ଏପ୍ରିଲ୍ ୧ ତାରିଖ, ୨୦୨୨ ମସିହା ଶୁକ୍ରବାର ସକାଳ, ରମାଙ୍କ ପାଇଁ ଅନ୍ୟ ସାଧାରଣ ଦିନ ପରି ଥିଲା। ସେ ଭୋର ୪:୩୦ରୁ ଉଠି ପଡ଼ିଲେ, ପାଖ ଗାଁରେ ଥିବା କୂଅ ନିକଟକୁ ବାହାରିଗଲେ, ସେଠାରୁ ପାଣି ଆଣିଲେ, ଲୁଗାପଟା ଧୋଇଲେ, ଘର ଓଳାପୋଛା କଲେ ଏବଂ ତା’ ପରେ ମାଆଙ୍କ ସହିତ କାଞ୍ଜି ଖାଇଲେ। ଘରକାମ ସାରି ତାଙ୍କ ଗାଁଠାରୁ ୨୫ କିଲୋମିଟର ଦୂରରେ ଡିଣ୍ଡିଗୁଲ ଜିଲ୍ଲାର ବେଦାସାନ୍ଦୁର ତହସିଲରେ ନାଟଚ୍ଚି ଆପାରେଲ୍ରେ କାମ କରିବାକୁ ବାହାରିଗଲେ। କିନ୍ତୁ ସେ ଦିନ ଅପରାହ୍ଣ ବେଳକୁ ଏହି ୨୭ ବର୍ଷୀୟା ମହିଳା ଏବଂ ତାଙ୍କ ସାଥୀମାନେ ସେମାନଙ୍କ ପୋଷାକ କାରଖାନାରେ ବର୍ଷ ବର୍ଷର ଯୌନ ନିର୍ଯାତନା ଶେଷ କରିବା ପାଇଁ ସଂଗ୍ରାମ କରିବା ପରେ - ଏକ ଇତିହାସ ସୃଷ୍ଟି କଲେ।
‘‘ସତ କହିବାକୁ ଗଲେ, ମୁଁ ଅନୁଭବ କରୁଛି ଯେ ଆମେ ଅସମ୍ଭବକୁ ସମ୍ଭବ କରିଛୁ,’’ ରମା ଡିଣ୍ଡିଗୁଲ ରାଜିନାମା ବିଷୟରେ କହନ୍ତି - ଯାହାକି ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ଗ୍ଲୋବାଲ୍ କ୍ଲଥିଙ୍ଗ୍ (ନାଟଚି ଆପାରେଲ୍ର ତିରୁପୁରରେ ରହିଥିବା ମୂଳ କମ୍ପାନି) ଏବଂ ତାମିଲ୍ନାଡ଼ୁ ଟେକ୍ସଟାଇଲ୍ ଏବଂ କମନ୍ ଲେବର୍ ୟୁନିୟନ୍ (ଟିଟିସିୟୁ) ମଧ୍ୟରେ ତାମିଲ୍ନାଡ଼ୁର ଡିଣ୍ଡିଗୁଲ ଜିଲ୍ଲାରେ ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ଦ୍ୱାରା ପରିଚାଳିତ କାରଖାନାଗୁଡ଼ିକରେ ଲିଙ୍ଗଭିତ୍ତିକ ହିଂସା ଓ ନିର୍ଯାତନା ଶେଷ କରିବା ପାଇଁ ସ୍ୱାକ୍ଷରିତ ହୋଇଥିଲେ।
ଏହି ମହତ୍ୱପୂର୍ଣ୍ଣ ରାଜିନାମାର ଅଂଶ ଭାବରେ, ଏକ ‘ବଳବତ୍ତରଯୋଗ୍ୟ ବ୍ରାଣ୍ଡ ରାଜିନାମା’ କିମ୍ବା ଇବିଏ, ବହୁଦେଶୀୟ ଫେସନ୍ ବ୍ରାଣ୍ଡ, ଏଚଆଣ୍ଡ ଏମ୍ ଦ୍ୱାରା ଟିଟିସିଓ - ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ରାଜିନାମାକୁ ସମର୍ଥନ କରିବା ପାଇଁ ଏବଂ ବଳବତ୍ତର କରିବା ପାଇଁ ସ୍ୱାକ୍ଷରିତ ହୋଇଛି। ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ର ନାଟଚି ଆପାରେଲ୍ ସ୍ୱିଡେନରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ଏକ ପୋଷାକ କମ୍ପାନି ପାଇଁ କାର୍ଯ୍ୟ କରୁଛି। ଏଚ୍ ଆଣ୍ଡ ଏମ୍ ଦ୍ୱାରା ସ୍ୱାକ୍ଷରିତ ଏହି ରାଜିନାମା ହେଉଛି ଫେସନ୍ ଶିଳ୍ପରେ ଲିଙ୍ଗଭିତ୍ତିକ ହିଂସାର ମୁକାବିଲା କରିବା ପାଇଁ ସାରା ବିଶ୍ୱରେ ଏହି ଶିଳ୍ପର ଦ୍ୱିତୀୟ ଚୁକ୍ତିନାମା।
ରମା ହେଉଛନ୍ତି ଟିଟିସିୟୁର ଜଣେ ସଭ୍ୟା, ଯାହାକି ଦଳିତ ମହିଳାମାନଙ୍କ ନେତୃତ୍ୱରେ ବୟନଶିଳ୍ପରେ କାର୍ଯ୍ୟରତ ମହିଳାଙ୍କର ଏକ ଟ୍ରେଡ୍ ୟୁନିୟନ୍ ବା ଶ୍ରମିକ ସଂଘ, ଯେଉଁମାନେ କି ୪ ବର୍ଷ ହେଲା ନାଟଚି ଆପାରେଲର କର୍ମଚାରୀ ହୋଇ ରହିଛନ୍ତି। ସେ କହିଥିଲେ, ‘‘ମୁଁ କେବେ ବି ଭାବିନଥିଲି ଯେ ମ୍ୟାନେଜମେଣ୍ଟ ଏବଂ ଏହି ବ୍ରାଣ୍ଡ୍ [ଏଚ୍ ଆଣ୍ଡ ଏମ୍ (H&M)] ଦଳିତ ମହିଳାଙ୍କ ଶ୍ରମିକ ସଂଘ ସହିତ ଏହି ରାଜିନାମା ସ୍ୱାକ୍ଷର କରିବ।’’ ‘‘ସେମାନେ ମଧ୍ୟ ବର୍ତ୍ତମାନ ବାସ୍ତବରେ କିଛି ଭୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏବେ ସଠିକ ପଦକ୍ଷେପ ଗ୍ରହଣ କରୁଛନ୍ତି।’’ ଏଚ୍ ଆଣ୍ଡ ଏମ୍ର ଏହି ସଂଘ ସହିତ ରାଜିନାମା ହେଉଛି ଭାରତରେ ସ୍ୱାକ୍ଷରିତ ପ୍ରଥମ ଇବିଏ। ଏହା ହେଉଛି ଆଇନତଃ ପାଳନୀୟ ଚୁକ୍ତିନାମା ଯାହା ଅଧୀନରେ ଯଦି ଇଷ୍ଟମ୍ୟାନ ଏକ୍ସପୋର୍ଟସ୍, ଏହି ଯୋଗାଣକାରୀ ଟିଟିସିୟୁ ସହିତ ପ୍ରତିବଦ୍ଧତା ଉଲ୍ଲଂଘନ କରେ ତେବେ ତାହା ଉପରେ ଏଚ୍ ଆଣ୍ଡ ଏମ୍ ଜରିମାନା ଲାଗୁ କରିବାକୁ ବାଧ୍ୟ ହେବ।
ନାଟଚି ଆପାରେଲ୍ରେ ଜଣେ ୨୦ ବର୍ଷ ବୟସର ଜୟଶ୍ରୀ କାଥିରାଭେଲ୍ ଦଳିତ ଯୁବତୀ, ପୋଷାକ କାରଖାନାର ଶ୍ରମିକଙ୍କର ବଳାତ୍କାର ଓ ହତ୍ୟାର ଏକ ବର୍ଷ ପରେ ଇଷ୍ଟମ୍ୟାନ୍ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଥିଲା। ଜୟଶ୍ରୀ ମାସ ମାସ ଧରି ତାଙ୍କ କାରଖାନାରେ ସୁପରଭାଇଜରଙ୍କର ଯୌନ ନିର୍ଯାତନାର ଶିକାର ହୋଇଥିଲେ, ସୁପରଭାଇଜର ଜଣକ ଉଚ୍ଚଜାତିର ଥିଲେ, ପରେ ଜୟଶ୍ରୀଙ୍କୁ ଜାନୁୟାରୀ ୨୦୨୧ରେ ହତ୍ୟା କରାଯାଇଥିଲା। ସୁପରଭାଇଜର ଜଣକ ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଜୟଶ୍ରୀଙ୍କର ହତ୍ୟା ପୋଷାକ କାରଖାନା ମଧ୍ୟରେ ଏବଂ ମୂଳ କାରଖାନାରେ ଅସନ୍ତୋଷ ସୃଷ୍ଟି କରିଥିଲା। ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍, ଭାରତର ଅନ୍ୟତମ ପୋଷାକ ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଏଚ୍ ଆଣ୍ଡ ଏମ୍, ଗ୍ୟାପ୍ ଏବଂ ପିଭିଏଚ୍ ପରି ବହୁଦେଶୀୟ ପୋଷାକ କମ୍ପାନିଗୁଡ଼ିକୁ ପୋଷାକ ଯୋଗାଉଛନ୍ତି। ଜଷ୍ଟିସ୍ ଫର୍ ଜୟଶ୍ରୀ (ଜୟଶ୍ରୀଙ୍କ ପାଇଁ ନ୍ୟାୟ) ଅଭିଯାନର ଅଂଶ ଭାବରେ, ସଂଘ, ଶ୍ରମିକମାନଙ୍କର ଗୋଷ୍ଠୀ ଓ ମହିଳା ଅନୁଷ୍ଠାନଗୁଡ଼ିକର ଏକ ବିଶ୍ୱସ୍ତରୀୟ ସହବନ୍ଧନ ଏହି ଫେସନ ବ୍ରାଣ୍ଡଗୁଡ଼ିକୁ ‘‘ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ଉପରେ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରିବାକୁ ଏବଂ ଶ୍ରୀମତୀ କାଥାରିଭେଲଙ୍କର ପରିବାର ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ଉପରସ୍ତରରେ ବିଚାର ପାଇଁ ଦାବି କରିଥିଲେ।’’







