେ କୁହନ୍ତି ଯିଏକି ଘର ସୁବିଧା ଦେଇଥିଲେ ଏବଂ ନିଜ ଦଳକୁ ଅନ୍ୟସବୁ ଦେଶକୁ ପଠାଉଥିଲେ । ସମୟକ୍ରମେ, ରେହମାନଙ୍କୁ ସାରା ବିଶ୍ୱରେ ଅନ୍ୟ ଦେଶରେ ଥିବା କାର୍ଯ୍ୟସ୍ଥଳୀରେ ମଧ୍ୟ କାମ କରିବା ଲାଗି ନିୟୋଜିତ କରାଯାଇଥିଲା।

ତାଙ୍କ ଯାତ୍ରା ସମୟର ଫଟୋ ସବୁ, କେତେକ ମୋଡ଼ି ହୋଇଗଲାଣି ଏବଂ ଫିକା ପଡ଼ିଗଲାଣି – ତାଙ୍କ ପତ୍ନୀ ତଜୁନିସା ଏକ ଜରି ବ୍ୟାଗରୁ ବାହାର କରି ସେସବୁକୁ ଦେଖାଇଥିଲେ । ସେସବୁ ଫଟୋରେ ହସ ହସ ମୁହଁରେ ଥିବା ରେହମାନ ବେଶ ସନ୍ତୁଷ୍ଟ ଜଣାପଡ଼ୁଥିଲେ, ଆହୁରି କେଉଁ ଫଟୋରେ ସେ ଏକ କାର ଉପରେ ନଇଁ ପଡ଼ିଥିବା, ଏକ ବୁଲଡୋଜର ଉପରେ ବସିଥିବା, ଏକ ଦୋକାନ ଭିତରେ ଛିଡ଼ା ହୋଇଥିବା, ସାଙ୍ଗମାନଙ୍କ ସହିତ ବସିଥିବା ଅବସ୍ଥାରେ ଥିଲେ । ଅତୀତର ସେହି ସବୁ ଫଟୋରେ ସେ ଡେଙ୍ଗା ଏବଂ ସୁସ୍ଥ ଜଣାପଡ଼ୁଥିଲେ । କିନ୍ତୁ ଏବେ ୫୭ ବର୍ଷୀୟ ରେହମାନ ବିଛଣାରେ ଶୋଇ ରହି ନିଜ ଜୀବନ ବିତାଉଛନ୍ତି, ଶୁଖି ଯାଇଛନ୍ତି, ଦୁର୍ବଳ ଜଣାପଡ଼ୁଛନ୍ତି ଏବଂ କଥା କହିବା ସମୟରେ ଧଇଁସଇଁ ହେଉଛନ୍ତି ।

ସବୁବେଳେ ବସି ରହିଥିବା କିମ୍ବା ଶୋଇ ରହିଥିବା ସମୟରେ ବୋଧହୁଏ ତାଙ୍କ ମନ ସେହି ସଙ୍କୀର୍ଣ୍ଣ ଗଳି ଦେଇ ବାହାରକୁ ସେସବୁ ଦୂରବର୍ତ୍ତୀ ଭୂଖଣ୍ଡ ଆଡ଼କୁ ଚାଲି ଯାଇଥାଏ । ସେ କୁହନ୍ତି, ସେଠାକାର ଜୀବନ ଆରାମଦାୟକ ଥିଲା। ‘‘ମୋ କୋଠରୀ (ସଉଦୀରେ)ରେ ଏସି ଲାଗିଥିଲା, ମୁଁ ଯେଉଁ କାର ଚଲାଉଥିଲି ସେଥିରେ ଏସି ଥିଲା। ଆମକୁ ଭାତ ସାଙ୍ଗକୁ ଆଖା ମୁର୍ଗ (କେବଳ କୁକୁଡ଼ା ମାଂସ) ଖାଇବାକୁ ମିଳୁଥିଲା। ସେଠି କିଛି ଟେନସନ୍‌ ନଥିଲା, ମୁଁ କାମରୁ ଫେରି ଗାଧୋଉଥିଲି, ଖାଉଥିଲି ଏବଂ ଶୋଇ ଯାଉଥିଲି । ଏଠି ଆମ ପଡ଼ିଶାରେ ସବୁବେଳେ ଝଗଡ଼ା ଲାଗି ରହୁଛି, କେହି ଚୁପ-ଚାପ୍‌ ରହୁନାହାନ୍ତି । ଏଠି ପଙ୍ଖା ହାୱା ମୋତେ ଯନ୍ତ୍ରଣା ଦେଉଛି, ଯେମିତି ମୋ ଶରୀରରୁ ପ୍ରାଣ ବାହାରିଯିବା ଭଳି ଅନୁଭବ ହେଉଛି ।

For long, Rahman’s world stretched well past his room; he worked in countries on four continents and in images of a time past, he is tall and well-built
PHOTO • Courtesy: Shaikh family
PHOTO • Courtesy: Shaikh family
For long, Rahman’s world stretched well past his room; he worked in countries on four continents and in images of a time past, he is tall and well-built
PHOTO • Courtesy: Shaikh family

ଦୀର୍ଘ ସମୟ ଧରି, ରେହମାନଙ୍କ ଦୁନିଆ ତାଙ୍କ କୋଠରୀଠାରୁ ବେଶ୍ ଦୂର ପର୍ଯ୍ୟନ୍ତ ବ୍ୟାପି ରହିଥିଲା; ସେ ଚାରିଟି ମହାଦେଶର ବିଭିନ୍ନ ଦେଶରେ କାମ କରିଥିଲେ ଏବଂ ତାଙ୍କ ଅତୀତର ଫଟୋରେ, ସେ ଡେଙ୍ଗା ଏବଂ ସୁସ୍ଥସବଳ ଜଣାପଡ଼ୁଥିଲେ

ରେହମାନ ୨୦୧୩ରେ ଭାରତ ଫେରି ଆସିଥିଲେ, କାରଣ ସେ କୁହନ୍ତି ଯେ ସଉଦୀରେ ନିଯୁକ୍ତିଦାତା ୧୫ ବର୍ଷରୁ ଅଧିକ ଅବଧି ପର୍ଯ୍ୟନ୍ତ ଅନ୍ୟ ଦେଶର ଶ୍ରମିକମାନଙ୍କୁ ରଖିପାରିବେ ନାହିଁ । ସେ ଯେତେବେଳେ ଫେରିଲେ, ସେହି ଘରେ ହିଁ ରହିଲେ, ଯେଉଁଠି ଏବେ ସେ ରହୁଛନ୍ତି । ରେହମାନଙ୍କ ବାପା ବିଇଏସଟିରେ ଡ୍ରାଇଭର ଥିଲେ । ତାଙ୍କର ଯେତେବେଳେ ମୃତ୍ୟୁ ଘଟିଲା ଭବିଷ୍ୟନିଧି ପାଣ୍ଠି ବାବଦକୁ ରେହମାନଙ୍କ ମା’ଙ୍କୁ ୨୫,୦୦୦ ଟଙ୍କା ମିଳିଥିଲା। ସେତିକି ଟଙ୍କା ଦେଇ ସେ ଏହି ଘର କିଣିଥିଲେ । (ତା’ ପୂର୍ବରୁ ଏହି ପରିବାର ୱଡ଼ାଲାରେ ଥିବା ସରକାରୀ କ୍ୱାର୍ଟର୍ସରେ ରହୁଥିଲେ, ସେଠାରେ ରେହମାନ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ) । ତାଙ୍କର ଚାରି ଜଣ ସାନ ଭାଇ ଏବଂ ଚାରି ଭଉଣୀ ଥିଲେ। ‘‘ଆମେ ଯେତେବେଳେ ଏଠାକୁ ଆସିଲୁ, ଗୋଟିଏ କୋଠରୀରେ ଆମେ ୧୦ ଜଣ ରହୁଥିଲୁ’’, ସେ କୁହନ୍ତି । (ଡିସେମ୍ବର ୨୦୨୧ ବେଳକୁ ସେଠାରେ ୭ ଜଣ ରହୁଥିଲେ- ରେହମାନ ଏବଂ ତାଜୁନିସା, ସେମାନଙ୍କର ଚାରି ପିଲା ଏବଂ ତାଙ୍କ ମା’, ଯାହାଙ୍କର ସେହି ମାସ ପରଲୋକ ଘଟିଥିଲା)

ଯେତେବେଳେ ସେମାନେ ମାହିମକୁ ଆସିଲେ, ତାଙ୍କ ମା’ଙ୍କୁ ଏକ ଘରୋଇ ସହାୟିକା କାମ ମିଳିଲା (ପରେ ପରେ, ତାଙ୍କ ଭଉଣୀମାନଙ୍କୁ ମଧ୍ୟ ସେମିତି କାମ ମିଳିଥିଲା) । କିଛି ବର୍ଷ ପରେ, ଉଠାଦୋକାନୀ କାମ କରୁଥିବା ତାଙ୍କର ଦୁଇ ଭାଇ ଭିନ୍ନ ଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ରେହମାନ ଏବଂ ତାଙ୍କର ବାକି ଦୁଇ ଭାଇ – ଜଣେ ଏସି ମେକାନିକ ଏବଂ ଅନ୍ୟ ଜଣେ କାଠ କାମ କରିଥାନ୍ତି – ମାହିମ ବସ୍ତି କଲୋନୀର ସେହି ତିନି ମହଲା ଘରେ ରହିଥାନ୍ତି । ଜିନିଷପତ୍ର ଭର୍ତ୍ତି ହୋଇଥିବା ସେହି ଛୋଟ ଛୋଟ ଘରେ ରେହମାନ ମଝି ମହଲାରେ ଏବଂ ତାଙ୍କ ଭାଇମାନେ ‘ଉପରେ-ତଳେ’ ରହିଥାନ୍ତି ।

ବାହାଘର ପରେ ତାଙ୍କର ଭଉଣୀମାନେ ଅନ୍ୟତ୍ର ଚାଲି ଯାଇଛନ୍ତି । ବିଦେଶରେ କାମ କରିବା ସମୟରେ ରେହମାନ ବର୍ଷକୁ ଥରେ କିମ୍ବା ପ୍ରତି ଦୁଇ ବର୍ଷରେ ଗୋଟିଏ ଥର ଭାରତ ଆସୁଥିଲେ । ସେ ନିଜେ ଗର୍ବ କରି କହିଥାନ୍ତି ଯେ, ସେ ସମୟରେ, ନିଜ ବେତନ ଓ ସଞ୍ଚୟରୁ ସେ ସେମାନଙ୍କର (ପରେ ନିଜ ଭାଣିଜୀମାନଙ୍କର) ବାହାଘରରେ ସାହାଯ୍ୟ କରିଥିଲେ ।

ରେହମାନ ଯେତେବେଳେ ସଉଦୀ ଆରବରୁ ଫେରିଲେ, ଅନେକ ବର୍ଷର କଠିନ ପରିଶ୍ରମ ପରେ ସେ ୮ ଲକ୍ଷ ଟଙ୍କା ସଞ୍ଚୟ କରିପାରିଥିଲେ । (ସେତେବେଳେ ତାଙ୍କର ମାସିକ ଦରମା ୧୮,୦୦୦ ଟଙ୍କା ଥିଲା, ଏଥିରୁ ଅଧିକାଂଶ ଭାଗ ସେ ଘରକୁ ପଠାଇ ଦେଉଥିଲେ ।) ଏସବୁ ସଞ୍ଚୟର ଅଧିକାଂଶ ଭାଗ ପରିବାରର ବାହାଘର କାମରେ ଖର୍ଚ୍ଚ ହେଉଥିଲା । ସେ ମଧ୍ୟ ବ୍ୟାଙ୍କରୁ ୩.୫ ଲକ୍ଷ ଟଙ୍କା ଋଣ ନେଇ ଏକ ଟ୍ୟାକ୍ସି ପର୍ମିଟ୍‌ କିଣିଥିଲେ ଏବଂ ଏକ ସାଣ୍ଟ୍ରୋ ଗାଡ଼ି କିଣିଥିଲେ । ସେ ସେହି ଟ୍ୟାକ୍ସି ଚଲାଉଥିଲେ ଏବଂ ବେଳେ ବେଳେ ଭଡ଼ାରେ ଦେଉଥିଲେ । ସେଥିରୁ ଦିନକୁ ତାଙ୍କର ୫୦୦-୬୦୦ ଟଙ୍କା ରୋଜଗାର ହେଉଥିଲା। ଦୁଇ ବର୍ଷ ପରେ ସେ କାରର ରକ୍ଷଣାବେକ୍ଷଣ ଖର୍ଚ୍ଚ ଉଠାଇପାରିଲେ ନାହିଁ । ନିଜର ଅସୁସ୍ଥତା ଯୋଗୁ ରେହମାନ ଟ୍ୟାକ୍ସି ବିକ୍ରି କରି ଦେଲେ ଏବଂ ଭଡ଼ାରେ ଟ୍ୟାକ୍ସି ଆଣି ଚଲାଇବାକୁ ଲାଗିଲେ । ସେଥିରୁ ସେ ଦିନକୁ ୩୦୦ ଟଙ୍କା ରୋଜଗାର କରୁଥିଲେ ।

Now he is confined to a 150 square feet airless room, and is fearful of his family losing that room too someday
PHOTO • Sharmila Joshi
Now he is confined to a 150 square feet airless room, and is fearful of his family losing that room too someday
PHOTO • Sharmila Joshi

ଏବେ ସେ ୧୫୦ ବର୍ଗଫୁଟର ବାୟୁ ଚଳାଚଳ ହେଉନଥିବା କୋଠରୀରେ ସୀମିତ ରହି ଯାଇଛନ୍ତି ଏବଂ ଦିନେ ସେହି ଘର ମଧ୍ୟ ତାଙ୍କ ପରିବାରର ହାତଛଡ଼ା ହୋଇପାରେ ବୋଲି ସେ ଆଶଙ୍କା କରୁଛନ୍ତି

ତାହା ଥିଲା ୨୦୧୫ ମସିହା କଥା । ‘‘ଲକଡାଉନ (ମାର୍ଚ୍ଚ ୨୦୨୦ରେ) ପର୍ଯ୍ୟନ୍ତ ମୁଁ ଏହି କାମ କରୁଥିଲି’’, ସେ କୁହନ୍ତି । ‘‘ତା’ପରେ ସବୁକିଛି ବନ୍ଦ ହୋଇଗଲା ।’’ ଯଦିଓ ସେ ନିଜ ବନ୍ଧୁମାନଙ୍କ ସହିତ କଥା ହେବା ଲାଗି ନିଜର ପରିଚିତ ସାକ୍ଷାତସ୍ଥଳକୁ ଯାଉଥିଲେ, ତଥାପି ସେବେଠାରୁ ଅଧିକାଂଶ ସମୟରେ ସେ ଘରେ ହିଁ ରହିଆସୁଥିଲେ । ଲକଡାଉନରେ ଦାତବ୍ୟ ସଂଗଠନ ଏବଂ ଦରଘା ପକ୍ଷରୁ ମିଳୁଥିବା ରାସନରେ ପରିବାର ଚଳି ଯାଉଥିଲା। ବନ୍ଧୁ ଏବଂ ନିକଟ ସମ୍ପର୍କୀୟଙ୍କଠାରୁ ଆମେ କେତେ ଶହ ଟଙ୍କା ଯୋଗାଡ଼ କରିଥିଲୁ ।

ଡାଏବେଟିସ ସମ୍ପର୍କରେ ତାଙ୍କୁ ସେତିକି ବେଳେ ଜଣାପଡ଼ିଲା ଯେତେବେଳେ ରେହମାନ ସଉଦୀ ଆରବରେ ଥିଲେ, ସେ ଔଷଧ ଖାଉଥିଲେ, କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ହୋଇ ଚାଲିଥିଲା । ୨୦୧୩ରେ ଭାରତ ଫେରିବା ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଚାଲିଲା। ଫଳରେ ସେ ଆଉ ବିଦେଶରେ ଚାକିରି କରିବା ଲାଗି ଚେଷ୍ଟା କଲେ ନାହିଁ । କିନ୍ତୁ ଲକଡାଉନରେ ତାଙ୍କ ଦୁନିଆ ସବୁଆଡ଼ୁ ସଙ୍କୁଚିତ ହୋଇଗଲା । ଦୀର୍ଘ  ସମୟ ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିବା ଯୋଗୁ ତାଙ୍କ ଶରୀରରେ ଘା’ ହୋଇଗଲା। ସାୟନ ଡାକ୍ତରଖାନାରେ ସେହି ଘା’ର ଅସ୍ତ୍ରୋପଚାର କରାଯିବାର ଥିଲା।

ଠିକ୍‌ ଏହାପରେ ନିଜର ଡାହାଣ ଗୋଡ଼ ମଝି ଆଙ୍ଗୁଠିରେ ଏକ କଳା ଦାଗ ଥିବା ରେହମାନ ଦେଖିପାରିଲେ ।

କେତେଗୁଡ଼ିଏ ଡାକ୍ତରଖାନା ବୁଲିବା ପରେ ସେ ଜଣେ ସ୍ଥାନୀୟ ଚିକିତ୍ସକଙ୍କ ପରାମର୍ଶ ଲୋଡ଼ିଲେ, ଯିଏକି ତାଙ୍କୁ କହିଲେ ଯେ ଅଧିକ ଡାଏବେଟିସ ହେବା ଯୋଗୁ ତାଙ୍କ ଶରୀରର ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଛି ଏବଂ ଏହାକୁ ଠିକ୍‌ କରିବା ଲାଗି ଡାକ୍ତର ଆଞ୍ଜିଓପ୍ଲାଷ୍ଟିର ପରାମର୍ଶ ଦେଇଥିଲେ । ଶେଷରେ ଅକ୍ଟୋବର ୨୦୨୧ରେ ସାୟନ ଡାକ୍ତରଖାନାରେ ତାଙ୍କର ଏହି ପଦ୍ଧତିରେ ଚିକିତ୍ସା କରାଗଲା, ଏହାର କିଛି ସପ୍ତାହ ପରେ ତାଙ୍କର ଅଧା ପାଦ କାଟି ଦିଆଗଲା । ରେହମାନ କୁହନ୍ତି, ‘‘ଚଲାବୁଲାରେ ସୁଧାର ଆସିଲା, ଯନ୍ତ୍ରଣା କମିଲା ଏବଂ କଳାପଣ ମଧ୍ୟ ଦୂର ହୋଇଗଲା’’, ତେବେ ପାଦ ସାମାନ୍ୟ ଦରଜ ଏବଂ କୁଣ୍ଡେଇ ହେବା ଜାରି ରହିଥିଲା।  ଏକ ସ୍ଥାନୀୟ ସଂଗଠନ ଘା’କୁ ଡ୍ରେସିଂ କରିବା ଲାଗି ଜଣେ ଆଟେଣ୍ଡାଣ୍ଟଙ୍କୁ ଯୋଗାଡ଼ କରିଦେଲା, ସେଥିପାଇଁ ଡାକ୍ତରଖାନାକୁ ବାରମ୍ବାର ଯିବାକୁ ପଡ଼ିଲା ନାହିଁ ।

ରେହମାନଙ୍କ ପାଦ ଘା’ ଉପଶମ ହେଉଥିବା ସମୟରେ, ସେ ଆଶାବାଦୀ ହୋଇପଡ଼ିଥିଲେ (ଯଦିଓ ଚାଲବୁଲ କରିପାରୁନଥିବାରୁ ତାଙ୍କର ପାକସ୍ଥଳୀ ସମସ୍ୟା ଦେଖାଦେଇଥିଲା ଏବଂ ସେଥିପାଇଁ ତାଙ୍କୁ ଚଳିତ ବର୍ଷ ପ୍ରାରମ୍ଭରେ କିଛିଦିନ କେଇଏମ ଡାକ୍ତରଖାନାରେ ବିତାଇବାକୁ ପଡ଼ିଥିଲା)।  ସେ କହିଥିଲେ, ‘‘ଥରେ ମୋ ପାଦରେ କିଛି ଚମଡ଼ା  ବଢ଼ିଗଲା, ମୁଁ ପୂର୍ବରୁ ଶୁଣିଥିଲି ଯେ ଏହି ସମସ୍ୟା ପାଇଁ ସ୍ୱତନ୍ତ୍ର ଜୋତା ଅଛି । ତାହା କେତେ ଟଙ୍କା ଲାଗିବ ବୋଲି ମୁଁ ପଚାରିଲି । ଏହାପରେ ମୁଁ ପୁଣିଥରେ ଚାଲିବା ଆରମ୍ଭ କରିଥାନ୍ତି...।’’ ଅନ୍ୟପଟେ ତଜୁନିସା କହିଥିଲେ ଯେ ସେମାନେ ଏକ ହୁଇଲଚେୟାର  କିଣିବାକୁ ଚାହୁଁଛନ୍ତି ।

Rahman's debilitation has hit his family hard
PHOTO • Sandeep Mandal
Rahman's debilitation has hit his family hard: Abdul Samad, Afsha, Daniya and his wife Tajunissa (eldest son Abdul Ayaan is not in this photo)
PHOTO • Sharmila Joshi

ରେହମାନଙ୍କ ଅସୁସ୍ଥତା ଯୋଗୁ ତାଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛି : ଅବଦୁଲ ସାମଦ, ଆଫସା, ଦାନିୟା ଏବଂ ତାଙ୍କର ପତ୍ନୀ ତାଜୁନିସା (ବଡ଼ ପୁଅ ଅବଦୁଲ ଆୟାନ ଏହି ଫଟୋରେ ନାହାନ୍ତି)

ତାଙ୍କର ପାଦ ଯେତେବେଳେ ଭଲ ହେଉଥିବା ଭଳି ଲାଗୁଥିଲା, ସେହି ସମୟର କଥା ଖୁସିରେ ଆତ୍ମହରା ହୋଇ ରେହମାନ କହିଥିଲେ । ପୂର୍ବରୁ ସେ ବେଳେ ବେଳେ ତାମିଲନାଡ଼ୁର ଉଲୁନ୍ଦୁରପେଟ ତାଲୁକରେ ଥିବା ଏଲାଭନସୁରୁକୋଟ୍ଟାଇ ଯାଇ ନିଜ ବଡ଼ ଭଉଣୀ ଏବଂ ବଡ଼ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭେଟୁଥିଲେ, ଏକଥା କହିବା ବେଳେ ତାଙ୍କ ଭିତରେ ଏକ ସନ୍ତୁଷ୍ଟିର ଭାବନା ଦେଖିବାକୁ ମିଳିଥିଲା (ଯୁବାବସ୍ଥାରେ ରେହମାନଙ୍କ ବାପା କାମ ଖୋଜିବା ଲାଗି ମୁମ୍ବାଇ ଚାଲି ଆସିଥିଲେ)।  ରେହମାନଙ୍କର ଭାଇ-ଭଉଣୀମାନେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିଥାନ୍ତି, ଦେହ ଭଲ ଅଛି କି ନାହିଁ ପଚାରନ୍ତି, ଏଥିରେ ତାଙ୍କୁ ଖୁସି ମିଳିଥାଏ । ‘‘ମୋତେ ଖୁସି ଲାଗିଥାଏ’’, ସେ କହିଥିଲେ ।

ତାଙ୍କର ଦୀର୍ଘଦିନର ଅସୁସ୍ଥତା ତାଙ୍କ ପରିବାରକୁ ଗଭୀର ଭାବେ ପ୍ରଭାବିତ କରିଛି । ଲକଡାଉନ ଅବଧି ପରେ ମଧ୍ୟ କୌଣସି ରୋଜଗାର ନାହିଁ, ଏଥିପାଇଁ ସେମାନେ ଅନ୍ୟର ସହାୟତା ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ୪୮ ବର୍ଷୀୟା ତାଜୁନିସା, କିଛିଦିନ ପୂର୍ବରୁ ଜଣେ ଗୃହିଣୀ ଥିଲେ, ଏବେ ତାଙ୍କୁ ସ୍ଥାନୀୟ ଏକ ବାଲୱାଡ଼ିରେ ମାସିକ ୩୦୦ ଟଙ୍କାରେ ସଫେଇ କର୍ମୀ ଭାବେ କାମ ମିଳିଛି । ସେ କୁହନ୍ତି, ‘‘ମୋତେ ଘରୋଇ କାମ ଖୋଜିବାକୁ ପଡ଼ିବ । ହୁଏତ’ ଆମ ବଡ଼ ପୁଅକୁ ଟେଲରିଂ କାମ ପାଇଁ ପଠାଇବୁ...’’

ତାଙ୍କର ସବୁଠୁ ବଡ଼ ପୁଅ, ଅବଦୁଲ ଆୟାନକୁ ମାତ୍ର ୧୫ ବର୍ଷ । ରେହମାନ କୁହନ୍ତି, ଯଦି ପୁଅ ବଡ଼ ହୋଇଥାନ୍ତା, ତା’ହେଲେ ଆମେ ତା’କୁ କାମ କରିବା ଲାଗି ଦୁବାଇ ପଠାଇବା ବିଷୟରେ ଚିନ୍ତା କରିଥାନ୍ତୁ ।’’ ‘‘ଆମ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର’’, ତଜୁନିସା କୁହନ୍ତି । ‘‘ଆମର (ଲକଡାଉନ ପରଠାରୁ) ପ୍ରାୟ ୧୯,୦୦୦ ଟଙ୍କାର ବିଦ୍ୟୁତ ବିଲ୍‌ ବକେୟା ହୋଇସାରିଲାଣି, କିନ୍ତୁ ଯେତେବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ଆମ ଘରକୁ ଆସି ଆମ ଅବସ୍ଥା ଦେଖିଲେ ବିଲ ପଇଠ କରିବା ପାଇଁ ଆମକୁ କିଛି ସମୟ ଦେଲେ । ପିଲାମାନଙ୍କ ସ୍କୁଲ୍‌ ଫି’ ମଧ୍ୟ ଠିକରେ ଦିଆଯାଇପାରୁନାହିଁ, ସେଥିପାଇଁ ମଧ୍ୟ ଆମେ ମହଲତ ମାଗିଛୁ । ଗ୍ୟାସ ସିଲିଣ୍ଡର ସରିବାକୁ ବସିଛି । ଆମ ଘର ଚଳିବ କେମିତି, ଆମ ପିଲାମାନଙ୍କର ଯତ୍ନ ନେବୁ କିପରି?’’

ତାଙ୍କର ସବୁଠୁ ବଡ଼ ପୁଅ, ଆଠ ବର୍ଷ ବୟସ୍କ ଅବଦୁଲ ସମଦ ଏବଂ ସାନ ଝିଅ ୧୨ ବର୍ଷ ବୟସ୍କା ଆଫସା ପାଖାପାଖି ଦୁଇ ବର୍ଷ ହେବ ଅନଲାଇନ କ୍ଲାସ୍‌ କରିପାରିନାହାନ୍ତି (ଚାରି ଜଣ ଯାକ ପିଲା ନିକଟସ୍ଥ ସ୍କୁଲରେ ପାଠ ପଢ଼ୁଛନ୍ତି) । ‘‘ମୁଁ ବୁଝିପାରୁନାହିଁ ଏବେ ଶ୍ରେଣୀରେ କ’ଣ ପାଠପଢ଼ା ହେଉଛି’’, ନିକଟରେ ପୁଣିଥରେ ସ୍କୁଲ ଖୋଲିବା ପରେ ଆଫସା କୁହନ୍ତି ।

ସବୁଠୁ ବଡ଼ ଝିଅ, ୧୬ ବର୍ଷ ବୟସ୍କା ଦାନିଆ ଏବେ ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି, ସେ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କର ମୋବାଇଲ ଫୋନରେ ପାଠ ପଢ଼ିବାରେ ସକ୍ଷମ ହୋଇଥାନ୍ତି (ଆୟନ ମଧ୍ୟ ସେମିତି କରିଥାନ୍ତି) । ସେ କୁହନ୍ତି ଯେ ସେ ଜଣେ ବିଉଟିସିଆନ୍‌ ହେବାକୁ ଚାହାଁନ୍ତି, ହାତରେ ମେହେନ୍ଦୀ ଲଗାଇବା ସେ ଶିଖି ଯାଇଛନ୍ତି ଏବଂ ସେଥିରୁ କିଛି ଟଙ୍କା ସେ ରୋଜଗାର କରିବା ଲାଗି ଆଶା ରଖିଛନ୍ତି ।

'Now I don't know how long I am alive. My hopes for my children have died'
PHOTO • Sandeep Mandal

ଏବେ ମୁଁ ଜାଣି ନାହିଁ କେତେ ଦିନ ଆଉ ମୁଁ ବଞ୍ଚିବି । ମୋ ପିଲାଙ୍କୁ ନେଇ ମୋ ଆଶା ମଉଳିଯାଇଛି’

ରେହମାନ ସବୁବେଳେ ନିଜ ପରିବାରକୁ ନେଇ ଗମ୍ଭୀର ଭାବେ ଚିନ୍ତିତ ରହିଥାନ୍ତି । ‘‘ମୋ ପରେ ଏମାନଙ୍କର କ’ଣ ହେବ? ମୋର ସବୁଠୁ ସାନ ପୁଅ ବୟସ ମାତ୍ର ଆଠ ବର୍ଷ....’’ ସେ କୁହନ୍ତି । ତାଙ୍କୁ ଆଉ ଏକ ଚିନ୍ତା ମଧ୍ୟ ସବୁବେଳେ ଖାଉଛି, ତାଙ୍କ ବସ୍ତି କଲୋନୀକୁ ଦିନେ ହୁଏତ’ ପୁନର୍ବିକାଶ ପ୍ରକଳ୍ପ ପାଇଁ ଭାଙ୍ଗି ଦିଆଯାଇପାରେ ବୋଲି ସେ ଆଶଙ୍କା କରିଥାନ୍ତି । ସେ ଓ ତାଙ୍କ ଭାଇମାନେ ଏବେ ତିନୋଟି କୋଠରୀରେ ରହୁଛନ୍ତି, କିନ୍ତୁ ପୂରା ପରିବାରକୁ ଗୋଟିଏ ୟୁନିଟ/କୋଠରୀ ମିଳିବ ବୋଲି ତାଙ୍କ ମନରେ ଆଶଙ୍କା ରହିଛି । ‘‘ଯଦି ମୋ ଭାଇମାନେ ଘର ବିକି ଚାଲିଯିବାକୁ ଚାହାନ୍ତି ତା’ହେଲେ କ’ଣ ହେବ? ସେମାନେ ମୋ ପରିବାରକୁ ୩-୪ ଲକ୍ଷ ଟଙ୍କା ଦେଇ ଚାଲିଯିବାକୁ ହୁଏତ‘ କହିପାରନ୍ତି । ମୋ ପରିବାର କୁଆଡ଼େ ଯିବ?’’ ସେ ପ୍ରଶ୍ନ କରିଥାନ୍ତି ।

ସେ ଆହୁରି କହିଥାନ୍ତି, ‘‘ଯଦି ମୋ ପାଦ ନହୋଇ ଶରୀରର ଅନ୍ୟ କୌଣସି ଅଂଶରେ ଏପରି ହୋଇଥାନ୍ତା, ଏପରିକି ମୋ ହାତରେ ହୋଇଥାନ୍ତା, ମୁଁ ଅତିକମରେ ଚାଲି ପାରିଥାନ୍ତି, କେଉଁଆଡ଼େ ଚାଲିଯାଇଥାନ୍ତି । ଏବେ ମୁଁ ଆଉ କେତେଦିନ ବଞ୍ଚିବି ଜାଣେ ନାହିଁ । ମୋ ପିଲାମାନଙ୍କ ପାଇଁ ମୋର ଆଶା ମରିଯାଇଛି, କିନ୍ତୁ ଯେତିକି ଦିନ ମୁଁ ସେମାନଙ୍କ ପାଖରେ ରହିଛି, ମୁଁ ଚାହୁଁଛି ଯେ ସେମାନେ ପାଠ ପଢ଼ନ୍ତୁ । ମୁଁ ଧାରଉଧାର କରିବି, ଆଉ ମାଗିବି, ଯେମିତି ହେଉ ଚଳାଇବାକୁ ଚେଷ୍ଟା କରିବି ।’’

ଫେବୃଆରୀ ମଧ୍ୟ ଭାଗରେ, ସାୟନ ଡାକ୍ତରଖାନାକୁ ପୁଣିଥରେ ଯାଇଥିବା ସମୟରେ, ଡାକ୍ତରଖାନାରେ ଭର୍ତ୍ତି ହେବା ଲାଗି ରେହମାନଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ, କାରଣ ତାଙ୍କର ସର୍କରା ସ୍ତର ଗମ୍ଭୀର ଭାବେ ବଢ଼ିଯାଇଥିଲା।  ସେଠାରେ ସେ ଏକ ମାସ ରହିଲେ ଏବଂ ମାର୍ଚ୍ଚ ୧୨ ତାରିଖରେ ତାଙ୍କୁ ଘରକୁ ପଠାଇ ଦିଆଗଲା-ତଥାପି ତାଙ୍କର ଡାଏବେଟିସ ସ୍ତର ଅନିୟନ୍ତ୍ରିତ ଅବସ୍ଥାରେ ରହିଛି, ତାଙ୍କ ଡାହାଣ ଗୋଡ଼ରେ ଖାଲି ହାଡ଼ ଓ ଚମଡ଼ା ରହିଛି ।

‘‘ଡାହାଣ ପାଦରେ ଥିବା ଥିବା ଅବଶିଷ୍ଟ ଭାଗ ଚର୍ମ ମଧ୍ୟ ଧୀରେ ଧୀରେ କଳା ପଡ଼ିଲାଣି ଏବଂ ସେଥିରେ ଯନ୍ତ୍ରଣା ମଧ୍ୟ ହେଉଛି। ଡାକ୍ତରମାନେ ଭାବୁଛନ୍ତି ତାଙ୍କୁ ହୁଏତ’ ସମ୍ପୂର୍ଣ୍ଣ ଗୋଡ଼ଟିକୁ କାଟିଦେବାକୁ ପଡ଼ିପାରେ’’, ସେ କୁହନ୍ତି ।

ମାର୍ଚ୍ଚ ୧୪ ତାରିଖ ରାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା, ‘‘ଏମିତିକି ମୁଁ କାନ୍ଦି ପକାଇଥିଲି’’, ରେହମାନ କୁହନ୍ତି । ଅଧରାତିରେ ତାଙ୍କୁ ସେହିପରି ଭାବେ ଚେୟାରରେ ବୋହି ଟ୍ୟାକ୍ସି ପର୍ଯ୍ୟନ୍ତ ନେବାକୁ ପଡ଼ିଲା, ସେଥିରେ ସେ ଡାକ୍ତରଖାନାକୁ ଗଲେ । ଆହୁରି କେତେ ଟେଷ୍ଟ ହେଲା, ଇଞ୍ଜେକ୍ସନ, ଔଷଧ ଦେବାରୁ ଯନ୍ତ୍ରଣା ସାମାନ୍ୟ କମିଲା, କିନ୍ତୁ ପୁଣିଥରେ ତାହା ଫେରି ଆସିଲା। ତାଙ୍କୁ ପୁଣିଥରେ କିଛି ସ୍କାନ ଓ ଟେଷ୍ଟ, କିମ୍ବା ବୋଧହୁଏ ଆଉ ଏକ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ଯିବାକୁ ପଡ଼ିବ ।

ଦିନକୁ ଦିନ ସେ ଅଧିକ ଅସହାୟ ଏବଂ ହତାଶ ହୋଇପଡ଼ୁଛନ୍ତି । ପରିବାର କିନ୍ତୁ ନିରାଶ ହୋଇନାହିଁ, ସବୁକିଛି ଦିନେ ଠିକ୍‌ ହୋଇଯିବ ବୋଲି ସେମାନଙ୍କର ଆଶା ରହିଛି । ‘‘ଇନ୍‌ଶାଆଲ୍ଲହା’’, ରେହମାନ ଭାଇ କୁହନ୍ତି ।

ପ୍ରଚ୍ଛଦ ଫଟୋ: ସନ୍ଦୀପ ପଣ୍ଡଳ
ଏହି ଷ୍ଟୋରୀ ପ୍ରସ୍ତୁତ କରିବା ସମୟରେ ବିଶେଷ ସହାୟତା ପାଇଁ ଲକ୍ଷ୍ମୀ କାମ୍ବଲିଙ୍କୁ ଲେଖକ ଧନ୍ୟବାଦ ଜଣାଇଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE